Lalita Mohan Mishra

Inspirational

3  

Lalita Mohan Mishra

Inspirational

ଭିନ୍ନ ଏକ ମଣିଷ

ଭିନ୍ନ ଏକ ମଣିଷ

7 mins
169


ସେଦିନ ସକାଳ ଆଠଟା ବେଳକୁ ସେକ୍ରେଟାରିୟେଟରେ ପହଞ୍ଚିଯାଇଥାଏ । କ୍ୟାଣ୍ଟିନରେ ବସି ଚା' ପିଇବା, ପେପର ପଢିବା ଭିତରେ ସମୟ ଅତିକ୍ରମ କରି ନଅଟା । ଦଶଟା ସାଢେ ଦଶଟା ବେଳକୁ ପ୍ରାୟ କର୍ମଚାରୀ ଆସନ୍ତି, କିଏ କିଏ ମଧ୍ୟ ଠିକ୍ ଦଶଟା ବେଳକୁ ଆସିଯାଆନ୍ତି । ଏହା ଭାବି ପାଦ ବଢାଇଲି ଡିପାର୍ଟମେଣ୍ଟ ଆଡକୁ ।

ସେତେବେଳକୁ ଏତେ ଗହଳି ଚହଳି ନାହିଁ। ବିଭାଗର ଦ୍ବାର ଉନ୍ମୁକ୍ତ । ପିଅନମାନେ ଯେ ଯାହାର କାର୍ଯ୍ୟରେ ବ୍ୟସ୍ତ । କିଏ ବୋତଲରେ ପାଣି ଭର୍ତ୍ତି କରି ସାରଙ୍କ ଟେବୁଲରେ ଥୋଉଛି ତ କିଏ ଟେବୁଲର ଫାଇଲ ସଜାଡୁଅଛି, କିଏ ପୁଣି କମ୍ପୁଟର ଗୁଡିକ ପୋଛା ପୋଛି କରୁଛି । ଧିରେ ଧିରେ କ୍ଳର୍କମାନେ ମୁଣ୍ଡିଆ ମାରି ବିଭାଗ ଭିତରକୁ ପ୍ରବେଶ କରୁଛନ୍ତି ।

ମୋର କିନ୍ତୁ ଡାଇରେକ୍ଟରଙ୍କୁ ଦେଖା କରିବାର ଉଦ୍ଦେଶ୍ୟ । ବିଭାଗକୁ ଆଗରୁ ଏମିତି କେତେଥର ଆସିଲିଣି । କହିବାକୁ ଗଲେ ଦୌଡ଼ି ଦୌଡ଼ି ଚପଲ ସରିଗଲାଣି କିନ୍ତୁ ସେ ଜିଲ୍ଲାରୁ ଏ ଜିଲ୍ଲାକୁ ବଦଳି ହୋଇପାରୁନାହିଁ । କେତେ ଅଫିସର ଆସିଲେଣି ଗଲେଣି ।

ପ୍ରାୟ ଜଣଙ୍କୁ ଦେଖା କରିଛି କିଏ କହୁଛନ୍ତି ହେବ, କିଏ କହୁଛନ୍ତି ଜମାରୁ ହେବନାହିଁ ପୁଣି କିଏ କହୁଛନ୍ତି ଚେଷ୍ଟା କରୁଥାନ୍ତୁ କାଳେ ହୋଇଯାଇପାରେ !

ଯିଏ ଯେଉଁ ପ୍ରକାର କହୁଥାନ୍ତି ମୁଁ ସେହି ପ୍ରକାର କାର୍ଯ୍ୟ କରିବାକୁ ମନ ବଳାଉଥାଏ ।

ସମୟର ସ୍ରୋତରେ ସଦାସର୍ବଦା ଯିବାକୁ ହୁଏ । ସମସ୍ତଙ୍କର ମନ ତୁଷ୍ଟି କଲେ କାର୍ଯ୍ୟ ସାଧନ ହେବ ବୋଲି ମୋର ପୂର୍ଣ୍ଣ ବିଶ୍ବାସ ।

