ପ୍ରଶାନ୍ତ କୁମାର ବେହେରା

Inspirational

5.0  

ପ୍ରଶାନ୍ତ କୁମାର ବେହେରା

Inspirational

ଭଲ ମଣିଷ ହେବି

ଭଲ ମଣିଷ ହେବି

6 mins
532



ସମୟ ଏଇ ସକାଳ ୯ଟା ପାଖା ପାଖି ହେବ l କଟକରୁ ବାଇକ୍ ଯୋଗେ କଲେଜକୁ ଆସୁଥିଲି l ରାସ୍ତା ଫାଙ୍କା ଥିବାରୁ ବାଇକ୍ ର ବେଗ ଟିକେ ଅଧିକ ଥିଲା l ବରଡା ଷ୍ଟପେଜ୍ ରେ ଦେଖିଲି ଆମ କଲେଜର ଯୁକ୍ତ ଦୁଇ ପିଲାଙ୍କ ପାଇଁ ସ୍ଥିରିକୃତ ହୋଇଥିବା ୟୁନିଫର୍ମ ପିନ୍ଧି ଜଣେ ଛାତ୍ର ବସ୍ କୁ ଅପେକ୍ଷା କରିଛି l ସ୍ୱତପ୍ରବୃତ ଭାବରେ ମୁଁ ଗାଡିରେ ବ୍ରେକ୍ ମାରି ରହିଗଲି l ପିଲାଟିକୁ ଠାରି ପାଖକୁ ଡାକି ପଚାରିଲି, " ଆଛା ତମେ ଏସ୍.ଭି.ଏମ. କଲେଜରେ ପଢୁଛ ନିଶ୍ଚେ ? " 


ସେ ଖୁବ୍ ଧୀର ସ୍ୱରରେ କହିଲା , " ହଁ , ମୁଁ ସେଇଠି ପଢୁଛି l" 


ମୁଁ ଏଥର ତାକୁ ସିଧା କହିଲି, " ହଉ ମୋ ପଛରେ ବସ l ତମକୁ କଲେଜରେ ଛାଡିଦେବି l " 


ସେ କିନ୍ତୁ ଅଚିହ୍ନା ଲୋକ ଭାବି ମୋ ବାଇକ୍ ପଛରେ ବସିବାକୁ ପଛଘୁଞ୍ଚା ଦେଲା l ପଛଘୁଞ୍ଚା ଦେବା ଠିକ୍ ମଧ୍ୟ l ଘରେ ନିଶ୍ଚେ ତାକୁ ସାବଧାନ କରିଥିବେ ଏମିତି ଅଚିହ୍ନା ଲୋକଙ୍କ ସହ ଭୁଲ୍ ରେ ଯିବୁନି l


ମୁଁ ଏଥର ମୋ ମୁଣ୍ତରୁ ହେଲମେଟ୍ କାଢି ତାକୁ କହିଲି , " ଆରେ ବସ ପଛରେ l ମୁଁ ସେଇ କଲେଜର ଅଧ୍ୟାପକ l "


ସେ ଏଥର ଚିହ୍ନିପାରି ନମସ୍କାର କରି କ୍ଷିପ୍ର ବେଗରେ ଡେଇଁପଡି ସେମିତି ଷ୍ଟାର୍ଟରେ ଥିବା ବାଇକ୍ ଉପରେ ବସିପଡିଲା l 


ଏମିତିରେ ମୁଁ ମଧ୍ୟ କାହାକୁ ବାଇକ୍ ରେ ଲିପ୍ଟ୍ ଦେବାକୁ ପସନ୍ଦ କରେନି l ଅଚିହ୍ନା ଲୋକ କିଏ ହାତ ଦେଖାଇ ଲିପ୍ଟ୍ ମାଗିଲେ ମଧ୍ୟ ସହଜରେ ମୁଁ ଲିପ୍ଟ୍ ଦିଏନି l ବୟସ୍କଲୋକ ବା ବେଶଭୁଷାରୁ ବିଶ୍ୱାସଯୋଗ୍ୟ ଲାଗୁଥିବା ଲୋକଙ୍କୁ କେବଳ ଲିପ୍ଟ୍ ଦିଏ l ଏମିତି କରିବାର ଗୋଟେ କାରଣ ମଧ୍ୟ ଅଛି l ସେଇ କାରଣଟି ହେଉଛି ଆମ କଲେଜର ସଂସ୍କୃତ ବିଭାଗରେ କର୍ଯ୍ୟରତ ବରିଷ୍ଠ ପ୍ରାଧାପକ ଶ୍ରୀଯୁକ୍ତ ନିର୍ମଳ ସୁନ୍ଦର ମିଶ୍ରଙ୍କ ସହିତ ଘଟିଥିବା ଗୋଟେ ଘଟଣା ଯାହାକୁ ଦୁର୍ଘଟଣା କହିବା ନିହାତି ଠିକ୍ ହେବ l


