STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Tragedy Fantasy

4  

ପ୍ରିୟଦର୍ଶିନୀ ମହାନ୍ତି

Tragedy Fantasy

ବାପାଙ୍କର ଚଷମା

ବାପାଙ୍କର ଚଷମା

2 mins
564


ଶୀତୁଆ ସକାଳ ଚାରିଆଡେ କୁହୁଡ଼ିରେ ଭର୍ତ୍ତି।ସବୁଦିନ ଭଳି ସେଦିନ ମଧ୍ୟ ବାଲକୁନିରେ ପଡିଥିବା ଚେୟାରରେ ବସି ଚା' ପିଉଥାଏ।ଶୀତୁଆ ସକାଳରେ ଚା' ପିଇବାର ମଜା ହିଁ କିଛି ଅଲଗା।କଅଁଳିଆ ଖରା ପଡ଼ିଆସୁଥାଏ।ଅଳ୍ପ ଦୂରରେ ତାଳଗଛଟିରେ ବାଇଚଢ଼େଇ ଦୁଇଟି ଖେଳୁଥାନ୍ତି ଓହଳରେ।ଆମ ଘର ଆଗ ଦେଇ ମିଶ୍ରବାବୁ ତାଙ୍କ ଛଅ ବର୍ଷର ଝିଅ ମିରାକୁ ସ୍କୁଲରେ ନେଇ ଛାଡିବାକୁ ଯାଉଥାନ୍ତି।ବାପ ଝିଅ ଦୁହେଁ ଖୁବ ମସ୍ତି କରି ହସି ହସି ରାସ୍ତା କମ୍ପେଇ ଦେଉଥିଲେ।


   ହାଠାତ୍ ବାପାଙ୍କ କଥା ମନେ ପଡିଗଲା।ପାଖ ଟେବୁଲ ଉପରେ ଥୁଆ ହୋଇଥିବା ଚଷମାକୁ ଦେଖି ଭାବୁଥାଏ ଚଷମା ସହ ପୁରୁଣା ସ୍ମୃତି।ବୟସର ଅପରାହ୍ନରେ ବାପା ଆମ ସମସ୍ତଙ୍କୁ ଛାଡି ଚାଲି ଗଲେ।ଆଉ ମୁଁ ଚାଲିଆସିଲି ଶାଶୂଘରକୁ।ଯାନି ଯୌତୁକ ସହ ସାଙ୍ଗରେ ଆଣିଦେଇଥିଲି ବାପାଙ୍କର ଏ ଚଷମାଟିକୁ।ବାପାଙ୍କର ଶେଷ ସନ୍ତକ ଅତି ପ୍ରିୟର ଚଷମା।


  ଏଇ ଚଷମା ଉପରେ ପିଲାବେଳେ ମୋର ଭାରି ଇର୍ଷା।କାହିଁକିନା ସବୁବେଳେ ବାପାଙ୍କ ପାଖରେ ହିଁ ରୁହେ।ବାପା ବି ଚଷମାକୁ ବହୁତ ଭଲ ପାଆନ୍ତି,ଦଣ୍ଡେ ଛାଡି ରୁହନ୍ତିନି।ଏମିତି କି ନିଦରୁ ଉଠିଲେ ଆଗେ ବାପା ତାକୁ ହିଁ ଖୋଜନ୍ତି।ତାଙ୍କର ଗୋଟେ ଝିଅ ଅଛି ବୋଲି ମନେ ରୁହେକି ନାହିଁ କେଜାଣି।ଯୁଆଡେ ଯାଆନ୍ତି ସାଙ୍ଗରେ ନେଇ ଯାଆନ୍ତି।ମତେ ତ ରାଗ ଲାଗେ ବାପାଙ୍କ ଉପରେ ଆଉ ଚଷମା ଉପରେ ବି।ବହୁତ ଥର ସେ ଚଷମାକୁ ଭାଙ୍ଗିଦେବି ବୋଲି ଯୋଜନା କରିଛି ।ହେଲେ ବାପା ତାକୁ ପାଖରୁ ଅନ୍ତର କଲେ ତ, ମୋ ହାତକୁ ଆସିଲେ ତ ମୁଁ କିଛି କରିବି।ଏ ଛାର ଚଷମା, ଦୁଇଟା କାଚ ଦେହରେ ଗୋଟେ ମୋଟା ଫ୍ରେମ୍ ଲାଗିଛି।ତାକୁ ପୁଣି ବାପା ଏତେ ପ୍ରେମ ଅଜାଡି ଦିଅନ୍ତି।ଭାରି ଯତ୍ନରେ ପୋଛି ଖୋଳରେ ଭରି ତକିଆ ପାଖେ ରଖି ଶୁଅନ୍ତି।


