STORYMIRROR

Namita Pal

Tragedy

4  

Namita Pal

Tragedy

ଭିଜା ମାଟି

ଭିଜା ମାଟି

2 mins
527

      

କନେଷ୍ଟବଳ ପୁରା ବିବରଣୀ ଲେଖିଲା ପରେ ଶବକୁ ପୋଷ୍ଟମୋଟମ ପାଇଁ ଆମ୍ବୁଲାନସରେ ସଦର ହସ୍ପିଟାଲକୁ ପଠାଇଦିଆଗଲା। ଇଏ ହେଉଛି ଶଙ୍କର ନାଏକର ଶବ।


ଘର ଭିତରୁ ଶଙ୍କରର ସ୍ତ୍ରୀ ଉମାର ଛାତି ଫଟା କାନ୍ଦ ହୃଦୟକୁ ଥରେଇ ଦେଉଥାଏ। କାଲି ପର୍ଯ୍ଯନ୍ତ ସବୁ ଠିକ୍ ଥିଲା। ସତରେ କ'ଣ ସବୁ ଠିକ୍ ଥିଲା? ଏଇ ଦୁଇ ଦିନ ତଳେ ହାଟରେ ମୋର ତା ସହିତ ଦେଖା ହୋଇଥିଲା। ମୋ ସହିତ କେତେ କଥା ହେଲା,କିନ୍ତୁ ତାର ଦୁଃଖ ସମସ୍ଯା କିଛି କହିଲାନି। ସବୁବେଳେ ହସୁଥିବ। ଗାଁରେ ପୁନିଅଁ ପରବ, କାହାଘରେ ବାହାଘର ସାହାଘର ହେଲେ ଆଗ ଶଙ୍କର ଲୋଡା। ଶଙ୍କର ନହେଲେ କିଛି ହେବନି। ବନ୍ଧୁବାନ୍ଧବଠୁ ନେଇ ରୋଷେଇ ଯାଏଁ ସବୁଠି ତାକୁ ଦରକାର। ସେ ସମସ୍ତଙ୍କ ଦୁଃଖ,ସୁଖରେ ଠିଆ ହେଲା କିନ୍ତୁ ତାର ଦୁଃଖ କେହି ବୁଝିଲେନି।

ଶଙ୍କରର ବାପା,ମାଆ ମହାଦେବଙ୍କୁ ପୂଜି ପୁଅ ପାଇଥିଲେ, ସେଥିପାଇଁ ନାଁ ଦେଇଥିଲେ ଶଙ୍କର।

ଯୋଗକୁ ବୋହୁ ବି ମିଳିଥିଲା ଉମା।ଠିକ୍ ମା ଠାକୁରାଣୀ ପରି ରୂପବତୀ ଆଉ ଗୁଣବତୀ। ଶଙ୍କରର ସନ୍ତାନ ବୋଲି ଗୋଟିଏ ଝିଅ ଅଳକା। ସମ୍ପତ୍ତି ବୋଲି ଛୋଟ ଢିଅଟେ ଯେଉଠି ତାର ମାଟିରେ ତିଆରି ଚାଳଛପର ଘରଟେ ଥିଲା ଓ ଦୁଇ ମାଣ ଚାଷ ଜମି। ଏତିକି ତାର ବାପ ତା ପାଇଁ ଛାଡି ଦେଇ ଯାଇଥିଲା।ନିଜ ଜମିରେ ଆଉ ଗାଁର ଅନ୍ଯମାନଙ୍କ ଜମିରେ ଚାଷ କରି ସେ କୌଣସି ମୋତେ କଷ୍ଟେ ମଷ୍ଟେ ବରଷକର ଭାତ ଗଣ୍ଡାକ ଯୋଗାଡ କରିପାରୁଥିଲା। ପୁଣି ଏମିତି କ'ଣ ହେଲା ଯେ ତାକୁ ଆତ୍ମହତ୍ଯା ପରି ଏତେ ବଡ ପଦକ୍ଷେପ ନେବାକୁ ବାଧ୍ଯ କରିଦେଲା। ଏଗାର ଦିନ ପରେ ମୁଁ ତା ଘରକୁ ଗଲି। ତା ସ୍ତ୍ରୀ ଉମାକୁ ଦେଖିଲି, ମୁଁହ ଶୁଖି କଳାକାଠ ପଡିଯାଇଥାଏ। ତାର ଉମାଠୁ ଯାହା ଶୁଣିଲି ,ଶଙ୍କର ତାର ଝିଅର ବାହାଘର ପାଇଁ ଗାଁ ମହାଜନ ପାଖରେ ଘରଢିଅ ବନ୍ଧା ପକେଇ କିଛି ଟଙ୍କା ଆଣିଥିଲା। ଝିଅର ଶଶୁରଘର ଲୋକେ ପଚାଶହଜାର ଟଙ୍କା ଯୌତୁକ ମାଗିଥିଲେ। ସେ ଭାବିଥିଲା ଧାନ ବିକ୍ରି କରି ଟଙ୍କା ଦେଇ ଢିଅ ମୁକୁଳେଇ ଆଣିବ କିନ୍ତୁ ଏ ବର୍ଷ ଭଗବାନଙ୍କ କ'ଣ ଇଚ୍ଛା କେଜାଣି ବର୍ଷା ବିଲକୁଲ ନାହିଁ।ଧାନ ଗଜା ହୋଇ ଶୁଖିଗଲା।

