Abhiram Mandal

Inspirational

4.0  

Abhiram Mandal

Inspirational

ବାପ ଓ ପାପ

ବାପ ଓ ପାପ

9 mins
674


ଝିଅ ସନ୍ତାନ ପାଇଁ ଯେତେ ଭାଷଣ ବାଜି କଲେ ବି ଅଧିକାଂଶ ଲୋକ କିନ୍ତୁ ଚାହିଁଥାନ୍ତି ସେମାନଙ୍କର ପୁଅ ସନ୍ତାନଟିଏ ହେଉ । ଆମେ ଖାଲି ନାଁକୁ ମାତ୍ର ଏକବିଂଶ ଶତାବ୍ଦୀର ମଣିଷ, ହେଲେ ଆମ ମାନସିକତା ସେଇ ପୁରୁଣା କାଳିଆ ଅନ୍ଧବିଶ୍ୱାସରେ ବନ୍ଧା । ଆଜି ବି ଆମେ ପୁଅ ଝିଅ ମଧ୍ୟରେ ତଫାତ ଦେଖୁ । ପୁଅମାନଙ୍କୁ ସବୁ ସୁବିଧା ସୁଯୋଗ ଯୋଗାଇ ଦେବା ବେଳେ ଝିଅଙ୍କୁ ଘରକୋଣରେ ବାନ୍ଧି ରଖିବାକୁ ଚାହୁଁ । କାହିଁକି ନା ପୁଅ ମାନେ କୁଆଡେ ବଂଶକୁ ଆଗକୁ ବଢେଇବେ । ହେଲେ ଆମେ ଭୁଲି ଯାଉ ଯେ ଖାଲି ପୁଅଟେ ଚାହିଁଲେ ବଂଶ ଆଗକୁ ବଢ଼ିପାରେନା । ବିନା ଝିଅର ସହଯୋଗରେ ଏସବୁ ସମ୍ଭବ କେମିତି ? କିନ୍ତୁ ଆମ ମାନସିକତା ବଦଳିଲେ ତ ? ଏଇ ରୂଢିବାଦୀ ଚିନ୍ତାଧାରା ପାଇଁ କେତେ କେତେ ଝିଅ ମାନଙ୍କର ଜୀବନ ନଷ୍ଟ ହେଇ ଯାଉଛି । କନ୍ୟା ଭୃଣକୁ ହତ୍ୟା କରାଯାଉଛି । କନ୍ୟା ସନ୍ତାନକୁ ରାସ୍ତା କଡ଼, ନଈ କୂଳ କିମ୍ବା ବୁଦା ମୂଳେ ଫିଙ୍ଗି ଦିଆଯାଉଛି । ଏ ସବୁ କଣ ପାପ ନୁହେଁ ? ହେଲେ ଏ ପାପ କରୁଛି କିଏ ? ମା'...ନା..ବାପା ... ନା.... ଏ ସମାଜ ...?


କିଏ ଶୁଣିବ ସେ କଅଁଳ ନିରୀହ ଝିଅର ଡାକ ? କିଏ ବୁଝିବ ତା' କଥା ? ତାର ତ ପାଟି ଫିଟୁନି ନା, ଯିଏ ଏ ନିଦ୍ରିତ ସମାଜକୁ ପାଟି କରି ଜାଗ୍ରତ କରାଇବ କିମ୍ବା ଥାନାରେ ଯାଇ ଅଭିଯୋଗ କରିବ.....କିମ୍ବା ସଭା ଶୋଭାଯାତ୍ରାରେ ସାମିଲ ହେବ । ଯେଉଁ ଲୋକ ଏସବୁ ପାପ କରୁଛି ତାର ଆଖି ଖୋଲିବା ଦରକାର । ସେ ବୁଝିବା ଦରକାର ପୁଅ ଆଉ ଝିଅ ଭିତରେ କିଛି ଫରକ ନାହିଁ । ଆଉ ଏସବୁକୁ ସେ ଆପେ ବୁଝିବନି । ସେ ସେତେବେଳେ ବୁଝିବ ଯେତେବେଳେ ଉପରବାଲାର ଛାଟ ତା' ଉପରେ ପଡିବ । ଯେମିତି ମୋ ଉପରେ ପଡିଥିଲା । ହଁ...ମୁଁ ଏକ ବାପ । ଆଉ ମୁଁ ବି ଏଇଭଳି ପାପ କରିଥିଲି । ହେଲେ ସେଇ ଉପରବାଲାର ଛାଟ ଖାଇ ମୁଁ ବୁଝି ପାରିଥିଲି ମୋ ପାପକୁ ।


