Kanan Bala Nayak

Tragedy

4.8  

Kanan Bala Nayak

Tragedy

ଭଙ୍ଗା ଆଇନା

ଭଙ୍ଗା ଆଇନା

6 mins
544



     ଛୋଟ ଝିଅଟି ଭାରି ଚୁଲବୁଲି । ନାଁ ତାର ଚାନ୍ଦିନୀ ।ବୟସ ପ୍ରାୟ ଦଶ ଏଗାର ହେବ । ଚାନ୍ଦିନୀ ଯେତେବେଳେ ଦୁଇବର୍ଷର ହୋଇଥିଲା ତା ମାଆ ଏକ ଦୁରାରୋଗ୍ଯ ବେମାରୀରେ ଆକ୍ରାନ୍ତ ହୋଇ ଇହଧ୍ୟାମ ତ୍ଯାଗ କରିଥିଲେ। ତେଣୁ ଚାନ୍ଦିନୀର ବାପା ଥିଲେ ତା ପାଇଁ ବାପା ମାଆ ସବୁ କିଛି । ବନ୍ଧୁ ପରିଜନ ସମସ୍ତେ ତାଙ୍କୁ ଦ୍ବିତୀୟ ବିବାହ ପାଇଁ ପ୍ରବର୍ତ୍ତାଇ ଥିଲେ ମଧ୍ୟ ସେ ରାଜି ହୋଇନଥିଲେ । କହୁଥିଲେ ଅଲିଭାର ସ୍ମୃତିକୁ ନେଇ ମୁଁ ସାରା ଜୀବନ ବଞ୍ଚିବା ପାଇଁ ଚାହେଁ । ତା ଛଡା ସେ ଛାଡି ଯାଇଥିବା ସ୍ମୃତି ଚିହ୍ନକୁ ମଣିଷ ପରି ମଣିଷଟିଏ କରି ଗଢି ପାରିଲେ ତା ଆତ୍ମାକୁ ଶାନ୍ତି ମିଳିବ ।


  ଚାନ୍ଦିନୀ ମାଆଙ୍କର ଇଚ୍ଛା ଥିଲା ବଡ଼ ହେଲେ ସେ ଜଣେ ଡାକ୍ତର ହେବ । ଆଉ ଆଖ ପାଖ ଗାଁ ଲୋକଙ୍କର ସେବା କରିବ । ଚାନ୍ଦିନୀ ନାଁ ଟା ଯେମିତି ସେ ଦେଖିବାକୁ ମଧ୍ୟ ସେମିତି । ଗୋଟିଏ ଚାଉଳରେ ଗଢା । ପାଠ ପଢାରେ ମଧ୍ୟ ବେଶ୍ ଆଗୁଆ । ସମସ୍ତଙ୍କ କଥା ମାନେ । ସେଥିପାଇଁ ସାହି ପଡିଶାର ସବୁ ଲୋକ ଚାନ୍ଦିନୀକୁ ଭାରି ଆଦର କରନ୍ତି । ଚାନ୍ଦିନୀ ସବୁ ବେଳେ ନିଜକୁ ସଜାଇବା ପାଇଁ ଭାରି ଭଲ ପାଏ । ଆଇନା ସାମ୍ନାରେ ବସି କ୍ରିମ ପାଉଡର ଲଗାଇବା ପାଇଁ ତାର ଭାରି ସୁଉକ୍ । ବାପା ତାକୁ କହନ୍ତି ତୁ ସବୁବେଳେ ସେ ଭଙ୍ଗାଆଇନାଟା ରେ ମୁହଁ ଦେଖୁଛୁ । ଭଙ୍ଗା ଆଇନାରେ ମୁହଁ ଦେଖିବା ଭଲ ନୁହଁ । ସେ କହେ ତୁମେ ତ ମୋ ପାଇଁ ଗୋଟେନୂଆ ଆଇନା ଆଣୁନ । ମୁଁ ଆଉ କଣ କରିବି କହିଲ? ତୁମେ ଏଥର ହାଟକୁ ଗଲେ ମୋ ପାଇଁ ଗୋଟେ ନୂଆ ଆଇନା ଆଣିବ । ତା ବାପା ତାକୁ କହନ୍ତି ତୁ ସବୁବେଳେ ଖାଲି ଫେସନ ହେଉଥା । ତୋ ମାଆ ତତେ ନେଇ କେତେ ସ୍ବପ୍ନ ଦେଖିଥିଲା । ତୁ ବଡ ହେଲେ ଡକ୍ଟର ହେବୁ । ଆଖ ପାଖ ଲୋକଙ୍କ ସେବା କରିବୁ । ଆଉ ଚିକିତ୍ସା ବିନା ଯେମିତି କୌଣସି ଲୋକ ନ ମରେ ସେଥିପ୍ରତି ଧ୍ୟାନ ଦେବୁ । ତୁ କିନ୍ତୁ ପାଠ ପଢାରେ ମନ ନଦେଇ ଖାଲି ସେ ଭଙ୍ଗା ଆଇନା ଟିକୁ ଅନାଇ ବସୁଛୁ । ତୋ ମାଆର ଶେଷ ଇଚ୍ଛାକୁ ତୁ କଣ ରଖିବୁନି । ତୁ ଯେଉଁ ଦିନ ତୋ ମା ର ସ୍ବପ୍ନ ପୁରଣ କରିବୁ ସେଇ ଦିନ ମୁଁ ତୋତେ ଗୋଟେ ନୂଆ ଆଇନା ଆଣି ଦେବି ।


