ବାଲିଘର
ବାଲିଘର
ମେଘାଛନ୍ନ ଆକାଶ । ସୂର୍ଯ୍ୟ ଦେବ ଛାଇ ଆଲୁଅ ଖେଳ ମଧ୍ୟରେ କେତେବେଳୁ ମେଘର ଚାଦର ଭିତରେ ନିଜକୁ ଲୁଚେଇ ଦେଇଛନ୍ତି । ଏକ ନିରବ ବେଳାଭୂମି କେବଳ ଚାରି ପାଞ୍ଚ ଜଣ ଲୋକ ଉପଭୋଗ କରୁଛନ୍ତି ପ୍ରକୃତିର ସୁନ୍ଦର ରୂପକୁ । ସାମୁଦ୍ରିକ ବିହଙ୍ଗଙ୍କ କାକଳୀ ଶୁଭୁ ନାହିଁ । ନା ଅଛି ଲୋକମାନଙ୍କ କୋଳହାଳ ଶବ୍ଦ । ସମୁଦ୍ର କୂଳରେ ଉପସ୍ଥିତ ଥିବା ଲୋକମାନେ ପ୍ରକୃତିର ମନ ମୋହିନୀ ରୂପରେ ଏତେ ବିଭୋର ହୋଇ ନିଜକୁ ଏତେ ମାତ୍ରାରେ ତା' ଭିତରେ ନିଜକୁ ହଜାଇ ଦେଇଛନ୍ତି ଯେ ସମୁଦ୍ର ଲହଡ଼ିର ଗର୍ଜନ ମଧ୍ୟ ଶୁଭେ ନାହିଁ ।
ସମୁଦ୍ର କୂଳରେ ଥିବା ବାଲୁକା ରାଶି ଉପରେ ଛୋଟ ଛୁଆଟି ବାଲିଘର ତିଆରି କରୁଛି, ତା'ଠାରୁ ଅଳ୍ପ ଦୂରରେ ବୋଧହୁଏ ତା'ର ବାପା କିମ୍ବା ତା'ର କୌଣସି ସମ୍ପର୍କୀୟ ଠିଆହୋଇ ଛୁଆଟି ଉପରେ ନଜର ରଖିଛନ୍ତି । ଛୁଆଟି ଏକ ସୁନ୍ଦର ବାଲିଘର ତିଆରି କରିଥାଏ କିନ୍ତୁ;ସମୁଦ୍ରର ଲହଡ଼ି ଆସିବାରୁ ବାଲିଘରଟି ଭାଙ୍ଗିଗଲା । ଛୁଆଟି ପୁଣି ଏକ ସୁନ୍ଦର ବାଲିଘର ଗଢ଼ିଲା କିନ୍ତୁ; କୌଣସି କାରଣରୁ ବାଲିଘରଟି ପୁଣି ଭାଙ୍ଗିଗଲା । ଛୁଆଟି ଏମିତି ଅନେକ ଥର ଭିନ୍ନ ଭିନ୍ନ ପ୍ରକାରର ସୁନ୍ଦର ସୁନ୍ଦର ବାଲିଘର ତିଆରି କରୁଥାଏ କିନ୍ତୁ; କୌଣସି କାରଣରୁ ବାଲିଘର ଭାଙ୍ଗି ଯାଉଥାଏ । ଏହି କଥାକୁ ଦୂରରେ ରହିଜଣେ ଲୋକ ଦେଖୁଥାଏ । ଲୋକ ନୁହେଁ ତ ଜଣେ ପାଗଳ । ଲମ୍ବା ଲମ୍ବା ଦାଢୀ, ମୁଣ୍ଡଚୁଟିଗୁଡିକ ମଇଳା ହୋଇ ଜଟ ହୋଇଗଲାଣି,ଦେହରେ ଚିରା ପୋଷାକ କିନ୍ତୁ; ମୁଖମଣ୍ଡଳରେ ଭରି ରହିଛି ଉଜ୍ଜ୍ୱଳତା । ସେ ପାଗଳଟି ପିଲାଟି ଆଡ଼କୁ ଆସିବାକୁ ଲାଗିଲା, ବୋଧହୁଏ ସାହାଯ୍ୟ କରିବା ଉଦ୍ଦେଶ୍ୟରେ । ପିଲାଟିର ଭାଙ୍ଗି ଯାଇଥିବା ବାଲିଘରଟିକୁ ଗଢିବା