STORYMIRROR

Satyabati Swain

Tragedy

4  

Satyabati Swain

Tragedy

ବବ୍ଲୁ ଓ ମୁଁ

ବବ୍ଲୁ ଓ ମୁଁ

5 mins
217


ମା ଦେଖ୍ ତ ମୋ ଜୋଜୋ ର କଣ ହୋଇଛି?ସେ କେମିତି ହଲ୍ ଚଲ୍ ନ ହୋଇ ପଡିଛି।ମା ପ୍ଲିଜ଼ ପ୍ଲିଜ଼ କଣ ହେଲା ମୋ ଜୋଜୋର ଦେଖ ମା। 


ଆରେ ସୁବୁ ଦେଖିଲୁ ଜୋ ଜୋ ଟା କାଇଁ ଏମିତି ନିସ୍ତେଜ ହୋଇ ପଡିଛି।


ଯାଉଛି ମା।


ସୁବୁ ଭାଇ ଜଲଦି ଆ।


ରହ ଏତେ ବ୍ୟସ୍ତ କଣ ହେଉଛି ।


ସୁବୁ ଭାଇ ତୁ ଗଲୁ ଅଟୋ ଡାକି ଆଣିବୁ ନେଇଯିବା ଜୋ ଜୋ କୁ ହସ୍ପିଟାଲ।


ହେଉ ହେଉ ଚାଲ କହି ସେ ଦୁହେଁ ହସ୍ପିଟାଲ ଚାଲିଗଲେ।


ପୋଷା ଜୀଵ ଜନ୍ତୁରେ ଭାରି ଆଦର ଏ ପିଲା ଦିଟା ଙ୍କର।କୁହନ୍ତି ମା ବାବା ଙ୍କ କିଛି ସଉକ ବି ପିଲା ମାନଙ୍କ ପାଖରେ ଦେଖା ଯାଏ।ମୋର ବି ଏ ସଉକ ଟି ଅତି ମାତ୍ରାରେ ଥିଲା।


ମନେ ପଡ଼ିଲା ସେଇ ଅଫେରା କଅଁଳ ସକାଳ କଥା।


ଦଶହରା ।କଲେଜ ଛୁଟି। ଗାଁ କୁ ଯାଇଥାଏ ମୁଁ।


ଆମ ଘର ପୁଣି ନିପଟ ଗାଁ ରେ।ଗାଁ କୁ ଗୋଟିଏ ମାତ୍ର ବସ୍ ।ସେ ପୁଣି ସନ୍ଧ୍ୟାରେ।ଏଇଟା ମୋ ପାଇଁ ଭାରି ଅସୁବିଧା ସୃଷ୍ଟି କରେ।କାରଣ ବସ୍ ରାତି ଦଶରେ ଆମ ଗାଁ ଠାରୁ ଦୁଇ କିଲୋମିଟର ଦୂର ଷ୍ଟପେଜରେ ଆମ ଗାଁ ଲୋକଙ୍କୁ ଛାଡିଦିଏ।ଲୋକେ ଦୁଇ କିଲୋମିଟର ବାଟ ଚାଲି ଚାଲି ଯାଆନ୍ତି। ମୁଁ କେମିତି ଏତେ ରାତିରେ ଏକା ଏକା ଏତେ ବାଟ ଚାଲି ପାରିବି ! ଆମ ଘରେ ମୋର ଦୁଇଟି ସାନ ସାନ ଭାଇ।ସେମାନେ ମୋତେ ଏତେ ବାଟରୁ ରାତିରେ ନେବାକୁ ଆସିବା ସମ୍ଭବ ନୁହେଁ। ଦିନ ହୋଇଥିଲେ ମୋ ତଳ ଭାଇ ଆସି ମୋତେ ସାଇକେଲରେ ନେଇ ଯାଏ।ରାତିରେ ଏଇ ସମସ୍ୟା ପାଇଁ ଗାଁ ବସରେ ଯିବା ମୋ ପାଇଁ ଅନୁକୂଳ ହୁଏ ନାହିଁ।


ଦିନ ବସରେ ଗଲେ ସାତ କିଲୋମିଟର ଥିବ ଆମ ଗାଁ।ବସ୍ ସେଇ ଷ୍ଟପେଜ୍ ରେ ଓହ୍ଲାଇ ଦିଏ। ସାତ କିଲୋମିଟର ଚାଲି ଚାଲି ଯିବାକୁ ପଡେ ମୋତେ।ହଁ ରିକ୍ସା କି ଅଟୋ ଥାଏ ଗାଁ କୁ ଯିବାକୁ।ମାତ୍ର ଅଟୋ ଶହେ କୋଡିଏ ଟଙ୍କା ଓ ରିକ୍ସା ଷାଠିଏ କି ସତୁରୀ ଟଙ୍କା ଭଡା ନିଅନ୍ତି।ଏତେ ପଇସା ଭଡା ଦେଇ ଯିବା ବି ମୋ ସାମର୍ଥ୍ୟ ବାହାରେ। ଚାକିରୀ କଲା ଵାଲା ଆରାମରେ ଭଡା ଦେଇ ସିନା ଯାଆନ୍ତି ! ମୁଁ ତ ପଢା ଛୁଆଟା ।ଘରକୁ ଗଲା ବେଳକୁ ବେଳେ ବେଳେ ବସ୍ ଭଡା ବି ମୋ ପାଖରେ ନଥାଏ। ଆଗରେ ଛୁଟି ଥିବା ଜାଣି ମୋତେ ମାସକ ଖର୍ଚ୍ଚରୁ ବହୁ କଷ୍ଟରେ ବସ୍ ଭଡା ପାଇଁ ସାଇତିବାକୁ ପଡେ।


ବାପା ମୋର ଜଣେ ଚାଷୀ।ମୁଁ ତାଙ୍କର ବଡ଼ ଝିଅ ଅନନ୍ୟା,ଅନି। ବହୁ କଷ୍ଟ ରେ ମାସକୁ ମାସ ହଷ୍ଟେଲ ଖର୍ଚ୍ଚ ପଠେଇବା ତାଙ୍କ ପାଇଁ କନ୍ଠାଗ୍ରତ ହୁଏ।ବହୁତ ଗୋଟେ ବଡ଼ ଆଶାରେ ସେ ମୋତେ ରେଭେନ୍ସାରେ ପଢ଼ାଉ ଥିଲେ।ଏଣୁ ବହୁ କଷ୍ଟରେ ପାଠ ଦି ଅକ୍ଷର ପଢି  ହାଇସ୍କୁଲ ଟିଚର ଟିଏ ହେବାକୁ ସକ୍ଷମ ହୋଇଛି।ମା କୁହେ କଷ୍ଟ କଲେ କୃଷ୍ଣ ମିଳନ୍ତି।ଏଇଟା ସମ୍ପୂର୍ଣ୍ଣ ସତ।ମାସ ଶେଷରେ ମୋ ଆକାଉଣ୍ଟକୁ ଯେତେବେଳେ ସତୁରୀ ପଞ୍ଚସ୍ତରୀ ହଜାର ଟଙ୍କା ଡିପୋଜିଟ୍ ହୋଇ ଯାଉଛି ସେତେବେଳେ ମୋର ଖୁବ୍ ମନେ ପଡେ ଚାର୍ଟ ପ୍ଲେଟ ଟିଏ ଖାଇବାକୁ ଇଚ୍ଛା କରି ଖାଇ ପାରି ନଥିଲେ କେବେ।


ଜୀବନରେ ବହୁ ଘଟଣା ଦୁର୍ଘଟଣା ଘଟିଛି। ମୋ ସାକ୍ଷାତ ଚଳନ୍ତି ଦେବତା ବାପା ,ମା ଗୋଟେ ଭାଇ ଓ ଭାଉଜଙ୍କୁ ହରେଇଛି ଅବଳେ।ଅନେକ ଘଟଣା ମଧ୍ୟରୁ ଦିନକର କଥା ମୋର ମନେ ପଡେ ଯେବେ ମୋ ଝିଅ ସାନ୍ୟା ତା ଡଗ୍ କୁ ବିଭିନ୍ନ ତାଲିମ ଦିଏ।


