Lopamudra Parida

Inspirational

4.5  

Lopamudra Parida

Inspirational

ବାପା

ବାପା

4 mins
308



ସବୁ ଦିନ ରାତି ପାହିନଥିବ, ଭୋର ସାଢେ ଚାରି ପାଞ୍ଚରୁ ଡାକିବେ । ଗେଲେଇ ଗେଲେଇ ଆଗେ, କୁତୁରୁକାଳିଆ କରି, ଫ୍ୟାନ୍ ଅନ୍ ଅଫ୍ କରି , ଲାଇଟ୍ ଲଗେଇ, ଗୁଜୁଗୁଜୁ କରି । ଆମେ ଗୋଲିମୋଲି ହଉଥିବୁ ସେମିତି ଖଟରେ ପଡିକି, ଘଡିଆଳ କୁମ୍ଭୀର କି ମୋଡା ଅଜଗର ପରି । ଆଉ ଆମ ଶବ୍ଦ ଶୁଭୁଥିବ କୁଁ କୁଁ । ପୋଷା ମିଆଉଁ ପରି । ପ୍ଲିଜ୍ ପ୍ଲିଜ୍ ବାପା ଆଉ ଟିକିଏ, ପାଞ୍ଚ ମିନିଟ୍ । ଉଠିଲି । ଆଖି କିନ୍ତୁ ମାଞ୍ଜା ଅଠାରେ ଠପ୍ ଥିବ । ବୋଉଲୋ ଭୋର ନିଦଟା ମାନେ, ଅଲ୍ ଟାଇମ୍ ଫେବରେଟ । ଆଉ ଟିକେ ଗାଲେଇ ଦେଲେ ଆଉ ଘଣ୍ଟାଏ ପୁଣି ଆନନ୍ଦ । ଆହା । ବାପା ଯେତେ ଥର କନ୍ଥା ଭିଡିଦେଇ ଯିବେ ଆମେ ଏତେ ଜାକିଜୁକି କୀଡା ଭଳିଆ ସ୍କୁଇଜ୍ । ସୁପର ସ୍ନେଲ୍ । ଜିଆ ପୋକ କି ତେଲୁଗୁଣି ପରି । ହାତ ମାରିଦେଲେ ଚାରେଣି ।  

ତା ପରେ କଣ୍ଠରେ କଠିନତା ଶୁଭିବ । ବାପା କିନ୍ତୁ କହିବେ ଏଇଟା କୁଆଡେ ବ୍ରାହ୍ମ ମୁହୂର୍ତ୍ତ, ଯାହା ପଢିଲେ ମନେ ରହିବ । ତ ଫଟାଫଟ ଉଠ । କରାଗ୍ରେ ବସତେ ଲକ୍ଷ୍ମୀ କୁହ, ମୁହଁ ଧୋଇ ପିତାମାତା ପ୍ରଣାମ କରି ପଣିକିଆ ପଚିଶିକ ଆଉ ଟେନ୍ସ ଚାର୍ଟ ସହ ଗଣିତର ଫର୍ମୁଲା ଖାତା ମୂଳରୁ ଶେଷ ଯାଏ ବଡ ପାଟିରେ ପଢ । ବଡ ପାଟିରେ ପଢିଲେ କାଳେ ଆଖି ଦେଖେ, କାନ ଶୁଣେ ଆଉ ଏମିତି ମନେ ରହେ ଯେ ଜୀବନରେ ଭୁଲିବନି । ପୁଣି ସବୁ ଖାତା ବନ୍ଦ କରି ଲେଖି ବି । ପାଠ ମନେ ରଖିବାର କାଳେ ସଞିବନୀ ବୁଟି ଇଏ । ହେ ପ୍ରଭୁ । କି ଆଶ୍ରମ ଜୀବନ । ବୋଉ ତାର ଗାଧେଇକି ସେତବେଳକୁ ଓଦା ହାତ ଆଣି ଚାରିଥର ଆଖିରେ ମାରିସାରିବଣି । ଆମେ ଢିଲେଇଥିବୁ । ଯେମିତି ବାପାଙ୍କ ଭଏସଟା ଆଉ ଟିକେ ଟାଇଟ୍ ଶୁଭିଛି ଭୟରେ ସବୁ ଏକା ଡିଆଁରେ ବେଡରୁ ଗାୟବ । ମୁଁ ଟିକିଏ ବେଶୀ ଗେହ୍ଲି, ବାପା ଆସି ନ ଆଉଁସିଲେ ମୁଁ ଉଠେନି । ମାଆରେ ମାଆରେ ଉଠିଯା । ମାଆ ମୋର । ମୁଣ୍ଡକୁ ସାଉଁଳୁଥିବେ । 


