Dr Jagatabandhu Mohapatra

Inspirational

4.9  

Dr Jagatabandhu Mohapatra

Inspirational

ବେଜୁଣି

ବେଜୁଣି

6 mins
544


ଆଜି କ’ଣ ପାଇଁ ନୀଳାମ୍ବର ଜାକେଶିକାର ତା’ ମାଟି ମା’ ଆଉ ତା’ ଗାଁର ବେଜୁଣି କଥା ବହୁତ ମନେପଡୁଛି I ତା’ ଗୋଡ ଦୁଇଟିର ପାଦ ଦୁଇଟା ଫୁଲି ଯାଇଥିଲା । ୨/୩ ଦିନ ତଳେ ଜ୍ଵର ଛାଡି ଯାଇଛି ତା’ର, କିନ୍ତୁ ପାଦର ଫୁଲା କମିନି । ପାଦ ଦୁଇଟା ଆଉ ଆଗକୁ ଯିବାକୁ ଇଚ୍ଛା କରୁ ନଥିଲା । ତଣ୍ଟି ଅଠା ଅଠା ହୋଇ ଆସୁଥିଲା । ଭୀଷଣ ଭୋକରେ ପେଟ ଜଳି ଉଠୁଥିଲା । ନା’ ଆଉ ସେ ଆଗକୁ ଯାଇ ପାରିବନି ।

ତା’ କାନରେ ବାରମ୍ବାର ଶୁଭୁଥିଲା, ତା’ ଗାଁ ବେଜୁଣିର କଥା I ବେଜୁଣି ସବୁବେଳେ କନ୍ଧ ସମାଜ ବିଷୟରେ ବହୁତ କଥା ସମସ୍ତଙ୍କୁ ସବୁବେଳେ କୁହେ I ଇତିହାସରୁ ଆରମ୍ଭ କରି ସାହିତ୍ୟ ତଥା ଚିକିତ୍ସା ବିଦ୍ୟା ଓ ପୂଜା ପଦ୍ଧତିରେ ପାରଙ୍ଗମ ଥିଲା, ସେ I ଛୋଟବେଳେ ତା’ ଦେହ ଖରାପ ଥିଲେ, ସେହି ବେଜୁଣି ପାଖକୁ ତ ନୀଳାମ୍ବରର ପରିବାର ଲୋକ ନେଇ ଯାଉଥିଲେ, ତାକୁ I ବେଜୁଣି ସବୁବେଳେ କୁହେ, ଆଦିମ ଅଧିବାସୀମାନେ ପର୍ବତ, ଝରଣା, ନଦୀ, ଘଞ୍ଚ ଜଙ୍ଗଲ, ପଶୁପକ୍ଷୀଙ୍କ ଭିତରେ ରହୁଥିଲେ । କନ୍ଧ ସମାଜର ସଂସ୍କୃତି ଓ ପରମ୍ପରା ସମୃଦ୍ଧ I ସେଥିରେ ପରିବେଶ ସହ ଏକାତ୍ମ ହୋଇ ବଞ୍ଚିବାର ସମସ୍ତ ଜ୍ଞାନକୌଶଳ ପରିପୂର୍ଣ୍ଣ I ପର୍ବତରେ ଦେବତା ସ୍ଥାପନ କରି ପ୍ରକୃତି କୋଳରେ ପ୍ରକୃତିର ସୁଯୋଗ୍ୟ ସନ୍ତାନ ଭାବେ ବସବାସ କରୁଥିଲେ। ମାଟି, ପାଣି, ପବନ, ଝରଣା, ଡଙ୍ଗର ଏସବୁ ପ୍ରତ୍ୟେକ କନ୍ଧ ଶରୀରର ଅବିଚ୍ଛେଦ୍ୟ ଅଙ୍ଗ I  ଆମ ପାଇଁ ଏଠି ନିୟମରାଜା ଅଛି I ସେ ଆମର ସାହା ଭରଷା I ସେ ଆମ କଥା ବୁଝୁଛି, ଆଉ ଆଗକୁ ବୁଝିବ ମଧ୍ୟ I ତେବେ ଆଧୁନିକତାର ପ୍ରଭାବରେ ସେ ପରମ୍ପରା ଧୀରେ ଧୀରେ ଲୋପ ପାଇ ବସୁଛି I ସେ କଥା ପାଇଁ ବେଜୁଣି ବହୁତ ଚିନ୍ତିତ ଥିଲା I ତୁ ଆସେ, ମୋ ସାଙ୍ଗରେ ଡଙ୍ଗରକୁ ଯିବା I ଫଳମୂଳ, କନ୍ଦା, କାଇ, ଶାଗ ସବୁ ଆଣି ଖୁସିରେ ଖାଇବା ଆଉ ସମସ୍ତଙ୍କୁ ଖୁଆଇବା I କିନ୍ତୁ ଗୋଟେ କଥା ମନେ ରଖ I ଆମ ମାଟି ମା’କୁ କେବେ ବି କନ୍ଦେଇବୁନି I ମାଟି ମା’କୁ ବିଷ ଖାଇବାକୁ ଦବୁନି I ମାଟି ମା’ ନିଜ ମା’ ଭଳି I ଠିକ ସେମିତି ଏଇ ଡଙ୍ଗର ବି ଆମର ମା’ I ତାର ସୁରକ୍ଷା ଆମର ଦାୟିତ୍ଵ I ଭୋକରେ ପେଟ ଆଉଟ ପାଉଟ ହେଉଥାଏ । ବ୍ୟାଗ ଭିତରେ ଗୋଟିଏ ବୋତଲରେ ରଖିଥିବା ମାଣ୍ଡିଆ ଜାଉକୁ ବୋତଲରୁ ଢୋକେ ପିଇ ନିଜର ଭୋକ ସେ ମେଣ୍ଟାଉଥିଲା । ତା’ ପରେ କିଛି ସମୟ ପାଇଁ ଗଛ ମୂଳରେ ଲମ୍ବେଇ ହୋଇ ଶୋଇଗଲା ।

