Kanan Bala Nayak

Tragedy

3.5  

Kanan Bala Nayak

Tragedy

ବାର୍ଦ୍ଧକ୍ଯ ଭତ୍ତା

ବାର୍ଦ୍ଧକ୍ଯ ଭତ୍ତା

9 mins
155



"ନିୟତି ର ବଡ଼ ବିଚିତ୍ର ଖେଳ।ଆଜି ଯେ ରାଜେନ୍ଦ୍ରା ସନେ କାଲିସେ ଫକୀର।"


  ସେଦିନ ରାତିରେ ଗୋଟିଏ ଅଜଣା ନମ୍ବର ରୁ ଫୋନ୍ ଆସିବାର ଦେଖି ସିପ୍ରା ଫୋନ୍ ଉଠାଇଲା ନାହିଁ। ହେଲେ ସେ ଫୋନ୍ ରୁ ବାରମ୍ବାର ଫୋନ ଆସୁଥିବାର ଦେଖି ତା ସ୍ବାମୀ ଶୁଭ୍ରାଂଶୁ କହିଲେ ଆରେ ଫୋନ୍ ଟା କେତେ ଥର ବାଜିଲାଣି ଉଠାଉ ନାହଁ କାହିଁକି? ସିପ୍ରା କହିଲା ଗୋଟେ ଅଜଣା ନମ୍ବର ରୁ କଲ୍ ଆସୁଛି। ଶୁଭ୍ରାଂଶୁ କହିଲେ ତୁମେ ଜଣେ ପ୍ରଶାସନିକ ଅଧିକାରୀ ତୁମେ ଅଜଣା କଲ୍ କୁ ଏମିତି ଡରିଲେ ହେବ? ଫୋନ୍ ଉଠାଅ। କାଳେ କେହି ଅସୁବିଧା ରେ ପଡ଼ି ପଡି ଫୋନ୍ କରୁଥିବ। ଆଉ ଯଦି କେହି ବଦମାସ ଲୋକ ଫୋନ୍ କରୁଥିବ ତେବେ ତାକୁ ଆମେ ପୋଲିସ୍ ରେ ଦେବା।


   ଶୁଭ୍ରାଂଶୁ ଙ୍କ କଥା ସରି ନଥାଏ ପୁଣି ଥରେ ଫୋନ୍ ରିଙ୍ଗ ହେଲା। ସିପ୍ରା ଫୋନ୍ ଉଠାଇଲା।ସେ ପଟୁ ଜଣେ ମହିଳା ଙ୍କ ସ୍ବର ଶୁଣିବାକୁ ମିଳିଲା।ମାଆ ସିପ୍ରା ମୁଁ ସୁଜାତା ମାଉସୀ କହୁଛି।ତୁ ଏବେ ମୋତେ ଚିହ୍ନି ପାରିବୁନି ବୋଧହୁଏ ? କେତେ ଥର ଫୋନ୍ କଲିଣି ତୁ ଉଠାଉ ନାହୁଁ।ତୋ ପାଖରେ ଅତ୍ୟନ୍ତ ଜରୁରୀ କାମ ନ ଥିଲେ ତୋ ପାଖକୁ ଫୋନ୍ କରି ନଥାନ୍ତି। ତୋର ମନେ ଅଛି ତୋ ବାପା ଯେତେବେଳେ ବାରିପଦା ଜଳସେଚନ ବିଭାଗରେ କାମ କରୁଥିଲେ ସେତେବେଳେ ତୁମେ ମାନେ ଆମ ଘରେ ଭଡ଼ା ରହୁଥିଲ।ତୋ ଭାଇ କୁନା ଓ ମୋ ପୁଅ ରାଜୁ ଦୁଇ ଜଣ ସାଙ୍ଗ ଥିଲେ। 


   ସୁଜାତା ମାଉସୀ ଙ୍କ କଥା ଶୁଣି ସିପ୍ରା ର ପିଲା ଦିନ ର କଥା ଝାପସା ମନେ ‌ପଡିବା ରେ ଲାଗିଲା। ସିପ୍ରା ଯେତେବେଳେ ବହୁତ ଛୋଟ ଥାଏ, ସେତେବେଳେ ସେମାନେ ସୁଜାତା ମାଉସୀ ଙ୍କ ଘରେ ଭଡ଼ା ରହୁଥିଲେ। ସୁଜାତା ମାଉସୀ ଅତ୍ୟନ୍ତ ସ୍ନେହୀ ଓ ମେଳାପୀ ଥିଲେ। ସିପ୍ରା ର ବୋଉ ଓ ସୁଜାତା ମାଉସୀ ଦୁଇ ସାଙ୍ଗ ଭଳି ମିଶୁଥିଲେ। ସୁଜାତା ମାଉସୀ ଙ୍କ ଘରେ ଯାହା ରୋଷେଇ ହୁଏ ସିପ୍ରା ଘରକୁ ଆସେ ଓ ସିପ୍ରା ଘରେ ଯାହା ରୋଷେଇ ହୁଏ ସୁଜାତା ମାଉସୀ ଙ୍କ ଘରକୁ ଯାଏ। ସବୁ ପର୍ବ ପର୍ବାଣୀ ଦୁଇ ଘର ସାଙ୍ଗ ହୋଇ ପାଳନ କରନ୍ତି। ସିପ୍ରା ର ଭାଇ କୁନା ଓ ସୁଜାତା ମାଉସୀ ଙ୍କ ପୁଅ‌ ରାଜୁ ଦୁଇଜଣ ବହୁତ ଭଲ ସାଙ୍ଗ।ଜଣ ଅନ୍ୟ ଜଣକୁ ଘଡ଼ିଏ ନ ଦେଖିଲେ ରହି ପାରୁ ନ ଥିଲେ।ଆଉ ସିପ୍ରା ର କଥା ନ କହିଲେ ଭଲ। 


