ଭାଗ୍ୟର ଖେଳ(ଅଚିହ୍ନା ମଣିଷ)
ଭାଗ୍ୟର ଖେଳ(ଅଚିହ୍ନା ମଣିଷ)
ଆଜିକା ସମାଜର ନିଚ୍ଛକ ସତ କଥାଟିଏ ଏହି ବିଷୟ ବସ୍ତୁ । ଘରେ ଘରେ ସବୁଠି ବିଦ୍ୟମାନ । କିଛି ପ୍ରସ୍ଫୁଟିତ ହୁଏ ତ କିଛି ସୁପ୍ତ । ରମାକାନ୍ତ ବାବୁ , ନିଜ ବିବାହ ପରେ ବହୁ ପୂଜାର୍ଚ୍ଚନା କରିବାରେ ତିଳେମାତ୍ର ହେଳା କଲେ ନାହିଁ ପୁତ୍ର ସନ୍ତାନ ନିମନ୍ତେ । ରମଣୀ ଦେବୀ ସର୍ବଦା ବିରକ୍ତି ଭାବ ପ୍ରକାଶ କରନ୍ତି ମାତ୍ର କିଛି କହି ପାରନ୍ତି ନାହିଁ । ତାଙ୍କର ବିଶ୍ୱାସ ଯାହା ହେବ ଭଲ ପାଇଁ ହେବ । ତେଣୁ ନିଜର ସବୁ କିଛି ଭଗବାନଙ୍କ ଉପରେ ନ୍ୟସ୍ତ କଲେ ସେ ହିଁ ସବୁର ବିଚାର କରିବେ । କିନ୍ତୁ ରମାକାନ୍ତ ବାବୁ ଭିନ୍ନ ଚିନ୍ତାଧାରାର ବ୍ୟକ୍ତି, ନିଜ ବ୍ୟବସାୟରେ ବାହାର ଲୋକଙ୍କୁ ଆଣି ରଖି କାର୍ଯ୍ୟ କରୁଥିଲେ, ତାଙ୍କର ଚିନ୍ତାଧାରା ଥିଲା ପୁତ୍ର ସନ୍ତାନ ହେଲେ ବୟସ ବଢିଲେ ସବୁ ଦାୟିତ୍ୱ ପୁଅମାନଙ୍କର ହସ୍ତରେ ନ୍ୟସ୍ତ କରି ନିଶ୍ଚିତରେ ବସିବେ ।
ତେବେ ସେ ଯାହା ହେଉ ଭଗବାନଙ୍କ ଦୟାରୁ ରମଣୀ ଦେବୀ ଗର୍ଭବତୀ ହେଲେ ମାତ୍ର ଦଇବ ଯୋଗକୁ ଏକାଥରକେ ତିନୋଟି ପୁତ୍ର ସନ୍ତାନର ଜନନୀ ହେଲେ । ରମାକାନ୍ତ ବାବୁଙ୍କ ଖୁସି କହିଲେ ନସରେ । ବ୍ୟାପାରର ଅଭିବୃଦ୍ଧି ସ୍ୱପ୍ନରେ ଭାବି ଭାବି ତାଙ୍କ ଦିନ କଟିଲା । ତେଣେ ରମଣୀ ଦେବୀଙ୍କ ଅବସ୍ଥା କହିଲେ ନସରେ ।
ସମୟ ଗଡିଚାଲିଲା । ତିନୋଟି ପିଲା ବଡ ହେଲେ । ରମାକାନ୍ତ ବାବୁଙ୍କ ବେପାର ବି ବଢିଲା । ମାତ୍ର ଘର ଛୋଟ ପଡିଗଲା । ପିଲାମାନେ ବଡ ହେବାରୁ ସେମାନଙ୍କର ଅଲଗା ଅଲଗା କୋଠରୀର ଆବଶ୍ୟକତା ପଡିଲା । ଯେ ପର୍ଯ୍ୟନ୍ତ ବିବାହ ହୋଇନଥିଲା ସେ ପର୍ଯ୍ୟନ୍ତ ଚଳିଗଲା । ମାତ୍ର ବିବାହ ପରେ ରମାକାନ୍ତ ବାବୁ ଓ ରମଣୀ ଦେବୀ ଅଗଣା ଘରେ ଖଟ ପକାଇ ଶୋଇଲେ । ତିନି ପୁଅ ବୋହୁ ନିଜ ନିଜ କୋଠରୀରେ ରହିଲେ । ଯାହା ବି ହେଉ ଚଳୁଥିଲା ।
ତାପରେ ଆରମ୍ଭ ହେଲା ବୋହୁମାନଙ୍କ ହାଟ । ଘର ଝାଡୁ ଠାରୁ ଆରମ୍ଭ କରି ବ୍ୟବସାୟ ସବୁଥିରେ ଭାଗ । ଆଜି ଜଣେ କିଛି କାମ କଲେ ତାର ଖୁଣ ଆଉ ଦୁଇଜଣ ବାହାରକଲେ । ପୁଅମାନଙ୍କୁ ଶିଖାଇ ଦୋକାନ ଯିବାର ସମୟ ନିର୍ଦ୍ଧାରିତ କରାଗଲା । ସେଥିରେ ମଧ୍ୟ ଯେଉଁ ସମୟରେ ବ୍ୟାପାର ଅଧିକ ସେହି ସମୟକୁ ସମସ୍ତେ ଜଗିଲେ । ତାକୁ ସମାଧାନ କରିବାରେ ରମାକାନ୍ତ ବାବୁ ଫେଲ ମାରିଲେ ।