   ଚାନ୍ଦିନୀ କହେ ବାପା ମୁଁ ଏବେ ଛୋଟ ଅଛି ବଡ଼ ହେଲେ ପାଠ ପଢିବିନି । ତା ଛଡା ଜେଜେ ମାଆ ତ କହେ ମୋ ମାଆବି କୁଆଡେ ସଜାଇ ହେବାକୁ ଭଲ ପାଉଥିଲା ବୋଲି.। ଆଉ ଏ ଭଙ୍ଗା ଆଇନାଟା ତାର ବୋଲି । ଧିରେ ଧିରେ ଚାନ୍ଦିନୀ ବଡ ହେଲା । ଭଲ ପାଠ ମଧ୍ୟ ପଢିଲା ।ସବୁ ବେଳେ ଶ୍ରେଣୀରେ ପ୍ରଥମ ହେଲା । ଝିଅକୁ ଡାକ୍ତର କରିବା ପାଇଁ ତା ବାପା ଦିନ ରାତି ଏକ କରିଦେଇଥାନ୍ତି ।ଚାନ୍ଦିନୀର ଯେତେବେଳେ ଯାହା ଦରକାର ତାକୁ ପୁରଣ କରିବାର ଚେଷ୍ଟା କରନ୍ତି । କହନ୍ତି ତୋ ମାଆର ସ୍ବପ୍ନ ପୁରଣ କରିବା ପାଇଁ ମୋତେ ଯଦି ନିଜକୁ ବିକ୍ରି କରିବା ପାଇଁ ପଡେ ତେବେ ବି କୁଣ୍ଠାବୋଧ କରିବି ନାହିଁ । ଦିନରେ ତା ବାପା ଦୋକାନ କରନ୍ତି ଏବଂ ସକାଳ ସଂଧ୍ୟା ଲୋକଙ୍କ ଘର ଘର ବୁଲି କ୍ଷୀର ପ୍ଯାକେଟ୍ ବାଣ୍ଟନ୍ତି ।


