STORYMIRROR

Rabinarayan Senapati

Tragedy Inspirational

3  

Rabinarayan Senapati

Tragedy Inspirational

ବାଲ୍ୟ ବିବାହ

ବାଲ୍ୟ ବିବାହ

2 mins
388


ଅନେକ ଦିନ ତଳର କଥା ମନେ ପଡିଲା।

ଝିଅଟି ଦିଶୁଥିଲା ଭାରାକ୍ରାନ୍ତ। ବିବାହ ତାହାର ହେଲାଣି ଦୁଇବର୍ଷ ପୂର୍ବରୁ। ପିଲାଛୁଆର ଚିନ୍ତା। ଋତୁସ୍ରାବର ଠିକ୍ ଠିକଣା ନାହିଁ। ଯେମିତି ସେ ଯାହା କହିବ ତାହା ସେ କହୁନି। ସବୁ କଥା ତା ମନ ମଧ୍ୟରେ ଚାପି ରଖୁଛି। ଅକୁହା କଥାତକ ମେଦରେ ରୂପାନ୍ତରିତ ହୋଇ ସେ ଫୁଲି ଯାଉଛି। ବୟସ ମାତ୍ର ବାଇଶି। 

ପ୍ରବୋଧନା ଦେଲି; ବ୍ୟସ୍ତ ହୁଅନି କେତେ ଅବା ବୟସ, ଧର୍ଯ୍ୟ ଧର। ଆଖି ତାହାର ଲୁହ ଛଳଛଳ। ତା ସ୍ବାମୀ ବାହାରକୁ ଚାଲି ଗଲାଣି। ପରବର୍ତ୍ତୀ ରୋଗୀଙ୍କୁ ନଆସିବାକୁ ସୂଚନା ଦେଲି।


ଝିଅଟି କହିଲା, ଆଠ ବର୍ଷ ତଳେ ସେ ବାହା ହୋଇଥିଲା ଅନ୍ୟତ୍ର, ମାତ୍ର ଚଉଦ ବର୍ଷରେ। ତା'ର ଝିଅଟିଏ ହେଲାବେଳକୁ ବୟସ ଷୋହଳ ପୁରିନଥିଲା। ତା ସାନ ଭଉଣୀ ତାଠୁ ତିନିବର୍ଷ ସାନ। ସ୍ବାମୀ କେମିତି ଫୁସୁଲାଇ ତାକୁ ନେଇଗଲା। ତା ଭାଷାରେ, ନେଇ ରଖିଲା। ତା ବାପା ମାଆ ଆଉ ତାକୁ ସେ ଘରକୁ ଛାଡିଲେ ନାହିଁ। ଦୁଇ ଭଉଣୀ ସେଠି କେମିତି ରହିଥାନ୍ତୁ ଯେ, ସେ କହିଲା। ଏବେ ତା ସାନ ଭଉଣୀ ଅଠର ବର୍ଷର ହୋଇଥିବ। ପୁତ୍ର କନ୍ୟାର ଜନନୀ ତଥା ବଡ ଭଉଣୀର ଝିଅ ମଧ୍ୟ ଅଛି।


ବଡ ଝିଅକୁ ପୁଣି ବାହା କରିଦେଲେ ବାପା ମାଆ। ସେହି ସମାନ ଗାଁରେ, ହୁଏତ ସମାନ ସାହିରେ ମଧ୍ୟ। ତା ଝିଅକୁ ସେ ଦୂରରୁ ଦେଖେ। ଝିଅଟି ଛଅ ବର୍ଷର ହେଲାଣି। ସେଇଠି ସେ ଖେଳୁଥିବ, ସେଇଠି ତା ଜନ୍ମକଲା ମାଆ ବନ୍ଧ୍ୟାତ୍ବରେ ଭାରାକ୍ରାନ୍ତ। ସେ ଏକ ଯନ୍ତ୍ର ନୁହେଁ। ସେ ମାନବୀ। ତା ବୟସର ଝିଅ କଲେଜରେ ପଢୁଛନ୍ତି, ଅଲମ୍ପିକ ଖେଳୁଛନ୍ତି, କିନ୍ତୁ ଅବଶ୍ୟ ସତ୍ୟ ତାହାର ବର୍ତ୍ତମାନର ସମସ୍ୟାର ମୂଳ କାରଣ ତା ଦୁଃଖ। ଡାକ୍ତରୀ ଚିକିତ୍ସା ତାକୁ ଭଲ କରିବ?


ଏସବୁ ଭୁଲି ଯାଇଥିଲି।

ପୁଣି ସେ ଏବେ ଦେଖାହେଲା। ତା'ର ପୁଅଟିଏ ଅଛି। 

ଏ କଥାର ସମାଧାନ ତା ସ୍ବାମୀ କରିଛି। ସେ ତା ଆଗ ଝିଅଟିକୁ ତା ଆଗ ସ୍ବାମୀଠାରୁ ମାଗି ଆଣିଲା। ଏହା ଖେଳଘର ମନେ ହେଲେବି ତାଙ୍କ ଚଳନିରେ ସମ୍ଭବ। ଝିଅକୁ ପାଇ ତା ସ୍ତ୍ରୀର ସମସ୍ତ ଦୁଃଖ ଦୂର ହେଲା। ସେ ପୁଣି ହସିଲା, ସେ ପୁଣି ସାଧାରଣ ଜୀବନଯାପନ କଲା। ସେ ପୁଣି ବାତ୍ସଲ୍ୟର ପ୍ରଭାବରେ ଫେରିପାଇଲା ତା ପ୍ରମାଣିତ ଫଳପ୍ରସୂ ଯୌବନ ଓ ସେ ପୁଣି ମାଆ ହେଲା।


କହିଲା, ତା ଝିଅ ଏବେ ହାଇସ୍କୁଲରେ ପଢୁଛି। କିଶୋରୀ ଝିଅଟି ସୁନ୍ଦରୀ। ବରଘର ମାନେ ଚାପ ପକାଇଲେଣି ହେଲେ ସେ ଆଦୌ ଦେବ ନାହିଁ ବାଳିକା କନ୍ୟାକୁ। ତେଣିକି ସେ ଭବିଷ୍ୟତରେ ବାହା ହେଉ କି ନହେଉ ଆଗେ ନିଜଗୋଡରେ ଠିଆ ହେଉ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy