Anasuya Rout

Tragedy

4  

Anasuya Rout

Tragedy

ବାଉରିପାଟ

ବାଉରିପାଟ

7 mins
420


ନୁଖୁରା ବାଳ ଉପରେ ପୂରୁଣା ସୂତା ଶାଢୀର ଆବରଣ ଆଗକୁ ସିନ୍ଦୁରା ଫାଟିବାର ଦୃଶ୍ଯ ।ସୁହାଗିନୀର ସୀମନ୍ତ.. ଧାଡିଏ ନାଲିସିନ୍ଦୁର ।ଦୁଇ ଭୃଲତା ମଝିରେ ସିନ୍ଦୁର ଟୋପା।ସତେ ଯେମିତି ସୁନ୍ଦର ଦୁଇ ପର୍ବତ ମଝିରେ ଉଷା ରାଣୀ ହସି ହସି ଉଇଁ ଆସୁଛନ୍ତି।ହରିଣୀ ପରି ଆଖି ଦୁଇଟି କାହାର ଭୟରେ ଯେମିତି ନିଜ ଆଖି ଦୁଇଟିକୁ ସ୍ଥିର କରି ପାରୁନି।ନିରବରେ ବସିଛି କିନ୍ତୁ ମନ ଆଶଙ୍କାରେ ଛନ୍ନ।କିଏ ସେ ଏକୁଟିଆ ପୋଖରୀ ମୂଳରେ ବସିଛି।କାହାକୁ ଅପଲକ ନୟନରେ ଚାହିଁ ବସିଛି ।ଛୁଞ୍ଚି ପରି ନାକରେ ପଥର ଲଗା ନାକ ଫୁଲଟି ସାମାନ୍ଯ

ଚିକ ଚିକ କରୁଛି।ନାକ ତଳକୁ ନିରବ ହୋଇ ଗୋଲାପି ଓଠ ଟି ଯେମିତି ସୁଖିଲା ପଡିଛି।ନାଁ ହସ ନା ଆବେଗକୁ ବାହନ କରିଛି ।ଦୁଇ ହାତରେ ଦୁଇ ମୁଠା ପାଣି କାଚ ।ହାତରେ ମାଟି କଳସୀଟିଏ ପୋଖରୀ ଭିତରୁ ଅଧା ପାଣି ପୂରେଇ ହାତରେ ଧରି ରହିଛି ।କାହା କଥା ଭାବୁଛି ...କ'ଣ ଭାବୁଛି ସେ ବସି।ଆଲୋ ଆଲୋ ଏ ପରା ସୁନୀ ନୁଆବୋଉ...!ମୁଁ କାହିଁକି ଏମିତି ଧରି ବସିଛି।

ମିନା ପାଣି ପାଇଁ ବାଉରିପାଟ ଯାଇଛି ।ପାଣି ଆଇଁଲେ ସିନା ଚୂଲି ନଗେଇବ।ବେଳ ବୁଡିଲା ମାନେ ଝରି ପୋକ ଉଡିବେ ରାନ୍ଧି ହବନି।କିଏ କାଳେ ଅଛି ବୋଲି ଭୟରେ ଯାଉ ନଥିଲା।ବାଉରିଆପାଟକୁ ସମସ୍ତେ ବାଉରିପାଟ ବୋଲି କହନ୍ତି।

କି ଖରାଦିନ କି ଚତୁରିମାସ ସବୁବେଳେ ଗାଁଟା ସାରା ଲୋକ ସେଇ ପୋଖରୀରୁ ପାଣି ଖାଆନ୍ତି। ରୋଷେଇ ଠାରୁ ହାଣ୍ଡି ପଖାଳିବା ଯାଏ ସବୁ ତାରି ଉପରେ ନିର୍ଭର।ପାଣି ସୁଖି ତଳକୁ ଖସି ଗଲାଣି । ସେଇଥିରୁ ସମସ୍ତଙ୍କୁ ପାଣି ନେବାକୁ ହୁଏ। ପୋଖରୀ ଭିତରକୁ ଯିବାକୁ ଅତରା ଖସୁଛି ବୋଲି ବାଉଁଶ ଖିଲ ମରା ହେଇଛି ଦୁଇ ପଟରେ।ତଳେ ବାଉଁଶ ସିଡି । ସେଇ ପାହାଚ ପାହାଚ ଡେଇଁ ମିନା କଣେଇ ଦେଖିଲା ସୁନୀ ନୂଆବୋଉ। ଧିରେ ଧିରେ ନୂଆବୋଉ ଆଡକୁ ପାଦ ପକେଇଲା।

