Kumar Mrutyunjay

Tragedy

4.0  

Kumar Mrutyunjay

Tragedy

ବାଇଚଢେଇ ର ଆତ୍ମକଥା

ବାଇଚଢେଇ ର ଆତ୍ମକଥା

2 mins
204


ସମୟ ଠିକ ଚାରିଟା, ସବୁଦିନ ପରି ଆଜି ମଧ୍ୟ ମଧ୍ୟାହ୍ନ ବିଶ୍ରାମ ପରେ ଦାସ ବାବୁ ଚା କପ ଧରି ଚାଲିଆସିଲେ ଉପର ମହଲାର ପଢା ଘରକୁ, ପଢ଼ାଘର ଅପେକ୍ଷା ଏହାକୁ ଏକ ଛୋଟ ପାଠାଗାର ବୋଲି କହିଲେ ଅତ୍ୟୁକ୍ତି ହେବନି. ଦୀର୍ଘ ବର୍ଷର ସରକାରୀ ଚାକିରୀ କାଳର ଅବସାନ ଘଟିଛି, ସମୟର ଘୋର ଅଭାବ ଯୋଗୁଁ ପଢ଼ିବାର ନିଶାଟି ଦବି ଯାଇଥିଲା ଆଜି ଅବସର ପରେ ପୁଣି ଜୀବନ୍ତ ହୋଇଉଠିଛି.

କଣ ବା ଆଉ କରିବେ?

ଚାକିରୀରେ ଥିବା ବେଳେ ପତ୍ନୀଙ୍କୁ ସମୟ ଦେଇପାରୁନଥିଲେ କିନ୍ତୁ ଏବେ ସମୟ ଥିବାବେଳେ ପତ୍ନୀ ପରଲୋକ ଗମନ କଲେ ହୃଦଘାତରେ. ପଢୁପଢୁ ଦାସ ବାବୁଙ୍କ ଅନେକ ଦିନର ଅଭିଳାଷ ଦୁଇ ପଦ ଲେଖାଲେଖି ମଧ୍ୟ କରୁଛନ୍ତି. ତେଣୁ ଉପରମହଲାର ଏହି ପଢ଼ାଘର ଏବେ ତାଙ୍କ କର୍ମ ଧର୍ମ ଓ ସାଧନାର କ୍ଷେତ୍ର.


ବେସ କିଛିଦିନ ଅର୍ଥାତ ପାଖାପାଖି ଦୁଇ ମାସ ହେବ ସେ ଗୋଟେ କଥା ଲକ୍ଷ୍ୟ କରୁଛନ୍ତି ପଢା ଟେବୁଲ ସାମ୍ନା ଝର୍କା ଦେଇ ବାଡ଼ି ଭିତରେ ଥିବା ବଉଳ ଗଛକୁ. ଅବଶ୍ୟ ବଉଳ ଗଛକୁ ନୁହେଁ, ତା ଡାଳରେ ବସା ବାନ୍ଧିଥିବା ବାଇ ଚଢେଇକୁ. ଦୁଇ ମାସ ତଳେ କୁଆଡୁ ବାଇ ଚଢେଇଟେ ଉଡି ଆସି ଡାଳରେ ବସିଥିଲା, କିଛି କ୍ଷଣ ନିରୀକ୍ଷଣ କଲା ପରେ ଉଡିଯାଇ କୁଆଡୁ କୁଆଡୁ ବାଛି ବାଛି କାଠି କୁଟା ଶୁଖିଲା ଘାସ କୁନି ଥଣ୍ଟରେ ବୋହି ଆଣି ବଡ଼ ତତ୍ପରତା ସହକାରେ ବନେଇଦେଲା ସୁନ୍ଦର ଏକ ବସା. ଗଛ ଡାଳରେ ବସାଟିର ଶୋଭା ଅପୂର୍ବ ଓ ମନୋରମ ଦିଶୁଥିଲା, ଏଇ ଶୋଭା ଦ୍ବିଗୁଣିତ ହୋଇଗଲା ଯେବେ କିଚିରି ମିଚିରି ଶବ୍ଦ କରି ଶାବକ ମାନେ ରାବ ଧରୁଥିଲେ. ମାଆ ବାଇଚଢେଇର ଉତ୍ସାହ କହିଲେ ନସରେ, କେଉଁ ଦୂର ଗଗନକୁ ଉଡି ଯାଇ ଖାଦ୍ୟ ଯୋଗାଡ଼ କରି ଆଣେ ନିଜ ପିଲାଙ୍କ ପାଇଁ. ଖୁଆଇ ପିଆଇ ବାଇଚଢେଇ ଶାବକ ଦୁହିଁଙ୍କୁ ଡେଣା ତଳେ ଯାକି ଧରେ, ସତେ ଅବା ମାଆ ନିଜ ପଣତରେ ବାହ୍ୟ ଶତ୍ରୁ ଠାରୁ ଅଭୟ ଦେଇ ସ୍ନେହ ଦିଏ ପିଲାଙ୍କୁ.


