Satyaprakash Sethy, M. A(UGC NET)

Horror

4  

Satyaprakash Sethy, M. A(UGC NET)

Horror

ବାଙ୍କ ମୁହାଁ ବର ଗଛ

ବାଙ୍କ ମୁହାଁ ବର ଗଛ

7 mins
373



ମନୋରମ ସକାଳ। ଶୀତୁଆ ପବନ ଦେହରେ ଶିହରଣ ଖେଳାଉଥାଏ।ବାଡ଼ି ଅଗଣା ପଟ ବଗିଚାରେ ଚେୟାର ଖଣ୍ଡେ ପକାଇ ବସି ପଡିଥାଏ। ଦେହରେ ସୂର୍ଯ୍ୟ କିରଣ ଟିକିଏ ପଡିଲେ ଏହି ଶୀତୁଆ ଦିନରେ ମନକୁ ଭାରି ଶାନ୍ତିପ୍ରଦ ଲାଗେ ।ପ୍ରତିଦିନ ଅଭ୍ୟାସ ପରି ସେଦିନ ବି ପେପରବାଲାକୁ ଏପଟ ସେପଟ ଅନିଷା କରି ରହିଥାଏ। ଯାହା ବି ହେଉ କିଛି ସମୟର ପ୍ରତୀକ୍ଷା ପରେ ପେପରବାଲା ଆସିଲା। ପତ୍ନୀ ବି ଚା କପେ ଧରି ପାଖରେ ବସି ପଡିଲେ। ଏବେ ଚାଲିଲା ପେପର ପଢା ଓ ପତ୍ନୀକୁ ମୋର ପେପର ପଢି ଧାରା ବିବରଣୀ ପ୍ରଦାନ। ସବୁ ଦିନ ପରି ହତ୍ୟା, ରହସ୍ୟ ଓ ଷଡଯନ୍ତ୍ର ମୂଳକ ସମ୍ବାଦ ଉପରେ ଆଗ ଆଖି ଫେରାଇ ନେଉଥିଲି।

ହଠାତ୍ ଆଖି ଯାଇ ପଡ଼ିଲା ଏକ ଅଦ୍ଭୁତ ମୃତ୍ୟୁ ରହସ୍ୟ ଉପରେ। ସମ୍ବାଦର ଶୀର୍ଷକ ଥିଲା "ବାଙ୍କମୁହାଁ ବର ଗଛ ନୂହେଁ ତ ମରଣଯନ୍ତା"। ବଡ଼ ଆଶ୍ଚର୍ଯ୍ୟ! କାରଣ ଏଇ ସମାନ ପ୍ରକାର ମୃତ୍ୟୁ ଓ ସେଇ ସମାନ ଜାଗାରେ କେତେ ଥର ଯେ ଘଟିଲାଣି ତା'ର କିଛି ହିସାବ ନାହିଁ । ଏ କଥା ମୁଁ କେତେ ଥର ତ ନିଜେ ଏଇ ସମ୍ବାଦ ପତ୍ରରୁ ପଢିଲିଣି। ଇଏ କେମିତିକା କଥା? ସେଇ ଏକା ସ୍ଥାନରେ ସେଇ ଏକା ପ୍ରକାର ଦୁର୍ଘଟଣା ଓ ମୃତ୍ୟୁ କେମିତି ବାରମ୍ବାର ଘଟୁଛି? ମନଟା ବଡ଼ ପ୍ରଶ୍ନିଳ ଧରିବାରୁ ଅନେକ ଦ୍ୱନ୍ଦାତ୍ମକ ଚିନ୍ତାଧାରା ମୁଣ୍ଡକୁ ଘାରିଲା। ସବୁ କଥାର ଗୋଟେ ସମାଧାନ ସୂତ୍ର ଦେଇ ପାରୁଥିବା ମୋ ବୁଦ୍ଧିମତୀ ପତ୍ନୀ ବି ସେଦିନ କାହିଁ ଏ ଅଡ଼ୁଆ ପ୍ରଶ୍ନର ଗୋଟେ କିଛି ସଠିକ୍ ଉତ୍ତର ରଖି ପାରିଲେ ନାହିଁ। ତେଣୁ ତ ମୁଁ ଭାବିବାକୁ ଅଧିକ ମଜବୁର୍ ହୋଇଗଲି।

