Jayashree Maharana

Tragedy Others

4.0  

Jayashree Maharana

Tragedy Others

ଭଙ୍ଗା କପ୍

ଭଙ୍ଗା କପ୍

4 mins
210



  ମାର୍ବଲ ଖଚିତ ବିରାଟ ବୈଠକ ଘରର ଆରାମଦାୟକ ସୋଫାସେଟର ଗଦି ଉପରେ ଖୁବ୍ ଶାନ୍ତ ଭାବରେ ବସିରହି ଚଷମା ତଳୁ ଖବରକାଗଜ ପଢୁଥିଲେ ଶ୍ରୀଯୁକ୍ତ ଵିଷ୍ଣୁପ୍ରସାଦ ମିଶ୍ର ବାବୁ ।ପତ୍ନୀ ଅନ୍ନପୂର୍ଣ୍ଣା ଦେବୀ ଚା କପଟି ବଢ଼ାଇ ଦେଇ ରୋଷେଇ ଘରକୁ ଚାଲିଗଲେ ।

  ଚା କପଟି ପାଟି ପାଖକୁ ନେଉ ନେଉ ହଠାତ୍ ସମ୍ବାଦପତ୍ରର ଏକ ଖବର ଉପରେ ଦୃଷ୍ଟିନିବଦ୍ଧ ହେବା ମାତ୍ରେ ଥରି ଉଠିଲା ତାଙ୍କର ସମଗ୍ର ଶରୀର ଆଉ ହାତରୁ ଖସି ଚଟାଣ ଉପରେ ଖଣ୍ଡ ଖଣ୍ଡ ହୋଇ କପଟି ବିଚ୍ଛୁରିତ ହୋଇଗଲା ଘରସାରା ।

.......କଣ ହେଲା ପିଙ୍କୁ ବାବା ?ଶବ୍ଦଶୁଣି ଦୌଡ଼ି ଦୌଡ଼ି ଆସି ପ୍ରଶ କଲେ ଅନ୍ନପୂର୍ଣ୍ଣା ଦେବୀ ଓରଫ ଅନୁ ।

.........ନା ନା ଅନୁ । କପଟି ପଡି.........

.......ହଉ ହଉ । ମୁଁ ଉଠାଇ ନେଉଛି ।ତୁମ ପାଇଁ ପୁଣି ଚା ନେଇ ଆସୁଛି ।

...........ନା ଅନୁ ।ମୁଁ ସିନା ଏ ଭଙ୍ଗାକପ ଯୋଡିପାରିବି ନାହିଁ କିନ୍ତୁ ତୁମ ଭଙ୍ଗାମନକୁ ନିଶ୍ଚୟ ଯୋଡ଼ିଦେବି ଅନୁ ।

  ବୁଝିପାରୁନଥିଲେ ଅନୁ ।କଣ ହେଇଛି ସ୍ୱାମୀଙ୍କର !ପାଗଳ ପରି ପ୍ରଳାପ କରୁଛନ୍ତି।ଦୀର୍ଘ ୨୦ ବର୍ଷର ବୈବାହିକ ଜୀବନ ଭିତରେ ସ୍ୱାମୀଙ୍କର ଏମିତି କଥା କେବେ ଶୁଣିନାହାନ୍ତି ।ଅନେକ ଉତ୍ଥାନ,ପତନ ଦେଇ ସମୟ ଗଡ଼ିଚାଲିଛି ।ସବୁ ସମୟରେ ସ୍ଥିର,ଗମ୍ଭୀର ସ୍ୱାମୀ ଆଜି କାହିଁକି ଏମିତି ବ୍ୟତିବ୍ୟସ୍ତ ?ଯେଉଁଦିନ ମୃତ ଶିଶୁକନ୍ୟାର ଜନ୍ମ ହେଲା,ଯେଉଁଦିନ ଅତ୍ୟଧିକ ସ୍ନେହପାଇ ଭୁଲ ବାଟକୁ ଚାଲିଯାଇ ନିଜର ଏକମାତ୍ର ପୁତ୍ର ପୁଲିସ ଦ୍ୱାରା ଅଟକ ହେଲା କାହିଁ ସେତେବେଳେ ତ ଭାଙ୍ଗିପଡିନଥିଲେ ସ୍ୱାମୀ ।କିନ୍ତୁ ଆଜି ହଠାତ୍ ......।ଏମିତି ଅନେକ ଭାବନା ଅନୁଙ୍କ ମନକୁ ଆନ୍ଦୋଳିତ କରୁଥିଲା ।

