ଭିନ୍ନ ଏକ ସାବିତ୍ରୀ
ଭିନ୍ନ ଏକ ସାବିତ୍ରୀ
ଦୂର ଦିଗବଳୟରେ ଉଇଁ ଆସୁଥିବା ସନ୍ଧ୍ୟା ତାରାକୁ ନିର୍ନିମେଷ ନୟନରେ ଚାହିଁଥିଲା ସୁକନ୍ୟା । ତୃତୀୟା ଜହ୍ନର ମ୍ଳାନ ଆଭା ବିଛୁରି ଆସୁଥିଲା ଧିରେ ଧିରେ । ଏଇ ତୃତୀୟା ଜହ୍ନକୁ ଦେଖିଲେ କୁଆଡେ ସବୁ ଶୁଭ ହୁଏ । ଭାବୁଥିଲା ସୁକନ୍ୟା, ଏ କଥା ଶୁଣିବା ଦିନଠାରୁ ପ୍ରତିମାସରେ ସେ ତ ଦେଖି ଆସୁଛି ଏଇ ତୃତୀୟା ଜହ୍ନକୁ, କେତେ ସ୍ବପ୍ନ ତୋଳିଛି ମନରେ । କିନ୍ତୁ କାହିଁ, କିଛି ତ ସୁଖ ମିଳିନି ତାକୁ ତା ଜୀବନରେ ।ହାଲକାଏ ଥଣ୍ଡା ପବନରେ ଶୀତେଇ ଉଠିଲା ସୁକନ୍ୟା ।ଅନ୍ୟ ମନସ୍କ ଭାବରେ ଅଗଣାରୁ ଘରଭିତରକୁ ଫେରିଆସିଲା ସିଏ । ତୁଳସୀମୂଳରେ ଜାଳି ଦେଇ ଆସିଥିବା ସନ୍ଧ୍ୟା ଦୀପଟି ପବନରେ ଧିରେ ଧିରେ ହଲି ହଲି ଜଳୁଥିଲା, ଅନୁଭବ କରୁଥିଲା ସୁକନ୍ୟା, ଏଇ ଦୀପ ଶିଖାଭଳି ତା ଜୀବନର ଚଲାପଥ ଦୋଦୁଲ୍ୟମାନ ଯେମିତି, ଅଙ୍କା ବଙ୍କା, ଖାଲ ଖମାରରେ ପରିପୂର୍ଣ୍ଣ ହୋଇଯାଇଛି ।
ସୁକନ୍ୟା । ବାପାମାଆଙ୍କର ଅତି ଅଲିଅଳି ଝିଅ ସୁକନ୍ୟା । ଦୁଇ ଭାଇରେ ଗୋଟେ ଭଉଣୀ ବୋଲି କେତେ ଗେହ୍ଲା ହୋଇନଥିଲା ସିଏ ତା ପିଲାବେଳେ
। ବାପାମାଆଙ୍କର ଆଖି ଥିଲା ଯେମିତି ସିଏ
ସେ ଦିନର ସେଇ ପ୍ରଗଳଭା ସୁକନ୍ୟା, ହରିଣୀ ପରି ଚଳଚଞ୍ଚଳା, ଅତି ସୁକୁମାରୀ ଆଉ ଅପରୂପା ଝିଅଟିର ଜୀବନରେ ଯେ ଏତେ ଦୁଃଖ ଲେଖା ହୋଇଥିଲା, କିଏ ଜାଣିଥିଲା, ସବୁ ଭାଗ୍ୟର ବିଡମ୍ବନା ଯେମିତି ।
ଘର ଭିତରେ ଅନ୍ଧାର ଛାଇହୋଇଗଲାଣି, ଲଣ୍ଠନଟିକୁ ଲଗାଇଲା ସୁକନ୍ୟା ।ସ୍ୱାମୀ ଶୋଇଛନ୍ତି ଖଟିଆ ଉପରେ । ଅସୁସ୍ଥ ସିଏ । ତା ବର୍ଷେ ପାଖାପାଖି ହୋଇ ଗଲାଣି ସେ ଅସୁସ୍ଥ ହୋଇପଡିଲେଣି । ତା ଝିଅ ରୂପାର ଜନ୍ମ ପରେ ପରେ ହିଁ ସେ ଅସୁସ୍ଥତା ଅନୁଭବ କଲେ ।ରୂପାକୁ ତ ଏଇ ମାଘ ପୁନେଇକୁ ବର୍ଷେ ପୁରିବ ।