ବିଭାଗକୁ ନୂତନ ଡାଇରେକ୍ଟର ଆସିଛନ୍ତି । କେମିତିକା ଲୋକ ହୋଇଥିବେ !  କଥା ରଖୁଥିବେ କି ନାହିଁ ! ମନରେ ଅନେକ ପ୍ରଶ୍ନ.... ଅନେକ ଜିଜ୍ଞାସା.... ଅନେକ ଆଶା... ଅନେକ ସମ୍ଭାବନା ।

ଅବଶ୍ୟ ଏ ଡାଇରେକ୍ଟର ଅନ୍ୟ ବିଭାଗରେ ସଫଳତାର ସହିତ କାର୍ଯ୍ଯ କରି ପ୍ରମୋଶନ ପାଇ ଆସିଛନ୍ତି । ମୁଁ ତ ଆଗରୁ କେତେ ଡାଇରେକ୍ଟର ଏବଂ ସଚିବଙ୍କୁ ଦେଖାକରି ଗାଳି ଶୁଣିଛି ! ଅପମାନିତ ହୋଇଛି କିନ୍ତୁ ଧର୍ମପତ୍ନୀଙ୍କର ଏ ସବୁ ବିଷୟରେ ଶୁଣିବାକୁ ନାରାଜ । ତାଙ୍କର ଗୋଟିଏ କଥା ଘର ପାଖକୁ ଯେମିତି ହେଲେ ଲାଗିପଡି ଆସ ?

ହେଲେ ତ...କିଏ ଭଲରେ ସୁଖରେ ରହିବାକୁ ଇଚ୍ଛା କରୁନି ? ମୁଁ ସଦାବେଳେ ବୁଝାଇ ଦିଏ ଭଗବାନ ସଦୟ ହେଲେ ବଦଳି ହେବ... ତୁ ଏତେ ବ୍ୟସ୍ତ ହେଲେ.. ମୁଁ କ'ଣ କରିବି ? 

ବର୍ଷ ବର୍ଷ ଧରି ସେକ୍ରେଟାରିୟେଟ ଦୌଡ଼ି ଦୌଡ଼ି ପ୍ରାୟ କର୍ମଚାରୀ ପରିଚିତ ହୋଇଗଲେଣି । ସମୟ ସାଢେ ଦଶଟା ହେଲାଣି । ସାରଙ୍କର ଚାମ୍ବରରୁ କନିଙ୍ଗବେଲ୍ ଶୁଭିଲା । ପିଅନଟି ଭିତରକୁ ଗଲା ।

ଡାଇରେକ୍ଟରଙ୍କର ଚାମ୍ବର ଆଗରେ ନେମ୍ ପ୍ଲେଟରେ ଅତି ସୁନ୍ଦର ଗୋଲ ଗୋଲ ଅକ୍ଷରରେ ଲେଖାଯାଇଅଛି ଶ୍ରୀ ଯୁକ୍ତ ମହାକାଳ ବାଉରୀ, ନିର୍ଦ୍ଦେଶକ, ଆଇ. ଏସ୍ । କିଛି ସମୟ ପରେ ପିଅନଟି ବାହାରକୁ ପଳାଇ ଆସିଲା ।

ପଚାରିଲି ଭିତରକୁ ଗଲେ ହେବ କି ? ସଙ୍ଗେ ସଙ୍ଗେ ସେ ଉତ୍ତର ଦେଲା ଯାଉ ନାହାଁନ୍ତି ! ! ଭିତରକୁ ପ୍ରବେଶ କଲି । ସାର୍ କ'ଣ ଗୋଟିଏ ଫାଇଲ ଅତି ଧ୍ୟାନ ସହକାରେ ଅନୁଧ୍ୟାନ କରୁଛନ୍ତି ।

ସାରଙ୍କର ବୟସ ପ୍ରାୟ ପଞ୍ଚାବନ ପରେ ହେବ ! ମୁଣ୍ଡର ଆଗ ପାଖ ଚନ୍ଦା । ଦେଖିବାକୁ କଳା ନହେଲେ ମଧ୍ୟ ଗୋରା ନୁହଁନ୍ତି ସାବର୍ଣ୍ଣ । ମୁଖ ମଣ୍ଡଳରେ ପ୍ରସନ୍ନତା ଭାବ । କ'ଣ ଭାବିବେ.... କ'ଣ କହିବେ....

