ଭୀଷ୍ମ ପଞ୍ଚକ
ଭୀଷ୍ମ ପଞ୍ଚକ
ବାଡିପଟ ଚଉରା ମୂଳେ ବୋଉ, ଦେଠେଇ, ଗୁଡିଆ ହର ମାଆ, ପାଣୁଆ ବୋଉ ମିଶି କାର୍ତ୍ତିକ ବ୍ରତ ପାଳନ କରୁଥାନ୍ତି । ଚଉରା ପାଖରେ ବସି ସୁବାଷ ଗୋସେଇଁ କାର୍ତ୍ତିକ ମାହାତ୍ମ୍ୟ ପାଠ କରୁଥାନ୍ତି ।
- ମୁଁ ଦେଖିଲି ସମସ୍ତେ ବସି ଆନନ୍ଦରେ ପୂଜା କରୁଛନ୍ତି । ବ୍ରତ କାହିଁକି ପାଳନ କରୁଛନ୍ତି ଏବଂ ଏହାର ମାହାତ୍ମ୍ୟ ବିଷୟରେ ଜାଣିବା ମୁଁ ପାଇଁ ବୋଉକୁ ପଚାରିଲି । ବୋଉ ସିନା ସେତେ ପାଠ ପଢି ନାହିଁ କିନ୍ତୁ ପୁରାଣ ଧର୍ମ ବିଷୟରେ ତାର ଗଭୀର ଜ୍ଞାନ। ସେ ମୋତେ କାର୍ତ୍ତିକ ଧର୍ମ ମାସ ଏବଂ ପଞ୍ଚକ କଥା ଅତି ସୁନ୍ଦର ଭାବରେ ବୂଝାଇଲା -
- ବାର ମାସ ଭିତରେ ଧର୍ମ ମାସ ଭାବରେ ପାଳନ କରନ୍ତି କାର୍ତ୍ତିକ ମାସକୁ । ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ଏହି ମାସକୁ ଧାର୍ମିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ଆମିଷ ଭକ୍ଷଣ ନ କରି ସୁଦ୍ଧ ପୁତ ହୋଇ ପବିତ୍ରତା ଧାରଣ କରିବା, ତତ୍ ସଙ୍ଗେ ସଙ୍ଗେ କାର୍ତ୍ତିକ ମାସର ଶେଷ ପାଞ୍ଚଦିନ "ପଞ୍ଚୁକ" ଅତି ନିଷ୍ଠାର ସହ ପାଳନ କରିବା ପ୍ରତ୍ୟେକ ଓଡ଼ିଆଙ୍କର ପ୍ରାଣ କହିଲେ ଅତ୍ୟୁକ୍ତି ହେବନାହିଁ ।
- ଓଡ଼ିଆ ସଂସ୍କୃତିର ବାର ମାସ ତେର ପର୍ବ । ପଞ୍ଚୁକ ପାଞ୍ଚ ଦିନରେ ଓଡିଆମାନେ ଅଧିକ ଧର୍ମ କର୍ମ ପ୍ରତି ମନୋନିବେଶ କରିଥାନ୍ତି । ସଧବା ବିଧବା ସ୍ତ୍ରୀମାନେ ସକାଳୁ ଚଉରା ମୂଳେ କାର୍ତ୍ତିକ ମାହାତ୍ମ୍ୟ ପାଠ ସଙ୍ଗେ ସଙ୍ଗେ କାର୍ତ୍ତିକ ବ୍ରତ ପାଳନ୍ତି ।
- ବୋଉ ଆହୁରି କହିଲା
- ଭୀଷ୍ମ ହେଉଛନ୍ତି ରାଜା ଭରତଙ୍କ ପୌତ୍ର ଏବଂ ଶାନ୍ତନୁ ଔରସରୁ ଗଙ୍ଗାଙ୍କର ପୁତ୍ର। ପାଣ୍ଡବ ଏବଂ କୌରବଙ୍କର ପିତାମହ ହେଉଛନ୍ତି ଭୀଷ୍ମ । ମର୍ତ୍ତ୍ୟ ମଣ୍ଡଳରେ ମନୁଷ୍ୟ ଯୋନୀରେ ଜନ୍ମି ଥିବା ସେ ହିଁ ଏକ ମାତ୍ର ମନୁଷ୍ୟ ଯିଏ କି ଇଛା ମୃତ୍ୟୁ ବରଦାନ ପାଇଥିଲେ ।
- ଭୀଷ୍ମ ରାଜପୁତ୍ର ହୋଇଥିଲେ ମଧ୍ୟ ସେ ଥିଲେ ମହାନ୍ ଯୋଗି ଓ ଆତ୍ମା ଆଜନ୍ମ ବ୍ରହ୍ମଚାରୀ। ସର୍ବ ଜ୍ଞାନରେ ନିପୁଣ ଅଦ୍ବିତୀୟ ଯୋଦ୍ଧା। ଯାହାଙ୍କୁ ତାଙ୍କର ଗୁରୁ ପର୍ଶୁରାମ ମଧ୍ୟ ପରାଜୟ କରି ପାରିନଥିଲେ ।
- କାର୍ତ୍ତିକ ମାସର ଏହି "ପଞ୍ଚୁକ" କୁ ଭୀଷ୍ମ ପଞ୍ଚକ ବୋଲି ମଧ୍ଯ କୁହନ୍ତି ।ତେବେ କାର୍ତ୍ତିକ ବ୍ରତ କଥା କହିଲେ ଏହା ସତ୍ୟ ଯୁଗରୁ ଆରମ୍ଭ ହୋଇଅଛି। କିନ୍ତୁ ଭୀଷ୍ମ ପଞ୍ଚକ (ପଞ୍ଚୁକ) ଏହାର ସୃଷ୍ଟି ହେଉଛି ଦ୍ଵାପର ଯୁଗରୁ ।
- ପଦ୍ମ ପୁରାଣ ଅନୁସାରେ ଯଦି କୌଣସି ବ୍ୟକ୍ତି ସମ୍ପୂର୍ଣ୍ଣ କାର୍ତ୍ତିକ ମାସଟି ବ୍ରତ ପାଳନ କରି ନ ପାରିଲେ ତେବେ ଏହି ପଞ୍ଚୁକ ପାଞ୍ଚଦିନ ପାଳନ କରି ମଧ୍ୟ ବିଭୂ କୃପା ଲାଭ କରି ପାରିବେ ।
- ମହାଭାରତ ଯୁଦ୍ଧରେ ସେ ପ୍ରଥମେ ବଳି ପଡିଥିଲେ ଭୀଷ୍ମ । ଶହ ଶହ ଶରାଘାତରେ ଯନ୍ତ୍ରଣା ଜର୍ଜରିତ ହୋଇ ଶର
ଶଯ୍ୟାରେ ପଡି ରହିଲେ ଅର୍ଜୁନଙ୍କ ବାଣ ଦ୍ୱାରା। ଯୁଦ୍ଧର ଅନ୍ତରେ ସେ ଇଛା ମୃତ୍ୟୁ ବରଣ କରିବା ପାଇଁ ଇଛା କଲେ, ସେହି ସମୟରେ ପାଞ୍ଚ ପାଣ୍ଡବ ଏବଂ ପ୍ରଭୁ ଶ୍ରୀକୃଷ୍ଣ ତାଙ୍କ ନିକଟରୁ ଧର୍ମ ଜ୍ଞାନ ଏବଂ ରାଜନୀତି ଶିକ୍ଷା କରିବା ପାଇଁ ନିବେଦନ କରିଥିଲେ। ଏହାର ବିସ୍ତୃତ ବିବରଣୀ ମହାଭାରତ ଅନୁଶାସନ ପର୍ବରେ ଲିପିବଦ୍ଧ ହୋଇ ଅଛି ତୁ ବଡ ହେଲେ ପଢିବୁ ବୋଲି ବୋଉ କହିଲା । ଆହୁରି କହିଲା -
- ତେବେ ଏହି ଧର୍ମବାଣି ଭୀଷ୍ମ କହୁ କହୁ ପାଞ୍ଚଦିନ ବିତି ଯାଇଥିଲା। ସେହି ଦିନଥିଲା କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି ଏବଂ ଧର୍ମଶିକ୍ଷା ଶେଷ ହେଲା କାର୍ତ୍ତିକ ପୂର୍ଣ୍ଣମୀ ଦିନ। ତାଙ୍କର ଏହି ଧର୍ମ କଥାରେ ପ୍ରଭୁ କୃଷ୍ଣ ଅତି ପ୍ରିତ ହୋଇ ଯାଇଥିଲେ, ଏବଂ ଏହି ପାଞ୍ଚଦିନକୁ ଭୀଷ୍ମ ପଞ୍ଚକ ନାମେ ଘୋଷଣା କରି ବର ଦେଲେ ଯେ, ଏହି ପଞ୍ଚୁକ ବ୍ରତ ଯିଏ ପାଳନ କରିବ ତାର ସବୁ ଦୋଷ ଖଣ୍ଡନ ହେବ।