       ସିପ୍ରା ସକାଳ ଠାରୁ ରାତି ପର୍ଯ୍ୟନ୍ତ ସୁଜାତା ମାଉସୀ ଙ୍କ ଘରେ ରହେ। ସୁଜାତା ମାଉସୀ ତାକୁ ଦାନ୍ତ ଘସାଇବା, ଖୁଆଇବା, ଗାଧୋଇ ଦେବା ସବୁ କାମ କରି ଦିଅନ୍ତି। ନିଜ ପିଲା ଙ୍କ ଠୁ ଅଧିକ ଭଲ ପାଆନ୍ତି। ସିପ୍ରା ମଧ୍ୟ ସୁଜାତା ମାଉସୀ ଙ୍କୁ ନିଜ ମାଆ ଭଳି ଭଲ ପାଏ। ସିପ୍ରା ଯେତେବେଳେ ‌ପଞ୍ଚମ ଶ୍ରେଣୀ ପଢୁଥିଲା ତା ବାପାଙ୍କ ର ଅନ୍ୟତ୍ର ବଦଳି ହୋଇ ଗଲା। ଅନେକ ଦିନ ଧରି ସିପ୍ରା ଓ ସୁଜାତା ମାଉସୀ ଙ୍କ ଘର ମଧ୍ୟ ରେ ସମ୍ପର୍କ ରହିଲା। ହେଲେ ସମୟର ଗତି ଚକ୍ର ଯେତେ ଯେତେ ଢଳିଲା ତାଙ୍କ ଭିତରର ସମ୍ପର୍କ ସେତେ ସେତେ ଫିକା ପଡ଼ିଲା। ଆସ୍ତେ ଆସ୍ତେ ଯିବା ଆସିବା ବନ୍ଦ ହୋଇ ଯିବା ସହିତ ଫୋନ୍ ରେ ମଧ୍ୟ କଥା ବାର୍ତ୍ତା କମିଗଲା।ୟା ଭିତରେ ଦୀର୍ଘ ଦିନ ବିତି ଗଲାଣି କେହି ଆଉ କାହାର ଖବର ରଖି ନାହାଁନ୍ତି।


   ସିପ୍ରା ମଧ୍ୟ ବଡ଼ ହୋଇ ପ୍ରଶାସନିକ ଅଧିକାରୀ ଟେ ହୋଇଛି।ତା ଭାଇ ସଫ୍ଟୱେର ଇଞ୍ଜିନିୟର ହୋଇ ବାଙ୍ଗାଲୋରରେ ରହିଛି। ଅନେକ କିଛି ବଦଳି ଯାଇଛି। ବଦଳି ଯାଇଛି ଜୀବନ ଶୈଳୀ। ଫୋନ୍ ଟିକୁ ଧରି ସିପ୍ରା ଅତୀତ ଭିତରେ ହଜି ଯାଇଥିଲା।ସେ ପଟୁ ସୁଜାତା ମାଉସୀ ଙ୍କ ସ୍ବର ଶୁଣି ସେ ପ୍ରକୃତିସ୍ଥ ହେଲା। ସୁଜାତା ମାଉସୀ କହୁ ଥାଆନ୍ତି ମାରେ ମନେ ପଡ଼ିଲା ମୋ କଥା। ସିପ୍ରା କହିଲା ହଁ ମାଉସୀ ସବୁ ଗୋଟି ଗୋଟି ହୋଇ ମନେ ପଡି ଯାଉଛି। ମାଉସୀ ଏତେ ଦିନ ପରେ ଆପଣଙ୍କର ଆପଣଙ୍କ ଝିଅ କଥା ମନେ ପଡ଼ିଲା? ସୁଜାତା ମାଉସୀ କହିଲେ ମାଆ ରେ ତୋ କଥା ମୋର ସବୁବେଳେ ମନେ ପଡ଼େ। ତୋତେ ଦେଖିବାକୁ ବହୁତ ଇଚ୍ଛା ହୁଏ କିନ୍ତୁ ମୋ ପାଖରେ ସମ୍ବଳ କାହିଁ ତୋ ପାଖକୁ ଯିବା କୁ।ତୋ ବାହାଘର କୁ ଯିବି ପାଇଁ ବହୁତ ଇଚ୍ଛା ଥିଲା ହେଲେ ଖାଲି ହାତଟା ରେ କେମିତି ଯାଇ ଥାଆନ୍ତି କହିଲୁ? ଝିଅ ବାହାଘର କୁ ମାଆ କଣ କେବେ ଖାଲି ହାତରେ ଯାଇପାରେ?ସେ ଦିନ ଦିନ ସାରା ମୁଁ ଭଗବାନ ଙ୍କୁ ପ୍ରାର୍ଥନା କରିଥିଲି ତୋର ଦାମ୍ପତ୍ୟ ଜୀବନ ସୁଖମୟ ହେଉ ବୋଲି। 


   ମାଆ ରେ ଗୋଟେ ଜରୁରୀ କାମ ଅଛି ବୋଲି ତୋତେ ଫୋନ୍ କଲି।ମୋ ପାଇଁ ଓ ତୋ ମଉସା ଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା ର ବ୍ୟବସ୍ଥା କରି ଦିଅନ୍ତୁନି? ସୁଜାତା ମାଉସୀ ଙ୍କ କଥା ଶୁଣି ସିପ୍ରା ଦଣ୍ଡେ ଆଶ୍ଚର୍ଯ୍ୟ ହୋଇ ରହିଗଲା।ତା କାନ କୁ ଠକ୍ ଶୁଣା ଯାଇଛି ତ? ସୁଜାତା ମାଉସୀ ପୁଣି ବାର୍ଦ୍ଧକ୍ୟ ଭତ୍ତା କହୁଛନ୍ତି? ସେ ପୁଣି ଥରେ ପଚାରିଲା ମାଉସୀ ଆପଣ ମାନଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା କଥା କହୁଛନ୍ତି? ସୁଜାତା ମାଉସୀ କହିଲେ ହଁ ରେ ମାଆ। ଆମ ଜୀବନରେ ଅନେକ ଝଡ଼ ଝଞ୍ଜା ବହି ଯାଇଛି। ମାଆ ରେ ମୋ ପାଖରେ ଏବେ ତୋ ପାଖକୁ ଯିବା ପାଇଁ ମଧ୍ୟ ସମ୍ବଳ ନାହିଁ। ହେଲେ ତୋର କ'ଣ ମନ କେବେ କହେନି ତୋ ମାଉସୀ ପାଖକୁ ଆସିବା ପାଇଁ। ମାଉସୀ ଟା ବଞ୍ଚିଛି କି ମରିଛି ଟିକେ ଦେଖି ଯିବା ପାଇଁ?


  ସିପ୍ରା ମାଉସୀ ଙ୍କ ପ୍ରଶ୍ନ ର‌ କିଛି ଉତ୍ତର ଦେଇ ପାରି ନଥିଲା।ଆଉ ମାଉସୀ ଙ୍କ ଠାରୁ ତାଙ୍କ ଠିକଣା ଟା ମାଗିଥିଲା।ତା ପରେ ମନେ ମନେ ଭାବିଲା ଏମିତି କଣ ହେଲା ଯେ, ସୁଜାତା ମାଉସୀ ଙ୍କ ଭଳି ଲୋକଙ୍କୁ ବାର୍ଦ୍ଧକ୍ୟ ଭତ୍ତା ର ଆବଶ୍ୟକତା ପଡ଼ିଲା? ଯେଉଁ ମାଉସୀ ଙ୍କ ଘରେ ଏତେ ଖାଇବା ପାଇଁ ଦିଅନ୍ତି ଯେ ସିପ୍ରା ଓ ତା ଭାଇ ତାଙ୍କ ଘରକୁ ଯିବା ପାଇଁ ଭୟ କରନ୍ତି। ଆଜି ସେଇ ମାଉସୀ ଙ୍କର ପୁଣି ଏମିତି କଣ ଅସୁବିଧା ହୋଇଗଲା ଯେ ସିପ୍ରା ପାଖକୁ ଆସିବା ପାଇଁ ତାଙ୍କ ପାଖରେ ସମ୍ବଳ ନାହିଁ ବୋଲି କହିଲେ। ସିପ୍ରା ଯେତେବେଳେ ସୁଜାତା ମାଉସୀ ଙ୍କ ଘର ଛାଡ଼ି ଆସିଥିଲା ସେତେବେଳେ ତ ସୁଜାତା ମାଉସୀ ଙ୍କ ଅବସ୍ଥା ବହୁତ ସ୍ୱଚ୍ଛଳ ଥିଲା।ମଉସା ଗୋଟେ ପ୍ଲାଷ୍ଟିକ ଜିନିଷ ତିଆରି କରୁଥିବା କମ୍ପାନୀ ରେ ଚାକିରୀ କରୁଥିଲେ।ରାଜୁ ଭାଇ ମଧ୍ୟ ବହୁତ ଭଲ ପାଠ ପଢୁଥିଲା । ସିପ୍ରା ଶୁଣିଥିଲା ଯେ ରାଜୁ ଭାଇ କେଉଁ କମ୍ପାନୀ ରେ ଗୋଟେ ଭଲ ଚାକିରୀ ଟେ କରିଛି ବୋଲି। ତେବେ ଏଇ ଭିତରେ ଏମିତି କଣ ହୋଇଗଲା ଯେ ସୁଜାତା ମାଉସୀ ଙ୍କ ଅବସ୍ଥା ଏମିତି ହୋଇଗଲା।


  ରାତି ସାରା ଏଇ କଥା ଭାବି ସିପ୍ରା କୁ ଆଉ ନିଦ ହେଲାନି।ସେ ସ୍ଥିର କଲା ତା ପରଦିନ ସେ ଯେମିତିବି ହେଉ ସୁଜାତା ମାଉସୀ ଙ୍କ ଘରକୁ ଯିବ।ଆଉ ତାଙ୍କ ବିଷୟରେ ବୁଝିବ।ତା ପର ଦିନ ସକାଳୁ ସକାଳୁ ସିପ୍ରା ସୁଜାତା ମାଉସୀ ଙ୍କ ଘର ଅଭିମୁଖେ ବାହାରି ଗଲା।ସୁଜାତା ମାଉସୀ ଦେଇଥିବା ଠିକଣା ରେ ପହଞ୍ଚି କବାଟ ବାଡ଼େଇବା ପରେ ଜଣେ ମହିଳା ଆସି କବାଟ ଖୋଲିଲେ। ସିପ୍ରା ମହିଳା ଜଣକୁ ପଚାରିଲା ଏଇଟା ସୁଜାତା ମାଉସୀ ଙ୍କ ଘର ତ? ମହିଳା ଜଣଙ୍କ କହିଲେ ମୁଁ ପରା ତୋର ସୁଜାତା ମାଉସୀ।ତୁ କ'ଣ ମୋତେ ଚିହ୍ନି ପାରୁନୁ।ସିପ୍ରା ନିଜ ଆଖି କୁ ବିଶ୍ୱାସ କରି ପାରୁ ନଥିଲା।ଇଏ କ'ଣ ସେଇ ସୁଜାତା ମାଉସୀ ଯାହା ଙ୍କୁ ଦେଖିଲେ ଯେ କୌଣସି ଲୋକ ଘଡ଼ିଏ ଅନାଇ ରହୁଥିଲା। 


  ଯେମିତି ଡେଙ୍ଗା ସେମିତି ଗୋରା ତକତକ ଚେହେରା। ସତେ ଯେମିତି ସ୍ବର୍ଗର କୌଣସି ଦେବୀ ମର୍ତ୍ତ୍ୟକୁ ଓହ୍ଲାଇ ଆସିଛନ୍ତି। ସିପ୍ରା ଆଶ୍ଚର୍ଯ୍ୟ ହୋଇ କହିଲା ସୁଜାତା ମାଉସୀ ଆପଣ? ଆପଣ ଏମିତି ଦେଖା ଯାଉଛନ୍ତି କାହିଁକି? ଜମାରୁ ଚିହ୍ନି ହେଉନି ଆପଣ କୁ? ସୁଜାତା ମାଉସୀ ସିପ୍ରା କୁ କହିଲେ ତୁ ଏମିତି ବାହାରେ ଛିଡ଼ା ହୋଇ ପ୍ରଶ୍ନ କରୁଥିବୁ ନା ଭିତରକୁ ଆସିବୁ।ଘର ଦେଖି ସିପ୍ରା ଆହୁରି ଆଶ୍ଚର୍ଯ୍ୟ ହେଲା। ଗୋଟିଏ ରୁମ୍ ଓ ରୋଷେଇ ଘର।ଖଟ ଉପରେ ‌ପଡିଥିବା‌ କନ୍ଥା ରୁ କେମିତି ଗୋଟେ ଉତ୍କଟ ଗନ୍ଧ ବାହାରୁ ଥାଏ। ମାଉସୀ ସିପ୍ରା କୁ ସେଇ ଖଟ ଉପରେ ବସିବାକୁ କହି ମଉସା ଙ୍କୁ ଡାକିଲେ। ‌କାରଣ ମଉସା ସେ ସମୟରେ ସେଇ ଖଟରେ ‌ଶୋଇ ଥାଆନ୍ତି। ମାଉସୀ କହିଲେ କହିଲ ଦେଖି ଇଏ କିଏ? ମଉସା କହିଲେ କି କଥା କହୁଛ?ମୋ ଝିଅ ଟାକୁ ମୁଁ ପୁଣି ଚିହ୍ନି ପାରିବିନି।ମାଆ ସିପ୍ରା ତୋର ଏତେ ଦିନ ପରେ ଆମ କଥା ମନେ ପଡ଼ିଲା?


