Lopamudra Parida

Inspirational

3  

Lopamudra Parida

Inspirational

ବାଟ

ବାଟ

4 mins
190


ଦାଣ୍ଡେରେ ମାତ୍ର ଏତିକି ଯାଗା ଯେ ଚାରିଚକିଆ ତ ଗଳେନା, ସେପଟୁ ଗୋଟେ ରିକିସା ଏପଟୁ ଗୋଟେ ଦି ଚକିଆ ଆଇଲେ ବି ବା ନାହିଁ । ଯାହାକୁ ହେଲେ ଜଣଙ୍କୁ ପଛକୁ ପଛକୁ ଯାଇ ଯୋଉଠୁ ପଶିଥିଲା ସେଇଠି ବାହାରି ଅନେଇବାକୁ ହବ ବାଟକାଟିବା ଯାଏ ଆଉ ଗାଡିଟି । ଚଲାମଣିଷଙ୍କ ଗଳି ଯଦିଓ ନୁହେଁ ସୁରୁଖୁରୁରୁ ସାଇକେଲଟେ ଯାଉ, କିଛି କଥା ନାହିଁ । ଦାଣ୍ଡ ପଟଟା ହିଁ ପିଲାଙ୍କ ଖେଳ ପଡିଆ, ଦିଚକିଆ ରଖିବା ଗ୍ୟାରେଜ୍, ଲୁଗା ସଫା ପିଣ୍ଡା, ପାଣି କଳ ଖଟ୍ଟି, ସବୁ ସବୁ ସବୁ । ତା ସହ ବୁଲା କୁକୁର, ବୁଲା ଗାଈ ଆଉ ଦି ଚାରିଟା ଷଣ୍ଢ ବି ଘର ମଣିଷ । ହେଲା । କୋତରୀ, କାଳିଆ ଆଉ ତାଙ୍କର ବର୍ଷାଦିନିଆ ହେସାଂଏ ବାଉଁଶାଏ ଛୁଆ ପଞ୍ଝାକ ବି ସେଇଠି ଚେଁ ଚେଁ । ନହେଲେ ସକାଳ କୋଉଠି ହୁଏ! ତଥାପି ଆମର ଏଇଠି ଖୁସି ରହେ, ସମସ୍ତଙ୍କ ଓଠରେ । ସମସ୍ତେ ଆପଣାର । 


ଥିଲା ଥିଲା ଫନି ହେଲା । ସିଁ ସିଆଁ ପବନ ଚାପରେ ଚାପି ହେଇ କେମିତି କଟେଇଛୁ ରାତି ଆମେ ଜାଣିଛୁ । ସକାଳୁ ଉଜୁଡା ସାହିଟାରେ ସମସ୍ତେ ହୋ ହୋ । କିଏ କଣ ହରେଇଛି ତାଲିକା ଦେଇ ଦେଇ ବାହୁନୁଛି । ଭାଗ୍ୟକୁ ଜୀବନ ହାରିନାହାନ୍ତି କେହି । ହେଲେ ସବୁରି ବାରିପଟ ନଡିଆ ଗଛ ଉଚ୍ଛନ୍ନ ହେଇ ମୋଡି ହେଇ ଯାଇଛି ଗୋଟିଏ ପଟକୁ ବେକ ଭାଙ୍ଗି । କାନ୍ଥ ଫାଟିମେଲି ଆଁ । ଛପର, ପଟା, ଆଜବେଷ୍ଟ, ଜରି ସବୁ ବିସ୍ଥାପିତ ।  


ଆଚ୍ଛନ୍ନ କରିଛି ନିରବତା । ଆଗୁସାର କିଏ ହବ ? ପାଦ ଅଚଳ, ହାତ ସଚଳ .... ପେଟ ତ ଚଞ୍ଚଳ । ଚୁଲିରେ ପାଣି ଠିଆ । କୁଲାଏ ମଣିଷ ଛୁଆ କେଁ କେଁ । ଭୋକ, ଭୋକ, ଭୋକ । ଲଘୁଚାପ ବଢୁଛି । ଅସରା ଅସରା ନୁହେଁ ଗଳଗଳ ଧାର ମେଘ ଝର ଲମ୍ବିଛି ଯେ ଲମ୍ବିଛି । ପେଟ କୋଉ ବୁଝୁଛି! 


ହଇଜା ତ ବ୍ୟାପେ ସବୁ ସାଲ ଏଇ ଘାଇ ଭାଙ୍ଗିଲେ, ବଢି ହେଲେ । କିନ୍ତୁ ଏ ବରଷ ବାତ୍ୟା ଟା ବେଶୀ ଟାଣେଇକି ମୋଡିଦେଲା । କୋଉ ବରଷ ଆଉ ବାତ୍ୟା ନ ଆସୁଛି ଯେ । ଅଭ୍ୟସ୍ତ ହେଲୁଣୁ । ଆଗପଟ ବଖୁରାଏ ଛାଡି ପଛପଟୁ ଦିବଖରା ଛାତ ମଡେଇ ଦେଲେ ହୁଅନ୍ତା । ଭାବୁଥିଲା ସୁବୁଦ୍ଧି । ଯାତ୍ରୀ ଗୁମାସ୍ତା ମଣିଷ ସିଏ । ଯାତିରି ଆସିଲେ ତା ହାଣ୍ଡିରେ ଭାତ ଫୁଟେ । କାଳିଆ ସାଆନ୍ତଙ୍କ ଦେଉଳରେ ଦର୍ଶନି ପାଉଣାତକ ତାର ରୋଜଗାର । ସେଇଥିରେ ତାର ଆଠ ପ୍ରାଣୀ କୁଟୁମ୍ବଠୁ କୁଣିଆମଇତ୍ର କୋରଟକଚେରି ସବୁ ଚଳେ । ଦି ହାତ ଟେକିଦେଲେ ସେଇ ମଣିମା ଚଳେଇନିଅନ୍ତି ଜାଣି, ଏବାଟୁ ନହେଲେ ସେବାଟୁ । କୋଉଦିନ ହାତ ଛାଡିଦେଇ ନାହାନ୍ତି ସେତିକି ଭାଗ୍ୟ । ପିଲେ ଖାଇ ପି ଜୀଇଁଛନ୍ତି ସେଇ ବଡ କଥା । କୋଉ ପଥିପାଞ୍ଚଣ ଆଉ ଦିନେ ଅଧେ ହନ୍ତାନି କି ! 


ଯାତ୍ରୀ ଗୁମାସ୍ତା ସିଏ । କଣ କମି ଥାଟ ତାର! ଭେକ ନଥିଲେ କି ଭିକ କିଓ ? ନିକୁଛିଆ ମାରେକା ରହିଲେ କିଏ ବାସିରେ କାଇଁ ପଚାରିବ ଭଲା । ସେଇଥିଲାଗି ଖାସ୍ କଲିକତି ମୟୁରୀ ଧୋତି ହଳୁଟେ, ଧଳା ବିଟ ମାଳି, ଆଉ କଲିକତି ଅତର ସାଙ୍ଗକୁ ପାନ ଖଣ୍ଡେ ନହେଲେ କଣ ସାଜେ! କଲିକତିଆ ଯାତିରି ଆମର ବେଶୀ । ଜାମାଜୋଡ ହେଇ ମାହାର୍ଦ୍ଦ ତୁଳସୀ ଦିଟା ଧରି ବାହାରିଲେ ସେଇମାନେ ପରା ଗୋସେଇଁ ଗୋସେଇଁ କହି ନିଉଛାଳି ପଡିବେ । 


ଫନି ତ ଯାହା ଦାନା ମାରିଥିଲା, ଥିଲା ଏ ଦି ବରଷ ହେଲା ଏ ହାଣ୍ଡିପାଣି ବଡା ମହାମାରୀ ଖାଇଦେଲାଣି । ଦାଣ୍ଡ ଶୂନ ପଡିଛି । ବସିବାକୁ ବେଳ ମିଳୁନଥିବା ସହର ଆଜି ହାତପାଦ ଯୋଡି ଦାରୁଭୂତ ପରି କାଠ ପାଲଟିଛି । ଆମ ସହରର ପେଟ ଦେଉଳ, ସାଗର ପୋଷନ୍ତି । କାଳିଆକୁ ହାତ ଯୋଡିବାକୁ ଯେତେ ପାଦ ଆସନ୍ତି, ସାଗର ଢେଉକୁ ମାପିବାକୁ ଯେତେ ମନ ଖୋଜନ୍ତି ସେଇମାନେ ଆମ ଭାତ ହାଣ୍ଡିର ଲକ୍ଷ୍ମୀ ସାଜନ୍ତି । ହେଲେ ଏବେ ତ ମରୁଡି ପଡିଲା ପରି ଅବସ୍ଥା । ଘଟୁନି କିଛି । ନା ଘରକୁ ନା ଘାଟକୁ । ଘଟଘାଟରେ ବାସ କରୁଥିବା ଦେବତା ଆମର ଘଡିଏ ବସୁଛି ଘଡାର ପାଣି ଘଡି ଦେଖି ଖସିବା ପରି । ନିତି ଦୋକାନ ଖୋଲୁଛି, ସଜପଟା ହେଇ ଆମେ ଦାଣ୍ଡକୁ ମୁହଁଉଛୁ ହେଲେ ଯୋଉଠି ଆଞ୍ଜୁଳି ଭରି ଖୁସି ଗୋଟେଇ ଫେରୁଥିଲୁ ସେଇଠି ଛାତିର ଦରଜକୁ ଲୁଚେଇ ଆଞ୍ଜୁଳାଏ ଲୁହକୁ ପିଇ ଦେଇ ଲେଉଟୁଛୁ ଘର ଯାଏ । ଘରେ ବି ଆଉ ଚହଳପହଲ ନାହିଁ । ଭୋକ ପେଟରେ କିଏ କଣ ହସିଦେଇ ପାରେ! ହଁ ଠାକୁର ନିନ୍ଦିବୁନୁ ଆମେ, ସାନ୍ତାଣୀ ଯଥାକଥା କରି ଚଳଉଛି । ଜୀଇଁଛୁ । ହେଲେ ହାତଉଧାରି ବଢିଲାଣି । 


