STORYMIRROR

Lopamudra Parida

Inspirational

3  

Lopamudra Parida

Inspirational

ଭଲ ମଣିଷ

ଭଲ ମଣିଷ

4 mins
145

ଅପେକ୍ଷାକୃତ ଧିମା ସ୍ୱରରେ ଫିଙ୍ଗିଲା ପରି କହିଲି ମୁଁ ଡାକୁନୁ, ତାକୁ ବାପା ଡାକେ । ମତେ କାଇଁ ଡାକୁଛୁ ? ଚିଡିଲା ପରି ଶୁଭୁଥିଲି ନିଜେ ନିଜକୁ । 

ଆମେ ଘରେ ପହଞ୍ଚି ସାରିଥିଲୁ । ଚପଲ ମାଆ ଝିଅ ଖେଳେଇ ପକେଇ ଯାଇଥିଲେ । ମୁଁ ସଜାଡି ରଖୁ ରଖୁ ଭାବୁଥିଲି, " ଏତକ କରିବା ବି ବାକିଥିଲା । " ମନେପଡିଲା ଚପଲ ଆଉ ଚପଲ ଥାକରୁ କାଳେ ତମେ କେମିତିଆ ବ୍ୟକ୍ତିତ୍ୱ ଜଣାପଡେ । ଏ ଖବରକାଗଜ ବାଲାଏ ରବିବାରିଆ ଯେତେକ ବିଚିତ୍ର ତଥ୍ୟ କୁଆଡୁ ଆଣି ରଖିଦିଅନ୍ତି କେଜାଣି । ଆମ ମଧ୍ୟବିତ୍ତ ଭୟାଳୁ ମନ ତାକୁ ମାନି ନିଏ ବି ବିନା ଖିଚିପିଚିରେ । ଏଇ ଯେମିତି ରାଶିଫଳ । ନିତି କାଗଜ ଖୋଲିବ ମାନେ ଆଗେ ନଜର ଯାଇ ସେଇଠି ଅଟକିବ ଆଉ ନିଜ ରାଶିଟା ଆଗ ପଢିପକେଇବ ଆଖି । ତା ' ମାନେ ନିଜ କଥା ଟା ଆଗ ଭିତିରିଆ ବୁଝା ଯାଉ,ଦୁନିଆ ଖବର ପରେ ନବା । ଆଜି ଯେମିତି ମୋ ରାଶି ଫଳରେ ଲେଖାଥିଲା, " ରାଜଭୋଗ ଯୋଗ ଅଛି । " ହେଁ ମାସିକିଆ ବେତନଭୋଗୀ ପକେଟ । ଏଣୁ ଟାଣିଲେ ସେଣୁ କଣା । ସେଥିରେ ପୁଣି ଏ ଲୋକେ ସବୁ ଯେମିତି ଅନେଇକି ବସିଥାନ୍ତି । ସବୁଦିନେ କିଏ ଗୋଟେ ବାହା ହଉଛି ହେ । କେତେ ଗଣିବ କହୁନ । ଯେତିକି ଚଦର ତହୁଁ ଖର୍ଚ୍ଚ ବଳେଇ ସେପଟକୁ ଫାଟିଲାଣି । ଆଉ ଏ ମୋ ଘରଣୀ ଭାବନ୍ତି ମୁଁ କାମ୍ପିଟେ, ମୋର ଉଭା ଯେତିକି, ପୋତା ସେତିକି କାଳେ । ଶଃ ଆଣିକି ଆସିଥିଲେ ଯେମିତି ଆଉ । 

ଏ ଭିତରେ ଚାବି ଖୋଲି ସୋଫା ଉପରେ ଢାଳିଯାଇ ବିରାଟ ବଡ କାମଟେ କରିଆସି ଥକିଗଲା ପରି ନିରୁପମା ଶବ୍ଦ କଲେ " ଓହୋ, ଗୋଡ ହାତ କଣ ହେଇଗଲାଣି ହେ । " ତାଙ୍କ ବାଇଗିଣି ବମକାଇ ପାଟର ଅଧା ଅଧି ଓଦା ହେଇ ଛିଟପାରା ପରି ଦିଶୁଥିଲେ । 

କଳ ପଟକୁ ଯାଉ ଯାଉ ମନେ ମନେ ଛିଗୁଲେଇ କହିଲି, " ରୁହ ଆସେ ତେଲ ମାଲସ କରି ଘଷି ଦେବି ଯେ ଉସୁଆସ ଲାଗିବ । ପକେଟ ମୋର ହାଲୁକା ହେଲା । ଖାଇ ପିଇ ଲିପିଷ୍ଟିକ ମାରି ୟାଙ୍କ ଦେହହାତ ଖାଲିଟାରେ ଘୋଳାବିନ୍ଧା । 

ବିରକ୍ତିଆ ଶୁଭିଲା ନିଜ ସ୍ୱର ନିଜକୁ । 

_________________

ଏଇ ଯୋଉ କୋହଲା ପାଗ । ଜାଡ ପଡୁଛି । ସେଥିରେ ଏ ଅ ଦିନିଆ ମେଘ ଆଉ ଗାତ ଭର୍ତ୍ତି ପାଣି । ଧକଡ କଚଡ ବାଟ ଯାକ । କରେଣ୍ଟ ପଳଉଥିବ ଶହେ ଥର । ଅଟୋ ବାଲାଟା ବୁଲେଇ ବଙ୍କେଇ ଝଡେଇବ ବୋଲି କି କଣ କଟକେ ବାଉନବଜାର ବୁଲେଇ ଆଣି ପହଞ୍ଚେଇଲା । ଷାଠିଏ ଟଙ୍କାର ବାଟ ହବ କି ନାହିଁ । କେତେ କହିବ କେଜାଣି ? ସିଏ ଯାହା ଭାବୁ ମୋର କି ଯାଏ ଆସେ । ମୋ କଥା ମତେ ଅସମ୍ଭାଳ । ଅଳପ ଆଲୁଅ ପଡୁଥିଲା । ମେଘୁଆ ଝାପ୍ସା ଆକାଶକୁ ଏ ଷ୍ଟ୍ରିଟଲାଇଟର ଡିମ୍ ହଳଦିଆ ଅନ୍ଧାରୁଆ ଆଲୋକ । କଙ୍କଡାକୁ ଗୋଳିପାଣି ସୁହେଇଲା । 