  ଥରେ ରାଗ ମିଶା ଅଭିମାନରେ ମୁହଁ ଖୋଲି କହିଦେଲି।କିଣିକି ଆଣିଥିବା ଚଷମାଟି ଉପରେ ଏତେ ଭଲ ପାଇବା,ଏତେ ଘନିଷ୍ଠ ସେ ତୁମର।ଅଥଚ ମୁଁ ତ ତୁମ ଝିଅ ନା ବାପା, ତୁମେ ତ ମତେ ଜନ୍ମ ଦେଇଛ।ତା ଭଳି ମତେ ବି ସାଙ୍ଗରେ ବୁଲେଇନିଅ।ସବୁବେଳେ ପଢ଼ିବାକୁ କାଇଁ କହୁଛ।ମୋ କଥା ଶୁଣି ବାପା ସ୍ମିତହାସ୍ୟ ଦେଇ କହିଲେ,"ଆଲୋ ମା' ଏ ଚଷମା କୁ ଭଲ ପାଉଛି ବୋଲି ତ, ତତେ ମୁଁ ଦେଖିପାରୁଛି।ଯେତେ ଦିନ ଯାଏ ଏ ଚଷମା ତୋ ବାପା ସହ ଅଛି, ସେତେଦିନ ଯାଏଁ ତୋ ବାପା ତୋ ସହ ଅଛି।"ବାପାଙ୍କର କଥା ମୋ କୁନି ମୁଣ୍ଡରେ କିଛି ପଶିଲାନି।

 

  ବାସ୍ ତା'ପର ଠାରୁ ମୁଁ ଚଷମାକୁ ଦେଖି ଈର୍ଷା କରେ ସତ କିନ୍ତୁ ବାପାଙ୍କ ପାଖରେ ଅଭିଯୋଗ କରେନି।ଧୀରେ ଧୀରେ ବଡ ହେବା ସହ ଜାଣିପାରିଲି ଯେ ବିନା ଚଷମାରେ ବାପାଙ୍କୁ କିଛି ଦେଖାଯାଏନି।ଏଇ ଚଷମା ହିଁ ତାଙ୍କ ସାହା ଭରସା। ତାଙ୍କ ବିକଳ୍ପ ଆଖି।ତାଙ୍କୁ ଦୁନିଆର ଆଲୋକ ଦେଖାଇବାର ମାଧ୍ୟମ।ହେଲେ ମୁଁ ବା କଣ ଜାଣିଥିଲି ବାପାଙ୍କ ପାଇଁ ଚଷମାର ମହତ୍ତ୍ୱ କେତେ ଅଧିକ।ଶେଷ ସନ୍ତକ ସ୍ୱରୂପ ବାପାଙ୍କର ସେ ଚଷମା ମୋର ଶେଷ ଦିନ ପର୍ଯ୍ୟନ୍ତ ପାଖରେ ରହିବ।ଏମିତି ଭାବୁ ଭାବୁ ଲୁହ ଦୁଇ ଟୋପା କୋଳରେ ଥିବା ଚଷମାରେ ପଡିଗଲା।ଆଉ ମୁଁ ସେ ଚଷମାରେ ବାପାଙ୍କୁ ଦେଖୁଥିଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy