Saroj Satpathy

Comedy Others

3  

Saroj Satpathy

Comedy Others

ଭାଷା ପ୍ରେମ (ରମ୍ୟ ଗଳ୍ପ)

ଭାଷା ପ୍ରେମ (ରମ୍ୟ ଗଳ୍ପ)

4 mins
150



     ସକାଳୁ ସକାଳୁ ଫୋନର ଟୁଂ ଟାଂ ଶଦ୍ଦରେ ନିଦଟା ଭାଙ୍ଗିଗଲା | ଫୋନ ଖୋଲି ଦେଖେ ତ ହାତ ଗଣତି କିଛି ଶୁଭେଚ୍ଛା ବାର୍ତ୍ତା ହ୍ବାଟସ୍ ଆପ ରେ ରହିଛି । ଭାବିଲି ବନ୍ଧୁମାନେ ବୋଧହୁଏ ଚିରାଚରିତ ଢଙ୍ଗରେ ଶୁଭସକାଳର ଶୁଭେଚ୍ଛା ବାର୍ତ୍ତା ପଠାଇଥିବେ । ଶୁଭେଚ୍ଛା ବାର୍ତ୍ତା ତ ରହିଥିଲା ମାତ୍ର କିଛି ମେସେଜରେ ଶୁଭ ସକାଳ ବଦଳରେ "ମାତୃଭାଷା ଦିବସର ଶୁଭେଚ୍ଛା" ଲେଖା ଯାଇଥିଲା । ମନେ ପଡିଗଲା , ଆଜି ମାତୃଭାଷା ଦିବସ । ଇଏ କଣ କମ ବଡ କଥା ! ବର୍ଷ ଭିତରେ ଅତି କମରେ ଗୋଟିଏ ଦିନ ମିଳିଛି ମାତୃଭାଷାକୁ ମନେ ପକାଇବା ପାଇଁ | ମାତୃଭାଷା ପ୍ରତି ଉତ୍ସର୍ଗୀକୃତ ଭାବନା ପ୍ରକାଶ କରିବା ପାଇଁ ଏକ ସୁବର୍ଣ୍ଣ

ସୁଯୋଗ ଆଜିର ଦିନ | ନଚେତ୍ ବର୍ଷର ବାକି ୩୬୪ ଦିନ ମାତୃଭାଷା ଆମ ଉପରେ ଭାରି ପଡିଯାଏ । ପୁଣି ମେସେଜ ଉପରେ ଦୃଷ୍ଟି ପକାଇଲି । ଗୋଟିଏ କଥା ଲକ୍ଷ କଲି ଯେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କ ତରଫରୁ ଏହି ମେସେଜ ଆସିଛି ଯାହାଙ୍କୁ ଆମ ଭାଷାରେ କବି, ସାହିତ୍ୟିକ କୁହାଯାଏ। ବର୍ଷର ଅନ୍ୟ ଦିବସ ପରି ସାର୍ବଜନୀନ ଭାବେ ମାତୃଭାଷା ଦିବସର ମେସେଜ ବହୁଳ ଭାବେ ସାମାଜିକ ଗଣମାଧ୍ୟମରେ ଦୃଷ୍ଟିଗୋଚର ହେଲା ନାହିଁ । ହଁ.....ମାତୃଭାଷା ଦିବସ କୋଉ ବନ୍ଧୁତା ଦିବସ ଅବା ପ୍ରେମ ଦିବସ ପରିକା ଯେ ହଜାର ହଜାର ସଂଖ୍ୟାରେ ଶୁଭେଚ୍ଛା ବାର୍ତ୍ତା ପହଞ୍ଚିବ ! ତେଣୁ ଯେଉଁ ବନ୍ଧୁମାନଙ୍କ ଠାରୁ ଶୁଭେଚ୍ଛା ବାର୍ତ୍ତା ଆସିଛି ସେଇମାନେ ହିଁ ମାତୃଭାଷାର ରକ୍ଷକ ବୋଧେ । କବି, ଲେଖକ, ସାହିତ୍ୟିକ ଏଇମାନେ ବୋଧେ ଠିକା ନେଇଛନ୍ତି ମାତୃଭାଷା ଦିବସକୁ ମନେ ପକାଇବେ, ପାଳିବେ ସଚେତନତା ସୃଷ୍ଟି କରିବେ । ଅନ୍ୟମାନେ କାହିଁ ବା ଚିନ୍ତା କରିବେ ? 

