Satyabati Swain

Tragedy

4.3  

Satyabati Swain

Tragedy

ଭୋଗ

ଭୋଗ

4 mins
343


ସବୁ ଥରକ ପରି ଝିଅ ପଚାରେ"ବାପା ହେଲା?

ନାଇଁରେ ମା ହେଇଯିବ" ।

ସ୍ତ୍ରୀ କୁହେ କେବେ ହେବ?

ଜାଣିନି.......

ପୁଅଟି ଦଉଡ଼ି ଆସି କୁହେ"ବାପା ମୋ ରେସିଂ ସାଇକେଲ ଆଣିଛ"?

ନାରେ ଧନ ଆଣିବି......

ତିନିଟା ମୁହଁ ମଉଳିଯାଏ । ଉତ୍ସୁକତାର ମୁହଁ ମ୍ରିୟମାଣ ଦେଖା ଯାଏ ନାସ୍ତି ବାଣୀରେ । ଯେମିତି ଉତ୍ତୁରିଯାଏ ପୋଡ଼ି ଯାଇଥିବା ମଣିଷ ଦେହରୁ ଚମ।

ହତାଶରେ ବେଶୀ ବୁଢା ହୋଇଯାଆନ୍ତି ବରାଳ ସାର୍ । ଷାଠିଏ ବର୍ଷରେ ଯେ ଗଜା ଟୋକା ପରି ଦିଶୁଥିଲେ;ଏକଷଠି ପୁରୁ ନ ପୁରୁଣୁ ପୁରା ଶହେ ବର୍ଷର ବୁଢା ଦେଖା ଗଲେଣି । ସମୟ,ପରିସ୍ଥିତି ଚାପରେ ବରାଳ ସାର୍ ପୁରା ଭାଙ୍ଗି ପଡିଲେଣି।

ଚାକିରୀ ବ୍ୟତୀତ ଆଉ କିଛି ବଞ୍ଚିବାର ରାହା ନାହିଁ ତାଙ୍କର । ଜୀବନରେ କେବଳ ଘର ଖଣ୍ଡେ କରିଛନ୍ତି ଯାହା । ବାପା ପିଲା ଦିନୁ ଘଡଘଡି ପଡି ବିଲରେ ମରି ଥିଲେ । ମା ଓ ଦୁଇ ଭଉଣୀଙ୍କୁ ସମ୍ଭାଳୁ ସମ୍ଭାଳୁ ହୋଇ ଗଲା ତାଙ୍କୁ ପଇଁତିରିଶ ବର୍ଷ । ମା ତାଙ୍କ ସୁଖ ଦେଖିବାକୁ ରହି ନଥିଲା । ସେ ବି ଆଖି ବୁଜିଥିଲା ଦୁଃଖ କଷ୍ଟରେ ପଢି ଟ୍ରେନିଂ ନେବା ସମୟରେ । ଟିଉସନ୍ କରି ପଢ଼ି ଭଉଣୀ ଦୁଇଟିଙ୍କୁ ମେଟ୍ରିକ ଯାଏ ନେଇଥିଲେ । ଭଉଣୀ ମାନେ ବି ଭାରି ପରିଶ୍ରମୀ । ସିଲେଇ ମେସିନ୍ ପକାଇ ଭଲ ଦୁଇ ପଇସା ରୋଜଗାର କରୁଥିଲେ । ଭାଇକୁ ସାହା ହେଉଥିଲେ । ଗୁଜୁରାଣ ମେଣ୍ଟି ଯାଉଥିଲା ଯେନ ତେନ।

ଚାକିରୀ ମିଳିବା ପରେ ବରାଳ ସାରଙ୍କ ଗୋଟିଏ ଲକ୍ଷ୍ୟ ଭଉଣୀ ଦୁଇ ଜଣଙ୍କୁ ହାତକୁ ଦୁଇ ହାତ କରିବା । ଚାକିରୀ, ଟିଉସନ,ସିଲାଇ ମେସିନ୍ ଏପରି ସବୁ ପଇସା ଏକତ୍ର ଭାଇ ଭଉଣୀ ଜମା କରି ଗୋଟିଏ ପରେ ଗୋଟିଏ ଦୁଇ ଭଉଣୀଙ୍କୁ ଯାଇ ତାଇ ହାତକୁ ଦି ହାତ କରିଥିଲେ ।  କିଛି ଲୋନ କରିବାକୁ ପଡିଥିଲା ବି ଘର ଡିହ ବନ୍ଦକ ପକାଇ । ଅତି ବଡ଼ ଘର ବା ଅତି ଭଲ ଚାକିରିଆ ଭିଣୋଇ କରି ପାରି ନଥିଲେ ବରାଳ ସାର୍ । କିନ୍ତୁ ତାଙ୍କ ଭିଣୋଇ ଦୁଇ ଜଣ ଭଲ ହୃଦୟର ଲୋକ ଥିଲେ।