ଅଭାବ ଅନାଟନ ଭିତରେ କେମିତି ହେଲେ ଚଳି ଯାଉଥିଲେ, ସେ ଅସୁସ୍ଥ ହେବା ଦିନଠାରୁ କାମଦାମ କିଛି କରିପାରୁନାହାନ୍ତି, ଅଭାବ ଲାଗିରହୁଛି |ସ୍ୱାମୀଙ୍କ ଦେହ ଦେଖାଇବା ପାଇଁ ଡାକ୍ତର ଖାନା ବି ଯାଇପାରୁନି ଅର୍ଥ ଅଭାବରୁ |ଝିଅଟା କଥା କିଏ ପଚାରେ, ବର୍ଷକର ଛୁଆଟା ସେଇ ଶୁଖିଲା ଭାତ ଦିଟା ଆଉ ଆଳୁସିଝାଖଣ୍ଡକରେ ତାର ଦିନ ଯାଉଛି |ସେତକ ନଖାଇଲେ ତାକୁ ହିଁ ଦିନରାତି ଝୁଣୁଛି |
ଲଣ୍ଠନର କ୍ଷୀଣ ଆଲୋକରେ ଝିଅ ରୂପା ଖେଳୁଥିଲା |ସ୍ୱାମୀଙ୍କ ଗୋଡ଼କୁ ଆଉଁସି ଦେଉଦେଉ ଭାବୁଥିଲା ସୁକନ୍ୟା |ତାରୁଣ୍ୟର ଛୁଆଁ ତା ଦେହରେ ଲାଗୁ ଲାଗୁ ହିଁ ତାକୁ ବିବାହ କରାଇଦେଲେ ତା ବାପା ଏଇ ସୌମ୍ୟଙ୍କ ସହିତ , ସେତେବେଳେ କିଛି ବି ଘରକରଣା ଶିଖି ନଥିଲା ସିଏ |ସେତେବେଳେ ତା କଅଁଳ ମନରେ ଅସୁମାରୀ ସ୍ବପ୍ନ, ସୌମ୍ୟଙ୍କୁ ପାଇ ବହୁତ ଖୁସି ହୋଇଯାଇଥିଲା ସିଏ |ସୌମ୍ୟ ଦେଖିବାକୁ ବହୁତ ସୁନ୍ଦର, ବଳିଷ୍ଠ ଚେହେରା, ହସଖୁସିଆ ଯୁବକଟିଏ |ବହୁତ ପରିଶ୍ରମୀ ମଧ୍ୟ |ତାଙ୍କରି ଗାଆଁର |ତାଙ୍କ ଘରେ କେବଳ ମାଆ ପୁଅ ଦୁଇଜଣ |ଛୋଟ ପରିବାର ଦେଖି ତା ବାପା ମାଆ ସେଇଠି ବିଭାଘର କରିଦେଲେ, ତା ଭିତରେ ଏକ ପ୍ରଚ୍ଛନ୍ନ ଆଶା ତାଙ୍କର ଝିଅଟା ଗାଆଁରେ ରହିବ, ତାଙ୍କରି ଆଖି ଆଗରେ |ତା ଛଡା ସେମିତି ବେଶି ଅଭାବୀ ପରିବାର ମଧ୍ୟ ନୁହେଁ, ଜମିବାଡ଼ି କିଛି ଅଛି |ବର୍ଷକ ଭଲରେ ଚଳନ୍ତି |
ବିବାହର ପ୍ରଥମ ବର୍ଷଟି ହିଁ ବହୁତ ଶାନ୍ତିରେ କଟିଥିଲା ସୁକନ୍ୟାର |ତା'ପରେ ତ ସୌମ୍ୟଙ୍କ ଦେହ ଖରାପ ହେଲା |ଯାହା କିଛି ସଞ୍ଚିତ ଅର୍ଥ ଥିଲା, ସବୁ ତାଙ୍କରି ପିଛା ସରିଲାଣି |ତା ବାପଘରୁ ବି ଅନେକ ସାହାଯ୍ୟ ପାଇଲାଣି |ଏମତି ପରିସ୍ଥିତିରେ କଣ କରିବ, କିଛି ଭାବି ପାରୁନଥିଲା ସୁକନ୍ୟା |ଆଖିରେ ଲୁହ ଜକେଇ ଆସୁଥିଲା, ହୃଦୟର କୋହ ସବୁ ଦୀର୍ଘଶ୍ୱାସ ହୋଇ ବାହାରି ଆସୁଥିଲା ଯେମିତି ପଦାକୁ |ଶାଶୁଙ୍କର ଡାକରେ ଭାବନାରେ ପୂର୍ଣ୍ଣଛେଦ ପଡିଲା ସୁକନ୍ୟାର |ଶାଶୁ ଭଲ ପାଆନ୍ତିନି ତାକୁ, ସେ କୁଆଡେ ଗୋଟେ ଅଲକ୍ଷଣୀ, ତାକୁ ବିଭାହେବା ଯୋଗୁ ତାଙ୍କ ପୁଅର ଦେହ କୁଆଡେ ଅସୁସ୍ଥ ହୋଇଗଲା |ଅନେକ ଗଞ୍ଜଣା ସହିବାକୁ ପଡୁଛି ତାକୁ |ସବୁ ସହିଯାଏ, କେବେ ବି କିଛି କହେନି ସିଏ ତା ଶାଶୁଙ୍କୁ |ସେବା ଯତ୍ନରେ ବି କେବେ ଅବହେଳା କରିନି ଆସିବା ଦିନଠାରୁ ତାଙ୍କ ଘରକୁ |କଣ ଟିକେ ରାନ୍ଧିବାକୁ ପଡିବ, ରୋଷେଇ ଘରକୁ ଯାଇ ଚୁଲି ଲଗାଇଲା ସୁକନ୍ୟା |
ରାତି ପାହିବାକୁ ଆହୁରି ଅନେକ ବାକି |ରାତିରେ ଖାଇସାରିବା ପରେ ସୌମ୍ୟଙ୍କର ଦେହ ବେଶି ଅସୁସ୍ଥ ହୋଇପଡ଼ିଛି, ରାତିସାରା ସେ ତାଙ୍କରି ପାଖରେ ହିଁ ବସିରହିଛି |ଝିଅଟା ବି ଅଝଟ ହୋଇ ରାତିସାରା ତାକୁ ଶୋଷି ଶୋଷି ଏଇ ଘଡିଏ ହେଲା ଶୋଇପଡିଛି |ରାତି ପାହିଲେ ସେ ସ୍ୱାମୀଙ୍କୁ ନେଇ ଡାକ୍ତରଖାନା ଯିବ |ବାପଘରର ଶେଷ ସନ୍ତକ ସୁନାର ମଙ୍ଗଳସୂତ୍ରଟିକୁ ବିକି ଟଙ୍କା ଯୋଗାଡ଼ କରିଛି |
ଡାକ୍ତର ଖାନାରେ ସବୁ ପରୀକ୍ଷା କଲାପରେ ସୁକନ୍ୟା ଜାଣିଲା ଯେ, ତା'ସ୍ୱାମୀଙ୍କର ଦୁଇଟା ଯାକ କିଡ଼ନୀ ନଷ୍ଟ ହୋଇଯାଇଛି |ଆଉ ବଞ୍ଚିବା ସମ୍ଭବ ନୁହେଁ |ତୁରନ୍ତ ଗୋଟିଏ କିଡ଼ନୀ ରୋପଣ କରାଗଲେ, ହୁଏ ତ ସେ ବଞ୍ଚିଯିବେ |
ସୌମ୍ୟଙ୍କ ବିନା ସେ ବି ଦୁନିଆରେ ବଞ୍ଚିପାରିବନି |ସେ ମରିଗଲେ ତା ରୂପାର ଅବସ୍ଥା କଣ ହେବ ?ଶେଷରେ ସ୍ଥିରକଲା, ସେ ନିଜର ଗୋଟେ କିଡ଼ନୀ ସୌମ୍ୟଙ୍କୁ ଦେବ, ଅନ୍ତତଃ ତା ସ୍ୱାମୀ ବଞ୍ଚିରହିଲେ, ଦୁଃଖରେ ବି ଶାନ୍ତି ମିଳିବ |
ଅସ୍ତ୍ରୋପଚାର ସାର୍ଥକ ହେଲା |ସୌମ୍ୟ ବଞ୍ଚିଗଲେ |କିଛିଦିନ ଡାକ୍ତର ଖାନାରେ ରହିବା ପରେ ଦୁହେଁ ଫେରିଆସିଲେ ଘରକୁ |
ସଞ୍ଜ ନଇଁ ନଇଁ ଆସୁଥିଲା, ତୁଳସୀ ମୂଳରେ ସନ୍ଧ୍ୟା ଦୀପ ଲଗାଇ ସ୍ୱାମୀଙ୍କର ଆୟୁଷ ମାଗୁଥିଲା ସୁକନ୍ୟା ବୃନ୍ଦାବତୀ ମାଆଙ୍କୁ |ଆକାଶରେ ତୃତୀୟା ଜହ୍ନ ଜୋଛନା ବିଛେଇ ହୋଇ ଆସୁଥିଲା |
