STORYMIRROR

Madhabi Patel

Inspirational Others

4  

Madhabi Patel

Inspirational Others

ଭଙ୍ଗା ଯୋଡ଼ି ହେବ କି

ଭଙ୍ଗା ଯୋଡ଼ି ହେବ କି

3 mins
384

ସୁଧାଂଶୁ ଭାଇଙ୍କ ପୁଅ ଟିଏ ହୋଇଛି। ବର୍ଷେ ପୂରିବ ଦୁଇଦିନ ପରେ।ସେଥିପାଇଁ ସାଳନ୍ଦୀ ଆସିଛି। ଭାଉଜଙ୍କୁ ପ୍ରତି କାମରେ ସାହାଯ୍ୟ କରୁଛି। ସାଳନ୍ଦୀ ଜଣେ ସ୍କୁଲ ଶିକ୍ଷକକୁ ବିବାହ କରିଛି।ବେଶି ରୋଜଗାର ନ ଥିଲେ ବି ଟାଣଟୁଣ କରି ଚଳାଇ ନିଅନ୍ତି ନିଜ ପରିବାର।ସେ ଭାଇର ପୁଅ ପାଇ ଭଲ ସୁନା ଚେନଟେ ଆଣିଛି ଉପହାର ଦେବା ପାଇଁ।ଗୋଟେ ବୋଲି ଭାଇ ତା'ର, ଶଶୁର ଘର ତା'ର ବଡ ଲୋକ ତାଙ୍କ ସାମନାରେ ଆଖିଦୃଶିଆ,ଉପହାର ନ ଦେଲେ ତା ଶାଶୁ ଓ ଶାଳି ଦିପଦ ଶୁଣାଇଦେବେ ତାଙ୍କୁ।


ତେଣୁ ଏମାସ ଦରମାଟା ଚେନ ଓ ପୂଜାର ପ୍ରସ୍ତୁତିରେ ସରିଗଲା।ଚେନକୁ ନିଜ ବ୍ୟାଗ ଭିତରେ ଏକ ଲମ୍ବା ଭେଲଭେଟ ଡବାରେ ସାଇତି ରଖିଛି ପୂଜା ଦିନ ଦେବ ବୋଲି।

ଭାଉଜଙ୍କ ମାଆ ବାପା ସାଙ୍ଗରେ ଭଉଣୀ କୃଷ୍ଣାବି ଆସିଛ ପୂଜାରେ ଉପସ୍ଥିତ ହେବାପାଇଁ।କୃଷ୍ଣା ବଡଘର ବୋହୁ।ତା' ଶଶୁର ଜଣେ ଓକିଲ ଭଲ ପ୍ରାକ୍ଟିସ୍ ଚାଲେ।ସ୍ବାମୀ ପୁନିତ ବି ଜଣେ ଇଞ୍ଜିନିୟର।ଲକ୍ଷ୍ମୀଙ୍କର ସଦା ସୁଦୟା ରହି ଆସିଛି ତାଙ୍କ ଘରେ।ସେଥିପାଇଁ ମନରେ ଧନ ଗର୍ବ ସାମାନ୍ୟ ତ ରହିବ।


କୁଣିଆଁ ଆସିଲେ କୁଣିଆଁ ପରି ରହନ୍ତି।ବସିକି ସମୟ ଅନୁସାରେ ସବୁ ଜିନିଷ ଅର୍ଡର କରନ୍ତି।ଚାଆ ଆଣିଲ।ଜଳଖିଆ ହେଲା କି?ଆଜିର ତରକାରି ରେ ଲୁଣ ଟିକେ ଅଧିକା ହେଇଗଲା, ଏମିତି କେତେ ନଖରା ତାଙ୍କର।