୨୦୦୭ ମସିହାର ଘଟଣା l ନିର୍ମଳ ସାର୍ ବାଣୀ ବିହାର ପାଖରୁ ରସୁଲଗଡ ଆଡକୁ ତାଙ୍କ ସ୍କୁଟରରେ ଆସୁଥିଲେ l ଠିକ୍ ବାଣୀ ବିହାର ଛକ ପରେପରେ ଜଣେ ବ୍ୟକ୍ତି ତାଙ୍କୁ ହାତ ଦେଖାଇ ଲିପ୍ଟ୍ ମାଗିଲା l ନିର୍ମଳ ସାର୍ ବି ଲୋକଟିକୁ ଟିକେ ସାହାର୍ଯ୍ୟ କରିବା ଲକ୍ଷ୍ୟରେ ଲିପ୍ଟ୍ ଦେଇଦେଲେ l ସେଇ ଲୋକଟି ଠିକ୍ ରେଲ୍ ଓ୍ୱେ ଓଭର ବ୍ରିଜ୍ ପାଖରେ ଗାଡିରୁ ଓଲ୍ହାଇଗଲା l ନିର୍ମଳ ସାର୍ ସେଠୁ ଜଷ୍ଟ କିଛି ବାଟ ଯାଇ ଠିକ୍ ରସୁଲଗଡ ଛକରେ ( ସେତେବେଳେ ଗୋଲେଇ ଛକ ଥିଲା ଅର୍ଥାତ୍ ଓଭର ବ୍ରିଜ୍ ହୋଇନଥିଲା ) ପହଞ୍ଚିଛନ୍ତି ହଠାତ୍ ଗୋଟେ ପୁଲିସ୍ ଜିପ୍ ତାଙ୍କ ସ୍କୁଟର ଆଗରେ ବାଟ ଉଗାଳି ଠିଆ ହୋଇଗଲା l ସେଇ ଜିପ୍ ରୁ ଦୁଇଜଣ ପୁଲିସ୍ କର୍ମଚାରୀ ଦୌଡି ଆସି ନିର୍ମଳ ସାର୍ ଙ୍କୁ ମାଡି ବାସିଲେ l ତାଙ୍କ ଧରିପକାଇବା ଷ୍ଟାଇଲ୍ କହୁଥିଲା ସତେ ଯେପରି ଗୋଟେ ଉଗ୍ରପନ୍ଥୀ ବା ହାଡ୍ କୋର୍ କ୍ରିମିନାଲ୍ କୁ ସେମାନେ ଖୋଜି ଖୋଜି ଅଜି ଧରିବାକୁ ସକ୍ଷମ ହେଲେ l 


ତାଙ୍କ ହାବଭାବରେ ନିର୍ମଳ ସାର୍ ଯାହାକୁ କୁହନ୍ତି ପୁରା ତୀର୍ଥ କାବା l ଜଣେ ତାଙ୍କ ସ୍କୁଟରକୁ ଧରିଲା ଆଉ ଆର ଜଣଙ୍କ ତାଙ୍କ ହାତକୁ ଖୁବ୍ ଯୋରରେ ମାଡିବସି ଜିପ୍ ଆଡକୁ ଟାଣିନେଲା l ଜିପ୍ ରେ ବୋଧହୁଏ ଜଣେ ସବ୍ଇନ୍ସ୍ ପେକ୍ଟର୍ ବସିଥିଲେ l ସେ କହିଲେ , " ଚୁପ୍ ଚାପ୍ ବସ୍ ଗାଡିରେ l ଥାନାରେ ପହଞ୍ଚିଲେ କଥାବାର୍ତ୍ତା l" 