ମୋ ଝିଅସାନ୍ୟା ଓ ପୁଅ ସୁବୁ ପରି ଆମେ ତିନି ଭାଇ ଭଉଣୀ ବି ଭାରି ପଶୁ ପକ୍ଷୀ ପ୍ରିୟ ଥିଲୁ।ଆମ ଘର ଗୋଟେ ଛୋଟ କାଠିଆ ନନ୍ଦନ କାନନ କହିଲେ ଚଳେ।ଗୁହାଳ ଘରକୁ ଲାଗି ଗୋଟେ ଘର।ସେଥିରେ କାଠି ପଞ୍ଜୁରୀ ରେ ଆମେ ଧଳା ମୂଷା, ଗୁଣ୍ଡୁଚି ମୂଷା,ନେଉଳ, ଶୁଆ,ପାରା, ବଣି ରଖିଥାଉ।ଘରେ କୁକୁର ଓ ବିଲେଇ ବି। କୁହନ୍ତି ପାରାର ସବୁଠାରୁ ପ୍ରିୟ ଖାଦ୍ୟ ମୂଷା।ହେଲେ ଆଶ୍ଚର୍ଯ୍ୟ ଆମ ପୋଷା ପାରା ଓ ମୂଷା ବି ବେଳେ ବେଳେ ଏକତ୍ର ଖେଳନ୍ତି ! ପରସ୍ପର ମଧ୍ୟରେ ଭଲ ପାଇବା ସୃଷ୍ଟି ହୋଇଗଲେ ବୋଧେ ଖାଦ୍ୟ ଓ ଖାଦକ ବି ନିର୍ଭୟରେ ରହି ପାରନ୍ତି।ସେମାନଙ୍କୁ ଆମେ ଅନେକ କଳା କୌଶଳ ଶିଖାଇ ଥାଉ। ରବିବାର ଦିନ ଆମ ଘରେ ଭାରି ମଜା ହୁଏ।ସବୁ ସାଙ୍ଗ ଓ ଗାଁ ଲୋକେ ବି ଆମ ପୋଷା ଜୀବଙ୍କ କରାମତି ଦେଖିବାକୁ ଆସନ୍ତି।ଗଲା ବେଳେ କୁହନ୍ତି ବାଘକୁ ମନେଇ ଲୋକେ ସର୍କସ ଦେଖେଉଛି ଅବିଶ୍ବାସ କାଇଁକି ହେବ !! ଏ ଟିକି ଛୁଆ ଗୁଡା କେମିତି ତାଲିମ ଦେଇ କେତେ କଥା ଶିଖେଇ ଛନ୍ତି ଓ ସେଇ ଜୀଵ ଗୁଡା ବି ତାଙ୍କ ବୋଲ ମାନି କରୁଛନ୍ତି !!


ମୋର ସବୁଠୁ ପ୍ରିୟ କୁକୁର ଟିପୁ ଓ ଗୁଣ୍ଡୁଚି ମୂଷା ବବ୍ଲୁ।

ବବ୍ଲୁ ଡାକିଦେଲା ମାନେ ଆସି ଦୁଇ ଗୋଡ଼ ଟେକି ନମସ୍କାର ମୁଦ୍ରାରେ ବସିଯିବ।ଧାନ କେମିତି ଖାଇବୁ ବବ୍ଲୁ ? ଦାନ୍ତ ଦେଖେଇ ଟୁକୁ ଟୁକୁ କରିବ।ବବ୍ଲୁ ସୁନା ପୁଅ ଟିକେ ପାଣି ଆଣି କେମିତି ଦୌଡ଼ିବୁ ଦେଖେଇଲୁ।କୁଦି କୁଦି ଗୋଟେ ହାତ ଅଣ୍ଟାରେ ଦେଲା ପରି କରି ଚାଲିବ। ଡାହାଣୀ ଲାଗିଲେ କେମିତି ଝାଡ଼ିବୁ ବବ୍ଲୁ।ତା ଲାଞ୍ଜକୁ ଫୁଲାଇ ଚଅଁର ହଲେଇଲା ପରି କରିବ।ମୋ ଗୋଡ଼ ଦେଇ କାନ୍ଧ ଉପରକୁ ଚଢିଯିବ ଓ ଟା ଟା କରିବ ।ଲୋକେ ଖୁସି ହୋଇ କିଛି କିଛି ଖାଦ୍ୟ ଦିଅନ୍ତି ଆମ ପୋଷା ଜୀବକୁ।ଏଣୁ ସେମାନଙ୍କ ଖାଦ୍ୟ ସମସ୍ୟା ଆଦୌ ରୁହେନି।ଦିନ ସାରା ସେମାନେ ମେଳା ବୁଲନ୍ତି ଘରେ।ରାତିରେ ଯେଝା ପଞ୍ଜୁରୀରେ ରୁହନ୍ତି।