 ମାଉସୀ କହିଲେ ମାଆ ରେ ତୁ ଟିକେ ମଉସାଙ୍କ ସହ କଥା ହେଉଥା‌। ମୁଁ ତୋ ପାଇଁ ଜଳଖିଆ ନେଇ ଆସୁଛି। ସିପ୍ରା କହିଲା ମାଉସୀ ସେ ସବୁ ର କଣ ଆବଶ୍ୟକତା ଅଛି? କାହିଁକି ସେ ସବୁ ମଗାଉ ଥିଲେ? ମାଉସୀ କହିଲେ ଏତେ ଦିନ ପରେ ମାଉସୀ ଘରକୁ ଆସିଛୁ। କିଛି ନ ଖାଇ ଚାଲିଯିବୁ କେମିତି?ସିପ୍ରା କହିଲା ମାଉସୀ ମୁଁ ପରେ ଖାଇବି ପ୍ରଥମେ ଆପଣ କୁହନ୍ତୁ ଆପଣ ଙ୍କର ଏ ଅବସ୍ଥା ହେଲା କେମିତି? ଆପଣ ନିଜ ଘର ଛାଡ଼ି ଏ ଭଳି ଏକ ଭଙ୍ଗା ଦଦରା ଘରେ କାହିଁକି ରହୁଛନ୍ତି? ଆପଣ ଏମିତି କେମିତି ଦେଖା ଯାଉଛନ୍ତି ଯେ ମୁଁ ଆପଣଙ୍କୁ ଚିହ୍ନି ପାରୁନି। 


   ସୁଜାତା ମାଉସୀ କହିଲେ ମୁଁ ଜଳଖିଆ ଆଣେ। ଖାଉ ଖାଉ କଥା ହେବା।ଏଥର ସିପ୍ରା ତାଙ୍କୁ ଆଉ ମନା କଲାନି। ମାଉସୀ ‌ଗୋଟେ ପ୍ଲେଟରେ ସିଙ୍ଗଡ଼ା,ଆଳୁଚପ୍ ଓ ପିଆଜି ଧରି ଆସିଲେ। ସିପ୍ରା କହିଲା ମାଉସୀ ଆପଣ ମାନଙ୍କ ପାଇଁ ଆଣିଲେ ନି? ସିପ୍ରା କଥା ଶୁଣି ସୁଜାତା ମାଉସୀ କହିଲେ ଆମେ ଡେରିରେ ଭାତ ଖାଇଛୁ।ତୁ ଖାଆ।ସିପ୍ରା କିନ୍ତୁ ଜାଣି ସାରିଥାଏ ଯେ ମଉସା ମାଉସୀ କେବଳ ତା ପାଇଁ ଜଳଖିଆ ମଗାଇ ଛନ୍ତି। ମନା କଲେ ମାଉସୀ ଖରାପ ଭାବିବେ।ଏଇ କଥା ଭାବି ସିପ୍ରା ଜଳଖିଆ ଖାଇବା ଆରମ୍ଭ କଲା ଓ ମାଉସୀ ଙ୍କୁ ତାଙ୍କ ଅବସ୍ଥା ବିଷୟରେ ପଚାରିଲା। 


  ମାଉସୀ କହିଲେ ତୁମେ ମାନେ ଘର ଛାଡ଼ିବା ର ଅନେକ ଦିନ ଯାଏ ସବୁକିଛି ଠିକ୍ ଠାକ୍ ଚାଲିଥିଲା।ରାଜୁ ମଧ୍ୟ ଭଲ ପାଠ ‌ପଢି ଗୋଟେ ଭଲ କମ୍ପାନୀ ରେ‌ ଚାକିରୀ ପାଇଲା।ତା ବାହାଘର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଙ୍କ ଘରେ ହେଲା।ତାର ପୁଅଟିଏ ମଧ୍ୟ ହେଲା। ବେଶ୍ ହସ ଖୁସିରେ ଆମ ପରିବାର ଚାଲିଥାଏ। କିନ୍ତୁ କଥାରେ ଅଛି ସବୁଦିନ ପୁନେଇ ରାତି ନଥାଏ। ହଠାତ୍ ଦିନେ ରାଜୁ ଅଫିସ ରୁ ଫେରୁଥିବା ସମୟରେ ତାର ଆକ୍ସିଡେଣ୍ଟ ହେଲା।ତା ମସ୍ତିଷ୍କ ରେ ଯୋର ରେ ଆଘାତ ଲାଗିଥିଲା।ତାର ଚିକିତ୍ସା ପାଇଁ ଅନେକ ଅର୍ଥ ର ଆବଶ୍ୟକତା ପଡ଼ିଲା। ତୁ ତ ଜାଣୁ ତୋ ମଉସା ଗୋଟେ ପ୍ରାଇଭେଟ୍ କମ୍ପାନୀରେ ଚାକିରୀ କରିଥିଲେ।ସେ ଯାହା ଟଙ୍କା ପାଇଥିଲେ ସେ ସବୁ ଖର୍ଚ୍ଚ ହୋଇଗଲା। ତା ପରେ ବି ଆହୁରି ଅର୍ଥ ଦରକାର ପଡିଲା। 