    ଏଣୁ ଏ ଦିନିକିଆ ଉତ୍ସବର ସପକ୍ଷରେ ରହିବି କି ବିରୋଧ କରିବି ଅବା ନିରବ ରହିବି ଏହି କଥା ଚିନ୍ତା କରୁ କରୁ ବନ୍ଧୁ ମିଶ୍ରବାବୁ ହାତରେ ଖବର କାଗଜଟେ ଧରି ପଶି ଆସି କହିଲେ ଗୁଡ ମର୍ଣ୍ଣିଙ୍ଗ ଭାଇ। ତାଙ୍କ ମୁହଁରୁ ଗୁଡ ମର୍ଣ୍ଣିଙ୍ଗ ଶଦ୍ଦଟା ଯଦିଓ ମୋ ପାଇଁ ନୂଆ ନୁହେଁ ତଥାପି ଆଜି କାହିଁ ମୋତେ ଅସହଜ ମନେହେଲା | ମିଶ୍ରବାବୁଙ୍କୁ କହିଲି ‐ ଆଜି ଭଳି ଦିନରେ ଗୁଡମର୍ଣ୍ଣିଙ୍ଗ ବଦଳରେ "ସୁପ୍ରଭାତ" ଅବା "ଶୁଭ ସକାଳ" କହି ଥିଲେ ଭଲ ହେଇ ଥାଆନ୍ତା | ସେ କହିଲେ ‐ କାହିଁକି ! ଆଜି କଣ କି ? ଦେଖାହେଲେ ସବୁଦିନେ ତ ମୁଁ ତୁମକୁ ଗୁଡ ମର୍ଣ୍ଣିଙ୍ଗ ହିଁ କହିଥାଏ । ଆଜି ପୁଣି କଣ ହେଲା କି ? ମୁଁ କହିଲି ଆଜି ମାତୃଭାଷା ଦିବସ । ଆମ ଭାଷାକୁ ମନେ ପକାଇବାର ମହାର୍ଗ ଦିବସଟିଏ । ପୁରା ବର୍ଷରେ ଅତି କମରେ ଗୋଟିଏ ଦିନ ଅଛି ଯେଉଁଦିନ ଆମେ ମାତୃଭାଷାର ତିଳକ ଲଗାଇ ଏହାର ବିକାଶ, ସୁରକ୍ଷା ଏବଂ ଉନ୍ନତି ବିଷୟରେ କଥାବାର୍ତ୍ତା କରି ପାରିବା | ଅନ୍ୟଥା, ଆଜିର ପ୍ରତିଯୋଗିତାମୂଳକ ପରିବେଶରେ, କେହି ଏତେ ଯତ୍ନବାନ ନୁହଁନ୍ତି ଯେ ସେ ଅତି କମରେ ଗୋଟିଏ ଦିନ ନିଜ 'ମାତୃଭାଷା' ପାଇଁ ଉତ୍ସର୍ଗ କରିପାରିବେ | 

