Asish Ranjan Dash

Abstract

2  

Asish Ranjan Dash

Abstract

ବାଉଁଶ ପୋଲ

ବାଉଁଶ ପୋଲ

4 mins
57


ଦୁଇଟି ରାଜ୍ୟ ସୀମାନ୍ତରେ ଅବସ୍ଥିତ ଏକ ଅଖ୍ୟାତ ଗାଁ । ଗାଁ ର ତିନି ପାଖ ବନସ୍ତରେ ପୂର୍ଣ୍ଣ । ଚତୁର୍ଥ ପାଖରେ ଗାଁ କୁ ଲାଗି ନଈ ଟିଏ ବହିଯାଇଛି ଯାହା ଦୁଈ ରାଜ୍ୟର ସୀମା ପ୍ରହରୀ ସଦୃଶ ଉଭା ଓ ସର୍ବଦା ଚଳଚଂଚଳ । ଗାଁ ରେ ପାଖାପାଖି ଆଠ ସହ ପରିବାର ଓ ସମୁଦାୟ ଅଢେଇ ହଜାର ଲୋକ ବସବାସ କରନ୍ତି । ଅଧିକାଂଶ ଚାଷୀ, ତେଣୁ ଖାଦ୍ୟାଭାବ ପ୍ରାୟତଃ ଦେଖାଯାଏନାହିଁ । ନଦୀର ଜଳ ଚାଷବାସ ଠାରୁ ଆରମ୍ଭ କରି ପିଇବା, ଧୋଇବା ସବୁ କାମ ପାଇଁ ପର୍ଯ୍ୟାପ୍ତ । ତେଣୁ ନଦୀକୁ ଗ୍ରାମବାସୀ ମାଆ ପରି ପୂଜା କରନ୍ତି ।

କିନ୍ତୁ ଏହି ନଦୀ ହିଁ ବିରାଟ ସମସ୍ୟା ସୃଷ୍ଟି କରୁଛି । ଏଇ ନଦୀ ଗାଁ ଟିକୁ ବାହ୍ୟ ଜଗତରୁ ବିଛିନ୍ନ କରୁଛି । ବାକି ତିନି ପାର୍ଶ୍ୱ ଅଗନାଅଗନି ବନସ୍ତ ଓ ନଦୀ ଆର ପାଖରେ ଏକ ଖ୍ୟାତ ସହର । ତେଣୁ କୌଣସି କାମ ପଡିଲେ ନଦୀ ପାର ହୋଇ ଯିବା ଛଡା ଅନ୍ୟ ଉପାୟ ନାହିଁ ।

ନଦୀ ପାର ହେବା ପାଇଁ ପ୍ରତିବର୍ଷ ଏକ ଅସ୍ଥାୟୀ ବାଉଁଶ ପୋଲ ତିଆରି ହୁଏ । ତାହା ପୁଣି ବର୍ଷା ଦିନ ନଦୀ ସୁଅ ରେ ଭାସିଯାଏ । ବର୍ଷା ଋତୁ ରେ କାଠ ତିଆରି ପୋତ ଓ ନାଉରିଆ ହିଁ ଭରଷା ।


ପିଲାଏ ପାଠ ପଢିବାକୁ କି ଲୋକ ରୋଗରେ ପଡିଲେ ଚିକିତ୍ସା ପାଇଁ ନଦୀ ପାର ହେବାକୁ ହିଁ ପଡେ । ବାଉଁଶ ପୋଲ ଦେଇ ପାର ହେବା ବେଳେ ଗୋଡ ଖସି ନଦୀରେ ପଡି ଯିବାର ଭୟ ମଧ୍ୟ୍ୟ ଥାଏ । କିନ୍ତୁ ଅନ୍ୟ ଉପାୟ ମଧ୍ୟ୍ୟ ନାହିଁ ।


ଗାଁର ସରପଞ୍ଚ ମହାଶୟ ସରକାର ଙ୍କୁ ନେହୁରା ହେଇ ହେଇ ଥକି ଗଲେ, ହେଲେବି ସରକାରଙ୍କ କୃପଦୃଷ୍ଟି ପଡିଲାନି । ସୀମାନ୍ତ ଗାଁ ଟାରୁ କେତେ ଭୋଟ ମିଳିବ ଯେ ଏତେ ଚିନ୍ତା କରିବେ ! ଏଇ ଦୁର୍ଗମ ସ୍ଥାନକୁ ଅସିବା ତ ଦୂରର କଥା ।


ହଠାତ ଦିନେ ସେ ଅଂଚଳର ବିଧାୟକ ବାବୁଙ୍କର ଚିଠି ପାଇ ସରପଞ୍ଚ ବାବୁ ଖୁସିରେ ଆତ୍ମହରା ହୋଇ ପଡିଲେ । ବିଧାୟକ ମହାଶୟ ଆସନ୍ତା ରବିବାର ଦିନ ଆସି ପହଁଚିବେ । ନଦୀ ସେ ପାଖ ଯାଏଁ ସେ ରାଜ୍ୟ ଦେଇ ଆସିବେ ଓ ସେଠୁ ଚାଲି ଚାଲି ପୋଲ ଅତିକ୍ରମ କରିବେ । ସବୁ ତର୍ଜମା କରି ସ୍ଥାୟୀ ପୋଲ ଟିଏ ପାଇଁ ସୁପାରିଶ କରିବେ । ଏହା ଥିଲା ତାଙ୍କ ଯୋଜନା ।


