ବାଘୁଣୀ ମାଇଁ।
ବାଘୁଣୀ ମାଇଁ।
ମା ପରେ ଯଦି ସବୁଠୁ ଅଧିକ ନିଜର କେହି ଲାଗେ ସେ ହେଉଛି ମାମୁଁ। ମାମୁଁ ଶବ୍ଦକୁ ଯଦି କିଛି ଏମିତି ଢଙ୍ଗରେ ବିନ୍ୟାସ କରିବା , ମାମୁଁ =ମା+ମୁଁ । ଅର୍ଥାତ ମାମୁଁ ମା'ପରି। ମାମୁଁ ଶବ୍ଦ ଏତେ ମିଠା ଯେ ଆମେ ହିଂସ୍ର ଜନ୍ତୁ ବାଘ ଠାରେ ମଧ୍ୟ ମାମୁଁଙ୍କ ଛବି ଦେଖି ପାରୁଛେ। ମାମୁଁ ଚାନ୍ଦ ପରି ଶୀତଳ ଆଉ ସ୍ନେହି ଅଟନ୍ତି। ମାମୁଁଙ୍କ ପରି ମାମୁଁ ଘର ମଧ୍ୟ ଆମର ନିଜର। ମାମୁଁ ଘର କଥା ଉଠିଲେ ମନରେ ସ୍ବର୍ଗୀୟ ଆନନ୍ଦ ଚାଲି ଆସେ। ବିଶେଷ କରି ଛୁଟି ଦିନ ଗୁଡ଼ିକରେ ମାମୁଁ ଘର ବେଶୀ ମନେ ପଡେ। ମାମୁଁ ଘରେ ସବୁ ଖୁସି ଥାଏ ଅଜା, ଆଇଙ୍କ ଗେଲ ବସର କୋଳ ଥାଏ ମାଉସୀର ହାତର ନରମ ସାଉଁଳା ଥାଏ।
ଠିକ ଯେମିତି ରାନିର ଜୀବନରେ ମାମୁଁ ଘରର ପ୍ରଭାବ ଥିଲା।
ମାମୁଁ ଘର ପ୍ରତି ରାନୀ ବେଶୀ ଆକୃଷ୍ଟ ଥିଲା।
ସନ୍ତୋଷ ମାମୁଁ ସବୁବେଳେ ସନ୍ତୋଷରେ ଥାନ୍ତି। ବୋଧ ହୁଏ ରାଗ ରୁଷା ଅଭିମାନ ତାଙ୍କ ଜୀବନରେ କେବେ ନଥିଲା। ଅଲିଅଳି ଭଉଣୀ ଆରତୀର ବିବାହ ସେ ଅନେକ ଧୁମ ଧାମ୍ ରେ କରିଥିଲେ ତାଙ୍କ ପରିଚିତ ସାଙ୍ଗ ବିପିନ୍ ସାଙ୍ଗରେ । ବିପିନ୍ ଜଣେ ଭଲ ବ୍ୟବସାୟୀ ଥିଲେ। ଗୋଟେ ଜଣାଶୁଣା ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ମାଲିକ। ସୁନ୍ଦର ଘର ଓ ଦାମୀ କାର୍।ଟଙ୍କା ପଇସାରେ ଅଭାଵ ନାହିଁ। ଭଉଣୀ ଆରତୀର ଜୀବନ ବହୁତ ଖୁସିରେ ଚାଲିଥିଲା।
ଏମିତି ସୁନ୍ଦର ଜୀବନ ସାଥି ପାଇଥିବାରୁ ସେ ସବୁବେଳେ ନିଜ ଭାଇକୁ ପ୍ରଶଂସାରେ ପୋତି ପକାଏ। ଆରତୀର ସୁନ୍ଦର ସଂସାର ଶଶୀକଳା ପରି ବଢିଚାଲିଥାଏ।