ଚାଷୀ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଉମା କହୁଥିଲା,ଶଙ୍କର ଦିନସାରା ଡାହା ଖରାରେ ବିଲରେ ବସିଥାଏ କାଳେ କେତେବେଳେ ଟିକେ ବର୍ଷା ହେବ। ରାତି ଅଧରେ ସପନ ଦେଖି ଉମାକୁ ଡାକି ଉଠେଇବ ଆଉ କହିବ " ଉମା ଲୋ ବରଷା ଆସିଲାଣି ଭିଜା ମାଟିର ବାସ୍ନା ଆସୁଛି "। ଉମା ଯେତେ ବୁଝେଇଲେ ବି ସେଇ ଅଧ ରାତିରେ ବିଲକୁ ଦୌଡିବ। ସବୁବେଳେ ଉମାକୁ କହିବ, ଘର ଚାଲିଗଲେ ଆମେ ରହିବା କୋଉଠି। ତା ହାତ ଧରି କହେ ମୁଁ ତୋତେ ବହୁତ ଦୁଃଖ ଦେଇଛି ଉମା, ମୋତେ କ୍ଷମା କରିଦେବୁ।

ଆଉ ଶେଷରେ ସେଇ ବିଲ ହିଡ଼ରେ ଥିବା ବରଗଛରେ ରାତି ଅଧରେ ଦଉଡି ଦେଇଦେଲା। ମୁଁ ଘରକୁ ଫେରି ଆସିଲି। ରାସ୍ତା ସାରା ଭାବୁଥିଲି ଶଙ୍କର କ'ଣ ଆତ୍ମହତ୍ଯା କରିଛି, ନା ତାକୁ ଏ ସାମାଜିକ ପ୍ରଥା, ଦାରିଦ୍ରତା,ସମାଜର ବଡ ବଡିଆ ମାନେ ମିଶି ହତ୍ଯା କରିଛନ୍ତି। ସରକାର ପରେ ସରକାର ବଦଳି ଚଲିଛି କିନ୍ତୁ ଚାଷୀ ସେମିତି ଅବହେଳିତ, ଆଜି ବି ଦୁଃଖ ଦାରିଦ୍ରତାର କଷାଘାତରେ ପେଶି ହେଉଛନ୍ତି।

ଶଙ୍କରର ବିଲ ଆଜି ଆଉ ଶୁଖିଲା ନଥିଲା,ତାର ରକ୍ତରେ ସେ ମାଟି ଭିଜି ଲାଲ ହୋଇଯାଇଥିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Namita Pal

ଖେଳ

ଖେଳ

1 min ପଢ଼ନ୍ତୁ

ଯାତ୍ରା

ଯାତ୍ରା

2 mins ପଢ଼ନ୍ତୁ

ଯାଦୁ

ଯାଦୁ

2 mins ପଢ଼ନ୍ତୁ

ଭୟ

ଭୟ

2 mins ପଢ଼ନ୍ତୁ

ହିରୋ

ହିରୋ

2 mins ପଢ଼ନ୍ତୁ

ଟଙ୍କା

ଟଙ୍କା

1 min ପଢ଼ନ୍ତୁ

ପରିବାର

ପରିବାର

2 mins ପଢ଼ନ୍ତୁ

Similar oriya story from Tragedy