ଭାଗ୍ୟ
ଭାଗ୍ୟ
ଭାଗ୍ୟର ଗୋଟି ଚାଳନାରେ କିଏ କେତେବେଳେ କୋଉଠି କେହି ଜାଣିନଥାଏ. ସେଇଥିପାଇଁ ତ ବଡ଼ପୁରୁଷ କହିଛନ୍ତି ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକୀର. ପୁଣି ଆଜି ଯେ ଫକୀର କାଲି ସେ ବସେ ରାଜାଙ୍କ ଆସର. ସୀତାଂଶୁଙ୍କ ଭାଗ୍ୟର ଗୋଟି କେବଳ ସଫଳତାର ଶିଡି ଚଢେଇ ଆଣିଛି ତାଙ୍କୁ. ଘର,ଗାଡି, ବ୍ୟାଙ୍କ ବାଲାନ୍ସ ସାଙ୍ଗକୁ ସୁନ୍ଦରୀ ଶିକ୍ଷିତା ରୋଜଗାରକ୍ଷମ ସ୍ତ୍ରୀ ସହ ତାଙ୍କର ମୋଟା ଅଙ୍କର ଦରମା ସହ ଉଚ୍ଚ ପଦ ପଦବୀ. ପୁଣି ଅବସର ଆସିବା ପୂର୍ବରୁ ଦୁଇ ଝିଅଙ୍କୁ ବାହା ଦେବା ସହ ଦୁଇ ପୁଅଙ୍କ ଭିତରୁ ଜଣଙ୍କୁ ଡାକ୍ତର ଓ ଜଣଙ୍କୁ ଇଞ୍ଜିନିଅର କରିସାରିଛନ୍ତି. ଅବସର ପରେ ସକ୍ଷମ ରହିବାକୁ ମଧ୍ୟ ସ୍ତ୍ରୀଙ୍କ ପାଇଁ ତାଙ୍କୁ ଆଉ ସାତ ଆଠ ବର୍ଷ ପାଖଆପାଖି ସକ୍ରିୟ ରହିବାକୁ ହେବ. ଏଇ ଯେମିତି ସବୁଦିନ ସ୍ତ୍ରୀଙ୍କୁ କାରରେ ନେଇ ଛାଡ଼ିବା ଓ ଆଣିବା ଓ ଦରକାର ପଡିଲେ ବ୍ରାଞ୍ଚ ଅଫିସର ଭଲ ମନ୍ଦ ଭିତରେ ମୁଣ୍ଡ ଖେଳାଇ ନିଜକୁ ସକ୍ରିୟ ଓ ସୁସ୍ଥ ମନେ କରିବା.କାରଣ ଏହି ଥିଲା କି ସେ ହେଡ଼ ଅଫିସରେ ଅଫିସର ଭାବେ ରହି ବହୁ ଅଭିଜ୍ଞତା ଥାଇ ଅବସର ଗ୍ରହଣ କରିବେ ନା!ସତକୁ ସତ ସେଦିନ ଆସିଗଲା. କାମ ଆଉ କିଛି ବାକି ନଥିଲା. ପୁଅ ଦୁହେଁ ନିଜ ପସନ୍ଦରେ ଯୋଉଠି କହିବେ ସେଇଠି ବାହା କରିଦେଲେ ଯାଏ. ତେଣୁ ନିଜ ଅଫିସର ବ୍ରାଞ୍ଚ ଅଫିସରେ ଥିବା କାନ୍ତାଙ୍କୁ ସମୟ ଓ ସହଯୋଗ ଯୋଗେଇ ଦେଇ ଯା ହେଉ କାନ୍ତା ମ୍ୟାଡାମଙ୍କ ସ୍ୱାମୀଙ୍କ ସହାୟତା ଓ ସହଯୋଗ ତଥା ଅନୁଭୂତି ଯୋଗୁଁ ଆମ ଅଫିସର ଛୋଟ ମୋଟ କାମ ଆଉ ବାଟରେ ଅଟକୁ ନାହିଁ ମନ୍ତବ୍ୟ ଶୁଣିବାକୁ ଆଶାୟୀ ସୀତାଂଶୁ.