ନୂଆବୋଉ ...ନୂଆବୋଉ....ଏ କ'ଣ କରୁଛ। ମାଠିଆ ଭାସିଗଲା ବା । ଆଁ...ଭାବନା ରାଇଜରୁ ଫେରିଆସିଲା ସୁନୀ । ଏ ମିନା ...ମିନା...ମୋ ମାଠିଆଟା ଭାସିଗଲା ଭାସିଗଲା..। ମିନା ନିଜ ମାଠିଆକୁ ସୁନୀ ନୂଆବୋଉ ହାତକୁ ବଢେଇ ସାଙ୍ଗେ ସାଙ୍ଗେ କୁଦି ପଡିଲା ପାଣି ଭିତରକୁ। ମାଠିଆରେ ପାଣି ଆଣି ଉପରେ ଥିରକିନା ରଖିଲା। କ'ଣ ହେଇଛି ନୂଆବୋଉ...! ଏତିକି ପଚାରି ଦେଲା ମିନା। କୁଣ୍ଢେଇ ପକେଇଲା ସୁନୀ। ଭୋ ...ଭୋ ହୋଇ କାନ୍ଦି ଉଠିଲା ସୁନୀ । ନାକ ସୁଁ ସୁଁ କରି ଧକେଇ ହେଲା । ସୁନୀର କାନ୍ଦକୁ ଦେଖି ମିନା ଆଖିରୁ ବାଡ ବତା ଡେଇଁ ବୋହି ଆସୁଥିଲା ଝର ଝର ଲୁହ। କ'ଣ ହେଇଛି ନୂଆବୋଉ କାହିଁ କାନ୍ଦୁଛ ? କୁନା ଭାଇ ତମକୁ କ'ଣ କହିଛି ? ନା ଲତା ବଡବୋଉ ...?

ନାଇଁ ମିନା କ'ଣ ମିଳିବ ସେ ସବୁ ଶୁଣିଲେ।ମରିଗଲେ କି ପୋଡିଗଲେ କାହାର ନିଘା ନାହିଁ।କିଏ ପଦେ ଆହା କହିବାକୁ ନାହିଁ। ତୁମେ ପଦେ ପଚାରିଦେଲ ମନ କଥା ମନରେ ଜଳୁଥିଲା। ଆହା ପଦେ କହିଲ ବୋଲି କଲିଜା ଥଣ୍ଡା ପଡିଲା। କିଏ ବୁଝେ ଏ ମନ ଗହନର କଥା।ଚାଲ ମୁଁ ତୁମ କାଖକୁ ମାଠିଆ ଦେଉଛି । ନ ହେଲେ ବୋଉ କହିବେ କୋଉ ସଉତୁଣୀ ସାଙ୍ଗେ ଟୁପୁ ଟୁପୁ ହଉଥିଲୁ ଘର ଭାଙ୍ଗି। ତମକୁ ଅନେଇଥିଲି ଆସିଲେ ପଦେ ଅଧେ କଥା ହେବି ବୋଲି। ମନ କଥା ସବୁ ଏଇଠି ଖୋଲିଦିଏ।ଏଇ ଶୂନ୍ଯତା ଭିତରେ ଯେମିତି କେହି ମୋ କଥା ଶୁଣେ ସେମିତି ଲାଗେ। ଲୁହ ବୋହି ଗଲା ପରେ ମନ ଶୀତଳ ପଡିଯାଏ। ସବୁକିଛି ପୂର୍ବଅବସ୍ଥାକୁ ଫେରିଆସନ୍ତି ଯେମିତି। ହଁ ନୂଆ ବୋଉ ମୁଁ ତମ କଥା ସବୁ ବୁଝିନପାରିଲେ ବି କିଛି କିଛି ବୁଝେ। ବାପଘରେ ସିନା ଯାହାକଲେ କିଛି ନାହିଁ। ଖାଇଲେ କି ନ ଖାଇଲେ ବାପା, ବୋଉ ପେଟ ଦରାଣ୍ଡିବେ। ଶାଶୁ ଘରେ କିଏ ତୁମ ପେଟ ଦରାଣ୍ଡିବାକୁ ଅଛି। ତୁମେ କେଇଦିନ ହେବ ଖାଇନ ନୂଆବୋଉ...? ନାଇଁ ମୁଁ ଖାଇଛି। ହେଲେ ତୁମ ମୁହଁ ଆଉ ଓଠ କ'ଣ କହୁଛନ୍ତି ତୁମେ ଖାଇନ ବୋଲି । ତିନି ଦିନ ହେବ ଖାଇନି।କାହିଁ. ..?ମୁଗଡାଲି ଘୋରୁ ଘୋରୁ ହାଣ୍ଡି ଭାଙ୍ଗି ଚୂଲିରେ ପଡିଗଲା।ବୋଉ ମୋତେ ଖାଇବାକୁ ମନାକରିଛନ୍ତି ।ମୋ ପ୩ଇଁ ଚାଉଳ ପଡିବା ମନା ତାଙ୍କର । ମୋ ବାପଘରୁ ମୁଁ କିଛି ତାଙ୍କ ଇଛାନୁସାରେ ଆଣିନି । ଏପଟେ ଯଦି ଏମିତି ଖିନିଖରାପ କରିବି ସେ ସହିବେ ବା କେମିତ...?ନୂଆ ବୋଉ ସେ କେମିତି ଏମିତି ନିଷ୍ଠୁର ହେଇଗଲେ।ମୁଁ ଯିବି ପଚାରିବି ବଡବୋଉକୁ ସେ ମଣିଷ ନା ଦାନବ।

