ଭିନ୍ନ ଭାବନା
ଭିନ୍ନ ଭାବନା
ରିଜରଭେସନ ଟ୍ରେନରେ ବ୍ରେକଫାଷ୍ଟ, ଲଞ୍ଚ, ଡିନର ,ସୁପର ସବୁ ଆସିଯାଉଥିଲା, ସୁନ୍ଦର ସୁନ୍ଦର ପ୍ୟାକରେ, କିଏ ଭେଜ ତ କିଏ ନନଭେଜ ବରାଦ କରିଥିଲା, ଆଉ ଯିଏ ଯାହା ସିଟ ରେ ବସି ବଟର ପେଷ୍ଟ ଲଗାଇ ପାଉଁରୁଟି ଖାଉଥିଲା ତ କିଏ ଅଣ୍ଡାଭଜା ସହ ପାଉଁରୁଟି। ପୁଣି ଗରମ ପାଣି ମଗରେ କିଏ ଚା ପ୍ରସ୍ତୁତ କରୁଥିଲା ପିଇବା ପାଇଁ ପୁଣି ପାଣି ବୋତଲ, ବାଟ ଅନୁଯାୟୀ ଦୁଇଟି ବା ଗୋଟିଏ ଲେଖାଏଁ ମିଳି ଯାଉଥିଲା ତୃଷା ମେଣ୍ଟାଇବା ପାଇଁl
ମୋ ଦୃଷ୍ଟି କିନ୍ତୁ ପହଁରୁଥିଲା ବାଲେଶ୍ଵର ପରେ ପରେ ଝରକା ତଳକୁ ଦୁଇ ସିଟ ଯୋଡ଼ି ଶୋଇଯାଇଥିବା ଲୋକଟି ଆଡ଼କୁ, ନିର୍ବିଘ୍ନରେ ଶୋଇଛି, ଉଠୁନି କି ଚାହୁଁନି କହାକୁ ,କି ଆସୁନି ଖାଇବା ପାଇଁ ତା ପାଇଁ କିଛି, କି ଉଠେଇ ଦେଉନାହାନ୍ତି ଟିକେଟ କଲେକ୍ଟର ତାଙ୍କୁ, ଲୋକଟି ପାଇଁ ମୋ ମନରେ ଅନେକ ପ୍ରଶ୍ନ। ଚାହିଁଲେ ଦେଖାଯାଉଛି ତା ପାଦ ଦୁଇଟି, କଳା ପଡ଼ି ଗୋଟେ ଆସ୍ତରଣ ଜମିଯାଇଛି ଯାହା ହୁଏତ କେବେ ବି ଛାଡ଼ିବନି, ପାଦ ତଳକୁ ଚାହିଁଲି ଚପଲ ବି ଦେଖାଯାଉନି। ଶରୀର ବି ସତେ ରୋଗରୁ ଉଠିଛି ,କିନ୍ତୁ ଶାନ୍ତିର ଘୁଙ୍ଗୁଡ଼ି ମରା ନିଦ ଦେଖି କେତେ କଥା ଯେ ତା ପାଇଁ ଭାବୁଥିଲି , ଆଉ ଥରକୁ ଥର ଆସୁଥିବା ଖାଦ୍ୟ ର ଦହି ଡବା ସହ ସ୍ନାକ୍ସ ଚାରୋଟି ସେ ଉଠିଲେ ଦେବାକୁ ଭାବି ପଲିଥିନରେ ଗୁଡେ଼ଇ ରଖିଥିଲି, ଆଉ ଲାଟିନ ଯିବାକୁ ଆଣିଥିବା ଚପଲ ଦୁଇଟି ତା ସିଟ ତଳେ ଥୋଇ ତା ଉଠିବାକୁ ଅପେକ୍ଷା କରି ଦେଖୁଥିଲି ଏତେ ଶାନ୍ତିର ନିଦ ତାକୁ ନିଶ୍ଚୟ ଭଗବାନ ଦେଇଛନ୍ତି ଶୋଇଯିବାକୁ। ଭାବୁ ଭାବୁ ବହୁତ ବାଟ ଆସିଯାଇଥିଲା ଟ୍ରେନ୍ ଗୟା ପର୍ଯ୍ୟନ୍ତ, ଆଉ ଲାଖିଯାଇଥିବା ଆଖି ଖୋଲି ଲୋକଟିକୁ ଖୋଜିଲା ବେଳକୁ ସେ ନଥିଲା, ଚପଲ ବି ଥୁଆହୋଇଥିଲା ଯଥାସ୍ଥାନରେ। ପେଟ ଭିତର ଗୋଳେଇ ଘାଣ୍ଟି ଲାଗିଲା, କହାକୁ ସାହାଯ୍ୟ କରି କିଛି ଦେବାକୁ ଚାହିଁଲେ ବି ଭାଗ୍ୟରେ ଥିଲେ ଦେଇହୁଏ। ଗନ୍ତବ୍ୟସ୍ଥରେ ପହଞ୍ଚି ଡଷ୍ଟବିନରେ ଦହି ଇତ୍ୟାଦି ଫିଙ୍ଗିଲା ପରେ ପଛକୁ ବୁଲିପଡ଼ି ଦେଖେତ ବୁଢୀ ମାଉସୀଜଣେ ମହଣ ଓଜନର କିଛି କାନ୍ଧରେ ପକାଇ ହାତ ପତେଇଥିଲେ ମୋ ଆଡ଼କୁ। ଖୁଚୁରା କି କିଛି ନପାଇ, ବଢ଼େଇଦେଲି ଧରିଥିବା ଫଳ ସେଓ ଦୁଇଟି। ଭରା ଭରା ଜିନିଷ ଥିବା ବ୍ୟାଗ ବୋହିବାକୁ ମତେ ଆଉ କଷ୍ଟ ନଲାଗି, କିଛି ଅଲଗା ଲାଗୁଥିଲା l