ଶରୀର ଅସୁସ୍ଥ ହେଲେ ଔଷଧ କିଣି ଦେବାରେ ମଧ୍ୟ ତିନି ବୋହୁ ଝଗଡା କରି ଭାଗବାଣ୍ଟି ପଇସା ଦେଲେ । ଶେଷରେ ଏପରି ହେଲା ଘରେ ରୋଷେଇ ବନ୍ଦ ହୋଇଗଲା । ଯାହାକୁ ପଚାରିଲେ ସେ କହିଲା ମୁଁ ବ୍ୟସ୍ତ ଅଛି ସବୁବେଳେ କଣ ମୁଁ ଏକା କାମ କରିବି ଆଉ ଦୁଇଜଣ ଶୋଇବେ । ଶେଷରେ ରମଣୀ ଦେବୀଙ୍କୁ ସବୁ କାମ କରିବାକୁ ପଡିଲା । ଏମିତି ପରିସ୍ଥିତି ହେଲା ପୁଅମାନଙ୍କ ମଧ୍ୟରେ ମଧ୍ୟ ସେହି ପରିସ୍ଥିତି ଉପୁଜିଲା ସେମାନଙ୍କର ପିଲାପିଲି ହେଲେ ନିଜ ସୁବିଧା ପାଇଁ ସମସ୍ତେ ପିଲାମାନଙ୍କୁ ଜେଜେ ବାପା ଓ ଜେଜେମାଆ ପାଖକୁ ଶୋଇବାକୁ ପଠେଇ ଦେଲେ । ଶେଷରେ ଏମିତି ପରିସ୍ଥିତି ହେଲା ପ୍ରଥମେ କାହାର ଛୁଆ ଶୋଇବ ତାକୁ ନେଇ ମଧ୍ୟ ଝଗଡା ଆରମ୍ଭ ହେଲା । ଏସବୁ ଭିତରେ ମାନସିକ ଚାପରେ ରହି ରମଣୀ ଦେବୀଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା । ପ୍ରତ୍ୟେକ ଦିନ ତିନି କଳିହୁଡି ବୋହୁଙ୍କ ଝଗଡା ଶୁଣି ଶୁଣି ଏବଂ ଘରର ସବୁ କାମ କରିକରି ସେ ଡାକ୍ତରଖାନାରେ ଭର୍ତ୍ତି ହେଲେ । ସେଠାକୁ ମଧ୍ୟ ଯିବାପାଇଁ ତିନି ବୋହୁ ଓ ପୁଅଙ୍କ ମଧ୍ୟରେ ଝଗଡା ଲାଗିଲା । ଏହା ଦେଖି ରମାକାନ୍ତ ବାବୁ ସେହି ଦିନଗୁଡିକୁ ଗାଳି ଦେବାକୁ ଲାଗିଲେ ଯେବେ ସେ ପୁତ୍ର ପ୍ରାପ୍ତି ନିମନ୍ତେ ପୂଜାର୍ଚ୍ଚନା କରୁଥିଲେ । ଆଖିରୁ ଦୁଇଠୋପା ଲୁହ ଗଡିଗଲା । ଶେଷରେ ସବୁ ବୋହୁମାନଙ୍କୁ ଡାକି କହିଲେ ତୁମେମାନେ ଘରେ ଥାଅ ମୁଁ ରମଣୀ ପାଖକୁ ଯାଉଛି ସେ ଭଲ ହେଲେ ଆସିବି । ଏହା କହି କିଛି ଲୁଗାପଟାଧରି ବାହାରିପଡିଲେ ଡାକ୍ତରଖାନା ଅଭିମୁଖେ । ସେବେଠାରୁ ସେ ହୋଇଗଲେ ନିଜ ଲୋକଙ୍କ ପାଇଁ ଏକ ଅଚିହ୍ନା ମଣିଷ ।
ସେବେଠାରୁ ଡାକ୍ତରଖାନାର ବାରଣ୍ଡାରେ ରହି ରମଣୀ ଦେବୀଙ୍କୁ ଭଲ କଲେ ଓ ସେ ସୁସ୍ଥ ହେବା ପରେ ଉଭୟେ ଅନ୍ୟ ଏକ ସହରକୁ ଯାଇ ଏକ ବୃଦ୍ଧାଶ୍ରମରେ ନିଜର ବାକି ସମୟ କଟାଇବାକୁ ଲାଗିଲେ ।