ସରପଞ୍ଚ ବାବୁ ଯୋଜନାରେ ଲାଗି ପଡିଲେ । ନଦୀ ଏପାଖରେ ଖାଦ୍ୟପେୟ ଓ ଅସ୍ଥାୟୀ କ୍ୟାମ୍ପ ର ବ୍ୟବସ୍ଥା ହେଲା । ବିଧାୟକ ମହାଶୟ ଙ୍କୁ ପାଛୋଟି ଆଣିବାକୁ ଗୋଟିଏ ଦଳ ପ୍ରସ୍ତୁତ ହୋଇ ରହିଲେ । ଫୁଲମାଳ, ଜଳପାନ ଓ ଗୋଡ ଧୁଆ ପାଇଁ ପଇଡ଼ ପାଣି ର ବ୍ୟବସ୍ଥା ହେଲା ।


ଯଥା ସମୟରେ ବିଧାୟକ ମହାଶୟ ଆସି ପହଁଚିଲେ । ତାଙ୍କ ବେକରେ ଲମ୍ବା ମାଳ ପକାଇ ପାଛୋଟି ଅଣାଗଲା । ପୋଲଟି ଲୋକ ଭିଡରେ ଟଳମଳ ହେଉ ଥାଏ । ସରପଞ୍ଚ ବାବୁ ଆଗେ ଆଗେ ଓ ବିଧାୟକ ମହାଶୟ ତାଙ୍କ ପଛେ ପଛେ ଚାଲିଥାନ୍ତି । ଯାହା ହେଉ, ସମସ୍ତେ ସୁରକ୍ଷିତ ପହଂଚି ଗଲେ ।


ସରପଞ୍ଚ ବାବୁ ଙ୍କ ସ୍ୱାଗତ ଅଭିଭାଷଣ ରେ ଆପ୍ୟାୟିତ ହେଲେ ବିଧାୟକ ମହାଶୟ । ତା ପରେ ସେ ନିଜର ଅଭିବ୍ୟକ୍ତି ବାଢିଲେ । ସେ ଦେଶବାସୀ ଙ୍କ ପାଇଁ କେତେ ଚିନ୍ତିତ ଓ ଜନତା ଙ୍କ ସେବାରେ କେତେ ସମର୍ପିତ ଏକଥା ଜଣାଇଲେ ।  

ଏହାପରେ ଆସିଲା ଖାଦ୍ୟପେୟ ର ପର୍ବ । ବିଧାୟକ ମହାଶୟ ଙ୍କ ପାଇଁ ପଲାଉ, ଡାଲି, ଖଟା ସହ ଦେଶୀ ମଟନ ର ବ୍ୟବସ୍ଥା ହୋଇ ଥିଲା । ସେତକ ଭୋଜନ କରି ଯିବାକୁ ବାହାରିଲେ । ଗଲାବେଳେ ପ୍ରତିଶୃତି ଦେଲେ ଯଥା ଶୀଘ୍ର ପୋଲ କାମ ଆରଂଭ ହେବ । ବିଧାୟକ ମହାଶୟ ଙ୍କୁ ବିଦାୟ ଦେବାକୁ ଶତାଧିକ ଯୁବଗୋଷ୍ଟି ଗଲେ ନଦୀ ଅପର ପାର୍ଶ୍ୱକୁ ।  


ଏମିତି କିଛି ଦିନ ଉତ୍ତାରୁ ବିଧାୟକ ମହାଶୟ ପୋଲ ପାଇଁ ରାଜ୍ୟ ସରକାର ଙ୍କୁ ଗ୍ରାମ ଉନ୍ନୟନ ବିଭାଗ ମାଧ୍ୟମରେ ପ୍ରସ୍ତାବ ଦେଲେ । ବ୍ଲକ ଅଧିକାରୀ ମଧ୍ୟ୍ୟ ସରକାରଙ୍କୁ ଚିଠି ଲେଖିଲେ, କିନ୍ତୁ ପଠାଇବାକୁ ଭୁଲିଗଲେ । ଚିଠିଟି ଫାଇଲ ରେ ପ୍ରାୟ ଛ ମାସ ପଡ଼ିରହିଲା । ଏହା ଭିତରେ ବ୍ଲକ ଅଧିକାରୀ ଙ୍କ ନୂଆ ଜାଗାକୁ ବଦଳି ହୋଇ ଆଉ ଜଣେ ଅଧିକାରୀ ଆସିଲେ । ସେ ପୁରୁଣା ଫାଇଲ ଅଣ୍ଡାଳୁ ଅଣ୍ଡାଳୁ ଉକ୍ତ ଚିଠିଟି ପାଇଲେ ଓ ଯଥାଶୀଘ୍ର ପଠାଇବାର ବନ୍ଦୋବସ୍ତ କଲେ ।

