STORYMIRROR

Nityananda Nandi

Tragedy Classics

3  

Nityananda Nandi

Tragedy Classics

ଭିନ୍ନ ଏକ ରୁଦାଲି ମୁଁ

ଭିନ୍ନ ଏକ ରୁଦାଲି ମୁଁ

5 mins
354



କୁଆଡେ କେଜାଣି ଚାଲିଗଲା ଲଖନ୍ ! ଜାଣି ପାରିଲିନି। ଜାଣିଲା ବେଳକୁ ସବୁ ସର୍ବନାଶ। ଆଜମିର ଯାଇ ରହୁଛି କୋଉ ଝିଅ ସାଥିରେ। ପାହାଡ଼ରୁ ମାର୍ବଲ କାଟୁଛି। ଠିକଣା ନେଇ ପହଞ୍ଚିଲି, ଆଜମିର୍। ଲଖନ୍ ଆସି ଠିଆ ହେଲା ମୋ ଆଗରେ। ଯେମିତି ଭୁଲ ପାଇଁ ଅନୁତପ୍ତ ସେ। ଝିଅଟା କେମିତି ଟେର ପାଇଲା କେଜାଣି, ଚିତ୍କାର କରି ଦୌଡ଼ି ଆସିଲା !! ଟାଣି ଓଟାରି ନେଇଗଲା ସେ ଲଖନ୍ କୁ। ଏକ ଅଧ୍ୟାୟର ଦୁଃଖଦ ପରିସମାପ୍ତି ପରେ ବାକିଥିବା ଜୀବନ ଉପନ୍ୟାସର ପୃଷ୍ଠା ସବୁ ଖାଲି ସେମିତି ଓଲଟେଇବାକୁ ହୁଏ ଅନ୍ୟମନସ୍କ ହୋଇ, ପଢ଼ିବାକୁ ଜମାରୁ ଇଚ୍ଛା ହୁଏନି

  

ତା ପରେ ଚଲା ପଥରେ କଣ୍ଟା ହିଁ କଣ୍ଟା। ଚାରି ପାଞ୍ଚ ବର୍ଷରୁ ଅଧିକ ହେବ ମୁଁ ଜୟପୁର ଛାଡି ବିକାନିର ଚାଲି ଆସିଲି । କାମ କରି ଯେମିତି ସେମିତି ପେଟ ପୋଷୁଥିଲି ସେଇ ଗାଆଁରେ । କାମଟା ଏତେ ଭଲ ନ ହେଲେ ବି କଷ୍ଟଦାୟକ ନୁହେଁ। ଆଖ ପାଖ ଗାଆଁରେ କିଏ ମରିଗଲେ ଆମେ ଭଡାରେ ଯାଉ, କାନ୍ଦିବା ପାଇଁ। ଅନ୍ୟ ମାନେ କାନ୍ଦୁ କାନ୍ଦୁ ହସି ଦିଅନ୍ତି। ମୁଁ କିନ୍ତୁ ପ୍ରକୃତରେ କାନ୍ଦେ। ଯାହା ଜୀବନରେ ସୁଖ ହିଁ ନାହିଁ ତାକୁ କାନ୍ଦିବାକୁ ଆଉ କଷ୍ଟ ହେବ କାହିଁକି ? ହସ କୋଉଠୁ ଆସିବ ତରଳ ମହମଟି ଆହୁରି ତରଳି ଯାଏ ଅଳ୍ପ ଉତ୍ତାପରେ ଲୁହ ପାଇଁ ଆଉ କଣ କି, ଟିକିଏ ଭାବ ପ୍ରବଣତା ଯଥେଷ୍ଟ