କେରଳରେ ଦାଦନ ଖଟିବାକୁ ନୀଳାମ୍ବର ତା’ ଗାଁ ଛାଡି ପଳେଇଆସିଥିଲା I ୨୦୨୦ ମାର୍ଚ୍ଚ ମାସ ବେଳକୁ ସାରା ପୃଥିବୀରେ କରୋନା ଭୂତାଣୁ ତା’ର କାୟା ବିସ୍ତାର କରି ସାରିଥାଏ । ସେତେବେଳକୁ ପୃଥିବୀର କିଛି କିଛି ଦେଶ ତା’ ଲୋକଙ୍କୁ ଗୃହବନ୍ଦୀ ଭାବେ ରଖିସାରିଥିଲା । ହଠାତ୍ ଦିନେ ସହରର ସବୁ ଗହଳିଚହଳି ପୁରା ନିଷ୍ପ୍ରଭ ହୋଇଗଲା । ସବୁ ଯେମିତି ଗତିହୀନ ହୋଇ ପଡିଲେ । ଗାଡି, ମଟର, ଟ୍ରେନ, ଏରୋପ୍ଳେନ ସବୁ ଚାଲିବା ବନ୍ଦ ହୋଇଗଲା । ଦୋକାନ ବଜାର ସବୁ ବନ୍ଦ । କରୋନା ଭୂତାଣୁ ଭୟରେ ସାରା ଭାରତ ଯାକର ମଣିଷ ଘର ଭିତରେ ଲୁଚି ରହିବାକୁ ବାଧ୍ୟ ହେଲେ । କାମଦାମ, ଦୋକାନ ବଜାର, ଗାଡି ମଟର, କଳକାରଖାନା, କମ୍ପାନୀ ସବୁ ବନ୍ଦ । ପଇସାଟିଏ କୋଉଠୁ ଆସିବାର ବାଟ ନାହିଁ । ଖାଇବାକୁ ପେଟକୁ ଦାନା ନାହିଁ । ରାସ୍ତାଘାଟ ସବୁ ଶୁନ୍ ଶାନ୍ । ନିଜ ଗାଁକୁ ଆହୁରି ଦୁଇ ଦିନ ଲାଗିଯିବ । ତଥାପି ଆଶା ହରେଇ ନଥିଲା, ନୀଳାମ୍ବର । ମନରେ ଅନେକ ଆଶା ଓ ବିଶ୍ୱାସ ଧରି ଆଗକୁ ଆଗେଇ ଥିଲା ସେ । ଆଜି ତା’ ମନରେ ଅନେକ ଆନନ୍ଦ । ସେ ଆଜି ଭାରି ଖୁସି । ଭୋକଶୋଷ ସବୁ ଭୁଲି ଯାଇଛି ଯେପରି । ଏତେ ବାଟ ଚାଲି ଚାଲି ଆସିଥିବାର ବାଧା ଯେମିତି ଦୂରେଇ ଯାଇଛି ତା’ ଦେହରୁ । ତା’ ଗାଁ ମା’ପାଖରେ । ଭେଟିବ ତା’ର ପ୍ରିୟଜନ ମାନଙ୍କୁ । ଅନେକ ଦିନର ବ୍ୟବଧାନ ପରେ ତା’କୁ ଦେଖି ସେମାନେ କେତେ ଖୁସି ନ ହେବେ । ମନରେ ତା’ର ଅସୀମ ଆନନ୍ଦ ଓ ସାହସ ଜାଗି ଉଠିଲା । ଆହୁରି ଜୋରରେ ଜୋରରେ ପାଦ ପକାଉଥିଲା, ସେ । ଶେଷରେ ଯାଇ ପହଞ୍ଚିଲା, ତା’ ନିଜ ଜନ୍ମମାଟିରେ । କି ଶାନ୍ତି ! ବହୁଦିନର ଅପେକ୍ଷା ପରେ ନୀଳାମ୍ବର ଆଜି ତା’ ଗାଁରେ ପହଞ୍ଚିଛି I ନୀଳାମ୍ବରକୁ ଦେଖି ପରିବାରର ସମସ୍ତେ ବହୁତ ଖୁସି ହେଲେ । ସମସ୍ତଙ୍କର ଆନନ୍ଦର ସୀମା ରହିଲା ନାହିଁ । ନୀଳାମ୍ବର ଆଉ ଦାଦନ ଖଟିବାକୁ କେରଳ ଜୀବନି ବୋଲି କହିଲା I ବେଜୁଣି ପାଖକୁ ଯିବାକୁ ନୀଳାମ୍ବର ତରତର ହୋଇ ବାହାରିଲା ବେଳକୁ ଶୁଣିଲା, ତା’ର ଅତି ପ୍ରିୟର ମଣିଷଟି ଆଉ ଏଠି ନାହିଁ I ବେଜୁଣିର ଶରୀରଟା ସିନା ଏଠି ନାହିଁ, କିନ୍ତୁ ବେଜୁଣିକୁ ସେ ଏଇଠି ଅନୁଭବ କରୁଛି I ସବୁବେଳେ ତା’ ମନ ମସ୍ତିଷ୍କରେ ବେଜୁଣିର ନୀତି, ଆଦର୍ଶ, ପରମ୍ପରା ଆଉ ସଂସ୍କୃତି କଥା ଘୂରିବୁଲୁଛି I ବେଜୁଣିକୁ ସେ ମନେ ମନେ ବହୁତ ଖୋଜୁଛି, ସେହି ପରିବର୍ତ୍ତନର ସ୍ଵର ତା’ କାନରେ ବାରମ୍ବାର ଗୁଞ୍ଜରିତ ହେଉଛି I ନୀଳାମ୍ବର ତା’ ପରଦିନଠାରୁ ନିଜ ଘର ପଛପଟେ ଥିବା ଜମିରେ ପନିପରିବା ଚାଷ ଆରମ୍ଭ କରିଦେଲା । କିଛିଦିନ ପରେ ଜମିଟି ପୁରା ସବୁଜ ଦେଖାଗଲା । ସେହିଥିରୁ ସେମାନେ ବିଭିନ୍ନ ପ୍ରକାର ପନିପରିବା ଫଳାଇ ତାଙ୍କର ଗୁଜୁରାଣ ମେଣ୍ଟାଇବାରେ ସଫଳ ହେଲେ । ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଲେ, କହିଲେ, ପ୍ରକୃତରେ ନୀଳାମ୍ବର ଆଜି ଆମ ସମସ୍ତଙ୍କ ଆଖି ଖୋଲିଦେଲା ।

