The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Seetaram Dash

Tragedy

3  

Seetaram Dash

Tragedy

ଭାଲୁଆ

ଭାଲୁଆ

4 mins
499



     ଅଷ୍ଟମରେ ପଢ଼ୁଥିବା ମୋ ପୁଅ ସିପୁ ସ୍କୁଲରୁ ଫେରିଲା ବେଳେ ସାଙ୍ଗରେ କୁକୁର ଛୁଆଟିଏ ଆଣି ଆସିଥାଏ, ଘରେ ରଖିବା ଉଦ୍ଦେଶ୍ୟରେ। ମୁଁ ବିରକ୍ତ ହୋଇ କହିଲି ପାଠ ପଢିବାକୁ ଯାଉଛୁ ନା କୁକୁର ବିଲେଇ ଧନ୍ଦା କରିବାକୁ ଯାଉଛୁ। ପୁଅ ଭୟରେ ତଳକୁ ମୁହଁ କରି କହିଲା, ନନା ୟାକୁ ରଖିବା। ଏ ଘଟଣା ଆଜି ନୂଆ ନୁହେଁ। କିଛି ବର୍ଷ ହେଲାଣି ଏମିତି ଘଟୁଛି। ମୋ ବିରକ୍ତ ଯୋଗୁଁ ପୁଣି ଛାଡି ଦେଇ ଆସେ ଆଣିଥିବା ଜାଗାରୁ। କିନ୍ତୁ ପୁଅ ଆଜି କୁକୁର ଛୁଆଟିକୁ ଛାଡିବାକୁ ନାରାଜ। ମୋ ଗାଳି ଶୁଣି ସିପୁର ବୋଉ ବି ଘର ଭିତରୁ ଆସି ସିପୁ ପାଇଁ ଓକିଲାତି ଆରମ୍ଭ କରିଦେଲେ। ଏକୁଟିଆ ଘର, କୁକୁରଟିଏ ରହିଲେ ଅସୁବିଧା କଣ। ତମେ କଣ କୁକୁରକୁ ଭଲ ପାଅନି। ମୁଁ କହିଲି ହଁ, ବହୁତ ଭଲ ପାଏ...


   ଅନେକ ଦିନ ତଳର କଥା। ଆମ ଘରେ କୁକୁରଟିଏ ଥାଏ, ତାର ନା ଭାଲୁଆ। ଭାଲୁଆ କେବଳ ଆମ ଘରର ପ୍ରିୟ ନ ଥିଲା ପୁରା ସାହିର ଅତିପ୍ରିୟ ଥିଲା। ସାହିର ସମସ୍ତଙ୍କ ଘରେ ଖାଏ, ସମସ୍ତଙ୍କ ଘରେ ରୁହେ। ପୁରା ସାହିର ଥିଲା ସେ ଜଗୁଆଳ। ସମସ୍ତଙ୍କ ଭଲ ମନ୍ଦରେ ଉପସ୍ଥିତ ରହିଲେ ବି ଅଧିକାଂଶ ସମୟ ଆମ ଘରେ ଏବଂ ମୋ ସାଥିରେ କାଟୁଥିଲା। ଯେଉଁଠି ବି ଥିଲେ "ଭାଲୁଆ, ଭାଲୁଆ" ଡାକିଦେଲେ ମୁହୂର୍ତ୍ତରେ ଆସି ହାଜର।


       ସାତ ଜଣ ପରିବାରରୁ ସେ ଖାଦ୍ୟ ଖାଇ ଖୁବ ହୃଷ୍ଟପୃଷ୍ଠ ଥିଲା। ତା ସହ ଖୁବ ସ୍ୱାଭିମାନି ଓ ସମ୍ବେଦନଶୀଳ। ଖୁବ ହୃଷ୍ଟପୃଷ୍ଟ ହେଲେବି ଅନ୍ୟ ସାଥି ମାନଙ୍କ ସହ କେବେ ବି କାମୁଡ଼ା କାମୁଡି କି ଗଣ୍ଡଗୋଳ କରିବା କେବେ ଦେଖିନୁ। ଏହା ସହ ଭାଲୁଆ ଥିଲା ଖୁବ ସୁନ୍ଦର ଶିକାରୀ। ତା ଉପସ୍ଥିତିରେ ମାଙ୍କଡ଼, ବାହାର କୁକୁର, ସାପ, ଗୋଧି ଘରର ପାଖ ମାଡୁ ନ ଥିଲେ।