ସେହି ସମୟ ସୁଯୋଗ ଆସିଲା କିନ୍ତୁ ଲକ୍ଷ କଲେ ସୀତାଂଶୁ ଅଫିସର କର୍ମଚାରୀମାନେ ଆଉ ଆଗପରି ତାଙ୍କୁ ସମ୍ମାନ ଦେଉନାହାଁନ୍ତି. କେବଳ ଆଗରୁ ତାଙ୍କ ଉପରିସ୍ଥ ଅଫିସର ଥିବାରୁ ଓ ସହକର୍ମୀ କାନ୍ତା ମ୍ୟାଡାମଙ୍କର ସ୍ୱାମୀ ହୋଇଥିବା ଦୃଷ୍ଟିରୁ ଭଦ୍ରାମୀ ଖାତିରରେ ଯେତିକି. ସେତକ ମଧ୍ୟ ଆଗେ ଆଗେ ନମସ୍କାର କରୁଥିବା ଶୈଳୀ ଠାରୁ ସମ୍ପୂର୍ଣ୍ଣ ଭିର୍ନ୍ନ, ଯୋଉଥିରେ ଅବଜ୍ଞା ଭାବ ସ୍ପଷ୍ଟ ବାରି ହୋଇ ପଡୁଥିଲା.ଏମିତିକି ଅଫିସର ହେଡ଼ ଆଗପରି ସମ୍ମାନ କରୁନଥିଲେ କେବଳ ସାର ବୋଲି ଡାକୁଥିଲେ ଯେମିତି ବଡ଼ କଥା. ଥରେ ଦିଥର ଉପରେ ପଡି ଅଫିସର କୌଣସି ଦରକାରୀ କାମରେ ସାହାଯ୍ୟର ହାତ ବଢ଼େଇ ମଧ୍ୟ ସଦିଚ୍ଛା ପରିବର୍ତ୍ତେ ଅନିଚ୍ଛାର ବାତାବରଣରେ ଚମକି ଉଠୁଥିଲେ ସୀତାଂଶୁ. ପୁଅ ଦୁହିଁଙ୍କୁ ପାଠ ପଢ଼େଇ, ଖଣ୍ଡେ ଖଣ୍ଡେ ଗାଡି ଧରେଇ, ନିଜ ପସନ୍ଦର ଝିଅ ଠିକ କରି ବାହାହେବାର ସ୍ବାଧୀନତା ଦେଇଥିଲେ ମଧ୍ୟ ବାହାଘର ବେଳେ ସାଜସଜ୍ଜା, ମେନୁ କି ଭେନୁ ବିଷୟରେ ସୀତାଂଶୁଙ୍କ ସାହାଯ୍ୟ କେହି ଲୋଡି ନଥିଲେ. ଏମିତିକି ସେ କୋଉଥିରେ ପାଟି ଖୋଲିଲେ ନିଜ ସନ୍ତାନଙ୍କ ପାଖରେ ଅସମ୍ମାନିତ ହେବାର ଭୟ ଥିଲା ଖାଲି ସେତିକି ନୁହେଁ ତାଙ୍କ ପଇସାରେ କିଣା ଯାଇଥିବା ଗାଡିର କଲର ହେଉ ବା କୋଉ କମ୍ପାନୀର ଜି.ପି.ଏସ କିଣି ପୁରୁଣା ଜି. ପି. ଏସ ବଦଳିବାରେ ମଧ୍ୟ ତାଙ୍କର ସାମାନ୍ୟ ତମ ଅନୁମତି ଦୂରେ ଥାଉ ପଚାରିବାକୁ ଉଚିତ ମଣୁନଥିଲେ କେହି.ଏସବୁ କଣ ତାଙ୍କ ପଦ ପଦବୀ ହରେଇବା ପାଇଁ ନା ଭାଗ୍ୟର ଗୋଟି ଚାଳନା ବୁଝିପାରୁନଥିଲେ ସୀତାଂଶୁ.