ମୁଁ ପଚାଶ ଟଙ୍କାଟେ ବଢେଇ ଦେଇ ଚଞ୍ଚଳ ଚଞ୍ଚଳ ପାଦ ପକେଇ ଘର ଆଡକୁ ମାଡି ଆସିଲି । ପଛରୁ ଡାକିବ ଯଦି ଡାକୁ । ଶୁଣୁଛି କିଏ । ଗେଟ୍ ଦେଇଦେଲେ ଗଲା । ଜିତିଯିବି ଯେମିତି ରେସ୍ । ହେଲେ କୋଉଠି ଗୋଟେ ଭିତରେ ନିକୁଛିଆ ଲାଗୁଥିଲା ନିଜେ ନିଜକୁ । ପାଦ ଯାକ ଚପଲ ଛାଟରେ ପଙ୍କ ଟକିଲି ଅଠା ମାରିଲା ପରି ଲାଗିଥିଲେ ଅଧା ପ୍ୟାଣ୍ଟ ଯାଏ । ଇହି । ରାତି ଖିଆ ବେପାର ତ ନଥିଲା । ଲୁଗାପଟା ବଦଳେଇ ମଶାଧୂପ ଟା ଲଗେଇ ଶୋଇପଡିବା କଥା । ଝିଅ ଶୋଇପଡିଲାଣି । ନିରୁପମା ଆଉ ମୁଁ ଶୋଇବାର ଚେଷ୍ଟା ରେ । ବୟସ ଯୋଗୁ କି କଣ ଏବେ ଖଟରେ ପଡୁ ପଡୁ ନିଦ ହୁଏନି ମ । ଗପସପ ହଉ ହଉ ଶୋଉ । ଆଜି ଥାଉ । ଭାବୁଛି କି, ନିରୁପମା କହିଲେ, " ଆୟେ ସେ ଅଟୋ ଚଲଉଥିଲା ଯୋଉ ପିଲାଟା ମ । ଏମ୍.ଏ. ପାଠ ପଢିଛି ଜାଣିଲ । ଚାକିରୀ ମିଳୁନି ବୋଲି ଅଟୋ ଚଳଉଛି । ଘରେ ତାର ପାରାଲିସ୍ ମାଆ । ବାପ ନାହିଁ । ଭାଇ ଦଗାଦିଆ ଭଗାରୀ । ଅଭିଆଡି ଭଉଣୀଟେ ମୁଣ୍ଡ ଉପରେ । କି କଷ୍ଟ କହିଲ । ତମ ଅଫିସ୍ ଆଡେ ଗୋଟେ ଚାକିରୀ ଦେଖନ୍ତନି ତା ପାଇଁ । ଭଲ ପିଲାଟେ ମ । କହିଛି ତାକୁ କାଲି ଆଡକୁ ଆସିବାକୁ । ତମକୁ ଦେଖାକରିବ ଯାଇକି । ଚିହ୍ନିପାରିବ ଟି ? "ମୋ ମନ ଚିଡିଗଲା । ମୁଁ ଅସୂୟା ଭାବଟେ ପିନ୍ଧି ଦେଇ କହିଲି, " ଜାତକ ଲେଖେଇଆଣିଲନି ତାର । ଭାରି ତ ତରଫଦାରୀ କରୁଛ । ମଉନମୁହାଁ ସେ ଲୋକଟା ପାଇଁ ଏତେ ଦରଦ କାଇଁ । କେତେବେଳେ ସବୁ କୋଷ୍ଠି କଟେଇଲ କହିବଟି । ବଡ ସରାଗରେ କହିଲେ କଣ ନା ଚାକିରୀଟେ । ଚାକିରୀ ଯେମିତି ମୁଁ ପକେଟରେ ଧରି ବୁଲୁଛି । ଅଫିସଟା ମୋର ଘରକଥା । ସେଠି ସମସ୍ତେ ମୋ କଥାରେ ତ ଉଠ କହିଲେ ଉଠ, ବସ କହିଲେ ବସ ଆଉ । ଝିଅ କହୁଛି ଏତେ କଷ୍ଟ କଲା ଲୋକଟା ତାକୁ ଟିକେ ଅଧିକ ପଇସା ଦିଅ ବାପା । ସ୍ତ୍ରୀ କହୁଛି ଚାକିରୀ କରେଇଦିଅ । ଜୋଇଁ କରି ନେଇଆସୁନ ଏବେ । କିଏ ମନା କଲା । ଦାଣ୍ଡ ଲୋକଙ୍କ ସହ ଏତେ ଗୋଟେ ଭାବ କଣ ? " 

ଓଃ ମୁଁ ବାଟରେ ପଇସା ରେଜା କରେଇବାକୁ ଗଲାବେଳେ ଗପ ଜୋଡି ଦେଇଛନ୍ତି ତେବେ । 

ମୁଁ ବୁଝୁଥିଲି ମୁଁ ଟିକେ ବେଶୀ ପ୍ରତିକ୍ରିୟାଶୀଳ ହେଇଗଲି ବୋଧେ । ନଖ ଦାନ୍ତ ନ ବାହାରି ବି ଶୃଗାଳ ପରି ଦିଶୁଥିଲି । ଭଡକିବା ପରି ଲାଗିଲା ନିଜକୁ ନିଜେ । 

ନିରୁପମା ଦୁଃଖ ପାଇଲେ । ତାଙ୍କ ସମ୍ବେଦନଶୀଳ ମନକୁ ବାଧିଲା । ସିଏ କାନ୍ଥ ପଟକୁ ବୁଲିଗଲେ । ହେଲେ ମତେ ରାଜ ଆଧିପତ୍ୟର ଆନ୍ତରିକ ଆନନ୍ଦଟେ ମିଳିଲା । ବୁକୁ ଭରା ଆନନ୍ଦ । ଶାସନ କରିବାରେ, ଦବେଇଦବାର ଆନନ୍ଦ । ଆଃ । 