ବାହାଘର ପରେ ଯେତେବେଳେ ମୋ ସ୍ତ୍ରୀ ଗର୍ଭବତୀ ହେଇଥିଲା ବହୁତ ଖୁସି ଥିଲି ମୁଁ । ଦୁନିଆର ସବୁ ବାପ ପରି ମୁଁ ବି ଆଶା କରିଥିଲି ମୋର ପୁଅଟିଏ ହେବ । ଆମ ଘର ଲୋକଙ୍କର ବି ସେଇ ଏକା ଇଛା । ପ୍ରଥମ ସନ୍ତାନ ପୁଅଟିଏ ହେଲେ ଖୁବ ଭଲ । ହେଲେ ମୋ ଆଶା ନିରାଶାରେ ପରିଣତ ହେଲା ଯେଉଁଦିନ ମୋ ସ୍ତ୍ରୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଲା । ଝିଅ ଜନ୍ମ ହେଲା ପରେ ଆମ ଘର ଲୋକଙ୍କ କାହାରି ମନରେ ଖୁସି ନଥିଲା । ହେଲେ କଣ କରାଯିବ ? ଏଇଟା ତ କାହା ହାତର କଥା ନୁହେଁ । ତେଣୁ କର୍ମ ଆଦରି ରହିବା କଥା । ଠିକ ଅଛି ଏଥର ନହେଲା ନାହିଁ ଆର ଥରକୁ ଦେଖିବା । ଏଇ କଥା ଭାବି ମୁଁ ମନକୁ ବୁଝେଇ ଦେଲି ।


ମୋ ଝିଅକୁ ୩ ବର୍ଷ ହେଲା ପରେ ଆଉ ଏକ ସନ୍ତାନ ପାଇଁ ଆମେ ଯୋଜନା କଲୁ । ଯଥା ସମୟରେ ମୋ ସ୍ତ୍ରୀ ଦ୍ୱିତୀୟ ଥର ପାଇଁ ଗର୍ଭବତୀ ହେଲା । ଏଥର କିନ୍ତୁ ମନରେ ଠାଣି ନେଲି ଯେମିତି ବି ହେଉ ମୋ ସ୍ତ୍ରୀ ପୁଅ ଜନ୍ମ କରିବ । ହେଲେ ଗର୍ଭରେ ପୁଅ ଅଛି କି ଝିଅ ଅଛି ଜାଣିବି କେମିତି ? ସରକାର ତ କଡା ଆଇନ କରିଛନ୍ତି । ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ଆଇନତଃ ଦଣ୍ଡନୀୟ । କୌଣସି କ୍ଲିନିକରେ ଏ ଟେଷ୍ଟ କେହି କରୁନାହାନ୍ତି । କିନ୍ତୁ ମତେ ଏ କଥା ଯେମିତି ବି ହେଉ ଜାଣିବାକୁ ପଡିବ । ଗୋଟିଏ ଝିଅକୁ ମୁଁ ବରଦାସ୍ତ କରି ସାରିଛି ହେଲେ ଆଉ ନୁହେଁ । ମୋର ପୁଅ ଦରକାର...ପୁଅ ।