     ସମୟ କ୍ରମେ ଚାନ୍ଦିନୀ ଗାଁ ସ୍କୁଲରୁ ବହୁତ ଭଲ ନମ୍ବର ରଖି ମେଟ୍ରିକ ପାସ୍ କଲା । ତା ପରେ ସହରର ଗୋଟିଏ ନାମି କଲେଜରେ ନାମ ଲେଖାଇଲା । କିନ୍ତୁ ତା ପିଲାବେଳର ଅଭ୍ଯାସଟାକୁ ଛାଡି ପାରିନଥିଲା । ପାଠ ପଢାରୁ ଯେତେବେଳେଟିକେ ଫୁରୁସତ ପାଏ ସଙ୍ଗେ ସଙ୍ଗେ ଆଇନା ସାମ୍ନାରେ ବସି ପଡେ ଏବଂ ନିଜକୁ ସଜାଇବା ଆରମ୍ଭ କରି ଦିଏ । ତା ବାପା କହନ୍ତି ତୁ ଏତେ ବଡ଼ ହେଲୁଣି କିନ୍ତୁ ସେ ଭଙ୍ଗା ଆଇନା ଦେଖିବା ଅଭ୍ଯାସଟା ଛାଡିଲୁନି । ଚାନ୍ଦିନୀ ହସି ହସି କହେ ତୁମେ ତ ଏ ପର୍ଯ୍ୟନ୍ତ ମୋ ପାଇଁ ନୂଆ ଆଇନାଟେ ଆଣିଲ ନାହିଁ, ମୁଁ ଆଉ କଣ କରିବି?ସେ ବର୍ଷ ଚାନ୍ଦିନୀ କଲେଜରେ ପ୍ରଥମ ହୋଇ ପାସ କଲା ଏବଂ ମେଡିକାଲ ପ୍ରବେଶିକା ପରୀକ୍ଷାରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇ ସହରରେ ଥିବା ମେଡିକାଲ୍ କଲେଜରେ ପଢିଲା ।


   ଏମିତିରେ ତ ଚାନ୍ଦିନୀ ଦେଖିବା ପାଇଁ ସୁନ୍ଦର ଥିଲା ।ତେଣୁ ମେଡିକାଲ କଲେଜର ଅନେକ ଛାତ୍ର ଚାନ୍ଦିନୀ ପଛରେ ପଡିଗଲେ କିନ୍ତୁ ଚାନ୍ଦିନୀର ଏକ ମାତ୍ର ଲକ୍ଷ୍ୟ କେମିତି ଭଲ ଡାକ୍ତରଟେ ହୋଇ ମାଆଙ୍କ ସ୍ବପ୍ନ ପୁରଣ କରିବ ଏବଂ ବାପାଙ୍କ ଠାରୁ ନୂଆ ଆଇନାଟେ ପାଇବ। ସେଥିପାଇଁ ସେ ଦିନରାତି ପରିଶ୍ରମ କରୁଥାଏ । ସହରର ଜଣେ ବଡ଼ ଲୋକଙ୍କ ପୁଅ ଆଶୀଷର ଆଖି ମଧ୍ୟ ତା ଉପରେ ପଡିଲା । ବଡ଼ ଲୋକର ପୁଅ ବୋଲି ପାଠ ଶାଠ କିଛି ପଢେନି । ଦିନ ରାତି ଖାଲି ସାଙ୍ଗ ପିଲାମାନଙ୍କ ସହିତ ମିଶି ବାତରାମି କରେ । ଚାନ୍ଦିନୀ କଲେଜ ଯିବା ସମୟରେ ଆଶୀଷ ଓ ତା ସାଙ୍ଗ ମାନେ ମିଶି ତାକୁ ନାନା ପ୍ରକାର ହଇରାଣ କରନ୍ତି । ଦିନେ ସବୁ ସୀମାକୁ ଟପି ଯାଇ ଆଶୀଷ ଚାନ୍ଦିନୀର ହାତକୁ ଧରିନେଲା । ଚାନ୍ଦିନୀ ତା ହାତକୁ ଛିଞ୍ଚାଡି ଦେଇ ତା ଗାଲରେ ଶକ୍ତ ଚାପୁଡା ଟିଏ ବସାଇ ଦେଲା ।