ଘଟଣାଟି ଠିକ୍ ଏୟା ଥିଲା । କେଉଁଝର ଦେଇ ରିମୁଳି ଗଲା ବେଳକୁ ଗୋଟେ ବାଙ୍କ ରାସ୍ତା ପଡେ, ଯେଉଁଠି ଗୋଟେ ବଡ଼ ପୂରୁଣା ବର ଗଛଟାଏ ଅଛି।

ସେଇ ବରଗଛ ମୂଳ ଦେଇ ଯେତେବେଳେ ଯିଏ ରାତି ଅଧରେ ଏକୁଟିଆ କାରରେ ଫେରେ ସେତେବେଳେ ସେ ପ୍ରାଣ ହରାଇ ଥାଏ। ଗାଡିଟା ସେଇଠି ସେଇମିତି ଅକ୍ଷତ ଅବସ୍ଥାରେ ରାସ୍ତା କଡରେ ଅଟକି ରହିଥାଏ।

ତା ଭିତରେ ଯାତ୍ରା କରୁଥିବା ଏକୁଟିଆ ଯାତ୍ରୀଟି ଗାଡି ଭିତରେ ମରି ପଡିଥିବ।ପୋଲିସ୍ ତଦନ୍ତ ଓ ଡାକ୍ତରୀ ପୋଷ୍ଟ ମୋର୍ଟମ ରିପୋର୍ଟ ଆସିବ ହାର୍ଟ ଫେଲ୍। ଅର୍ଥାତ୍ ହାର୍ଟ ଆଟାକ ଜନିତ କାରଣରୁ ବାଟୋଇର ମୃତ୍ୟୁ। କିନ୍ତୁ କଥାଟା ହେଉଛି ସମାନ ପ୍ରକାର ମୃତ୍ଯ ସମାନ ଜାଗାରେ ବରମ୍ବାର ଘଟିବା। ମୁଁ ନିଜେ ପେପରରୁ ଏଇ କଥାଟା ବହୁବାର ପଢିଲିଣି। ହେଲେ ଆଗରୁ ଏ କଥାଟା ମୋତେ ସେମିତି କିଛି ଗୁରୁତ୍ୱପୂର୍ଣ୍ଣ ବା ରହସ୍ୟମୟ ଲାଗୁ ନଥିଲା। ହେଲେ ଆଜି ଗୋଟେ ଭାରି ଅଜବ ଅନୁଭୂତ ହେଉଛି। ତେଣୁ ଘଟଣାଟିକୁ ମୁଁ ଆଉ ଏତେ ସହଜରେ ହାଲୁକା ଭାବେ ନେଇ ପାରୁ ନଥିଲି।

ସେଦିନ ରବିବାର ହୋଇଥିବାରୁ ଗାଡ଼ି ବାହାର କଲି। ପତ୍ନୀ ପଚାରି ବସିଲେ - "କୁଆଡ଼େ ବାବୁ ଆମର ସକାଳୁ ସକାଳୁ ବାହାରି ପଡିଲେ କି" ? କଥାର କିଛି ସଠିକ୍ ଉତ୍ତର ନଦେଇ ବାରେଇଁ ଦେଲି। ସିଧା ଗାଡ଼ି ନେଇ ପହଞ୍ଚିଲି ଜଣେ ବନ୍ଧୁଙ୍କ ଘରେ।

 ବନ୍ଧୁ ସୁଖବୀର ଜଣେ ଜଣାଶୁଣା ଡିଟେକ୍ଟିଭ୍। ରହସ୍ୟକୁ ଭେଦି ତା'ର ମୂଳ ପର୍ଯ୍ୟନ୍ତ ଯିବା ତାଙ୍କର ପେଶା।


ଚା କଫିର ପର୍ବ ସରିଲା। ଆରମ୍ଭ କଲି ସେଇ ମୂଳ ଘଟଣା, ଯେଉଁ ଘଟଣା ଖୁବ୍ ଆନ୍ଦୋଳିତ କରୁଥିଲା ମୋ ମନକୁ। ସବୁ ଘଟଣା ମୋ ପାଖରୁ ଶୁଣି ସାରିଲା ପରେ ବନ୍ଧୁ ସୁଖବୀର କହିଲେ - "ବାସ୍ତବରେ ଘଟଣାଟି ଖୁବ୍ ରହସ୍ୟମୟ ଏବଂ ଏହା କେଉଁ ଏକ ବିଶେଷ ଘଟଣାର ହେତୁ ନିରୂପଣ କରିବାରେ ହୁଏତ ସକ୍ଷମ । ତେବେ ଏହାର ମୂଳୋତ୍ପାଟନ କରିବାକୁ ପଡ଼ିବ। ତୁମେ ଯଦି ମୋତେ ସାଥ ଦିଅନ୍ତ, ଆହୁରି ଭଲ ହୁଅନ୍ତା। ଠିକ୍ ସେଇଠି ରହି ସେଇ ଜାଗାରେ ପରିସ୍ଥିତି ଅନୁଧ୍ୟାନ କରନ୍ତେ! ଭାଉଜଙ୍କୁ ମୁଁ ବୁଝେଇ ଦେବି, ଆମେ ପାର୍ଟୀ ମନାଇବା ପାଇଁ ସାଙ୍ଗମାନେ ସାଥି ହୋଇ ଖଣ୍ଡାଧାର ଯାଉଛେ ବୋଲି। ଆଉ ମୋର ପୂର୍ଣ୍ଣ ବିଶ୍ବାସ ଭାଉଜ ମୋ କଥାରେ ରାଜି ହୋଇ ତୁମକୁ ଅନୁମତି ଦେଇଦେବେ"।

ସେୟା ହେଲା ଯୋଜନା ମୁତାବକ ଆମେ କେଉଁଝର ଦେଇ ରିମୁଳି ବାହାରିଲୁ।

ଭୁବନେଶ୍ୱରରୁ ବାହାରି କେଉଁଝରରେ ପହଞ୍ଚିଲା ବେଳକୁ ରାତି ଦଶଟା ବାଜି ଯାଇଥାଏ। ତେଣୁ ଖିଆପିଆ କାମଟା ବି ଏକା ବେଳକେ ସେଇଠି ସାରି ଦେଲୁ। ପାନ ପୁଡ଼ିଆ ଟିକିଏ ଧରି ପୁଣି ବାହାରିଲୁ। ଗାଡ଼ି ଛୁଟି ଚାଲିଥାଏ ଅନ୍ଧାରିଆ ରାସ୍ତା ଦେଇ ଆଗକୁ। ମନର ଉତ୍କଣ୍ଠା ବଢି ଯାଉଥାଏ । ଆଖିକୁ ଦେଖା ହେଉଥାଏ ଖାଲି ମିସନ୍ ବର ଗଛ। ନିର୍ଦ୍ଧିଷ୍ଟ ଘଟଣାସ୍ଥଳୀ ଅତିକ୍ରମ କଲା ବେଳକୁ ଘଣ୍ଟାରେ ବାର ବାଜି ସାରିଥାଏ।ଏତିକି ବେଳକୁ ହଠାତ୍ କିଏ ଗୋଟେ ବିରାଟକାୟ ଲୋକ ବୁଦା ମୂଳରୁ ଉଠି ଆସି ରାସ୍ତା ମଝିରେ ଛିଡ଼ା ହୋଇଗଲା, ଯାହାର ଉଚ୍ଚତା ଆକାଶକୁ ଛୁଉଁଥିଲା। ହଠାତ୍ ଗାଡିଟାର ବ୍ରେକ୍ କଷି ଦେବାରୁ ଗାଡ଼ିର ଚକା ଗୁଡ଼ାକ ଘୋଷାରି ହୋଇ ଗୋଟେ କଡକୁ ଟାଣି ହୋଇ ଗଲା । ଗାଡିଟା ଘୋଷାରି ହୋଇ ସେଇଠି ଅଟକି ଗଲା। ଲାଇଟ୍ ଟା ବି ଲିଭିଗଲା। ଆଉ ମୋଟେ ଜଳିଲା ନାହିଁ।ବନ୍ଧୁ ସୁଖବୀର "କିଏ! କିଏ ସେଠି ଛିଡା ହୋଇଛି!" ବୋଲି ପ୍ରଶ୍ନ ପଚାରି, ସନ୍ତୋଷଜନକ ଉତ୍ତର ନପାଇବାରୁ ଝରକା ଆଡ଼େଇ ଦୁଇ ରାଉଣ୍ଡ ଗୁଳି କଲେ। ତଥାପି ସବୁ ବେକାର, ହେଲେ ନିଷ୍ଫଳ ହୋଇନଥାଏ ତାଙ୍କ ପ୍ରଚେଷ୍ଟା ।ମୋର କିନ୍ତୁ ଛାନିଆରେ ପ୍ୟାଣ୍ଟରେ ପରିସ୍ରା ପଡ଼ି ଯାଇଥାଏ। ଭାରି ଡର ଲାଗୁଥାଏ ।ଡରରେ ଦେହ ହାତ ଶୀତେଇ ଉଠୁଥାଏ। ମୋ ଦେହରେ ତ ଜୀବନ ନଥାଏ। ମୁଁ ଖାଲି କାଠ ହୋଇ ନିଶ୍ଚୁପ୍ ବସିଥାଏ।