କରୋନା ସମସ୍ତଙ୍କୁ ଏହି ଶିକ୍ଷା ଦେଇଛି ଯେ, ନିଜ ଗାଁ ବାହାର ଠାରୁ ଅଧିକ ସୁନ୍ଦର ଓ ଗାଁ ମାଟି ତା’ର ସମସ୍ତ ଲୋକମାନଙ୍କ ପାଇଁ ଆବଶ୍ୟକ ପରିମାଣର ଖାଇବା ରଖିଛି । ପରିଶ୍ରମ କରି ନିଜ ଗାଁକୁ ସରସ ସୁନ୍ଦର ଗଢିତୋଳିବା ଓ ନିଜେ ଚଳିବା । 

ସେଦିନ କୁଟୁମ୍ବ ବୈଠକରେ ନୀଳାମ୍ବର ସବୁ କଥା ଗାଁରେ କହିଲା I ମୁଁ ମୋ ଜୀବନରେ ଯାହା ଶିଖିଛି I ଯାହା କରିଛି, ସବୁ ବେଜୁଣି ଠାରୁ ଶୁଣିଥିବା କଥା I ନିଜେ ନ ମଲେ ଯେମିତି ସ୍ଵର୍ଗ ନ ଦେଖିବ, ଠିକ ସେହିଭଳି ବେଜୁଣି ସବୁବେଳେ ଆମକୁ ଯାହା କହେ, ସବୁ ସତ ଆଉ ଠିକ କଥା I ଆମେ ବୁଝୁନଥିଲେ I ଆଜି ସମୟ ଆସିଛି, ଆମକୁ ବୁଝିବାକୁ I ନିଜର ଖାଦ୍ୟ, ନିଜର ସ୍ଵାସ୍ଥ୍ୟ, ନିଜର ଜୀବିକାର ଅଧିକାର ଆମ ହାତରେ ରହିବା ଦରକାର I ଆମ ଅଞ୍ଚଳରେ ନିୟମରାଜା ଆମକୁ ଜମି ଦେଇଛି, ଡଙ୍ଗର ଦେଇଛି, ନଦୀ ଦେଇଛି, ଝରଣା ଦେଇଛି, ଆଉ ଏଇ ସୁନ୍ଦର ପ୍ରକୃତି ଦେଇଛି, ଯୋଉଠି ଆମେ ପଶୁ, ପକ୍ଷୀ, ଜୀବ ଜନ୍ତୁ ସମସ୍ତେ ରହୁଛେ I ଆମ ପାଖରେ ପ୍ରଚୁର ଖାଦ୍ୟ ପଦାର୍ଥ ରହିଛି I ଆମେ ଆମ ଫସଲରେ ବିବିଧତା ଆଣିବା, ସ୍ଥାନୀୟ ଖାଦ୍ୟର ବିନିଯୋଗ କରିବା I ଡଙ୍ଗରର ସୁରକ୍ଷା କରିବା I ଭଲ ଖାଇବା, ସୁସ୍ଥ ପରିବେଶରେ ରହିବା I

