STORYMIRROR

Lipi Sahoo

Inspirational

4  

Lipi Sahoo

Inspirational

ବାନପ୍ରସ୍ଥ

ବାନପ୍ରସ୍ଥ

4 mins
441

ଆଜି ମୁଁ ମୋ ନିଜକୁ ଆବିଷ୍କାର କଲି ଛଅ/ଆଠ ଫୁଟର ଏକ ଛୋଟିଆ କୋଠରୀ ଭିତରେ । ବୟସର ସାୟହ୍ନରେ ଉପନୀତ । ଖୁବ୍ ଛୋଟ ଗୋଟିଏ ଝର୍କା । ଝର୍କା ସେପଟେ ବିସ୍ତୃତ ନୀଳ ଆକାଶର ଚେନାଏ ଅଂଶ ଦୃଶ୍ୟମାନ । ହେଲେ ଅନୁଭୂତ ହେଲା ସେ ନୀଳ ଆକାଶ ମୁଁ । ଦୋଳାୟମାନ ନଭଶ୍ଚୁମ୍ବୀ ଘଞ୍ଚ ବୃକ୍ଷରାଜି ସବୁ ମୁଁ । ଉଦ୍ଦେଶ୍ୟ ବିହୀନ ଭାବରେ ହେଉ ବା ଏକ ଉଦ୍ଦେଶ୍ୟ ନେଇ ଉଡ଼ି ବୁଲୁ ଥିବା ପକ୍ଷୀ ରାଜି ବି ମୁଁ । ଏକ ବିସ୍ତୃତ ମୁଁ କାର ଚେତନାରେ ବିଭୋର ହୋଇଗଲି । ଏହା ହିଁ ବୋଧହୁଏ ବାନପ୍ରସ୍ଥ । 'ମୁଁ'ରୁ 'ମୋର'ର ପଥ ଯେତେ ସହଜ ସରଳ ଆଉ ନିକଟବର୍ତ୍ତୀ, 'ମୋର'ରୁ କେବଳ 'ମୁଁ'ର ପଥ ସେତେ କଠିନ ଆଉ ଦୁର୍ଗମ । 'ମୁଁ' ହେଲା ଦ୍ରଷ୍ଟା ଆଉ ମୋର ମୋର ହେଉ ଥିବା ଯେତେକ ହେଲା 'ଅଭିନେତା' । 'ମୁଁ' ପଦ୍ମ ପତ୍ରରେ ଢଳ ଢଳ ହେଉଥିବା ଜଳ ବିନ୍ଦୁ ପରି ଏକ ଅସ୍ପୃଶ୍ୟ ସତ୍ତା । ଛୁଇଁକି ବି ଛୁଏଁ ନା । ଥାଏ କିନ୍ତୁ ନଥିବା ଭଳିଆ । କ'ଣ କିଛି ବୁଝି ପାରୁଛନ୍ତି ନା ନାହିଁ ବା...... । ମୁଁ ଆଦୌ ଏକ ପାଗଳ ନୁହେଁ କି ପ୍ରଗଳଭ ବକ୍ତା ବି ନୁହେଁ ।