     ଦେଶୀ କୁକୁର ଟିଏ ହେଲେ ବି, ଖାଇବାକୁ ନ ଦେବା ପର୍ଯ୍ୟନ୍ତ ଖାଦ୍ୟ ପାଖରେ ଥିଲେ ବି କେବେ ଖାଏ ନି। ଖାଇବା ବାସନରେ, ଖାଇବାକୁ ଦେଲେ ବି ସେମିତି ଠିଆ ହୋଇ ରହିଥିବ। ଘରର ଛୋଟ ପିଲାମାନେ ରାସ୍ତା ଉପରକୁ ଗଲେ, ଭୋକି ଭୋକି ଘରକୁ ନେଇ ଆସିବ। ରାତି ଅଧରେ ସାହିର କେହିବି ପଦାକୁ ଗଲେ ପାଖେ ପାଖେ ଥିବ। ସେ ସମୟରେ କଟା ହୋଇଥିବା ଧାନକୁ ରାତିରେ ଜଗିବାକୁ ପଡେ। ଲୋକମାନେ ଛୋଟ ଛୋଟ କୁଡିଆ ବିଲରେ କରି ଶୁଅନ୍ତି। ଭାଲୁଆ ବି ଆମ ନନା, କକାଙ୍କ ସହ ବିଲ ଜଗିବାକୁ ଯାଇଥାଏ। ମୋଟାମୋଟି ଭାବରେ ଭାଲୁଆ ଥିଲା ଆମ ଘରର ଜଣେ ସଦସ୍ୟ। ଆମ ଆଗରେ ତାକୁ କେହି କୁକୁର କହିଲେ ଆମେ ସହି ପାରୁନୁ। 


     ଦିନେ ସାହିରେ ଗୋଟେ ବିଭାଘର ହେଉଥାଏ। ସମସ୍ତେ ଭୋଜିରେ ବ୍ୟସ୍ତ। ଆମ ସାହିର ମାଳ ମାଉସୀ ଭୋଜି ନିଶାରେ ଛେଳି ଘରକୁ ଆଣିନି। ସନ୍ଧ୍ୟା ସାତଟା ହେଲାଣି। ବାରିତଳେ(ଘର ପାଖ ବିଲ) ଭାଲୁଆ ଭୋକିବାର ଶବ୍ଦ ଶୁଭୁଛି କିନ୍ତୁ ଭୋଜିଭାତରେ ବ୍ୟସ୍ତ ଥିବା ଲୋକେ ସେଥି ପ୍ରତି ଧ୍ୟାନ ଦେଉ ନାହାନ୍ତି। ମାଳ ମାଉସୀର ଛେଳି କଥା ମନେ ପଡ଼ିଲା ବେଳକୁ ରାତି ଆଠ। ଗାଁ ଲୋକ କହିଲେ ଛେଳିକୁ ବିଲୁଆ ଖାଇ ସାରିବଣି। କିଛି ଲୋକ ଦୌଡ଼ିଲେ ବିଲକୁ। ସେଠି ଯାହା ଦେଖିଲେ ନିଜକୁ ବିଶ୍ୱାସ କରି ହେଲାଣି। ଛେଳି ଠୁ କିଛି ଦୂରରେ ଚାରୋଟି ବିଲୁଆ ବୁଲୁଛନ୍ତି, ତାଙ୍କର ନିଆଁ ପରି ଆଖି ରାତିର ଅନ୍ଧାରରେ ଚିକ ମିକ କରୁଛି। ହେଲେ ଛେଳି ପାଖରେ ଜଗି ରହିଛି ଭାଲୁଆ। ମାଳ ମାଉସୀର ଖୁସି କହିଲେ ନ ସରେ। ମାଳ ମାଉସୀ ଛେଳିକୁ ଛାଡି ଭାଲୁଆକୁ କୁଣ୍ଢାଇ ପକାଇଲେ। ସେ ଦିନ ଭାଲୁଆ ହୋଇଥିଲା ଗାଁର ହିରୋ। 


    ଦିନେ ରାତି ଦଶଟାରେ କକେଇଙ୍କ ଘର ପଛ ପଟେ ଭାଲୁଆ ଭୋକିବାକୁ ଲାଗିଲା। ଭୋକିବାଟା ଏତେ ଜୋର ଥିଲା ପୁରା ସାହିରେ କେହି ଶୋଇ ପାରିଲେନି। କଣ ଗୋଟେ ଅଘଟଣ ଘଟିଛି ଜାଣି ସମସ୍ତେ ଡକା ଡାକି ହୋଇ ଆସିଲେ। ସେତେବେଳେ ଗାଁରେ ଖଣ୍ଡେ ଦୁଇଖଣ୍ଡ ଟର୍ଚ୍ଚ ଥାଏ। ଟର୍ଚ୍ଚ ଯୋଗାଡ଼ କରାହେଲା। କକାଙ୍କ ବାରିପଡ଼େ ଝରକା ପାଖକୁ ଜାଲେଣି ପାଇଁ ଶୁଖିଲା ପତ୍ର ଏବଂ ଶୁଖିଲା ବାଉଁଶ ଥୁଆ ହୋଇଥାଏ। ଲୋକ ମାନେ ଅନୁମାନ କରିଦେଲେ ଏହା ଭିତରେ ସାପ କି ଗୋଧି ଥିବ। ଲୋକମାନଙ୍କ ଅନୁମାନ ସତ ହେଲା। ପତ୍ର ବିଡା ତଳୁ ବିରାଟ ଗୋଖର ସାପ ବାହାରିଲା ଏବଂ ଲୋକମାନେ ମାରିଲେ। ସେଦିନ ବି ଭାଲୁଆର ପ୍ରଶଂସାରେ ମୋ ଛାତି କୁଣ୍ଡେ ମୋଟ ହୋଇଥିଲା।