ସେଠି ଗୋଟେ ଡାକ୍ତରଖାନାରେ ଜଣେ ଡାକ୍ତର ତ କହୁଥିଲେ, ଭଲ ଖାଇଲେ, ଆଉ ଉଚିତ ପରିଶ୍ରମ କଲେ, ଆମେ ସୁସ୍ଥ ଓ ନିରୋଗ ରହିପାରିବା I ଆମ ଖାଦ୍ୟକୁ ତ ବଡ ବଡ ସହରରେ ବହୁତ ଭଲ ଖାଦ୍ୟ ବୋଲି କହିଥାନ୍ତି I ମଣ୍ଡିଆ, ଜନା, କାଙ୍ଗୁ, କୋଦ, ମକା ସୁଆଁ ଏସବୁ ଆମ ଶରୀର ପାଇଁ ବହୁତ ଉପକାରୀ ଆଉ ଦରକାରୀ ଖାଦ୍ୟ I ଆମେ ଯେମିତି ଆମ ଜମିରେ ସାର, ବିଷ ନ ପକାଇ ଚାଷ କରୁଛେ, ତା’ ଦ୍ଵାରା ମାଟିର ସ୍ଵାସ୍ଥ୍ୟ ଆଉ ଆମ ସ୍ଵାସ୍ଥ୍ୟ ତଥା ଆମ ପରିବେଶର ସ୍ଵାସ୍ଥ୍ୟ ଠିକ ରହିବ I ଆମକୁ ଯୋଉ କଥା ବେଜୁଣି କହୁଥିଲା, ମୁଁ ବାହାରକୁ ଯାଇ ସେକଥା ନିଜେ ଅନୁଭବ କଲି I ସେଥିପାଇଁ ମୁଁ ଚିନ୍ତା କରିଛି, ଆଉ ବାହାରକୁ ନ ଯାଇ ଆମ ମାଟି ମା’ର କୋଳରେ, ଡଙ୍ଗର କୋଳରେ ଆଉ ମୋ କୁଟୁମ୍ବ ପାଖରେ ରହିବି I ଏଇଟା ମୋ ପାଇଁ ମୋ ଜୀବନର ସବୁଠୁ ସୁଖଦ ଆଉ ଶାନ୍ତିର ବାତାବରଣ ହେବ I ସହରରେ ବଜାରରେ ଯାହା ମିଳିବ, କେବଳ ତାକୁ ହିଁ କିଣିକରି ଖାଇବାକୁ ପଡେ, ଆଉ ସେଥିରେ ବହୁତ ସାର, ବିଷ ଦିଆହୁଏ I ତାହା ଖୁବ ଦାମିକା ମଧ୍ୟ I କିନ୍ତୁ ଏଠି ବିଭିନ୍ନ ପ୍ରକାରର ଫସଲ ଆମେ ଚାଷ କରୁଛେ I ଡଙ୍ଗରରୁ ଫଳ, କନ୍ଦା, କେନ୍ଦୁ, କୋଳି, ଛତୁ, ଶାଗ ଓ ଅନ୍ୟାନ୍ୟ ପ୍ରକାରର ଖାଦ୍ୟ ଯଥା- କରଡି, କାଇ ପୁଡା ଆଦି ଆଣି ପାରୁଛେ I ଆମ ଘରେ ଛେଳି, କୁକୁଡ଼ା ରହୁଛନ୍ତି, ପର୍ବପର୍ବାଣୀରେ ଆମେ ଖାଇ ପାରୁଛେ I ନଦୀ ବା ଝରଣାରୁ ମାଛ, କଙ୍କଡା ଆଦି ଧରି ଆଣି ପାରୁଛେ I ମହୁଲ, ଆମ୍ବ, ତେନ୍ତୁଳି, ତାଳ, ଝୁଣା, କାଠ, ବାଉଁଶ, ଜଡିବୁଟି, ଚେରମୂଳୀ ପାଇ ପାରୁଛେ I ବାଡି ପଛପଟେ ପନିପରିବା ବି