 ଏହା ଭାବି ଭାବି ଟେବୁଲ ପାଖକୁ ଯାଇ ସାଷ୍ଟାଙ୍ଗ ପ୍ରଣିପାତ କଲି । ସାର୍ ନମସ୍କାର..... ସାର୍ ଉପରକୁ ମୁଣ୍ଡ ଉଠାଇ କହିଲେ କ'ଣ ହେଲା ? ? ମୁଁ ବହୁଦୂରରୂ ଆସିଛି.... ମୋତେ ସେଠାରେ ବହୁତ ଅସୁବିଧା ହେଉଛି...... ଇତ୍ୟାଦି ସମସ୍ତ କଥା ଚୁମ୍ବକରେ କହିଗଲି । ସେ ମୋର ସମସ୍ତ କଥା ଅତି ଧର୍ଯ୍ୟ ସହକାରେ ଶୁଣିଲେ । ତା ପରେ ମୋର ଦରଖାସ୍ତଟି ସାରଙ୍କ ହାତକୁ ବଢାଇ ଦେଲି ।

ପଢିସାରି କହିଲେ - ଠିକ୍ ଅଛି ! କ'ଣ ହୋଇପାରିବ ! ଦେଖୁଛି ! ମୋତେ ତା ପରେ କହିଲେ ଆପଣ ଏବେ ଆସିପାରନ୍ତି ।

ମୁଁ ସାରଙ୍କ ଚାମ୍ବର ବାହାରକୁ ଆସିଲି । ଅଫିସକୁ ଧିରେ ଧିରେ ପ୍ରାୟ କର୍ମଚାରୀ ପଳାଇ ଆସିଗଲେଣି । ଆଉ କାହାକୁ ଦେଖା କରିବା ଉଚିତ ହେବ ନାହିଁ । ବୋଲି ଯେତେବେଳେ ଅଫିସ୍ ବାହାରକୁ ପାଦ ବଢାଇଲି, ସେତେବେଳେ ପୁଣି ସାରଙ୍କ ପିଅନ ସହିତ ଦେଖା ହେଲା ।

ତାକୁ ପଚାରିଲି ସାର୍ କେମିତିକା ଲୋକ ? ସେ ସଙ୍ଗେ ସଙ୍ଗେ ଉତ୍ତର ଦେଲା ବଢିଆ ଲୋକ ! ଅତି ସରଳ, ଶାନ୍ତ ଶିଷ୍ଟ, ନିଷ୍କପଟ ହୃଦୟ । ଆପଣ ଯଦି ଇଛା କରୁଛନ୍ତି ତାଙ୍କୁ କ୍ବାଟରରେ ଦେଖା କରୁନାହାଁନ୍ତି ?

ଭାବିଲି ! ସତେ ତ ! କଥାଟା କଛି ମନ୍ଦ ନୁହେଁ । ତାଙ୍କଠାରୁ ସାରଙ୍କର କ୍ବାଟରର ଠିକଣା ଏବଂ କେଉଁ ରାସ୍ତାରେ ଗଲେ ଶୀଘ୍ର ପହଞ୍ଚି ହେବ ? ପଚାରି ବୁଝି ଡିପାର୍ଟମେଣ୍ଟ ଛାଡ଼ିଲି ।

ତା ପର ଦିନ ରବିବାର । ଆଠଟା ବେଳକୁ ଅଟୋଟେ କରି ସାରଙ୍କ କ୍ବାଟର ପାଖରେ ହାଜର । ଭୁବନେଶ୍ବର ରବିବାର ଆଠଟା ହେଲାଣି ରାସ୍ତା ଘାଟ ସେତେ ଗହଳି ଚହଳି ନାହିଁ । ବିଡିଏର କର୍ମଚାରୀ ମାନେ ରାସ୍ତା ଘାଟ ସଫା କରୁଛନ୍ତି । ସାରଙ୍କର ଗେଟ ଖୋଲା ନାହିଁ । ଖରାଦିନ ରାତିର ଗରମରେ ପାହାନ୍ତିଆ କାକରିଆ ନିଦ । ତେଣୁ ଉଠିଲା ବେଳକୁ ପ୍ରାୟ ସମସ୍ତଙ୍କର ଡେରି ହେଉଥିବ ! 