    ବନ୍ଧୁ ବାନ୍ଧବ ମାନଙ୍କ ଠାରୁ ମଧ୍ୟ ଧାର୍ ସୁତ୍ର ରେ ଅନେକ ଅର୍ଥ ଆଣିଲୁ। ତଥାପି ଆହୁରି ଅର୍ଥ ଦରକାର ପଡିଲା। ବାଧ୍ୟ ହୋଇ ଯାହା ଗହଣା ପତ୍ର ଥିଲା ତାକୁ ବିକ୍ରୀ କରିଦେଲୁ। ତେବେ ବି ରାଜୁର ଅବସ୍ଥାର କିଛି ଉନ୍ନତି ହେଲାନି। ଆମେ ବାଧ୍ୟ ହୋଇ ନିଜ ଘରଟିକୁ ବିକ୍ରି କରିଦେଲୁ।ତା ଶ୍ବଶୁର ଘର ଲୋକ ମଧ୍ୟ ଅନେକ ଟଙ୍କା ଦେଲେ।ଘର ବିକ୍ରି ହୋଇ ଗଲା ପରେ ଆମେ କିଛି ଦିନ ତା ଶ୍ବଶୁର ଘରେ ରହିଲୁ। ହେଲେ ସବୁଦିନ ତାଙ୍କ ଘରେ ରହିବାକୁ ଭଲ ଲାଗିଲା ନାହିଁ।


  ଆମ ପାଖରେ ସେତେବେଳେ ଆଉ କିଛି ସମ୍ବଳ ନ ଥାଏ। ତେଣୁ ବାଧ୍ୟ ହୋଇ ଆମେ ଏଇ ଘରଟି ଭଡ଼ା ନେଲୁ।ତୋ ମଉସା ଗୋଟେ ଦୋକାନ ରେ ଚାକିରି କରିଥିଲେ। ହେଲେ ଏବେ ତାଙ୍କ ଦେହ ଆଉ ଭଲ ରହୁନି।ସେ ଆଉ ଦୋକାନ ଯାଇ ପାରୁନାହାନ୍ତି।ରାଜୁ ତ ଏବେ ପର୍ଯ୍ୟନ୍ତ କାମ କରି ପାରୁନି।ସେ ଓ ତା ସ୍ତ୍ରୀ ତା ଶ୍ବଶୁର ଘରେ ରହୁଛନ୍ତି।ତା ଶଶୁର ଘର ଲୋକ ଆମକୁ କିଛି ସାହାଯ୍ୟ କରୁଛନ୍ତି। ହେଲେ ସେତିକି ରେ ଚଳିବା କୁ ଭାରି କଷ୍ଟ ହେଉଛି। ତେଣୁ ତୁ ଯଦି ଚେଷ୍ଟା କରି ଆମ ଦୁଇ ଜଣଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା ର ବ୍ୟବସ୍ଥା କରିଦିଅନ୍ତୁ ଆମେ ବହୁତ ଉପକୃତ ହୁଅନ୍ତୁ। 


