ବହିର ବାସ୍ନା
ବହିର ବାସ୍ନା


ପିଲାବେଳେ ସ୍କୁଲରେ ପଢୁଥିଲା ବେଳେ ନୂଆ ବହି ଦେଖିଲି ମନରେ ଏକ ନୂତନ ଭାବ ସୃଷ୍ଟି ହୁଏ। ବହି କଳ୍ପନାର ଏକ ବାତାୟନ। ନୂଆ ବହିଟିଏ ଦେଖିଲେ ପୃଷ୍ଠା ଗୁଡ଼ିକୁ ବାରମ୍ବାର ଲେଉଟାଇବାକୁ ଇଛା ହୁଏ । ନୂଆ ବହିଟିକୁ ଧରି ନାକ ପାଖକୁ ଆଣି ପୃଷ୍ଠା ଗୁଡ଼ିକୁ ଲେଉଟାଇ ସୁଘିଂବାକୁ ଇଛା ହୁଏ ।
- ସୁଗନ୍ଧ କଥା ମନକୁ ଆସିଲେ ଫୁଲ ,ଓଦାମାଟି,ପ୍ରିୟ ଖାଦ୍ୟ ଆଦି ର ବାସ୍ନା ନିଶ୍ଚୟ ମନକୁ ଆସେ।ଏସବୁ ବ୍ୟତିରକେ ଆଉ ଏକ ବାସ୍ନା ମୋର ଚେତନାରେ ପୁଲକ ଆଣେ ତାହା ହେଲା ବହିର ବାସ୍ନା । ବିଶେଷ କରି ନୂଆ ବହି। ବହି ମାନେ ମୁଁ ଏଠି କାଗଜ ଛାପା ବହି କଥା କହୁଛି।
- ବହି ଟିଏ ପାଇଲା ମାତ୍ରେ ତା ପୃଷ୍ଠା କୁ ମନଭରି ଆଘ୍ରାଣ କରି ମୋର ମନ ରୋମାଂଚିତ ହୋଇଯାଏ।ଏ ଅଭ୍ୟାସ ଅତି ବାଲ୍ୟକାଳ ରୁ ଆଜି ଯାଏ ମୋର ଅଛି। ବହି ପ୍ରତି ମୋର ଅହେତୁକ ଭଲପାଇବା, ପାଠକୀୟ ରୁଚି ବହୁତ ପିଲାଦିନୁ ମୋର ଅସ୍ଥି ମଜ୍ଜାଗତ।
- ଆମ ଘରେ ନନା ବହୁତ ବହି ପଢନ୍ତି । ଘରେ ଆମର ଭାଗବତ, ରାମଚରିତମାନସ, ରାମାୟଣ , ମହାଭାରତ, ହରିବଂଶ ପୁରାଣ ଆଦି ବହିକୁ ବଇଠି ଉପରେ ରଖି ନନା ସନ୍ଧ୍ୟା ସମୟରେ ପଢନ୍ତି । ନିୟମିତ ଆମଘରେ ଭାଗବତ ଏବଂ ରାମଚରିତମାନସ ପାଠ ହୁଏ ବେଳେ ବେଳେ ହରିବଂଶ ପୁରାଣ ମଧ୍ୟ ନନା ପଢ଼ନ୍ତି । ଏ ସବୁକୁ ଶୁଣିବା ପାଇଁ ଆମ ସଙ୍ଗାତ ବାପା, ପଡିଶା ଘର ଗୁଡିଆ ବାପା, ସୁବାଷ କକେଇ ଏବଂ ଜେଜେ ମାଆ ଓ ବୋଉ ଭାଗ ନିଅନ୍ତି।