ପାଇଁ କିନ୍ତୁ; ପିଲାଟି ପାଗଳଟିକୁ ନିଜ ଆଡକୁ ଆସୁଥିବା ଦେଖି ଭୟରେ ତାର ବାପାଙ୍କ ପାଖକୁ ଦଉଡି ପଳାଇଲା । ପାଗଳଟି ପହଞ୍ଚିଲା ଭାଙ୍ଗି ଯାଇଥିବା ବାଲିଘର ନିକଟରେ । ପାଗଳଟି ପିଲାଟିର ଭାଙ୍ଗି ଯାଇଥିବା ବାଲିଘରକୁ ସଜାଡୁ ସଜାଡୁ କିଛି ଭାବିବାକୁ ଲାଗିଲା ବୋଧହୁଏ ତାର କିଛି ଅତୀତର କଥା ମନେ ପଡିଗଲା !
ରାମଚନ୍ଦ୍ର ସାହୁ ପେଶାରେ ଜଣେ କନିଷ୍ଠ ଯନ୍ତ୍ରୀ । ଜଣେ କର୍ତ୍ତବ୍ୟ ନିଷ୍ଠ କର୍ମଚାରୀ । ଜୀବନରେ କେବେ ଲାଞ୍ଚ ନେଇ ନାହାଁନ୍ତି କି ଲାଞ୍ଚ ଦେବା ନେବାକୁ ପ୍ରସୟ ଦେଇନାହାନ୍ତି । ତେଣୁ ସେଠିକାର ସାଧାରଣ ଜନତା ତାଙ୍କ ଉପରେ ବେଶ୍ ଖୁସି । ତାଙ୍କୁ ସମସ୍ତେ ସାହୁବାବୁ ବୋଲି ଡାକନ୍ତି । ସାହୁ ବାବୁଙ୍କ ବାପା ପୁଅର ସଫଳତା ଦେଖିବା ଆଗରୁ ଆର ପାରିକୁ ଚାଲି ଯାଇଛନ୍ତି ସତ କିନ୍ତୁ; ଯିବା ପୂର୍ବରୁ ପୈତୃକ ଜମିକୁ ବିକି ପୁଅକୁ ପାଠ ପଢାଇଛନ୍ତି ବଡ ମଣିଷ କରିବା ପାଇଁ । ସାହୁ ବାବୁ ଏବେ ଅନେକ ଜମି କିଣି ସାରିଲେଣି ଚାକିରୀ କରିବା ପରେ ଯଦିଓ ତାଙ୍କର ବାପା ଆଉ ନାହାଁନ୍ତି ଏସବୁ ଦେଖିବା ପାଇଁ । ବିଧବା ମାଆ , ସ୍ତ୍ରୀ ଓ ଦୁଇଟି ସନ୍ତାନକୁ ନେଇ ସାହୁ ବାବୁଙ୍କ ଛୋଟ ସଂସାରଟି । ସେ ନିଜ ସଂସାରକୁ ସୁନ୍ଦର ବାଲିଘର ପରି ଗଢିଥାନ୍ତି । ସାହୁ ବାବୁଙ୍କ ସଂସାରଟି ରାଗ ରୁଷା ହସ ଖୁସିରେ ବଡ ସୁରୁଖୁରୁରେ ଚାଲିଥାଏ । ସାହୁ ବାବୁଙ୍କ ମାଆ ପୁରୁଣା ସଭ୍ୟତା ସଂସ୍କୃତିରେ ବଢି ଥିବାରୁ ସମୟର ପରିବର୍ତ୍ତନ ହୋଇଥିଲେ ମଧ୍ୟ ଆଧୁନିକତାକୁ ଅଳ୍ପ ପରିମାଣରେ ମଧ୍ୟ ଗ୍ରହଣ କରିପାରି ନାହାଁନ୍ତି । ଆଜି ମଧ୍ୟ ପୁରୁଣା ପରମ୍ପରା ଜାବୁଡ଼ି ଧରିଛନ୍ତି । କିନ୍ତୁ ସ୍ତ୍ରୀଙ୍କ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବରେ ଅଲଗା, ସେ ପରମ୍ପରାକୁ ଭୁଲିଯାଇ ହୋଇଛନ୍ତି ଆଧୁନିକତାର ବଶବର୍ତ୍ତୀ । ଯଦିଓ ସାହୁ ବାବୁ ଆଧୁନିକତାକୁ ଗ୍ରହଣ କରିଛନ୍ତି କିନ୍ତୁ; ପୁରୁଣା ସସ୍କୃତି ପରମ୍ପରାକୁ ଜମାରୁ ଭୁଲି ନାହାଁନ୍ତି । ସ୍ତ୍ରୀ ଓ ମାଆଙ୍କ ଚିନ୍ତାଧାରା ଅଲଗା ଅଲଗା ହୋଇଥିଲେ ମଧ୍ୟ ସାହୁ ବାବୁଙ୍କ ସଂସାରଟି ହସ ଖୁସିରେ ଚାଲିଥାଏ । ସାହୁ ବାବୁଙ୍କ ନିଯୁକ୍ତି ନିଜ ଜିଲ୍ଲାରେ ନହୋଇ ଅନ୍ୟ ଏକ ମାଓ ପ୍ରବଣ ଅଞ୍ଚଳରେ ହୋଇଥିବା କାରଣରୁ ପରିବାର ସହିତ ନ ରହି ସେ ଏକା ରୁହନ୍ତି । ମାଆ ରୁହନ୍ତି ପୈତୃକ ଗ୍ରାମରେ । ସ୍ତ୍ରୀ ପିଲାମାନଙ୍କୁ ନେଇ ନିଜ ଜିଲ୍ଲାର ବଡ ସହରରେ ଥିବା ନିଜ ବାସଭବନରେ ରୁହନ୍ତି । ସହରରେ ଥିବା ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପିଲାମାନେ ପାଠ ପଢ଼ନ୍ତି । ବେଳେବେଳେ ମାଆ ନାତି ନାତୁଣୀକୁ ଦେଖିବା ନିମନ୍ତେ ସହରକୁ ଆସନ୍ତି ଓ ସେଠାରେ କିଛି ଦିନ ରୁହନ୍ତି । ସେ ଯେଉଁ କିଛି ଦିନ ମାଆ ସହରରେ ରୁହନ୍ତି ସ୍ତ୍ରୀଙ୍କ ଆଧୁନିକ ଚିନ୍ତାଧାରା ଓ ମାଆଙ୍କ ପୁରାତନ ଚିନ୍ତାଧାରା କାରଣରୁ ଶାଶୁ ବୋହୂଙ୍କ ମଧ୍ୟରେ ମନୋମାଳିନ୍ୟ ହୁଏ କିନ୍ତୁ; ସାହୁ ବାବୁଙ୍କ ଭୟରେ ସ୍ତ୍ରୀ ପାଟି ଖୋଲନ୍ତି ନାହିଁ କି ମାଆ ମଧ୍ୟ ପୁଅ ବୋହଙ୍କୁ ଭଲ ପାଉଥିବା କାରଣରୁ କିଛିବିି କୁହନ୍ତି ନାହିଁ , ଦୁଇଜଣ ଯାକ ଯାହା ନିଜ ମନ ଭିତରେ ରାଗନ୍ତି । ପୁଣି ନିଜେ ନିଜେ ବୁଝିଯାନ୍ତି ଏମିତି ସୁଖ ଦୁଃଖରେ ଚାଲିଥାଏ । ଏ ସବୁକଥା ଜାଣି ପାରନ୍ତି ସାହୁ ବାବୁ କାହିଁକି ନା ସେ ଉଭୟଙ୍କୁ ବେଶ୍ ଭଲଭାବରେ ବୁଝିଛନ୍ତି । ଯେବେ ଯେବେ ଗାଆଁରେ ଯାନିଯାତ୍ରା ପର୍ବପର୍ବାଣି ହୁଏ ସାହୁ ବାବୁ ସ୍ତ୍ରୀ ପିଲାଙ୍କୁ ସାଙ୍ଗରେ ନେଇ ଆସନ୍ତି ଗାଆଁକୁ । ଗାଆଁର ଲୋକମାନେ ସାହୁ ବାବୁଙ୍କୁ ସମ୍ମାନ କରନ୍ତି ଓ ବିଭିନ୍ନ କ୍ଷେତ୍ରରେ ପରାମର୍ଶ ମଧ୍ୟ ନେଇଥାନ୍ତି । ଯଦି କାହା ପରିବାରରେ କିଛି ଝଗଡା ହୋଇଥାଏ ତାହାଲେ ଅଭିଯୋଗ ଆସେ ସାହୁ ବାବୁଙ୍କ ପାଖକୁ । ସାହୁ ବାବୁ ବୁଝା ସୁଝା କରି ଭାଙ୍ଗି ଯାଇଥିବା ପରିବାରକୁ ପୁଣି ଗଢି ଦିଅନ୍ତି । ଗାଆଁର ଲୋକମାନେ ସାହୁ ବାବୁଙ୍କ ଉପରେ ଖୁସି ହୁଅନ୍ତି ସାହୁ ବାବୁଙ୍କ ପ୍ରଶଂସା ମଧ୍ୟ କରନ୍ତି । ସାହୁ ବାବୁଙ୍କ ବାପା ଜଣେ ଧର୍ମ ପରାୟଣ ବ୍ୟକ୍ତି ହୋଇ ଥିବାରୁ ସାହୁ ବାବୁଙ୍କ ପାଖରେ ମଧ୍ୟ ତାଙ୍କ ବାପାଙ୍କର ସୁଗୁଣଗୁଡିକ ଦେଖିବାକୁ ମିଳେ । ଏହା ଛଡା ସହୁ ବାବୁ ଶୁଦ୍ର ହୋଇଥିଲେ ମଧ୍ୟ ଜଣେ ନୈଷ୍ଟିକ ବ୍ରାହ୍ମଣ ଏବଂ କର୍ମକାଣ୍ଡ ବିଶାରଦଙ୍କ ଘରେ ରହି ଲାଳନ ପାଳନ ହୋଇଥିଲେ ଏବଂ ବାଲ୍ୟ ଶିକ୍ଷାରୁ ଆରମ୍ଭ କରି ହାଇସ୍କୁଲ ଶିକ୍ଷା ତାଙ୍କରି ଘରେ ରହି ସମାପ୍ତ କରିଥିଲେ । ସେହି କାରଣରୁ ଧର୍ମ କର୍ମ ସଂସ୍କୃତି ପରମ୍ପରାରେ ସାହୁ ବାବୁଙ୍କ ବହୁତ ଆଗ୍ରହ ଥିଲା । ସାହୁ ବାବୁଙ୍କ ପରିବାର ଯେଉଁ କେତେ ଦିନ ଗାଆଁରେ ରୁହନ୍ତି ପୁଣି ଶାଶୁ ବୋହୁଙ୍କ ମଧ୍ୟରେ ମନୋମାଳିନ୍ୟ ପୁଣି ନିଜେ ନିଜେ ବୁଝିଯାନ୍ତି । ଏମିତି ପ୍ରତ୍ୟେକ ବର୍ଷ ହୁଏ । ମନୋମାଳିନ୍ୟ ହୁଏ, ବୁଝାମଣା ହୁଏ ଏମିତି ଚାଲିଥାଏ ସଂସାର । କିନ୍ତୁ ସାହୁ ବାବୁ ନିରବ ରୁହନ୍ତି ନା ମାଆଙ୍କୁ କିଛି କୁହନ୍ତି ନା ସ୍ତ୍ରୀଙ୍କୁ; ଯେହେତୁ ଉଭୟ ନିଜେ ନିଜେ ବୁଝିଯାନ୍ତି । ଯେତେବେଳେ ଶାଶୁ ସହରକୁ ଆସିଥାନ୍ତି ଆଉ ଶାଶୁ ବୋହୁଙ୍କ ମଧ୍ୟରେ ମନୋମାଳିନ୍ୟ ହୁଏ ସେତେବେଳେ ଶାଶୁ ଭାବନ୍ତି ମୁଁ କୋଉ ଚିର ଦିନ ପାଇଁ ରହୁଛି ଚାରି ଦିନ ତ ମାତ୍ର ରହିବି ଅଣଦେଖା କରି ଚଳିଯିବି । ବୋହୁ ମଧ୍ୟ ଏମିତି ଭାବନ୍ତି