Sucharita Sena

Tragedy Others

4  

Sucharita Sena

Tragedy Others

ଭୋକ

ଭୋକ

5 mins
270


ଆଜି ଭଗିଆ ହାତରେ ବାଲ୍ଟି ଧରି ସକାଳୁ ସକାଳୁ ଦୌଡିଛି ଗାଁ ମଝି ନଳକୂଅକୁ | ସକାଳୁ ଗାଁଟା ସାରା ମହିଳା ନିଜର ବାସିପାଇଟି ସମାପନ୍ନ ପାଇଁ ବାଲ୍ଟିରେ ପାଣି ନେଇ ବସିଯାନ୍ତି ସେ ନଳକୂଅ ଚତୃପାର୍ଶ୍ଵରେ | ଭଗିଆ ଜଲ୍ଦିରେ ଥିଲା ଏତେ ଭିଡ ଦେଖି ନିଜ ବାଲ୍ଟି ଉପରେ ବସିପଡିଲା..... ସ୍ୱୟଂକୁ କୋଷି ହେଉଥିଲା ମନେ ମନେ, ଆଉ ଟିକେ ଯଦି ସହଳ ଉଠିଥାନ୍ତି ତାହେଲେ ଏ ବାଲ୍ଟି ଉପରେ ବସିବାକୁ ପଡିନଥାନ୍ତା | ଦୋଷ ମୁଣ୍ଡାଇବା ଭଳି ପାଟିରେ ରଖିଥିବା ଦାନ୍ତକାଠି ଉପରେ ସବୁ ରାଗ ଯେପରି ସୁଝାଉ ଥାଏ |

କିଛିକ୍ଷଣ ଚାହିଁ ରହିବା ପରେ ଭଗିଆ ପାଟି ଖୋଲିଲା....... : " ମତେ ଟିକେ ବାଟ ଛାଡ଼, ମୋର ଗୋଟେ ବଡ ଜରୁରୀ କାମ ଅଛି " |

ଭଗିଆ ଦାନ୍ତକାଟିକୁ ଚୋବାଉ ଚୋବାଉ କହିଲା |

ଭାଉଜ ହିସାବୀ କିଛି ମହିଳା ଟାହିଟାପରା କରି କହୁଥାନ୍ତି..... : " କିରେ ଭଗିଆ ନିଜ ପାଇଁ ଝିଅ ଦେଖିବାକୁ ଯିବନା କଣ ????, ଭାରି ଵ୍ୟସ୍ତ , ଛଡ଼ାରେ ଟିକେ ଯାଗା....... ସେ ଯାଆନ୍ତୁ ..... କେତେଦିନ ଏକାଟିଆ ହୋଇ ରହିବେ ? " |

ହସାହସି ହୋଇ ଭଗିଆକୁ ବାଟ ଛାଡିଦେଲେ ସମସ୍ତେ ...... |

ଟିକେ ଯାଗା ପାଇ ଧାଡ଼ୁ ଧାଡ଼ୁ ନଳକୂଅକୁ ବାଡେଇ ଗୋଟେ ବାଲ୍ଟି ପାଣିରେ ସ୍ୱାହା ସ୍ୱାହା କରି ପୁନଃ ଘରକୁ ଧାଇଁଲା ଭଗିଆ |

ବୁଢ଼ୀମା ଘର ଝାଡୁ କରୁଥାଏ, ଭଗିଆ ତରତର ହୋଇ ଜାମା ପ୍ୟାଣ୍ଟ ପିନ୍ଧୁଥିବାର ଦେଖି ପଚାରିଲା ......... : " ଭଗିରେ କୁଆଡେ ଯାଉଚୁ ବାପା , ପଖାଳ ଗଣ୍ଡା ବଢୁଛି ଖାଇଦେଇ ଯାଆ " |

ଭଗିଆ..... : " ନା.... ନା ବାଢେନି, ସେ କହିଛନ୍ତି ଖାଇବାକୁ ଦେବେ, ତୁ କଣ ଦିଟା ରୋଷେଇ କରି ଖାଇଦେ | ମୋ ପାଇଁ କିଛି କରିବୁନି, ମୁଁ ସେଆଡେ଼ ଖାଇକି ଆସିବି " |