ଚାଷ କରୁଛେ, କିନ୍ତୁ ସହରରେ ତ ଜାଗା ନାହିଁ, ଏ ସବୁ କରିବାକୁ I ସେମାନେ ସମସ୍ତେ ବଜାର ଉପରେ ନିର୍ଭରଶୀଳ I ଆମ ସମୃଦ୍ଧ କୃଷି ପରମ୍ପରା, ଖାଦ୍ୟ ବ୍ୟବସ୍ଥା, ଓ ପ୍ରାକୃତିକ ଜୀବନଶୈଳୀ ସତରେ ନିଆରା I ବର୍ତ୍ତମାନ ସମୟରେ ମାନବ ସମାଜ ଯେଉଁ ମୁଖ୍ୟ ସମସ୍ୟାର ସାମନା କରିବାକୁ ଯାଉଛି, ତାହା ହେଉଛି, ଖାଦ୍ୟ ସଙ୍କଟ I ଯୋଉଟା ଆମ କନ୍ଧ ସମାଜରେ ବଂଚିକି ରହିଛି I ଖାଦ୍ୟ ବିବିଧତା ଓ ଖାଦ୍ୟ ଆତ୍ମନିର୍ଭରଶୀଳତା ଆମର ମୁଖ୍ୟ ଅସ୍ତ୍ର I ଆମ ସମାଜରେ କୃଷି କେବଳ ଉତ୍ପାଦନ ବ୍ୟବସ୍ଥା ନୁହେଁ, କୃଷି ଏକ ସଂସ୍କୃତି I ସ୍ଥାନୀୟ ପରିବେଶ, ପାଣିପାଗ, ସମ୍ବଳ ଓ ଖାଦ୍ୟ ଅଭ୍ୟାସକୁ ନେଇ ଆମ କନ୍ଧ ସମାଜରେ ଏକ ନିଜସ୍ଵ କୃଷି ଓ ଖାଦ୍ୟ ବ୍ୟବସ୍ଥା ବା ପରମ୍ପରା ରହିଛି I  

ବର୍ତ୍ତମାନ ସମୟ ଆସିଛି, ଆମେ ଆମ ପରମ୍ପରା ଓ ସଂସ୍କୃତିକୁ ବଞ୍ଚାଇ ରଖିବା I ବେଜୁଣି ଆମକୁ ଯାହା କହୁଥିଲା, ସବୁ ଠିକ କହୁଥିଲା, ଆଜି ଆମେ ସମସ୍ତେ ଏଠି ନିୟମରାଜା ନାଁରେ ଶପଥ ନେବା, ଆମ ସମାଜର ସ୍ଵାବଲମୀ କୃଷି ପରମ୍ପରା, ପ୍ରାକୃତିକ ଜୀବନଶୈଳୀ, ପାରମ୍ପରିକ ଜ୍ଞାନକୌଶଳର ସୁରକ୍ଷା, ସଂରକ୍ଷଣ ତଥା ସମୃଦ୍ଧ କରିବା I 

ସମସ୍ତେ ଏକ ସ୍ଵରରେ ନିୟମରାଜା ନାଁରେ ଶପଥ ନେଲେ, ଆଉ ନୀଳାମ୍ବରକୁ ନୂତନ ଜାନି ରୂପରେ କୁଟୁମ୍ବରେ ଗ୍ରହଣ କଲେ I                      

                                                                                              


Rate this content
Log in

Similar oriya story from Inspirational