ସଜବାଜ ହୋଇ ବିଷ୍ଣୁବାବୁ ବାହାରିଗଲେ ।ମୁଁ କିଛି ସମୟ ପରେ ଆସୁଛି ଅନୁ ....ଉଚ୍ଚ ସ୍ୱରରେ କହି ଚାଲିଗଲେ । କନ୍ୟାଶ୍ରୀ ଅନାଥଆଶ୍ରମର ପରିଚାଳକ ୬୦ ବର୍ଷୀୟା ସୁକଲ୍ୟାଣୀ ଦେବୀ ଓ ଅନ୍ୟ କେତେ ଜଣ ସହଯୋଗୀ ସମ୍ବାଦପତ୍ରରେ ପ୍ରକାଶିତ ଖବର ଉପରେ ଆଲୋଚନା କରୁଥିଲେ ।ବର୍ତ୍ତମାନ ଦେଶରେ ପୁଅଙ୍କ ତୁଳନାରେ ଝିଅଙ୍କର ସଂଖ୍ୟା କ୍ରମଶଃ ହ୍ରାସ ପାଇବାରେ ଲାଗିଛି ।ଆଉ ଦିନ ଆସିବ ଏ ଦୁନିଆ କନ୍ୟାଶୂନ୍ୟ ହୋଇଯିବ । ଆଉ ସୃଷ୍ଟି ହୋଇଯିବ ବିଲୟ ।

........ଠିକ କହିଲେ ଅପା ।କହିଉଠିଲେ ପ୍ରୀତିମୟୀ ଦେବୀ ।ନାରୀ ବିନା କଣ ବା ପୁରୁଷର ଅସ୍ତିତ୍ୱ ?ଏ ସୃଷ୍ଟିର ବାହାକ ନାରୀ ଓ ପୁରୁଷ ଉଭୟ ।ତେବେ ନାରୀ ପ୍ରତି ଏ ମନୋଭାବ କାହିଁକି ?ଏ ପୃଥିବୀ କନ୍ୟାଶୂନ୍ୟ ହେଲେ କଣ ତିଷ୍ଠି ପାରିବ ଏ ଦାମ୍ଭିକ ପୁରୁଷ ଜାତି ?ସୃଷ୍ଟିର ବିଲୟ ଅବଶ୍ୟମ୍ଭାବୀ ।

...........ଏଥିପାଇଁ ସଚେତନାର ଘୋର ଅଭାବ ।ଯେଉଁ ନାରୀ ଜନ୍ମଦେଲା,ଲାଳନପାଳନ କରେ, ଜୀବନସାଥୀ ହୋଇ ସୁଖଦୁଃଖରେ ଭାଗିଦାରୀ ହୁଏ,ସେହି କନ୍ୟାଟିଏ ଜନ୍ମନେଲେ ଆମ ଭିତରେ କାହିଁକି ତା'ପ୍ରତି ଘୃଣାଭାବ ? ଅନ୍ୟ ଜଣେ ସହଯୋଗୀ କହିଉଠିଲେ ।

.........ଏ ସବୁ ପାପ ।ଆଉ ଏପରି ପାପୀଙ୍କୁ କଠୋର ଦଣ୍ଡ ଦିଆଯିବା ଉଚିତ ।କହିଉଠିଲେ ଶ୍ୟାମବାବୁ।

.........ହଁ ହଁ ।ଆପଣ ଠିକ୍ କହିଛନ୍ତି ଆଜ୍ଞା ।ମୋ ଭଳି ପାପୀମାନଙ୍କୁ ଦଣ୍ଡ ମିଳିବା ଉଚିତ ।ଭିତରକୁ ପଶି ଆସି କହିଉଠିଲେ ବିଷ୍ଣୁବାବୁ ।

ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ !କିଏ ଆପଣ?ଏଠାକୁ କାହିଁକି ଆସିଛନ୍ତି ?ପାପ !କି ପାପ?