ତ ମୁଁ ଘରର ସ୍କାଇଲାଇଟକୁ ୱେଟ୍ କରିଥାଏ, ଯେମିତି ସେପଟଟା ହ୍ୱାଇଟ୍ ଦିଶିଲା ମାନେ ସୁଇଚ୍ ମାରିଲା ପରି ରେଡି, ଷ୍ଟେଡି, ଗୋ ହେଇଯାଏ । ଚଟାପଟ୍ କାମ ସାରି ସାଇକେଲ ଧରି ବାପାଙ୍କ ପଛେ ପଛେ । ବାପା ନଈ ବନ୍ଧରେ ଚାଲିବେ ଆଉ ମୁଁ ସାଇକ୍ଲିଂ । ବାପାଙ୍କ ସାଙ୍ଗରେ ମୁଁ କେବେ ବି ଚାଲିପାରେନି, ହୁଁ.....ଚାଲି କଣ,ଦଉଡି ବି ପାରେନି । ସେ ଏତେ ଜୋର୍ ଆଉ ଏତେ ବଡ,ବଡ ପାହୁଣ୍ଡ ପକାନ୍ତି ଯେ ଧପାଲି ହବ ଜଣେ ତାଙ୍କ ସାଙ୍ଗେ ଚାଲିବା କମ୍ପିଟେସନ୍ କଲେ । ସେ ହି ଜିତିବେ, ମୁଁ ସିଓର।ଫେରିଲା ବେଳେ ସଜ ପରିବା ଗାଁର ବୁଲା ବିକାଳିଙ୍କଠୁ ଆଣୁ । ମେନ୍ଲି ଶାଗ । ତାକୁ ପୁଣି ବାପା ଭାତ ଉପରେ ପତାକା କରି ସଜେଇ ରଖିଲେ ଯାଇ ମୁଁ ଖାଏ । 


ବାପାଙ୍କର ପ୍ରିୟ ପାଠ ଗଣିତ । ତାଙ୍କ ବେଳେ କାଳେ ପାଟି ଗଣିତ ଥିଲା ଆଉ ସେଥିରେ ସେ ଚାମ୍ପିଆନ । ଫୁଲ୍ ଶହେରୁ ଶହେ । ମୋର କାଇଁ କେଜାଣି ଗଣିତ ସାଙ୍ଗେ ଅପଡ । ଦେଢ ଅଢେଇରେ ବି ଗୋଳମାଳ ହେଇଯାଏ । ବାପାଙ୍କୁ ଯଦି ଗୋଟେ ଗଣିତ ପଚାରିଦେଲି ମାନେ ମଲି । ସିଏ ପୁରା ମାନସାଙ୍କରୁ ଆରମ୍ଭ କରିବେ, ପଣିକିଆ, ଫର୍ମୁଲା ସବୁ ଆସି ହାବୁଡିବେ । ବହେ କୁଟା । 

ମତେ ଲାଗେ ଏ ଗଣିତଟା କିଏ ବାହାର କରିଥିଲା କେଜାଣି?? ତାକୁ କଣ ଜଣା ନଥିଲା ପିଲେ ଗଣିତରେ ବି ଦୁର୍ବଳ ଥାନ୍ତି ବୋଲି ଏଁ । 

ସବୁ ନୂଆ ବର୍ଷରେ ବାପା ଆମକୁ ସବୁ ଗୋଟେ ଲେଖାଁ ନୂଆ ଡାଇରି ଦେବେ ଯାହାର ପ୍ରଥମ ପୃଷ୍ଠାରେ ଲେଖା ଥିବ, କଥା ମାନି ଶିଖ । ଆର୍ଶିବାଦ । 

ଅର୍ଥାତ୍ ହଁ କି ନା କହିବା ଆଗରୁ ବିଚାର କର ଯିଏ କହୁଛି ସେ କିଏ । ମାନେ ବାପା ଯାହା କହିବେ ତୁମର ମଙ୍ଗଳ ପାଇଁ ଡେଫିନାଇଟ୍ଲି । ମୁଁ ତ ଏୟା ବୁଝେ । 


କୋଉଠି ଯଦି କଣ ଗୋଟେ ଭୁଲ କଲ ( ଯୋଉଟା ଆଇଦର ତମ ଆଖିରେ ଭୁଲ ନୁହଁ ନ ହେଲେ ତମେ ଓଧ,କାରଣ ତମେ ଅନଭିଜ୍ଞ ଯେ ସେଇଟା ଭୁଲ )ଆଉ ହାବୁଡେ ପଡିଲ ବାପା ସେଇଠି ଖାଲି ଗୋଟେ ଏମିତି ରକେଟ ଚାହାଣୀ ଦେବେ ଯେ ତମେ ଆପେ ଛନ୍ଦି ହେଇଯିବ ଆଉ ଘରକୁ ଫେରିବ । ସେ ଲୁକ୍ଟା ସ୍ଲୋଲି ସାଇଲେନ୍ସରେ ପରିଣତ ହବ । ବାପା ଚୁପ୍ ମାନେ ଆମ ଘର ପୃଥିବୀ ଥରହର । ଭାବି ଭାବି ତମ ମୁଣ୍ଡ ଟିଣରୁ ଟିଣିଆ ହେଇଯିବ ପଛେ ଏ ପିଲା ମୁଣ୍ଡରେ କଣ ସହଜରେ ଧରା ପଡିବକି ଅଡୁଆଟା ନା । 

