Asish Ranjan Dash

Others

2.5  

Asish Ranjan Dash

Others

ସହାନୁଭୂତି

ସହାନୁଭୂତି

3 mins
577


ଠେଲା ପେଲା ଭିତରେ ବସ୍ରେ ପସି ଯାଇ ସିଟଟିଏ ପାଇଗଲା ପରେ ଅସ୍ବସ୍ଥ ହେଲା ଅଭିଜିତ୍ I ନିତିଦିନିଆ ଘଟଣା ହେଇଥିଲେ ମଧ୍ୟ, ସିଟଟିଏ ନ ମିଳିଲେ ଠିଆ ହୋଇ ଭିଡ ଭିତରେ ଅଣନିଃଶ୍ୱାସୀ ହେଇଯାଏ I ତେଣୁ, ସିଟଟିଏ ମିଳିଗଲେ ରାଜ୍ୟ ଜୟ କରିବାର ଖୁସି ଅନୁଭୂତ ହେଉଥିଲା ତା ପାଇ I ଗପ ବହିଟିଏ ବାହାର କରି ପଢୁ ପଢୁ ହଠାତ୍ ମନେ ପଡିଲା, ରାଜୁ ବାବୁଙ୍କ ପାଇ ମଧ୍ୟ ସିଟଟିଏ ରଖିବାକୁ ପଡିବ I ଅନିଚ୍ଛା ସତ୍ୱେ ନିଜର ବ୍ୟାଗଟିକୁ ପାଖ ସିଟରେ ରଖିଲା I ଯାହା ହେଲେବି ସିନିଅର୍ ଅଫିସର୍ I ତାଙ୍କ ହାତରେ ଚାକିରି I ତାଙ୍କୁ ଖୁସି ନ ରଖିଲେ ଚାକିରି ଚାଲିଯିବା ମଧ୍ୟ ଅସମ୍ଭବ ନୁହ I ଯଦିଓ ତାଙ୍କୁ କେହି ପସନ୍ଦ କରନ୍ତିନି, ହେଲେ ବି ତାଙ୍କ ଆଗରେ କେହି ମୁହଁ ଖୋଲି କିଛି କହିବାକୁ ସାହସ କରନ୍ତିନି I ଅଭିଜିତ୍ ବି ମନେ ମନେ ବହୁତ ରାଗେ I ‘ବୁଢା ମାସକୁ ଏତେ ଦରମା ପାଉଛି, ଘରେ କାର୍, ବାଇକ୍ ସବୁ ଅଛି, ହେଲେ କଂଜୁସ୍ ଅଫିସ୍ ଯିବ ବସ୍ରେ I ତା ପାଇ ପୁଣି ସିଟ୍ ରିଜର୍ଭ ରଖିବାକୁ ପଡିବ I ଏଥିରେ ପୁଣି ବୁଢା ଦିନେ ଆସିଲେ ଦୁଇ ଦିନ ଛୁଟିରେ ରହିବ I” ବଡ ଅଫିସର୍ I ତାଙ୍କୁ ପ୍ରଶ୍ନ କରିବାକୁ କେହି ନାହିଁ I ଗତ ଦୁଇ ଦିନ ତଳର କଥା, ସିଟ୍ ରଖିବା ପରେ ବି ବୁଢା ଆସିଲା ନାହିଁ I ବ୍ୟାଗ୍ ଉଠାଇବା ବେଳକୁ ବସ୍ ଭିତରେ ଠିଆ ହେଇଥିବା ଲୋକ ମାନେ ପାଟି ତୁଣ୍ଡ କଲେ I କହିଲେ, ହୋ ବାବୁ, କେହି ନାହାନ୍ତି ଯଦି ବ୍ୟାଗ୍ ଟାକୁ କାହିକି ସିଟ୍ ଉପରେ ରଖିଥିଲ? ଏଠି ଏତେ ଲୋକ ଠିଆ ହେଇ ଯାଉଛନ୍ତି, ଆଉ ତମେ ସିଟ୍ ଖଣ୍ଡେ ପାଇ ଯାଇଛ ବୋଲି ଆଉ ଗୋଟିଏ ସିଟ୍ ଦଖଲ କରି ବସିଛ? ସିଏ ସବୁ ଶୁଣି ଚୁପ୍ ରହିବାକୁ ବାଧ୍ୟ ହେଲା I କାରଣ, ଭୁଲ ତ ତା‘ର I ତାକୁ ଆଗରୁ ପଚାରି ବୁଝିନେବାର ଥିଲା, ବୁଢା ଆସୁଛି ନା ନାହିଁ I