ସାରଙ୍କର କ୍ବାଟର ନିଶ୍ଚିତ କରି ଅଦୂରରେ ଥିବା ଚା ଜଳଖିଆ ଦୋକାନ ଆଡକୁ ମୁହାଁଇଲି । ଜଳଖିଆ ଦୋକାନରେ ଜଳଖିଆ କରି ପେପର ପଢି ପଢି ଚା ପିପିଲି । ଚା ପିଇବା ମଧ୍ୟରେ ସାରଙ୍କ କ୍ବାଟର ଆଡକୁ ତିକ୍ଷ୍ଣ ନଜର ରଖିଥାଏ । ଦଶଟା ପରେ ହେବାକୁ ଲାଗିଲାଣି କିନ୍ତୁ କିଏ କାହିଁ ଯିବା ଆସିବା କରୁ ନାହାଁନ୍ତି ? 

କିଛି ସମୟ ପରେ ସାରଙ୍କ କ୍ବାଟରର କେହି ଜଣେ ସାଇକଲଟେ ନେଇ ବାହାରିବାର ଦେଖିଲି । ଭାବିଲି ବାହାର ପଟୁ ସିନା ଗେଟ ବନ୍ଦ ଅଛି କିନ୍ତୁ ଭିତରୁ କେତେବେଳୁ ଉଠି ନିତ୍ୟକର୍ମ ସରିଗଲାଣି ବୋଧହୁଏ ! ଗେଟ୍ ଭିତରକୁ ପ୍ରବେଶ କଲି । କନିଙ୍ଗ ବେଲଟି ମାରିଲି ।

କେହିଜଣେ ସ୍ତ୍ରୀ ଲୋକ ଆସି ପଚାରିଲେ କଣ କହୁଛନ୍ତି ?

ମୁଁ କହିଲି ସାରଙ୍କୁ ଦେଖା କରିବାକୁ ଆସିଛି ! 

ସେ ମୋତେ ଭିତରକୁ ଆସନ୍ତୁ କହିଲେ । ସାର୍ ଖାଇ ବସିଛନ୍ତି ଟିକେ ଅପେକ୍ଷା କରନ୍ତୁ.. କହି ଚାଲିଗଲେ । ସାରଙ୍କ ମିସେସ୍ ବୋଲି ନିଶ୍ଚିତ ହେଲି । ଗେଟ୍ ସିନା ବନ୍ଦ ଥିଲା । ଭିତରେ କିନ୍ତୁ ସାର୍ ସବୁକାମ ସାରିଲେଣି ।

ଅଦୂରରୁ ସାରଙ୍କୁ ଲକ୍ଷ୍ୟ କଲି । ସାର୍ ଖରାଦିନିଆ ପଖାଳ ଖାଇ ବସିଛନ୍ତି। ପଖାଳ କଂସାକୁ ଧରି ପିଢ଼ାଟିଏ ଉପରେ ଖାଇ ବସିଛନ୍ତି । ପଖାଳ ସାଙ୍ଗକୁ ବଡିଚୂରା, ସାଗଭଜା, ବାଇଗଣ ପୋଡା ଏବଂ ଭେଣ୍ଡି ପୋଡା । ସାରଙ୍କର ଖାଇବା ରୁଚି ଦେଖି ଭାରି ଖୁସି ଲାଗିଲା । ଏତେବଡ ଅଫିସର ହେଲେ ମଧ୍ୟ ନିଜର ପିଲା ଦିନର ରୁଚି ବଦଳାଇ ନାହାଁନ୍ତି ।

କିଛି ସମୟ ପରେ ଖାଇକରି ଆସିଲେ ସାର୍ ନମସ୍କାର ! ବସନ୍ତୁ ବୋଲି କହିଲେ । ମୋ ଠାରୁ ମୋର ପରିବାର, ଗ୍ରାମ, ଘର, ଘରେ କିଏ କିଏ ରହୁଛନ୍ତି ? ଆସିବାର ଉଦ୍ଦେଶ୍ଯ ବିଷୟରେ ଠିକ୍ ନିଖ୍ ବୁଝିନେଲେ ।

ସମସ୍ତ ବିଷୟ ଜାଣି ସାରିବା ପରେ କଛି ଅନୁପ୍ରାଣିତ କଥା ମୋତେ ବଖାଣିଲେ । ସାର୍ ଏତେ ବଡ ଉଚ୍ଚ ପଦରେ ଥାଇ ନିଜକୁ ଟିକେ ବି ଅହଂକାର ବୋଧ ନାହିଁ । ସରଳ ସୁନ୍ଦର ନିଷ୍କପଟ ହୃଦୟ, ସ୍ବଭାବ ସରଳ ବ୍ଯକ୍ତିତ୍ବ। ମୋର ବ୍ୟଥିତ ହୃଦୟକୁ ଲାଘବ କରିବା ପାଇଁ ନିଜର ଅଜ୍ଞେଲିଭା କଥା କହିଥିଲେ....

ଘର କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳର ଏକ ଆଦିବାସୀ ପରିବାରରେ ମୋର ଜନ୍ମ । ପାହାଡ ତଳିଆ ଗାଁ । ବାପା ମୋର ଦିନ ମଜୁରିଆ କୃଷକ। ଆମର ପାହାଡ଼ିଆ ଯାହା ଚାଷ ଜମି, ସେଥିରେ ଆମେ ସୂଆଁ ମାଣ୍ଡିଆ କାଙ୍ଗୁଲା ଇତ୍ୟାଦି ଚାଷ କରୁ । ଯାହା ମିଳେ ଆମର ବର୍ଷ ଯାକର ଭରଣ ପୋଷଣ।

ଆମେ ଘରେ ଦି ଭଉଣୀ ଓ ମୁଁ । ବାପା ମାଆଙ୍କୁ ମିଶାଇ ପାଞ୍ଚ । ମୋର ଉପର ବଡ ଭଉଣୀ ପାଠ ପଢିବାର ସୁଯୋଗ ପାଇ ପାରିଲା ନାହିଁ । ଅଳ୍ପ ବୟସରେ ବିବାହ କରିନେଲା ।

ଗାଁ ଠାରୁ ଅଳ୍ପ ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଥିଲା ସେଠାକୁ ମୁଁ ଚାଲି ଚାଲି ଯାଇ ପଢୁଥିଲି । ଘରେ ଓଳିଏ ଖାଇଲେ ଓଳିଏ ଉପାସ । ପେଜ ପାଣି ଯାହା ମିଳେ ସେଥିରେ ପେଟ ପୁରିଯାଏ । ଯେନ ତେନ ପ୍ରକାରରେ ମାଇନର ପାଶ୍ କଲି କଲି ।

ତା ପରେ ହାଇସ୍କୁଲ ଶିକ୍ଷାର ସୁଯୋଗ ନ ଥିବାରୁ ବାପା ପଢାଇବାକୁ ମନାକଲେ । ମାଇନର ସ୍କୁଲ ସାରଙ୍କର ଦୂରରେ ଥିବା ଆଶ୍ରମ ସ୍କୁଲରେ ପରିଚିତ ଥାଏ । ସେ ବାପାଙ୍କୁ ବୁଝାବୁଝି କରି ମୋତେ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇ ଦେଲେ । ମାଗଣା ହଷ୍ଟେଲରେ ରହି ପାଠ ପଢିଲି । ସାନ ଭଉଣୀକୁ ମଧ୍ୟ ଗାଁ ଠାରୁ ବହୁ ଦୁରରେ ଥିବା କନ୍ୟାଶ୍ରମରେ ନାଁ ଲେଖାଇ ଦେଲେ । 

ମୁଁ ନବମରେ ପଢୁଥିବା ବେଳେ ବାପା ମାଆ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲେ । ବାପା ମାଆ ଚାଲିଗଲା ପରେ ଆମେ ଭାଙ୍ଗି ପଡିଲୁ । ତଥାପି ଜୀବନ ଯୁଦ୍ଧରେ ନ ହାରି ଆଗକୁ ବଢିବାକୁ ପ୍ରୟାସ କଲି ।

ମାଟ୍ରିକ୍ ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେଲି । ଜୟପୁର କଲେଜରେ ଆଇ.ଏ.ସି ପଢିଲି । ସେଠାରେ ଗୋଟିଏ ଦୋକାନରେ କାମ କରି ପାଠ ପଢିଲି । ଆଇ.ଏ.ସି ରେ ମଧ୍ୟ ଭଲ ନମ୍ବର ରଖି ପାଶ୍ କଲି । ବି.ଏ.ସି ଭୁବନେଶ୍ବରରେ ପଢିବାର ସୁଯୋଗ ପାଇଲି । ସେ ଦୋକାନୀର ମାଉସୀ ପୁଅ ଭାଇ ଭୁବନେଶ୍ବରର ବଡ ବ୍ୟବସାୟୀ । ତାଙ୍କୁ ମୋର ବିଷୟରେ ସେ କହି ଦେଇଥିଲେ । ମୋର ହାତରେ ଚିଠି ଖଣ୍ଡେ ଲେଖି ପଠାଇଥିଲେ। ତେଣୁ ତାଙ୍କ ଦୋକାନରେ ମାସିକ ବେତନ ଭାବରେ ରହି ବି. ଏ. ସି ପାଠ ପଢିଲି ।

ଜୀବନରେ ସବୁ ଜିନିଷ ମନ କରିଦେଲେ, ହେବ ନାହିଁ । ତାହା ପାଇଁ ଅର୍ଥର ଆବଶ୍ୟକତା । "ମନ ଜାଣି ପ୍ରଭୁ" । ଭୁବନେଶ୍ଵରରେ ତିନି ବର୍ଷ ତାଙ୍କର ଗୋଦାମ ଘର ପାଖରେ ଛୋଟିଆ ରୁମ୍ ଟେ ଥାଏ । ସେଠାରେ ରହି ପଢିଲି । ତାଙ୍କର ଅନୁଗ୍ରହରୁ ଆର୍ଥିକ ଦୁରାବସ୍ଥା ରହିଲା ନାହିଁ। ତାଙ୍କ ଦୋକାନରେ ଯେତିକି ସମୟ କାମ କରେ ସେହି ଅନୁଯାୟୀ ସେ ବେତନ ଦିଅନ୍ତି । ସେଥିରେ ମୋର ଖାଇବା ପିଇବା, ପାଠ ପଢା ଖର୍ଚ୍ଚ ଚଳିଯାଏ ।

କେବେ କେବେ ଅଧିକ ଖର୍ଚ୍ଚ ପଡିଲେ ଚଳିବାକୁ କଷ୍ଟ ହୋଇପଡେ ।

ସାନ ଭଉଣୀ ମାଟ୍ରିକ ପାସ୍ କରି +2 ପଢୁଥାଏ । ଏପଟେ ମୋର ବିଏ. ସି ପାଠ ପଢା ସରିବା ପରେ ଚିନ୍ତାରେ ପଡିଲି ବର୍ତ୍ତମାନ କ'ଣ କରିବି ?

ବିଭିନ୍ନ ପ୍ରକାର କମ୍ପିଟେଟିଭ୍ ପରୀକ୍ଷା ଦେଉଥାଏ । ଯାହା କିଛି ପୂର୍ବରୁ ସଞ୍ଚୟ କରିଥିଲି, ସେସବୁ ପରୀକ୍ଷା ଦେବାରେ ସରିଗଲା ।

ଶୁଣିଲି ! ସିଭିଲ୍ ପରୀକ୍ଷା ବାହାରି ଅଛି । ଫର୍ମ ପୂରଣ କରିବାକୁ ଗଲି । ଦେଖିଲି କେତେ ଛାତ୍ର ଛାତ୍ରୀ ଫର୍ମ ପୂରଣ କରୁଛନ୍ତି । କିନ୍ତୁ ମୋର ପାଖରେ ଟଙ୍କା ନାହିଁ । ଏଭଳି ଚିନ୍ତାରେ ମୁଁ ସେ ବାରଣ୍ଡାରେ ବସିଥାଏ ।

ଜଣେ ହଠାତ୍ ପଛରୁ ଆସି ଡାକି କହିଲା ଭାଇ ମୋର ଏ ଫର୍ମଟା ଟିକେ ପୂରଣ କରି ଦେଉନ ? 