ଅନେକ ବର୍ଷ ତଳେ, ଠିକ୍ ବାହାଘର ପରେ ଲଖନ୍ ସାଥିରେ ସିନେମା ଦେଖିବାକୁ ଯାଇଥିଲି ଜୟପୁର ସହରକୁ। ରୁଦାଲି ସିନେମା। ଦେଖି ସାରିବା ପରେ ଯେତେ ହସିଲି, ସେତିକି କାନ୍ଦି ଲି ମଧ୍ୟ। ଉଚ୍ଚ ଜାତିର କେହି ଜଣେ ମରିଗଲେ ନିମ୍ନ ଜାତିର ଝିଅ ମାନଙ୍କୁ ଭଡାରେ ନିଆଯାଏ କାନ୍ଦିବା ପାଇଁ। ଭାବିଲା ବେଳକୁ କାହିଁକି କେଜାଣି ମୁଣ୍ଡଟା ବୁଲେଇଲା। ଇଏ କି ପ୍ରଥା ରାଜସ୍ଥାନରେ। ଭାଗ୍ୟ ସାଥି ଦିଏନି ଯେତେବେଳେ ନିଜ ଇଚ୍ଛା ବିରୁଦ୍ଧରେ କାନ୍ଦିବାକୁ ହୁଏ, ବୋଧେ କିଛି ଟଙ୍କା ବଦଳରେ


ଲଖନ୍ ଛାଡି ଚାଲିଯିବା ପରେ ମୋ ପାଖରେ ଆଉ କିଛି ଉପାୟ ନ ଥିଲା। ବଞ୍ଚିବାକୁ ତ ପଡିବ। ହଠାତ୍ ମନେ ପଡ଼ିଲା କାନ୍ଦିଲେ ପଇସା ମିଳେ ବୋଲି। ଜୟପୁର ଛାଡି ଚାଲିଲି ବିକାନିର। ପୂରା ନିରାପଦ, ନା ଛକା ପଞ୍ଝା ନା ଚରିତ୍ର ହନନ। ଭାଇ ମୋତେ ଛାଡି ଦେଇ ଆସିଲା ବିକାନିର ସହର ପାଖ ଗାଆଁରେ। ମୁଁ ସଦସ୍ୟ ହେଲି ଗୋଟାଏ ମହିଳା ଗ୍ରୁପରେ। କେହି ମରିବାର ଖବର ପାଇଲେ ସଜବାଜ ହୋଇ ବାହାରିବାକୁ ପଡେ। ସମସ୍ତେ ଗ୍ଲିସାରିନ, ବାମ ଇତ୍ୟାଦି ଲଗେଇ କାନ୍ଦନ୍ତି। ମୋତେ କିଛି ଲଗେଇବାକୁ ପଡ଼େନି। କାନ୍ଦିବା ପାଇଁ ଅତି କମରେ ଯେତିକି ଦୁଃଖ ଦରକାର, ତା'ଠୁ ବେଶି ଦୁଃଖ ଥାଏ ମୋ ମନ ପେଡିରେ।


ଗାଆଁ ମୁଖିଆର ବଡ ପୁଅ ମରିଗଲା। ଦିନ ସାରା କାନ୍ଦିବା ପାଇଁ ଅର୍ଡର ମିଳିଲା ଆମକୁ। ଜଣଙ୍କୁ ଦଶ ହଜାର ଟଙ୍କା ଦେବେ ବୋଲି ମୁଖିଆ ଘୋଷଣା କଲେ। ଏତେ ପଇସା ଏକାଥରେ କେବେ ଦେଖି ନ ଥିଲି ଜୀବନରେ। ମାସେ ପରେ ଗାଆଁ ମୂଖିଆର ସାନ ପୁଅ ଆସି ମୋ କୁଡିଆ ଘର ପାଖେ ଛିଡା ହୋଇ କହିଲା ଅମ୍ବା ! ତୁ କେତେ ସୁନ୍ଦର ଦେଖିବାକୁ। ଅସମୟରେ ଏକ ଯୁବକର ବାର୍ତ୍ତା। ଶିହରିତ ହୋଇ ଉଠିଲା ଦେହଟି। ନିଃସହାୟ ସୂର୍ଯ୍ୟମୁଖୀ ପରି ମୁହଁ ତଳକୁ ପୋତି ଛିଡା ହେଲି ତା ଆଗରେ। ଜୀବନରେ ପ୍ରଥମ ଥର ପାଇଁ ଜାଣିଲି ଯେ ମୁଁ ସୁନ୍ଦର ବୋଲି !