ଏମିତିରେ ଯେକୌଣସି ସାଧାରଣ ଲୋକ ପୁଲିସ୍ କୁ ପ୍ରାୟ ଡରିଥାନ୍ତି l ଥାନାକୁ ଭୁତଖାନା ବୋଲି ଭାବିଥାନ୍ତି l ଏଥିପାଇଁ ଭଦ୍ରଲୋକମାନେ ପ୍ରାୟ ସହଜରେ ଥାନାକୁ ଯିବାକୁ ରାଜି ହୁଅନ୍ତିନି l 


ନିର୍ମଳ ସାର୍ ଏସବୁ ଦେଖି ପୁରା ଝାଳନାଳ ଅବସ୍ଥା l ସେ କିଛି ତ ଭୁଲ୍ କରି ନାହାନ୍ତି ଏମାନେ ଏମିତି କାଇଁ କରୁଛନ୍ତି ? ସାହାସ କରି ସେ ପୁଲିସ୍ ଅଫିସର୍ ଙ୍କୁ ପଚାରିଲେ," ଆଜ୍ଞା ମୋର ଭୁଲ୍ କଣ କହିବେକି ? "


ସେ ପୁରା ପୁଲିସିଆ ଢଙ୍ଗରେ କହିଲା," ଥାନାକୁ ଚାଲ୍ କଥାବାର୍ତ୍ତା l "  


ନିର୍ମଳ ସାରଙ୍କ ସ୍କୁଟରକୁ ଜଣେ ପୁଲିସ୍ କର୍ମଚାରୀ ଚଲାଇ ଜିପ୍ ପଛେ ପଛେ ଆସୁଥାଏ l ଜିପ୍ ଯାଇ ସହିଦନଗର ଥାନାରେ ପଶିଲା l ସେଠି ଯେତେ ପୁଲିସ୍ ଥିଲେ ସମସ୍ତେ ନିର୍ମଳ ସାର୍ ଙ୍କୁ ବଡ ବିଚିତ୍ର ଢଙ୍ଗରେ ଦେଖୁଥାନ୍ତି l ସେତେବେଳକୁ ବୋଧେ ଓୟ୍ୱାରଲେସ୍ ମଧ୍ୟମରେ ଥାନାରେ ଖବର ପହଞ୍ଚି ସାରିଥିଲା ଯେ, ଗୋଟେ ବଡ କ୍ରିମିନାଲ୍ ସହିଦନଗର ଥାନା ପୁଲିସ୍ ପଞ୍ଜାରେ ପଡିଯାଇଛି l 


ନିର୍ମଳ ସାର୍ ପୂର୍ବରୁ ଶୁଣିଥିଲେ ଥାନାରେ ଭଲ ଉତ୍ତମଧ୍ୟମ ହୁଏ l ଏବେ ସେଇ ସମୟ ପାଖେଇ ଆସିଲାଣି ବୋଲି ଜାଣି ଖୁବ୍ ଭୟଭିତ ଅବସ୍ଥାରେ ଥାଆନ୍ତି l ଏମିତି ଭିତରେ ଥାନାର ବଡ ବାବୁ ଅର୍ଥାତ୍ ଇନ୍ - ଚାର୍ଜ ଆସି ପଚାରିଲେ , " ସତ କୁହ ସେ ଯେଉଁ ଲୋକକୁ ବାଣୀ ବିହାର ପାଖରୁ ସ୍କୁଟରରେ ବସେଇକି ନେଲ ତାକୁ କେଉଁଠି ଛାଡିଲ ଆଉ ତା' ସହିତ ତମ ସମ୍ପର୍କ କଣ ? " 


ଥାନା ଆଇ. ଆଇ. ସି. ଙ୍କର ଏଇ କଥା ଶୁଣୁ ଶୁଣୁ ନିର୍ମଳ ସାର୍ ସତେ ଯେମିତି ଆକାଶରୁ ଧଡାସ୍ କରି ଆସି ମାଟିରେ ପଡିଲେ ସେମିତି ଅନୁଭବ କଲେ l କେବଳ ଗୋଟେ ମାନବିକତା ଦୃଷ୍ଟିକୋଣରୁ ସେ ଲୋକଟିକୁ ଲିପ୍ଟ୍ ଦେଇଥିଲେ l ତାକୁ ଆଦୌ ଚିହ୍ନି ନାହାନ୍ତି ବୋଲି ବଡ ବିକଳ ହୋଇ ନିଜର ଉତ୍ତରରେ କହିଲେ l 