ଗରିବ ଗୁରିବା ହୁଅନ୍ତୁ ପଛକେ ଭାରି ଭଲ ପାଆନ୍ତି ବରାଳ ସାରଙ୍କୁ ଭିଣୋଇ ଦୁଇ ଜଣ । ସେଇମାନେ ଲାଗି ପଡି ବରାଳ ସାରଙ୍କୁ ଛନ୍ଦିଦେଲେ ନିଶାକୁ ତା ହାତେ । ଦୁଃଖ ଦୁର୍ଦ୍ଦଶା ପିଛା ଛାଡିଲେନି ବରାଳ ସାର୍ ଙ୍କ । ବିବାହର ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଛୁଆ ପିଲା ହେଲେନି । ବରାଳ ସାର୍ କିନ୍ତୁ ଶୁନ୍ ଶାନ ଘରେ ଛୁଆ ଟିଏ ଚାହୁଁଥିଲେ । ବାବା ଡାକ ଶୁଣିବାକୁ ଅତିଷ୍ଠ ହୋଇ ପଡୁଥିଲେ।

ନିଶା ତ ଗୁମୁରି ଗୁମୁରି କାନ୍ଦୁଥିଲେ ଅହରହ । ଅନେକ ଡାକ୍ତରୀ ଚିକିତ୍ସା ପରେ ଝିଅ ରାନୀ ଓ ତା ପରେ ପୁଅ ରାଜା ଜନ୍ମ ନେଲା । ଚାଳିଶ ବର୍ଷରେ ଝିଅ ଜନ୍ମ ବେଳକୁ ବରାଳ ସାର୍ ଙ୍କ ମୁହଁକୁ ହସ ଟିକେ ଛୁଇଁଲା । ବାସ୍ ସେବେଠାରୁ ବରାଳ ସାର୍ ଅଳ୍ପକେ ସନ୍ତୁଷ୍ଟ ହୋଇ ବଞ୍ଚୁଥିଲେ।

ଜୀବନ ତ ଗୋଟିଏ ଶେଷ ହିଁନ ତୃଷ୍ଣା । ତା ପଛରେ ଗୋଡ଼ାଇ ଗୋଡ଼ାଇ କେତେ ବେଳେ ଅବସର ଘଣ୍ଟି ଟଙ୍ଗ୍ କରି ବାଜି ଉଠିଲା । ହଠାତ୍ ନିଦରୁ ଯେମିତି ଉଠି ପଡିଲେ ବରାଳ ସାର୍।

ଓଃ... ଦଉଡୁ ଦଉଡୁ କେତେ ବେଳେ ବୟସ କଣ୍ଟା ଷାଠିଏ ଉପରେ ପହଞ୍ଚି ଗଲା । ଅଭାବ,ସମସ୍ୟା,ଜୀବନ ଯନ୍ତ୍ରଣାରେ ଉବୁଟୁବୁ ହେଉ ହେଉ ଅବସର ଆସିଗଲା । କେବଳ ବର୍ତ୍ତମାନରେ ଯୁଝି ହୋଇ ହୋଇ ଭବିଷ୍ୟତ କଥା ଚିନ୍ତା କରିବାର ଅବକାଶ ପାଇ ନଥିଲେ ସେ।