ଏମିତି ଅନେକ ଟିପ୍ପଣୀ ଚାଲିଥିବ ସେମାନେ ଆସିଲେ।


ଏମାନେ ଆସିଲେ ସାଳନ୍ଦୀକୁ ବଡ ଭୟ ଲାଗେ।ସବୁ

ବେଳେ ଭଲ ରୋଷେଇ କରୁଥିବା ସାଳନ୍ଦୀର ଭୁଲ ଭଟକା ହେଇଯାଏ ଏମାନଙ୍କ ଡରରେ।ତା'ର ବେଶ ପୋଷାକକୁ ନେଇ ବି ଅନେକ ତାନା ମାରିବା ଛାଡନ୍ତିନି।ତା' ଦୁଧିଆ ଗୋରା ଦେହରେ ସବୁ ରଙ୍ଗ ଭଲ ଦିଶେ।ଅଳ୍ପ ଦାମର ଶାଢୀଖଣ୍ଡେ ପିନ୍ଧିଲେବି ସମସ୍ତଙ୍କ ଭିତରୁ ବାରିପଡେ ସେ।ତାରା ମାନଙ୍କ ଭିତରେ ଚାନ୍ଦ ପରି ତା'ର ଚମକ ଚାରିଆଡେ ବିଛେଇ ପଢୁଥାଏ।


ଭାଉଜ ଓ କୃଷ୍ଣାଙ୍କ ରଙ୍ଗ ଶ୍ୟାମଳ।ତେଣୁ ସେମାନେ ସବୁବେଳେ ମହଙ୍ଗା ଲୁଗା ବ୍ୟବହାର କରନ୍ତି ନିଜକୁ ଆକର୍ଷିତ କରିବା ପାଇଁ।

ଆଉ ସାଳନ୍ଦୀକୁ ଆକ୍ଷେପ କରନ୍ତି,ଅଳ୍ପଦାମର ଲୁଗା ପିନ୍ଧେ ବୋଲି।

ସେଥିପାଇଁ ଏଥର ବିବାହରେ ଶଶୁରଘରେ ଦେଇଥିବା ପାଟକୁ ପୂଜାରେ ପିନ୍ଧିବ ବୋଲି ନେଇ ଆସିଥିଲା।

ସକାଳୁ ସେ ଲାଗିଥିଲା ପୂଜା ସାମଗ୍ରୀ ଯୋଗାଡରେ।ସବୁ ଦରକାରି ଜିନିଷ ନେଇ ପୂଜା ଆସ୍ଥାନରେ ଥୋଇ ଆସିଲା।ତାପରେ ଯାଇ ନିଜ ଲୁଗା ପନ୍ଧି ପ୍ରସ୍ତୁତ ହେଲା।ଏବେ ସେ ବହୁତ ସୁନ୍ଦର ଦିଶୁଥିଲା ନାଲି ରଙ୍ଗର ସମ୍ବଲପୁରି ପାଟ ପିନ୍ଧି।

ସମସ୍ତେ ତା ଆଡକୁ ଅନାଉ ଥିଲେ। ତା ରୂପର ପ୍ରଶଂସା କରୁଥିଲେ।


ଏତେ ବେଳକୁ କୃଷ୍ଣାବି ସଜବାଜ ହେଇ ଆସିଲା।ଦାମୀ ଶାଢୀ ଗହଣାରେ ସଜାଇ ହୋଇ କଣ୍ଢେଇ ପରି ଲାଗୁଥିଲା ସେ।ଏକ ଚେୟାର ଟାଣି ବସି ରହିଲେ ମାଆ ଝିଅ।

ପୂଜା ଆରମ୍ଭ ହେଲା।ପୁତୁରାର ନାଆଁ ଦିଆହେଲା।

ଅନ୍ନପ୍ରାସନ ବି ଏକା ସାଙ୍ଗେ ରଖିଥିଲେ।

ଅଜା ଆଈ ଅନ୍ନ ଖୁଆଇଲା ପରେ ଏବେ ଅନ୍ୟ ମାନଙ୍କ ଖୁଆଇ ବାର ପାଳି ପଡିବ।କୃଷ୍ଣା ଓ ସାଳନ୍ଦୀ ନିଜର ଚେନ୍ ଆଣିବାକୁ ବେଡରୁମ୍କୁ ଗଲେ।ଉଭୟଙ୍କ ଜିନିଷ ଏକା ଜାଗାରେ ରଖା ହେଇଥିଲା।

