ଅନିଲ କୁମାର ଲେଙ୍କା

Tragedy Inspirational

3  

ଅନିଲ କୁମାର ଲେଙ୍କା

Tragedy Inspirational

ବାଟ ହଜିଗଲା ହାଟ ମଝିରେ

ବାଟ ହଜିଗଲା ହାଟ ମଝିରେ

3 mins
186



--ସମ୍ପର୍କର ସେଇ ଅଚିହ୍ନା ଡୋରଟି କାହା ସହିତ କେତେବେଳେ ବାନ୍ଧି ହୋଇଯାଏ, କିଏ ବା କହିପାରିବ । ସେହିସବୁ ଭଗବାନଙ୍କ ଇଛା,ତାଙ୍କ ଇଛା ବିନା ଘାସର ପତରଟିଏ ବି ହଲିନଥାଏ ଆଉ ନଦୀ ତାର ଧାରା ବଦଳେଇନଥାଏ । ସେପରି ପ୍ରେମ ସମ୍ପର୍କର ଡୋରିରେ ବନ୍ଧା ହୋଇଥିବା ଝିଅ ଟିଏ, ନାଁଟି ତା’ର 'ସିନୁ'।

--ସାତ ଭାଇ ଭଉଣୀରେ ସବା ସାନ କୋଳ ପୋଛା ହୋଇଥିବାରୁ ଭାରି ଅଲିଅଳିରେ ବଢିଥାଏ । ଟିକିଏ କଥାରେ ଖାଲି ଅଭିମାନ । କାହିଁକି ବା ନ ହେବ, ଘରର ସବା ସାନ ଝିଅ ଅତି ଗେଲ ଆଦର ଯତ୍ନରେ ବଢିଯାଇଥିଲା । ଯେତେବେଳେ ଯାହା ଚାହିଁଛି,ନ କହିବା ଆଗରୁ ହିଁ ପାଉଥିଲା ସେ ।

--ହେଲେ ବିଧିର ବିଧାନ ତ ବଡ ନିଆରା । ସେ କ’ଣ ଜାଣିଥିଲା ଦିନେ ତା ଭାଗ୍ୟ ଏମିତି ଖେଳ ଖେଳିବ ବୋଲି ।ଯେଉଁ ସମ୍ପର୍କକୁ ନେଇ ତା’ର ଏଇ ମାନ ଅଭିମାନ ତାକୁ ଛାଡି ସିଏ ଚାଲିଯିବ ଆଉ ଏକ ନୂଆ ଦୁନିଆକୁ ନୂଆ ସଂସାର ଗଢିବାକୁ ।ହେଲେ ନିଜ ପରିବାରରେ ମିଳୁଥିବା ସମ୍ପର୍କର ମୋହରେ ବାନ୍ଧି ହୋଇପଡିଥିବା ଝିଅଟି ଯେ ଦିନେ ମିଛ ସମ୍ପର୍କର ମାୟା ଜାଲରେ ଛନ୍ଦି ହୋଇଯିବ,ସେ କେବେ ସ୍ଵପ୍ନରେ ବି ଭାବି ନ ଥିଲା ।

-- ସିନୁ ଛୋଟ ବେଳେ ଖୁବ୍ ସ୍ପଷ୍ଟବାଦୀ ଓ ସାହାସୀ ଥିଲେ।ପାଠ ପଢିଲା ବେଳେ ଜଣେ ଶିକ୍ଷକ ତାଙ୍କ ପ୍ରତି କରିଥିବା ଦୁର୍ବ୍ଯବହାର ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଦ୍ୟାଳୟ ପରିଚାଳନା କମିଟି ରେ ଅଭିଯୋଗ କରି ତାଙ୍କୁ ଉଚିତ୍ ଦଣ୍ଡ ଦେଇଥିଲେ । ସିନୁର ଆଉ ଏକ ଭଲ ଗୁଣ ଥିଲା ସେ ପରୋପକାରୀ । ସେ ବି ଘର କରଣା କାମ ସବୁରେ ଖୁବ୍ ନିପୁଣା ଥିଲା। ତାର କାମରେ ବହୁତ ଖୁସି ଥିଲା ସେ ନିଜେ ଆଉ ତା’ ପରିବାରର ସମସ୍ତ ସଦସ୍ୟ ।