ଏ ଉତ୍ତର ଶୁଣୁ ଶୁଣୁ ଜଣେ ପୁଲିସ୍ ପଛପଟୁ ବଡ ପାଟିରେ କହିଲା, " ସାର୍ ଏମିତି ପଚାରିଲେ ଏ ଲୋକ କହିବନି କିଛି । ସବୁ ଜାଣିଛି l ହାଜତରେ ପୁରାଇ ଗୋଟେ ଦୁଇଟା ବସେଇଦେଲେ ଆପେଆପେ ସବୁ ମାନିଯିବ l " 


ତା' କଥା ଶୁଣୁ ଶୁଣୁ ନିର୍ମଳ ସାର୍ କାନ୍ଦକାନ୍ଦ ହୋଇ କହିଲେ , " ଦେଖନ୍ତୁ ଆଜ୍ଞା ମୁଁ ଜଣେ ଅଧ୍ୟାପକ l ମୁଁ ଆଦୌ ମିଛ କହୁନି l ସେ ଲୋକକୁ ମୁଁ ଚିହ୍ନିନି କି ଜାଣିନି, ସେ ଲିପ୍ଟ୍ ମାଗିଲା ମୁଁ ତାକୁ ନେଇ ସେଇ ରେଲ୍ ଓ୍ୱେ ଓଭର ବ୍ରିଜ୍ ପାଖରେ ଛାଡିଥିଲି l ତା' ପରେ ସେ କୁଆଡେ ଗଲା ମୁଁ କିଛି ଜାଣିନି l ମୋ ବଡ ଭାଇ ମଧ୍ୟ ଏଇ ପୁଲିସ୍ ଡିପାଟ୍ମେଣ୍ଟ୍ ରେ ଚାକିରି କରିଛନ୍ତି ।" 


ଏତିକି ଶୁଣିବା ପରେ ପୁଲିସ୍ ଅଫିସର୍ ଜଣଙ୍କ ପଚାରିଲେ, " ଆପଣଙ୍କ ଭାଇ କଣ ଅଛନ୍ତି ? " 


ନିର୍ମଳ ସାର୍ ତାଙ୍କଠାରୁ ଆପଣ ଶୁଣିବା ପରେ ଟିକେ ସାହସ ସଞ୍ଚୟକରି କହିଲେ, " ମୋ ବଡ ଭାଇ ହେଉଛନ୍ତି ନରସୁନ୍ଦର ମିଶ୍ର, ସେ ଏବେ କେନ୍ଦ୍ରାପଡାରେ ପୁଲିସ୍ ଏସ୍. ପି. ଅଛନ୍ତି l 


ବାସ୍ ଏତିକି କଥାରେ ସଙ୍ଗେ ସଙ୍ଗେ ସାର୍ ଆପଣ ବସନ୍ତୁ ବୋଲି କହି ଚେୟାର ଦିଆହେଲା l ତାପରେ ତାଙ୍କୁ ଖୁବ୍ ସନ୍ମାନର ସହିତ ଥାନାରୁ ବିଦାୟ ଦିଆଗଲା l 


କିନ୍ତୁ ଏଠି ପ୍ରଶ୍ନ ଉଠେ ଯଦି ନିର୍ମଳ ସାର୍ ଙ୍କ ଭାଇ ଏସ୍. ପି. ହୋଇନଥାନ୍ତେ, ବା ନିର୍ମଳ ସାର୍ ଙ୍କ ଯାଗାରେ ଜଣେ ସାଧାରଣ ଲୋକ ଥାଆନ୍ତା ତାହେଲେ ସେଦିନ ସେ ଗୋଟେ ବଡ କ୍ରିମିନାଲ୍ କୁ ସାହାର୍ଯ୍ୟ କରିଛି ବୋଲି ଗୁଡେ ମାଡ ଖାଇ, କେସ୍ ଖାଇ ଆରେଷ୍ଟ୍ ହୋଇ ଜେଲ୍ ଯିବା ସହିତ ସାରା ଜୀବନ ସେଇ କେସ୍ ପଛରେ ଗୋଡାଇ ଗୋଡାଇ ନୟାନ୍ତ ହୋଇଥାନ୍ତା l 


