ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ବାପାଙ୍କ ସାଇକେଲ

ବାପାଙ୍କ ସାଇକେଲ

2 mins
7.0K


ସୁନୀଲ ବୋଷ

ବାପା ଚାକିରିରୁ ଅବସର ନେବା ପରେ ଆଉ ବିଶେଷ ସାଇକେଲ ଚଢୁ ନ ଥିଲେ । ସାଇକେଲଟି ବାପଙ୍କର ସବୁବେଳେ ସେଇ ବାହାର ବାରଣ୍ଡା ଗ୍ରୀଲ୍ ପାଖରେ ଆଉଜା ହୋଇ ରହୁଥିଲା । ଭାଇଙ୍କ ପିଲାମାନେ ସବୁ ସେଇ ବାରଣ୍ଡାରେ ଖେଳନ୍ତି । ତେଣୁ କାଳେ କେତେବେଳେ ସାଇକେଲଟି ପଡିଯିବ, ଏଇ ଭୟରେ ସାଇକେଲଟିକୁ ଗ୍ରୀଲ୍ ସହିତ ଗୋଟେ ରଶିରେ ବାନ୍ଧି ଦିଆଯାଉଥିଲା । କେତେବେଳେ କେମିତି ଯଦି ବାପା ବାହାରକୁ ବାହାରନ୍ତି, ଘୋଡାଶାଳରୁ ଘୋଡା ଫିଟେଇଲା ଭଳି ସାଇକେଲଟିକୁ ଫିଟାନ୍ତି ଗ୍ରୀଲ୍ ଦେହରୁ । ଆଉ ଗଡେଇ ଗଡେଇ ଯାଆନ୍ତି ସାଇକେଲ ଦୋକାନ ଯାଏଁ । କାହିଁକି ନା ସବୁବେଳେ ଥୁଆ ହେଇହେଇ ସାଇକେଲ ଚକରୁ ପମ୍ପ କମି ଯାଇଥାଏ ।

କିଛିଦିନ ପରେ ମଝିଆଁ ଭାଇ ମୋଟରସାଇକେଲଟିଏ କିଣିଲେ । ମୋଟରସାଇକେଲଟି ମଧ୍ୟ ସେଇ ବାରଣ୍ଡାରେ ରହିଲା । ବାପାଙ୍କ ସାଇକେଲର ଛବିଟା ଏଥର ପଡିଲା ଭାଇଙ୍କ ଚକଚକିଆ ମୋଟରସାଇକେଲର ଷ୍ଟିଲ୍ ମଡଗାର୍ଡ ଉପରେ । ମନହେଲା ସାଇକେଲଟା ଯେମିତି ତା’ ଚେହେରାଟା ଦେଖୁଚି ମୋଟରସାଇକେଲର ମଡଗାର୍ଡ ଦେହରେ ।

ବାପାଙ୍କ ସାଇକେଲ ସହିତ ଭାଇଙ୍କ ମୋଟରସାଇକେଲଟି ମଧ୍ୟ ବେଶ୍ କିଛି ଜାଗା ଅଧିକାର କଲା । ଏଥର ବାହାର ବାରଣ୍ଡାରେ ଉଠାବସା କରିବାକୁ କେମିତି ଟିକେ ଅସୁବିଧା ହେଲା । ଜାଗା ଅଣ୍ଟିଲାନି । ସମସ୍ତେ ଅନୁଭବ କଲେ, ବାପାଙ୍କ ସାଇକେଲଟା ଗୁଡେ ଜାଗା ନଷ୍ଟ କରୁଛି । ବାପାଙ୍କ ସାଇକେଲଟାକୁ ଶିଡିଘରକୁ ନେଇଗଲେ ହେବ । ବାପା ତ ଆଉ ସବୁବେଳେ ସାଇକେଲ ଚଢୁନାହାନ୍ତି ! ଦରକାର ହେଲେ ଶିଡିଘରୁ କଢାହେବ ।