ଆଉ ରାନି ମଧ୍ୟ କେତେବେଳେ ବାର ବର୍ଷର ହୋଇଗଲା ଜଣା ପଡିଲା ନାହିଁ। ରାନୀ ସବୁବେଳେ ଜିଦି କରେ ମାମୁଁ ଘରକୁ ଯିବାପାଇଁ। ବିପିନ୍ ବାବୁ ଶଶୁର ଘରକୁ ଖୁବ୍ କମ ଯାଆନ୍ତି। ଆଉ ଯେତେବେଳେ ଯାଆନ୍ତି ଗାଡି ଭରି ସମସ୍ତଙ୍କ ପାଇଁ ଜିନିଷ ପତ୍ର କପଡା ଲତା ଭରି ଭରି ନିଅନ୍ତି। ସମସ୍ତେ ଖୁସି ହୁଅନ୍ତି। ବିପିନ୍ ବାବୁଙ୍କୁ ଭୁରି ଭୁରି ପ୍ରଶଂସା କରନ୍ତି। ଏକ ମାତ୍ର ଶାଳୀ ଭାରତୀର ବିବାହ ଏକା ପାରି କରିଦେଲେ ଜଣା ପଡିଲା ନାହିଁ। ସନ୍ତୋଷ ବାବୁଙ୍କୁ ଟଙ୍କାଟିଏ ଖର୍ଚ୍ଚ କରିବାକୁ ଦେଲେ ନାହିଁ। ସନ୍ତୋଷ ବାବୁ କଥାରେ କଥାରେ କହନ୍ତି ଦେଖ ବିପିନ୍ ଏମିତି ଚଳିବନି ମୁଁ ଯେମିତି ହେଲେ ତୁମକୁ ଟଙ୍କା ଶୁଝିବି। ଆରତୀ ଚୁଗୁଲି କରେ କଣ ପାଇଁ ମ । ତାଙ୍କର କଣ ସେତିକି ଅଧିକାର ନାହିଁ। ନାଇଁ ଭାଇ କିଛି ଶୁଝିବା ଦରକାର ନାହିଁ। ଆମର କଣ ସମ୍ପତିର ଅଭାଵ ଅଛି।
ସନ୍ତୋଷ ବାବୁ କହନ୍ତି ଠିକ୍ ଅଛି ତାହେଲେ ରାନୀର ବହାଘର ମୁଁ କରାଇବି। ହୁସିଆର୍ କହିଦେଉଛି କେହି ଯେମିତି ଟଙ୍କାଟିଏ ନଦିଅ ...ହଁ । ଆଗୁଆ କହି ଦେଉଛି।
ବିପିନ୍ ହସିଦେଇ କହନ୍ତି । ହଉ ଠିକ୍ ଅଛି ମୁଁ କଥା ଦେଉଛି ରାନୀର ବାହାଘର ତୁମେ ହିଁ କରିବ। ମୁଁ ଟଙ୍କାଟିଏ ଖର୍ଚ୍ଚ କରିବି ନାହିଁ।
ଛାଇ ଆଲୁଅର ଖେଳ । କେତେବେଳେ ହସ ତ କେତେବେଳେ ଲୁହ। ଏଇତ ଜୀବନ। ହଠାତ୍ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଆରତୀ ଆଉ ବିପିନ ଉଭୟଙ୍କ ଦେହାନ୍ତ ଦୁର୍ଘଟଣା ସ୍ଥଳୀରେ ହୋଇଗଲା। ପୁଅର ଅଧା ବୟସରେ ଏମିତି ମୃତ୍ୟ ଖବର ଶୁଣି ବାପା ମଧ୍ୟ ହୃଦଘାତରେ ପ୍ରାଣ ତ୍ୟାଗ କଲେ। ରାନୀର ଆଖିରୁ ଲୁହ ଶୁଖୁ ନଥାଏ। କାନ୍ଦି କାନ୍ଦି ଚେତା ବୁଡ଼ି ଯାଉଥାଏ। ବିଚାରି ଏମିତି ବାପା ମା ଛେଉଣ୍ଡ ହୋଇଯିବ ବୋଲି କେବେ ଭାବି ନଥିଲା।
କେଵଳ ମାମୁଁ ମାମୁଁ ହେଇ ଭୋ ଭୋ ହୋଇ ତଳେ ଗଡୁଥାଏ। ସନ୍ତୋଷ ବାବୁ ସ୍ଥିର କଲେ ରାନୀକୁ ସବୁଦିନ ପାଇଁ ନିଜ ଘରକୁ ନେଇଯିବାକୁ। ଜେଜେ ମା ପାଖରେ ଏକୁଟିଆ କେମିତି ରହିବ ? ତାର ସ୍କୁଲ ଯିବା ଅସୁବିଧା ହୋଇଯିବ। ବିପିନଙ୍କ ବଡ଼ ଭଉଣୀ ନିଜ ପରିବାର ସହ ଆସି ବୁଢ଼ୀ ମା ପାଖରେ ରହି ତାକୁ ସମ୍ଭାଳିଲେ।