ସାହାସ କରି କହିଲି, ତମେ ବିବାହିତ ପୁରୁଷ ନା । ମୋ ସୋନ୍ଦର୍ଯ୍ୟ ଭିତରେ ହଜି ଯାଉଛ କାହିଁକି ? ତା ଛଡା, ଆମେ ଗରିବ, ନିମ୍ନ ଜାତିର। ଏମିତି ଭଡାରେ କାନ୍ଦିବାକୁ ଯାଉ। କିଛି ଉପାର୍ଜନ କରୁ। ତମେ ତ ଗାଆଁ ମୁଖିଆଙ୍କ ପୁଅ। କଥାଟି ବାଧିଲା ବୋଧେ, ସେଇ ଦିନଠୁ ସେ କେବେ ଆସି ନ ଥିଲା ମୋ ପାଖକୁ।


ମୁଁ କିନ୍ତୁ ଅଜାଣତରେ ଗାଆଁ ମୁଖିଆରା ସାନ ପୁଅକୁ ମନ ଦେଇ ସାରିଥିଲି । ଗାଆଁ ରେ ସମସ୍ତେ ଗଜେନ୍ ଭାଇ ବୋଲି ଡାକନ୍ତି। ଗଜେନ୍ ରାସ୍ତାରେ ଯାଉଥିଲେ ତାଟି ପର୍ଯ୍ୟନ୍ତ ଧାଇଁ ଆସେ। ପଛରୁ ଦେଖେ ଅନେଇ ରହେ ଆଖି ଯେତେ ପର୍ଯ୍ୟନ୍ତ ଦେଖିପାରେ ଗଜେନ୍ କୁ। 


ନାଟକଟିଏ ପ୍ରଦର୍ଶିତ ହେଉଥିଲା ଗାଆଁ ମଣ୍ଡପରେ, ଶିବରାତ୍ରି ଉପଲକ୍ଷେ। ଗଜେନ୍ ନାୟକ ଥିଲା ସେଇ ନାଟକରେ। ନାୟିକା ସହିତ ଏକାନ୍ତରେ ପ୍ରେମାଳାପ ଦେଖି ମୁଁ ସହି ପାରିଲି ନାହିଁ। ବହେ କାନ୍ଦିଲି ବାହାରକୁ

ଆସି, ଇଚ୍ଛା ହେଲାନି ଆଉ ନାଟକ ଦେଖିବାକୁ ଘରେ ଆସି ଶୋଇ ପଡ଼ିଲି।


ଥରେ ହଠାତ୍ ରାସ୍ତାରେ ଦେଖିଲି, ଗଜେନ୍ ଆସୁଛି । ମୁଁ ହସି ଦେଲି, ସେ ବି ହସି ଦେଲା। ଭାବିଲି ସେ ଯଦି କିଛି କହେ, ମୁଁ କହିବି ଗଜେନ୍ ବାବୁ ! ତମେ ବି ରାଜକୁମାର ପରି ଲାଗୁଛ। ନା ସେ କିଛି କହିଲେ ନା ମୁଁ କିଛି କହିଲି।


ଦିନେ ଅଚାନକ ଗାଆଁ ମେଳାରେ ଭେଟ ହେଲା, ଅନେକ ସାହାସ ସଂଚାରି ମିଠା ପାନଟିଏ ଦେଲି ଗଜେନ୍ କୁ। ବୋଧେ ଖୁସି ହୋଇ ଶହେ ଟଙ୍କା ଗେଞ୍ଜି ଦେଲା ମୋ ହାତ ମୁଠାରେ। ଅସହାୟ ଲତାଟିଏ ସାହାରା ପାଇଁ ଖୁମ୍ବା ଟିଏ ଖୋଜୁ ଥାଏ, ମୋର ଆଉ ଭୁଲ କୋଉଠି ?