ଏତେବେଳକୁ ଛାୟାଚିତ୍ରଟି କୁଆଡ଼େ ଅଦୃଶ୍ୟ ହୋଇ ଯାଇଥାଏ। ଖାଲି ନିଶା ଗର୍ଜୁଥାଏ ଓ ଅଚାନକ କେମିତି ସବୁ ଭୟଙ୍କର ପରିସ୍ଥିତି ସ୍ରୁଷ୍ଟି ହେଉଥାଏ, ଯାହାକୁ ହୁଏତ ବୟାନ କରିବା ଏତେଟା ସହଜ ନୂହେଁ।

ବନ୍ଧୁ ଗାଡ଼ିର ଡୋର୍ ଟା ଖୋଲି ବାହାରକୁ ଯିବାକୁ ହୁଏତ ଚାହୁଁଥିଲେ। ଗାଡ଼ିର ଇଞ୍ଜିନ୍ ଓ ବ୍ୟାଟେରୀ ବି ତ ଚେକ୍ କରିବା ଜରୁରୀ, ଯେହେତୁ ଲାଇଟ୍ ଜଳୁ ନଥିଲା କି ଷ୍ଟାର୍ଟ ବି ହେଉ ନଥିଲା। ସେଥିପାଇଁ ସେ ଡୋର୍ ଟିକେ ଖୋଲିଲେ, କିନ୍ତୁ ପର ମୁହୂର୍ତ୍ତରେ ସଙ୍ଗେ ସଙ୍ଗେ ଡୋର୍ ବନ୍ଦ କରିନେଲେ। କାରଣ ତାଙ୍କ ମନ ମଧ୍ୟରେ ବି ଅସମ୍ଭବ ଡର, ଯେହେତୁ ଏଭଳି ଦୀର୍ଘ କାୟ ଲୋକ କେହି କେବେ ଦେଖି ନଥିବ। ଏହା ବାସ୍ତବ ନା ଅବାସ୍ତବ ଠିକ୍ ସେ କିଛି ଭାବି ହେଉ ନଥିଲା। ତେଣୁ ମନକୁ ଭୂତପ୍ରେତ କଥା ଆସି ଯାଉଥାଏ। ହେଲେ କେହି କାହାକୁ କିଛି କହୁ ନଥାଉ। ମିଛ ବାହାସ୍ଫୋଟ ପଣେ ସୁଖବୀର ଯାହା ମୋତେ ସାହାସ ଦେବା ପାଇଁ ବୃଥା ପ୍ରୟାସ କରୁଥାନ୍ତି। ଏଁ.. ଏ କ'ଣ ପୁଣି ସେଇ ଛାୟା ଚିତ୍ର ଗାଡ଼ି ସାମ୍ନାକୁ ଆଉ ଥରେ ଆସିଗଲା। ଇସ୍ କି ଭୟଙ୍କର। ହାତ ଗୁଡାକ ତା' ର ଖୁବ୍ ଲମ୍ବା। ଲମ୍ବି ଆସୁଥିଲା ଗାଡ଼ି ଯାଏ ।ବନ୍ଧୁ ପିସ୍ତଲ ଦେଖାଇ ରୋକିବାକୁ ଧମକାଇଲେ।। ହେଲେ ସେ ଖୁବ୍ ବିକଟାଳ ସ୍ଵରରେ ଆହୁରି ଜୋରରେ ଠୋ ଠୋ ହୋଇ ହସିବାକୁ ଲାଗିଲା। ଏଥର କହିଲା - "ମୋତେ ଗୁଳି କଲେ ମୋର କିଛି କ୍ଷତି ହେବ ନାହିଁ। କାରଣ ମୁଁ ଗୋଟେ ଅଶାନ୍ତ ଗ୍ରହ, ପ୍ରେତାତ୍ମା ହୋଇ ଘୂରି ବୁଲୁଛି- ମୋର ଏ ଆତ୍ମାର ଶାନ୍ତି ପାଇଁ। ହେଲେ ମୋତେ ଦେଖି ଡରନ୍ତୁ ନାହିଁ, ପରନ୍ତୁ ମୋ କଥା ଟିକେ ଶୁଣନ୍ତୁ ଖାଲି ମୋ ଆତ୍ମାର ଶାନ୍ତି ପାଇଁ ଓ ଟିକିଏ ମୋକ୍ଷ ପ୍ରାପ୍ତି ପାଇଁ" ।