କହି କହି ଘରୁ ବାହାରି ଗଲା ଭଗିଆ |

ଗାଡି ଆସି ଗାଁ ମୁଣ୍ଡରେ ଠିଆ ହେଲାଣି |

ଭଗିଆ, ସନା, ଗୋବରା, ପିତିଆ ସମସ୍ତେ ଦୌଡ଼ି ଯାଇ ବସିଗଲେ ଗାଡ଼ିରେ | ଗାଡି ମଝିରେ ମଝିରେ ଅଧାବାଟରୁ ଲୋକ ଉଠାଉ ଥାଏ |

ଆପଣ ଭାବୁଥିବେ ଏମାନେ କୁଆଡେ ଯାଉଛନ୍ତି ???? | ମୁଁ ଆପଣ ମାନଙ୍କ ଅବଗତି ନିମନ୍ତେ କହିରଖେ.........,

ଏ କିଛିଦିନ ହେବ ଆର ଗାଁ ଟୁକୁନାଭାଇ ଆସି ଏ ଉପରୋକ୍ତ ପିଲା ମାନଙ୍କୁ ରାଲି, ସଭା, ଏପରି କାମ ପାଇଁ ନେଇ ଯାଉଛି | ଶହେଟଙ୍କା ସହ ସକାଳ ଜଳଖିଆ ତା ସହିତ ମାଧ୍ୟାନ୍ନଭୋଜନରେ ଭାତ ଓ ମାଛଘାଣ୍ଟିଆ ଦେଉଛନ୍ତି | ଆରଥରକ ନିଶା ପାଣିବି ଦେଇଥିଲେ | ମଜୁରୀଲାଗିଲେ ବେଶୀ କଷ୍ଟ ଲାଗେ, ଏଥିରେ ବିନାକଷ୍ଟରେ ଖାଇଵା ସହ ପଇସା ମିଳୁଛି | ସେଥିପାଇଁ ଗତଥର ଅପେକ୍ଷା ଏଥର ଗାଡ଼ିରେ ପ୍ରବଳ ଭିଡ |

ଗାଡି ଜଳଖିଆ ଦୋକାନ ପାଖରେ ରହିଲା | ଟୁକୁନାଭାଇ ସମସ୍ତଙ୍କୁ ହସିକି କହୁଥାଏ ...... : " ଶୁଣ ଆଜି ଟିକେ ଅଧିକ ଲୋକ ହୋଇଗଲେ, ସେଥିପାଇଁ ସମସ୍ତଙ୍କୁ ବିସ୍କୁଟ ଓ ଚାହା ମିଳିବ, ମଧ୍ୟାହ୍ନଭୋଜନରେ ଭାତ ମାଛଘାଣ୍ଟିଆ ଯେତେ ଖାଇପାରିବ ବୁଝିଲ | ଏ ରଖ ପଚାଶଟଙ୍କା, ରାଲି ସାରିଲେ ମୁଁ ଆଉ ପଚାଶ ଟଙ୍କା ଦେଇଦେବି | ସମସ୍ତେ ଟୁକୁନା ଭାଇ କଥାରେ ହଁ ହଁ କହୁଥାନ୍ତି | ଲାଗୁଥାଏ ଟୁକୁନା ଭାଇ ଯେପର ସେନାଧିପ ଓ ଏମାନେ ସବୁ ସେନାଜିଵୀ |

ଭଗିଆ ଅନ୍ତରରେ ଭାବୁଥାଏ, ଆର ଥରକ ଗୋଟେ ପୁଡିଆ ମିଳିଥିଲା ସେଥିରେ...ସିଙ୍ଗଡ଼ାଟେ, ଦୁଇଟା ବରା ଓ ମିଠା ଗୋଟେ ଥିଲା, ତାସହ ଚାହା କପଟେ | ମୁଁ ସବୁଥିରୁ ଖଣ୍ଡେ ଖଣ୍ଡେ ସ୍ୱାଦ ଗ୍ରହଣ କରି , ବୁଢୀମା ପାଇଁ ବଳକା ଖଣ୍ଡେ ଖଣ୍ଡେ ନେଇଥିଲି |