ଚିଠିଟି ପାଇବା ପରେ ବିଭାଗୀୟ ଅଧିକାରୀ ଓ ମନ୍ତ୍ରୀ ସର୍ଭେ କରିବାକୁ ନିର୍ଦେଶ ଦେଲେ ଏବଂ ଆଖ ପାଖର ଜମି ଉଛେଦ ପାଇଁ ନୋଟିସ ଦେଲେ । ସର୍ଭେରୁ ଜଣାପଡିଲା ପୋଲର ଅପରପାର୍ଶ୍ୱ ଅନ୍ୟ ରାଜ୍ୟରେ ନିର୍ମାଣ ହେବ । ତେଣୁ ଉକ୍ତ ରାଜ୍ୟ ସରକାରଙ୍କର ମଧ୍ୟ୍ୟ ଅନୁମତି ଲୋଡ଼ା । ପର୍ଯ୍ୟାୟ କ୍ରମେ ଆଲୋଚନା ଚାଲିଲା ଓ ଏହାମଧ୍ୟରେ ଆହୁରି ଛ ମାସ ବିତିଗଲା । ପୁରୁଣା ପୋଲ ନଦୀରେ ଭାସିଯାୟୀ ନୂଆ ବାଉଁଶ ପୋଲ ତିଆରି ହେଇ କାମ ଚାଲୁ ଥାଏ । ଇତି ମଧ୍ୟରେ ପୁନର୍ବାର ନିର୍ବାଚନ ସମୟ ଆସି ଉପନୀତ ହେଲା । ବିଧାୟକ ମହାଶୟ ଭୋଟ ମାଗିବା ଅଭିପ୍ରାୟ ରେ ପୁନଶ୍ଚ ଉକ୍ତ ଗ୍ରାମରେ ଆବିର୍ଭାବ ହେଲେ । ହେଲେ ଇୟେ କଣ? ବର୍ଷେ ଉପରେ ବିତିଯାଇଥିଲେ ବି ପୋଲର ନା ଗନ୍ଧ ନାହିଁ !!!


ବିଧାୟକ ମହାଶୟ ବିଭାଗୀୟ ଅଧିକାରୀ ଓ ବ୍ଲକ ଅଧିକାରୀ ଙ୍କ ସହ କଥା ହେଲେ ନିଜର ଆଇ ଫୋନ ରେ । କଥା ହେଇ ସାରି ବିଷର୍ଣ୍ଣ ମୁଖରେ କହିଲେ ନଦୀର ଦି ପାଖ ଦୁଇଟି ରାଜ୍ୟରେ ଥିବାରୁ ଏହା କେନ୍ଦ୍ର ସରକାର ଙ୍କ ଅନୁମତି ବିନା ହେଇ ପାରିବନି । ନଚେତ ଦି ରାଜ୍ୟ ମଧ୍ୟରେ ସୀମା ବିବାଦ ସୃଷ୍ଟି ହେବାର ଆଶଙ୍କା ଅଛି ।  

ନିର୍ବାଚନ ଯଥା ସମୟରେ ସରିଲା । ଭାଗ୍ୟକୁ ବିଧାୟକ ମହାଶୟ ପୁନର୍ବାର ବିପୁଳ ଭୋଟ ରେ ବିଜୟଲାଭ କଲେ । ପୁନଶ୍ଚ ଚାରିବର୍ଷ ବିତିଗଲାଣି ଇତିମଧ୍ୟରେ । ବିଧାୟକ ମହାଶୟ ଙ୍କର ପୁଅ ବିଦେଶରୁ ପଢିଆସି ରାଜନୀତି ରେ ଯୋଗ ଦେଲାଣି । ଏହାମଧ୍ୟରେ ଆଉ କେହି ମନ୍ତ୍ରୀ, ବିଧାୟକ କି ସାଂସଦ ଏ ଆଡେ ଦୃଷ୍ଟି ଦେଇ ନାହାନ୍ତି ।  

ବାଉଁଶ ପୋଲ କିନ୍ତୁ ଏଇଭଳି ପ୍ରତିବର୍ଷ ତିଆରି ହେଉ ଥାଏ ଓ ଭାସି ଯାଉ ଥାଏ । ପୋତ ବାହକ ବର୍ଷା ଋତୁରେ ନିଜର ଗୁଜୁରାଣ ମେଣ୍ଟାଈ କିଛି ସଂଚୟ କରି ଥାଏ ବର୍ଷ ଯାକର ଡାଲି ଚାଉଳ ପାଇଁ । ପିଲା ମାନେ ସେହିପରି ସ୍କୁଲ ଯାଉଥାନ୍ତି ବାଉଁଶ ପୋଲ ଉପରେ ଅଥବା ପୋତ ରେ ।


Rate this content
Log in

Similar oriya story from Abstract