   ଯେଉଁ ଦିନ ମୋ ସାନ ଭଉଣୀକୁ କାମୁଡ଼ିବାକୁ ଗୋଡାଉ ଥିବା ମାଙ୍କଡ଼କୁ ଭାଲୁଆ ମାରିଲା ଚାରି ଖଣ୍ଡି ଗାଁରେ ଲୋକେ ଭାଲୁଆ କଥା ଆଲୋଚନା କଲେ। ଭାଲୁଆ ଶୀତରୁ ରକ୍ଷା ପାଇବା ପାଇଁ, ଗୋଟେ ଛୋଟ ଘର ତୋଳାହେଲା। ସାହି ସାରା ପାଇଁତରା ମାରି ସେଇ ଘରେ ଭାଲୁଆ ଶୁଏ ରାତିରେ। ରାତିରେ ଟିକେ ଶବ୍ଦ ହେଲେବି ଭାଲୁଆ ଜାଗା ଉପରକୁ ଆସି ଯାଉଥିଲା।


   କେବେ କେମିତି ଗାଁ ବାହାରକୁ ଦିନେ ଦୁଇ ଦିନ ପାଇଁ ଗଲେ ଭାଲୁଆ କଥା ବହୁତ ମନେପଡେ। ଆସିବା ଦିନ ଭାକୁଆ କେମିତି ଜାଣେ କେଜାଣି ଗାଁ ମୁଣ୍ଡରେ ଅପେକ୍ଷା କରିଥାଏ। ମତେ ଦେଖି ଖଣ୍ଡେ ଦୁରରୁ ଦୌଡ଼ି ଆସିବ। ଆଗ ଦୁଇ ଗୋଡ଼ ମୋ ଅଣ୍ଟାରେ ଲଗାଇ ଛାତି ଉପରକୁ ଚଢି ଯିବ। ତାର ସବୁ ଭଲ ପାଇବା ଅଜାଡି ଦେବ ମୋ ଉପରେ। ଏତେ ନିଃସ୍ୱାର୍ଥପର ଭଲ ପାଇବା! ଅନୁଭବି ହିଁ ଜାଣେ।


     ଭାଲୁଆ ଦିନ ତମାମ ମୋ ପାଖେ ପାଖେ ରହୁଥିଲା। ଘରେ ପିଠା ପଣା ଭଲ ମନ୍ଦ ଯାହା ହେଲେବି ସବୁ ଦିଆ ହୁଏ ଭାଲୁଆକୁ। ଆମ ସହ ଗାଧୋଇ ବା ପାଇଁ ବି ଭାଲୁଆ ଯାଏ ନଦୀକୁ। ଆମେ ବି ଅତି ଆଗ୍ରହରେ ତାକୁ ଗାଧୋଇ ଦେଉଥିଲି।


     ଏମିତି ଅନେକ ଦିନ କଟିଗଲା। ସମୟ ସବୁବେଳେ ସମାନ ନ ଥାଏ। ଭଗବାନ ବି ଏମିତି ଦୁଃଖ ଦିଅନ୍ତି ଯାହାକୁ ସହି ହୁଏନା। ଦିନେ ଭାଲୁଆ ପଛ ଗୋଡ଼ ତଳେ ନ ଲଗାଇ ଛୋଟେଇ ଛୋଟେଇ ଚାଲିବାକୁ ଲାଗିଲା। ଆମେ ଭାବିଲୁ କିଏ ବାଡେଇ ଦେଇଛି ନହେଲେ ଗାଡି କି ସାଇକେଲ ମଡ଼ାଇ ଦେଇଛି। ଦୁଇ ଦିନ ପରେ ପଛ ଦୁଇ ଗୋଡ଼ ଅଚଳ ହୋଇଗଲା। ଘରେ ସମସ୍ତଙ୍କ ମନ ବହୁତ ଦୁଃଖ। ସେତେବେଳେ ମଣିଷ ମାନଙ୍କ ପାଇଁ ଚିକିତ୍ସାର ସୁବିଧା ନ ଥାଏ ପଶୁ ମାନଙ୍କ କଥା କିଏ ପଚାରେ। ତିନି ଦିନ ପରେ କକା କହିଲେ ଭାଲୁଆ ଆଉ ବଞ୍ଚିବନି। ତାକୁ ପାରାଲିସ ହୋଇଗଲାଣି। ଦେଖ ତାର ଅଣ୍ଟା ବଙ୍କା ହୋଇ ଗଲାଣି। ପଛ ଦୁଇ ଗୋଡ଼ ଅଚଳ।ଏସବୁ ଶୁଣିବା ପରେ ମୋର ହୃଦବୋଧ ହେଲା ହଁ ସତ ତ। ସତେ କଣ ଭାଲୁଆ ମରିଯିବ। ଠାକୁରଙ୍କୁ ଅନେକ ଡାକିଲି, ଅନେକ ଭୋଗ ମାନସିକ କଲି।


    ସାହିରେ ଜଣକର ବ୍ରତ ଘର ହେଉଥାଏ। ଭାଲୁଆର ଦେହ ଖରାପ ହେବାର ଚାରିଦିନ। ଭାଲୁଆ ଘର ଲୋକଙ୍କ ପାଖ ଛାଡୁ ନ ଥାଏ। ଘୁଷୁରୀ ଘୁଷୁରୀ ପାଖକୁ ଆସି କୋଳ ଭିତରେ ମୁହଁ ରଖି ଶୋଇ ପଡୁଥାଏ। ଘରେ ସମସ୍ତେ ନୀରବରେ ଲୁହ ଝରାଉଥାନ୍ତି। ଜଣେ ବୟସ୍କ ବ୍ୟକ୍ତି କହିଲେ ଭାଲୁଆ ଆଉ ବଞ୍ଚିବନି ଦେଖ କେମିତି ମଣିଷଙ୍କର ଆଶ୍ରା ଖୋଜୁଛି।


     ଚାରିଟା ବେଳ ସମୟ। ବ୍ରତଘର ଭୋଜିରୁ ଟିକେ କ୍ଷୀରି ଆଣି ଭାଲୁଆକୁ ଖାଇବାକୁ ଦେଲୁ। ପାଟି ଖୋଲି ଖାଇବାର ଶକ୍ତି ନ ଥାଏ। କେବଳ କରୁଣ ଚାହାଣୀରେ ଚାହିଁ ରହିଥାଏ ମୋ ମୁହଁ କୁ। ବୋଧେ ସବୁ କିଛି ଜାଣି ସାରିଥାଏ, ଆଉ ଆମକୁ ଛାଡି ଯିବାକୁ ତାର ଆଦୌ ଇଚ୍ଛା ନ ଥାଏ। ସାନ ଭାଇ ବୁଟୁ ଭାଲୁଆର ପାଟି ମେଲାକରି ଟିକେ ଖିରି ଦେଲା ଖାଇବା ପାଇଁ। ଅଧେ ରୁ ଅଧିକ ପାଟିରୁ ବାହାରି ଯାଉଥାଏ ଖାଉ ଖାଉ। ଦୁଇ ତିନି ଥର ଖାଇଛି କି ନାଇ, ସବୁଦିନ ପାଇଁ ଆଖି ବୁଜିଦେଲା ନିରୀହ ଜୀବଟି। ଏହା ଥିଲା ମୋ ଜୀବନର ସବୁଠୁ ମର୍ମନ୍ତୁକ ଘଟଣା।


      ଅନେକ ଦିନ ପର୍ଯ୍ୟନ୍ତ ଲୋକେ ଭାଲୁଆ କଥା ଆଲୋଚନା କଲେ, ତାପରେ ଭୁଲିଗଲେ କିନ୍ତୁ ଆମ ଘରେ ସେଦିନୁ କୁକୁର ପାଳିନୁ। ସାହିର ଲୋକେ କିଏ କୁଆଡେ ଉଠି ଗଲେଣି। ଗାଁରେ ଅନେକ କୁକୁର ଅଛନ୍ତି। ଜୀବନରେ ଅନେକ କୁକୁର ଦେଖିଚି, ହେଲେ ଭାଲୁଆର ସ୍ଥାନ କେହି ନେଇ ପାରି ନାହାନ୍ତି । ଭାଲୁଆ ଗଲା ପରେ ଘରେ କେବେବି କୁକୁର ରଖିବା କଥା ମୁଁ ଚିନ୍ତା କରିନି। 



Rate this content
Log in

More oriya story from Seetaram Dash

Similar oriya story from Tragedy