ମୁଁ କଲେଜ ଆସିଲା ପରେ ମୋ ଦୁଇ ଭାଇ ଏମାନଙ୍କ ଯତ୍ନ ନେଉଥିଲଡ଼ ।କଲେଜରୁ ଯେମିତି ଘରକୁ ଆସିବି କି ଦେଖିବ ସେମାନଙ୍କ ଖୁସି।କିଏ ଚାଟି ପକେଇବ , କିଏ କୋଳରେ ବସି ପଡିବ।କିଏ ଦେହରେ ଘଷି ହେବ।


ଆଉ ବବ୍ଲୁ !! ମୋ ଦେହ ସାରା ଶୁଙ୍ଘିଯିବ।ଗାଲରେ ମୁହଁ ଘଷି ମକ୍ କାନ ପାଖରେ ଚିଇଁ ଚିଇଁ ହୋଇ ସତେ ଯେମିତି ପଚାରିବ ,ଅନି ତୁ ଆମକୁ ଛାଡି କୁଆଡେ ପଳାଉଛୁ ?


ସେ ଥର ଦଶହରା ଛୁଟିରେ ଗାଁ କୁ ଯାଇଥାଏ।ସବୁ ପୋଷା ଜୀଵ ଧାଇଁ ଆସିଲେ।କିନ୍ତୁ ବବ୍ଲୁ ଆସିଲା ନାହିଁ।ମୁଁ ଡାକ ପକାଇଲି ବବ୍ଲୁ ହେ ବବ୍ଲୁ।ତଥାପି ସେ ଆସିଲା ନାହିଁ ।


ସେ ରହୁଥିବା ଘରେ ଖୋଜିଲେ ବି ନଥିଲା।ବୁଲିବାକୁ ବାହାରକୁ ଯାଇଛି କି ଭାବି ବାଡ଼ି ପଟକୁ ଯାଇ ଡାକିଲି ବବ୍ଲୁ ହେ ବବ୍ଲୁ ଉ ଉ। 


ମୋ ଭାଇ ମାନେ ସେତେବେଳେକୁ କାନ୍ଦ କାନ୍ଦ ହୋଇଗଲେଣି।ମା ଆସି ମୋ କାନ୍ଧରେ ହାତ ରଖି କହିଲା, ଦୁଇ ଦିନ ହେଲାଣି ବବ୍ଲୁ କୁଆଡେ ଚାଲି ଯାଇଛି।ଖୋଜି ଖୋଜି ପାଉନୁ ତାକୁ।କିଏ ବୋଧେ ମାରି ଦେଲା କିବା ଲୋଭେଇ କି ଲୁଚେଇ ରଖିଛି କେଉଁଠି। 


ନା ମୋ ବବ୍ଲୁ କେଉଁଠି ରହି ପାରେନା।ମୁଁ ଚିତ୍କାର କଲି ବବ୍ଲୁ...


ସତକୁ ସତ ବବ୍ଲୁ ଆମ ପଡ଼ିଶା ଆଶିଷ ଘର ଆଡୁ ଦ୍ରୁତ ଗତିରେ ଦୋୖଡି ଆସି ମୋ ଦେହ ଉପରକୁ ଚଢ଼ିଗଲା।କେତେ ଗେଲ କଲା। ସେ କାନ୍ଦି ଥିଲା ବୋଧେ।ଲୁହ ଦୁଇ ଧାର ଶୁଖି ଯାଇଥିଲା ତା ଲୋମଶ ଗାଲ ଉପରେ।ମୋ କାନ ପାଖରେ ସତେ ଯେମିତି କଣ କହିବାକୁ ଚାହୁଁଥିଲା।ଆଦୌ ମୋ କାନ ପାଖରୁ ମୁହଁ ନେଉ ନ ଥିଲା।