ବହୁତ ପାମ୍ପଡ଼ ବେଲିବା ପରେ ଶେଷକୁ ଗୋଟିଏ କ୍ଲିନିକ ରାଜି ହେଲା ଲିଙ୍ଗ ନିରୂପଣ କରିବା ପାଇଁ । ସେଥିପାଇଁ ମତେ ଏକ ମନଗଢା ଗପ ବି ଶୁଣେଇବାକୁ ପଡିଲା । ମୁଁ କହିଲି କି ପୁଅ ଚକ୍କରରେ ମୋର ୫ ଟା ଝିଅ ହେଇ ସାରିଛି । ଆଉ ଝିଅ ମୁଁ ଚାହୁଁନି । ସେମାନେ କହିଲେ ଆମେ ଟେଷ୍ଟ କରିଦେବୁ ହେଲେ ୧୦୦୦୦ ଖର୍ଚ୍ଚ ହେବ । ମୁଁ ରାଜି ହେଇ ଗଲି । ୧୦୦୦୦ ବରଂ ଖର୍ଚ୍ଚ ହେଲେ ହେଉ କିନ୍ତୁ ମୋର ପୁଅ କି ଝିଅ ଜାଣିବା ଦରକାର ।


ବଡ଼ ଗୁପ୍ତରେ ଟେଷ୍ଟ କରାଗଲା । ଭଗବାନଙ୍କୁ ଡାକିଲି ରିପୋର୍ଟରେ ପୁଅ ଆସୁ । ହେଲେ ଭଗବାନଙ୍କ ବରାଦ ଅଲଗା । ରିପୋର୍ଟରେ ଝିଅ ଆସିଲା । ମନଟା ମୋର ଆମ୍ବିଳା ହେଇଗଲା । ମୁଁ ଚାହିଁଲି ଆବୋରେସନ କରେଇବା ପାଇଁ । ଡ଼କ୍ଟର କିନ୍ତୁ କହିଲେ ଆବୋରେସନ କଲେ ମା' ପାଇଁ ବିପଦ ...ଜୀବନ ଯାଇପାରେ । ମୁଁ ବିଚଳିତ ହେଇ ଗଲି । ଆବୋରେସନ ସିନା କରି ପାରିଲିନି ହେଲେ ମନେ ମନେ ଠିକ କଲି ଯେମିତି ବି ହେଉ ସେ ଝିଅର ଭୄଣକୁ ନଷ୍ଟ କରିବି । ତେଣୁ ସ୍ତ୍ରୀର ଅଜାଣତରେ ଗର୍ଭ ନଷ୍ଟ ମେଡ଼ିସିନ ତାକୁ ଖୁଆଇଲି । ଦୁଇ ଦିନ ପରେ ତା' ପେଟରେ ପ୍ରବଳ ଯନ୍ତ୍ରଣା ହେଲା । ମୁଁ ଖୁସି ହେଇ ଭାବିଲି ଔଷଧ ବୋଧ ହୁଏ ତା' କାମ ଆରମ୍ଭ କରିଦେଇଛି । ସେ ପିଲାଟା ଏଥର ନିଶ୍ଚୟ ନଷ୍ଟ ହେଇଯିବ । ଗୋଟେ ଟେନସନ ଯିବ ।


ସ୍ତ୍ରୀକୁ ହସ୍ପିଟାଲ ନେଇଗଲି । ମୋର ସବୁ ଚେଷ୍ଟା ବିଫଳ ହେଲା । ପିଲାଟା ନଷ୍ଟ ହେଇ ନଥିଲା କିନ୍ତୁ ସ୍ତ୍ରୀ ମୋର ମୃତ୍ୟୁ ସହ ସଂଗ୍ରାମ କରି ବଞ୍ଚିଗଲା । ଡରି ଗଲି ମୁଁ । ଏଥର ଆଉ ପିଲାଟାକୁ ନଷ୍ଟ କରିବାକୁ ଚେଷ୍ଟା କରି ନଥିଲି । ହେଲେ ଆଉ ଏକ ଝିଅକୁ କେମିତି ବରଦାସ୍ତ କରିବି ସେଇ କଥା ଭାବୁଥୁଲି । ମନ ଚାହୁଁଥିଲା ଜନ୍ମ ହେଉ ହେଉ ସେଇଟା ମରି ଯାଆନ୍ତା କି ?


