Amiya Bej

Inspirational Abstract

1.7  

Amiya Bej

Inspirational Abstract

ବାଣ

ବାଣ

2 mins
7.0K


(୧)

ବାପା ଶିକ୍ଷକ ଥିଲେ । ତାଙ୍କସହ ମୁଁ ଅନେକ ଦୀପାବଳୀ ପାଳିଛି । ଆମେ ପାଞ୍ଚଜଣ ବାଣ ଫୁଟାଇବାକୁ ଖୁବ୍ ମନକରୁ । ବାପା ଯୋଗେଇ ପାରିଥାନ୍ତେ । କିନ୍ତୁ ଏୟା କହି ମନାକରନ୍ତି ଯେ - ଅଯଥା ପଇସା ଗାଣ୍ଡିରେ ନିଆଁ।

ବାପା ମାଟିଦୀପ , ଜଡାତେଲ ଆଣି ଦିଅନ୍ତି । ମୋ ସାନ ଭଉଣୀ ସେସବୁକୁ ନେଇ ଘରସାରା ସଜାଏ । ସଂଜହେଲେ ବାପା ବାହାରକରନ୍ତି ଝିରିଝିରି ପ୍ୟାକେଟ୍ ଗୋଟେ । ଆମେ ଖୁସିହୋଇ ଜଣକା ଦି'ଟା ଲେଖା ବାଣ୍ଟିନେଉ । ସରିଯିବ ବୋଲି ସମସ୍ତଙ୍କ ଢୋ' ଢା' କମିଗଲା ପରେ ଆମେ ନିଆଁ ଲଗାଉ । ଆମ ବାଣରେ ଶବ୍ଦ ନଥାଏ । ଅନ୍ୟକୁ ଶୁଭେନି । କିନ୍ତୁ ଆମ ପାଞ୍ଚଜଣ ଆଖିରେ ଚମକ ଆସିଯାଏ । ସରିଗଲାପରେ , କୁହାକୁହି ହେଉ ସତରେ ବାପାଙ୍କ ପଇସାକୁ ଆମେ ପୋଡିଦେଲୁ ! ସେତେବେଳକୁ ମା' ଛାଣି ସାରିଥାଏ ମଣ୍ଡା କାକରା ଆଉ ଖିରୀ । ବାପା ବଡବାପା ଆଉ ସାନବାପା , ଧୋତି ପିନ୍ଧି ପୟାଖାଡି ଜଳାଇ ବଡବଡୁଆଙ୍କୁ ଆବାହନ କରନ୍ତି । ସେଇ ଗୋଟାଏ ଦିନ ମୁଁ ଦେଖେ , ତିନିଭାଇ ଏକତ୍ରିତ ହୋଇ ପୂର୍ବପୁରୁଷଙ୍କୁ ସୁମରଣା କରନ୍ତି । ବଡବାପା ଆମଙ୍କୁ ସେସବୁ ଶିଖାଇ କୁହନ୍ତି , ଶିଖିଥାଅ ଆଗକୁ କରିବ ।

ତା'ପରେ ବଂଶସାରା ଏକାଠି ବସି ଖାଉ । ମୋ ବାପା ଆଦୌ କଞ୍ଜୁସ୍ ନଥିଲେ । ସେ ଭାରି ଭଲପାଉଥିଲେ ଆମକୁ । କାଳେ ବାଣ ଫୁଟାଇ ଆମେ ଜଳିପୋଡି ଯିବୁ ସେଥିପାଇଁ ଡରୁଥିଲେ ଭାରି । ମୋ ସାଙ୍ଗ ମୁନ୍ନା ବାଣଫୁଟାଇ ତା ଛାତି ଜାଳି ଦେଇଥିଲା ଥରେ ।

{୨}

କଞ୍ଜୁସ୍ ତ ମୁଁ ଥିଲି । ପାଞ୍ଚଟା ଛୁଆ ନୁହେଁ , ସମ୍ଭାଳିପାରିବିନି ବୋଲି ଗୋଟେ ଛୁଆରୁ ଅଧିକା କରିପାରିନଥିଲି । ଫଳତଃ ପିଲାଟା ଖୁବ୍ ଜିଦିଆ ହୋଇଯାଇଥିଲା । କାଲିଠାରୁ ଘରେ ବାଣ ପାଇଁ ଖଣ୍ଡ ପ୍ରଳୟ କରି ରଖିଥିଲା। ମୁଁ ତାକୁ ଖୁବ୍ ଭଲପାଏ । ତଥାପି ଜଳାପୋଡାକୁ ଡରୁଥିଲି । ତା' ଜିଦ୍ ଆଗରେ ମୁଣ୍ଡ ନୁଆଁଇଁ ଦୁଇଶ' ଟଙ୍କାର ଅବିପଦ ବାଣ ନେଇ ଆସିଲି । ପୁଅ କହିଲା 'ମାତ୍ର' ! ତା'ପାଇଁ ମୋ' ପଇସାର ମୂଲ୍ୟ କିଛି ନଥିଲା ! କେବଳ ମୁଁ ଗୋଟେ କଞ୍ଜୁସ୍ ଓ ଭୀରୁ ପିତା ଥିଲି !!

{୩}

ଏଇ ଦୁଇପିଢୀରେ ଯାହା ଅସାମଞ୍ଜସ୍ୟ ଥିଲା -

ଆମ ଘର ଆଉ ମାଟିଦୀପ , ଘିଅ ଛାଡ଼ି , ଚକମକ୍ ଆଖି ଝଲସା ବିଜୁଳି ଆଲୁଅରେ ସଜ୍ଜା ହେଉଥିଲା । ମୋ ମା ତିଆରୁଥିବା ଖିରୀ ପିଠା ଆଦିର ବାସ୍ନା ରୋଷେଇ ଘରୁ ଆସୁନଥିଲା । ଆମେ ସଂଜବେଳେ ରେଷ୍ଟୁରାଣ୍ଟ ଯାଇ ପାର୍ଟି ମନେଇବାର ଯୋଜନା କରିସାରିଥିଲୁ । ଆମଘରେ , ଆଉ ବଡବଡିଆଙ୍କୁ ସୁମରଣା କରି ପ୍ରଥା ପାଳିବାର ବ୍ୟବସ୍ଥା ନଥିଲା। ଗୟା ଯାଇ ସର୍ବପିଣ୍ଡ ଦେଇ , ଆମବଂଶ , ଦାୟିତ୍ୱ ମୁକ୍ତ ହୋଇସାରିଥିଲୁ । ସର୍ବୋପରି ମୋ ପୁଅ , ମୋ ଭଲପାଇବାକୁ ହୃଦୟଙ୍ଗମ କରିପାରୁନଥିଲା । ସାନଭଉଣୀ ଘରକୁ ବାଙ୍ଗାଲୁରୁ ଯାଇଥିବା ମୋ ବାପାମା'ଙ୍କୁ ମୁଁ ଆଜି ଖୁବ୍ ମିସ୍ କରୁଥିଲି ।

ଅମିୟ


Rate this content
Log in

Similar oriya story from Inspirational