ନାଇଁ ମୁଁ ତୁମ ହାତ ଧରୁଛି ମିନା ମୋ ମା'ଟା ପରା ସେମିତି କରିବନି । ନ ହେଲେ ସେ ମୋତେ ଘରୁ ବିଦା କରିଦେବେ। ସବୁବେଳେ ଧମକଉଛନ୍ତି ମୋତେ ବିଦାକରି ତାଙ୍କ ପୁଅକୁ ଆଉଗୋଟା ବାହା କରେଇବେ। ଯାନି ଯୌତୁକ ଆଣିବେ।ହଉ ହେଲା ନୂଆବୋଉ ମୁଁ କିଛି କହିବିନି।

ମିନା, ସୁନୀ ଗୋଟିଏ ଘରର ଝିଅ ବୋହୂ ।ଦୁଇ ଘର କିନ୍ତୁ ଭିନ୍ନ ହୋଇଯାଇଛନ୍ତି। ଗୋଟିଏ ଘର ଭିତରେ ମିନା ପେଟପୂରା ଖାଇ ଆରାମରେ ରହୁଥିବା ବେଳେ।ସେଇ ଘରେ ସୁନୀ ଶାଶୁଙ୍କ ଗଞ୍ଜଣା ସହି ଉପାସ ରହୁଛି।ସେଥିରେ ପୁଣି କୋଳରେ ବରଷକର ପୁଅ କାହ୍ନୁ। ସେ ପୁଣି ଖିର ଖାଇବ।କେମିତି ଜଣେ ଏତେ ନୃଶଂସ ହୋଇପାରେ...?