       ଆଚ୍ଛା...... ଆଚ୍ଛା ମୋ ପରିଚୟ ଦେଇଦଉଛି । ଯାହା କି ସଂପୂର୍ଣ୍ଣ ଅସତ୍ୟ ଆଉ ଅସ୍ଥାୟୀ । ମୁଁ ଅଭିଳାଷ ଦାସ । ଅବସରପ୍ରାପ୍ତ ଏକ ବରିଷ୍ଠ ପ୍ରଶାସକ । ବୟସ ୭୩ । ଆଜି ହିଁ ମୁଁ ଏଇ ଜରାଶ୍ରମକୁ ଆସିଛି । ଜମା ଭାବିବେନି କି ମୋ ପିଲାମାନେ ମୋର ଦାୟିତ୍ଵ ନେବାକୁ କୁଣ୍ଠିତ ହେବାରୁ, ଦୟନୀୟ ଭାବରେ ମୋତେ ଏଠି ଛାଡି ଯାଇଛନ୍ତି । ନା... ନା ମୁଁ ଏ ନିର୍ବାସନକୁ ନିଜେ ବରଣ କରିଛି । ବରଂ ସେମାନେ ଖୁବ୍ ଦୁଃଖିତ ମୋତେ ଏଠି ଛାଡି । ମୋର ବହୁତ ଆଗରୁ ଏଠାକୁ ଚାଲି ଆସିବାର ଥିଲା । ଅଯଥାରେ ଅନେକ ସମୟ ନଷ୍ଟ କରିଦେଲି । ଅନାବଶ୍ୟକ ଦାୟିତ୍ଵ ବୋଧରେ ନିଜକୁ ଛନ୍ଦି ସମୟର ଅପଚୟ କରିଛି ମାତ୍ର । ଏହା ଏବେ ଉପଲବ୍ଧି କରୁଛି । ବର୍ତ୍ତମାନ ମୁଁ ମୁକ୍ତ । ଏ ଭୁଲ ସମସ୍ତେ କରନ୍ତି ଆଉ ମୁଁ ବି କରୁଥିଲି । ଜୀବନର ଅଭିନୟ ଭିତରେ ନିଜେ ଏତେ ମଜ୍ଜି ଯାଆନ୍ତି ଯେ, ଦ୍ରଷ୍ଟା ଉପଭୋଗ କରୁଥିବା ଅସୀମ ଆନନ୍ଦ ବିଷୟରେ ଅବଗତ ନଥାନ୍ତି । ଆମେ ସମସ୍ତେ ନାଟକ ସିନେମା ଦେଖନ୍ତି ମଜା ଉଠାନ୍ତି ହେଲେ ଜୀବନ ନାଟକର ଦ୍ରଷ୍ଟା ସାଜି ପାରନ୍ତିନି । କାରଣ ଆମେ ଜାଣିଥାଉ ନାଟକରେ ଯାହା ସବୁ ହେଉଛି ସବୁ ମିଛ । ହେଲେ ଜୀବନକୁ ସତ ମଣୁ । କାରଣ ଆମେ ଅଭିନୟ ଭିତରେ ନିଜକୁ ହଜେଇ ଦେଇଥାଉ । ହଁ ସଂସାର ଭିତରେ ରହି ସେ ଆସନରେ ବସିବା ବି କାଠିକର ପାଠ । ସେଇଥି ପାଇଁ ତ ଏଇ ବାନପ୍ରସ୍ଥର ବ୍ୟବସ୍ଥା । 

       ହଠାତ୍ ମୋର ଏତେ ସହଜରେ ମୁଁ ମୟ ସଂସାରର ଅନୁଭବ ହେଇ ଯିବ ଏହା କଳ୍ପନାତୀତ । ସେ ଅନନ୍ତ ଆନନ୍ଦ ଅକଳ୍ପନୀୟ ଆଉ ଅବ୍ୟକ୍ତ । ଜାଣେନା କାହିଁକି ବୃଦ୍ଧବୃଦ୍ଧା ଏଇ ଜାଗାକୁ ଆସିବାକୁ ଏକ ଅତ୍ୟାଚାର ବୋଲି ଭାବନ୍ତି । ସ୍ୱଇଚ୍ଛାରେ ଏହାକୁ ବରଣ କରିନେବା ଉଚିତ୍ । ଏଥି ପାଇଁ ଯେ କେତେ ଯୁକ୍ତିତର୍କ ଅଧିକାରର ଟଣାଓଟରା ଚାଲେ । କାଇଁ ମୁଁ ତ ଏଠି ଆସି ବହୁତ ଖୁସି । ବୈଦିକ ଯୁଗରେ କ'ଣ ଖାଲିଟାରେ ଥିଲା ବାନପ୍ରସ୍ଥର ବ୍ୟବସ୍ଥା ???? ମୁଁ ଏଠି ରହି ପରିବାରର ଭଲମନ୍ଦ ସବୁ ଖବର ଜାଣିବି ଶୁଣିବି ଖୁସି ହେବି ଦୁଃଖୀ ବି ହେବି ଠିକ୍ ଏକ ଦ୍ରଷ୍ଟା ହିସାବରେ । ଆଜିଠାରୁ 'ମୋର' ଶବ୍ଦଟିକୁ ଶବ୍ଦକୋଷରୁ ଲିଭାଇ ଦେଲି । ଅବଶିଷ୍ଟ ଯାହା ରହିଲା କେବଳ ମୁଁ । ଏକ ବ୍ୟାପକ 'ମୁଁ' ଅହଂକାରର 'ମୁଁ' ନୁହେଁ । ଏଇ ଦୁଇ 'ମୁଁ' ଭିତରେ ଆକାଶ ପାତାଳ ଫରକ । ଦ୍ଵିତୀୟ 'ମୁଁ' ଶରୀର ଭିତରେ ଆବଦ୍ଧ । କ'ଣ କିଛି ବୁଝି ପାରୁଛନ୍ତି ନା ନାହିଁ ???? ନା ମୋତେ ପାଗଳ ଭାବି ନେଇଛନ୍ତି । ଆପଣ ମାନନ୍ତୁ ବା ନ ମାନନ୍ତୁ । ଏହା ହିଁ ଚିରନ୍ତନ ସତ୍ୟ । ବିକଳ ହେଇ ସବୁ ଆବୋରି ବସିବା ହିଁ ମାୟା । ଦାୟିତ୍ଵ ନିର୍ବାହ କରିବାର ଏକ ନିର୍ଦ୍ଦିଷ୍ଟ ସମୟସୀମା ଥାଏ । ଏହା କଦାପି ଆଜୀବନ ନୁହଁ ଏତିକି ମନେ ରଖିବା ଦରକାର ।

       ଏଇ ବନ୍ଦ କବାଟ ସେପଟେ ଅନେକ ବୃଦ୍ଧବୃଦ୍ଧା ଙ୍କ କୋଳାହଳ ଶୁଭୁଚି । କିଛି ଖୁସି ହେବାର ଅଭିନୟ କରୁଥୁବେ ଆଉ କିଛି ଦୁଃଖୀ ଥିବେ । ହେଲେ ସେମାନଙ୍କ ପାଖରେ ଏଇ ଅନନ୍ତ ଆନନ୍ଦର ବାର୍ତ୍ତା ପହଞ୍ଚେଇବା ନିହାତି ଦରକାର । ମୁକ୍ତିର ଅନ୍ୟ ନାମ ତ ଆନନ୍ଦ ହିଁ ନା........... । ଏଇ ଯୋଉ ଅବ୍ୟକ୍ତ ଆନନ୍ଦ କେବଳ ଧାରଣ କରି ରଖିବା ଅସମ୍ଭବ । ଏହା ବିତରଣ ସାପେକ୍ଷ । ଯେମିତି ଗୌରାଙ୍ଗ ଦେବ ସେ ଯେଉଁ ଆନନ୍ଦ ଆହରଣ କରୁଥିଲେ ତାହା ସେ ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ଚାହୁଁ ଥିଲେ । ହେଲେ ସାଧାରଣ ଲୋକ ତାଙ୍କୁ ପାଗଳ ଭାବୁଥିଲେ । କାରଣ ସେ ଆନନ୍ଦର ସ୍ରୋତକୁ ଧାରଣ କରି ରଖିବା ଏତେ ସହଜ ନୁହେଁ । ସେ ତ ଯୋଗଜନ୍ମା ଥିଲେ । ଏଇ ଅଳ୍ପ ସମୟ ଭିତରେ ସେଇ ମହାନୁଭବକୁ ନେଇ ମୁଁ ଯେତିକି ଟିକେ ଆନନ୍ଦ ପାଇଛି ତାକୁ ଧାରଣ କରିବାର ସାମର୍ଥ୍ୟ ମୋର ନାହିଁ କାରଣ ମୋ ଆଧାର ଶୁଦ୍ଧ ନୁହେଁ । ତେଣୁ ଏହାକୁ ବିତରଣ କରିବାକୁ ମୁଁ ବାଧ୍ୟ । ହୁଏ ତ ମୋତେ ବି ଏଠି କିଛି ଲୋକ ପାଗଳ ଭାବି ପାରନ୍ତି । ହେଲେ ମୁଁ ନାଚାର । 

