ଜୀବନର ମୂଲ୍ୟ
ଜୀବନର ମୂଲ୍ୟ


"କେମିତି ଅଛନ୍ତି ଡାକ୍ତର ନାଏକ?" ଅସ୍ପଷ୍ଟ ପରିଚିତା ନାରୀ ସ୍ୱର ଶୁଣି ଚମକି ପଡିଲେ ଡାକ୍ତର ଅଶ୍ୱିନୀ ପ୍ରସାଦ ନାୟକ I ପସିଦ୍ଧ ହାର୍ଟ ସର୍ଜନ I ଏ. ପି. ଏନ. ହସ୍ପିଟାଲର ମାଲିକ I ଅଚଳାଚଳ ସମ୍ପତ୍ତି I ହସ୍ପିଟାଲ ପ୍ରାଚୀର ସଂଲଗ୍ନ ତାଙ୍କର ସୁବିଶାଳ ପ୍ରାସାଦ I
"ଶୁଚିସ୍ମିତା ତମେ !"
ଅନେକ ବର୍ଷ ପରେ ଦୁହିଁଙ୍କର ସମ୍ନାସାମ୍ନି ଦେଖା I ପ୍ରଥମରୁ ଦଶମ ଶ୍ରେଣୀ ସାଙ୍ଗ ହୋଇ ପଢ଼ିଛନ୍ତି I ବାଲ୍ୟ ସାଥୀଙ୍କୁ ଭୁଲିବା ପ୍ରାୟତଃ ଅସମ୍ଭବ, ତାହା ପୁଣି ଯଦି ପ୍ରଥମ ପ୍ରେମ ହେଇଥିବ ତେବେ ତ ପ୍ରତ୍ୟେକ ମୁହୂର୍ତ୍ତ ମନେ ରହେ ସାରାଜୀବନ ପାଇଁ I କିନ୍ତୁ ଏପରି ସମ୍ବୋଧନର ମାନେ ବୁଝିପାରୁନଥିଲେ ଡାକ୍ତର ବାବୁ I ଶୁଚି ସବୁବେଳେ ତାଙ୍କୁ ସିନି ଡାକେ I ଅଶ୍ୱିନୀ ନାଁ ଟା ବଡ ଲାଗୁ ଥିବାରୁ ବୋଧହୁଏ ତାକୁ ଏଇ ନାଁ ଟି ଭଲ ଲାଗେ I ଅଶ୍ୱିନୀ ବି ମନା କରେନି କାରଣ ତାକୁ ଏଇ ନାଁରେ କେବଳ ଶୁଚି ହିଁ ଡାକେ I
"ହଁ ଡାକ୍ତର ବାବୁ I ଆପଣଙ୍କ ସହ ଦେଖା ହବ ବୋଲି ଭାବି ନଥିଲି, କିନ୍ତୁ ଦେଖା ହେବା ବେଳକୁ ଆଉ କିଛି ବାକି ନାହିଁ I" ଏକା ନିଃଶ୍ୱାସରେ କହିଗଲା ଶୁଚି I
ଶୁଚିସ୍ମିତା ସାହୁ I ଏକ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ I ତାଙ୍କ ସ୍ଵାମୀ ଜଣେ ଖ୍ୟାତନାମା ଅଧ୍ୟାପକ I
ଡାକ୍ତର ବାବୁ କହିଲେ, "କଣ କହିବାକୁ ଚାହୁଁଛ ଖୋଲିକରି କହୁନ? ତମେ ଏଠି କେମିତି? କଣ ଅସୁବିଧା ହେଇଛି କହୁନ ! ମୁଁ ସବୁ ବ୍ୟବସ୍ଥା କରାଇ ଦେବି I ମୁଁ ଏଇ ହସ୍ପିଟାଲର ମାଲିକ I ଏଠି ଡାକ୍ତର ନର୍ସ ସମସ୍ତେ ମୋ ଆଦେଶକୁ ହାତଯୋଡ଼ି ଅପେକ୍ଷା କରିଥାନ୍ତି I ତମେ କୁହ ତ କଣ ଅସୁବିଧା ହେଇଛି? "
ପଛରେ ଷ୍ଟ୍ରେଚରରେ ଜଣେ ବୃଦ୍ଧା ମହିଳାଙ୍କୁ ନେଇ ଜଣେ ଷ୍ଟାଫ ନର୍ସ ଆସି କହିଲେ, "ମ୍ୟାଡ଼ାମ, ସବୁ ଫର୍ମାଲିଟି ସରିଗଲା, ଆପଣ ଏହି ପେପରରେ ଦସ୍ତଖତ କରି ଆପଣଙ୍କ ମାଆଙ୍କ ବଡି ନେଇ ଯାଇ ପାରନ୍ତି I"
ଡାକ୍ତର ବାଧା ଦେଇ କହିଲେ, ଏକସକ୍ୟୁଜି ମି ସିଷ୍ଟର,
ନର୍ସ ଉତ୍ତର ଦେଲେ, "ଏସ ସାର !"
"କଣ କେସ ଏଇ ମ୍ୟାଡ଼ାମଙ୍କର?" ଡାକ୍ତର ପଚାରିଲେ I
ନର୍ସ ଉତ୍ତର ଦେଲେ, "ସାର, ହାର୍ଟ ଆଟାକ I ମାଡାମଙ୍କର ମିଷ୍ଟର ପଇସା ନେଇ ପହଂଚିବା ବେଳକୁ..........
