ଭକ୍ତ ବତ୍ସଳା ମାଆ ମହାକାଳୀ
ଭକ୍ତ ବତ୍ସଳା ମାଆ ମହାକାଳୀ
ଭକ୍ତ ବତ୍ସଳା ମାଆ ମହାକାଳୀ
==============
ବହୁବର୍ଷ ପୂର୍ବେ ଭାରତବର୍ଷକୁ ଶାସନ କରୁ ଥିଲେ, ଋଷଭ ଦେବ l ବାର୍ଦ୍ଧକ୍ୟ ଉପନୀତ ହେବାରୁ ସେ ବଡ଼ପୁଅ ଭରତଙ୍କୁ ରାଜ୍ୟଭାର ଅର୍ପଣ କରି ବାନ ପ୍ରସ୍ଥରେ ବାହାରି ଗଲେ l ଭରତ ଜଣେ ସୁଶାସକ ଥିଲେ ଏବଂ ବହୁ ବର୍ଷ ଧରି ଏ ଦେଶରେ ରାଜତ୍ବ କରିଥିଲେ l ତାଙ୍କରି ନାମାନୁସାରେ ଆମ ଦେଶର ନାମ ଭାରତ ହୋଇଛି ଯାହା ଅଜନାଭ ନାମରେ ପୂର୍ବେ ନାମିତ ଥିଲା l ଶ୍ରୀମଦ ଭାଗବତର ପଞ୍ଚମ ସ୍କନ୍ଧର ତଥ୍ୟ ଅନୁସାରେ :-
ଏ ଦେଶ ଅଜନାଭ ଥିଲା l
ଭରତୁ ଭାରତ ହୋଇଲା ll
ରାଜା ଭରତ ଥିଲେ ,ଏକନିଷ୍ଠ ବିଷ୍ଣୁ ଭକ୍ତ l ବାର୍ଦ୍ଧକ୍ୟ ଉପନୀତହେବାରୁ ସେ ରାଜ୍ୟ ପୁଅ ମାନଙ୍କୁ ବାଣ୍ଟିଦେଇ ବାନପ୍ରସ୍ଥ ଆଚରଣପାଇଁ ଗଣ୍ଡୁକୀ ନଦୀ କୂଳ ପୁଲହ ଆଶ୍ରମକୁ ଚାଲି ଗଲେ l ପୁଲହ ଆଶ୍ରମକୁ ଗଣ୍ଡକିତୀର୍ଥ ମଧ୍ୟ କୁହାଯାଏ ଯେଉଁଠି ଶାଳଗ୍ରାମ ଶିଳା ମିଳେ l ଭରତ ସେହି ଠାରେ ରହି ଶ୍ରୀହରିଙ୍କ ପୂଜା ଆରାଧନାରେ କାଳ କଟାଇଲେ l
ଦିନେ ସେ ସ୍ନାନତର୍ପଣ ସାରି ଗଣ୍ଡକୀନଦୀ କୁଳରେ ବସିଛନ୍ତି ଗୋଟିଏ ମୃଗୁଣି ପାଣି ପିଇବାକୁ ଆସିଲା l ପଛରୁ ଗୋଟିଏ ସିଂହର ଗର୍ଜନଶୁଣି ମୃଗିଟି ଭୟଭୀତହୋଇ ନଦୀକୁ ଲମ୍ଫ ପ୍ରଦାନ କଲା l ସେ ଗର୍ଭିଣୀ ଥିବାରୁ ଶିଶୁଟିଏ ପ୍ରସବ କରି ନଦୀରେ ବୁଡ଼ି ପ୍ରାଣ ହରାଇଲା l ଭରତ ଦୟା ପରବଶ ହୋଇ ସେହି ଅନାଥ ମୃଗ ଶିଶୁଟି ଆଣି ଲାଳନ ପାଳନ କଲେ l କାଳକ୍ରମେ ସେ ଏହି ମୃଗ ଶିଶୁର ମାୟାରେ ବହୁ ମାତ୍ରାରେ ଜଡିତ ହୋଇ ବିଷ୍ଣୁ ଆରାଧନା, ଚିନ୍ତନରୁ ଦୂରେଇ ଗଲେ l ମୃତ୍ୟୁ ସମୟ ଉପସ୍ଥିତ ହେବାରୁ ସେ ଏହି ମୃଗ ଶିଶୁଟି ବିଷୟରେ ଚିନ୍ତା କରି କରି ଦେହ ତ୍ୟାଗ କଲେ l ଶାସ୍ତ୍ରାନୁସାରେ ମୃତ୍ୟୁ କାଳ ଉପଗତେ ଯିଏ ଯେଉଁ ଜୀବ ସମ୍ବନ୍ଧରେ ଚିନ୍ତା କରୁ ଥାଏ, ତାକୁ ପର ଜନ୍ମରେ ସେହି ଯୋନିରେ ଜନ୍ମନେବାକୁ ପଡେ l ଏଣୁ ଶ୍ରୀମଦ୍ ଭାଗବତରେ କୁହା ଯାଇଛି :-
ଏ ଜୀବ ମରଣ ନିକଟେ l
ବେଗେ ଚିନ୍ତଇ ଅନ୍ୟଘଟେ ll
ଏହି ଅନୁସାରେ ରାଜା ଭରତ ପର ଜନ୍ମରେ ଏକ ହରିଣରୂପେ ଜନ୍ମ ହେଲେ l କିନ୍ତୁ ତାଙ୍କ ସଞ୍ଚିତ ପୁଣ୍ୟ ଯୋଗୁ ପୂର୍ବ ଜନ୍ମ କଥା ସ୍ମରଣ ଥାଏ l ପୂର୍ବ ଜନ୍ମରେ ହରି କଥା ଵିସ୍ମରଣ ହୋଇ ମୃଗ ଶରୀର ପ୍ରାପ୍ତ ହୋଇଥିବାରୁ ସେ ବହୁତ ଅନୁତପ୍ତ ଥିଲେ l ତେଣୁ ଏହି ମୃଗ ଶରୀରରେ ମଧ୍ୟ ସେ ଅରଣ୍ୟରେ ସାଧୁଙ୍କ ସାନିଧ୍ୟରେ ହରି କଥା ଶ୍ରବଣ କୀର୍ତ୍ତନ କରି କାଳ ଅତିବାହିତ କଲେ l କିନ୍ତୁ ମୃଗଶରୀର ଧରି ଶ୍ରୀହରିଙ୍କ ସାନିଧ୍ୟ ଲାଭ କରି ମୋକ୍ଷ ପାଇବା ଅସମ୍ଭବ ଜାଣି ସେ ପର ଜନ୍ମରେ ଏକ ଧାର୍ମିକ ବ୍ରାହ୍ମଣ ଘରେ ଜନ୍ମ ହେଲେ l ତାଙ୍କର ବାପାଙ୍କର ଦୁଇ ପତ୍ନୀ ଥିଲେ l ବଡ଼ ପତ୍ନୀଙ୍କର ନଅ ପୁଅ ଓ ସାନ ପତ୍ନୀଙ୍କର ଗୋଟିଏ କରି ପୁଅ ଓ ଝିଅ ଥିଲେ l ଭରତ ଦ୍ୱିତୀୟ ପତ୍ନୀଙ୍କ ପୁଅ ଥିଲେ l ପିଲା ବେଳୁ ସେ ସବୁବେଳେ ଶ୍ରୀହରିଙ୍କ ସ୍ମରଣରେ ମଗ୍ନ ରହୁ ଥିବାରୁ ସବୁ ସମୟରେ ମୌନ ରହୁ ଥିଲେ l ଏହି ଜଡ଼ା ଭଳି ଆଚରଣ ଯୋଗୁଁ, ତାଙ୍କ ନାମ ହେଲା ଜଡ଼ଭରତ l କିଛି କାଳ ପରେ ତାଙ୍କ ପିତାଙ୍କର ମୃତ୍ୟୁ ହେଲା ଏବଂ ମାଆ ମଧ୍ୟ ସତୀ ହୋଇ ମୃତୁବରଣ କଲେ l ବିମାତା ପୁଅ ଭାଇମାନେ ଭରତଙ୍କର ଏହି ଅସ୍ୱାଭାବିକ ଆଚରଣ ଯୋଗୁଁ ନାନା କଷଣ ଦେବାକୁ ଲାଗିଲେ l ଥରେ ରାତିରେ ଫସଲ ଜଗି ଥିବା କାର୍ଯ୍ୟରେ ନିଯୁକ୍ତ ଥିବା ବେଳେ ଦଳେ ନରଘାତକ ତାଙ୍କୁ ଧରି ନେଲେ, ସେ ଲୋକ ମାନେ ଥିଲେ, ସେଠାକାର ଜଣେ ସର୍ଦ୍ଦାରଙ୍କ ଅନୁଚର l ସେ ପୁତ୍ର ତଥା ଐଶ୍ଵର୍ଯ୍ୟ ପ୍ରାପ୍ତି ପାଇଁ ମା' କାଳୀଙ୍କ ପାଖରେ ମନୁଷ୍ୟ ବଳି ଦେଉଥାଏ l ସେଦିନ ବଳି ଉଦ୍ଦେଶ୍ୟରେ ରଖା ଯାଇଥିବା ଜଣେ ମଣିଷ କେଉଁ ଆଡେ଼ ଖସି ପଳାଇ ଯାଇଥିଲା l ତାକୁ ଖୋଯିବାକୁ ଆସି ନର ଘାତକ ମାନେ ଜଡ଼ ଭରତଙ୍କୁ ପାଇଲେ l ଭରତଙ୍କର ସୌମ୍ୟ ବଳିଷ୍ଠ ଚେହେରାଦେଖି ସର୍ଦ୍ଦାର ତାର ଇପ୍ସିତ ବଳି ପଶୁ ପାଇଛନ୍ତି ଭାବି ଆନନ୍ଦରେ ନଗର ବାହାରେ ଅବସ୍ଥିତ କାଳୀ ମନ୍ଦିରକୁ ଘେନି ଗଲେ l ଉପଯୁକ୍ତ ପୂଜାର୍ଚ୍ଚନା ପରେ ତାଙ୍କୁ ସିନ୍ଦୁର ଚନ୍ଦନ ଇତ୍ୟାଦି ଗନ୍ଧ ଦ୍ୱାରା ବିଭୂଷିତ କରି, ଯୁପ କାଠ ପାଖକୁ ନିଆଗଲା l ଭରତଙ୍କ ବାହ୍ୟ ଜ୍ଞାନ ନଥିବାରୁ ସେ ଏଥିରେ ବିଚଳିତ ହେଉ ନଥାନ୍ତି l ମା'କାଳୀଙ୍କ ବିଗ୍ରହ ଆଗରେ ଯୁପକାଠ ଉପରେ ଚଢାଇ ଶିର ଚ୍ଛେଦନ ପାଇଁ ସର୍ଦ୍ଦାର ଖଡ୍ଗ ଉଞ୍ଚାଇ ଉଦ୍ୟତ ହେଉଛନ୍ତି ,ଏହି ସମୟର ମାଆ ପ୍ରତିମା ଭିତରୁ ଖଡ୍ଗ ଖର୍ପର ଧରି କରାଳ ରୂପରେ ହସ୍ତରେ ହରି ଭକ୍ତ ଭରତଙ୍କୁ ଧରି ପ୍ରକଟ ହେଲେ l ତୀକ୍ଷ୍ଣ ଖଡ୍ଗରେ ମାଆ ସର୍ଦ୍ଦାର ସମେତ ସମସ୍ତଙ୍କ ମସ୍ତକ ଚ୍ଛେଦନ କରି ରୁଧିର ପାନକଲେ l ଭାଗବତ ମହା ପୁରାଣ ପଞ୍ଚମ ସ୍କନ୍ଧର ବର୍ଣ୍ଣନାନୁସାରେ :-
ପ୍ରତିମା ପରିତ୍ୟାଗ କଲେ l
ଭକ୍ତକୁ କୋଳରେ ଘେନିଲେ ll
ତକ୍ଷଣେ ଉଗ୍ର ମୂର୍ତ୍ତି ହୋଇ l
ଉଠିଲେ ଅତି ରୋଷ ବହି ll
ସେ ଦେଵୀ ଚଣ୍ଡୀ ଭଦ୍ରକାଳୀ l
ଅତ୍ୟନ୍ତ କୋପେ ପରଜ୍ୱଳି ll
ଶାଣିତ ଅସୀ ତୀକ୍ଷ୍ଣ ଧାର l
ଛେଦିଲେ ତାହାଙ୍କର ଶିର ll
ନର ଘାତକ ମାନଙ୍କ ଠାରୁ ମୁକ୍ତି ପାଇ ଜଡ଼ ଭରତ ହରି କଥା ମନନ, ଶ୍ରବଣ, କୀର୍ତ୍ତିନରେ ଇତସ୍ତତଃ ଘୁରି ବୁଲୁ ଥାନ୍ତି l ସେ ରାସ୍ତାରେ ଯାଉଛନ୍ତି, ସେହି
ରାସ୍ତାଦେଇ ସିନ୍ଧୁନରେଶ ରହୂଗଣ,କପିଳ ମୁନିଙ୍କ ଆଶ୍ରମକୁ ଉପଦେଶ ଗ୍ରହଣ ଅର୍ଥେ ପାଲିଙ୍କିରେ ଯାତ୍ରା କରୁଥିଲେ l ତାଙ୍କ ପାଲିଙ୍କି ବାହକ ମାନଙ୍କ ମଧ୍ୟରୁ ଜଣେ ଲୋକ କୁଆଡ଼େ ଚାଲିଯିବାରୁ ଅନ୍ୟ ଲୋକ ମାନେ ନୂଆ ଲୋକକୁ ଖୋଜୁଥାନ୍ତି l ସେହି ମାନେ ଦେଖିଲେ ହୃଷ୍ଟପୁଷ୍ଟ ଭରତଙ୍କୁ l ତାଙ୍କ ମନ ଖୁସି ହୋଇଗଲା, ଆହା ଖୁବ୍ ବଳୁଆ ଲୋକଟିଏ ମିଳି ଯାଇଛି l ବଳିଷ୍ଠ ଦେହ, ସୁନ୍ଦର ଭାବେ ଶିବିକା ବହନ କରିବ l ଭରତଙ୍କୁ ସେମାନେ ଧରି ନେଲେ ଓ ରାଜାଙ୍କ ଶିବିକା ବହନପାଇଁ ଲଗାଇ ଦେଲେ l
ହରି ଭକ୍ତ ଭରତ, ଏ କାମରେ ଅଭ୍ୟସ୍ତ ନଥିଲେ l କ'ଣ କରିବେ, ରାଜା ଅବୁଝା, ଅତି କଷ୍ଟରେ ଭାର ବହି ଚାଲି ଥାନ୍ତି l ଚାଲିଲା ବେଳେ କାଳେ କୌଣସି ଜୀବ ତାଙ୍କ ପଦ ପାତରେ ମରି ଯିବ ସେଥି ପାଇଁ ବଡ଼ ସନ୍ତର୍ପଣରେ ପାଦ ପକାଉଥିଲେ l
କ୍ଷୁଦ୍ର ଜୀବଙ୍କ ମୃତ୍ୟୁ ଭୟେ l
ପାଦ ନ କ୍ଷେପନ୍ତି ନିର୍ଭୟେ ll
ବିଷମ ଗତିରୁ ରାଜାଙ୍କ ଶିବିକା ଦୋହଲିବାକୁ ଲାଗିଲା l ରାଜା ଖୁବ ବିରକ୍ତ ହୋଇ ଶିବିକା ବାହକ ମାନଙ୍କୁ ଭର୍ଚ୍ଛନା କଲେ l ରାଜାଙ୍କୁ ବାହକ ମାନେ ଭରତଙ୍କୁ ଦେଖାଇ କହିଲେ, ଏହି ଲୋକର ବିଷମ ଗତି ଯୋଗୁଁ ଶିବିକା ଦୋହଲୁଛି l ଆମର କିଛି ଦୋଷ ନାହିଁ l ଏହା ସାଙ୍ଗରେ ଆମେ ବିମାନ ବୋହି ପାରିବୁ ନାହିଁ l ଭରତଙ୍କୁ ଦୋଷୀ ସାବ୍ୟସ୍ତ କରି ରାଜା କହିଲେ, ଆରେ ତୁ ଖାଇପିଇ ତ ବଡ଼ ହୃଷ୍ଟ ପୃଷ୍ଟ ହୋଇଛୁ, ବେଶ ବଳିଷ୍ଠ ଚେହେରାଟାଏ ରଖିଛୁ,ବିମାନ ବୋହିବାପାଇଁ ତତେ କାହିଁକି କଷ୍ଟ ହେଉଛି l"ଏମିତି ରାଜା ଭରତଙ୍କୁ ବହୁ କଟୁ ବାକ୍ୟ କହି ଭର୍ଚ୍ଛନା କଲେ l ଏହା ଶୁଣି ମୌନରେ ଥିବା ଭରତ ତାଙ୍କ ମୌନ ଭଙ୍ଗ କରି ସିନ୍ଧୁ ରାଜଙ୍କୁ କହିଲେ, ଏ ଦୁନିଆଁରେ କେହି କାହାର ଭାର ବୋହି ପାରନ୍ତି ନାହିଁ l ସହଜେ ମୋର ଶରୀରଟା ପୃଥୁଳ ହୋଇ ଥିବାରୁ, ମୁଁ ଭାର ବହନ କରି ପାରୁ ନାହିଁ l ଜଡ଼ା ଠାରୁ ପୁଣି ଜ୍ଞାନ ଉପଦେଶ, ଏହାଶୁଣି ଅନ୍ୟ ମାନେ ଠୋଠୋ ହୋଇ ହସି କହିଲେ, ଦେଖ ଏ ଜଡ଼ା ପୁଣି ବ୍ରହ୍ମଜ୍ଞାନ କହୁଛି l
ରାଜା ନିଜେ ଥିଲେ ଧର୍ମପ୍ରାଣ ବିଷ୍ଣୁଭକ୍ତ l ସେ କିନ୍ତୁ ଜଡ଼ଭରତଙ୍କ ଏ ତତ୍ତ୍ୱବାଣୀ ଶୁଣି ଭାବିଲେ, ନାଁ ଇଏ କୌଣସି ସାମାନ୍ୟ ମନୁଷ୍ୟ ନୁହେଁ l ସମସ୍ତେ ଦେଖୁଛନ୍ତି ରାଜା ଶିବିକାରୁ ଓହ୍ଲାଇ ଆସି ଭରତଙ୍କ ପାଦ ତଳେ ଶୋଇଗଲେ l ତାଙ୍କୁ କାତର ପ୍ରାର୍ଥନା କରି କହିଲେ, ହେ ମହାତ୍ମା, ଆପଣ କିଏ କୁହନ୍ତୁ l ଏଠାକୁ କିପରି ଆସିଲେ l ରାଜାଙ୍କ ପ୍ରଶ୍ନରେ ଜଡ଼ ଭରତ ନିଜର ପୂର୍ବ ଜନ୍ମର ବିବରଣୀ ତଥା ତାଙ୍କ ବ୍ରହ୍ମ ଉପଲବ୍ଧ ଜ୍ଞାନସମସ୍ତ ଶୁଣାଇଲେ l ବ୍ରହ୍ମତତ୍ତ୍ୱ ଶୁଣାଇ ସେ ରାଜାଙ୍କର ଅହଙ୍କାର ଭଙ୍ଗକରି ତାଙ୍କ ଠାରୁ ମୁକ୍ତି ପାଇଲେ l ଗଲାବେଳେ ସେ ରାଜାଙ୍କୁ କହିଗଲେ:-
ଦଣ୍ଡିବା ଶକ୍ତି ଯାର ଥାଇ l
ସେ ପୁଣି କ୍ଷମା ଆଚରଇ ll
ସାଧୁଙ୍କ ଶ୍ରେଷ୍ଠ ସେହି ନର l
ସୁଖ ଦୁଃଖରୁ ସେ ବାହାର ll
ଜଡ଼ ଭରତ ବ୍ରହ୍ମ ଚିନ୍ତନରେ ପୁଣି କାଳ କାଟିବାକୁ ଲାଗିଲେ ଓ ଶେଷରେ ବ୍ରହ୍ମ ଲୀନ ହୋଇ ମୋକ୍ଷ ଲାଭକଲେ l ମାଆ କେଉଁଠି ବଳି ଚହାଁନ୍ତି ନାହିଁ l ଅଜ୍ଞାନତାରୁ ମନୁଷ୍ୟ ମାଆଙ୍କୁ ବଳିଭୋଜା ଦେଇ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରେ l
ଏହାହିଁ ଶ୍ରୀମଦ୍ ଭାଗବତର ପଞ୍ଚମ ସ୍କନ୍ଧରେ ବର୍ଣ୍ଣିତ ଜଡ଼ ଭରତ ଚରିତର ନିଷ୍କର୍ଷ l
🙏🙏🙏
ଅର୍ଜୁନୀ
----------
ଅର୍ଜୁନୀ ଚରଣ ବେହେରା
ମୋ - 7693091971