ଅଚାନକ ଖବର ଆସିଲା ଗାଆଁ ରେ କିଏ ଜଣେ ମରି ଯାଇଛି, କାନ୍ଦିବାକୁ ହେବ। କାହିଁକି କେଜାଣି କାନ୍ଦିବାକୁ ଇଛା ନ ଥିଲା ସେଦିନ। ଗ୍ଲିସାରିନ୍ ବୋଳି ଦେଲି ଆଖି ପତା ଉପରେ। ରାସ୍ତାରୁ ରାହା ଧରି କାନ୍ଦିବା ଆରମ୍ଭ ହେଲା। ଆମ ଝିଅ ମାନଙ୍କ ଭିତରୁ କିଏ ଜଣେ କହିଲା ଗଜେନ୍ ଭାଇ ମରି ଯାଇଛି। ମୁଁ ସ୍ତବ୍ଧ ହୋଇଗଲି କିଛି ମୁହୂର୍ତ୍ତ ପାଇଁ । କଳାମେଘ ସବୁ ପାହାଡ ଦେହରେ ଧକ୍କା ଖାଇ ଘୂର୍ଣ୍ଣିିଝଡ଼ରେ ପରିଣତ ହେଲା। ମେଘ ଫାଟିଲା ଆକାଶରେ। ଆତ୍ମୀୟ କେହି ଜଣେ ଦବି ଯାଉଥିଲା ଭୂସ୍ଖଳନ ଭିତରେ। କ୍ଷତ ବିକ୍ଷତ ହେଇ ଯାଉଥିଲା ମୋ ଅନ୍ତରାତ୍ମା ଟି।

ରଡି ଛାଡି କାନ୍ଦିଲି, ମୁଣ୍ଡ ବାଡେଇଲି ତାଙ୍କ ଇଟା କାନ୍ଥରେ। ମୁଁ ଜାଣି ନ ଥିଲି କେତେବେଳେ ମୁଣ୍ଡ ଫାଟି ରକ୍ତ ବହି ଗଲାଣି। ମଶାଣି ସାଥିରେ ଚାଲି ଆସିଥିଲି ଶବ ସାଥିରେ। ପଛକୁ ଅନେଇଲି, ଅନେକ ପଛରେ ସାଙ୍ଗମାନେ, ମୋତେ ଦେଖି ହସୁଥିଲେ ସେମାନେ। ତେବେ ମୁଁ କାହିଁକି ଟାଣି ଆସିଥିଲି ଶବ ସାଥିରେ ବାସ୍ତବତାର ଉତ୍ତାଳ ତରଙ୍ଗ ଭିତରେ ଅଭିନୟର ରୂପରେଖ ଲୁଚି ଯାଉଥିବା ବେଳେ ଶ୍ମଶାନ ଆଡେ ଅନେଇଲି ମୁଁ ଅସହାୟ ହୋଇ, ଶବଟା ଜଳୁଥାଏ ନିରନ୍ତର ଭାବରେ ମଶାଣି ଭିତରକୁ ଯିବା ପାଇଁ ସତ୍ସାହସ ହେଲାନି, ନା ମୋର କିଛି ଅଧିକାର ଥିଲା ଭିତରକୁ ଯିବା ପାଇଁ। ଭାବିଲି ଯେତିକି କାନ୍ଦିଛି ଦୁଇ ହଜାର ଟଙ୍କାର ମୂଲ୍ୟ ଠୁ ଟିକେ ଅଧିକ ହେବ


ଆଖିରେ ଆଉ ଲୁହ ନ ଥିଲା, ସବୁ ଲୁହ ନିଗିଡ଼ି ଦେଲି ଗଜେନ୍ ପାଇଁ। କ୍ଳାନ୍ତ ଶ୍ରାନ୍ତ ଶରୀର ନେଇ ଫେରିଲି ଶ୍ମଶାନ ରୁ। ଗଜେନ୍ ଘର ଆଗରେ ମୋ ସାଙ୍ଗ ମାନଙ୍କ ଭିଡ଼। ଟଙ୍କା ବଣ୍ଟା ହେଇଥାଏ, ଜଣକୁ ଦୁଇ ହଜାର। ଧାଡ଼ିରେ ଯାଇ ଛିଡା ହେଲି। ଗଜେନର ହସ ହସ ମୁହଁଟା ଆଖି ଆଗରେ ନାଚି ନାଚି ଯାଉଥାଏ। କାହିଁକି କେଜାଣି ଇଚ୍ଛା ହେଲାନି ଟଙ୍କା ନେବାକୁ। ନିଗିଡ଼ି ଯାଇଥିବା ଲୁହକୁ ସମର୍ପିତ କାଲି ଗଜେନ୍ ପାଇଁ। ସବୁ ଲୁହ କଣ ବିକ୍ରି ହୋଇ ପାରେ ? କିଛି ଲୁହ ଅମୂଲ୍ୟ ଜୀବନରେ। ସିଧା ଦୌଡ଼ିଲି ଘର ମୁହାଁ ହୋଇ