- ପିତାମହ ଭୀଷ୍ମଥିଲେ ଆଜନ୍ମ ବ୍ରହ୍ମଚାରୀ ସନ୍ତାନ ହୀନ । ସେଥି ପାଇଁ ଏହି ପଞ୍ଚୁକରେ ପିତାମହଙ୍କ ଆତ୍ମାର ଶାନ୍ତି ନିମନ୍ତେ ଭୀଷ୍ମ ତର୍ପଣ ମଧ୍ୟ କରାଯାଇ ଥାଏ।
- ସେହି ଅମର ମହାନ ଆତ୍ମା ନିର୍ମୋହି ଧାର୍ମିକ ପରିହିତା କାରିଙ୍କ ବିଦ୍ୱାନ ଅପରାଜୟ ଯୋଦ୍ଧାଙ୍କ କଥାରୁ ଆରମ୍ଭ ଏ ପଞ୍ଚୁକ , ଯାହା କାର୍ତ୍ତିକ ଏକାଦଶୀରୁ ଆରମ୍ଭ ହୋଇ ପୂର୍ଣିମାରେ ଶେଷ ହୁଏ। ଏହି ପାଞ୍ଚଦିନ ଧର୍ମ ଶାସ୍ତ୍ର ପଢି ହବିଷ ପାଳନ କରାଯାଏ। ଦୀନର ବନ୍ଧୁ ଦୀନଵନ୍ଧୁଙ୍କ ପଞ୍ଚଭୂତ ଖୁଣ୍ଟରେ ବାନ୍ଧି ହୋଇ ,ସଂସାରର ମାୟା ବନ୍ଧନରେ ଦେଇଛ ଛନ୍ଦି ଅଲେଖର ଅଳି , ପ୍ରଭୁ ବନମାଳୀ ଲୋଭ ମୋହ ମାୟା ଜଞ୍ଜାଳରୁ ମୁକ୍ତି ପାଇଁ "ପଞ୍ଚୁକ" ବ୍ରତ।
- ଏହି ପାଞ୍ଚଦିନରେ ଗ୍ରାମରେ ନାମ ଯଜ୍ଞ ହୁଏ । ଲୋକମାନେ ଯାଆନ୍ତି ମନ୍ଦିର ଓ ଧର୍ମାନୁଷ୍ଠାନ । ସାକାହାରି ଭୋଜନ କରନ୍ତି । ନିଜର କ୍ରିୟାକଳାପରେ ସାତ୍ତ୍ବିକ ଭାବନା ।
- ବୋଉ ଠାରୁ କାର୍ତ୍ତିକ ମାସ ବିଷୟରେ ଶୁଣି ଆନନ୍ଦ ଲାଗିଲା। ବୋଉ କାର୍ତ୍ତିକ ପୂର୍ଣ୍ଣମୀ ଦିନ ସକାଳୁ ରାତି ଚାରି ଉଠାଇ ଡଙ୍ଗା ଭସାଇବା ପୋଖରୀକୁ ନିଏ । ଭାଇ ଭଉଣୀ ଡଙ୍ଗା ଭସାଇ ବାକୁ ନୂଆ ଡ୍ରେସ୍ ପିନ୍ଧି ଯାଉ । ପୋଖରୀ ହୁଡାରେ ବାଣ ଫୁଟାଉ । ଅନ୍ଧାରୁ ଅନ୍ଧାରୁ ମନ୍ଦିରକୁ ଠାକୁର ଦର୍ଶନ କରିବାକୁ ଯାଉ ।
- ଆଧ୍ୟାତ୍ମିକ ଭୌତିକ ସାମାଜିକ ଦୃଷ୍ଟିରୁ କାର୍ତ୍ତିକ ମାସର "ପଞ୍ଚୁକ" ମହତ୍ତ୍ବପୂର୍ଣ୍ଣ ବୋଲି ବୋଉ ସଦାବେଳେ କୁହେ...
- ଏବେ ବାଡି ଆଡକୁ ଗଲେ - ବୋଉ କଥା ମନେ ପଡେ। ଚାରି ବର୍ଷ ହୋଇଗଲା ଆଉ କାର୍ତ୍ତିକ ବୁଡ ପକାଇବାକୁ ଯାଉନାହିଁ ପୋଖରୀକୁ । ଏବେ ବି କାର୍ତ୍ତିକ ଆସିଲେ ବୋଉ କଥା ବେଶୀ ମନେପଡେ