ହେଲେ ସେ ମରି ନଥିଲା । ଯଥା ସମୟରେ ସେ ଜନ୍ମ ନେଲା । ମୁଁ କିନ୍ତୁ ତାକୁ ଘରକୁ ଆଣିବାକୁ ବିଲକୁଲ ଚାହୁଁ ନଥିଲି । ଭାବିଲି ତାକୁ ରାସ୍ତା କଡ଼ରେ ଫିଙ୍ଗି ଦେଇ ଚାଲି ଆସିବି । ହେଲେ ମୋ ସ୍ତ୍ରୀ ଏ ସବୁ କରେଇ ଦେଇ ନଥିଲା । ସେ କହିଲା-" ମୁଁ ବରଂ ମୁଲ ଲାଗି ଏ ଝିଅକୁ ପାଳିବି, କିନ୍ତୁ ମୋ ଠାରୁ ତାକୁ କେବେ ଅଲଗା କରିବିନି ।" ସ୍ତ୍ରୀର ଜିଦ ଆଗରେ ହାର ମାନିଥିଲି ମୁଁ ।


ସମୟ ଗଡି ଚାଲିଲା । ଝିଅ ଜନ୍ମ ହେବାର ବର୍ଷେ ପୁରିବା ପରେ ମୁଁ ପୁଣି ପୁଅ ଆଶାରେ ତୃତୀୟ ସନ୍ତାନ ଯୋଜନାରେ ଲାଗି ପଡିଲି । ହେଲେ ବହୁତ ଚେଷ୍ଟା ପରେ ଯେତେବେଳେ ସ୍ତ୍ରୀର ଗର୍ଭ ରହିଲାନି ସେତେବେଳେ ମୁଁ ତାକୁ ଡାକ୍ତର ଦେଖେଇଲି । କିନ୍ତୁ ମୁଁ ଜାଣିନଥିଲି ମୋର ସେଇ ଛୋଟିଆ ଭୁଲ ପାଇଁ ଭଗବାନ ମତେ ଏତେବଡ଼ ଦଣ୍ଡ ଦେବେ । ଡାକ୍ତର ସ୍ତ୍ରୀକୁ ପଚାରିଲେ ସେ ଗର୍ଭ ନଷ୍ଟ କରିବା ମେଡ଼ିସିନ କେବେ ଖାଇଛନ୍ତି କି ? ସ୍ତ୍ରୀ ମନା କଲେ । ମୁଁ କିନ୍ତୁ ଚୁପ ରହିଲି । ଡାକ୍ତର କହିଲେ କୌଣସି ହାଇଡୋଜ ମେଡ଼ିସିନ ପ୍ରଭାବରେ ତମର ଗର୍ଭାଶୟ ନଷ୍ଟ ହେଇ ଯାଇଛି । ତମେ ଆଉ କେବେ ମା ହେଇ ପାରିବନି । ମୋ ମୁଣ୍ଡରେ ବଜ୍ର ପଡିଲା । ମୋର ସବୁ ଆଶା ପାଣି ଫୋଟକା ପରି ମିଳେଇ ଗଲା । ମୁଁ ଖାଲି ମୁଣ୍ଡ କୋଡ଼ି ହେଲି ସିନା ହେଲେ ଆଉ କିଛି କରିବାର ବାଟ ନଥିଲା ।


ବେଢ଼ି ଉପରେ କୋରଡ଼ା ମାଡ଼ ପରି ଭଗବାନ ମତେ ଆଉ ଏକ ଦଣ୍ଡ ଦେଲେ । ସାନ ଝିଅକୁ ବର୍ଷେ ପୁରି ଯାଇଥିଲେ ବି ସେ କଥା କହି ପାରୁନଥିଲା କି କୌଣସି କଥାରେ ରେସପନ୍ସ ଦେଉ ନଥିଲା । ଏ ବିଷୟରେ ସ୍ତ୍ରୀ ମତେ ବାରମ୍ବାର କହୁଥିଲା । ହେଲେ ଝିଅ ପ୍ରତି ମୁଁ ସମ୍ବେଦନହୀନ ହେଇଥିବାରୁ ମୁଁ ସେ କଥାକୁ କାନ ଦେଉନଥିଲି । ଶେଷକୁ ସ୍ତ୍ରୀ ଝିଅକୁ ନେଇ ଏକା ଡାକ୍ତର ଦେଖେଇବା ପାଇଁ ବାହାରିବାରୁ ଅଗତ୍ୟା ମୁଁ ବାଧ୍ୟ ହେଇଥିଲି ତା' ସହ ଯିବା ପାଇଁ ।