ତେଣୁ ନିର୍ମଳ ସାର୍ ଙ୍କ ଠାରୁ ସେଇ ଘଟଣା ଶୁଣିବାପରଠାରୁ ମୁଁ କେବେ ବି ଅଚିହ୍ନା ଲୋକକୁ ବାଇକ୍ ରେ ଲିପ୍ଟ୍ ଦିଏନାହିଁ l 


ଛାଡନ୍ତୁ ସେକଥା, ଏବେ ଅସଲ ଘଟଣାକୁ ଯିବା l ବାଟରେ ଗୋଟେ ଜାଗାରେ ଗାଡି ରଖି ପଇଡ ପିଇବା ସମୟରେ ତା' ସହ କଥା ହେଲି l ତାକୁ ପଚାରିଲି , " ଆଛା ତମ ନାଁ କଣ ? "


ସେ କହିଲା, " ପ୍ରଭୁଦତ୍ତ ରଥ l" 


ଘର ସେଇ ' ବରଡା ' ନିଶ୍ଚେ ହୋଇଥିବ l ବାପା କଣ କରନ୍ତି ? "


ଉତ୍ତରରେ କହିଲା, " ହଁ ସାର୍, ଆମ ଘର ବରଡା l ବାପା ବିଜିନେସ୍ କରନ୍ତି l କଇଜଙ୍ଗାରେ ଆମର ଗୋଟେ ଦୋକାନ ଅଛି ।" 


ମୁଁ ପୁଣି ପଚାରିଲି, " ଘର ପାଖରେ କନ୍ଦରପୁର କଲେଜ ଥିଲା , ଅଳ୍ପ ଦୂରରେ ଅଳକା କଲେଜ ବି ଥିଲା l ତମେ ଏତେ ବାଟରୁ ଯାଇ ଏସ୍.ଭି.ଏମ.କଲେଜକୁ କାଇଁ ବାଛିଲ ? " 


ସେ କହିଲା, " ସାର୍ ମୋ ବଡ ଭଉଣୀ ସେଠି ପଢୁଥିଲେ, ଅଉ ଜିଲ୍ଲାର ବଡ କଲେଜ , ଭଲ କଲେଜ ହୋଇଥିବାରୁ ସେଇଠି ପଢିବାକୁ ମନ ବଳାଇଲି l " 


" ତମେ କଣ ସବୁଦିନେ ଏମିତି ବସ୍ ରେ ଯାଉଛ ଓ ଫେରୁଛ ? " ମୁଁ ପଚାରିଲି l


" ହଁ ସାର୍ " ବୋଲି ତା'ର ସଂକ୍ଷିପ୍ତ ଉତ୍ତର ଥିଲା l


ମୁଁ ପୁଣି ପଚାରିଲି, " ସକାଳୁ ଯାଇ ସେଠି କଲେଜରେ କ୍ଲାସ୍ ସାରି ଖାଇକି ଘରକୁ ଫେର ? "


ସେ କହିଲା, " ଘରୁ ଜଳଖିଆ ଖାଇ ସକାଳ ୮ଟାରେ କଲେଜକୁ ଯାଏ l ସେଠୁ ଦିନ ୧ଟାରେ ବାହାରି ଘରେ ଆସି ୨ଟା ସୁଦ୍ଧା ପହଞ୍ଚି ଖାଏ l "


ମୁଁ ମନେ ମନେ ଭାବିଲି କେତେ କଷ୍ଟ କରୁଛି ଏଇ ପିଲାଟି ବଡ କଲେଜରେ ପଢିବା ପାଇଁ l ନିଜ ଘର ପାଖରେ ଥିବା କଲେଜକୁ ସାଇକେଲ୍ ରେ ଯାଇ ପଢି ପାରିଥାନ୍ତା l 


ତାକୁ ପୁଣି ପଚାରିଲି, " ଆଛା ଜୀବନର ଲକ୍ଷ୍ୟ କଣ ରଖିଛ ? " 


ସେ କହିଲା, " ସାର୍ କମ୍ପିଟେଟିଭ୍ ପରୀକ୍ଷା ଦେଇ ଆଇ.ଏ.ଏସ୍. କିମ୍ବା ଓ.ଏ.ଏସ୍. ହେବା ମୋ ଜୀବନର ଲକ୍ଷ୍ୟ l " 