ସ୍ତ୍ରୀଙ୍କର ମଧ୍ୟ ଏ ଭିତରେ ଅବସର ଆସିଥିଲା. ସେ ମଧ୍ୟ ସ୍ୱାମୀଙ୍କ ଭଳି ଅନୁଭବର ଶୀକାର ହେଉଛନ୍ତି କି ଭାବି ସୀତାଂଶୁ ଦିନେ ପଚାରିଥିଲେ କାନ୍ତାଙ୍କୁ ଏମିତି ପ୍ରଶ୍ନଟିଏ ଯେ ତୁମେ ଏତେ ଶାନ୍ତିରେ ରହିପାରୁଛ କେମିତି ଅବସର ପରେ? ହସିଥିଲେ କାନ୍ତା. କହିଥିଲେ ମୋ ନିଜ ଭିତରେ ଥିବା ସମସ୍ତ ଶକ୍ତି ସାମର୍ଥ୍ୟକୁ ମୁଁ ମୋ ନିଜ ଭିତରେ ବନ୍ଦୀ କରି ନିଜକୁ ଦେଉଛି ଶିକ୍ଷା, ନିଜକୁ ଶିଖାଉଛି ଚାଲିବାର ରାସ୍ତା. ସବୁବେଳେ ରାସ୍ତା କଣ୍ଟକିତ.ତେଣୁ ଝୁଣ୍ଟି ପଡିବା ପୂର୍ବରୁ ଗତକାଲିର ବିଷୟ ପ୍ରତି ଅନ୍ଧ ହୋଇ ଆସନ୍ତା କାଲିର ସମ୍ଭାବନା ପାଇଁ ବଧିର ହୋଇ କେବଳ ଆଜିକୁ ଭଲପାଅ. ସେ ଭଲ ପାଇବା ମଧ୍ୟ ମୂକ ହୋଇ ଅର୍ଥାତ ଅନ୍ୟକୁ କିଛି ମତାମତ ନଦେଇ, ଉପଦେଶ ନଦେଇ.ଆଜିକାଲି ସମସ୍ତେ ଓଳିଆରୁ ପଡି ଗଜା.ନିଜକୁ ନିଜେ ନିଜର ଦର୍ଶନ ଓ ଦାର୍ଶନୀ ଦେଇ ଯୋଉଥିରେ ଖୁସି ପାଉଛି ସେୟା କରିଯାଉଛି. ସେଇଥିପାଇଁ ତ ଲେଖୁଛି. ଲେଖିବାରେ ନିଜ ଦର୍ଶନ ଓ ଚିନ୍ତନ ପ୍ରକାଶ କରି ସନ୍ତୋଷ ପାଉଛି ଓ ଲେଖୁଥିଲା ପର୍ଯ୍ୟନ୍ତ ବଞ୍ଚିଥିବି ଲେଖା ସରିଗଲେ ସରି ମରିଯିବି. ପାଟିରେ ହାତ ରଖି ସୀତାଂଶୁ କହିଲେ ସେମିତି କୁହନି.ଆଗ ପଛ ନୁହେଁ ବରଂ ସାଙ୍ଗ ହୋଇ ଯିବା. ସୀତାଂଶୁ ତା ପରଠୁ ନିଜ ଗୀଟାର, ସୀତାର, ହାରମୋନିଅମ ସଜାଡି ନେଇଥିଲେ ନିଜ ପାଇଁ. ଗାଉଥିଲେ ଖୁବ ସୁନ୍ଦର ପୁରୁଣା ଭଜନ, ଆଧୁନିକ ତଥା ଓଡିଶୀ ଚମ୍ପୁ. ଜୀବନ ଜିଇଁବାର କଳା ଓ ସୂତ୍ର ପାଇ ଖୁସି ଥିଲେ ସୀତାଂଶୁ.