       ମୁଁ ବି ଜଣେ ଅନ୍ୟମାନଙ୍କ ପରି ସାଧାରଣ ବ୍ୟକ୍ତି । ପଦବୀର ଅହଂକାର ଗୃହକର୍ତ୍ତାର ଅହଂକାର ମୋର ବି ଥିଲା । ଚାକିରୀ କ୍ଷେତ୍ରରେ ଆଉ ଘରେ ମୋର ପ୍ରତିପତ୍ତି ହିଁ ଚାଲୁଥିଲା । ଚାକିରୀରୁ ଅବସର ହେବା ପରେ ସେ ଅଭିମାନ ତୁଟି ଗଲା । ପତ୍ନୀ ବିୟୋଗ ପରେ କିଛି ଦିନ ମୁଁ ନିଜକୁ ଜିଅନ୍ତା ଶବ ବୋଲି ମନେ କଲି । ହେଲେ ପୁଅବୋହୁ ଓ ନାତିନାତୁଣୀ ଙ୍କ ଗହଣରେ ରହି ସେ ଭ୍ରାନ୍ତି ବି ଅପସରି ଗଲା । ତା ପରେ ସେମାନଙ୍କୁ ଆବୋରି ବସିଲି । ଅତି ଖୁସିରେ ଜୀବନ ଅତିବାହିତ କରୁଥିଲି । ହେଲେ ଖୁସି ସର୍ବଦା କ୍ଷଣସ୍ଥାୟୀ ଆଉ ଅସତ୍ୟ ବୋଲି ମୋର ଧାରଣା ନ ଥିଲା । କାରଣ ମୁଁ କେବେ ବି ଆନନ୍ଦର ଅନୁସନ୍ଧାନରେ ବାହାରି ନଥିଲି । ଖୁସିକୁ ଆନନ୍ଦ ବୋଲି ଧରି ନେଇଥିଲି ଅନ୍ୟମାନଙ୍କ ପରି । 

       ୟା ଭିତରେ ମୋ ଜନ୍ମଦିନ ଆସିଲା । ନାତିନାତୁଣୀ ମାନେ ସ୍ଥିର କଲେ ଏଥର ମୋ ଜନ୍ମଦିନ ଖୁବ୍ ଧୂମଧାମରେ ପାଳନ କରିବେ । ସବୁଥର ମୁଁ ଏହାକୁ ଏଡେଇ ଯାଏ, ହେଲେ ଏଥର ସେମାନଙ୍କ ଜିଦ୍ ଆଗରେ ହାର ମାନିଲି । କିଛି ନିମନ୍ତ୍ରିତ ଅତିଥି ଆସିଥିଲେ । ସେଥିରେ ମୋର ଜଣେ (ବାଲ୍ୟବନ୍ଧୁ ତଥା ସହକର୍ମୀ) ସନାତନ ପାତ୍ର ବୋଲି ନିମନ୍ତ୍ରିତ ହୋଇ ଆସି ଥିଲେ । ସେ ମୋତେ ଏକ ପୁସ୍ତକ ଉପହାର ଦେଇଥିଲେ । ସେ ଜାଣନ୍ତି ମୁଁ ବହୁତ ପୁସ୍ତକ ପ୍ରିୟ । ଆଉ ମୁଁ ଯୋଉଁ ବହିଟି ପଢିବି ବୋଲି ଏକଦା ତାଙ୍କ ପାଖରେ ଇଚ୍ଛା ପ୍ରକାଶ କରିଥିଲି ସେଇ ବହିଟି ଉପହାରରେ ଦେଇଥିଲେ । ମୁଁ ଯେମିତି ମୋ ହାତ ପାହାନ୍ତାରେ ଜହ୍ନ ପାଇ ଯାଇଥିଲି ....।

       ପୁସ୍ତକଟି ହେଲା 'ଯୋଗାବଶିଷ୍ଠ' । ସଂପୂର୍ଣ୍ଣ ଭାବେ ତଲ୍ଲୀନ ହୋଇ ଆମୂଳଚୂଳ ପଢି ଦେଲି । ତା'ପରେ ଯାହା ଯାହା ଘଟିଲା ଏହା. ତାହାର ପାର୍ଶ୍ୱ ପ୍ରତିକ୍ରିୟା । ସବୁ ଘଟଣା ତ ବର୍ଣ୍ଣନା କରି ସାରିଲିଣି । ଏକ ପୁସ୍ତକ ବି ଜୀବନର ଗତିପଥ ବଦଳେଇ ଦେଇ ପାରେ । ଏବେ କେବଳ ବାକି ରହିଛି ମୋ ନିବୁଜ କୋଠରୀର ବନ୍ଦ କବାଟକୁ ଉନ୍ମୁକ୍ତ କରିବା.........।

        



Rate this content
Log in

Similar oriya story from Inspirational