ହାତ ଘଣ୍ଟା ଦେଖିଲା ଅଭିଜିତ୍ I ଆଉ ପାଞ୍ଚ ମିନିଟ୍ ରହିଲା ବସ୍ ଛାଡିବାକୁ I ବୁଢାର ଏଯାଏ ଦେଖା ନାହିଁ I ଏତେ ବଡ ପୋଷ୍ଟ୍ରେ ଥାଇ ବି ସମୟର ବିଲକୁଲ୍ ଧାରଣା ନାହିଁ I ରାଗ ଶାନ୍ତ କରି ପୁଣି ଗପ ବହି ପଢିବାରେ ଲାଗିଗଲା I ଭିଡରେ ଠେଲା ପେଲା ଭିତରେ କିଛି ଲୋକ ଓହ୍ଲେଇ ଯିବା ପରେ ଲୋକମାନେ ଚଢିବା ଆରମ୍ଭ କଲେ I ତିରିଶ୍ ଜଣିଆ ସିଟର ମିନି ବସ୍ ଭିତରେ ପଚାଶ୍ ଜଣ ଚଢିବା ପରେ ମଧ୍ୟ ଆହୁରି ଲୋକ ଚଢୁଥାନ୍ତି I ଅଭିଜିତକୁ ବିରକ୍ତ ଲାଗୁଥିଲେ ମଧ୍ୟ ସେ ଗପ ପଢାରେ ଧ୍ୟାନ କେନ୍ଦ୍ରିତ କରିବାକୁ ଚେଷ୍ଟା କରୁଥାଏ I

  ହଠାତ୍ ତା ନଜର୍ ପଡିଲା, ଗୋଟିଏ ଛୋଟ ଝିଅଟିଏ ବସ୍ ଭିତରେ ଚଢିଲା ଓ ତା’ ପଛେ ପଛେ ବାଡିଟିଏ ଧରି ଗୋଟେ ଲୋକ ଚଢିଲା I ଲୋକଟି କଳା ଚଷମା ପିନ୍ଧି ଥାଏ ଓ ବାଡିଟିର ଗୋଟିଏ ମୁଣ୍ଡକୁ ଧରି ଧିରେ ଧିରେ ବସ୍ ଭିତରକୁ ଚଢୁଥାଏ I ବାଡିଟିର ଆର ମୁଣ୍ଡଟିକୁ ଧରି ଥାଏ ଛୋଟ ଝିଅଟି I ଜାଣିବାରେ କିଛି ଅସୁବିଧା ନଥିଲା ଯେ ଲୋକଟି ଅନ୍ଧ, ଏବଂ ଝିଅଟି ଯେ କେହିବି ହେଇଥାଉ, ଲୋକଟିର ଏକମାତ୍ର ସାହାଭରସା I ଲୋକଟି ବହୁତ୍ କଷ୍ଟରେ ଅଣ୍ଡାଳି ଅଣ୍ଡାଳି ଅଭିଜିତ୍ ବସିଥିବା ସିଟର ଉପର ଭାଗକୁ ଧରି ଠିଆ ହେଲା I ଝିଅଟି ଅଳି କରିବା ପରି ଲୋକଟିକୁ କହିଲା, ‘ବାପା, ମୁଁ ଆଇସ୍କ୍ରିମ୍ ଖାଇବି I ଲୋକଟି କହିଲା, ଠିକ୍ ଅଛି ଝିଅ, ପଇସା ନେ, ଜଲଦି ଆଇସ୍କ୍ରିମ୍ ନେଇ ଆସିବୁ I ନହେଲେ ବସ୍ ଛାଡିଦବ I ଝିଅଟି ଖୁସିରେ ଆଇସ୍କ୍ରିମ୍ ଆଣିବାକୁ ଗଲା I