ଡ଼କ୍ଟର ଚେକଅପ କରି କହିଲେ କି ଝିଅଟି ଜନ୍ମରୁ ବଧିର । ସେ କେବେ ଶୁଣି ପାରିବନି କି କଥା ବି କହି ପାରିବନି । ମାନେ ସେ ମୁକ ଓ ବଧିର ହେଇ ସାରା ଜୀବନ ବଞ୍ଚିବ । ସ୍ତ୍ରୀ ଆଖିରେ ଲୁହ ଆସିଗଲା । ଦୁଇଟି ଝିଅ ଜନ୍ମ ଦେଇଥିବାରୁ ସେ ଆମ ପରିବାରରେ ସବୁବେଳେ ଲାଂଛିତ ଓ ଅପମାନିତ ହେଇ ବଞ୍ଚୁଥିଲା । ତା' ପରେ ପୁଣି ଏ ମୁକ ବଧିର ପିଲା ...ଭଗବାନ ତାକୁ କାହିଁକି ଯେ ଏ ଦଣ୍ଡ ଦେଉଛନ୍ତି ସେ ବୁଝି ପାରୁ ନଥିଲା । ମୁଁ କିନ୍ତୁ ବୁଝି ଯାଇଥିଲି... ମୋ ମେଡ଼ିସିନର ପ୍ରଭାବରେ ସ୍ତ୍ରୀର ଗର୍ଭାଶୟ ନଷ୍ଟ ହବା ସହ ଝିଅକୁ ବଧିର କରି ଦେଇଥିଲା । ହେଲେ ଏତେ ପରେ ବି ଝିଅ ପ୍ରତି ମୋ ମାନସିକତାରେ କୌଣସି ପରିବର୍ତ୍ତନ ଘଟି ନଥିଲା ।


ଝିଅ ଦୁଇଟିକୁ ମୁଁ ଅବହେଳା କରି ଚାଲିଥିଲି । ମୋ ସ୍ତ୍ରୀ ଏସବୁ ଦେଖି ଖୁବ ଦୁଃଖ ପାଉଥିଲା ସିନା ହେଲେ ସେ ମତେ ଭରସି କିଛି କହି ପାରୁ ନଥିଲା । ସେ ତ ଦୋଷ କରିଛି ନା, ପୁଅଟେ ଦେଇ ପାରିନି । ହେଲେ ମୋ ଦୋଷର ଦଣ୍ଡ ମତେ କିଏ ଦବ ? ମନେ ମନେ ଭାବିଲି ମୁଁ କଣ ଦଣ୍ଡ ପାଉନି କି ? ସାରା ଜୀବନ ପୁଅଟେ ପାଇଁ ସନ୍ତୁଳି ହେବି .... ଆଉ ଗୋଟେ ମୁକ ବଧିର ଛୁଆକୁ ବରଦାସ୍ତ କରିବି... ଏଇଟା କଣ ମୋ ପାଇଁ ଦଣ୍ଡ ନୁହେଁ ?