ରାନୀ ମାମୁଁ ଘରେ ପହଞ୍ଚିବା ପରେ ପରିସ୍ଥିତି କିଛି ଅଲଗା ଥିଲା। ଯେଉଁ ମାଇଁ ତାକୁ କୋଳରେ ବସାଇ ଗେଲ୍ହା କରୁଥିଲେ। ସର ପୁଳି ଖୁଆଇ ଦେଉଥିଲେ ସେ ଆଜି ରାନୀକୁ ଦେଖି ରାଗରେ ଗର ଗର। ସନ୍ତୋଷ ବାବଙ୍କୁ ଘର କୋଣକୁ ଡାକିନେଇ କହିଲେ।
ତୁମର ମୁଣ୍ଡ ଠିକ୍ ଅଛି କି ନାହିଁ ? ତୁମେ ସରକାରୀ ସ୍କୁଲରେ ସହକାରୀ ଶିକ୍ଷକ। ତୁମ ଦରମା କେତେ ଯେ ? ସ୍ୱିଟି ଆଉ ସାହିଲ ଆଉ ବାପା ବୋଉକୁ ମିଶାଇ ଆମେ ଛ ହେଲେଣି। ପୁଣି ରାନୀ ଏଠି ରହିଲେ କେମିତି ହେବ ସେ ତ ପୁଣି ପାଠ ପଢିବ। ତାର ପଢା ଖର୍ଚ୍ଚ ଆଉ ଅନ୍ୟାନ୍ୟ । କେମିତି ଚଳିବା ଆମେ।
ବୋଧହୁଏ ସନ୍ତୋଷ ବାବୁଙ୍କୁ ଏମିତି ରାଗିବାର ମୁଁ କେବେ ଦେଖିନାହିଁ। ଚିତ୍କାର କରି କହିଲେ ...
ପାର୍ବତୀ ....ରାନୀ ମୋ ଛାତିର କଲିଜା। ମୋ ଭଉଣୀ ଆରତୀର ଛାଇ ସେ। ତୁମେ ତା ପାଇଁ ଏମିତି ଶବ୍ଦ ବ୍ୟବହାର କରିବ ମୁଁ କେବେ ଆଶା କରିନଥିଲି।
ମୁଁ କଣ ଖରାପ କହିଲି କହୁନ ? ରାନୀ ତାର ପିୟୁସି ପାଖରେ ତା ଘରେ ରହି ଥାନ୍ତା। ସେ ତ ଇଂଲିଶ ମିଡିୟମ ସ୍କୁଲରେ ପଢୁଥିଲା। ତା ଛଡା ସେଠି ରହିଥିଲେ କିଛି ଅସୁବିଧା ହେଇ ନଥାନ୍ତା।
ଚୁପ କର ପାର୍ବତୀ।
ରାନୀକୁ ଆମ ଦୁଇ ଜଣଙ୍କର ଦରକାର ଅଛି। ମୁଁ ତାକୁ ଇଂଲିଶ ମିଡିୟମ ସ୍କୁଲରେ ପଢେଇ ପାରିବି। ମୁଁ ପଛେ ନିଜେ ବିକ୍ରି ହୋଇଯିବି ହେଲେ ମୋ ଆରତୀର ସ୍ୱପ୍ନ ପୁରା କରିବି। ରାନୀକୁ ବଡ଼ ମଣିଷ କରିବି।
ପାର୍ବତୀ ଦେବୀ ରାଗରେ ଗର ଗର ହୋଇ ହଁ ତୁମେ ସବୁ କରିବ। ରାନୀର ବାହାଘର ବି କରାଇଦେବ।
-ସେ କଥା ମୁଁ ଆଦୌ ଭୁଲି ନାହିଁ। ରାନୀ ବିବାହ ଯୋଗ୍ୟ ହୋଇଗଲେ ମୁଁ ନିଶ୍ଚୟ ତାର ବାହାଘର ଧୁମ୍ ଧାମ୍ ରେ କରାଇବି। ମୁଁ ବିପିନ୍ କୁ ପରା କଥା ଦେଇଛି। ଆଉ ତୁମେ ତ ସେଇଠି ଠିଆ ହୋଇ ମୁରୁକି ମୁରୁକି ହସୁଥିଲ ବାଘୁଣୀ ମାଇଁ।