ହେ ବବ୍ଲୁ କଣ କରୁଛୁ ? ଦୁଷ୍ଟ ହୋଇଗଲୁଣି।ହେଉ କାଲି ତୋ କଥା ବୁଝା ହେବ କହି ତାକୁ ଟିକେ ଗେଲ କରିଦେଲି।ସେଦିନ ଆଉ ସେ ପଞ୍ଜୁରୀ ଭିତରକୁ ଗଲା ନାହିଁ।ମୋ ପାଖେ ମୋ କୋଳରେ ମୁଣ୍ଡ ଗୁଞ୍ଜି ଶୋଇଲା।ବବ୍ଲୁ ଓ ମୋ ସମ୍ପର୍କ ଗୋଟେ ଗୁଣ୍ଡୁଚି ମୂଷା ଓ ଜଣେ ମଣିଷର ନଥିଲା।ଥିଲା ଅନ୍ତରଙ୍ଗ ଦୁଇ ବନ୍ଧୁ ପରି।ବବ୍ଲୁ ମୋତେ ଓ ମୁଁ ବବ୍ଲୁକୁ ଖୁବ ଭଲ ପାଉଥିଲୁ।


ମା ବାପା କହିଲେ ଆର୍ ଜନ୍ମରେ ବବ୍ଲୁ ମଣିଷ ଛୁଆ ଥିଲା।ଦେଖୁନ କେମିତି ଛୁଆ ଙ୍କ ପରି ତା ବ୍ୟବହାର।ଅନି କୁ ଖୁବ୍ ଝୁରୁଛି ସେ।


ସକାଳ ହେଲା।ସମସ୍ତେ ଉଠିଲେ।


ଏ ବବ୍ଲୁ ଉଠ୍।


ସେ ଶୁଣିଲା ନାହିଁ।


ମୁଁ ନାହିଁ ଓ ଆକଟ କରୁନାହିଁ ବୋଲି ଦୁଷ୍ଟ ହୋଇଗଲୁଣି ତୁ।


ଉଠ୍ ନଲେ ଦେବି ପାହାରେ କହି ବାଡିଟିଏ ଧରି ଖେଞ୍ଚି ଦେଲି।ସେ ଏପଟରୁ ସେପଟ ଗଡି ଗଲା। ଅନ୍ୟ ଦିନ ପରି ଆଖି ଖୋଲି ଚୁ ଉଁ ଚୁ ଉଁ ହେଲାନାହିଁ।


କଣ ହୋଇଛି କିରେ ବବ୍ଲୁ ? କହି ଉଠାଇ ଆଣିଲି।ସେତେବେଳେକୁ ସେ କାଠ ହୋଇ ଯାଇଥିଲା।


ବବ୍ଲୁ ମୋର ଚିର ନିଦ୍ରାରେ ଶୋଇଗଲା ସବୁଦିନ।


ପରେ ଜଣିବାକୁ ପାଇଲୁ ଆଶିଷ ତାକୁ ଦୁଇ ଦିନ ହେଲା ବାନ୍ଧି ରଖିଥିଲା।ତାକୁ ଏମିତି କର, ସେମିତି କର କହିଲା।ନ କଲାରୁ ବହେ ପିଟିଥିଲା।ଶେଷରେ ତାକୁ ବିଷାକ୍ତ ଖାଦ୍ୟ ଦେଇଥିଲା। ଆନି କଲେଜରୁ ଆସି ଡାକିବାରୁ ଧରା ପଡିଯିବା ଭୟରେ ବବ୍ଲୁକୁ ଛାଡି ଦେଇଥିଲା।


ହେ ଭଗବାନ ! ସେଇପାଇଁ ବବ୍ଲୁ ମୋ କାନ ପାଖରୁ ଆସୁ ନଥିଲା !! ବୋଧେ କିଛି କହୁଥିଲା।କାଶ୍ ମୁଁ ତା ଭାଷା ବୁଝି ପାରିଥାନ୍ତି !



Rate this content
Log in

Similar oriya story from Tragedy