STORYMIRROR

Birakishore Nayak

Tragedy Inspirational

4  

Birakishore Nayak

Tragedy Inspirational

ଭିନ୍ନେ ଭାଇ

ଭିନ୍ନେ ଭାଇ

3 mins
253

ରାତି ଦୁଇଘଡି ପ୍ରାୟ ହେଇଥିବ, ବସିଥିଲି ଦାଣ୍ଡ ପିଣ୍ଡାରେ |ସୁଲୁସୁଲିଆ ପବନରେ ବସିବାକୁ ଭଲ ଲାଗୁଥିଲା |ଘର ଭିତରେ ଗରମ ଯେ ଗରମ |ବିଜୁଳି ଆଲୁଅରେ ଗାଁ ଦାଣ୍ଡ ଦିନ ଭଳିଆ ଲାଗୁଛି |ସବୁ ବିଜୁଳି ଖୁଣ୍ଟରେ ଆଲୁଅ ଲାଗିଛି |ଆଗଭଳି ଆଉ ନାହିଁ |ଆଗକାଳରେ ମୋ ପିଲାବେଳେ ରାତିରେ ଯିଏ ଯୁଆଡେ ଯାଉଥିଲେ, ସାଥିରେ ଲଣ୍ଠନଟିଏ ଧରି ଯିବାକୁ ପଡୁଥିଲା, ନହେଲେ ଅନ୍ଧାରରେ |ସମସ୍ତଙ୍କ ଘରେ ଟର୍ଚ୍ଚଟିଏ ବି ନଥିଲା |ପିଲାଦିନର ଭାବନାରେ ବୁଡ଼ିଯାଇଥିଲି ମୁଁ |ମୋ ପାଖକୁ ଆସିଲା ଗୋପାଳି, ବସିଲା ଅସି ମୋ ପାଖରେ |ଆମ ଗାଁର ଅନ୍ୟ ଗୋଟେ ସାହିରେ ତାଙ୍କ ଘର, ଲେଖା ଯୋଖାରେ ପୁତୁରା ହିସାବ ହେବ |ତାକୁ ଚାହିଁଲି, ତାର ମନ ଭଲ ନଥିଲା ଭଳି ଜଣାପଡୁଥିଲା, ମୁହଁରେ ବିରସର ଛାପ |ପଚାରିଲି, କିରେ କଣ ହେଇଛି କି  ? ଏମିତି ଅବେଳରେ ଆସିଛୁ ? କହିଲା ଗୋପାଳି, ମୋତେ ବଖରାଏ ଘର ଭଡାରେ ଦିଅ, ତୁମର ତ ବହୁତ ଘର |ମୁଁ ଅlସି ରହନ୍ତି ? ଆମ ଘରେ ଅଶାନ୍ତିରେ ଆଉ ରହିହେବନି |ପଚାରିଲି, କିରେ ଅଶାନ୍ତି କାହିଁକି ? ଦୁଇ ଭାଇତ ଭଲରେ ଚଳୁଥିଲ !କଣ କିଛି ଝଗଡା ଲାଗିଛ ? କହିଲା ଗୋପାଳି, ହଁ, ଝଗଡା, ମୋ ମାଆ ପାଇଁ, ତାରି ଯୋଗୁ ସବୁ ଅନର୍ଥ ଘରେ |ତୁମ ବଡ଼ ବୋହୂ ଆମ ଘରକୁ ଦଶ ବର୍ଷ ହେଲା ଆସିଲାଣି, ଦିନେ ଶୁଣିଛ କିଛି ତା ନାଁରେ, ସୁନା ବୋହୂ ହୋଇଥିଲା, ଆଜି କେମିତି ବେଙ୍ଗୀ ପିତଳ ହୋଇଗଲା, ସାନର ବାହାଘର ପରଠାରୁ ସେ ଆଉ ବଡକୁ ଦେଖିସହି ପାରୁନାହିଁ |ଖଟି ଖଟି ମରୁଛି ମୁଁ, ଘରର ମାଲିକ ହେବ ସାନ |କେଉଁ ନ୍ୟାୟ କହିଲ ଇଏ ଦାଦା ?

ପ୍ରତି କଥାରେ ଅନ୍ତରପlନ୍ତର କଥା ମୋ ମାଆର |

ମୋ ବାପା ତାଙ୍କର ଚୁପଚାପ, କାହାକୁ କିଛି କହୁନାହାନ୍ତି କି କିଛି ବୁଝୁନାହାନ୍ତି |ସାନର ଏବେ ପୁଅଟିଏ ହେଇଛି, ତାରି ସାଙ୍ଗରେ ମୋର ଝିଅଟିଏ |ବିଧାତା ତ ପୁଅଟିଏ ଲେଖିନି ମୋ ଭାଗ୍ୟରେ, ତିନି ତିନିଟା ଝିଅ ହେଲେଣି |ହେଲା ବୋଲି କଣ ମାରିଦେବି ସେମାନଙ୍କୁ !ମୋ ମାଆ ନା, ଦିନସାରା ତାରି ପୁଅକୁ କାଖେଇ ବୁଲୁଛି, ସବୁବେଳେ ତାରି ଯତ୍ନ |ଆଡ ଆଖିରେ ବି ମୋ ଝିଅଟାକୁ ଚାହୁଁନି |କେଉଁ ମାଆ ର ଦେହ ସହିବ କହିଲ, ଏସବୁ ଦେଖି ତୁମ ବଡ଼ ବୋହୂ ମୋ ଉପରେ ଯାହା ରାଗ ସାରୁଛି |ଘରର କାମଦାମ ସବୁ ବରାଦ କରି ଦେଉଛି ବଡ଼ ବୋହୂ ଉପରେ, ବଡ ଯଦି କେବେ କହିଲା, ଏତେ କାମ ସବୁ କେତେବେଳେ ଏକା ଏକା କରିବି, ସାନକୁ କୁହ, ରୋଷେଇବାସ ଦିଟା ଅନ୍ତତଃ କରିଦେଉ |ଏତିକି କଥାରେ ରାଗିଯାଏ ମୋ ମାଆ, କହେ, ସେ ଛୁଆଟା କି ରୋଷେଇ କରିବ, ତା ପୁଅଟା ତ ତାକୁ ଦଣ୍ଡେ ଛାଡ଼ୁନି |ଆଉକିଛି କହେନା ବଡ଼, କଷ୍ଟ ହେଉ ପଛକେ ସବୁକାମ କରେ |ହେଲେ ଏମିତି କଣ ସବୁଦିନ ଚଳିବ |ଆଜି ବହୁତ କଳି ଆମଘରେ |ସବୁଦିନ ଏମିତି ଛୋଟ ମୋଟ କଥାରେ ମୋ ମାଆ ବିନାକାରଣରେ ବଡ଼ ଉପରେ ଗରଗର ହେଉଛି, ସାନ ପୁଅବୋହୁଙ୍କୁ ମୁଣ୍ଡେଇଛି, ତାଙ୍କ ଦୋଷ ଦେଖାଯାଉନି କିଛି ତାକୁ |ଭଲ ମନ୍ଦରେ ସାନ କେବେ ତା ଉପରେ ରାଗିଲେବି ହସିଦେବ ସିନା, କିଛି କହିବନି, ହେଲେ ଆମେ କିଛି କେବେ କହିଦେଲେ, ସେଇ କଥାକୁ ଗଣ୍ଠି ପକାଇ ନାନା ଅନର୍ଥ ସୃଷ୍ଟି କରୁଛି |ସେଠି ଆଉ ଚଳି ହେବନି, ବଖରାଏ ଘର ଦିଅ ମୋତେ, ଯାହା ଭଡା ନେବ ପଛେ ନିଅ |

     ଗୋପାଳିର ସବୁକଥା ଶୁଣୁଥିଲି, ଭାବୁଥିଲି, ଏଇ ରୋଗଟା କେବଳ ତାଙ୍କ ଘରେ ନୁହେଁ, ସମସ୍ତଙ୍କ ପରିବାରରେ ଅଳ୍ପେ ବହୁତେ ଘଟୁଛି |ତାଙ୍କ ନିଜ ଘର ବି ବାଦ ପଡିନି ସେଥିରୁ |କେତେଥର ବୁଝେଇଲେଣି ସେ ତାଙ୍କ ସ୍ତ୍ରୀକୁ, ହେଲେ ସିଏ କଣ ବୁଝୁଛି, ସେଇ ସାନ ପୁଅବୋହୁଙ୍କୁ ସିଏ ବି ମୁଣ୍ଡେଇଛି |ବଡ଼ ପୁଅମାନେ ଯେମିତି ଅଭିଶପ୍ତ, ଖଟି ଖଟି ଘର ଚଳେଇବେ, ଶେଷରେ ତାଙ୍କରି ମୁଣ୍ଡରେ ସବୁ ନିନ୍ଦା ଲଦି ଦେବେ ଏଇ ବାପାମାଆ, ଭାଇ, ବାହାହେଲା ଭଉଣୀ, ସମସ୍ତଙ୍କର ଶତ୍ରୁ ଯେମିତି ସିଏ |ଶେଷରେ କହିବେ, ସିଏ ତ ତା ସ୍ତ୍ରୀ ବୁଦ୍ଧିରେ ଚାଲୁଚି |ପରିବାରର ସବୁ ବୋଝ ଯେତେବେଳେ ମୁଣ୍ଡେଇଥିଲା, ସେତେବେଳେ ଆଉ ସ୍ତ୍ରୀ ବୁଦ୍ଧିରେ ପଡ଼ୁ ନଥିଲା, ଏବେ ବୟସର ଅପରାହ୍ନରେ ଭଲ ସ୍ତ୍ରୀ ଶିଖେଇଦେଉଛି ସବୁ |ଦୁନିଆଟା ପରା ସ୍ୱାର୍ଥରେ ବନ୍ଧା |

     ଗୋପାଳିକୁ ବହୁତ ବୁଝାଇଥିଲି ସେଦିନ |

ବୁଝିଯାଇଥିଲା ପିଲାଟା |କିନ୍ତୁ ବେଶିଦିନ ଏକାଠି ଚଳିପାରିଲେନି ସେମାନେ |ଭିନ୍ନ ହୋଇଗଲେ ଦୁଇଭାଇ, ମଝିଦୁଆରେ କାନ୍ଥ ଉଠିଲା, କେହି କାହା ମୁହଁ ଦେଖିବେନି |ବାପାମାଆ ବି ଖୁସି ସେଥିରେ |ସୃଷ୍ଟିର ନିୟମ ଏଇଟା ଯେମିତି।


Rate this content
Log in

Similar oriya story from Tragedy