    ସାଙ୍ଗ ମାନଙ୍କ ସାମ୍ନାରେ ଏତେ ବଡ଼ ଅପମାନକୁ ଆଶୀଷ ସହଜରେ ହଜମ କରି ପାରିଲା ନାହିଁ । ମନେ ମନେ ଖାଲି ରକ୍ତ ଚାଉଳ ଚୋବାଇଲା । କେମିତି ପ୍ରତିଶୋଧ ନେବ ସେ ସୁଯୋଗକୁ ଅପେକ୍ଷା କରି ରହିଲା ।ଚାନ୍ଦିନୀ ମଧ୍ୟ ଏ ବିଷୟରେ ତା ବାପାଙ୍କୁ କହିଲା । ତା ବାପା କହିଲେ ସେ ବଡ଼ ଲୋକର ପୁଅ ତାକୁ ଟିକେ ସାବଧାନ ଥିବୁ । ତୁ ଆଉ ଏକୁଟିଆ କଲେଜ ଯିବୁନି ।ଆଜି କାଲି ସମୟ ଭାରି ଖରାପ । ଜଗି ରଖି ଚଳିବୁ। କିନ୍ତୁ ଆଶୀଷ ଭୁଲି ପାରି ନ ଥିଲା ପାଇଥିବା ଅପମାନକୁ । ସେ ଖାଲି ପ୍ରତିଶୋଧ ନେବା ପାଇଁ ସୁଯୋଗ ଖୋଜୁଥିଲା ।ଏ ଘଟଣାକୁ ବେଶ୍ କିଛି ଦିନ ବିତିଗଲା । ଚାନ୍ଦିନୀ ମଧ୍ୟ ପାଠ ପଢାରେ ବ୍ଯସ୍ତ ରହି ଏ ଘଟଣାକୁ ମନରୁ ପାଶୋରି ଦେଇ ଥାଏ ।

    ଶେଷରେ ସେଇ ସମୟ ଉପସ୍ଥିତ ହେଲା ଯେଉଁ ଦିନକୁ ଚାନ୍ଦିନୀ ଆଉ ତା ବାପା ଦୀର୍ଘ ବର୍ଷ ଧରି ଅପେକ୍ଷା କରିଥିଲେ । ଚାନ୍ଦିନୀର ଫାଇନାଲ୍ ରେଜଲ୍ଟ ବାହାରିବାର ଦିନ । ଏଥର ମଧ୍ୟ ଚାନ୍ଦିନୀ ସମଗ୍ର କଲେଜରେ ପ୍ରଥମ ହୋଇ ପାସ କଲା । ବାପାଙ୍କୁ ଫୋନ୍ କରି ଏ ଶୁଭ ସମାଚାରଟା ସଙ୍ଗେ ସଙ୍ଗେ ଦେଇଦେଲା ଏବଂ କହିଲା ବାପା ମୁଁ ସଂଧ୍ୟା ସୁଦ୍ଧା ଗାଁରେ ପହଞ୍ଚିବି । ଏ ଥର ତ ମୋ ଉପହାରଟା ମୋତେମିଳିବ ।


ଖୁସିରେ ତା ବାପାଙ୍କ ପାଦ ତଳେ ଲାଗୁ ନ ଥାଏ । କାଳ ବିଳମ୍ବ ନ କରି ସେ ବଜାରକୁ ବାହାରି ଯାଇଥିଲେ ଏବଂ ଝିଅ ପାଇଁ ତାର ଇପ୍ସିତ ନୂଆ ଆଇନା ଆଣିଥିଲେ । ଝିଅ ତାଙ୍କର ସ୍ବର୍ଗତା ପତ୍ନୀର ଏକ ମାତ୍ର ଇଚ୍ଛାକୁ ପୁରଣ କରିଛି ତେଣୁ ତାଙ୍କ ଆନନ୍ଦର ସୀମା ନ ଥାଏ । ବନ୍ଧୁ ବାନ୍ଧବ ସମସ୍ତଙ୍କୁ ଫୋନ୍ କରି ଖୁସି ଖବରଟା ଜଣାଇ ଦେଲେ । ତା ପରେ ଚାନ୍ଦିନୀର ଆସିବା ବାଟକୁ ଅପେକ୍ଷା କରି ଖାଲି ଘରୁ ବାହାର ଆଉ ବାହାରୁ ଘର ହେଉ ଥାଆନ୍ତି । କିନ୍ତୁ ଚାନ୍ଦିନୀର ଦେଖା ନାହିଁ ।