ଶାଶୁ କୋଉ ସବୁଦିନ ରହୁଛନ୍ତି ଚାରି ଦିନ ତ ରହିବେ ଟିକିଏ ଚଳେଇ ନେବି । ଏମିତି ଭାବି ଶାଶୁ ବୋହୁ ନିଜେ ନିଜକୁ ବୁଝାଇ ନିଅନ୍ତି । ଦେଖୁ ଦେଖୁ ଦଶ ବର୍ଷ ବିତିଗଲା ଏମିତି ହସ ଖୁସି ରାଗ ରୁଷାରେ ଚାଲିଥାଏ ସାହୁ ବାବୁଙ୍କ ସଂସାରଟି । ବୋଧହୁଏ ବିଧାତାଙ୍କ ବିଧାନ କିଛି ଅଲଗା ଥିଲା ସାହୁ ବାବୁଙ୍କ ପାଇଁ । ପରେ ଦିନେ ସାହୁ ବାବୁ ଚିନ୍ତା କଲେ ମାଆଙ୍କୁ ଆଣି ସହରରେ ରଖିବେ ସ୍ତ୍ରୀଙ୍କ ପାଖରେ ଯେହେତୁ ମାଆଙ୍କୁ ବୟସ ହେଲାଣି କାଳେ କିଛି ଅସୁବିଧା ହେବ ଗାଆଁରେ । ତା'ପରେ ମାଆ ଆସିଲେ ସହରକୁ ରହିବା ପାଇଁ । ଏବେ ଆଉ ଚାରି ଦିନ ନୁହେଁ ଚିର ଦିନ ପାଇଁ ରହିବେ ସହରରେ । ମାଆଙ୍କର ଛୁଆଁ ଅଛୁଆଁ ଗୁଣଟି ସ୍ତ୍ରୀଙ୍କୁ ଭଲ ଲଗୁନଥାଏ କି ସ୍ତ୍ରୀଙ୍କର ଆଳସ୍ୟ ପ୍ରକୃତି ମାଆଙ୍କୁ ଭଲ ଲାଗୁନଥାଏ । ମାଆଙ୍କର ଇଚ୍ଛା ବୋହୁ ମୋର ପରମ୍ପରା ସସ୍କୃତିକୁ ନେଇ ଚଳୁ , ଡ୍ରେସ ନ ପିନ୍ଧି ଓଡ଼ିଆ ଘରଣୀଙ୍କ ଭଳି ଶାଢ଼ୀ ପିନ୍ଧୁ ଓ ସକାଳୁ ଉଠି ଠାକୁର ପୂଜା କରୁ । ସ୍ତ୍ରୀଙ୍କର ଇଚ୍ଛା ସେ ଶାଢ଼ୀ ନପିନ୍ଧି ଡ୍ରେସ ପିନ୍ଧିବେ ,ମାଆ ମଧ୍ୟ ସହରରେ ରହୁଥିବା ଅନ୍ୟମାନଙ୍କ ଭଳି ଆଧୁନିକତାକୁ ଗ୍ରହଣ କରି ନିଅନ୍ତୁ । କିନ୍ତୁ ଉଭୟ ଉଭୟଙ୍କ କଥାରେ ଅରାଜି । ତେଣୁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହେଲା ଓ ତିକ୍ତତା ବୃଦ୍ଧି ପାଇଲା । ଆଗରୁ କିଛି ଦିନ ମନୋମାଳିନ୍ୟ ପରେ ଉଭୟ ବୁଝି ଯାଉଥିଲେ କିନ୍ତୁ; ଏବେ ଆଉ ତାହା ହେଲା ନାହିଁ । ଉଭୟଙ୍କ ମଧ୍ୟରେ ଅକ୍ରୋସ ବୃଦ୍ଧି ପାଇଲା ସମ୍ପର୍କରେ ତିକ୍ତତା ଆହୁରି ବଢିଗଲା । ଦିନେ ଖବର ପାଇ ସାହୁ ବାବୁ ଛୁଟି ନେଇ ଘରକୁ ଆସିଲେ । ଘରକୁ ଆସି ଦେଖନ୍ତି ତ ନିଜ ହାତରେ ଗଢିଥିବା ସଂସାରର