ଆଜିତ ଖାଇକି ଆସିନି, ଏ ଚାରିଟା ବିସ୍କୁଟରେ କଣ ସଞ୍ଚିବି ତାପାଇଁ | ହଁ....ଆରଥର ଲୋକ କମ୍ ଥିଲେ ଏଥର ତ ତିନିଗୁଣ ଲୋକ | ଶୂନ୍ୟ ପେଟଟି କଣ ଦିବସର ଅଷ୍ଟମ ମୁହୂର୍ତ୍ତ ପର୍ଯନ୍ତ ମୂକ ଭଳି ରହି ପାରିବ.....? | ଭାବନାରେ ପୂର୍ଣ୍ଣଚ୍ଛେଦ ପଡ଼ିଵା ଆଗରୁ, ଭଗିଆ ଚହାରେ ଡୁବେଇ ଡୁବେଇ ସେ ବିସ୍କୁଟକୁ ସମାପ୍ତ କରିସାରିଥିଲା |

ଟୁକୁନାଭାଇ ଉଞ୍ଚସ୍ୱର ଲଗାଇ କହୁଥାଏ...... : ଆଜି ରାଲି ବାହାରିବ, ଆମେ ସବୁ ଆଗରେ ଥିବୁ, ଯାହା କହିବା କଥା ଆମେ କହିବୁ..... ତୁମେ ମାନେ ଖାଲି ତାପଛକୁ ଏତିକି କହିବ, " ଚଳିବ ନାହିଁ ଚଳିବ ନାହିଁ..... ଯଦି ଚଳିବ ନିଆଁ ଜଳିବ " |

ସମସ୍ତେ ବଡଜୋରେ ମୁଣ୍ଡ ହଲାଇ ସହମତି ପ୍ରକାଶ କରୁଥାନ୍ତି | ଭଗିଆଟା ଟୁକୁନା ଭାଇକୁ ଆଉଥରେ ପଚାରି ସେ ଦୁଇ ଧଡ଼ି ଘୋଷି ମୁଖସ୍ଥ କରିଦେଲା |

ରାଲି ବାହାରିଲା, ପ୍ରବଳଲୋକ | ନାରାବାଜି ଚାଲିଲା, କିଏ ଆଗରେ କଣ କହୁଥିଲା ଜଣା ନାହିଁ, କିନ୍ତୁ ସେ ତାଙ୍କ ଧାଡି ସାରିବା ବେଳକୁ ପଛରୁ ଶୁଭୁଥାଏ........ ଚଳିବ ନାହିଁ ଚଳିବ ନାହିଁ...... ଯଦି ଚଳିବ ନିଆଁ ଜଳିବ |

ହଟାତ ପୋଲିସ କର୍ମଚାରି ମାନେ ଲାଠି ଚାର୍ଜ କରିଦେଲେ, ଆଗରେ ଥିବା ଲୋକମାନେ ଓ ଟୁକୁନାଭାଇ ମଧ୍ୟ୍ୟ ଦୌଡ଼ି ଚାଲିଗଲେ | ପଛରେ ଭଗିଆ ସହ ଅନ୍ୟ ପିଲାମାନଙ୍କୁ ପୋଲିସ ମନଇଛା ବାଡେଇ ଦେଇ ଗଲା | ମାଡ ଖାଇ ଯିଏ ଯୁଆଡେ ଧାଁଇଲେ |

ଭଗିଆ ମାଡ ଖାଇ ତଳେ ପଡିଥାଏ, ତାଉପରେ ଚଢି ଲୋକ ମାନେ ଧାଁଧପଡ କରୁଥାନ୍ତି | ଏହି ସମୟରେ ଜଣେ ସାମ୍ବାଦିକ ନିଜ ସ୍ୱରଧର ଯନ୍ତ୍ର ଭଗିଆ ପାଟିପାଖରେ ଲଗାଇ

ପଚାରୁଥାନ୍ତି........ : " ଏଠି କେଉଁ ରାଲି ଚାଲିଥିଲା ? " |

ଭଗିଆ........ : " ଜାଣିନି ଆଜ୍ଞା " |

ସାମ୍ବାଦିକ...... : " ରାଲିର ଉଦେଶ୍ୟ କଣ "?