   ଗାଁ କୁ ଆସୁଥିବା ଶେଷ ବସ୍ ମଧ୍ୟ ଚାଲି ଗଲା ତଥାପି ଚାନ୍ଦିନୀର ଦେଖା ନାହିଁ । ତାଙ୍କ ମନକୁ ଅନେକ ଖରାପ ଚିନ୍ତା ଆକ୍ରାନ୍ତ କଲା । ଚାନ୍ଦିନୀର ସବୁ ସାଙ୍ଗକୁ ଫୋନ୍ କଲେ । ସମସ୍ତଙ୍କର ଗୋଟିଏ ଉତ୍ତର ଚାନ୍ଦିନୀ ତ କେତେବେଳୁ ଗାଁ କୁ ବାହାରି ଗଲାଣି । ଚାନ୍ଦିନୀର ବାପାଙ୍କୁ ତାଙ୍କ ବନ୍ଧୁ ବାନ୍ଧବ ମାନେ କହିଲେ ଏତେ ରାତି ହେଲାଣି କାଲି ସକାଳ ହେଉ ଝିଅର ହଷ୍ଟେଲ ଯାଇ ବୁଝିବ । ଚାନ୍ଦିନୀର ବାପାଙ୍କୁ ରାତି ସାରା ନିଦ ହେଲାନି । କେମିତି ସକାଳ ହେବ ଏବଂ ସେ ତାଙ୍କ ଝିଅକୁ ଖୋଜିବେ ସେଇ ଚିନ୍ତାରେ ରାତି ପାହିଗଲା ।


  ସକାଳୁ ଉଠି ସେ ସହର ଅଭିମୁଖେ ବାହାରି ଗଲେ ।ସାଙ୍ଗରେ ନେଇ ଥାଆନ୍ତି ତାଙ୍କ ଝିଅର ଚୀର ଇପ୍ସିତ ନୂଆ ଆଇନା ଟିଏ । ଚାନ୍ଦିନୀର ହଷ୍ଟେଲ ପାଖ ପହଞ୍ଚି ଦେଖିଲେ ହଷ୍ଟେଲ ସାମ୍ନାରେ ଅନେକ ଭିଡ ଜମିଛି । କଣ ହୋଇଛି ବୋଲି ବୁଝିବା ପାଇଁ ଆଗକୁ ଆଗେଇ ଯାଆନ୍ତେ ଶୁଣିବାକୁ ପାଇଲେ ସେ ଯେଉଁ ଝିଅଟି ପ୍ରଥମ ହୋଇ ଥିଲା ସେ ଆତ୍ମହତ୍ଯା କରିଦେଇଛି । ତାଙ୍କ କାନକୁ ସେ ବିଶ୍ୱାସ କରି ପାରିଲେ ନାହିଁ । ମୋ ଝିଅର କଣ ହୋଇଛି କହି ଭିଡକୁ ଆଡେଇ ଆଗକୁ ଆଗେଇ ଯିବାରୁ ଦେଖିଲେ ତାଙ୍କ ଝିଅର ପ୍ରାଣ ହୀନ ଶରୀରଟିକୁ ପୋଲିସ ଜଗି ରହିଛନ୍ତି । ଚାନ୍ଦିନୀର ବାପାଙ୍କୁ ଦେଖି ପୋଲିସ କହିଲା ଆପଣଙ୍କ ଝିଅ ଆତ୍ମହତ୍ୟା କରିଦେଇଛି । ତା ରୁମ୍ ରୁ ଆମେ ଆପଣଙ୍କ ନାଆଁରେ ଗୋଟିଏ ଚିଠି ପାଇଛୁ । ପୋଲିସ ଇନ୍ସପେକ୍ଟର ଏହା କହି ଗୋଟେ କାଗଜ ତାଙ୍କ ହାତକୁ ବଢାଇ ଦେଲେ ।