   ମାଉସୀ ଙ୍କ କଥା ଓ ତାଙ୍କ ଅବସ୍ଥା ଦେଖି ସିପ୍ରା ଆଖି ରେ ଲୁହ ଆସି ଯାଇଥାଏ। ଯେଉଁ ସୁଜାତା ମାଉସୀ ବେଶୀ ଖାଇବାକୁ ଦିଅନ୍ତି ବୋଲି ସିପ୍ରା ଓ ତା ଭାଇ ତାଙ୍କ ଘରକୁ ‌ଯିବାକୁ ଭୟ କରୁଥିଲେ, ସେଇ ସିପ୍ରା ମାଉସୀ ଆଜି ଭଲ ରେ‌ ଗଣ୍ଡେ ଖାଇବାକୁ ପାଉନାହାନ୍ତି।କଥା ହେଉ ହେଉ ସନ୍ଧ୍ୟା ହୋଇ ଯାଇଥାଏ। ସିପ୍ରା କହିଲା ମାଉସୀ ମୁଁ ଏବେ ଆସୁଛି। ମାଉସୀ କହିଲେ ଆମ କଥା ଟିକେ ବୁଝିବୁ। ସିପ୍ରା ସୁଜାତା ମାଉସୀ ଙ୍କ ହାତକୁ କିଛି ଟଙ୍କା ବଢାଇ ଦେଲା। ସୁଜାତା ମାଉସୀ ମନା କଲେନି।ତା ପରେ ସିପ୍ରା ନିଜ ଘରକୁ ଆସିଲା ହେଲେ ମନଟା ସୁଜାତା ମାଉସୀ ଙ୍କ ପାଖରେ ଥାଏ।ତା ପର ଦିନ ଅଫିସ୍ ଯାଇ ସିପ୍ରା ବାର୍ଦ୍ଧକ୍ୟ ଭତ୍ତା ବିଷୟରେ ବୁଝିଲା।ତା ପରେ ସୁଜାତା ମାଉସୀ ଙ୍କ ପାଖକୁ ଫୋନ କଲା ଆବଶ୍ୟକ କାଗଜ ପତ୍ର ପଠାଇବା ପାଇଁ। ହେଲେ ସୁଜାତା ମାଉସୀ ଆବଶ୍ୟକ କାଗଜ ପତ୍ର ତାଙ୍କ ପାଖରେ ନାହିଁ ବୋଲି କହିଲେ। ସିପ୍ରା ତାଙ୍କୁ କହିଲା କାଗଜପତ୍ର ନହେଲେ ତ ବାର୍ଦ୍ଧକ୍ୟ ଭତ୍ତା ହୋଇ ପାରିବ ନାହିଁ। ଆପଣ ଚେଷ୍ଟା କରନ୍ତୁ କାଗଜ ପତ୍ର ତିଆରି କରିବା ପାଇଁ। ସରକାର ଙ୍କ ର କିଛି ନୀତି ନିୟମ ଅଛି ମାଉସୀ ତାହା ନହେଲେ କାମ ହେବନି। 


      ମାଉସୀ କହିଲେ ହଉ ମୁଁ ରାଜୁ ସହିତ କଥା ହେଉଛି ସେ ତା ଶ୍ବଶୁର ଙ୍କୁ କହି କାଗଜ ପତ୍ର ପ୍ରସ୍ତୁତ କରିବ।ତା ପରେ ସୁଜାତା ମାଉସୀ ମଝିରେ ମଝିରେ ‌ସିପ୍ରା କୁ ଫୋନ୍ କରନ୍ତି।ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବଶ୍ୟକ କାଗଜ ପତ୍ର କଥା କହିଲେ କହନ୍ତି ଆମର ତ ସବୁ କିଛି ବିକ୍ରି ହୋଇଗଲା। ଭୋଟର କାର୍ଡ ଓ ଆଧାର କାର୍ଡ ରେ ତ ଆମର ସେଇ ଘର ର ଠିକଣା ଥିଲା।ଏଇଟା ତ ଭଡ଼ା ଘର। କାଗଜ ପତ୍ର କେଉଁଠୁ ଆଣିବି କହ?ତୁ ଟିକେ ବିନା କାଗଜ ପତ୍ର ରେ କାମଟା କରି ଦିଅନ୍ତୁ ନି। ସିପ୍ରା କହିଲା ମାଉସୀ ସରକାରୀ କାମ କଣ ବିନା କାଗଜ ପତ୍ର ରେ ହୁଏ।ତା ଛଡା ଆପଣ ଙ୍କୁ ନିଜକୁ ନିଜେ ବୋଲି ପ୍ରମାଣିତ କରିବା ପାଇଁ ପରା ଏସବୁ କାଗଜ ପତ୍ର ନିହାତି ଆବଶ୍ୟକ। ସୁଜାତା ମାଉସୀ କହନ୍ତି ଆମେ ବହୁତ ଅସୁବିଧାରେ ଅଛୁ ରେ ମାଆ। ଏବେ ତ ଆମ ଦୁଇ ଜଣଙ୍କର ମେଡିସିନ୍ କିଣିବା ପାଇଁ ମଧ୍ୟ ଆମ ପାଖରେ ଟଙ୍କା ନାହିଁ। ସିପ୍ରା ନିଜ କୁ ଭାରି ଅସହାୟ ବୋଧ‌‌ କରେ। କଣ କଲେ ମାଉସୀ ଙ୍କ ଭତ୍ତା ହୋଇ ପାରିବ ସେ କଥା ଚିନ୍ତା କରେ।ତା ସ୍ବାମୀ ଙ୍କୁ ମଧ୍ୟ ଏ ବିଷୟରେ କହେ। ହେଲେ ବିନା କାଗଜପତ୍ର ରେ କିଛି ହେବନି ବୋଲି ଉତ୍ତର ଶୁଣି ସବୁବେଳେ ନିରାଶ ହୁଏ।