ସମୟ ଗଡି ଚାଲିଲା । ସାନ ଝିଅ ୫ ବର୍ଷରେ ପଦାର୍ପଣ କଲା । ଏଇ ପାଞ୍ଚ ବର୍ଷରେ ସେ କାହାରିଠୁ ସ୍ନେହ ଶ୍ରଦ୍ଧା ପାଇବାର ମୁଁ ଦେଖିନାହିଁ । ଆମ ଘରେ ସେ ଥିଲା ଏକ ଅବାଂଛିତ ପିଲା । ସହଜେ ତ ସେ କିଛି ଶୁଣି ପାରୁ ନଥିଲା କି କହି ବି ପାରୁ ନଥିଲା ଖାଲି ଯା ଠାର ବୁଝୁଥିଲା । ଏପରି ଅବସ୍ଥାରେ ଘରର ସଦସ୍ୟ ମାନଙ୍କର ତା' ପ୍ରତି ବ୍ୟବହାର ବଡ଼ ରୁକ୍ଷ ଥିଲା । ତା' ମା' ଏ ସବୁ ଦେଖି ବଡ଼ ବିକଳ ହେଉଥିଲା । ହେଲେ ସେ କହିବ ବା କାହାକୁ ? ଆପଣା ସୁନା ତ ଭେଣ୍ଡି । ସ୍ୱାମୀ ଅବହେଳାର ଶିକାର ହେଉଥିବା ସ୍ତ୍ରୀ ମାନେ କଣ ଅବା କରି ପାରିବେ ?


ହେଲେ ମା' ମନ ...ନିଜେ ଯେତେ ଅବହେଳାର ଶୀକାର ହେଲେ ବି ନିଜ ପିଲାମାନଙ୍କର କିଛି ଅସୁବିଧା ନ ହେଉ ଏ କଥା ସେ ସବୁବେଳେ ଚାହିଁଥାଏ । ତାର ବେଶୀ ଚିନ୍ତା ସାନ ଝିଅ ପାଇଁ । ବଡ଼ ଝିଅ ତ ଏକ ସୁସ୍ଥ ସବଳ ପିଲା, ସେ ଯାହା ବି ହେଲେ କିଛି କରି ପାରିବ ହେଲେ ସାନ ଝିଅ କରିବ କଣ ? ଦୁନିଆ ବଡ଼ଦାଣ୍ଡରେ ଚାଲିବା ପାଇଁ ତାର ସଠିକ ଯତ୍ନ ନେବା ଆବଶ୍ୟକ । ସେ ଜାଣିଥିଲା ଯଦି ସେ ଘରେ ରହିବ ତେବେ ଏକ ମାଂସର ପିଣ୍ଡୁଳା ପରି ସେ ବଂଚି ରହିବ ସିନା ହେଲେ କୋଉ କୁଳର ହେବନି । ତେଣୁ ଦିନେ ସେ ଝିଅକୁ ନେଇ ମୁକବଧିର ସ୍କୁଲରେ ଛାଡି ଦେଇ ଆସିଲା । ସେ ଭାବିଲା କି କମସେ କମ ସେଠି ଦି ଅକ୍ଷର ପାଠ ପଢି ଦୁନିଆକୁ ତ ଜାଣି ପାରିବ । ଆଉ ଘରେ ତା' ପ୍ରତି ଯେଉଁ ଅବହେଳା ହେଉଛି ସେଥିରୁ ତ ସେ ମୁକ୍ତି ପାଇ ପାରିବ । ତାର ସେ ନିଷ୍ପତ୍ତି ଯେ କେତେ ଠିକ ଥିଲା ଏବେ ମୁଁ ହୃଦୟଙ୍ଗମ କରି ପାରୁଛି । କିନ୍ତୁ ସେଦିନ ତାକୁ ଥରେ ବି ପଚାରି ନଥିଲି ଯେ ସାନ ଝିଅ କୁଆଡେ ଗଲା ଆଉା କେଉଁଠି ଅଛି ? ସେତେବେଳେ ମୁଁ ଭାରି ଖୁସି ଥିଲି ଯେ ଯା ହେଉ ମଣିଷ ଏକ ବଡ଼ ଝାମେଲାରୁ ମୁକ୍ତି ପାଇଲା ।