ଫନି ପରେ ଭାଙ୍ଗିଯାଇଥିବା ଗଳିର ରାସ୍ତା ସଜାଡିବା ନେଇ ସରକାର ଢେଲା, ମୋରମ ଢାଳି ଯାଇଥିଲେ । ତା ପରେ ଭୁଲିଗଲେ କି କଣ କେଜାଣି ସେ ରାସ୍ତା ସେମିତି ଖାଲ ଢିପ ଢେମା ଢେମା ଢେଲା ଗଦେଇ ହେଇ ରହିଛି ଛ' ମାସ ହେଲାଣି । ଆମେ ବି ଚଳେଇନେଇଛୁ । ଲୋକେ କୁଆଡେ ଟଙ୍କା ଖାଇ ହଜମ କରୁଛନ୍ତି ଥାକ ଥାକ । ବାଟମାରଣା ବଢୁଛି । ହଉ ତାଙ୍କୁ ବି ତ ନ୍ୟାୟ ସହୁଛି । 


ଏମିତି କେତେ କଥା କହୁଥାନ୍ତି ଏଥର ଭେଟୁଥିବା ସୁବୁଦ୍ଧି କକା । ଆଗଗଳି ମୋଡଠି ତାଙ୍କ ଘର ପଡିବ ବୋଲି ସିଏ ବୁଲିଗଲେ, " ଥା ରେ ମାଆ, ଭଲରେ ଥାଆ । " କହି ମୁଁ ଦେଉଳକୁ ଦର୍ଶନ ପାଇଁ ଗଲି । ଆଗେ ଯେମିତି ଦାଣ୍ଡ ର ଗହଳି ପରମ ତୃପ୍ତି ଭରୁଥିଲା, ଏଥର ତାର ଖାଲି ପଣିଆ ଖରାଚାଇଁଆ ପିଚୁ ପଟା ପରି ଚେଙ୍ଗିହେଲା । ଖାଡା ଖାଡା ସାପ ପରି ରେଲିଂ ଦିଆ ବାରିକେଟ୍ ବୁଲି ଦେଉଳରେ ପହଞ୍ଚି ଦର୍ଶନ ସାରିଲି । ଜଗା ବି ଝଡିଗଲା ପରି ଦିଶୁଥିଲା, ମୁହଁ ଶୁଖେଇ ବସିଥିଲା । ମତେ ଦେଖି ଅଳପ ହସିଲା । ସେଠୁ ଗଲି ଆନନ୍ଦ ବଜାର । ସେଠି ପୁରୁଣା ଦିନର ଛବି ଖାଲି ସ୍ମୃତିରେ ଭାସିଗଲେ ସିନା ମହକ, ଆନନ୍ଦ କିଛି ଭେଟିଲେନି । ଏଠୁ ଗଲାଦିନ ବରାଦ ଥିଲା ପଡୋଶୀ ବନ୍ଧୁଙ୍କର ନିର୍ମାଲ୍ୟ ନିମନ୍ତେ । 

କୋଠ ଘର କଡକୁ ପିଲାଟିଏ ଫାଳିକିଆ ବେଞ୍ଚଟିଏ ପକେଇ ବସିଥାଏ । ଦଶ ବାର ପୁଡିଆ ଗୋଲାପି କପଡା ଗୁଡା ଧଳା ଢେଗା କନ୍ଥା ସିଲେଇ ପକା ନିର୍ମାଲ୍ୟ ପୁଟୁଳି । ତାଠୁ ଆଣିଲି ଚାରୋଟି । ମୂଲଚାଲର ପ୍ରଶ୍ନ ହି ନଥିଲା ଯେବେ ସିଏ ଦେଖୁ ଦେଖୁ କହିଦେଲା, "ଆସ ମାଆ,ନିଅ । ଜାଗାଟି ଜଗିବାକୁ ଖାଲି ବସିଛି । ଟଙ୍କାଏର ବିକ୍ରି ନାହିଁ । ମାଛି ଉଡୁନାହାନ୍ତି ମାଆ । "


ମନ ତଳ ରୁନ୍ଧିଲା ପରି କୋହ ଉଠେଇ ଆସୁଥିଲା । ଯୋଉ ଆନନ୍ଦ ବଜାରେ ବ୍ରହ୍ମାଣ୍ଡ କୋଟିର ଲୋକେ ପୋଷା ସେଠି ପୁଣି ......


ଲୁହ ଜକା ଆଖିରେ ଲେଉଟିଲି । ହେଲେ କରନ୍ତି ବା କଣ ? ବାଟ ତ ମହରଗ । 



Rate this content
Log in

Similar oriya story from Inspirational