ଆଖିରେ ଆଉ ଲୁହ ନାହିଁ, ନିଃଶ୍ୱାସ ପ୍ରଶ୍ୱାସ ବି ଧିମି ଗଲାଣି। ଦୂର ପାହାଡ ପରି ସମସ୍ତେ ଅପସରି ଯାଉଛନ୍ତି ମୋ ପାଖରୁ। ବଞ୍ଚିବାକୁ ଇଚ୍ଛା ନ ଥାଇ ବି ମରି ବି ପାରୁ ନ ଥିଲି ମୁଁ। ମରୀଚିକା ପଛରେ ଧାଉଁ ଧାଉଁ କିଏ ଜଣେ ପଛରୁ ଚେତେଇ ଦେଲା, ଏଇଟା ତ ମରୁଭୂମି। ଏଇଠି ସବୁ ଅବାସ୍ତବତାର ଚ୍ଛକା ପଂଝା ଖେଳ। ବୁଝିଲା ବେଳକୁ ବେଶ୍ ଆଗକୁ ଆସି ଯାଇଥିଲି ମୁଁ, ପଛକୁ ଫେରି ଅନେଇଲି। କେହି ନାହିଁ, ଖାଲି ଶୂନ୍ୟତାର ଭୟ। ଅଯଥାରେ ଲୁହ ସବୁ ନିଗାଡି ଦେଲି ଆଉ କାହା ପାଇଁ, ବିକ୍ରି କରିଦେଲି ମୋ ହୃଦୟରେ ସାଇତା ସବୁ ଲୁହକୁ। ମୁଁ ଆଜି ରୁଦାଲି। ଏକା ଚାଲିବା ପାଇଁ ଆଉ ଶକ୍ତି କାହିଁ ? ଲାଗୁଥିଲା ଯେମିତି ମୋତେ ସାହାରା ଦରକାର।

ହଠାତ୍ ଦେଖିଲି ଲଖନ୍ ଛିଡା ହୋଇଛି ମୋ ଘର ତାଟି ପାଖରେ। ମୋ ଠିକଣା ପଚାରି ପଚାରି ଚାଲି ଆସିଛି ବୋଧେ ! ମୋତେ ଦେଖି ତା ଆଖିରୁ ଦୁଇ ଟୋପା ଲୁହ ବୋହି ଆସିଲା, ସର୍ବହରା ସୈନିକ ପରି କ୍ଳାନ୍ତ ଶ୍ରାନ୍ତ ଲାଗୁଥିଲା ଲଖନ୍। ଗାଲ ପଶି ଯାଇଛି, ସବୁ ଲୁଟି ନେଇଛି ସେଇ ଝିଅଟି, ବୋଧ ହୁଏ କାନ୍ଦିବା ପାଇଁ ମୋ ଆଖିରେ ଆଉ ଲୁହ ନ ଥିଲେ ବି ଭାବୁକ ହୋଇ ଉଠିଲି ମୁଁ କିଛି କ୍ଷଣ ପାଇଁ। ସର୍ବସମକ୍ଷରେ କୁଣ୍ଢେଇ ପକେଇଲି ଲଖନ୍ କୁ, ଉଭୟେ ଉଭୟଙ୍କୁ ଚାହୁଁ ଥିଲୁ ଯେମିତି ଅସ୍ତଗାମୀ ସୂର୍ଯ୍ୟ ଉପରୁ ମେଞ୍ଚାଏ କଳା ବାଦଲ ଅଚାନକ ଅପସରି ଗଲା। ବିଚରା ଅସହାୟ ସୂର୍ଯ୍ୟଟି ନିଘୋଡ଼ ନିଦରେ ଶୋଇବ ପୃଥିବୀର ପଛ ପଟେ ଅନେକ ଦିନ ପରେ, ଟିକେ ଶାନ୍ତିରେ ।



Rate this content
Log in

Similar oriya story from Tragedy