    ମିଶ୍ରବାବୁ ଅତି ଚିନ୍ତନ ସ୍ବଭାବର ଲୋକ । କିଛି ନ ଜାଣିଲା ପରି ପଚାରିଲେ ‐ ଭାଇ ! ଖବର କାଗଜରୁ ପଢି ଜାଣିଲି ଯେ ଆଜି ଆମ ଭାଷା ପାଇଁ ଦିନଟିଏ ରଖା ଯାଇଛି । କିଏ ମରିଗଲେ ଅବା ଜନ୍ମ ନେଇଥିଲେ ତା ପାଇଁ ଦିବସଟିଏ ପାଳନ ହୋଇଥାଏ । ଏ ଦିବସ ଟା ଜନ୍ମର କି ମୃତ୍ୟୁର କହିଲ ମୋତେ । ମିଶ୍ରବାବୁଙ୍କ କଥାରେ ଟିକେ ହଡବଡେଇ ଗଲି । ଭାବିବାକୁ ଲାଗିଲି , ପ୍ରକୃତରେ ଆମ ମାତୃଭାଷା କେବେ ଜନ୍ମ ନେଇଥିଲା ତାହା ମୋର ମନେ ନାହିଁ ଆଉ ମାତୃଭାଷା ଯେ ମରି ନାହିଁ ଜୀବିତ ଅଛି ସେ କଥା ତାଙ୍କୁ କେମିତି ବୁଝାଇବି ? ମିଶ୍ରବାବୁ ଶିକ୍ଷିତ ଲୋକ, ଅଭିଜ୍ଞ ତଥା ଅନୁଭବି ଲୋକ, ମୋତେ ଆଉ ଇଙ୍ଗିତ କରି କଥା କହୁ ନାହାନ୍ତି ତ ? ମୁଁ କହିଲି ‐ ନାଇଁ ନାଇଁ ମିଶ୍ରବାବୁ ଏଠି ଜନ୍ମ ମୃତ୍ୟୁର କଥା ପଡିନି । ଖାଲି କଣ ଜନ୍ମ ମୃତ୍ୟୁ ପାଇଁ ଦିବସ ପାଳନ କରାଯାଏ ? ଭାଷାର ସୁରକ୍ଷା ପାଇଁ ,ନିଜ ମାତୃଭାଷାକୁ ନିଜ ରାଜ୍ୟରେ ସାର୍ବଜନୀନ କରିବା ପାଇଁ ସରକାର ଦିବସଟିଏ ରଖିଛନ୍ତି । ଏଣୁ ଆଜିର ଦିବସରେ ଆମ ମାତୃଭାଷା ପ୍ରତି ଆନୁଗତ୍ୟ ରହିବା ସହିତ ଏହାର ପ୍ରଚାର ପ୍ରସାର ଦିଗରେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ । ମୋ କଥା ଶୁଣି ହୋ ହୋ ହେଇ ହସିଲେ ମିଶ୍ର ବାବୁ । କହିଲେ ‐ ୩୫ ବର୍ଷ ଓଡିଆ ବିଭାଗର ପ୍ରାଧ୍ୟାପକ ରହି ବି ଓଡିଆରେ ଦସ୍ଥଖତ ଟିଏ କରି ପାରିନି, ଇଂରାଜୀରେ ଦସ୍ଥଖତ କରିବାକୁ ବାଧ୍ୟ ହୋଇଛି | ଯେଉଁଠାରେ ନବେ ପ୍ରତିଶତ ରୁ ଅଧିକ ଲୋକ ଇଂରାଜୀରେ ସେମାନଙ୍କ ଦସ୍ତଖତ କରନ୍ତି, ଯେଉଁଠି ନ୍ୟାୟାଳୟ ଭଳି ସର୍ବୋଚ୍ଚ ଅନୁଷ୍ଠାନରେ ଇଂରାଜୀକୁ ଆଜି ବି ପ୍ରାଧାନ୍ୟ ଦିଆଯାଏ , ଯେଉଁଠି ଯାନବାହନ ଗୁଡିକର ନମ୍ବର ପ୍ଲେଟ୍ ଇଂରାଜୀରେ ଲେଖା ହୁଏ , ଯେଉଁଠି ଗ୍ରାହକସେବା ପାଇବା ପାଇଁ ଇଂରାଜୀ ଅବା ହିନ୍ଦି ରେ କଥା ହେବାକୁ ପଡେ ସେଠି ମାତୃଭାଷା ସୁରକ୍ଷିତ ଥିବ ବୋଲି ତୁମେ ଭାବି ପାରୁଛ ? ସରକାର ଦିବସ ଗୋଟେ ସୃଷ୍ଟି କରି ଆମମାନଙ୍କୁ କଣ ଶିଖେଇବେ ? ସମଗ୍ର ରାଜ୍ୟରେ ସରକାରୀ କାର୍ଯ୍ୟାଳୟରେ ନିଜର ସ୍ଥାନ ପାଇବାକୁ ସ୍ୱପ୍ନ ଦେଖୁଥିବା ଆମ ମାତୃଭାଷା ଯଥା ପୂର୍ବଂ ତଥା ପରଂ ସ୍ଥିତିରେ ରହିଆସିଛି । ସରକାରୀ ସ୍ଥରରେ ଯଦି ଏଥିପାଇଁ ପ୍ରଯତ୍ନର ଅଭାବ ତେବେ ମୋର ଗୁଡ୍ ମର୍ଣ୍ଣିଙ୍ଗ ସମ୍ଭାଷଣ ତମକୁ ଅଡୁଆ ଲାଗୁଛି କାହିଁକି ? ଇଂରେଜୀମାନେ ଦେଶ ଛାଡି ଗଲାବେଳେ ହିନ୍ଦୁସ୍ଥାନକୁ ଇଣ୍ଡିଆ କରି ଦେଇଗଲେ, ଉତ୍କଳ ଓଡିଶା ହେଇଗଲା ଆଉ ମାଆ ଆମର ସାବତ ମାଆ ହେଇଗଲା | ମାତୃଭାଷା ର ଯଦି ଗୋଡ ହାତ ଥାଆନ୍ତା ତେବେ ସେ ନିଶ୍ଚିତ ଭାବେ ଆଜିର ଦିନରେ ସରକାରଙ୍କୁ ଭେଟି ନିଜ ପାଇଁ ସଂରକ୍ଷଣ ଦାବି କରି ଥାଆନ୍ତା । ମାତୃଭାଷା ତ ଆଉ ତାହା କରି ପାରିବନି । ତେଣୁ ସେ ନିଜ ମାଟିରେ କୋଣଠେସା ହେଇ ଶରଣାର୍ଥି ପରି ରହିବାଟା ହିଁ ସାର ।

     ଏପର୍ଯ୍ଯନ୍ତ ମିଶ୍ରବାବୁଙ୍କ କଥାକୁ ଧ୍ୟାନର ସହ ଶୁଣିବା ପରେ ମୋର ଆଉ କହିବାର କିଛି ନ ଥିଲା । ଖାଲି ଏତିକି କୁହା ଯାଇପାରେ ଯେ ମାତୃଭାଷା ଦିବସରେ ଶୁଭେଚ୍ଛା ବାର୍ତ୍ତା ଟିଏ ପଠାଇ ଦେଲେ କର୍ତ୍ତବ୍ୟ ପୁରା ହୋଇଯାଏ ନାହିଁ । ଆମ୍ଭମାନଙ୍କ ଦର୍ଶନ ଓ ପ୍ରଦର୍ଶନରେ ଫରକ ରହିଲେ ମାତୃଭାଷା ଦିନେ ବିଲୁପ୍ତ ପ୍ରାୟ ହେଇଯିବ ଏହି ଆଶଂଙ୍କାକୁ ଏଡାଇ ଦିଆ ଯାଇ ନ ପାରେ |


Rate this content
Log in

Similar oriya story from Comedy