ବାମାବାଦୀ
ବାମାବାଦୀ
ଦୁନିଆର ପ୍ରଖ୍ୟାତ ବାମାବାଦୀ ଲେଖିକା ଶ୍ରୀମତୀ ସୁଭାଷିନୀ ଦେବୀ। ବିଶ୍ବବିଦ୍ୟାଳୟରେ ପାଠ ପଢିବା ସମୟରୁ ହିଁ ନାରୀମାନଙ୍କ ସୁରକ୍ଷା ଏବଂ ସମୃଦ୍ଧି ନିମନ୍ତେ ସେ ଯତ୍ପରନାସ୍ତି ଉଦ୍ଯମରତ। ନାରୀ କୈନ୍ଦ୍ରୀକ ଚରିତ୍ରକୁ ନେଇ ତାଙ୍କର ବୈପ୍ଳବିକ ଲେଖା ଗଭୀର ରେଖାପାତ କରେ ଅଗଣିତ ପାଠକପାଠିକାଙ୍କ ମନରେ। ନାରୀ ଜୀବନର ଅକୁହା କଥା, ଅଦେଖା ଲୁହକୁ ସେ ଫୁଟାଇଛନ୍ତି କାଗଜର ଧବଳ ପୃଷ୍ଠାରେ। ତାଙ୍କର ଲେଖା ସମୁହରେ କେବଳ ନାରୀ, ନାରୀ ଆଉ ନାରୀ। ନାରୀ ସଶକ୍ତିକରଣ ଓ ସ୍ବାଧୀନତା ପାଇଁ ସଂଗ୍ରାମ ଜାରି ରଖିବାକୁ ମୁକ୍ତକଣ୍ଠରେ ଉଦଘୋଷଣା କରିଛନ୍ତି।
ନାରୀର ଦୁଃଖ କଷ୍ଟ ଯାତନା ନିର୍ଯାତନା ସମେତ ଆଧୁନିକ ନାରୀତ୍ବକୁ ନୂତନ ପରିଭାଷାରେ ପରିଭାଷିତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ସେ। ଗତାନୁଗତିକ ଶଗଡ଼ଗୁଳାରେ ନଯାଇ ସାହିତ୍ୟ ରଚନାରେ ଏକ ନବ୍ଯଧାରା ସୃଷ୍ଟି କରିବାରେ ସକ୍ଷମ ହୋଇଛି ତାଙ୍କ ଲେଖନୀ। ଦୁନିଆଁର ଅଗ୍ରଗଣ୍ୟ କତିପୟ ବାମାବାଦୀ ଲେଖିକାଙ୍କ ମଧ୍ୟରେ ତାଙ୍କ ସ୍ଥାନ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ବାମବାଦକୁ ନେଇ ଶ୍ରୀମତୀ ସୁଭାଷିନୀ ଯେତିକି ବିତର୍କିତ ସେତିକି ମାତ୍ରାରେ ପୁରସ୍କୃତ ହୋଇଛନ୍ତି ମଧ୍ଯ। ଦୃଢ଼ ଇଛାଶକ୍ତି ବଳରେ ପୁରୁଷ ପ୍ରଧାନ ସମାଜରେ ସିଏ ନିଜର ସ୍ବକୀୟତାକୁ ବଜାୟ ରଖିବା ସହ ସାରସ୍ଵତ ପରାକାଷ୍ଠା ପ୍ରତିପାଦିତ କରି ପାରିଛନ୍ତି। ଏଥିପାଇଁ ତାଙ୍କୁ ଯଥୋଚିତ ସମ୍ମାନ ପ୍ରଦାନ କରାଯାଇଛି ଦେଶବିଦେଶରେ। ବିଭିନ୍ନ ସାରସ୍ଵତ ଅନୁଷ୍ଠାନ, ପତ୍ର ପତ୍ରିକା, ସାହିତ୍ୟ ସଂଗଠନ ପକ୍ଷରୁ ଆଞ୍ଜୁଳା ଆଞ୍ଜୁଳା ପ୍ରଶଂସା ଓ ପୁରସ୍କାରରେ ସେ ସମ୍ବର୍ଦ୍ଧିତ।
ଲେଖିକାଙ୍କ ପାରିବାରିକ ଜୀବନ ବେଶ୍ ସରସ, ସୁନ୍ଦର ଏବଂ ସାର୍ଥକ। ସ୍ବାମୀ, ଏକମାତ୍ର ପୁତ୍ର ଓ ବୋହୂଙ୍କୁ ନେଇ ଏକକ ଅଣୁ ପରିବାର। ଆଧୁନିକ ଏବଂ ଉଚ୍ଚଶିକ୍ଷିତ ସଭିଏଁ, ଏଣୁ ସ୍ବାଧୀନ, ସ୍ବାଛନ୍ଦ୍ୟ ଆଚାର ବିଚାର ଓ ବ୍ଯବହାର ପରିବାରର ସମସ୍ତ ସଦସ୍ୟମାନଙ୍କର। ଧନ ସମ୍ପତ୍ତି, ସମ୍ମାନ, ପ୍ରତିଷ୍ଠା, ପ୍ରତିପତ୍ତି କେଉଁଥିରେ ଚିନ୍ତା ବି ଉଣା ନାହିଁ। କେବଳ ମାତ୍ର ଗୋଟିଏ ଅଭାବବୋଧକୁ ନେଇ ସଭିଏଁ ବିଚଳିତ ଓ ବିବ୍ରତ। ବିବାହର ଅନେକ ବର୍ଷ ଅତିକ୍ରାନ୍ତ ହେବା ପରେ ମଧ୍ୟ ପୁତ୍ରବଧୂ ଭବିଷ୍ୟତ ବଂଶଧରକୁ ଜନ୍ମ ଦେବାରେ ସକ୍ଷମ ହୋଇପାରି ନାହାଁନ୍ତି।
ଯଦିଓ ଏହା ତାଙ୍କର କୌଣସି ଶାରୀରିକ ଅକ୍ଷମତାର ପରିଚାୟକ ନୁହେଁ କିନ୍ତୁ ବାମାବାଦୀ ଚିନ୍ତାଧାରାରେ ଉଦବୁଦ୍ଧ ପୁତ୍ରବଧୂ ଏତେ ଶୀଘ୍ର ମାତୃତ୍ୱର ଗୌରବ ଲାଭ କରିବା ପାଇଁ କୁଣ୍ଠିତ। ଏହି କାରଣ ଯୋଗୁ ଶାଶୁ ବୋହୂଙ୍କ ମଧ୍ୟରେ ସମ୍ପର୍କ କିଛିଟା ବିବାଦାସ୍ପଦ। ବୋହୂ ପ୍ରବଳ ମାତ୍ରାରେ ସ୍ବାଧୀନ ଚେତା, ଶାଶୁଙ୍କ ଲେଖାର ଗୁଣମୁଗ୍ଧ ପାଠିକା ଓ ପ୍ରସଂଶିକା। ବହୁମୂଲ୍ୟ ମତାମତ ଦେଇ ଗଠନମୂଳକ ସମାଲୋଚନା ବି କରନ୍ତି ବିଭିନ୍ନ ସମୟରେ। କହିବା ବାହୁଲ୍ୟ ମାତ୍ର, ଦୁହିଁଙ୍କ ମଧ୍ୟରେ ବାମାବାଦ ହିଁ ପ୍ରମୁଖ ସମସ୍ୟା।
ଦୁହେଁ ଦୁହିଁଙ୍କ ଜିଦରେ ଅଟଳ। ଦୁହେଁ ଦୁହିଁଙ୍କ ସ୍ଥାନରେ ଠିକ୍। ବୋହୂ ମାତୃତ୍ୱକୁ ବିଳମ୍ବିତ କରିବାକୁ ଚାହୁଁଥିବା ବେଳେ ଶାଶୁ ନାତିନାତୁଣୀଙ୍କୁ ସ୍ବାଗତ କରିବାକୁ ଚାତକ ପରି ଚାହିଁ ରହିଥାନ୍ତି। ଦୀର୍ଘ ଦିନର ବାଦବିବାଦ ଓ ଦ୍ବିପାକ୍ଷିକ ବିଚାର ବିମର୍ଶ କ୍ରମେ ସ୍ଥିରୀକୃତ ହେଲା ବଂଶକୁ ଆଗକୁ ବଢ଼ାଇବାକୁ ପାଇଁ ବୋହୂ ମାତୃତ୍ୱ ଲାଭ କରିବା ନିତାନ୍ତ ଜରୁରୀ। ପରିବାରର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ବୋହୂ ନିଜର ଶାରୀରିକ ସୌନ୍ଦର୍ଯ୍ୟକୁ ବଳି ଦେଇ ଅନିଚ୍ଛା ସତ୍ତ୍ବେ ମଧ୍ୟ ସର୍ତ୍ତ ଭିତ୍ତିକ ସମ୍ମତି ପ୍ରଦାନ କଲେ। ଡାକ୍ତରୀ ପରାମର୍ଶ ଅନୁସାରେ ସମୟ କ୍ରମେ ବୋହୂ ଅନ୍ତଃସତ୍ତ୍ଵା ହେଲେ।
କିନ୍ତୁ ଶାଶୁ ସୁଭାଷିନୀ ଦେବୀଙ୍କ ମନରେ ଭିନ୍ନ ବିଚାର, ଏହି ବିଚାର ସଭିଙ୍କୁ ଆଗୋଚର। ଦିନେ କାହାକୁ କିଛି ନଜଣାଇ ବୋହୂଙ୍କୁ ନେଇ ନର୍ସିଂହୋମ୍.ରେ ଗର୍ଭପାତ କରାଇ ଆଣିଲେ ଅତି ସତର୍କତାର ସହକାରେ। ସ୍ବାମୀ କିମ୍ବା ପୁତ୍ର କେହି ବି ଟେର୍ ପାଇଲେ ନାହିଁ। କାରଣ ବୋହୂଙ୍କ ଗର୍ଭରେ ବଢୁଥିବା ଭୃଣଟି ତାଙ୍କ ବଂଶରକ୍ଷା ଏବଂ ପିତୃପୁରୁଷଙ୍କୁ ପିଣ୍ଡଦାନ ନିମନ୍ତେ ଥିଲା ନିହାତି ଅନୁପଯୁକ୍ତ! ତାଙ୍କ ମନରେ ଏଥିନେଇ ତିଳେ ବି ଦ୍ଵନ୍ଦ ନଥିଲା। ଗର୍ଭସ୍ଥ ଭୃଣର ଲିଙ୍ଗ ନିରୂପଣ କରି ଆଗତ ଭବିଷ୍ଯତର ସୂଚନା ସେ ପାଇ ସାରିଥିଲେ। ନିଜର ଚିରାଚରିତ ଢଙ୍ଗରେ ସେ କାହାରି ବିଚାର ଶୁଣିବା ପାଇଁ ଉଚିତ୍ ମଣିନଥିଲେ। ଶିଶୁ ଭୃଣଟିକୁ ମାତୃଗର୍ଭରେ ହତ୍ଯା କରି ଗଡ଼ ଜିତିବାର ଦର୍ପରେ ଶାଶୁ ବୋହୂ ଦୁହେଁ ବାମାବାଦର ଜୟ ଜୟକାର କରୁଥିଲେ।