ଭିଟାମାଟିର ମୋହ
ଭିଟାମାଟିର ମୋହ
ସୁକାନ୍ତ ବାବୁ ସକାଳୁ ସକାଳୁ ଉଠି ମୁଁହଁ ଧୋଇ , ଘର ବାହାରେ ଗୋଟିଏ ଚେୟାର ଉପରେ ବସି ପଡିଲେ। ସେହି ସମୟରେ ଗିରିଜା ବାବୁ ଦାଣ୍ଡ ଆଗ ଦେଇ ବାହାରକୁ ଯାଉଥିଲେ। ଗିରିଜା ବାବୁ ସୁକାନ୍ତ ବାବୁଙ୍କ ପାଖ ପଡ଼ୋଶୀ। ସୁକାନ୍ତ ବାବୁ ପଚାରିଲେ, ଭାଇ ସକାଳୁ ସକାଳୁ କୁଆଡେ଼ ବାହାରକୁ ଚାଲିଲେ। ଆସନ୍ତୁ ଚା ପିଇବା। ଗିରିଜା ବାବୁ ଅଟକି ଗଲେ, ନା ମୁଁ ଟିକିଏ ବଡ଼ପୁଅ ପାଖକୁ କିଛି ବାଡି ପରିବା ବସରେ ପଠାଇବାକୁ ଯାଉଥିଲି। ରଘୁ ର ମା କହିଲା କି ବାଡି ପରିବା ତମେ ସବୁବେଳେ ଖାଉଛ, ସିଏ ବାହାରେ ରହି ଚଢା ଦାମରେ ପରିବା ପତ୍ର କିଣି ଖାଉଛି। ବାଡି ପରିବା ନେଇ ତା ପାଖକୁ ପଠାଇ ଦିଏ। କ'ଣ କରିବି ସମସ୍ତେ ଚାକିରିଆ, ସବୁ ତ ବାହାରେ ରହିଲେ। ଆମେ ବୁଢ଼ା ବୁଡି କ'ଣ ବା କରିବା, ଏପଟେ ବୟସର ଭାରାକ୍ରାନ୍ତ ବଢ଼ି ଚାଲିଛି। ବୋଲ ହାକ କରିବା ପାଇଁ ପାଖରେ କେହି ବି ଜଣେ ନାହାନ୍ତି। ଆପଣଙ୍କ ର ତ ବି ସେହି ସମାନ ଦଶା।
ହଁ ଠିକ୍ କଥା କହିଲେ ଭାଇ। ବସନ୍ତୁ ଚା କପେ ପିଇ ଯିବେ। ସୁମତି ଶୁଣଛ! ରଘୁ ର ବାପା ଓ ମୁଁ ଏଠି ବସିଛୁ, ତେଣୁ ସକାଳୁ ସକାଳୁ ଟିକେ ଗରମ ଚା କପେ ହେଲେ ଦିନ ଟା ଭଲରେ କଟିବ। ଚା ପ୍ରସ୍ତୁତ ଚାଲିଥାଏ, ସୁମତି ମଝିରେ ଦୁଇ ଗ୍ଲାସ୍ ପାଣି ଆଣି ଦେଇଗଲେ। ଚା ପିଇବା ପୁର୍ବ ରୁ ପାଣି ପିଇଲେ ଆଉ ଅମ୍ଳ ଦୋଷ ରହିବନି। ସୁମତି ଚା ଦୁଇ କପ୍ ଧରି ଆସିଲେ। ଚା ପିଇବା ଆରମ୍ଭ ହେଲା। ଏ ସମୟରେ ରଘୁ ର ଫୋନ୍ ରିଙ୍ଗ ଆସିଲା, ଗିରିଜା ବାବୁ ଫୋନ ଧରିଲେ, ହେଲୋ! ବାପା ଆଜି ପରା ପରିବା କିଛି ପଠାଇ ବାର ଥିଲା, ହଁ ପଠାଇ ଫୋନ କରିବି। ବାପା ଆପଣଙ୍କ ଦେହ ଭଲ ଅଛିତ? ଔଷଧ ଠିକ୍ ସମୟରେ ଖାଉଛନ୍ତି ତ? ହଁ ସବୁ ଠିକ୍ ଠାକ୍ ଅଛି। ମା ର ଦେହ ବି ଭଲ ଅଛି। ତୋ ଦେହ ଆଉ ବୋହୁ ଛୁଆପିଲା ଙ୍କ ଦେ ପା ଭଲ ଅଛି ତ? ହଁ ବାପା ଆମେ ସବୁ ଭଲରେ ଅଛୁ। ହଉ କେଉଁ ଗାଡ଼ିରେ ପଠାଇବ ମୋତେ ଫୋନ୍ କରିବ! ମୁଁ ଯାଇ ଗାଡିପାଖରୁ ପରିବା ବ୍ୟାଗ ନେଇ ଆସିବି। ରଖୁଛି। ବୁଝିଲେ ସୁକାନ୍ତ ବାବୁ ଏ ଗାଁ ମାଟିରେ ଏମିତିକା ଯାଦୁ ଥାଏ ଯାହା କି ମନରେ ଅଠାପରି ଟାଣି ରଖେ। ସହରକୁ ଗଲେ କିଛି ଦିନ ଭଲ ଲାଗେ। ତାପରେ ଗାଁ କଥା, ଗାଁ ମାଟିର ମହକ ତା ଆଡକୁ ଟାଣି ନେଇ ଥାଏ। ସେଥିପାଇଁ ପୁଅ ପାଖରେ ବେଶି ଦିନ ରହି ହୁଏନି।
ସୁକାନ୍ତ ବାବୁ ଉଠିପଡ଼ି କହିଲେ ସତକଥା କହିଲେ ଗିରିଜା ଭାଇ, ଗାଁ ର ଭିଟାମାଟି ର ମୋହ ଆମ ମାନଂକୁ ସହରର ମାୟାଜାଲରୁ ଚୁମ୍ବକ ପରି ଟାଣି ଆଣେ। ଭିଟାମାଟି ଆମପାଇଁ ସ୍ବର୍ଗ, ସେ ସହରି ବାସନା ଆମ ଦେହରେ ଯିବନାହିଁ। ଆଜିକାଲିର ଛୁଆମାନେ ଗାଁ ମାଟି ଛାଡି ସହର ମୁହାଁ, ତାଙ୍କ ଛୁଆ ପିଲା ଗାଁ ର ଚାଲିଚଳନ, ବ୍ୟବହାର, ପର୍ବପର୍ବାଣୀ ବିଷୟରେ ସମ୍ପୁର୍ଣ୍ଣ ଅଜ୍ଞ। ସେମାନେ ଗାଁ କୁ ଆସିବାକୁ ଚାହାଁନ୍ତି ନାହିଁ। ଆମେ କେବେହେଲେ ଆମ ଭିଟାମାଟି କୁ ଛାଡି ଏତେ ଦିନ ରହିବା ଭାରି କଷ୍ଟ। ଭିଟାମାଟି ର ମୋହ ଆମକୁ ଏମିତି ଅଟକି ଦେଇଛି ନା ଆମେ କୁଆଡେ଼ ଯାଇ ପାରୁଛେ ନା କିଛି କରିପାରୁଛେ। ପରିବାର ର ସ୍ନେହ ଶ୍ରଦ୍ଧା ସତେ ଯେମିତି ସହରି ସଭ୍ୟତା ରେ ହଜିଯାଇଛି। ଆମେ ଏ ଭିଟାମାଟି ରେ ଖାଲି ପଡିରହି ବୟସର ଶେଷ ସମୟକୁ ଅପେକ୍ଷା କରିବା।ଆଉ ସବୁ ଭଗବାନଙ୍କ ଉପରେ ଭରଷା।