PRANATI MAHAPATRA

Tragedy

3.2  

PRANATI MAHAPATRA

Tragedy

ବାକ୍ ଶୂନ୍ୟ

ବାକ୍ ଶୂନ୍ୟ

3 mins
548


ସତରେ କିଏ କେଜାଣି ତା ନାମ ଦେଇଛି ମାଆ । ଏତେ ମଧୁର, ଏତେ ଆପଣାର ଯେ ପାଟି ଖୋଲିବା ଠାରୁ ପାଟି ବନ୍ଦ ହେବାଯାଏ, ଅନ୍ତରରୁ ବାହାରି ଆସେ କେବଳ ଗୋଟିଏ ନାଆଁ ମାଆ । ବିପଦ ଆପଦରେ, ଆପେ ଆପେ ପାଟିରୁ ବାହାରି ଆସେ ମାଆ ।

ଭୋକ ହେଲେ, ଅଭାବ ଅସୁବିଧା ପଡିଲେ ,ରୋଗ ବୈରାଗ ହେଲେ ଭାରି ମନେ ପଡେ ତା'ର ସେହି ଅମୃତ ନାଆଁ । ପୁନେଇ ପରବ ହେଲେ ଆଗେ ମନେ ପଡେ ସେହି ନାଆଁ, ଯା'ର ନାଆଁ ମାଆ । ଖାଇବା ପାଖରେ ବଳେଇ ବଳେଇ ଖୁଆଏ ସେ । ବିଛଣା ପାଖରେ ରାତି ରାତି ଅନିଦ୍ରା ରହି ଜଗି ବସିଥାଏ,ପୁଣି କେତେ ଠାକୁର ଠାକୁରାଣୀଙ୍କୁ ମାନସିକ କରି ରାତିସାରା ଦେହମୁଣ୍ଡ ଆଉଁସୁ ଥାଏ କେବଳ ମାଆ ।

ନିସ୍ଵାର୍ଥ ଭାବରେ ଅଭିଜ୍ଞ ଚିକିତ୍ସକଙ୍କ ଭଳି ସେବା କରେ,ଜ୍ଞାନୀ ଶିକ୍ଷକଙ୍କ ଭଳି ଶିକ୍ଷାଦାନ କରେ,ବ୍ରହ୍ମା,ବିଷ୍ଣୁ, ମହେଶ୍ଵରଙ୍କ ହୋଇ ଦିବ୍ୟାତ୍ମା ଦେବତାଙ୍କ ଭଳି ଶୁଭାଶିଷ ଢାଳିଦିଏ ଅଜାଚିତେ, କେବଳ ମାଆ ।

ତଳେ ପଡିଯାଇଥିବା କିମ୍ବା କାନ୍ଥବାଡ଼ରେ ପିଟିହୋଇ କାନ୍ଦୁଥିବା ପିଲା ପାଖକୁ ଦୌଡ଼ି ଆସି କାନ୍ଥବାଡ଼କୁ ପିଟି ,ଗାଳିଦେଇ ପିଲାକୁ ଆଉଁସି ଆଉଁସି ଦେଇଥାଏ ।

ମୋ ପିଲାକୁ ତୁ କାହିଁକି ମାରିଲୁ କହି ହାତରେ କାନ୍ଥକୁ ଅବା ଭୂଇଁକୁ ବାଡେଇ ଗାଳିଦିଏ । ସତେ ଯେମିତି ତାର ସେହି ଗାଳିରେ ପିଲାର ସବୁ କଷ୍ଟ ଦୂରେଇ ଯାଏ ଓ ପିଲା ଛଟକିରି କାନ୍ଦ ବନ୍ଦ କରି ଦିଏ ।

କେଉଁଠି କଣ ଭଲ ଜିନିଷଟିଏ ପାଇଲେ ସାତଗଣ୍ଠି ଦେଇ ସାଇତି ରଖିଥାଏ ପିଲା ପାଇଁ । ମୋ ପିଲା ଆସୁ ଖାଇବ । ଏ ହେଉଛି ସେହି ମାଆ ।

କେହି କିଛି ନିଜ ପିଲା ନାଆଁରେ କହିଲେ ଚିହିଁକି ଉଠେ । ମୋ ପିଲା ସେମିତି ନୁହେଁ କହି କଳି କରି ବସେ ଅନ୍ୟ ଆଗରେ । ଏ ହେଉଛି ସେହି ମାଆ ।