କୃଷ୍ଣା ନିଜ ବ୍ୟାଗ ଖୋଲି ଦେଖିଲା ତାର ନାଲି ଭେଲଭେଟ ବାଲା ଚେନ ଡବାଟା ବ୍ୟାଗରେ ନାହିଁ।

ସେତେବେଳେ ସାଳନ୍ଦୀ ନିଜ ଚେନଡବାଟି ବ୍ୟାଗରୁ କାଢିଲା।ସେତେବେଳେ କୃଷ୍ଣା ଛଞ୍ଛାଣ ପରି ଝାମ୍ପି ନେଲା ତା ହାତରୁ ଡବାଟିକୁ।

କହିଲା,ଏତ ମୋର ଚେନ୍ ର ଡବା।ତୁ ମୋ ବ୍ୟାଗରୁ ଚୋରି କରି ନେଇଛୁ।

ନହେଲେ ତୋର ଏତେ ସାମର୍ଥ୍ୟ କାହିଁ ଏତେ ମୂଲ୍ୟବାନ ଉପହାର ଦେଇ ପାରିବୁ।

ସାଳନ୍ଦୀ କହୁଥାଏ ଏହା ମୋର,ମୋ ପୁତୁରା ପାଇଁ କିଣି ଆଣିଛି,ହେଲେ ସେ ଶୁଣିବାକୁ ରାଜି ନଥିଲା।


ଏତେବେଳକୁ ବିଳମ୍ବ ହେବା ଦେଖି କୃଷ୍ଣାର ମାଆ ବି ସେଠି ପହଞ୍ଚି ଗଲେ।କହିଲେ କୃଷ୍ଣା ତୋର ଚେନ୍ କାହିଁ?ଆସୁନୁ ପୁଅକୁ ପିନ୍ଧେଇ ଅନ୍ନ ଖୁଆଇବୁ।

କୃଷ୍ଣା କହିଲା,ଦେଖନା ମମ୍ମୀ ସାଳନ୍ଦୀ ମୋ ଚେନ୍ କୁ ଚୋରୀ କରି ନେଇ ଯାଇଥିଲା।ମୁଁ ତା ହାତରୁ ଛଡାଇ ଆଣିଛି।

ସାଳନ୍ଦୀ ନିଜକୁ ନିର୍ଦୋଷ ବୋଲି କହୁଥାଏ।ହେଲେ ଦୁଇଜଣ ଶୁଣୁ ନ ଥାନ୍ତି।ଜବରଦସ୍ତି ତା ହାତରୁ ଚେନ୍ ନେଇ ଚୋରଣୀ ବୋଲି ଆକ୍ଷେପ କରୁଥାନ୍ତି।ଛୋଟ ଘର ଝିଅ,ଛୋଟଘର ବୋହୁ ବୋଲି ତାର ସାତପୁରୁଷ ଉଝାଳି ପକାଉ ଥାନ୍ତି।

ସାଳନ୍ଦୀ ଏବେ କଣ କରିବ,ଭାବୁଥିଲା।ଏତେ କଷ୍ଟରେ ଆଣିଥିବା ଉପହାରକୁ ଏମାନେ ନେଇଗଲେ।ଏକଥା କହିଲେବି କେହି ବିଶ୍ବାସ କରିବେନି।ସମସ୍ତେ ତାଙ୍କୁ ହିଁ ବିଶ୍ବାସ କରିବେ କାରଣ ସେମାନେ ବଡଲୋକ।

ଏବେ କଣ କରିବ ସେ?କଣ ଉପହାର ଦେବ ପୁତୁରାକୁ?ରସିଦ ଟା ବି ପ୍ରଣବ ପାଖେ ରହି ଯାଇଛି।ସେ ଘରୁ ଆସୁଥିବେ ଆସିଲେ ଯାହା କରି ହେବ।


ସେ ପ୍ରଣବ ଙ୍କୁ ଖୋଜିବାକୁ ଲାଗିଲା।ଯାହଉ ପ୍ରଣବ ପହଞ୍ଚି ସାରିଥିଲେ।ସେ ତାଙ୍କ ପର୍ସରୁ ଚେନର ରସିଦ ନେଇ ପହଞ୍ଚି ଗଲା।