ଲୋକଟି ସେମିତି ଠିଆ ହେଇଥାଏ I ବିଲକୁଲ୍ ହଲଚଲ୍ ହେଉ ନଥାଏ I କାରଣ, ଆଖପାଖର ଅବସ୍ଥା ବିଷୟରେ ସେ କିଛିବି ଜାଣିପାରୁନଥାଏ I ତା‘ ଅନ୍ଧର ଲଉଡି ତା ଠାରୁ କିଛିସମୟ ପାଇ ଦୂରରେ I ଅଭିଜିତ୍ ହଠାତ୍ କଣ ଭାବି ବ୍ୟାଗଟିକୁ ପାଖ ସିଟରୁ ଉଠାଇ ଦେଲା ଓ ହାତ ଧରି ଅନ୍ଧ ଲୋକଟିକୁ ସେଥିରେ ବସାଇ ଦେଲା I ଭାବିଲା, ବୁଢାର ଆସିବାର ତ ଠିକ୍ ଠିକଣା ନାହିଁ, କମ୍ ସେ କମ୍ ଜଣକୁ ସାହାଯ୍ୟ ତ କରିପାରିଲି ! ବୁଢା ଆସିଲେ କହିଦେବି ସିଟ୍ ନ ଥିଲା I

କିଛି ସମୟ ପରେ ବସ୍ ହର୍ଣ୍ଣରେ ଅଭିଜିତ୍ ପ୍ରକୃତିସ୍ଥ ହେଲା I ହଠାତ୍ ଅନ୍ଧ ଲୋକଟି ଉଠି ଠିଆ ହୋଇ ପଡିଲା I ଜୋରରେ ଡାକ ଛାଡିଲା, ଗୀତା, ଜଲଦି ଆ ମା, ବସ୍ ଛଡିଲାଣି I ତା’ କଳା ଚଷମା ପିନ୍ଧା ମୁଖମଣ୍ଡଳରୁ ବ୍ୟସ୍ତତା ସଂପୂର୍ଣ୍ଣ ବାରି ହେଉଥିଲା I ବସ୍ ଛାଡିବା ଉପରେ I ଲୋକଟିକୁ ଅଭିଜିତ୍ କହିଲା ଭାଇ, ଆପଣ ବସିଯାନ୍ତୁ I ମୁଁ ଡ୍ରାଇଭରକୁ କହୁଛି, ଆଉ କିଛି ସମୟ ଗାଡି ରଖିବ, ଝିଅ ଆସିବା ପରେ ଛାଡିବ I ଆପଣ ବ୍ୟସ୍ତ ହୁଅନ୍ତୁନି I

ଠିକ୍ ବସ୍ ଛାଡିବା ପୂର୍ବରୁ ଝିଅଟି ବସରେ ଚଢି ଡାକିଲା ବାପା, ମୁଁ ଆଇସ୍କ୍ରିମ୍ ନେଇ ଆସିଗଲି I ଲୋକଟି ହାତ ବଢାଇଲା, ଝିଅଟି ହାତ ଧରି ସିଟ୍ ପାଖକୁ ଆସିଲା ଓ ଲୋକଟିର କୋଳରେ ବସିଗଲା I ଲୋକଟି ତାକୁ ଅତି ଆଦରରେ କୋଳେଇ ନେଲା I କହିଲା, ‘ତୋ ବିନା ଗୋଟିଏ ମୂହୁର୍ତ୍ତ ବି ମୋ ପାଇ ବର୍ଷେ ସହ ସମାନ I ଆଉ କେବେ ଗୋଟିଏ ମିନିଟ୍ ବି ମତେ ଛାଡି ଯିବୁନି I ମୁଁ ତ ଅନ୍ଧ I ତୁ ମୋର ଆଖି I ତୋ ଆଖିରେ ମୁଁ ଦୁନିଆ ଦେଖୁଚି I ଲୋକଟିର ଆଖିରୁ ଦୁଇ ଟୋପା ଲୂହ ଝରି ପଡିଲା I ଝିଅଟି କିନ୍ତୁ ଆଇସ୍କ୍ରିମ୍ ଖାଇବାରେ ବ୍ୟସ୍ତ ଥାଏ I



Rate this content
Log in