ବରାଳ ସାର୍ କଣ କରନ୍ତେ....ଭଉଣୀ ବାହା ଘରକୁ ଥିବା କିଛି ଋଣ ଭାର ସୁଝୁ ସୁଝୁ ସ୍ତ୍ରୀ ର ଗର୍ଭ ଧାରଣ ପାଇଁ ବହୁତ ଗୋଟେ ବଡ଼ ଅପରେସନ୍ ପାଇଁ ବଡ଼ ଧରଣର ଋଣ କରିବାକୁ ପଡିଥିଲା । ଋଣ ଭାରରୁ ମୁକ୍ତି ପାଇବା ପରେ ଘରେ ଖଣ୍ଡେ କରିବା ସ୍ବପ୍ନ ସତ କରୁ କରୁ ସରିଗଲା ଚାକିରୀ ଜୀବନ ।

ପିଲା ଦୁଇଟି କେଉଁ କୂଳରେ ଲାଗି ନାହାନ୍ତି । ଝିଅଟି ଇଂଜିନିୟରିଂ ପଢୁଛି । ପୁଅର ଏ ବର୍ଷ କଲେଜ ପ୍ରବେଶ ହୋଇଛି । କେମିତି କଣ କରିବେ ଭାବୁଛନ୍ତି ବରାଳ ସାର୍ । ସମ୍ବଳ କେବଳ ପେନସନ୍ ଗଣ୍ଡାକ।

କିନ୍ତୁ ପେନସନ୍ କାହିଁ?ପାଖା ପାଖି ବର୍ଷେ ହୋଇଗଲାଣି । ଏ ଅଫିସ୍ ରୁ ସେ ଅଫିସ ଦଉଡ଼ି ଦଉଡ଼ି ନୟାନ୍ତ ହେଲେଣି । ସର୍ଭିସ ବୁକ୍ ରେକଣ ଅସୁବିଧା ଅଛି,କ୍ଲିଅର ହୋଇ ପାରୁନି,ଦେଖିବା,ଏତେ ବ୍ୟସ୍ତ ହେଲେ ହେବ....ଇତ୍ୟାଦି ଇତ୍ୟାଦି କଥା ଶୁଣି ଶୁଣି କାନ ବି ଅରାଜି ହେଲାଣି ତୁଚ୍ଛା ଅଲଣା କଥା ଶୁଣିବାକୁ । ସୁଗାର ବି ବଢ଼ିଗଲାଣି ଢେର ବରାଳ ସାର୍ ଙ୍କର।

କେତେ ଜଣ ବନ୍ଧୁ କହିଲେଣି କେତେ "ଭୋଗ" ଦେଇଛ ବରାଳେ ପେନସନ୍ ପାଇଁ?

ବରାଳ ଆବା କାବା ହୋଇ ଚାହେଁ ତାଙ୍କ ମୁହଁକୁ ।

ଭୋଗ !ସେ ଦେବେ!କାହାକୁ!କାହିଁକି???

ହୋ ହୋ ହୋଇ ହସି ଉଠି ସାଙ୍ଗ ମାନେ କହିଲେ ହେଇ ଦେଖ.... ଭୋଗ କଣ ଜଣା ନାହିଁ !ସତରେ ଜାଣିନ.... ନା ଜାଣି ଛୋପରା ହେଉଛ!ବିନା ଭୋଗ,ହାତ ଗୁଂଜାରେ କିଛି ହେଉଛି ନା କଣ ?? ଶଳେ

ଖାଇ ଖାଇ ଏମିତି ଅଭ୍ୟାସ କରିଦେଲେଣି ଯେ ସାଧାରଣ କାମ ପାଇଁ ପରା ଅତିକମ୍ରେ ପାଞ୍ଚ ଶହ!ତୁମର ତ ପୁଣି ପେନସନ୍ କଥା.... ।  ଭୋଗ.... ପୁଣି ଭାଗ ହେବ ଉପରୁ ତଳ । ମହାଦେବଙ୍କୁ ଦର୍ଶନ କରିବାକୁ ହେଲେ ପ୍ରଥମେ ବାସୁଆ ବଳଦ କୁ ସନ୍ତୁଷ୍ଟ କରିବାକୁ ପଡିବ ନା...... । ଭଲ ରକମର ଭୋଗ ଦେଇ ଦିଅ ଦେଖିବ ସବୁ ଅସୁବିଧା ସୁବିଧା ହୋଇଯିବ । ବୋଧେ ଭୋଗ ଚଢ଼େଇନ । ସେଇଥିପାଇଁ ଏତେ ହଇରାଣ କରୁଛନ୍ତି.......।

ବରାଳ ସାର୍ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଜଣେ ପ୍ରାଥମିକ ଶିକ୍ଷକ । ଭାରି ଖାତିର ତାଙ୍କର । ଏବେ ସେ ବୁଝି ପାରିଲେ ଅସଲ ମଂଜିଟା କେଉଁଠି । ବରାଳ ସାର୍ ଙ୍କୁ ତ ମୁହଁ ଖୋଲି ମାଗି ପାରିବେନି,ଏମିତି ହଇରାଣ କଲେ ବଳେ ମୋଡି ମୋଡି ହୋଇ ଯାଚିକି ଦେବେ,ଯିବେ କୁଆଡେ....

ନୀତି ,ଆଦର୍ଶ,ପାଠ ପଢ଼ାଉଥିବା ଦକ୍ଷ ହେଡ୍ ମାଷ୍ଟର ଜଣେ ଭୋଗ ନ ଦେଲେ ତା ପେନସନ୍ ହେବନି!ଏଇ ମୋ ଦେଶ!ଏଇ ମୋ ଗଣତନ୍ତ୍ର!ଏଠି ହକ୍ ପାଇଁ ବି ଭୋଗ ଆବଶ୍ୟକ!

କୁହୁଡ଼ିଆ ଦେଖା ଗଲା ବରାଳ ସାରଙ୍କୁ ସବୁ । ଯେଉଁଠି ଯାହା ଥିଲା ସବୁ ସରିଲାଣି । ଛୁଆ ଦିଟାଙ୍କ ପାଠ ପଢା ସହ ଘର ତେଲ ଲୁଣ । ନିଶାର ଆଜ୍ମା ରୋଗ । ପଇସା ଥିଲା ବେଳେ ସମସ୍ତେ ନସର ପସର । ପଇସା ନଥିଲେ ତୁ କିଏ ନା ମୁଁ କିଏ । କଣ କରିବେ । ରାତି ସାରା ଏପଟ ସେପଟ କଡ଼ ଲେଉଟାଇ ନିଜ ଆଦର୍ଶ ନୀତି ସହ ବୁଝା ମଣା କରୁ କରୁ ରାତି ପାହି ଗଲା । ଶୁଭିଲା ସାଧାରଣତନ୍ତ୍ର ଦିବସ କୀ ଜୟ, ଭାରତ ମାତା କୀ ଜୟ।

ଆଜି ସତୁରି ତମ ସାଧାରଣତନ୍ତ୍ର ଦିବସ । ପିଲା ମାନେ ସ୍ଲୋଗାନ ଦେଇ ପ୍ରଭାତ ଫେରି କରୁଛନ୍ତି ପତାକା ଧରି । ଟିକେ ଜାତୀୟ ପତାକାକୁ ନିରୀକ୍ଷଣ କରି ଅନାଇଁଲେ ବରାଳ ସାର୍ । ଭୋଗ ଦଶ ହଜାର ଟଙ୍କା ଖାମ୍ ଭିତରେ ନେଇ ଯାଉଥିଲେ ବଡ଼ ବାବୁ ଘରକୁ । ଛୁଟିରେ ଥିବେ । ଏତିକ ଭୋଗ ସାମଗ୍ରୀ ପାଇଲେ କାଳେ ପ୍ରସନ୍ନ ହୋଇ ପେନସନ୍ ଗଣ୍ଡାକ କରିଦେବେ ବୋଲି ସାଙ୍ଗ ନିଲୁ ମହାନ୍ତି କହିଛି।

ପିଲାଙ୍କ ମେଳରେ ବରାଳ ସାର୍ କହିଲେ ସାଧାରଣତନ୍ତ ଦିବସ କୀ ଜୟ । ଆଦର୍ଶର ତଣ୍ଟି ଚିପି ଇଛା ବିରୋଧ କାମ କରୁଥିବାରୁ ବରାଳ ସାର୍ ଙ୍କ ମନ ଓ ଆତ୍ମା କାନ୍ଦୁଥିଲେ ଭୋ ଭୋ.....

*ସତ୍ୟବତୀ ସ୍ଵାଇଁ,ବାଲିକୁଦା, ଜଗତସିଂହପୁରର*


Rate this content
Log in

Similar oriya story from Tragedy