ସୀତାଂଶୁ ଏଣିକି କେହି ଚିହ୍ନା ପରିଚୟ ବ୍ୟକ୍ତି ତାଙ୍କୁ ଅତିକ୍ରମ କରିଗଲେ ତାଙ୍କର ଦୁଃଖ ନଥାଏ. ଜୀବନ ଜିଇଁବା କଳା ଶିଖି ଗଲା ପରେ ସେ ବୁଝିଯାଇଥିଲେ ବଞ୍ଚିବାର ଆତ୍ମସନ୍ତୋଷ ପ୍ରକୃତରେ ନିଜ ପାଖରେ ହିଁ ଥାଏ. ନିଜ ଜୀବନର ସର୍ବୋତ୍ତମ ବନ୍ଧୁ ଜଗନ୍ନାଥ ବୋଲି ଜାଣିବାକୁ ବୁଝିବାକୁ ଆଉ ବାକି ନଥିଲା. ସଂସାର ତରୀରେ ନାଆ ବାହୁ ବାହୁ ଜଣେ କେବଳ ଜଣଙ୍କ ପାଇଁ ବୋଲି ଏଣିକି ପ୍ରତେୟ ହେଉଥିଲା ସୀତାଂଶୁଙ୍କୁ. ସେହି କାନ୍ତା ହିଁ ତାଙ୍କୁ ଶିଖାଇବା ପରି କହିଥିଲେ ନିଜେ ନିଜ ଭିତରେ ବୁଡି ରହିବାର ମଧ୍ୟ କିଛି ଗୁଢତତ୍ତ୍ୱ ଅଛି ଯେମିତିକି ତୁମ ଲେଖା ତୁମକୁ ଯେମିତି ପସନ୍ଦ ଅନ୍ୟକୁ ସେତିକି ପସନ୍ଦ ଆସିବ ବୋଲି ଆଶା କରିବା ଅନୁଚିତ.କାନ୍ତା ମଧ୍ୟ ନିଜ ଅଭିଜ୍ଞତା ବଳରେ ଏସବୁ ବୁଝିଥିଲେ ଡେରିରେ. କବିତାଟିଏ ହେଉ ବା ଗଳ୍ପ କି ପ୍ରବନ୍ଧ. ତୁମ ଲେଖା ତୁମକୁ ଯେତିକି ବୋଧଗମ୍ୟ ଅନ୍ୟକୁ ସେତିକି ନୁହେଁ ଜମା. କୋଉ ପତ୍ରିକାର ସମ୍ପାଦକ ତୁମ ଲେଖାକୁ କେତେ ଗୁରୁତ୍ୱ ଦେଇ ସୂଚୀପତ୍ରର ଆରମ୍ଭରେ କି ମଝିରେ ଅବା ଶେଷରେ ସ୍ଥାନ ଦେବ ତାହା ନିର୍ଣ୍ଣୟ କରିବା ଅଧିକାର ଆଉ ତୁମର ନୁହେଁ. ଠିକ ସେମିତି କାହା ଲେଖା ଅଧିକ ଭଲ ଲାଗିବ ତାହା ପ୍ରକାଶିତ ହେବ ନଚେତ ନାହିଁ. ଯଦି ଏସବୁରେ ଭଲ ଲାଗୁଛି ତେବେ ଲେଖା ପ୍ରକାଶିତ ହେବାକୁ ଦିଅ କି ନଦିଅ କିନ୍ତୁ ମୋ ଲେଖା କାହିଁ ବାହାରିଲାନି କି ପ୍ରଥମରେ ନରହି ଶେଷକୁ କାହିଁ ରହିଲା ପଚାରିବା ଭୁଲ. ତେଣୁ ଆଲୋ ସଖି ଆପଣା ମହତ ଆପେ ରଖି ନ୍ୟାୟରେ ଚଳିବା ଉଚିତ ନଚେତ ଚୋର ମାଆ ଯେବେ କାନ୍ଦେ ଦୁଆର ଦେଇ କାନ୍ଦିବା ସାର