- ଘରକୁ ଆମର "ସମାଜ" ଖବରକାଗଜ ସଙ୍ଗେ ସଙ୍ଗେ କିଛି ଗଳ୍ପ ଉପନ୍ୟାସ ,ପତ୍ରିକା ଇତ୍ଯାଦି ନନା ମାଗନ୍ତି। ଆମେ ସେଗୁଡ଼ିକୁ ପାଠକରୁ।ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ପାଇଁ ଭାଇନା ଲାଗି ନନା ଗୋଟେ ମୋଟା ଟେଷ୍ଟ ପେପର କିଣିଥିଲେ । ମୁଁ ସେ ନୂଆ ମୋଟା ବହିଟିକୁ ଆଗ୍ରହରେ ଧରୁଥିଲି ଦେଖୁଥିଲି ।
- ପିଲାବେଳେ ଡିଟେକ୍ଟିଭ ବହି ପଢିବାକୁ ଭାରି ଭଲ ଲାଗେ । ନନା ଡିଟେକ୍ଟିଭ୍ ବହି ଦେଖିଲେ ଭାରି ବିରକ୍ତ ହୁଅନ୍ତି ତେଣୁ ପାଠ ବହି ଭିତରେ ଲୁଚେଇ ରଖିକି ପଢୁଥିଲି ।
- ଶିଶୁର କୌତୁହଳି ମନରେ ଅନେକ ପ୍ରଶ୍ନ ସୃଷ୍ଟି ହେବା ସ୍ୱାଭାବିକ ମାତ୍ର ତାହା ର ଉତ୍ତର ଖୋଜିଲେ ଧରା ପଡି ଯୋଉ ଉତ୍ତମ ମଧ୍ୟମ ମିଳିବ ? ? ତାରି ଭୟରେ ମୋତେ ସେ କୌତୁହଳ ବେଳେ ବେଳେ ଦମନ କରିବାକୁ ପଡୁଥିଲା।
- ମୋର ପିଲାବେଳୁ ପାଠ୍ୟ ପୁସ୍ତକ ବ୍ୟତୀତ ଅନ୍ୟାନ୍ୟ ବହି ପଢିବା ର ଅଭ୍ୟାସ ହୋଇ ଯାଇଥିଲା ଯଦିଓ ଅତ୍ୟନ୍ତ ଗୋପନ ଆଉ ସମସ୍ତଙ୍କ ଅଲକ୍ଷରେ। ନନା ମୋର ଏହି ବହି ପଢ଼ିବାର ରୁଚି ଜାଣିପାରିଥିଲେ । ମୋର ଶିଶୁ ଗଳ୍ପ ପଢିବା ପାଇଁ ରୁଚି ଥାଏ ।
- ମୁଁ ନିୟମିତ ଭାବରେ ଅନେକ ଶିଶୁ ପତ୍ରିକା ଯେପରିକି ଜହ୍ନମାମୁଁ, ମନପବନ, ଶିଶୁ ଲେଖା ଆଦି କିଣି ନନା ଆଣୁଥିଲେ । ଆଦ୍ୟ କୈଶୋରରେ ମୋର ରୁଚି ଏସବୁ ଶିଶୁ ଗଳ୍ପରୁ ହଟି ଅଧିକ ରୋମାଞ୍ଚର ଖୋରାକ ଯୋଗାଉଥିବା ବହି - ଚକ୍ରାନ୍ତ ,ସତ୍ୟ ଅପରାଧ ଡାଏରି ..ଇତ୍ୟାଦି ଆଡକୁ ଢଳି ଥିଲା।
- ସେସବୁ ମଧ୍ୟ ସେହି ଗୋପନ ଅଭିଯାନର ଅନ୍ତର୍ଭୁକ୍ତ। କିଛି ନଭେଲ ବହି ପଢ଼ିବାର ରୋମାଞ୍ଚ କିଛି ଅଲଗା ଥିଲା ।ପରବର୍ତ୍ତୀ ସମୟ ଠାରୁ ମୋର ରୁଚି ବିଭିନ୍ନ ଭାଷା ଓ କ୍ଷେତ୍ରର ବହି ପ୍ରତି ବଢ଼ିଆସିଛି ।