ସେଇଆ ହେଲା । ବାପାଙ୍କ ସାଇକେଲଟା ଏଥର ବାହାର ବାରଣ୍ଡାରୁ ଚାଲିଗଲା ଶିଡିଘରକୁ, ଯେଉଁଠି କାଠ, କୋଇଲା ଆଉ ଘରର ଅଦରକାରୀ ବାକ୍ସ ଆବର୍ଜନା ରଖାଯାଏ । ବାପା ଏଣିକି ସାଇକେଲ ଚଢିବା ପୁରା ଛାଡିଦେଲେ । ଶିଡିଘରୁ ସାଇକେଲ କାଢିବା ଏକ ଝମେଲା, ତା’ଛଡା କୁଆଡେ ଯିବାକୁ ହେଲେ ଭାଇ ତାଙ୍କ ମୋଟରସାଇକେଲରେ ବାପାଙ୍କୁ ନେଇଯାଆନ୍ତି । ତେଣୁ ବାପାଙ୍କୁ ଆଉ ମୋଟେ ସାଇକେଲ ଚଢିବାକୁ ପଡେନି ।

ଶିଡିଘରେ ପଡିପଡି ବାପାଙ୍କ ସାଇକେଲର ରିମ୍ ଆଉ ସ୍ପୋକ୍ ରେ କଳଙ୍କି ଲାଗିଲା । ଚକ ଦି’ଟା ପୂରା ଚେପଟା ହେଇଆସିଲା । ଚିରି ଫାଟ ଦେଖାଦେଲା ଟାୟାର ଦି’ଟାରେ । ଫ୍ରେମରେ ବୁଢିଆଣୀ ବସା ବାନ୍ଧିଲା ।

ଦିନେ ଘରେ ଚୂନ ଦିଆହେଲା ବେଳକୁ ମୂଲିଆମାନେ ବାପାଙ୍କ ସାଇକେଲଟାକୁ କାଢିଆଣିଲେ ବାହାରକୁ । ଚମଡା ସିଟ୍ ଟା, ପଟୁ ଫାଟିଲା ଭଳି ଫାଟି ଯାଇଥାଏ । ଚେନ୍ ଟା ଶୁଖି ଖଡଖଡ । ପ୍ୟାଡେଲ ଦି’ଟା ମୋଟେ ବୁଲୁ ନ ଥାଏ । ସାଇକେଲ୍ ଟା ଯେ ଗ୍ରୀନ୍ ମଡେଲ ଥିଲା, ସେଇଟା କେବଳ ସେଇ ରସିଦ୍ ରେ ଯାହା ରହିଯାଇଛି ।

ଏ ସାଇକେଲଟିକୁ କୁଆଡେ ବାପା ଯୌତୁକରେ ପାଇଥିଲେ । ଘଣ୍ଟା, ସାଇକେଲ, ରେଡିଓ ହିଁ ଥିଲା ସେତେବେଳକାର ସବୁଠୁ ଦାମୀ ଯୌତୁକ । ସେତିକି ଯୋଗ୍ୟ ବର ନ ହେଲେ କୁଆଡେ ଏ ତିନୋଟିଯାକ ମିଳୁ ନ ଥିଲା । ବାପାଙ୍କୁ ଘଣ୍ଟା, ସାଇକେଲ, ରେଡିଓ ଦେଇଥିବାରୁ ବୋଉ କୁଆଡେ ସେତେବେଳେ ଭାରି ଗର୍ବ କରୁଥିଲା ।

ମୁଁ ଶୁଣିଛି ସେତେବେଳେ ଘଣ୍ଟା, ସାଇକେଲ, ରେଡିଓ ଥିଲାବାଲା ଲୋକ ଗୋଟେ ଗୋଟେ ଅଞ୍ଚଳରେ ଖୁବ୍ କମ୍ ଥିଲେ । ଆଉ ଗ୍ରୀନ୍ ମଡେଲ ରାଲେ ଯାହାର ଥିଲା, ସେ ଥିଲା ସବୁଠୁ ସୌଖିନିଆ ଲୋକ ।

କିନ୍ତୁ ଆଜି ବାପାଙ୍କ ଅସହାୟ କଳଙ୍କି ଲଗା ସାଇକେଲଟିକୁ ଦେଖିଲେ ସବୁ ଯେମିତି ମିଛ ବୋଲି ମନେହୁଏ ।


Rate this content
Log in

Similar oriya story from Classics