ବାଲ୍ୟ ବିବାହ
ବାଲ୍ୟ ବିବାହ
ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳ । ଅପହଞ୍ଚ ଇଲାକାର ଗୋଟେ ଗାଁ ଶରଣପୁର । ଏ ମିତାଲି , ଖୁବ୍ ଶାନ୍ତଶିଷ୍ଟ ସରଳ ଆଦିବାସୀ ଝିଅଟିଏ ।
ଏଠି ଗମନା ଗମନ, ଦୋକାନ ବଜାର , ସ୍କୁଲ ଡାକ୍ତର ଖାନା ସବୁକିଛି ଅବହେଳିତ । ପ୍ରାକୃତିକ ପରିବେଶ କିନ୍ତୁ ଖୁବ୍ ମନଲୋଭା । କିଛି ଆଦିବାସୀ ବସ୍ତି କୁ ନେଇ ଛୋଟ ଗାଁ ଟିଏ - କେବେ କେବେ ଗାଁ କୁ ସେବକ ଆସନ୍ତି, ଆଶା ଦିଦି ଆସନ୍ତି , ଅଙ୍ଗନୱାଡି ଦିଦି ବି ଆସନ୍ତି – ପାଖ ଅଞ୍ଚଳରେ ଏକ ମାତ୍ର ପ୍ରାଇମେରି ସ୍କୁଲ।ମିତାଲି ଗୋଟେ ଶାନ୍ତ, ଶିଷ୍ଟ ଓ ସରଳ ଝିଅ । ପଞ୍ଚମ ଶ୍ରେଣୀରେ ପାଠ ପଢ଼େ ତା ସହ ବନଜାତ ଦ୍ରବ୍ୟ ସଂଗ୍ରହ ସକାଶେ କେବେ କେମିତି ମାଁ ସହ ଜଙ୍ଗଲକୁ ଯାଏ । ମାଁ ବାପା ଟୁପୁରୁ ଟାପୁର ହେବାର ଶୁଣିଛି ଯେ, ମିତାଲିକୁ ଆଉ ପାଖ ସହରକୁ ଉଚ୍ଚଶିକ୍ଷା ପାଇଁ ଯିବାକୁ ଦେବେ ନାହିଁ କାରଣ ସେ ବଢ଼ିଲା ବୟସ ପ୍ରାୟ । ତାର ବାହାଘର କରିଦେବେ। ମନରେ ଅହେତୁକ ଆଶଙ୍କା ମିତାଲିର ।ମନରେ କିନ୍ତୁ ଆଗକୁ ପଢ଼ିବାର ଆଗ୍ରହ ଦାନାବାନ୍ଧି ଥାଏ ।ଏତେ କମ୍ ବୟସରେ ବାହା ହେବାକୁ ଚାହୁଁ ନଥିଲା ମିତାଲି ।
ମାଁ ରଡ଼ିଛାଡିଲା ମିତାଲି ଆଜିଠୁ ସ୍କୁଲ ଯିବୁନି । ଆଜି ତୋତେ ଚିହ୍ନା ବାନ୍ଧିବାକୁ ( ନିର୍ବନ୍ଧ) ପାଖ ଗାଁ ନାୟକ ଘର ଲୋକ ଆସୁଛନ୍ତି ।ମିତାଲିର ଗୋଡ଼ହାତ ଥରି ଉଠେ । କଣ କରିବ କଣ ନ କରିବ କିଛିବି ଠିକ୍ କରିପାରୁ ନଥାଏ । ଦେଖୁ ଦେଖୁ ସକାଳୁ ସକାଳୁ ନାୟକ ଘର ଲୋକ ଗୋଟେ ଭାର ଧରି ଦୁଆର ମୁଁହରେ ହାଜର। କିଛି ଚୁଡ଼ାଗୁଡ଼-ମୁଢ଼ି ମୁଁଆ-ନଡ଼ିଆ କଦଳି – ବାପ ଲାଗି ଡ଼ବେ ମହୁଲି ମଦ ଆହୁରି ଅନେକ । ହଁ ମିତାଲି ପାଇଁ ନୂଆ ଲୁଗା, ଚୁଡ଼ି ମାଳି ବି ଆସିଛି । ମିତାଲି ଏସବୁ ଦେଖି ବାରିପଟ ଓଲିତଳେ ବସିପଡ଼େ। କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା । ହେଲେ ତାର କଥା କେହି ବୁଝିବାକୁ ନାହିଁ । କାନ୍ଦି କାନ୍ଦି ପାରିପଟୁ ବହି ବସ୍ତାନି ଧରି ସ୍କୁଲ ପଟେ ଲୁଚି ଲୁଟି ଦୌଡ଼ି ଚାଲିଗଲା । ସ୍କୁଲ ମାଷ୍ଟ୍ରଙ୍କୁ ସବୁକଥା କହିଲା । ଆଗକୁ ପାଠ ପଢ଼ିବା ଜିଦ୍ ରେ ସେ ଗାଁ ଜଙ୍ଗଲ ଡ଼େଇଁ ସହର ପଟେ ଚାଲିଗଲା। ଏକାକୀ ଗୋଟେ ଝିଅ ବୁଲୁଥିବା ଦେଖି କିଛିଲୋକ ତାଠୁ ସବୁ କଥା ବୁଝି ପାଖରେ ଥିବା ଏକ ସ୍ୱୋଚ୍ଛାସେବୀ ଅନୁଷ୍ଠାନରେ ପହଞ୍ଚାଇଲେ। ସେଠାରୁ କିଛି କର୍ମି ଆସି ମିତାଲି ବାପାଙ୍କୁ ବାହାଘର ବନ୍ଦ ପାଇଁ ବୁଝାସୁଝା କଲେ। ବାହାଘର ବନ୍ଦ ହେଲା । ନାୟକ ଘର ଲୋକ ଅନ୍ୟ ଉପାୟ ନ ପାଇ ଭାରଟି ଧରି ଫେରିଗଲେ । ମିତାଲି ଘରକୁ ଫେରିଲା । ପୁଣି ସ୍କୁଲ କୁ ଗଲା । ହେଲେ ମନରେ ଗୋଟିଏ ଆଶଙ୍କା ଉଙ୍କି ମାରୁଥାଏ, ପୁଣି ସ୍କୁଲରୁ ଫେରିଲେ ବାହାଘର ହୋଇ ଯିବନାହି ତ ? ପୁଣି ନାୟକ ଘର ଲୋକ ଭାର ଧରି ଦୁଆରେ ହାଜର ହୋଇଯିବେନିତ ? ବାପା ହାଣ୍ଡିଆ ପିଇ ମୋତେ ଝିକି ଝିକି ଘରୁ ପଦାକୁ ବାହାର କରିଦେବ ନାହିଁ ତ ?