ସେ ତେଣିକି ଭୂତ ହେଉ ବା ପ୍ରେତ , କିନ୍ତୁ ଯେତେବେଳେ ସାଧାରଣ ମଣିଷ ଭଳି କଥା ହେବାକୁ ଲାଗିଲା ଆମର ଟିକିଏ ବି ସାହସ ହେଲା।

ବନ୍ଧୁ ସୁଖବୀର ଟିକିଏ ହିମ୍ମତ ଦେଖାଇଲେ। କହିଲେ - "ଡରି କିଛି ଲାଭ ନାହିଁ ବନ୍ଧୁ! ବରଂ ସାହସ ଧରି ପରିସ୍ଥିତିର ସାମ୍ନା କରିବା ଉଚିତ୍, ନହେଲେ ଏ ଡର ପରିସ୍ଥିତିକୁ ଆହୁରି ବିଗାଡ଼ି ରଖିଦେବ। ତେଣୁ ବରଂ ଶୁଣିବା ସେ କଣ କହୁଛୁ।। ମୁଁ କିଛି ଉତ୍ତର ନରଖିଲେ ମଧ୍ୟ ନିଶ୍ଚୁପ ହୋଇ ବସିଥାଏ। ଡରରେ ସିଟ୍ ଟାକୁ କୁଣ୍ଢାଇ ଧରି ଆଖି ଦୁଇଟାକୁ ଜୁଳୁଜୁଳିଆ ପୋକ ପରି ଜୁଳୁଜୁଳୁ କରି ଚାହିଁଥାଏ।

ଏଥର ଲମ୍ବକାୟ ଲୋକଟି ତା'ର ବକ୍ତବ୍ୟ ରଖିଲା। କହିଲା - " ମୋ ଘର ଆଜ୍ଞା କେଉଁଝର ଗଡ଼ରେ। ମୁଁ ଯୋଡା ବଡବିଲରେ ଗୋଟେ ଭଲ କମ୍ପାନୀରେ କାମ କରେ। ଭଲ ଦୁଇ ପଇସା ଦରମା ମଧ୍ୟ ପାଏ। ଯାହା ଦୁଇ ପଇସା ବଞ୍ଚେ ସବୁ ନେଇ ଭାଇ ଭାଉଜଙ୍କ ହାତରେ ଦିଏ। ସେମାନେ ସବୁ ଖାଇ ଆତ୍ମସାତ୍ କରନ୍ତି ସିନା ହେଲେ ଘରର ଉନ୍ନତି ସକାଶେ କିଛି କରନ୍ତି ନାହିଁ। ଓଲଟା ପୈତୃକ ସମ୍ପତ୍ତି ସବୁ ବିକି ଭାଙ୍ଗି ନିଜ ନାମରେ ବ୍ୟକ୍ତିଗତ ସମ୍ପତ୍ତି ବଢେଇବାରେ ବ୍ୟସ୍ତ । ମୋ ବାହାଘର ନାଁ ତ କେବେ ନିଅନ୍ତି ନାହିଁ। ବରଂ ଟାଳଟୁଳ ନୀତି କରି ସବୁ ପ୍ରସ୍ତାବ ଭାଙ୍ଗି ଦିଅନ୍ତି। ତାଙ୍କ ମନରେ କଣ ଥିଲା କେଜାଣି? ବୋଧେ ସେମାନେ ଭାବୁଥାଇ ପାରନ୍ତି ଯେ ମୁଁ ବାହା ହୋଇଗଲେ ତାଙ୍କୁ ଆଉ ପଇସା କୋଉଡି କିଛି ଦେବି ନାହିଁ। ତେବେ ଯାହା ହେଉ ସେଦିନ ମୁଁ ଘରକୁ ଯାଇଥିଲି ଏଇ ସବୁ କଥାକୁ ନେଇ ବଡ଼ ଯୁକ୍ତିତର୍କ ହେଲା। ମୋ ବାହାଘର ନହେଲା ନାହିଁ। କିନ୍ତୁ ଗୋଟେ ଦାମୀ ପୈତୃକ ସମ୍ପତ୍ତି ପୁଣି ବିକିବା ପାଇଁ ମସୁଧା କରୁଥାନ୍ତି। ସେ ସମ୍ପର୍କରେ ସେମାନେ ମୋତେ ରାଜି କରେଇବା ପାଇଁ ଏକ ରକମର ବାଧ୍ୟ କରିଥିଲେ। ମୁଁ ରାଜି ହେଲି ନାହିଁ। ଓଲଟା ପଚାରିଲି - "ପୂର୍ବଥର ଯେଉଁ ପ୍ଲଟଟା ବିକି ଥିଲ କ'ଣ କଲ ମୋତେ ତା' ର ହିସାବ ଦିଅ" ।ଏକଥାରେ ସେମାନେ ଉତକ୍ଷୀପ୍ତ ହୋଇଉଠିଲେ। ମୋତେ ମାରେ କି ନ ମାରେ ହୋଇ ଭାରି ତାନତୋଡ଼ ଦେଖାଇଲେ।