ସମସ୍ତଙ୍କ ଆଗରେ କ୍ରିଷ୍ଣା ପିଲାକୁ ଚେନ ପିନ୍ଧାଇବା ଆଗରୁ ଟାଣିନେଲା ଚେନକୁ।

କହିଲା ଏଇ ଦେଖ ଚେନର ରସିଦ।ମୁଁ କିଣିଛି ଏହାକୁ ଦୋକାନର ନାଆଁ ବି ଅଛି।

ସେପଟେ କୃଷ୍ଣା କହୁଥାଏ ନାଁ ଏହା ମୁଁ ଭୂବନେଶ୍ବର ଲାଲଚନ୍ଦ ଦୋକାନରୁ କିଣିଛି।

ଦୁଇଟା ସଂପର୍କ ଏମିତି ଭାଙ୍ଗି ଖଣ୍ଡ ବିଖଣ୍ଡିତ ହେଉଥାନ୍ତି ସର୍ବ ସମ୍ମୁଖରେ।

ଠିକ୍ ସେତେବେଳେ ଘର ବାହାରେ କାରଟେ ଆସି ରହିବାର ଶବ୍ଦ ହେଲା।କୃଷ୍ଣାର ସ୍ବାମୀ ପୁନିତ କାରରୁ ଓହ୍ଲାଇ ଘରଭିତରକୁ ପଶି ଆସିଲେ।

ସେ କୃଷ୍ଣାକୁ ପାଟିକରି ଡାକି କହିଲେ,କୃଷ୍ଣା ଏଇ ନିଅ ତୁମ ଚେନ।ଉପହାର ପାଇଁ କିଣିଥିବା ଚେନ ତ ସୋଫାରେ ଥୋଇ ଚାଲି ଆସିଥିଲ।


ଏବେ କୃଷ୍ଣାର ମନେ ପଡୁଥିଲା ,ସେ ଘରୁ ବାହାରିବା ଆଗରୁ ବ୍ୟାଗ ଥରେ ଖୋଲିଥିଲା,ସେତେବେଳେ ବୋଧହୁଏ ଏ ଡବାଟିବି କାଢି ସେଠି ଥୋଇ ଦେଇଥିଲା।

ନିଜର ଭୂଲ ଏବେ ସେ ବୁଝି ପାରିଥିଲା।ସମସ୍ତଙ୍କ ସାମନାରେ ଏତେବଡ ତାମସା କରିଥିବାରୁ ଲଜ୍ଜିତ ଥିଲା।

ସେ ହାତରେ ଧରିଥିବା ଚେନକୁ ସାଲନ୍ଦୀକୁ ବଢାଇ ଦେଇ ସରି କହିଲା ଓ ନିଜ ଉପହାର ଡବାରୁ ଚେନ କାଢି ପୁଅକୁ ପିନ୍ଧେଇ ଦେଲା।ହେଲେ ତା ମନରେ ଉତ୍ସବକୁ ନେଇ ଯୋଉ ସରାଗ ଥିଲା ସବୁ ମରିଯାଇଥିଲା ଏ ଘଟଣାରେ।

ସେପଟେ ସାଳିନ୍ଦୀ ବି ଭାଙ୍ଗି ପଡିଥିଲା।ଏତେ ଗୁଡାଏ ନିନ୍ଦା ଅପବାଦ କଟୁବଚନ ଶୁଣି।ସାମାନ୍ୟ ଅବୁଝାମଣାରେ କ୍ଷଣକରେ କେମିତି ଦୁଇଟା ମଧୁର ସଂପର୍କ ଭାଙ୍ଗିଗଲା।

ଧୈର୍ଯ୍ୟ ନଥିଲେ ଏମିତି ଘଟିବା ସ୍ବାଭାବିକ।

କଥା କହିବା ଆଗରୁ ଥରେ ଭାବିକି କହିବା କଥା। କଥାର ଚୋଟ ତୀକ୍ଷଣ ଛୁରୀଠୁ ବି ବେଶି କାଟେ।

ଏବେ ଏ ଭଙ୍ଗା ସଂପର୍କ ଆଉ ଯୋଡି ହବ କି?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational