ଭିକ୍ଷା
ଭିକ୍ଷା
ଦିନକର କଥା । ପ୍ରବଳ ବର୍ଷା ସତ୍ତ୍ୱେ ବିଦ୍ୟାଳୟରେ ପହଞ୍ଚି ଥିଲି । ପ୍ରାର୍ଥନା ସଭାରେ ମୋଟେ ସମୁଦାୟ ମିଶି ଚାଳିଶ ପିଲା, ଝିଅପିଲା କୋଡିଏ ଓ ପୁଅପିଲା ମଧ୍ୟ କୋଡ଼ିଏ ଥିଲେ । ବର୍ଷା ହେତୁ ପିଲାମାନେ ଓ କିଛି ଶିକ୍ଷକ ବନ୍ଧୁ ଛୁଟିନେଇଥିଲେ । ପ୍ରଧାନ ଶିକ୍ଷକ ଗୋଟିଏ କୋଠରୀରେ ସବୁପିଲାଙ୍କୁ ବସିବାକୁ କହିଲେ । ମତେ ଉପସ୍ଥାନ ନେବାକୁ ପଠେଇଲେ । ସବୁ ଶ୍ରେଣୀର ଉପସ୍ଥାନ ଖାତା ନେଇ ପକେଇଲି । ଷଷ୍ଠ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତି ଶ୍ରେଣୀରେ ସାତଆଠଟି ପିଲାଥିଲେ । ପିଲାମାନେ ଗପ ଶୁଣିବା ପାଇଁ ଏକା ସ୍ୱରରେ କହିଲେ । ତେବେ ଅପ୍ରସ୍ତୁତ ଭାବରେ ରାଜି ହେଲି, କହିଲି ତେବେ ତୁମେ ମୋ ଗପ ଶୁଣିବ ତ ଭଲ କଥା, କିନ୍ତୁ ଗପ କହିବା ଭିତରେ କିଏ ପଦାକୁ ଯିବନି । ସମସ୍ତେ ହଁ ମାରିଲେ । ଦିନକର କଥା । ଜଣେ ରାଜପୁତ୍ର ଘରୁ ଆସି ଜଙ୍ଗଲରେ ପହଁଚିଲେ । ଆସିବାର କାରଣ ଜୀବନର ମୂଲ୍ୟ ବୁଝିବାକୁ ଉପଯୁକ୍ତ ଗୁରୁ ଖୋଜୁଥିଲେ । ସେସ ମୟର ଗୁରୁ ବା ଆଚାର୍ଯ୍ୟମାନେ ଜନବସତିରେ ନ ରହି ଜଙ୍ଗଲରେ ଆଶ୍ରମ କରି ରହୁଥିଲେ । ସେଠି ଶିଷ୍ୟମାନକୁ ଶିକ୍ଷା ଦେଉଥିଲେ । ସେ ରାଜପୁତ୍ର ଜଙ୍ଗଲ ଭିତରେ ଯାଉ ଯାଉ ଜଣେ ସନ୍ନ୍ୟାସୀ ଙ୍କୁ ଭେଟିଲେ । ଦେଖି ତତକ୍ଷଣାତ୍ ଯାଇ କହିଲେ, ମହାଶୟ ମୁଁ ଗୃହତ୍ୟାଗ କରି ବର୍ତ୍ତମାନ ଏଠାକୁ ଆସିଛି । କୌଣସି ଗୁରୁଙ୍କ ଶରଣ ନେଇନାହିଁ । କିନ୍ତୁ ଗୁରୁ ଆଲର କାଲମଙ୍କ ଠାରୁ ଶିକ୍ଷା ନେବାପାଇଁ ଚାହୁଁଛି । ସନ୍ୟ । ସୀ କହିଲେ, ମୁଁ ଆଲର କଲାମଙ୍କ ଶିଷ୍ୟ ତାଙ୍କଠାରୁ ଶିକ୍ଷା ଗ୍ରହଣ କରିଛି । ବର୍ତ୍ତମାନ ଗୁରୁଙ୍କ ପାଖକୁ ଯାଉଛି । ଯଦି ତୁମେ ଚାହିଁବ ତେବେ ମୋ ସହିତ ଆସିପାର । ରାଜପୁତ୍ର ଘୋର ଅରଣ୍ୟରେ ସନ୍ନ୍ୟାସୀ ଙ୍କ ପଛରେ ଅନୁସରଣ କରି ଚାଲିଲେ । ବାଟରେ କେତେକ ବୃକ୍ଷର ନାମ ବତେଇ ତାର ଉପାଦେୟତା ବିଷୟରେ କହିଲେ । କିପରି ବନ୍ୟ ଫଳ ମୂଳ ସଂଗ୍ରହ କରି ତାକୁ ଖାଦ୍ୟ ରୂପେ ବ୍ୟବହାର କରାଯାଏ ସେ ବିଷୟରେ ବତେଇଲେ । ବାଟରେ ଦୁହେଁ ଏକ ନାଗେଶ୍ୱର ବୃକ୍ଷ ତଳେ ବସି ଫଳମୂଳ ଆହାର କରୁଥିଲା ବେଳେ ରାଜକୁମାର ସନ୍ନ୍ୟାସୀ ଙ୍କ ନାମ ପଚାରିଲେ । ସନ୍ନ୍ୟାସୀ ଶ୍ରଦ୍ଧାରେ କହିଲେ, "ମୋର ନାମ ଭାର୍ଗବ । ମୁଁ ଜଣେ ପରିବ୍ରାଜକ ସନ୍ନ୍ୟାସୀ । "ଅରଣ୍ୟର ତୀର୍ଯ୍ୟକ୍ ପାହାଡ, ସର୍ପିଳ ରାସ୍ତା, ଝରଣା ପକ୍ଷୀମାନଙ୍କ କାକଳୀ ଓ ନଦୀର ଜଳ ରାଶି ଅତିକ୍ରମ କରି ନଅ ଦିନ ପରେ ଗୁରୁ କଲାମଙ୍କ ଆଶ୍ରମରେ ପହଁଚିଲେ । ଗୁରୁ ଚାରିଶହ ଶିଷ୍ୟଙ୍କୁ ଶିକ୍ଷାଦାନ ଦେଉଥିଲେ । ଗୁରୁଙ୍କ ବୟସ ସତୁରୀ ହେବ ବଡ ପାଟିରେ ଶୃତି ମଧୁର କଣ୍ଠରେ ପ୍ରବଚନ ଦେଉଥିଲେ । ନିରବରେ ଶିଷ୍ୟମାନେ ଶୁଣୁଥିଲେ । ଶିକ୍ଷା ଶେଷ ପରେ ସମସ୍ତ ଶିଷ୍ୟ ଅରଣ୍ୟର ବିଭିନ୍ନ ସ୍ଥାନକୁ ବିଦ୍ୟା ଅଭ୍ୟାସ ପାଇଁ ବାହାରିଲେ । ଏହି ସମୟରେ ରାଜକୁମାର ପ୍ରଣାମ କରି ଶିଷ୍ୟ ହେବାକୁ ଅନୁରୋଧ କଲେ । ଗୁରୁ ଗଭୀର ଭାବରେ ରାଜକୁମାରଙ୍କୁ ଚାହିଁଲେ ଓ କହିଲେ ମୁଁ ତୁମକୁ ଅପେକ୍ଷା କରିଛି । କୃତଜ୍ଞତା ପ୍ରକାଶ କରି ରହିଲେ । ଅନେକ ପଥ ଅତିକ୍ରମ କରି ରାଜକୁମାର କ୍ଲାନ୍ତ ହୋଇ ଶୋଇପଡିଲେ ଆଶ୍ରମର ସଭା ଗୃହରେ । ନିଦ ଭାଙ୍ଗିବାରୁ ଦେଖିଲେ ପକ୍ଷୀଙ୍କ କକଳିରେ କମ୍ପୁଛି ବନ ଭୂମି । ପ୍ରାତଃ ପ୍ରାୟ । ଉଠିବସିଲେ ରାଜକୁମାର । ଅନ୍ୟ ସନ୍ନ୍ୟାସୀମାନେ ପ୍ରାତଃ ସ୍ନ।ନ ସାରି ଭିକ୍ଷା ପାତ୍ର ଧରିଥିଲେ । ଜଣେ ବୟସ୍କ ସନ୍ନ୍ୟାସୀ ରାଜକୁମାରଙ୍କୁ ଏକ ଭିକ୍ଷା ପାତ୍ର ଅର୍ପଣ କଲେ । ଅନ୍ୟ ସନ୍ନ୍ୟାସୀଙ୍କୁ ଅନୁସରଣ କରି ଭିକ୍ଷା ନିମିତ୍ତ ଚାଲିଲେ । ଜୀବନରେ ପ୍ରଥମ କରି ରାଜକୁମାର ଭିକ୍ଷା ପାତ୍ର ଧରି କେମିତି ଭିକ୍ଷା ଧାରଣ କରିବା ସହିତ ଚାଲିବାକୁ ହୁଏ ଖାଦ୍ୟ ଗ୍ରହଣ କେମିତି ହୁଏ ଓ ଦାତାମାନଙ୍କୁ କେମିତି ଧନ୍ୟବାଦ ଓ ଆଶୀର୍ବାଦ କରାଯାଏ, ସେସବୁ ପଦ୍ଧତି ରାଜକୁମାର ଶିକ୍ଷା ଲାଭ କଲେ । ଆଜି ପ୍ରଥମ ଦିବସ ଭିକ୍ଷାରୁ ମିଳିଥିଲା କିଛି ଅନ୍ନ ଓ ଡାଲି । ସମସ୍ତେ ଆଶ୍ରମ ଫେରି ଏକତ୍ର ଭୋଜନ କଲେ । ରାଜକୁମାର ଭିକ୍ଷାନ୍ନ ସେବନ କରି ପାଇଲେ ଜୀବନରେ ପ୍ରଥମ ଅନୁଭୂତି ଆନନ୍ଦ । ଅନୁଭୂତି ଶୂନ୍ୟ ଜୀବନ ବାସ୍ତବରେ କିଛି ଅର୍ଥ ନଥାଏ । ଆଜିର ଭିକ୍ଷାରୁ ଯେଉଁ ଅନୁଭୂତି ପାଇଲେ ତାହା ହିଁ ଯଥେଷ୍ଟ ହୋଇପାରେ ଜଣକର ଅହଙ୍କାରକୁ ଭାଙ୍ଗି ଚୁରମାର କରିଦେବାକୁ । ରାଜକୁମାର ଅହଙ୍କାର ଭାଙ୍ଗି ଜଣେ ଭିକ୍ଷାର୍ଥୀ । ଆଜିର ଅନୁଭୂତି ଆଗାମୀ କାଲିକି ତାଙ୍କର ପଥକୁ ଦୃଢ ଆଲୋକିତ କରିବ । ଭୋଜନ ପରେ ଗୁରୁଙ୍କ ପାଖକୁ ଗଲେ, କଲାମ ଧ୍ୟାନ ମଗ୍ନ, କିଛିକ୍ଷଣ ପରେ ଧ୍ୟାନରୁ ଚକ୍ଷୁ ଖୋଲି ସେ କହିଲେ ବତ୍ସ,ମୋର ଶିକ୍ଷା ସାଧାରଣ ତଥ୍ୟ ନୁହେଁ । ସାକ୍ଷାତ ଅନୁଭୂତିରୁ ଜ୍ଞାନ ଉଦୟ ହୁଏ । ସେ କିଏ କହିଲ? ପିଲାମାନଙ୍କୁ ପଚାରିଲି, ପିଲାମାନେ ଏକା ସ୍ୱରରେ କହିଲେ ସିଦ୍ଧାର୍ଥ । ଖାଇବା ଛୁଟି ହେବା କଥା । ଅବିରତ ବର୍ଷା ପାଇଁ ଛୁଟି ଘଣ୍ଟି ବାଜିଲା ପିଲାମାନଙ୍କୁ ଧନ୍ୟବାଦ ଜଣାଇ ଶ୍ରେଣୀରୁ ପ୍ରତ୍ୟାବର୍ତ୍ତନ କଲି ।