ବାପା ପୁଣି ଡାକିକି ପାଖରେ ବସେଇବେ ଆଉ ପଚାରିବେ କଣ କଲ କୁହ । ରାଗିଲେ ଆମକୁ ବାପା "ତମେ" କହିବେ । କେଜାଣି କାହିଁକି । ଅଚିହ୍ନା ପରି । 

ଯା ଶଃ । ମୋର କୋଉ ମନ ଅଛି ନା ମୁଁ ଜାଣିଛି ଯେ କହିବି । କିନ୍ତୁ ଥରିବାଟା ଥୟ । ସେଇଠୁ ବୁଝେଇବେ । କହିବେ । ତମ ଭାଗ୍ୟ ଭଲ ତ ସୁନା ପିଲା ପରି ବୁଝିସୁଝି ଆସିଯିବ । ଭାଗ୍ୟ କଣ ସବୁବେଳେ ସାଇଜ୍ ଥାଏ?

ଦିନେ ଦିନେ ସ୍ୱ_ରକ୍ଷା ପାଇଁ ଏ ଜିଭଟା ବଦମାସି କରି ଯଦି ମିଛ କହିଦେଲା ମାନେ ଫସିଲ । ସତ କହ କିଛି କହିବେନି, ମିଛ ମାନେ ମଲ।

କାନ୍ଧରେ ବସେଇ ରଥ ଦେଖେଇବା, ଡେଣା ଟେକିଧରି ଗରୁଡ ପଛରୁ କାଳିଆ ଦର୍ଶନ କରେଇବା, ପୁରା ଭିଡରେ ନିଜ ହାତକୁ ବାରିକେଟ କରି କର୍ଡନରେ ଆମକୁ ଆଣିବା, ଖରାବେଳେ ହାତସିଧା, ଗୋଡ ସିଧା ଆଖି ବନ୍ଦ କହି ଶୁଏଇବା ଆଉ ଠିକ୍ ତାର ପାଞ୍ଚ ମିନିଟ୍ ପରେ, ହଁ ଶୋଇବା ପିଲା ମାନେ ତ ଟିକେ ହସନ୍ତି ଆଉ,ଗୋଡ ବି ଟିକେ ଟିକେ ହଲ୍ ଚଲ୍ ହୁଏ କହି ସତରେ ହସେଇବା, ଗପ ଛଳରେ ମୋରାଲ ଭ୍ୟାଲୁ ଦବା, ଏକାଠି ଖାଇବା, ଏକାଠି ପ୍ରେୟାର କରିବାର ରୁଲ୍ ସ୍ଟିକ୍ଟିଲି ଫଲୋ କରେଇବା,କ୍ଯାରାମ୍, ଲୁଡୋ, ଚେସ୍ ଖେଳିବା, ଖାତାରେ ମଲାଟ ଦବାଠୁ,ଦିସ୍ତା ଖାତା ତିଆରିବା ଆଉ ମେଡିକର ସ୍ଯାମ୍ପୁ ଲଗେଇ ଉଙ୍କୁଣି କ୍ଲିନ୍ କରିବା ,ଏକାଠି ରାଗ କଞ୍ଚା ଲଙ୍କା ପକୁଡି ଶୁ ଶୁ କରି ଖାଇବା ଆଣ୍ଡ ମେନି ମେନି ମୋର........ୱି ହାଭ୍ ଲଟ୍ସ ଅଫ୍ ୱାନଡରଫୁଲ ମୁମେନ୍ଟସ ଟୁଗେଦର । 


***************

ଆଜି ବାପାଙ୍କ ଡାଇବେଟିସ୍ ହାଇ,ବିପି ବି । ମୁଁ ଶାଶୁଘରେ । ବୋଉ ଆକାଶରେ ତାରା । ଏବେ ବି ମୋ ଫୋନ୍ ଠିକ୍ ସାଢେ ଚାରିରୁ ପାଞ୍ଚ ଭିତରେ ହିଁ ବାଜେ । ଡେଲି । ଦିନେ ମିସ୍ ହେଇନି । ଦଶ ବର୍ଷରୁ । ବାପା ସେପଟୁ କୁହନ୍ତି 


ଉଠିଯା ମାଆ ଉଠିଯା । ସକାଳ ହେଲାଣି । ଯା ଗୋବିନ୍ଦଙ୍କୁ ଡାକ୍ । କାମ ସାର । ଉଠିଲୁ । ଉଠେ । 


ଏବେ ବି ମୁଁ ବିଲେଇ ପରି ହୁଏ । ଖାଲି ଯାହା ତାଙ୍କ ହାତ ଆଉଁସାଟା ଝୁରେ ଥାଇ ଦୁରେ । 



Rate this content
Log in

Similar oriya story from Inspirational