   ସିପ୍ରା କୁ ଉଦାସ ଦେଖି ତା ସ୍ବାମୀ କହିଲେ ଗୋଟେ କାମ କଲେ ହେବ। ଆମେ ପ୍ରତ୍ୟେକ ମାସ ମାଉସୀ ଙ୍କ ଆକାଉଣ୍ଟ କୁ କିଛି ଟଙ୍କା ପଠାଇ ଦେବା। ସିପ୍ରା କହିଲା ମାଉସୀ ଭାରି ସ୍ଵାଭିମାନୀ। ଆଜି ତାଙ୍କ ଅବସ୍ଥା ଖରାପ ଅଛି ବୋଲି ସିନା। ନ ହେଲେ ସେ କେବେ କାହାଠୁ କିଛି ନେବାକୁ ପସନ୍ଦ କରନ୍ତି ନାହିଁ।ସେ ଯଦି ଜାଣିବେ ତାଙ୍କୁ ଖରାପ ଲାଗିବ। ସିପ୍ରା ର ସ୍ବାମୀ କହିଲେ ସେ ଜାଣିବେ କେମିତି? ତୁମେ ତାଙ୍କୁ କହିବ ତୁମେ ଚେଷ୍ଟା କରି ବିନା କାଗଜପତ୍ର ରେ ତାଙ୍କ ଭତ୍ତା ଟା କରି ଦେଇଛ ବୋଲି। ତୁମେ ନିଜେ ପରା କହୁଛ ତୁମେ ଛୋଟ ଥିଲା ବେଳେ ସେ ତୁମକୁ ନିଜ ମାଆ ଠାରୁ ବଳି ସ୍ନେହ ଦେଇଥିଲେ ବୋଲି। ଆଜି ତାଙ୍କ ବିପଦ ସମୟରେ ତୁମେ କଣ ଏତିକି କରି ପାରିବ ନାହିଁ?


   ସ୍ବାମୀ ଙ୍କ କଥା ଶୁଣି ସିପ୍ରା ର ମୁହଁ ଉଜ୍ଜ୍ବଳ ଦେଖାଗଲା।ତା ପରେ ସେ ମାଉସୀ ଙ୍କୁ ଫୋନ୍ କରି କହିଲା ମାଉସୀ ବିନା କାଗଜ ପତ୍ର ରେ ଆପଣ ଙ୍କ ବାର୍ଦ୍ଧକ୍ୟ ଭତ୍ତା କେମିତି ହେବ ମୁଁ ତାର ବ୍ୟବସ୍ଥା କରି ଦେଇଛି। ଆପଣ ଖାଲି ‌ଆପଣ ଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଟା ଦିଅନ୍ତୁ। ପ୍ରତ୍ୟେକ ମାସ ଟଙ୍କା ଆପଣ ଙ୍କ ଆକାଉଣ୍ଟ ରେ କ୍ରେଡିଟ୍ ହୋଇ ଯିବ। ମାଉସୀ ଙ୍କ ପାଖରୁ ଆକାଉଣ୍ଟ ନମ୍ବର ନେଇ ସିପ୍ରା ପ୍ରତ୍ୟେକ ମାସ ବାର୍ଦ୍ଧକ୍ୟ ଭତ୍ତା ନାଁ ରେ ତାଙ୍କୁ କିଛି କିଛି ଟଙ୍କା ପଠାଇଲା। କିଛି ଦିନ ପରେ ସିପ୍ରା ଖବର ପାଇଲା ମଉସା ଚାଲି ଗଲେ। ମଉସା ଯିବା ପରେ ମାଉସୀ ପୁରା ଭାଙ୍ଗି ପଡ଼ିଲେ। ବାଧ୍ୟ ହୋଇ ପୁଣି ଥରେ ପୁଅର ଶ୍ବଶୁର ଘରେ ରହିଲେ। ହେଲେ ସିପ୍ରା ଏବେ ବି ମାସକୁ ମାସ ତାଙ୍କୁ ଟଙ୍କା ପଠାଉ ଥାଏ। ମଉସା ଯିବା ର ସାତ ମାସ ପରେ ତାଙ୍କୁ ଝୁରି ଝୁରି ମାଉସୀ ମଧ୍ୟ ଚାଲିଗଲେ। ହେଲେ ଶେଷ ପର୍ଯ୍ୟନ୍ତ ସେ ଜାଣି ନଥିଲେ ଯେ ବାର୍ଦ୍ଧକ୍ୟ ଭତ୍ତା ନାଁ ରେ ସିପ୍ରା ହିଁ ତାଙ୍କୁ ଟଙ୍କା ପଠାଉ ଥିଲା ବୋଲି।


Rate this content
Log in

Similar oriya story from Tragedy