କିଏ ବା ବର୍ଣ୍ଣି ପାରିବ ତା'ର ସେହି ମହନୀୟତାକୁ । ମୋ ଭଳି ଅକିଞ୍ଚନ ଅବା ଏତେ ବର୍ଣ୍ଣିବ କେମିତି; ଅତି କମ୍ ବୟସରେ ଆପଣାର ମଣିଷକୁ ହରାଇଥିବା ସେହି ମାଆ ପୁଅ ଝିଅଙ୍କ ମୁହଁକୁ ଚାହିଁ ଉପରେ ଉପରେ ଭୁଲିଯାଏ ସିନା, ହେଲେ ପିଲାମାନଙ୍କୁ ଭଲ ମଣିଷ କରିବାର ଗୁରୁଦାୟିତ୍ୱକୁ ଭାବି ଆଗକୁ ଆଗେଇ ଚାଲେ ।

ଖୁବ୍ ଅଭାବ ଅସୁବିଧା ଭିତରେ ବି ସବୁ ପିଲାଙ୍କୁ ପାଠଶାଠ ପଢାଏ । କେମିତି ଭଲ ମଣିଷ ହେବେ, ପାଞ୍ଚ ଲୋକରେ ଜଣେ ହୋଇ ଠିଆ ହେବେ, ଅନ୍ୟାୟ ଅନୀତି ଦୁର୍ନୀତି ଭଳି ରାସ୍ତାରୁ ନିବୃତାଇ କେମିତି ମଣିଷ ପରି ମଣିଷ ହେବେ, ସେଥିପ୍ରତି ଯତ୍ନବାନ ରହୁଥିଲେ ସେ ମାଆ ।

ସବୁବେଳେ ଠାକୁରଙ୍କୁ ପ୍ରାର୍ଥନା କରୁଥାଏ ମୋ ପିଲାମାନଙ୍କୁ ସୁଖ ଶାନ୍ତି ନିରୋଗରେ ରଖ ପ୍ରଭୁ । ମୋ ପିଲାମାନଙ୍କର ସବୁ ରୋଗବୈରାଗ ମୋତେ ଦେଇଦିଅ, ସବୁ କଷ୍ଟ ମୋତେ ଦେଇଦିଅ ।

ମୁଁ ସବୁ ସହି ପାରିବି । ମୋ ପିଲାମାନଙ୍କୁ ଆନନ୍ଦରେ ରଖ । ସେମାନଙ୍କୁ ଘଣ୍ଟ ଘୋଡେ଼ଇ ରଖି ଥାଅ । ସମୟକ୍ରମେ କେଉଁ ପୁଅ ଓ କେଉଁ ଝିଅ ପ୍ରାୟତଃ ଭଲ ଚାକିରିବାକିରି କରି ସୁଖ ଶାନ୍ତିରେ ରହିଥାନ୍ତି ।

ଅନ୍ୟ କେଉଁ ପିଲା ଖରାପ ନ ହେଲେ ବି , ସେମାନଙ୍କ ଆର୍ଥିକ ସ୍ଥିତି ସେତେ ସ୍ଵଛଳ ନୁହେଁ ବୋଲି, ମାଆ ସବୁବେଳେ ଅସ୍ଵଛଳ ପିଲାମାନଙ୍କ ପ୍ରତି ଅଧିକ ନଜର ଦିଏ ।

ପିଲାମାନେ ବଡ଼ ହୋଇ ଘରସଂସାର କରିବା ପରେ...। ମାଆ ତ ଏବେ ବାର୍ଦ୍ଧକ୍ୟରେ ଉପନୀତ । ପିଲାମାନେ ନିଜ ନିଜର ଘରସଂସାରରେ ବ୍ୟସ୍ତ ।

ମାଆର ରୋଗ,ବାର୍ଦ୍ଧକ୍ୟ ପ୍ରତି କାହାର ନଜର ନଥାଏ । ମାଆ ବି ବାରମ୍ବାର କହିବା ପରେ ବିରକ୍ତ ହୋଇ ସେହି ପିଲାମାନେ ମାଆର ମୁହେଁ ମୁହେଁ କହୁଛନ୍ତି,ତୋ କଥା ତୁ ଚିନ୍ତା କର । କିଏ ତୋ ଦାୟିତ୍ୱ ନେବ । ତୋର ଏତେ ରୋଗ । ଟଙ୍କା ପଇସା ବହୁତ ଖର୍ଚ୍ଚ ହେଉଛି । ସମସ୍ତଙ୍କୁ କହ । ସମସ୍ତେ ମିଶି, କଥା ହୋଇ ଯାହା କିଛି କରିବୁ । ଜଣେ କାହିଁକି ତୋ କଥା ବୁଝିବ ।  ସବୁ ଶୁଣି ସାରି ମାଆ ଏବେ ନିରୁପାୟ ହୋଇ ବାକ୍ ଶୂନ୍ୟ ହୋଇଯାଇଛି ।


Rate this content
Log in

Similar oriya story from Tragedy