ବାଲିଘରଟା ଭାଙ୍ଗିବାକୁ ବସିଲାଣି । ଉଭୟ ସ୍ତ୍ରୀ ଓ ମାଆ ନିଜ ନିଜର ଅଭିଯୋଗ ରଖିଲେ । ମାଆ କହିଲେ ଘରର ବୋହୁଟା ଦିନ ବାର ଘଣ୍ଟ ଯାଏଁ ଶୋଇକି ରହିଲେ କେମିତି ହେବ । ମୁଁ କ'ଣ ସବୁଦିନେ ସକାଳୁ ଉଠି ଠାକୁର ପୂଜା କରୁଥିବି, ବୋହୁଟା କ'ଣ ସକାଳୁ ଉଠି ଘରର ଠାକୁରଙ୍କୁ ପୂଜିବନି ? ସ୍ତ୍ରୀଙ୍କ ଅଭିଯୋଗ,''ସହରରେ ରହି ଛୁଆଁ ଅଛୁଆଁ ଭଳି ଭେଦଭାବକୁ ଦେଖିଲେ କେମିତି ଚଳିବ, ଗାଆଁର ଚାଲିଚଳନ ପରମ୍ପରା ଅନୁସାରେ ମୁଁ ଚଳିପାରିବାନି । ଏମିତି ଅନେକ ଅଭିଯୋଗ ଉଭୟ ନିଜ ନିିଜ ବିରୁଦ୍ଧରେ କରିଲେ ସାହୁ ବାବୁଙ୍କ ନିକଟରେ । ଉଭୟଙ୍କୁ ବୁଝେଇବା ପାଇଁ ଅନେକ ଚେଷ୍ଟା କଲେ ସାହୁ ବାବୁ କିନ୍ତୁ; ହାରିଗଲେ । କାହିଁକି ନା ସେତେବେଳେ କେହି ଆଉ ବୁଝିବା ପରିସ୍ଥିତିରେ ନଥାନ୍ତି କଥା ବହୁତ ଆଗକୁ ଚାଲି ଯାଇଥିଲା । ଗାଆଁରେ ଅନ୍ୟମାନଙ୍କ ଭାଙ୍ଗି ଯାଉଥିବା ସଂସାରକୁ ସଜାଡୁ ଥିବା ସାହୁ ବାବୁ ନିଜର ଉଜୁଡି ଯାଇଥିବା ସଂସାରକୁ ସଜାଡିବାରେ ବିଫଳ ହେଲେ । ଉଭୟ ସାହୁ ବାବୁଙ୍କୁ ତିରସ୍କାର କରିଲେ । ମାଆଙ୍କ ର ନିଷ୍ପତ୍ତି ସେ ମଲା ପର୍ଯ୍ୟନ୍ତ ଗାଆଁରେ ରହିବେ । ଏପଟେ ସ୍ତ୍ରୀଙ୍କ ନିଷ୍ପତ୍ତି ସେ ମଧ୍ୟ ମରିବା ପର୍ଯ୍ୟନ୍ତ ପିଲାମାନଙ୍କୁ ନେଇ ତାଙ୍କ ବାପଘରେ ରହିବେ । ସମସ୍ତେ ଚାଲିଗଲେ ନିଜ ନିଜ ରାସ୍ତାରେ ଏକା ରହିଗଲେ ସାହୁ ବାବୁ । ଏମିତି କିଛି ଭାବି ନଥିବା ଘଟଣାଟି ଘଟିଗଲା ସାହୁ ବାବୁଙ୍କ ଜୀବନରେ । କିଛି ଘଣ୍ଟା ପରେ ଖବର ଆସିଲା ଗାଆଁରେ ପହଞ୍ଚିବା ପରେ ମାଆଙ୍କର ହୃଦ୍ ଘାତରେ ମୃତ୍ୟୁ ହୋଇଛି । ଏମିତି ଏକ ଘଟଣା ନୁହେଁ ତ ଅଘଟଣ ଘଟିଗଲା ପରେ କିଛିକ୍ଷଣ ପାଇଁ ନିରବ ନିଶ୍ଚଳ ହୋଇ ଜୀବନ୍ତ ଶବ ପାଲଟି ଗଲେ ସାହୁ ବାବୁ । ସତେ ଯେମିତି ବିଶାଳ ଆକାଶଟି ଛିଣ୍ଡି ପଡିଲା ସାହୁ ବାବୁଙ୍କ ଉପରେ । ଅକାଳ ଚଡକ ଟିଏ ପଡିଗଲା ତାଙ୍କ ଜୀବନରେ । ଭାବିବାକୁ ଲାଗିଲେ ଅନେକ କୋଠା ଅନେକ ରାସ୍ତା ଘାଟ ଅନେକ ପୋଲ ଅନେକ ଲୋକଙ୍କ ଭାଙ୍ଗି ଯାଇଥିବା ସଂସାରକୁ ତିଆରି କରିଥିବା ସାହୁ ବାବୁ ଗଢି ପାରିଲେନି ନିଜ ସଂସାରର ବାଲିଘର । ଜୀବନର ରାଜପଥରେ ବାଟ ବଣା ହୋଇଗଲେ ସାହୁ ବାବୁ । ଏହି କଥାକୁ ଭାବି ଭାବି ମାନସିକ ସନ୍ତୁଳନ ହରାଇ ପାଗଳ ହୋଇଗଲେ ସାହୁବାବୁ । କେହି କେହି କୁହନ୍ତି କାହାର କୁଦୃଷ୍ଟି ପଡିଗଲା କେଜାଣି ସାହୁ ବାବୁଙ୍କ ସଂସାର ଉପରେ କ୍ଷଣକରେ ସୁନାର ସଂସାରଟି ଭାଙ୍ଗି ଚୁର୍ ମାର୍ ହୋଇଗଲା । ଏହି ଅଘଟଣ ପରେ ତାଙ୍କୁ ଆଉ କେହି ଦେଖି ନାହାଁନ୍ତି ଜଣେ କନିଷ୍ଠ ଯନ୍ତ୍ରୀ ଭାବରେ, ଦେଖିଛନ୍ତି ଯଦି ଏକ ପାଗଳ ରୂପରେ । କେଉଁ ନଦୀ କୂଳରେ ଅବା ସମୁଦ୍ରର ବେଳାଭୂମିରେ ନିତି ଗଢୁଥାନ୍ତି ବାଲିଘର । ବିଧିର ବିଧାନ କେ କରିବ ଆନ । ଯାହା ଘଟିବାର ଥିଲା ଘଟିଗଲା । କେହି ସ୍ୱପ୍ନରେ ସୁଦ୍ଧା ଭାବି ନଥିବେ ସାହୁ ବାବୁଙ୍କ ଜୀବନରେ ଏମିତି କିଛି ଘଟିବ ବୋଲି । ବୋଧହୁଏ ସେ ପାଗଳଟି ଏହି କଥା ହିଁ ଭାବୁଥିଲା । ସେତେବେଳକୁ ଆକାଶ ସମ୍ପୂର୍ଣ୍ଣ ମେଘମୁକ୍ତ । ସୂର୍ଯ୍ୟ ଦେବଙ୍କ ପ୍ରଚଣ୍ଡ ରୌଦ୍ର ତାପ ଅସହ୍ୟ ହୋଇ ପଡୁଛି । ସମୁଦ୍ର ବେଳାଭୂମିରେ ଆଉ କେହିବି ନାହାଁନ୍ତି ପାଗଳଟିକୁ ଛାଡିଦେଲେ । ସମୁଦ୍ର ବେଳାଭୂମିରେ ପାଗଳଟି ଗଢିଚି ଏକ ସୁନ୍ଦର ବିଶାଳ ବାଲିଘର । ସତେ ଯେମିତି ପୃଥିବୀର ଅଷ୍ଟମ ଆଶ୍ଚର୍ଯ୍ୟରେ ରହିବା ପାଇଁ ସମ୍ପୂର୍ଣ୍ଣ ଯୋଗ୍ୟ । ଯେକେହିବି ଦେଖନ୍ତା ଘଡିଏ ନଦେଖି ଯାଆନ୍ତା ନାହିଁ । ଏହି ସମୟରେ ସମୁଦ୍ର ଗର୍ଭରୁ ଆସିଲା ଏକ ବିଶାଳ ଲହଡି କ୍ଷଣକରେ ଭାଙ୍ଗିଗଲା ପାଗଳର ବାଲିଘର ।