ହୁଏ. କାନ୍ତାଙ୍କର ଏସବୁ ସାରଗର୍ଭକ ଜୀବନ ଜୀଇଁବା କଳା ଓ ସୂତ୍ର ସତରେ ପ୍ରଭାବିତ କରେ ସୀତାଂଶୁଙ୍କୁ. ସେ ନିଜେ ବୋଲୁଥିବା ଗୀତ, ଭଜନ, ଲଘୁସଂଗୀତ ନିଜେ ଶୁଣନ୍ତି. କାହାକୁ ଦିଅନ୍ତି ନାହିଁ ଶୁଣିବାକୁ କି କୋଉଠି ଛାଡ଼ନ୍ତି ନାହିଁ ଲାଇକ କମେଣ୍ଟ ପାଇବାକୁ. ଏଣିକି ନିଜେ ଗୋଟେ ଗାଡି କିଣିଲା ବେଳେ ପଚାରିନଥିଲେ କାହାକୁ କୋଉ ରଙ୍ଗର କିଣିବା. ବରଂ ନିଜ ପସନ୍ଦର ଗାଡିରେ ନିଜ ପସନ୍ଦର ଜିପିଏସ ଓ ପରଦା ଲଗାଇ ଶୁଣୁଥିଲେ ନିଜେ ଗାଇଥିବା ଗୀତ ସବୁର କ୍ୟାସେଟ ଓ ଜାଣିଥିଲେ ଜଣେ ମାତ୍ର ବ୍ୟକ୍ତି ନିର୍ଦୋନ୍ଦରେ ତାଙ୍କ ସଙ୍ଗେ ପାଦ ମିଳାଇ ତାଙ୍କ ପସନ୍ଦରେ ବାଟ ଚାଲିପାରେ ଆଉ ସିଏ ଥିଲେ ସ୍ତ୍ରୀ କାନ୍ତା.
ସେଦିନ କାନ୍ତାଙ୍କ ସହିତ ଗୋଟେ ଲଙ୍ଗ ଡ୍ରାଇଭରେ ଯାଇ ଅଟକି ଗଲେ ସୀତାଂଶୁ. ସେଇଟା ଥିଲା ଗୋବିନ୍ଦ ବରା ଦୋକାନ. ଦେଖୁ ଦେଖୁ ମଇଳା ଛିଣ୍ଡା କପଡା ବଦଳରେ ସଫା କପଡାରେ ଯୋଉ ଶ୍ରଦ୍ଧାରେ ଚେୟାର ଦୁଇଟି ସଫା କରି କୃତ୍ୟ କୃତ୍ୟ ହୋଇଗଲେ ଗୋବିନ୍ଦ ତାହା ଦେଖି ବିସ୍ମିତ ହୋଇପଡିଲେ ସୀତାଂଶୁ. ଦୁଃଖ ସୁଖ ଭଲ ମନ୍ଦ ଭିତରେ କେତେ ପୁରୁଣା କଥା ପଚାରି ଗୋବିନ୍ଦ ଯେଉଁ ଆତ୍ମିୟତା ପ୍ରକାଶ କରୁଥିଲେ ତାହା ବିରଳ. ଦୋକାନର ବହିନି ହୋଇନଥାଏ. ଧଡ଼ପଡ଼ କରି ଜଗନ୍ନାଥଙ୍କୁ ପାଣି ମୁଁନ୍ଦେ ପକାଇ ତୁଳସୀ ପତ୍ର ବୁଡ଼ାଇ ବାହାରେ ଥୁଆ ହୋଇଥିବା ସୀତାଂଶୁଙ୍କ ଗାଡିଟାକୁ ଟିକେ ପୂଜା ପାଣି ପକେଇ ନିଶ୍ୱାର୍ଥପର ସେବକ ଭଳି ଲାଗୁଥିଲେ. ଗରମ ଗରମ ବରା ଓ ଚା ଥୋଇବା ପୂର୍ବରୁ ବରା ଖଣ୍ଡେ ଛିଣ୍ଡେଇ କାଉ ପାଇଁ ରଖୁଥିଲେ ଯେମିତି ଅନ୍ତରଙ୍ଗ ରକ୍ତ ସମ୍ପର୍କୀୟ କେହି ତ ଭାରି ଖୁସିରେ କାନ୍ତାଙ୍କ ସହ ବରା ଖାଇ ଚା ପିଇ ପୁଣି ଗାଡି ଭିତରକୁ ଫେରି ଆସି ଡ୍ରାଇଭିଙ୍ଗ କରୁ କରୁ ସୀତାଂଶୁ ପଚାରିଥିଲେ ଗୋବିନ୍ଦ ଏକ ବ୍ୟତିକ୍ରମ ନୁହେଁ କି? କାନ୍ତା କହିଥିଲେ ନା ସେ ମଧ୍ୟ ସମସ୍ତଙ୍କ ଭିତରୁ ଜଣେ. ସେ ବରା କଲାବେଳେ ତୁମେ କେବେ ତାକୁ ଉପଦେଶ ଦେଇ କହିନ ଯେ ଭୁରସୁଙ୍ଗା ପତ୍ର ବଦଳରେ ବରାରେ ଧନିଆଁ ପତ୍ର ପକେଇବୁ ବା କହିନ କେବେ ଏ ଅଦା ବଦଳରେ ଆମ୍ବକଷି ଅଦା ପକେଇବୁ ବରଂ ସେ ଯେମିତି ବରା କରେ ତାହା ତୁମ ରୁଚି. ଆଉ ଯୋଉ ପୂଜା କରି ସରିବା ପରେ ଆମ ଗାଡିକୁ ମଧ୍ୟ ପୂଜା କଲା? ହଁ ଭଗବାନ ସମସ୍ତଙ୍କର. ଚାରିଖୁରା ଭଲ ନରହିଲେ ବଳଦ ଯେମିତି କାମ କରିପାରିବ ନାହିଁ ମାଲିକର,ଚାରିଖୁରା ସେଟା ସାଇକେଲ ହେଉ ବା ବାଇକ ଅବା ଚାରିଚକିଆ, ଠିକ ଥିଲେ ତ ଗଡିଆସିବ ବରା ଦୋକାନ ଯାଏଁ ଗରାଖର . ଆଉ କିଛି ପଚାରିବାକୁ ଯାଇ ଅଟକି ଗଲେ ସୀତାଂଶୁ କାରଣ ସେ ଜାଣନ୍ତି ସବୁ ପ୍ରଶ୍ନର ସଠିକ ଉତ୍ତର କାନ୍ତାଙ୍କ ପାଖେ ଅଛି.
ଘରକୁ ଫେରିବା ପରେ ଦାଣ୍ଡ ଦୁଆରେ ଥିବା ପୋଷ୍ଟ ବକ୍ସରେ କିଛି ପାର୍ସଲ ପଡି ରହିଥିଲା. ଗୋଟେ ବଡ଼ପୁଅ ପଠେଇଥିଲା କାନ୍ତାଙ୍କ କବିତା, ଗଳ୍ପ ଓ ପ୍ରବନ୍ଧର ସଦ୍ୟ ପ୍ରକାଶିତ ତିନୋଟି ବହି. ଅନ୍ୟଟି ବାପାଙ୍କ ଗୀତ ସବୁର ଭିଡ଼ିଓ ରେକର୍ଡିଙ୍ଗ କ୍ୟାସେଟ.ଆଶ୍ଚର୍ଯ୍ୟରେ ସୀତାଂଶୁ ଚାହିଁଥିଲେ କାନ୍ତାଙ୍କ ମୁଁହକୁ? ଅଡିଓ ବଦଳରେ ଭିଡ଼ିଓ କେମିତି?ତ କାନ୍ତା କହିଥିଲେ ଆର ଥର ସାନପୁଅ ତୁମ ସଂଗୀତ ରୁମରେ କିଛି ଲଗାଉଥିଲା.ବୋଧହୁଏ ସିସି କ୍ୟାମେରା.ସୀତାଂଶୁଙ୍କୁ ଲାଗୁଥିଲା ତାଙ୍କ ପରିବାର ଭାଗ୍ୟର ଗୋଟି ସବୁ ଭେଟି ହୋଇଯାଇଛି.
