ଭାଇ ଭଉଣୀକୁହ କାହାଣୀ
ଭାଇ ଭଉଣୀକୁହ କାହାଣୀ
ସମୟ ସେତେବେଳୁ ପ୍ରାୟ ଦଶଟା l
ଇସ୍କୁଲରେ ତ୍ରିରଙ୍ଗା ପତାକା ଇଡେଇ ସବୁପିଲା ଚାଲିଗଲା ପରେ ତଳେ ପଡିଥିବା ଫଟା ନାଲି _ଧଳା _ସବୁଜ ବେଲୁନକୁ ଦି ହାତରେ ଧରି ପାଟିକୁ ଲଗେଇ ପୁଙ୍କିଚାଲିଥିଲେ ନୁଖୁରୀ ତେଣେ ସାଥିରେ ଥିବା ଛୋଟ ଭାଇ ହଗୁରୁକୁ କାମୁଡି ପକାଉଥିଲେ ମିଠା ପ୍ୟାକେଟରେ ଥିବା ନାଲିପୁମ୍ପୁଡି l ଅଭାବୀ ଦୁଃଖ ଭିତରେ ତଥାପି ଛୁଟୁଥିଲା ତାଗିଦ୍
"ଆରେ ରହ...
ଟିକେ ତୁ ଇମିତି ହେଲେ କଣ ହବ??? କହି ବାଆଁ ହାତରେ ଟାଣି ଟାଣିନେଲା ନୁଖୁରୀ "
"ମାଆ ଲୋ.... ମରିଗଲି...ମାଆ ଲୋ... ମରିଗଲି ..." ଖନେଇ ଖନେଇ କହି କାନ୍ଦିପକାଇଲା ହଗୁରୁ l ସେତେବେଳକୁ ପାଟି ମୁହଁ ନାଲି ପଡିଗଲାଣି l
"ମାଆକୁ ଗଲେ ସବୁ କହିବି l ମା କହୁଥିଲା ଆଜି କୁଆଡେ ତାକୁ ପଞ୍ଚୁଆତିରୁ ପଇସା ମିଳିବ,ଆଉ ଫେରିଲା ବେଳେ ସାଙ୍ଗରେ ଆଣିଥିବେ କେତେ ମିଠା, ବିସୁକୁଟୁ l ସବୁ ଖାଇବା, ଇସ୍କୁଲ୍ ପିଲାଙ୍କ ଗାଆଁ ବୁଲା ଦେଖୁଥିଲେ ,ଦେଖା ସରିଲା, ଏବେ ଚାଲ୍ ଘରକୁ l" ସାନଭାଇ କୁ ଧରି ଘରମୁହାଁ ହେଲା ନୁଖୁରୀ ଘରେ ପହଂଚି ଦେଖିଲା ଘର ଆଗେ ଲୋକଙ୍କ ଭିଡ଼ lନାଲିବତିଆ ମେଡିକାଲ ଗାଡ଼ି ଲାଗିଛି, କିଛି ବୁଝିପାରୁ ନ ଥିଲା ସେ, କିନ୍ତୁ ଜାଣିପାରୁଥିଲା ଯେ ଏଇ ଗାଡିରେ ବସିଲେ ଆଉ ଘରକୁ ଫେରନ୍ତିନି l ଇମିତି ଦି ବର୍ଷ ଆଗରୁ ତାର ବାପା ଥରେ ଏଇ ମେଡିକାଲ ଗାଡ଼ିରେ ଯାଇଥିଲେ l ଗଲେ ଯେ ଗଲେ,ସେ ଫେରି ନାହାଁନ୍ତି ଏଯାଏଁ l ସେ ବାରବାର ମା'କୁ ପଚାରିଚି ସେ ବିଷୟରେ, ହେଲେ କଣ ସେ ଉତ୍ତର ପାଏ??? ଉତ୍ତର ପାଇବ କଣ,ଓଲଟି ଗେଲ ପାଏ ମାଆର ଶୁଖିଲା ମୁହଁରୁ ସେତେବେଳେ ନୁଖୁରୀ ପାଞ୍ଚ ବର୍ଷ ଆଉ ହଗୁରୁକୁ ଦି ବର୍ଷ ହେଇଥାଏ l ସେଇ ଗେଲ ଟିକେ ପାଇବାପାଇଁ ସାନଭାଇ ,ଥରେଥରେ ଜାଣିଜାଣି ବାପା କଥାପଚାରେ l ସେ ସବୁ ଦେଖେ କିନ୍ତୁ ମନେ ମନେ ବହୁତ୍ ଖୋଜେ lନୁଖୁରୀ ବେଳେବେଳେ
ସାଇ ଲୋକଙ୍କୁ ପଚାରେ l ସେ କହନ୍ତି ,ସେ ମରିଗଲେ l ହେଲେ ମରି ଯାଆନ୍ତି କେମିତି??? ସବୁ ଗାଆଁ ମାଷ୍ଟରଙ୍କ ଅଙ୍କକଷା ପରି, ତା ସାଙ୍ଗ ସାବି ଭାଷାରେ lମାଆର ଅତି ଦେହ ଖରାପ କଥାଶୁଣି ପାଖଗାଆଁରୁ ସାନମାଉସୀ ଆସି ପହଂଚି ଗଲେଣି l
କାନ୍ଦୁରା ମୁହଁରେ ଦି'ହାତ ମେଲି ଦଉଡିଗଲେ ଦୁହେଁ lମାଉସୀ କୋଳରେ ମୁହଁ ଗୁଞ୍ଜି ଦେଇ ମାଆ ଇମିତି ଶୋଇଛି କାହିଁକି???
ଗାଡ଼ିରେ ତାକୁ କୁଆଡେ ନେଉଛନ୍ତି???ପଚାରିଲା ନୁଖୁରୀ ମାଉସୀ ଦୁହିଁଙ୍କୁ ଦେଖି ଚୁମି ଚାଟି ହେଇ ବୁଝେଇ ଚାଲିଥାଆନ୍ତି, ଯେ ଫାଲେରିଆ ବଟିକା ଖାଇ ଜ୍ଵର, ସାଙ୍ଗକୁ ବାନ୍ତି l ତାଙ୍କ ଦିହରେ ଗଲାନି, ଇମିତି ବି ହେଇ ନ ଥାନ୍ତା, ତରବରରେ ପହିଲି ଭତ୍ତା ଟଙ୍କା ଉଠେଇବାକୁ ଘରୁ ବାହାରିଗଲେ ସେ l ପୁଣି ଅଖିଆ ପେଟରେ ଖାଇ ଦେଇଛି lଏଇଟା କିଛି ନୁହଁ, କିଛି ସମୟ ପରେ ଭଲ ହେଇଯିବ, ଇମିତି ଆମ ଗାଆଁରେ ମିନି ଅଙ୍ଗନବାଡି ପିଲାମାନେ ବଟିକାଖାଇ କୋଡ଼ିଏ କି ପଚିଶି ଜଣ ମେଡିକଲରେ ଭର୍ତ୍ତି ହେଉଛନ୍ତି କାହାର ଜ୍ଵର ତ, କାହାର ବାନ୍ତି l କେହି କେହି ଅଚେତ ହୋଇ ଯାଇଛନ୍ତି ବଟିକା ଖାଇବାର କିଛି ସମୟ ପରେ ଗାଆଁ ଲୋକେ ସବୁ ଅଙ୍ଗନବାଡି ଦିଦିକୁ ଦୋଷ ଦେଉଛନ୍ତି ରାଗ ତମତମ ହୋଇ lକିଛିଲୋକ ଦିଦିଙ୍କୁ ଘରେପଶି ମାର୍ ଧର କରିଛନ୍ତି l ମାଉସୀର ସବୁକଥା ଶୁଣୁଥିଲା ସେ କିନ୍ତୁ ଏ କାନରେ ପଶି ସେ କାନରେ ବାହାରି ଯାଇଥିଲା lକିଛି ବୁଝିପାରୁ ନ ଥିଲେ l ଯେମିତି ଅବୁଝା ହେଲେ ମା ନୂଖୁରିକୁ ଗପ କହନ୍ତି ହେଇ,ଦେଖ୍ ତା ସାଙ୍ଗକୁ ଗାଇ ଦିଅନ୍ତି "ବାଇ ଚଢ଼େଇରେ ବାଇଚଢ଼େଇ, ତୋ ମା ଯାଇଛି ଗାଈ ଚରେଇ,ଗାଈଚରା ଆଡୁ ଆଣିବ ବେଲ, ଖୁଏଇ ପୁଏଇ କରିବ ଗେଲ l" ସେତେବେଳେ ସେ କିଛି ନ ବୁଝି ପାରି ନ ଥାଏ କେବଳ ଗାଆଁ ପଡିଆରେ ଗାଈ ,ଘର ଉପରେ ଚଢେଇ, ଆଖିଆଗରେ ନାଚି ଉଠେ ସେଦିନର ଏମିତି ମାଆ ଗାଉଥିବା ଅଧା ଖଣ୍ଡିଆ ଦୂର୍ବୋଧ୍ୟ ଅବୁଝାଗୀତ ଶୁଣିଲା ପରି l ସେ ଏକଲୟରେ ଦେଖୁଥିଲା ସାନମାଉସୀ ର ସାନ୍ତ୍ଵନାବାଣୀ କୁ ଯେଉଁଠି ଅଭୟ ପଣତ ଓ ଛାଇ ନିଦ ହଗୁରୁକୁ ହଜେଉଥିଲା ଶୀତଳ ସ୍ନେହ ମମତାରେ l