............ମୁଁ ବିଷ୍ଣୁପ୍ରସାଦ ଚୌଧୁରୀ ।୧୭ ବର୍ଷ ତଳେ ।ଗୋଟିଏ ଶିଶୁକନ୍ୟାକୁ ଆପଣଙ୍କ ଆଶ୍ରମରେ ଛାଡିଯାଇଥିଲି । ସେ ପ୍ରକୃତରେ ମୋ ଝିଅ ।ମୁଁ ପାପୀ ।ଝିଅଟିଏ ବୋଲି ତା'ପ୍ରତି ଏପରି ଆଚରଣ କରି.......କାନ୍ଦିଉଠିଲେ ଵିଷ୍ଣୁବାବୁ ।

 ସୁକଲ୍ୟାଣୀ ଦେବୀଙ୍କର ଗୋଟି ଗୋଟି ମନେ ପଡିଯାଉଥିଲା ସେ ଦିନର ସେଦିନର ଦୃଶ୍ୟ ।ହଁ ହଁ ଆପଣ ତେବେ ଜ୍ୟୋତିର..........।

....ହଁ ହଁ ମୁଁ ସେଇ ରାକ୍ଷସ।ହେଲେ ଏ ରାକ୍ଷସ କଣ ଦେବୀଙ୍କର ସାନ୍ନିଧ୍ୟରେ ନିଜ ପାପରୁ ମୁକ୍ତ ହୋଇପାରିବ ନାହିଁ ?ମୁଁ କଣ ମୋ ମାଆକୁ ନେଇପାରିବି ନାହିଁ ?ଜୀବନରେ କରିଥିବା ଜଘନ୍ୟ ଅପରାଧରୁ ମୁକ୍ତ ହେବା ପାଇଁ ସୁଯୋଗ ପାଇ ପାରିବି ନାହିଁ ?

....ହଁ ହଁ ।କିନ୍ତୁ......

......କିନ୍ତୁ ......

କିନ୍ତୁ କଣ ?

ଦରକାରୀ କାଗଜପତ୍ର ପ୍ରସ୍ତୁତ କରିଦେବୁ ମାତ୍ର......

.....ମୁଁ ବୁଝିପାରୁଛି ।ମୋତେ ଥରେ ମୋ ମାଆ ସହ ଭେଟ କରାଇଦିଅ ।ବିନତୀ କରିଉଠିଲେ ବିଷ୍ଣୁ ବାବୁ ।

ଜ୍ୟୋତି ବୁଝିପାରୁନଥିଲା ।କିଏ ଏଇ ବ୍ୟକ୍ତି ?୧୭ବର୍ଷ ମଧ୍ୟରେ କେବେ ତ କିଏ ଦେଖା କରିନାହାନ୍ତି ?ଝିଅଟିଏ ବୋଲି ଅନାଥ ଆଶ୍ରମରେ ଛାଡି ଦେଇଥିବା ଜନ୍ମଦାତା କଣ ଇଏ ?ସେ କଣ ସତରେ ନିଜ ଭୁଲ ବୁଝିପାରିଛନ୍ତି ?ଜ୍ୟୋତି ଆଗରେ ଆଣ୍ଠୁ ଭାଙ୍ଗି ନିଜ ପାପ ପାଇଁ ପ୍ରାୟଶ୍ଚିତ ଭିକ୍ଷା କରୁଥିଲେ ବିଷ୍ଣୁବାବୁ ।ଏଥର କିନ୍ତୁ ତାଙ୍କ କଥାରେ ସତ୍ୟତା ଅନୁଭବ କରି ପାରୁଥିଲା ।ଛଳଛଳ ଆଖିରେ ନିଜ ପାପୀ ବାପା ପ୍ରତି କାହିଁକି କେଜାଣି ସମବେଦନା ଜାଗ୍ରତ ହେଉଥିଲା ।ନିଜ ଅଜାଣତରେ ସେ ନିଜ ବାପାଙ୍କ ସହ ଯିବା ପାଇଁ ସମ୍ମତି ଜଣାଇଲା ।

   ସ୍ୱାମୀଙ୍କ ସହ ଝିଅଟିକୁ ଦେଖି ଅନେକ ଆଶା ଆଶଙ୍କା ସୃଷ୍ଟି ହେଉଥିଲା ଅନୁଦେବୀଙ୍କ ମନରେ ।ମନରେ ଅନେକ ଦ୍ୱନ୍ଦ୍ୱ ।କିଏ ଏଇ ଝିଅ?

  ଅନୁଙ୍କ ମନର ଦ୍ଵନ୍ଦ୍ୱକୁ ପରିସମାପ୍ତି କରି କହିଲେ

....ଅନୁ ।ଏଇ ନିଅ ।ତୁମ ମୃତ ଶିଶୁକନ୍ୟାକୁ ।ମୋର ପାପର ପ୍ରାୟଶ୍ଚିତ ପାଇଁ ମୁଁ ଆଜି ତୁମ ପାଖରେ ମୁଣ୍ଡ ନୁଆଇଁ ଠିଆ ହୋଇଛି ।ଝିଅଟିଏ ବୋଲି ମିଛ ନାଟକ କରି ମୃତ ଘୋଷଣା କରିଥିବା ସେଇ ଶିଶୁ ଏଇ ଜ୍ୟୋତି ।

 ଏକଥା ଯେମିତି କୋଉ କାହାଣୀର ସଂଳାପ ପରି ମନେ ହେଉଥିଲା ଅନୁଦେବୀଙ୍କୁ ।କିଂକାର୍ତ୍ତବ୍ୟମୁଢ ହୋଇଯାଉଥିଲେ ସେ ।ଦେବତା ଭାବୁଥିବା ସ୍ୱାମୀଙ୍କ ଭିତରେ ଏକ ରାକ୍ଷସକୁ ଦେଖି ସେ ଆଚମ୍ବିତ ହୋଇପଡୁଥିଲେ ।ଅନ୍ତର ତଳେ ଅନେକ କୋହ ଚାପି ରଖି ଯାହାର ସେବାରେ ମନପ୍ରାଣ ଢାଳିଦେଇଥିଲେ ସେ ପୁଣି ଏତେବଡ଼ ଖେଳ ଖେଳିପାରିଥିଲେ ।ନାରୀ ଗର୍ଭରୁ ଜନ୍ମ ହୋଇ, ନାରୀର ସେବାରେ ରହି ନାରୀ ପ୍ରତି ଏ କଠୋର ମନୋଭାବ କେମିତି?

  ସାମ୍ନାରେ ସୁନାନାକୀ, ଚାନ୍ଦ ପରି ଝଟକୁଥିବା ନିରୀହ ଝିଅକୁ ଦେଖି ବହୁଦିନର ସାଇତା ଲୁହକୁ ଅଜାଡ଼ିଦେଇ ଅତି ଶ୍ରଦ୍ଧାରେ ଝିଅକୁ ଆଲିଙ୍ଗନ କରିପକାଇଲେ ।ମୋ ମାଆ, ମୋ ଧନ, ମୋ ସମ୍ପତ୍ତି, ମୁଁ ହତଭାଗୀ .........

ଦୁହିଁଙ୍କର ଦୃଢ଼ ଆଲିଙ୍ଗନରେ ହସିଉଠୁଥିଲା ଘରଟି ।ଦୁହିଙ୍କ ଆଖିରେ ଲୁହର ବନ୍ୟା ।ଦୋଷୀ ମନେ କରୁଥିବା ବିଷ୍ଣୁବାବୁ ଖୁସିରେ ଆତ୍ମହରା ହୋଇପଡୁଥିଲେ ।ଭଙ୍ଗା କପଟି ସିନା ଯୋଡିପାରିଲେ ନାହିଁ କିନ୍ତୁ ଦୁଇଟି ଭଙ୍ଗା ମନକୁ ଯୋଡି ଦେଇଥିଲେ ସେ ।

 ଛାତିର ଯନ୍ତ୍ରଣାଟା ହଟାତ୍ ତୀବ୍ର ହୋଇଉଠିଲା ।ଧୀରେ ଧୀରେ ଚାଲିଗଲେ ଶୋଇବାଘରକୁ ।ଶେଯ ଉପରେ ବିଛାଇଦେଲେ ବହୁଦିନରୁ କ୍ଲାନ୍ତ ହୋଇପଡିଥିବା ନିଜ ଶରୀର ଆଉ ମନକୁ ।ଶାନ୍ତିରେ ଶୋଇଯାଉଥିଲେ ଚିରନିଦ୍ରାରେ ।ପାପର ପ୍ରାରବ୍ଧ ଫଳ ବୋଧ ହୁଏ ଭୋଗୁଥିଲେ ସେ ।ମାତ୍ର ଭଙ୍ଗା କପ ପରି ଅଦରକାରୀ ହୋଇନଥିଲେ ସେ ।ଦୁଇଟି ଭଙ୍ଗା ମନକୁ ପରା ଚିରଦିନ ପାଇଁ ଯୋଡି ଦେଇଥିଲେ ।


   



Rate this content
Log in

Similar oriya story from Tragedy