ତାପରେ ମୁଁ ଭୁଲି ଯାଇଥିଲି ତାକୁ । ଏମିତିରେ ୩ ବର୍ଷ ବିତିଗଲା । ତା' ମା' କେବେ କେମିତି ତାକୁ ସ୍କୁଲରେ ଦେଖା କରେ ସିନା ହେଲେ କେବେ ତାକୁ ଘରକୁ ଆଣେନା । ମୁଁ ବି କେବେ ମନେ କରେନା ତାକୁ ଥରେ ଭେଟିବା ପାଇଁ । ଦିନେ ଗୋଟେ ଅଜଣା ନମ୍ବରରୁ ମୋ ପାଖକୁ ଫୋନ ଆସିଲା । ଫୋନ ଉଠାଇବା ପରେ ଜାଣିଲି ସେ କାବ୍ୟା(ସାନ ଝିଅ)ର ପ୍ରିନ୍ସପାଲ । ସେ ମତେ କହିଲେ କି କାବ୍ୟା ସ୍କୁଲ କରାଟେ ପ୍ରତିଯୋଗିତାରେ ପ୍ରଥମ ହେଇଛି । ମତେ ସେ ପୁରସ୍କାର ସମାରୋହକୁ ନିମନ୍ତ୍ରଣ କରିଥିଲେ । ସେଦିନ ସ୍ତ୍ରୀ ଉପରେ ଖୁବ ବିରକ୍ତ ହେଇଥିଲି । ମୋ ନମ୍ବର କାହିଁକି ସ୍କୁଲରେ ଦେଇଛ ବୋଲି ପଚାରିଲି । ସ୍ତ୍ରୀକୁ କହିଲି, ଯିଏ ଦି ପଦ କଥା କହି ପାରୁନି ସେ ସ୍କୁଲ କରାଟେରେ ପ୍ରଥମ ହେଇ ଯେମିତି ମୋ ନାଁଟା ଉଜ୍ଜଳ କରିଦେବ ?


ସେଦିନ କଥା ଆଜି ଭାବିଲେ ମତେ ଲାଜ ଲାଗୁଛି । କେତେ ଭୁଲ ଥିଲି ମୁଁ ? ସ୍ତ୍ରୀ ମୋ ରାଗ ଦେଖି କାନ୍ଦି ପକେଇଥିଲା । ହେଲେ ସେ କାନ୍ଦର ପ୍ରଭାବ ମୋ ଉପରେ କିଛି ପଡି ନଥିଲା। ସେ ସମାରୋହକୁ ମୁଁ ଯାଇନଥିଲି । ଅନ୍ୟଥର ପରି ସ୍ତ୍ରୀ ସେଠାକୁ ଯାଇଥିଲା । ସେଠି କାବ୍ୟା ମତେ ଖୋଜିଥିଲା । ହେଲେ ତା' ମା' ଆଖିରେ ଲୁହ ଦେଖି ସେ ସବୁ କିଛି ବୁଝି ଗଲା । ସେଇଠୁ ବୋଧେ ସେ ଶପଥ ନେଇଥିଲା ଯେ ଦିନେ ନା ଦିନେ ତା' ବାପାକୁ ତା' ପାଖକୁ ଆସିବାକୁ ବାଧ୍ୟ କରିଦେବ । ତା' ପରେ ସେ ଆଉ ପଛକୁ ଚାହିଁ ନଥିଲା । ଧୀରେ ଧୀରେ ସେ ଆଗକୁ ବଢି ପ୍ରଥମେ ଜିଲ୍ଲା ଆଉ ତା' ପରେ ସେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ହେଇ ମୁଖ୍ୟମନ୍ତ୍ରୀଙ୍କଠୁ ଟ୍ରଫି ହାସଲ କଲା । ଯାହାର ସିଧା ପ୍ରସାରଣ ଟିଭି ମାଧ୍ୟମରେ ମୁଁ ଦେଖିଥିଲି ।


 ଟିଭିର ସେଇ ଦୃଶ୍ୟ ମୋ ମନରେ ଗଭୀର ରେଖାପାତ କଲା । ଯାହାକୁ ଦିନେ ମୁଁ ଔଷଧ ଦେଇ ମାରିଦେବାକୁ ଚେଷ୍ଟା କରିଥିଲି...ଯାହାପାଇଁ ସେ ମୁକବଧିର ହେଇଯାଇଛି ...ଯାହାକୁ ମୁଁ ଆଜି ଯାଏ ଖାଲି ଘୃଣା ଦେଇ ଆସିଛି ... ଯିଏ ବାପାର ସ୍ନେହ କଣ ଜାଣିନି ... ସେଇ ଝିଅ ତା' ବାପା ନାଁକୁ ସାରା ରାଜ୍ୟରେ ଉଜ୍ଜଳ କରିଦେଲା ? ପୁଅ ହେଇଥିଲେ ସେ ଅଧିକ କଣ କରିଥାନ୍ତା ? ବାପ ହେଇ ମୁଁ ଖାଲି ପାପ କରି ଚାଲିଛି । ନା...ଆଉ ନୁହେଁ...ମୋ ଝିଅକୁ ତା' ହକ ଫେରେଇ ଦେବି । ବଦଳିଗଲା ମୋ ଚିନ୍ତାଧାରା । ପୁଅ ପାଇଁ ଥିବା ମନରେ ସବୁ ଅବଶୋଷ ମୋର ଶେଷ ହେଇଗଲା ।


ଦିନେ ମୁଁ ତା' ସ୍କୁଲକୁ ଗଲି । ମୋ ଆସିବା ଜାଣି କାବ୍ୟା ଦୌଡ଼ି ଆସିଲା ମୋ ପାଖକୁ । ଏତେଦିନ ଦିନ ଧରି ଯେଉଁ କଥାକୁ ସେ ଚାହିଁ ବସିଥିଲା ସେଇ ଘଟଣା ଘଟିଗଲା ପରେ ତା' ଆଖିରେ ଲୁହ ଆସିଗଲା ଆଉ ମୋର ବି । କିଛି ସମୟ ପାଇଁ ସ୍ଥିର ହେଇଗଲା ସମୟ । ଆମେ ଦୁହେଁ ଦୁହିଁଙ୍କୁ ଚାହିଁ ରହିଥିଲୁ ପଥରର ମୂର୍ତ୍ତି ଭଳି । ଆଉ ତା' ପରେ ମୁଁ ତାକୁ ଘରକୁ ନେଇ ଆସିଲି । ଆଉ ବାପାର ସବୁ ସ୍ନେହ ଆଉ ଭଲପାଇବା ତା' ଉପରେ ଅଜାଡି ଦେଲି । ତା' ପାଇଁ ଭଲ କୋଚ ଯୋଗାଡ଼ କରି ତାକୁ ଟ୍ରେନିଂ ଦେଲି ।


ସେ ଜାତୀୟ ଚାମ୍ପିଅନସିପରେ ପ୍ରଥମ ହେଲା । ଆଉ ଆଜି ସେ ୱାର୍ଲଡ ଚାମ୍ପିଅନସିପରେ ଭାଗ ନେବାକୁ ଜାପାନ ଆସିଛି । ଆଉ ତା' ସହ ମୁଁ ବି ଆସିଛି । ଖେଳ ଆରମ୍ଭ ହେଲା । ଘନ ଘନ କରତାଳିରେ ଷ୍ଟାଡିଅମ ଫାଟି ପଡୁଥାଏ । କାବ୍ୟା ଗୋଟେ ପରେ ଗୋଟେ ପଏଣ୍ଟ ଜିତି ଚାଲିଥାଏ । ଶେଷରେ ସେ ସବୁ ପ୍ରତିଯୋଗୀଙ୍କୁ ପଛରେ ପକେଇ ୱାର୍ଲଡ ଚାମ୍ପିଅନ ହେଲା । ମୋ ଛାତି କୁଣ୍ଢେମୋଟ ହେଇଗଲା । ଆଉ ମୁଁ ଗର୍ବରେ କହିଲି... ଦେଖ ...ମୁଁ ୱାର୍ଲଡ ଚାମ୍ପିଅନର ବାପା....।



Rate this content
Log in

Similar oriya story from Inspirational