ଲତାବୁଢୀ ବୁଢୀ ହେଲାଣି।ନିଜର ତିନିଟା ବଡଝିଅ ପରେ କୁନା।ସମସ୍ତଙ୍କୁ ବାହାଦେଇଛି।ସେ ଝିଅ ମାନଙ୍କର ସୁଖ ଦୁଃଖ ତ ବୁଝିଥିବ।ଯଦି ମୁଗଡାଲି ଚୂଲି ଉପରେ ବସେଇ ଘୋରୁ ଘୋରୁ ଭୂଲଟାଏ ହେଇଯାଇଛି। ତା' ବୋଲି କ'ଣ ଏଇ ଦଣ୍ଡ। କୁନା ଭାଇ ସାଙ୍ଗରେ ସୁନୀକୁ କଥା କରେଇ ଦିଏନି ଲତାବଡବୋଉ। ଗୋଡେ ଗୋଡେ ଜଗିଥିବ। ପଦେ ପଦେକେ ଖୁଣ୍ଟିଆ ଦେଉଥିବ ବୋହୂକୁ। ଦିନକୁ ଦଶ ବାର କହୁଥିବ। ତୋ ମା' ତୋତେ ଏଇକାମ ଶିଖେଇ ପଠେଇଛି । ତୋ ବୋପା ତ କିଛି ଦେଇନି ନୁଗୁଆ ଖଣ୍ଡେ ପିନ୍ଧେଇ ପଠେଇ ଦେଇଛି ଏ ଘରେ ଅନ୍ନଧ୍ବଂସ କରିବାକୁ ।

ମିନା ସେ ଘରେ ଥାଇ ପଦେ ଅଧେ ଶୁଣୁଥାଇ। ହେଲେ ତାଙ୍କ କଥାରେ ମୁଣ୍ଡ ନ ପୂରେଇବାକୁ ବୋଉର କଡା ତାଗିଦ। ଲତା ବଡବୋଉ ମୋ ବୋଉ ସାଙ୍ଗରେ କଳି କରି କହିବ ତୋ ଝୁଅ ମୋ ଘର ଭାଙ୍ଗିଲା। ସେଇ ଡରରେ ସେ କିଛି କୁହେନି। ଦି ତିନି ବର୍ଷର ବୋହୂ ସୁନୀ ଭାଉଜ

ଖଣ୍ଡେ ଭଲ ଲୁଗା ଦେବନି ପିନ୍ଧିବାକୁ ବାପଘରୁ ଯୋଉ ଖଣ୍ଡେ ଆଣିବ ସେଇଆକୁ ସାତ ସିଆଁ କରି ପିନ୍ଧୁଥିବ।କୁନା ଭାଇଟା ବୋଉ ବୋଲିଆ।

ସାବୁନ ଟିକେ ନାଇଁ କି ତେଲ ଟିକେ ନାଇଁ । ନୁଖୁରା ପଡିଥିବ ସେମିତି । ଦିନ ମାନ ସାରା ଏକୁଟିଆ ଟାଣି ଓଟାରି ହେଇ କାମ କରୁଥିବ। ନାତି ସରଗେ ଜାଳିବ ବତୀ...! ଏଇ ଗୀତ ଗାଉଥିବ ଲତା ବଡ ବୋଉ ଦାଣ୍ଡ ପିଣ୍ଡାରେ ବସି।

ଲତା ବଡବୋଉ ନିତି ହଳଦିତେଲରେ ପାଚି ପାଚି ରହିବ।ତାକୁ ସେଇ ସୁନୀନୂଆବୋଉ ଘସା ମୋଡା କରୁଥିବ।ଜହ୍ଲା ବଡବାପା ଘରେ ପଡିଗଲାଣି।ଘୂଅ ମୂତ ସବୁ ସେଇ ସୁନୀ ଭାଉଜ ସଫା କରିବ।ଖୁଆଇ ଦେବ, ପିଆଇ ଦେବ, ଲୁଙ୍ଘି ପିନ୍ଧେଇଦେବ। କେମିତି ଜହ୍ଲାଦ ଗୁଡା ସେ ଘରେ ରହୁଛନ୍ତି କେଜାଣି. ..?ତାଙ୍କ ମନ ଟିକେ ତରଳେଇନି।

ମିନା ରାନ୍ଧିସାରି ବାପା,ବୋଉଙ୍କୁ ଖାଇବାକୁ ବାଢିଦେଇ ଖାଇ ବସିଲା। ବୋଉ...! ହଁ କ'ଣ କହୁନୁ। ସୁନୀ ନୂଆବୋଉ ତିନିଦିନ ହେବ ଖାଇନି...! ପାଟି ଚୁପ କରି ଖା।ମିନାର ପାଟିକୁ ହାତ ଯାଉନି । ବୋଉ ...ବଡ ବୋଉ କେମିତି ଏମିତି କରିପାରୁଛି...?କୁନି,କି ବିନି ଦେଇ ଶାଶୁ ଯଦି ଏମିତି କରିଥାନ୍ତେ ..?କି ମଞ୍ଜୁଦେଇ ଶାଶୁ ଏମିତି କରିଥାନ୍ତା। ଲତା ବଡବୋଉ କୁ କେମିତି ଲାଗିଥାନ୍ତା?ସେ କ'ଣ କରୁଛନ୍ତି କ'ଣ ନାହିଁ କିଏ ଜାଣିବ ..?ତୋ ବୁଢୀ ମା' କ'ଣ କମ ଅବସ୍ଥା କରିଛି ମୋତେ।ବୁଢୀ ଜାଣିଲେ ମୋ ଜୀବନ ନେଇଯିବ। ବୋଉ ମା' ତ ତା' ବାପଘର ଯାଇଛି । ସୁନୀ ନୂଆବୋଉର ଯଦି କିଛି ହେଇଯାଏ ମୁଁ ସହିପାରିବିନି।ହଉ ଚୁପ ଚୁପ କହ କିଏ ଶୁଣିବ।ଖାଇ ସାର ମୁଁ ଦେଖୁଛି କ'ଣ କରିହେବ।କାଲି ସାବିତ୍ରୀ ବ୍ରତ ଆଜି ନ ଖାଇଲେ କାଲିକି ଚାରିଦିନ ।

ବୋଉ ...ଲତା ବଡବୋଉ ଏମିତି କାହାଉପରକୁ ପାଟି କରୁଛି। କାହାକୁ ଆଉ ସେଇ ସୁନୀକୁ ତ ଅସରଣିଆ ଦେଖିଛି ଆଉ କାହାକୁ ପାଟି କରିବ। ମିନା ଅଧା ଖାଇବାରୁ ଉଠି ଯାଇଛି। ମିନା ଏମିତି ଅଧାରୁ ଉଠି ଯାଉଛୁ କାହିଁକି। ମୋତେ ଭୋକ ନାହିଁ ବୋଉ...।

ମିନା ଘର ଭିତରକୁ ପସିଯାଇଁ ଭୋ ଭୋ ହୋଇ କାନ୍ଦିଛି।ଆଜି ସୁନୀ ନୂଆବୋଉ ଯେଉଁ ଅବସ୍ଥାରେ କାଲି ମୁଁ ବି ଏଇ ଅବସ୍ଥାରେ ଥିବି।ଆଉ କିଛି ଉପାୟ ନାହିଁ।ଆଜି ମୋ ପାଖରେ ଜୀବନ ଅଛି କାଲି ବାହାହେଇ ସାରିବା ପରେ ଏ ଜୀବନ ଥାଉଁ ଥାଉଁ ମୁଁ ମରିଯିବି।

ଆଜି ଯଦି ମୁଁ ମୁଠାଏ ଭାତ ତା' ପେଟକୁ ଦେଇଥିବି କାଲି ହୁଏତ ମୋତେ କେହି ଆହା ପଦେ କହିବ।ବୋଉ କଥା ନମାନି ମିନା କଂସାରେ ଭାତ ବାଢିଲା,ତାଟିଆରେ ତିଅଣ ବାଢି ବାରିପଟ ରୋଷେଇ ଘର ପାଖରେ ସୁନୀ ନୂଆବୋଉକୁ ଅନେଇ ରହିଲା।ନୂଆବୋଉ କାମ ସାରି ଚୂଲି ମୂଳକୁ ଆସିବ।ଫୁଟଣ ଡାଲା ଥୁଆ ହେଇଛି।ତେଲକାଚ

ଥୁଆ ହେଇଛି ନବାକୁ ତ ଆସିବ ନିଶ୍ଚୟ। ବଡ ବୋଉ ଘର ଭିତରୁ କିଛି ଗୋଟାଏ ଦୁମ କିନା ପଡିବାର ଶବ୍ଦ ହେଲା। ମୀନା କାନେଇ ଶୁଣିଲା। ସୁନୀ ନୂଆ ବୋଉର କଇଁ କଇଁ ଶବ୍ଦ। ବଡ ବୋଉ ଗୋଡରେ ତେଲ ଲଗଉଚି ତାହେଲେ। କିଛି କଥା ଘର ଭିତର ମାଟି କାନ୍ଥ ଦେଇ ବାହାରକୁ ଆସୁଥିଲା। ସୁନା ଅଣ୍ଡାଦିଆ ଚଢେଇ ଅଣ୍ଡା ଦେଇ ଛୁଆ ଫୁଟେଇ ସାରିଲେ ଚଢେଇର କି ଆବଶ୍ଯକତା । ଆଉ କିଛି ଶୁଭିଲାନି । ହେଲେ କଂସା ଢାଳଟା ଗଡି ଗଡି ଆସି ମିନା ଗୋଡ ପାଖରେ ।ଢାଳକୁ ସଳଖି ରଖିଲା। ରକ୍ତକୋଉଠୁ ଆସିଲା ! ନାଁ ଆଉ କ'ଣ...! ସିନ୍ଦୁର ଲାଗିଥିବ ବୋଧେ। ନୂଆବୋଉ କାଲି ପାଇଁ କ'ଣ ସଜଡା ପଜଡା କରୁଛି ବୋଧେ। ମିନା ସେଇଠି ଅପେକ୍ଷା କରି ବସିଲା। ହେଲେ ନୂଆବୋଉ ଆଉ ଆସିଲାନି। ମିନାକୁ ଖୋଜି ଖୋଜି ତା' ବୋଉ ବିଦୁ ଆସି ପହଞ୍ଚିଲା । ତୁ ଏଇଠି ଭାତ କଂସା ଧରି ବଇଛୁ।ମୁଁ ତୋତେ ଘର ସାରା ଖୋଜି ସାରିଲିଣି। ଚାଲ ଶୋଇବୁ ରାତି ଅଧ ହେଲାଣି । ମିନାକୁ ରାତିରେ ନିଦ ନାହିଁ।ସକାଳ ହେଲେ ସୁନୀ ନୂଆବୋଉକୁ ଦେଖିବ। ଓଷା ହେଇଥାଉ ଫଳ ମୂଳ ତ ଖାଇ ପାରିବ ନା ନାହିଁ?

ସକାଳ ଶୂନସାନ କାହାର ପାଟି ଶୁଭୁନି। ସମସ୍ତେ ସମସ୍ତଙ୍କ କାମରେ ଲାଗିପଡିଛନ୍ତି। ହେଲେ ଏକା କାହ୍ନୁ କାନ୍ଦୁଛି ରାହା ଧରି। ମିନା ଲତା ବଡବୋଉକୁ ଚାହିଁଲା।ଆଜି କାହିଁ ସକାଳୁ ରାଉ ରାଉ ନ ହେଇ ଚୁପ ବସିଛି।କୁନା ଭାଇ କାମକୁ ଗଲାଣି ବୋଧେ। ସୁନୀ ନୂଆ ବୋଉ..! ମୋତେ ଅନେଇନି ତ ପୋଖରୀ ମୂଳରେ ପାଣି ପାଇଁ ଯାଇଛି ବୋଧେ।

ମାଠିଆରେ ଅଳ୍ପ ପାଣି ଥିଲା। ମିନା ପାଣିକୁ ହାଣ୍ଡିରେ ଅଜାରି ଦେଇ ପାଦ ବଢେଇଲା ବାଉରିପାଟକୁ । ସୁନୀ ନୂଆବୋଉକୁ ପଚାରିବ କାଲି କାହିଁ ରୋଷେଇ ଘର ପଛକୁ ଆସିଲାନି। ତାକୁ ଅନେଇ ଅନେଇ ମୋର ରାତି ଅଧ ହେଲା। ଗାଁ ବରଗଛ ପାର ହୋଇ ସାରିଛି। ଦିଟା ଘୋରୀ ଡେଇଁଲେ ବାରିଆପାଟ ଘୋରି ସେଇ ଘୋରି ଡେଇଁଲେ ପୋଖରୀ। ସୁନୀ ନୂଆବୋଉ କାଳେ ପାଣି ଆଣି ଚାଲି ଆସିବ ମିନା ଝଅଟ ଝଅଟ ପାଦ ପକଉଥାଏ।

ସକାଳୁ ସକାଳୁ ପାଣିରେ ସର ପଡି ଯାଇଛି । କେହି ପାଣି ପାଇଁ ଆସି ନାହାଁନ୍ତି ତାହେଲେ। ଆଗକୁ ଆଗକୁ ପାଦ ପକେଇଲା। ଏଇ ପାଣି ଉପରେ ସମସ୍ତଙ୍କ ନଜର ପତର ଗୋଟାଏ ବି କେହି ପକେଇବାକୁ ଦିଅନ୍ତିନି। ସେ ବା କେମିତି ପତର ଦେଖି ରହିପାରିବ। ପତର କାଢି କାଢି ତୁଠ ପାଖରୁ ମିନା ବହୁତ ଦୂରକୁ ଯାଇ ସାରିଥିଲା । ସୁନୀ ନୂଆବୋଉ ଏଠିକି ଆସିନି ଯଦି ପୋଖରୀ ପାଣି ଯାଇଥିବ। ଖାଇନି ପୋଖରୀ ପାଣି କେମିତି ଯିବ...?ଆସିକି ଗଲାଇଁ ତାହେଲେ ମପଁ ଦେଖିନି।

ବଡ ପାଟିରେ ଚିଲେଇ ଡାକିଲା ସୁନୀ ନୂଆବୋଉ....!ସକାଳୁ ସକାଳୁ ଏମିତି କେମିତି ସୁନୀ ନୂଆବୋଉ ପାଣିରେ ଭାସୁଛି। ଚାରିଆଡକୁ ଚାହିଁଲା କୋଉଠି ତା'ମାଠିଆ ବି ନାହିଁ। ହାଲ୍ଲା କରିଦେଲା ଗାଁ ଲୋକ ରୁଣ୍ଢ ହୋଇଗଲେ।ହାରିଯାଇଛି ଲୁହକୁ ଛାତିରେ ଚାପି ଚାପି ଓଠ ପିଇ ପିଇ ସୁଖି ଯାଇଛି। ପାଟିରୁ ଶବ୍ଦ ବାହାରୁନି। ମିନା ଓଲଟେଇ ଦେଖିଲା। ଚାରିଦିନ ହେବ ଭୋକିଲା, କିଏ ଅଛି ତା'ର ପେଟ ଦରାଣ୍ଡିବାକୁ। ପାଣିରୁ ଲୋକମାନେ ଛାଣି ଆଣି ଦାଣ୍ଡରେ ଶୁଆଇ ଦେଇଛନ୍ତି। ମିନା ପାଗେଳି ପରି ଡାକୁଛି ସୁନୀ ନୂଆବୋଉ ଉଠ ଉଠ କାହ୍ନୁ କାନ୍ଦୁଛି। ପଛ ମୁଣ୍ଡ ଫୁଲିଛି। ମନ ପଡିଛି କଂସା ଢାଳରେ ରକ୍ତ କଥା ଘରକୁ ଦୌଡି ଯାଇଛି ଭିଡ ଭିତରୁ ଲୋକଙ୍କୁ ଆଡେଇ। ସେ କାଲି ରାତିରେ ଠିକ ଭାବିଥିଲା ସିନ୍ଦୁର ନୁହେଁ ରକ୍ତ ଲାଗିଛି। ସୁନୀ ନୂଆବୋଉର ମୁଣ୍ଡଫଟା ରକ୍ତ। ଲତା ବଡବୋଉ ନୁହେଁ ସେ ଗୋଟେ ପିଶାଚିନୀ ମୋ ସୁନୀନୂଆବୋଉର ରକ୍ତ ପିଇଛି ସେ। ସବୁକିଛି ଜାଣିବି ସମସ୍ତଙ୍କ ପାଟି ଚୁପ । ସୁନୀ ଆତ୍ମହତ୍ଯା କରିଛି । ଶେଷରେ ଏଇ କଳଙ୍କ ମୁଣ୍ଡେଇ ଯାଇଛି ସୁନୀ ନୂଆବୋଉ।


Rate this content
Log in

Similar oriya story from Tragedy