ଭଗିଆ....... : " ଜାଣିନି ଆଜ୍ଞା " |

ସାମ୍ବାଦିକ...... : " ଆପଣ କଣ ଚାହାଁନ୍ତି, ଏ ରାଲି କଲେ ସବୁ ସମସ୍ୟା ସମାଧାନ ହୋଇଯିବ ? " |

ଭଗିଆ........ : " ମୁଁ କିଛି ଜାଣିନି ଆଜ୍ଞା " |

ସାମ୍ବାଦିକ...... : " ଆପଣ ଏ ରାଲିରେ ଯୋଗ ଦେବାକୁ କେଉଁ ଦଳ କହିଥିଲେ ? " |

ଭଗିଆ........ " ମୁଁ ଜାଣିନି ଆଜ୍ଞା " |

ସାମ୍ବାଦିକ......... : " ଆପଣ କାହା କଥାରେ ଏଠାକୁ ଆସିଥିଲେ, ତାହାବି ଜାଣିନଥିବେ ? " |

ଭଗିଆ......... "ନାଇଁ ଆଜ୍ଞା ଏଟା ଜାଣିଛି ନା, ଆରଗାଁ ଟୁକୁନା ଭାଇ କଥାରେ " |

ସାମ୍ବାଦିକ........ : "ଏ ଟୁକୁନା ଭାଇ କେଉଁ ଦଳର ? " |

ଭଗିଆ...... : "ଜାଣିନି ଆଜ୍ଞା " |

ସାମ୍ବାଦିକ....... : ( କ୍ୟାମେରାକୁ ଚାହିଁ ), ଏମାନେ ଅତ୍ୟନ୍ତ ଚାଳକ ଭାବରେ ଆମକୁ ଯେତେ ଲୁଚେଇଲେ ମଧ୍ୟ୍ୟ ଆମେ ସତ ଖୋଜି ନିଶ୍ଚୟ ବାହାର କରିବୁ | କ୍ୟାମେରା ମ୍ୟାନ ବଗୁଲିଆ ସାହୁଙ୍କ ସହିତ ମୁଁ ବରୁଗୁଡ଼ି ମିଶ୍ର....... ଅମକ ଟିଭି |

ଅଖିଆ ଅପିଆ, ମାଡପୁଳେ ଖାଇ, ଭଗିଆ ଛୋଟେଇ ଛୋଟେଇ, ନିଜ ପକେଟରେ ଥିବା ପଚାଶଟଙ୍କା ଖର୍ଚ୍ଚକରି ଆସି ଘରେ ପହଂଚିଲା ବେଳକୁ ସଞ୍ଜ ବୁଡ଼ିଲାଣି | ବୁଢୀମାକୁ ଖାଇବାକୁ ବାଢିବାକୁ କହି ପିଣ୍ଡାରେ ନାଥୁକି ବସିଗଲା |

ବୁଢୀମା ଆସି କହୁଥାଏ...... : " ତୁ, ମନା କଲୁ ଖାଇବୁନି, ମୁଁ କିଛି ରାନ୍ଧିନି | ପଖାଳ ଥିଲା ମୁଁ ଦିଟା ଖାଇଦେଲି | ରହ ଚୁଲି ଲଗାଏ, ରାନ୍ଧିଲେ ଖାଇବୁ " |

ଭଗିଆ ପେଟରେ ମୂଷା ଦୌଡିଲା ଭଳି ଲାଗୁଥାଏ, ପାଣି ଗ୍ଲାସ ପେଇଦେଇ ଗଡ଼ିଗଲା | ଓ ପାହାର ଖାଇ ଦେହ ଦରଜ |

ବୁଢୀମା କହୁଥାଏ....... : " ଭଗି ମୋ ପାଇଁ ଯେଉଁ ବରା ସିଙ୍ଗଡ଼ା ଅଣିଥିବୁ ତାକୁ ଖାଇଦେ | ମୁଁ ପଖାଳ ଖାଇ ଇଛା ନାହିଁ ଆଉ କିଛି ଖାଇବାକୁ |

ଭଗିଆ ବୁଢୀମା କଥା ଶୁଣିକି ଗମ୍ଭୀର ଭାବରେ " ହୁଁ " ବୋଲି କହିଲା |

     


Rate this content
Log in

Similar oriya story from Tragedy