ମୁଁ ଖୁସି ହୋଇ କହିଲି, " ଠିକ୍ ଅଛି , ସେଇ ଲକ୍ଷ୍ୟରେ ଆଗେଇ ଚାଲ୍ , ସଫଳ ନିଶ୍ଚେ ହେବ l" 


ଏ ଭିତରେ ଆମେ କଲେଜରେ ପହଞ୍ଚି ସାରିଥାଉ l ପିଲାଟିର କ୍ଲାସ୍ ୯.୪୫ ରେ ଥାଏ l କ୍ଲାସ ଅରମ୍ଭ ହେବାକୁ ଆହୁରି ୧୦ ମିନିଟ୍ ବାକି ଥାଏ l 


ମୁଁ ତାକୁ କହିଲି, " ଶୁଣ୍ ତମେ ଯେଉଁ ଚାକିରି କର , ଯେଉଁଠି ରୁହ l କିଛି କଥା ସବୁବେଳେ ମନରେ ରଖିଥିବ l ସବୁ ଚାକିରିରେ ବିଭିନ୍ନ କିସମର ମଣିଷ ଥାଆନ୍ତି l ସେ ଓ.ଏ.ଏସ୍. ହେଉ, ଆଇ.ଏ.ଏସ୍. ହେଉ , ଡାକ୍ତର ଅବା ଅନ୍ୟ ଯେକୌଣସି ଚାକିରିରେ ହେଉ , ସବୁଠି କିଛି ଭଲ ମଣିଷ ଅଛନ୍ତି ଆଉ ଅମଣିଷ ବି ଅଛନ୍ତି l ଜୀବନରେ ସଫଳତା ପାଇଯାଇ ବାପ, ମାଆ, ଗାଆଁ, ପଢୁଥିବା ସ୍କୁଲ୍ କଲେଜ ସବୁ ଭୁଲିଯାଆନ୍ତି l ନିଜ ଗାଆଁ ବା ଯେଉଁ ସ୍କୁଲ୍, କଲେଜରେ ଦିନେ ପଢୁଥିଲେ ତାର ନାମ ପ୍ରକାଶ କରିବାକୁ ପଛଘୁଞ୍ଚା ଦିଅନ୍ତି କାଳେ ତାଙ୍କ ସନ୍ମାନ ଅନ୍ୟମାନଙ୍କ ଆଖିରେ କମିଯିବ l ଜୀବନ ସାରା ପଇସା ପଛରେ ଗୋଡାନ୍ତି , ନିଜକଥା, ସ୍ତ୍ରୀ ଓ ପିଲାଙ୍କ କଥା ଛଡା ଆଉ କିଛି ତାଙ୍କୁ ଦେଖା ଯାଏନି l ସେପରି ଲୋକ ଯେତେ ଉଚ୍ଚ ପଦବୀରେ ରହିଲେ ସୁଦ୍ଧା ଅମଣିଷରେ ହିଁ ଗଣା ହୁଏ l ପାଠ ପଢି ସେମିତିଆ ଅମଣିଷ ନହୋଇ ମଣିଷଟିଏ ହେବାକୁ ଚେଷ୍ଟାକରିବ l " 


ସେ ମୋ ପାଦଧୂଳି ନେଇ କରି କ୍ଲାସକୁ ଯିବାବେଳେ ମୁଁ ପୁଣି ପଚାରିଲି , " ଆରେ ଜୀବନରେ କଣ ହେବାକୁ ଚାହିଁବ ? "


" ହଁ ସାର୍ , ଜୀବନରେ ନିଶ୍ଚେ ଭଲ ମଣିଷଟିଏ ହେବି l"  


ସେ ଏତିକି କହି କଲେଜ ଭିତରକୁ ପଶୁଥିଲା l ମୁଁ ତାକୁ ଲକ୍ଷ୍ୟ କରୁଥିଲି l ତା' ଚାଲିରେ ଆଉ ମୁହଁରେ ବହୁତ ଗୁଡେ ଆତ୍ମବିଶ୍ୱାସର ଝଲକ୍ ସବୁ ମୋତେ ସ୍ପଷ୍ଟ ଦେଖା ଯାଉଥିଲେ l



Rate this content
Log in

Similar oriya story from Inspirational