ସ୍ମିତା କହିଲେ, "ଫେରାଇ ପାରିବ ମୋ ମାଆଙ୍କର ଜୀବନ? ଏଇଟା ତମର ହସ୍ପିଟାଲ I ସମସ୍ତେ ତମର ଆଦେଶ ମାନନ୍ତି ନା ! ମୁଁ କେତେ ନେହୁରା ହେଲି, ଆପଣମାନେ ଟ୍ରିଟମେଣ୍ଟ ଆରମ୍ଭ ତ କରନ୍ତୁ, ମୋ ସ୍ୱାମୀ ପଇସା ନେଇ ଆସୁଛନ୍ତି I ଟ୍ରାଫିକରେ କୋଉଠି ଫସି ଯାଇଥିବେ ବୋଧହୁଏ I ପଇସା ପାଇଁ ଯଦି ମୋ ମାଆଙ୍କର କିଛି ହେଇଯାଏ ତେବେ କଣ ହବ ପଇସା ଥାଇ ! କିନ୍ତୁ ଦେଖନ୍ତୁ ଡାକ୍ତର ବାବୁ, ଯାହାର ଡର ଥିଲା ସେଇଆ ହିଁ ହେଲା I"
"ଆଇ ଆମ ସରି ସ୍ମିତା, ମୁଁ ଜାଣିଥିଲେ ତୁମ ମାଆ ବୋଲି, ଆଗ ଟ୍ରିଟମେଣ୍ଟର ବ୍ୟବସ୍ଥା କରାଇ ଦେଇଥାନ୍ତି I" ନମ୍ରତାର ସହ କହିଲେ ଡାକ୍ତର ନାୟକ I
ସ୍ମିତା ଉତ୍ତର ଦେଲେ, "ସେସବୁର କିଛି ଲାଭ ନାହିଁ ଡାକ୍ତର ବାବୁ I ଆପଣ ମୋର ସେଇ ସହପାଠୀ ଓ ପ୍ରଥମ ପ୍ରେମ ସିନି ନୁହନ୍ତି I ଆପଣ ଡାକ୍ତର ଅଶ୍ୱିନୀ ପସାଦ ନାୟକ I ପ୍ରସିଦ୍ଧ ହାର୍ଟ ସର୍ଜନ ଓ ଏଇ ବିଶାଳ ହସ୍ପିଟାଲର ମାଲିକ I କିନ୍ତୁ ପୁରା ହାର୍ଟ ଲେସ I ମୋ ସିନିର ହୃଦୟ ବହୁତ ବଡ I ସେ ଏପରି କାମ କେବେ କରିପାରିବନି I ଆପଣଙ୍କ ହସ୍ପିଟାଲର ପଇସା ଖୋର ନିୟମ ପାଇଁ ଆଜି ମୋ ମାଆଙ୍କର ଜୀବନ ଚାଲିଗଲା I ପ୍ରତ୍ୟେକ ଦିନ ଏହିପରି ବେସରକାରୀ ହସ୍ପିଟାଲରେ ଅନେକ ଲୋକ ଜୀବନ ହାରୁଛନ୍ତି କେବଳ ଏଭଳି ନିୟମ ପାଇଁ I ଆପଣ ମାନେ ଡାକ୍ତର I ଜୀବନ ରକ୍ଷା କରିବା ଆପଣଙ୍କ କର୍ତ୍ତବ୍ୟ I ସାମାନ୍ୟ କେତେ ଟଙ୍କା ପାଇଁ ନିଜର କର୍ତ୍ତବ୍ୟ ଭୁଲି ଯାଉଛନ୍ତି I ଲୋକଙ୍କ କଥାରେ ବିଶ୍ୱାସ ବି କରୁନାହାନ୍ତି I ମୁଁ କେବଳ ମୋ ମାଆଙ୍କ କଥା କହୁନାହିଁ, ପ୍ରତ୍ୟେକ ଲୋକଙ୍କୁ ସମାନ ଭାବରେ ଦେଖନ୍ତୁ I"
ଏତିକି କହି ସ୍ମିତା ଧୀରେ ଧୀରେ ଗାଡି ଆଡକୁ ପାଦ ବଢ଼ାଇଲେ I ତାଙ୍କର ମିଷ୍ଟର ଆସିଯାଇଥାନ୍ତି I ମାଆଙ୍କ ପାର୍ଥିବ ଶରୀରକୁ ଗାଡ଼ିରେ ରଖାଗଲା I ଗାଡି ଧୀରେ ଧୀରେ ହସ୍ପିଟାଲ ଗେଟ ଆଡକୁ ମୁହାଇଲା I
ଡାକ୍ତର ଗାଡିର ଚଲାବାଟକୁ ଚାହିଁଥାନ୍ତି I ନିଜକୁ ବହୁତ ଛୋଟ ମନେ କରୁଥାନ୍ତି... ସ୍ମିତା ଆଗରେ... ନିଜର ବିଶାଳ ପ୍ରାସାଦ ଆଗରେ... ଏ. ପି. ଏନ. ହସ୍ପିଟାଲ ଆଗରେ... I ସ୍ମିତାର କଥା ଗୁଡିକ ବିଶାଳ ପର୍ବତ ସଦୃଶ ଉଭା ହୋଇଥାଏ ତାଙ୍କ ଆଗରେ I