- ଗଳ୍ପ ଉପନ୍ୟାସ ପଠନ ପ୍ରତି ମୋର ରୁଚି ଅଧିକ ଥାଏ । ବୃତ୍ତି ଗତ ଓ ବ୍ୟକ୍ତି ଗତ ଜୀବନ ଶୈଳୀରେ ଅନ୍ୟାନ୍ୟ ପ୍ରତି କୌଣସି ସାମଞ୍ଜସ୍ୟ ନଥାଇ ମଧ୍ୟ ମୋର ବହି ପ୍ରତି ଅଧିକ ଅନୁରକ୍ତି । ମୁଁ ଭବିଷ୍ୟତରେ ଏକ ପାଠାଗାରର ନିର୍ମାଣ କରିବି ବୋଲି ସ୍ବପ୍ନ ଦେଖିଛି ଆଉ ସେ ସ୍ବପକୁ ସାକାର କରିବା ପାଇଁ ପଛକୁ କେବେ ଫେରି ଦେଖିନାହିଁ।
- ଏବେ ବି ବହି ଟିଏ କିଏ ମୋତେ ଉପହାର ଦେଲେ ତା ପ୍ରତି ମୋ ମନରେ ସମ୍ମାନ ଓ ଶ୍ରଦ୍ଧା ଭରି ଯାଏ। ବହି ଠାରୁ ଉତ୍କୃଷ୍ଟ ବନ୍ଧୁ ବିରଳ। ବର୍ତ୍ତମାନ ଫେସବୁକ ହ୍ବାଟସପ୍ ସୋସିଆଲ ମିଡିଆ ଯୁଗରେ ମଧ୍ୟ ବହିର ଆବଶ୍ୟକତା ରହିଛି ।
- ନବେ ଦଶକରେ ଇଣ୍ଟରନେଟ କଣ ? କାହାକୁ ଜଣା ନଥିଲା। ତେଣୁ ତଥ୍ୟ ପାଇଁ ବହି ର ବିକଳ୍ପ କିଛି ନଥିଲା।ବହି ଆଉ ବସ୍ତାନୀ ଆମ ଦୁନିଆ ଥିଲା।ଏସବୁ କେତେ ଯେ ଶିଶୁ ଓ କୈଶୋର ସୁଲଭ ଚାପଳାମି ର ଅମୁଲ୍ୟ ଗନ୍ତାଘର ଥିଲା ତାହା କେବଳ ଜଣେ ଅନୁଭବୀ ହିଁ ବୁଝିପାରିବ କହିପାରିବ।
- ଏବେ ଇଣ୍ଟରନେଟରେ ସହଜ ଓ ହାତ ପାହାନ୍ତା ରେ ତଥ୍ୟ ଉପଲବ୍ଧ। ଇ ବୁକ୍, ଇ ପତ୍ରିକା ଇତ୍ୟାଦି ବହୁତ ଆଦର ଲାଭ କଲାଣି ।ମୋର ବିଚାର ଧାରା ଏସବୁ ବିକାଶ ର ପରିପନ୍ଥୀ ନୁହେଁ।ତଥାପି ବହିଟିଏ ପଠନ ଦ୍ୱାରା ରୁଚି ବିକଶିତ ହୋଇଥାଏ ଏହା ମୋର ଧାରଣା।ଦିଗଦିଗନ୍ତ ସହିତ ଯୋଡି ହୋଇ ନିଜକୁ କଳ୍ପନା ର ରୂପକାର ସଜାଇବା ପାଇଁ ବହିଟିଏ ବାତାୟନ ସଦୃଶ ହୋଇ ମୋ ସହିତ ଶେଷ ଯାଏ ରହିଥିବ।
- ବହିଟିଏ ବିନା ଆମେ ଆଗକୁ ବଢି ପାରିବା ନାହିଁ, ଶିଖି ପାରିବା ନାହିଁ, ଜାଣି ପାରିବା ନାହିଁ। ବହି ଆମର ଅମୂଲ୍ୟ ସମ୍ପଦ। ନନା ଏବେ ମଧ୍ୟ ବେଳେ ବେଳେ କୁହନ୍ତି - "ପୁସ୍ତକ ସଦୃଶ ବନ୍ଧୁ ସଂସାରରେ ବିରଳ" ।