_________

ପରଦିନ ସକାଳ ଛଅ । ଆଉ ଟିକେ ଆଗରୁ ଦୁଆର ଘଣ୍ଟି ଶୁଭୁଥିଲା । ନିଦ ଭାଙ୍ଗିଯାଇଥିଲା ହେଲେ ଉଠିକି ଆସିଲିନି । ନିରୁପମା ବାଥରୁମ ଯାଇଥିଲେ । ଏତେ ସକାଳୁ ଗୋଟେ କିଏ ମ । ସିଏ ଯିଏ ହଉ । ଫେରିକି ଯାଉ । ଶୀତ କମଳ ତଳୁ କିଏ ଭୋରୁ ବାହାରେ ନା ଏଡେ ସକାଳୁ କିଏ କାହା ଘରକୁ ଆସେ । ଭଦ୍ରାମୀ ନାହିଁ । ଗାଲେଇଥିଲି । 

ଖବରକାଗଜ ଦବା ପିଲାଟା "କାଗଜ" ହଲ୍ଲାଟେ ସହ ରୋଲ କରି ରବରରେ ମୋଡି ଫୋପାଡିଲା ଆମ ଘରକୁ ଲକ୍ଷ୍ୟ କରି କାଗଜ । ସିଧା ଆସି ଦୁଆରେ ବାଡେଇ ହେଲା । କି ଲକ୍ଷ୍ୟ ଭେଦ କିରେ ! ଅର୍ଜୁନ ପୁରସ୍କାର ପାଇବା କଥା । ମୁଁ କବାଟ ଖୋଲିଲି ଗୋଟେଇବାକୁ ଆଜି ଦିନର ରାଶିଫଳ । " ଲକ୍ଷ୍ମୀ ପ୍ରାପ୍ତ ଯୋଗ " ଲେଖାଥିବ କାଳେ । 

ନଇଁ ପଡି ଉଠେଇବାକୁ ଯାଉଛି କି ଦେଖିଲି ଗୋଟେ ପ୍ୟାକେଟ ରଖା ହେଇଛି । ଲଫାଫା ଖୋଳଟେ । ଉଡିଯିବ କାଳେ ବୋଲି ଖପରା ଖଣ୍ଡେ ମଡାହେଇଛି । ଏଇ ଲଫାପା ଦବାକୁ କିଏ ବୋଧେ ଆସି କଲିଂବେଲ୍ ମାରୁଥିଲା ତେବେ ସକାଳପହରୁ । 

କାହାର କଣ ଦେଖିଲା ବେଳକୁ ପ୍ରାପକ ଜାଗାରେ ମୋ ନାଆଁ । ହ... ବାହାର ବୋର୍ଡରେ ମୋ ଠିକଣା ପରା ଏଡେ ଏଡେ ଅକ୍ଷରରେ ଟଙ୍ଗାହେଇଛି । 

ଲଫାପା ଖୋଲିଲି ମୁଁ । 

ଦିଟା ଶହେ,ଗୋଟେ ଦୁଇଶ ଆଉ ଚାରିଟା ଦଶଟଙ୍କିଆ । ସୁନ୍ଦର ଗୋଲ ଅକ୍ଷରରେ ଲେଖା ହେଇଛି,ଭଡା: ଷାଠିଏ, ଦେଇଥିଲେ: ପାଞ୍ଚଶ, ବାକି ଫେରେଇଲି । 

ଲଫାଫା ଓଲଟ ପାଲଟ କଲି ଆଶ୍ଚର୍ଯ୍ୟ ହେଇ ଖୋଜିଲି କିଏ ଦେଇଛି ବୋଲି । ପଛପଟେ ପ୍ରେରକ ଜାଗାରେ ଲେଖାଥିଲା ........

" ରିକ୍ସା ବାଲା " । 

ଛୋଟିଆ ହୀନିମାନିଆ ମାଟିତଳେ ଦବି ଗଲା ପରି ଲାଗୁଥିଲା ତା' ଭଲପଣର ଓଜନରେ ନିଜକୁ ନିଜେ । 



இந்த உள்ளடக்கத்தை மதிப்பிடவும்
உள்நுழை

Similar oriya story from Inspirational