ମୁଁ ବି ଡରିଲି ନାହିଁ। ଯାହା ମନକୁ ଆସିଲା ଆଛା ଖାସା କିଛି କଥା ଶୁଣାଇ ଦେଲି। ବୁଦ୍ଧିମତୀ ଭାଉଜ ଏଥର କଥାରେ ହସ୍ତକ୍ଷେପ କରି ପରିସ୍ଥିତିକୁ ଟିକିଏ ଶାନ୍ତ କରି ଦେଲେ। ଖାଇପିଇ ଆମେ ସମସ୍ତେ ଶୋଇଲୁ। ରାତି ସାରା ସେମାନେ କି ମନ୍ତ୍ରଣା କଲେ କେଜାଣି? ହଠାତ୍ ମୋ ରୁମ୍ ଭିତରେ ପଶି ସେମାନେ ମୋ ବେକ ଉପରେ ସାବୁଳ ପକାଇ ମାଡି ବସିଲେ। ମୁଁ ଗଁ ଗଁ ଡାକିବାରୁ ସେମାନେ ଲୁଗୁଆ ବିଣ୍ଡା ଦେଇ ମୋ ମୁହଁ ବନ୍ଦ କରିଦେଲେ। ଶେଷରେ ମୁଁ ମରିଗଲା ପରେ ମୋତେ ଗୋଟେ ଅଖା ପଟ ଭିତରେ ପୂରାଇ ଗୋଟେ କାରରେ ଆଣି ଏହି ବାଙ୍କ ମୁହାଁ ବର ଗଛ ପାଖରେ ମାଟି ଢାଙ୍କି ପୋତି ଦେଇଗଲେ।ତା'ର ଟେର କେହି ପାଇଲେ ନାହିଁ। ଏପର୍ଯ୍ୟନ୍ତ ଏ କଥାଟା ସେମିତି ରହସ୍ୟ ହୋଇ ରହିଛି। ଏ ସମ୍ପର୍କରେ ଆଉ କେହି କିଛି ଜାଣି ନାହାନ୍ତି। ମୋର ଶୁଦ୍ଧି କ୍ରିୟା ମଧ୍ଯ ଏପର୍ଯ୍ୟନ୍ତ ହୋଇପାରି ନାହିଁ। ସମ୍ପତ୍ତି ଖାଇବା ପାଇଁ ସେମାନେ ଏସବୁ ଏତକ କଲେ।

ସେଇଦିନୁ ମୋ ପ୍ରେତାତ୍ମା ଏଇଠି ଏଇମିତି ଘୂରି ବୁଲୁଛି। ହେଲେ ବଦଲା ନେବାର ଭାବନା ଏ ଯାଏ ମୋ ଭିତରେ ବଳବତ୍ତର ରହିଛି। ମୁଁ ଚାହେଁ ଶାସ୍ତି। ସେମାନଙ୍କୁ ଦଣ୍ଡ ବିଧାନ ନହେଲା ଯାଏ ମୁଁ ଛାଡ଼ିବି ନାହିଁ । ହେଲେ କେମିତି? ଏଇ କଥାଟା କହି ସାହାଯ୍ଯ ମାଗିବା ପାଇଁ ମୁଁ ରାତିରେ ଯାହାକୁ ଏକୁଟିଆ ପାଏ କହେ। ହେଲେ ସେମାନେ ମୋ ପାଖରୁ ଏ କଥା ଶୁଣିବା ପୂର୍ବରୁ ଡରରେ ଭୟ ପାଇ ମରିଯାଆନ୍ତି। ମୋ ପ୍ରତିଶୋଧ ନେବାର ସଂକଳ୍ପ ଅଧା ଅଧୁରା ରହିଯାଏ। ହେଲେ ଆପଣ....

ସୁଖବୀର କହିଲା - ହେଲା ଯେ, ହେଲେ ତୁମେ ବାସ୍ତବରେ କ'ଣ ଚାହଁ?

ସେ କହିଲା - "ଶାସ୍ତି ଓ ମୁକ୍ତି"

ସୁଖବୀର କହିଲା - "ହଁ ଆମେ ନିଶ୍ଚୟ ଚେଷ୍ଟା କରିବୁ "

ଏତେବେଳକୁ ରାତି ପାହି ଆସୁଥିଲା। ତେଣୁ ସେ ସେଠୁ ଉଭାନ୍ ହୋଇ ଯାଇଥିଲା। ଆମେ ଗାଡିଟା ଆଗ ସଜାଡି ନେଲୁ। ତା ପରେ ଏକ ମୁହାଁ ହୋଇ କେଉଁଝର ଧାଇଁଲୁ। ଚା ଦି ଢୋକ ମାରି ହୋସ୍ ନେଲୁ। ତା ପରେ ବନ୍ଧୁ ସୁଖବୀର ପୋଲିସ୍ ଷ୍ଟେସନ୍ ଯାଇ ନଥି ପତ୍ର ଅଣ୍ଡାଳିଲେ। ପୂରୁଣା କେସ୍ ଟା ରି ଓପେନ କରେଇଲେ। ଫଳରେ ସବୁ କଥାର ପର୍ଦ୍ଦା ଫାସ୍ ହେଲା । ଘଟଣାଟାର ସତ୍ୟାସତ୍ୟ ପଦାକୁ ଆସିଲା। ତା'ର ଭାଇ ଭାଉଜ ଦୁଇଟା ଅୟସ ଆରାମରେ ଜୀବନ ଗୁଜାରୁ ଥିଲେ । ପୋଲିସ୍ ଧରି ଆଣି ଜେରା କଲା। ଖାନ୍ ତଲାସୀ ବେଳେ କେତକ ପ୍ରମାଣ ଓ ଦସ୍ତାବିଜ୍ ପୋଲିସ୍ ର ହାତକୁ ଲାଗିଲା। ଘଟଣା ଓ ଦୁର୍ଘଟଣା ସ୍ଥଳୀର ଟିକିନିଖି ବେଉରା ନେଲା ପରେ ଅନେକ କଥା ପଦାକୁ ଆସିଲା। ସାକ୍ଷ୍ୟ ପ୍ରମାଣ ପାଇଁ ପୋଲିସ୍ ଜୋର୍ ରେ ଭିଡ଼ି ଗଲା। ଅନେକ କିଛି ତ ଗୁପ୍ତ ରହସ୍ୟ ଫିଟିଲା। 

ଭାଇ ଭାଉଜ ଦୁଇଟା ଶେଷରେ ବନ୍ଧା ହେଲେ, ସେମାନେ ତାଙ୍କ କଲା କର୍ମ ପାଇଁ ଶାସ୍ତି ଭୋଗିଲେ। ବାକି ରହିଲା ତା ଆତ୍ମାର ମୁକ୍ତି ପାଇଁ କ୍ରିୟାକ୍ରମ ସେତକ ବି କରାଇ ଦେଲୁ।

ସେ ଘଟଣାକୁ ଏହା ଭିତରେ ଢେର୍ ଦିନ ବିତି ଗଲାଣି। ହେଲେ ସେଠି ଆଉ କାହିଁ କେଉଁଦିନ ସେଇ ସମାନ ଦୁର୍ଘଟଣା ଘଟୁ ନାହିଁ ତ। ପରିସ୍ଥିତି ଏବେ ପୂରାପୂରି ଶାନ୍ତ। ସବୁକିଛି ସ୍ଵାଭାବିକ୍। ହେ ରାମ....


Rate this content
Log in

Similar oriya story from Horror