--ବିବାହଯୋଗ୍ୟ ହୋଇଯାଇଥିବାରୁ ବର ପ୍ରସ୍ତାବ ଖୋଜା ଆରମ୍ଭ ମଧ୍ୟ ହୋଇଗଲା। ତା’ର ପସନ୍ଦ ନାପସନ୍ଦ ବି ପଚରାଗଲା ।ହେଲେ ସିନୁ ସଫା ସଫା କହିଦେଲା, ମୋର ପସନ୍ଦ ମୋ ବାପା ମାଆର ପସନ୍ଦ । ସେମାନେ ଯାହାଙ୍କୁ ଠିକ୍ କରିବେ, ସେ ହିଁ ହେବେ ମୋର ଜୀବନସାଥି ।

--ଶେଷରେ ଉପଯୁକ୍ତ ପାତ୍ରଟିଏ ମିଳିଗଲା ।ପିଲାଟି ଖୁବ୍ ଶାନ୍ତ ସରଳ ମନେ ହେଉଥିଲା ।ଭଲ ଘର ଆଉ ଭଲ ବର ।ଜେଷ୍ଠ ମାସର ଶୁକ୍ଳ ପକ୍ଷ ସପ୍ତମୀ ତିଥିରେ ବିବାହ କାର୍ଯ୍ୟ ସଂପୂର୍ଣ୍ଣ ହୋଇଗଲା ।

--ନୂଆ ଘର ,ପରିବେଶ ଆଉ ନୂଆ ଲୋକମାନଙ୍କ ଗହଣରେ ।ହେଲେ ତାର ବିଶ୍ୱାସ ଥିଲା ଯିଏ ତା’ର ହାତ ବେଦିରେ ସାତ ଘେରା ବୁଲି, ସାତ ବଚନ ଦେଇ ମଥାରେ ସିନ୍ଦୁର ହାତରେ ସଂଖା ପିନ୍ଧେଇଛି, ସେ ନିଶ୍ଚେ ଏଇ ନୂଆ ପରିବେଶରେ ସାଥ୍ ଦେବେ ।

--ହେଲେ ତା’ର ଏ ସ୍ଵପ୍ନ ଆଉ ଭାବନା ସ୍ବପ୍ନରେ ହିଁ ରହିଗଲା । ସ୍ଵାମୀ ତ ତାହାର, ହେଲେ କେଳବ ନିଜ ଭଉଣୀର ଆଜ୍ଞାକାରୀ ଭାଇଟିଏ। ଆଉ କାହାର କିଛି ନାହିଁ ।ସେ ପାଇଁ ଘରେ ଅନେକ ସମୟରେ ବିଶୃଙ୍ଖଳା ଦେଖାଯାଏ। ପରସ୍ପର ମଧ୍ୟରେ ସୁସମ୍ପର୍କ ରହେ ନାହିଁ ।

--ସିନୁ ମୁଣ୍ଡରେ ସତେ ଯେମିତି ସାରା ଆକାଶଟା ଛିଣ୍ଡି ପଡିଥିଲା ।ଯୋଉ ପରିବାରରୁ ସେ ସ୍ନେହ ଶ୍ରଦ୍ଧା ଭଲପାଇବା ଆଉ ନିଜ ଲୋକମାନଙ୍କ ମଧ୍ୟରେ ଥିବା ଉତ୍ତମ ସମ୍ପର୍କ ଦେଖି ବଡ ହେଇଥିଲା, ଆଉ ଆଶା କରିଥିଲା ଠିକ୍ ଏହା ହିଁ ମିଳିବ ଶାଶୁ ଘରେ ; ହେଲେ ଜାଣିଲା ଠିକ୍ ବିପରୀତ ଚିନ୍ତାଧାରା ।ସମ୍ପର୍କକୁ କେବଳ ଟଙ୍କା ପଇସାରେ ମାପୁଥିବା ଲୋକଗୁଡାକ ମଧ୍ୟରେ ସେ ଆସି ପହଞ୍ଚି ଯାଇଛି ।

--ଆବାକ୍ ହୋଇ ଖାଲି ଚାହିଁ ରହିଥାଏ ଆଉ ଭାବୁଥାଏ ଏଇଟା ସମ୍ପର୍କ ନା ମିଛ ସମ୍ପର୍କ ।ଯେଉଁଠି ପରିବାର ଅଛି ହେଲେ ସମ୍ପର୍କର ମାନେ କିଛି ନାହିଁ ।ଖାଲି ଲୋକ ଦେଖାଣିଆ ଆଉ ବଡଲୋକି ପଣିଆ ।ନିରୀହ ଝିଅ ସିନୁ ସତେ ଯେମିତି ଅଣନିଶ୍ବାସୀ ହୋଇପଡିଥିଲା । ସୁନା ପଞୁରୀ ଭିତରେ ଛଟପଟ ହୋଇପଡୁଥିବା ଶାରୀଟିଏ ଭଳି ।

-- ସ୍ବାମୀ ଛୋଟ ବ୍ୟବସାୟ କରୁଥିଲେ ବି ପ୍ରଚୁର ମଦ୍ୟପାନ ବି କରୁଥିଲେ। ସ୍ବାମୀ ଉପରେ ନିଜ ନଣନ୍ଦର ଅତିରିକ୍ତ ନିୟନ୍ତ୍ରଣ ସିନୁ ଉପରେ ଅସହ୍ୟ ବୋଧ ହୁଏ। ତେଣୁ ସେ ସ୍ବାମୀ ଉପରେ ହିଁ ତାର ପ୍ରତିଶୋଧ ନିଏ । ନିରବ ପ୍ରତିଶୋଧ। ସ୍ବାମୀଙ୍କୁ ପ୍ରେମ ବନ୍ଧନରେ ବାନ୍ଧି ବୁଝାଇ ଶୁଝାଇ ମଦ୍ୟପାନରୁ ବିରତ କରିବା ପରିବର୍ତ୍ତେ ନୀରବରେ ସ୍ବାମୀଙ୍କ ପ୍ରତି ନିରନ୍ତର ନିର୍ଯ୍ଯାତନା ଦିଏ। ଏମିତିରେ ମଦ ପିଇ ଆସିଲେ ସ୍ବାମୀଙ୍କୁ ଘରେ ବି ପୁରେଇ ଦିଏନି। ବିଚରା ସ୍ବାମୀ ବାରଣ୍ଡାରେ ରାତି ବିତାଏ। ସ୍ତ୍ରୀ ପାଖରୁ ଏପରି ବ୍ୟବହାର ତଥା ପରିବାରର ଅଶାନ୍ତି କାରଣରୁ ସେ ଅଧିକରୁ ଅଧିକ ମଦ୍ୟପାନ କରିଦିଏ।

-- ପରିଶେଷରେ ଅଧିକ ମଦ୍ୟପାନ କାରଣରୋ ହୃଦଘାତରେ ସ୍ବାମୀଙ୍କ ନିଧନ ହେଲା ବେଳକୁ ସିନୁ ଯେମିତି ଅସହାୟ । ନା ସେ ଭଲ ବୋହୁ ହୋଇଛନ୍ତି ନା ସ୍ବାମୀର ସ୍ତ୍ରୀ ହୋଇ ରହି ପାରିଲେ ! ଉଭୟ ସାମାଜିକ, ଆର୍ଥିକ ତଥା ବ୍ୟକ୍ତିଗତ ଦୁଃଖ ସାଗରରେ ବୁଡି ଛୋଟ ଝିଅ ପାପାନିର ଭବିଷ୍ୟତ କଥା ଭାବି ଆଖିରୁ ଯାହା ଲୁହର ଶ୍ରାବଣର ଧାରା ଝରାଇଲେ ! 

--ସିନୁର ଅସାବଧାନତା ତଥା ସ୍ବାମୀଙ୍କୁ ନିଜ ପ୍ରେମ ପରଶରେ ବାନ୍ଧି ନ ପାରିବାରୁ ତାଙ୍କର ସ୍ବାମୀ ହଜିଗଲେ ଅଧା ବାଟରେ !ଜୀବନ ରୂପକ ହାଟରେ ବାଟ ହଜେଇ ବସିଲେ ସିନୁ । ଖାଲି କାନ୍ଦି କାନ୍ଦି ଝିଅକୁ କହିଲେ ଆରେ ମାଆ ଆମ "ବାଟ ହଜିଗଲା ହାଟ ମଝିରେ !"


Rate this content
Log in

Similar oriya story from Tragedy