   ଚିଠିରେ ଲେଖା ଥିଲା ବାପା ଅନେକ ଖୁସି ହୋଇ କଲେଜ ରୁ ରେଜଲ୍ଟ ନେଇ ଶୀଘ୍ର ଶୀଘ୍ର ହଷ୍ଟେଲ କୁ ଫେରୁଥାଏ, କେମିତି ଘରେ ପହଞ୍ଚିବି ଓ ଆପଣଙ୍କ ସହିତ ଖୁସିକୁ ବାଣ୍ଟି ବି ସେଇ ଭାବନାରେ ମଗ୍ନ ଥାଏ । ଆଶୀଷ କେଉଁଠି ଥିଲା କେଜାଣି ହଠାତ୍ ତାର ତିନି ଜଣ ସାଙ୍ଗକୁ ଧରି ଗୋଟିଏ ଗାଡିରୁ ବାହାରି ପଡିଲା । ମୋତେ ଜୋର ଜବରଦସ୍ତ ତା ଗାଡି ଭିତରକୁ ଟେକି ନେଲା ମୁଁ ଅନେକ କାକୁତି ମିନତି ହେଲି କିନ୍ତୁ ସେ କିଛି ଶୁଣିଲାନି। କହିଲା ଏ ସୁଯୋଗକୁ ମୁଁ ଅନେକ ଦିନରୁ ଅପେକ୍ଷା କରିଥିଲି । ଆଜି ମୋତେ ସୁଯୋଗ ମିଳିଛି । ମୋ ଅପମାନର ପ୍ରତିଶୋଧ ନେବି। ତୁ ଯେମିତି ମୋତେ ମୋ ସାଙ୍ଗ ମାନଙ୍କ ଆଗରେ ଅପମାନିତ କରି ଥିଲୁ ସେମିତି ମୁଁ ତତେ କାହା ଆଗରେ ମୁହଁ ଦେଖାଇବାର ଯୋଗ୍ଯ ରଖିବି ନାହିଁ । ତା ପରେ ସେ ଓ ତା ସାଙ୍ଗ ମାନେ ଜଣେ ପରେ ଜଣେ ମୋ ଶରୀରକୁ ଯୋର ଜବରଦସ୍ତ ଉପଭୋଗ କରିଥିଲେ । ଆଉ ମୋତେ ମୁର୍ମୁସୁ ଅବସ୍ଥାରେ ଜଙ୍ଗଲ ମଧ୍ୟରେ ଫୋପାଡି ଦେଇ ପଳାଇ ଆସିଲେ ।


    ଅନେକ କଷ୍ଟ କରି ମୁଁ ପାଖ ପୋଲିସ ଷ୍ଟେସନ ରେ ପହଞ୍ଚିଲି କିନ୍ତୁ ଆଶୀଷର ବାପାଙ୍କ ନାଁ ଶୁଣି ପୋଲିସ ଏତଲା ରଖିବା ପାଇଁ ମନା କରି ଦେଲା । ତୁମକୁ ମୁଁହ ଦେଖାଇବାର ଯୋଗ୍ଯତା ହରାଇ ସାରିଥିଲି ତେଣୁ ଅନ୍ୟ ଉପାୟ ନ ପାଇ ନିଜ ଜୀବନକୁ ନିଜ ହାତରେ ନେବା ପାଇଁ ସ୍ଥିର କଲି । ମୋତେ କ୍ଷମା କରିଦେବ ବାପା । ନିଜର ଏକ ମାତ୍ର ଝିଅର ଏ ଅବସ୍ଥା ଦେଖି ତା ବାପା ମଧ୍ୟ ସେଇଠି ଟଳି ପଡିଥିଲେ । ଆଉ ତାଙ୍କ ହାତରେ ଧରିଥିବା ନୂଆ ଆଇନାଟା ତଳେ ପଡି ଭାଙ୍ଗି ଛିନ୍ନଛତ୍ର ହୋଇ ଯାଇଥିଲା ।


   ଆଉ ତାର ପ୍ରତେକଟି କାଚ ଖଣ୍ଡରୁ ସତେ ଯେମିତି ଚାନ୍ଦିନୀର ପ୍ରତିଛବି ବାହାରି ସେଠାରେ ଉପସ୍ଥିତ ଥିବା ଜନ ସାଧାରଣଙ୍କୁ ପ୍ରଶ୍ନ କରୁଥିଲା ମୋର ଓ ମୋ ବାପାଙ୍କ ଭଳି ଅନେକ ନିରୀହ ଲୋକଙ୍କ ସ୍ବପ୍ନ ଏଇ ଆଶୀଷ ଭଳି ନର ପିଶାଚ ମାନଙ୍କ ପାଇଁ ଆତ୍ମହତ୍ୟା କରିବା ପାଇଁ ବାଧ୍ଯ ହେଉଛନ୍ତି । ଏହାର କଣ କିଛି ଅନ୍ତ ନାହିଁ?


Rate this content
Log in

Similar oriya story from Tragedy