ଦୂରରୁ ଏସବୁ କୁ ଟିକିନିଖି କରି ଲକ୍ଷ୍ୟ କରୁଥାନ୍ତି ଦାସ ବାବୁ. ଏମିତି ବିତିଯାଇଛି କିଛି ଦିନ । ଏବେ ସ୍ଵସ୍ଥ ସମର୍ଥ ହୋଇଯାଇଛନ୍ତି ଦୁଇ ଶାବକ ଦୂର ଆକାଶରେ ଉଡିବା ଓ ଖାଦ୍ୟ ଯୋଗାଡ଼ କରିବାରେ ସମ୍ପୂର୍ଣ୍ଣ ପାରଦର୍ଶୀ. ସେମାନେ ହଠାତ ଦିନେ ଅନ୍ୟ ଏକ ଡାଳରେ ଯାଇ ବସିଗଲେ. ତନ୍ନ ତନ୍ନ ଡାଳ ଟିକୁ ଯାଞ୍ଚ କଲାପରେ ଲାଗିପଡ଼ିଲେ କାଠି କୁଟା ସଂଗ୍ରହ କରି ନୂତନ ଏକ ବସା ଗଢିବାରେ. ନିଜ ବସାରୁ ଥାଇ ବାଇଚଢେଇ ସେମାନଙ୍କୁ କନକନ କରି ଖାଲି ଚାହିଁ ରହୁଥାଏ. ସତେ ଅବା ଭାବୁଥାଏ ତା ଦେଇଥିବା ଶିକ୍ଷାର ଉପଯୋଗ ଏମାନେ କିପରି କରୁଛନ୍ତି, ଦେଖୁଦେଖୁ ଶକ୍ତ ଏକ ବସାଟେ ନିର୍ମାଣ ହୋଇଗଲା. ବାଇଚଢେଇର ମନ ପିଲାଙ୍କ କୀର୍ତ୍ତିରେ କୁଣ୍ଢେମୋଟ. ଦାସ ବାବୁଙ୍କର ବାଇଚଢେଇକୁ ଲକ୍ଷ୍ୟ କରି ମନରେ ପ୍ରେରଣା ଆସିଲା ଲେଖିବାକୁ..ଅତୀତର ପୃଷ୍ଠାକୁ ମାନସପଟ୍ଟରେ ରୋମନ୍ଥନ କରୁ କରୁ, ଅଦିନିଆ ଧୂଳିଝଡ଼ ହଠାତ ଘୋ ଘୋ ଗର୍ଜନ କରି ବହି ଆସିଲା. ଝର୍କା ହୁଡୁକ ଦେଉ ଦେଉ ସେ ଦେଖିଲେ ବାଇଚଢେଇର ବସାଟି ଖୁବ ଜୋର ପବନରେ ଦୋହଲୁଛି । ଲାଗୁଛି ବସାରେ ଆଉ ସମ୍ଭାଳିବା ପରି ଶକ୍ତି ନାହିଁ.ବିଚାରୀ ବାଇଚଢେଇ କୁଆଡୁ କିଛି ଥଳକୂଳ ନପାଇ ପାଗଳି ପରି ଡେଣା ଫର ଫର କରି ଅନ୍ୟ ଆଡେ ଆଶ୍ରୟ ଖୋଜିବା ପାଇଁ ବ୍ୟସ୍ତ ହେଇ ଉଡିଗଲା. ଦୁଲ କରି ଚୌକି ଉପରେ ଦାସବାବୁ ବସି ପଡିଲେ. ହାଇରେ ବିଧାତା!,"ଏ କି ବିଚିତ୍ର ନିୟମ ତୋର! ଆଜି ମୁଁ ଯେଉଁ ଦଶା ଭୋଗୁଛି, ନିଃସଙ୍ଗତାର ଜ୍ୱାଳାରେ ନିତିଦିନ ଛଟପଟ ହେଉଛି, ସାମାନ୍ୟ ବାଇଚଢେଇ ବି ଏପରି ଦୁଃଖରୁ ବାଦ ପଡୁନାହିଁ". ଏହାହିଁ ତ ଆଜିର ଯୁଗରେ ପ୍ରତ୍ୟେକ ମଣିଷର ବୟସ ହେବା ପରେ ବାଇ ଚଢେଇର ଆତ୍ମକଥା.


Rate this content
Log in

Similar oriya story from Tragedy