ତାଙ୍କର ଫର୍ମଟି ପୂରଣ କରି ସାରିବା ପରେ ପଚାରିଲେ ଆପଣ ଫର୍ମ ପକାଇଲେ ତ....

ମୁଁ ମନାକଲି । ସେ ତାଙ୍କର ଟଙ୍କାରେ ମୋ ପାଇଁ ଫର୍ମଟିଏ ଆଣିଦେଲେ । ଏବଂ କହିଲେ ସାଥି ହୋଇ ପରୀକ୍ଷା ଦେବା । ତାଙ୍କର ସାହାଯ୍ୟରେ ମୁଁ ସିଭିଲ ପରୀକ୍ଷା ଦେଲି ।

ସେ ପିଲାଟି ପରୀକ୍ଷା ପାଇଁ କେତେ ପିପାରେସନ୍ ହେଉଥାଏ । ମୋର ପାଖରେ ସିଭିଲ୍ ପରୀକ୍ଷା ପିପାରେସନ୍ ପାଇଁ ସେତେ ବହି ନ ଥାଏ । ତଥାପି ମଧ୍ଯ ଯାହାଥିଲା ସେଗୁଡିକ ପଢୁଥାଏ ।

ସାଥି ହୋଇ ଦୁଇଜଣ ପରୀକ୍ଷା ଦେଲୁ । ପରୀକ୍ଷା ରେଜଲ୍ଟ ବାହାରିଲା ବେଳକୁ ଦେଖେ'ତ ଯାହାର ଟଙ୍କାରେ ମୁଁ ପରୀକ୍ଷା ଦେବାର ସୁଯୋଗ ପାଇଲି । ସେ ପାସ୍ କରି ନାହାଁନ୍ତି, ମୁଁ ପାସ୍ କରିଯାଇଛି । ପ୍ରଥମେ ତ ଆଖି କୁ ବିଶ୍ବାସ କରି ପାରିଲି ନାହିଁ ।

ତା ପରେ ବର୍ଷେ ପାଇଁ ଟ୍ରେନିଙ୍ଗ ଯାଇଥିଲି । ପ୍ରଥମେ କାଲିମେଳା ବିଡିଓ ଭାବରେ ପୋଷ୍ଟିଂ ପାଇଲି । ଧିରେ ଧିରେ ସଫଳତାର ପାହାଚ ଅତିକ୍ରମ କଲି । ନିଜର ନିଷ୍ଠା ଏକାଗ୍ରତା କର୍ମତତ୍ପରତା ଆଗକୁ ନେବାରେ ସହଯୋଗୀ ହେଲା । ଆଉ ପଛକୁ କେବେ ଫେରି ଚାହିଁ ନାହିଁ ।

ପାରିପାର୍ଶ୍ବିକ ଅବସ୍ଥାରେ ନିଜକୁ ହତୋତ୍ସାହ ମନେ କରୁଥିଲେ ମଧ୍ୟ ପ୍ରୟାସ ଜାରି ରଖିଥାଏ । ମୋର ସାନଭଉଣୀ ଗାଁ ପାଖରେ ଶିକ୍ଷକତା କରୁଥାଏ ।

ଆଜି ପର୍ଯ୍ୟନ୍ତ ବିଭିନ୍ନ ପଦପଦବୀରେବିଡିଓ ତହସିଲଦାର ସବକଲେକ୍ଟର ଭାବରେ ଅବସ୍ଥାପିତ ହୋଇଛି କିନ୍ତୁ ଦୁର୍ନୀତିକୁ ମୋଠାରୁ ଦୁରେଇ ରଖିଛି । ଦୁର୍ନୀତି କଥା ଆସିଲେ ମୋର ବାପା ମାଆ ଏବଂ ମୋର ପିଲାଦିନ ସେ ସମାଜ ଆଉ ଅଭାବି ପରିବାର କଥା ମନେପଡେ । ଜୀବନର ପ୍ରତ୍ୟେକଟି ସ୍ବେତବିନ୍ଦୁକୁ ନିଜର ରୁମାଲରେ ପୋଛିଦିଏ । ଲୋକମାନଙ୍କର ନିକଟକୁ ଯାଇ ସୁବିଧା ଅସୁବିଧା ପରଖେ ଏବଂ ସେହି ଅନୁସାରେ କାର୍ଯ୍ୟ କରେ ।

ଜୀବନର କ୍ଷଣଭଙ୍ଗୁରତା ଭିତରେ ନିଜର ଜୀବନକୁ ଉତ୍ସର୍ଗୀକୃତ କରିଦେଇଛି । ପରର ସେବା ପରୋପକାର କରିବା ଏବଂ ପରକୁ ସାହାର୍ଯ୍ୟ ସହଯୋଗ କରିବା ମୋର ପ୍ରଧାନ କର୍ତ୍ତବ୍ୟ । ନିଜର ଜୀବନକୁ ଅନ୍ୟ ପାଇଁ ସମର୍ପିତ କରିଦେଇ ଥିବାରୁ ଭଗବାନ ମୋତେ ସବୁକିଛି ଦେଇଛନ୍ତି ।

ପାରିବାରିକ ଅତୁଟ ବନ୍ଧନରେ ବାନ୍ଧି ରଖିଛନ୍ତି । ଗୋଟିଏ ବୋଲି ପୁଅ । ପୁଅଟି ମୋର ବ୍ୟାଙ୍କରେ ସର୍ଭିସ୍ କରୁଛି । ଆମେ ବୁଢାବୁଢୀ ନିରୋଗୀ ଜୀବନଯାପନ କରୁଛୁ ।

- ତେଣୁ ଆପଣ ହତୋତ୍ସାହ ହୁଅନ୍ତୁ ନାହିଁ । ବଦଳି ଏକ ସାମାନ୍ୟ କଥା । ଚାକିରି କରିଛନ୍ତି ବୋଲି ସେକଥା ସଦାବେଳେ ଭାବିଲେ ହେବ ନାହିଁ । ନିଜକୁ ଉଚ୍ଚ ଆଶାପୋଷଣ କରିବା ସଙ୍ଗେ ସଙ୍ଗେ ସମାଜର ଉନ୍ନତିରେ ନିଜକୁ ନିୟୋଜିତ କରନ୍ତୁ । ଦେଖିବେ ଭଗବାନ ଆପଣଙ୍କ ପ୍ରତି ସଦୟ ହେବେ ।

ସାରଙ୍କର ଏଭଳି ପ୍ରେରଣାତ୍ମକ କଥା ଶୁଣି ଏବଂ ବିସ୍ତୃତ ଅନୁଭୂତି ଅନୁଭବ କରି ଆଖିରେ ଲୁହ ଜକେଇ ଆସିଥିଲା । ତାଙ୍କୁ ପ୍ରଣାମ ଜଣାଇ ବିଦାୟ ନେଇ ଆସୁଥିଲା ବେଳେ ଭାବୁଥିଲି ଏହିଭଳି ଅଫିସର ମଧ୍ଯ ଅଛନ୍ତି ? 

ନିଜର ଉନ୍ନତି ସଙ୍ଗେ ସମାଜର ଉନ୍ନତିରେ ଭାଗିଦାର ହେଉଛନ୍ତି । ତାଙ୍କର ତ୍ଯାଗ ବଳିଦାନ ଦ୍ବାରା ସମାଜ ଉନ୍ନତି ଲାଭ କରୁଛି !  ସେହିପରି ବ୍ୟକ୍ତିର ବ୍ୟକ୍ତିତ୍ବଙ୍କ ଠାରୁ ଆମେ ବି କିଛି ଶିଖିବା ଦରକାର ।


Rate this content
Log in

Similar oriya story from Inspirational