ବାଡୁଅ ସ୍ବାମୀ
ବାଡୁଅ ସ୍ବାମୀ
# ଅନିଲ ଓ ପ୍ରିୟା ପରସ୍ପର ଲକ୍ଷେଶ୍ବର ଶିବ ମନ୍ଦିର ପାଖକୁ କିଛି ବିଷେଷ ଘଟଣା ବିଷୟରେ ଆଲୋଚନା ପାଇଁ ଆସିଥାଆନ୍ତି । ତାଙ୍କ ଭିତରେ କିଛି ଘଟଣାକୁ ନେଇ ମତାନ୍ତର /ଅଭିମାନ ଚାଲିଥାଏ ।
ଅନିଲ :- (ଗମ୍ଭୀର ଭାବରେ)ପ୍ରିୟା, ତୁମକୁ ମୋ ରାଣ ତୁମେ ତାପସ ସହ ବିବାହ କରିନିଅ। ତାପସ ଜଣେ ଭଲ ପିଲା। ତୁମ ଘର ଲୋକ ଠିକ୍ କରିଛନ୍ତି ମାନେ ସେ ଖୁବ୍ ଭଲ ପିଲା ହୋଇଥିବେ। ଆଉ ତୁମ ପରିବାରର ଖୁସି ଆଉ ଝିଅର ଭବିଷ୍ୟତ ପାଇଁ ତୁମକୁ ତାପସ ସହ ବିବାହ କରିବାକୁ ହେବ ।
ପ୍ରିୟା:- (ରାଗ ଅଭିମାନ ଭରା କଣ୍ଠରେ) ହେକ୍ , ଚୁପ୍ !
ଏକଦମ୍ ଚୁପ୍ !!
--ତମେ କଣ ଭାବୁଛ ତମେ ଏମିତି କହିଲେ ମୁଁ ବଦଳିଯିବି ? ଆଉ ତୁମକୁ ଭଲ ପାଇ ବସିବି ??
--ମନେରଖ, ମୁଁ ତମ କଥାରେ ଘର ଲୋକଙ୍କ ଖୁସି ପାଇଁ ଏବେ ତାପସକୁ ବିବାହ କରିବି ନିଶ୍ଚିତ । ତାପସକୁ ମୁଁ ଭଲ ପାଏ ! ସେ ଏବେ ଏବେ ମୋର ନୂଆ ପ୍ରେମିକ ହୋଇଛି !
--(ବିଚଳିତ ହୋଇ)କିନ୍ତୁ ମନେ ରଖିବ ପ୍ରେମିକା ଆଖିରେ ପ୍ରେମିକ ଯେତେ ଭୁଲ କଲେ ବି ସେ ପଶୁ ନୁହେଁ। ସେ ମଣିଷ । ଆଉ ଗୋଟେ ଝିଅ ସହଜରେ ତା ପ୍ରେମକୁ ଭୁଲି ପାରେନା।
ଅନିଲ :- କିନ୍ତୁ ମୁଁ ଗୋଟିଏ ଅମଣିଷ ପଶୁ। ତୁମ ଜୀବନକୁ ଧସେଇ ପଶି ତୁମ ହୃଦୟକୁ ଭାଙ୍ଗିଥିବା ତଥା ତୁମ ସୁଖ ସପନକୁ ଉଜାଡି ଦେଇଥିବା ଗୋଟିଏ ସଇତାନ ମୁଁ ! ଆଉ ତୁମ ମାନସିକତା ସହ ଖେଳି ଆଜି ତୁମକୁ ଅଧା ରାସ୍ତାରେ ଛାଡି ଦେଉଛି। ସେଦିନ ତୁମକୁ ପ୍ରେମ ମାଗିଥିଲି ହେଲେ ଆଜି ମାଗୁଛି ଅଭିଶାପ !
ପ୍ରିୟା:- (ଅତି ବିଚଳିତ ହୋଇ)ତୁମେ ମଣିଷ ନୁହଁ କି ପଶୁ ନୁହଁ ! ସଇତାନ ନୁହଁ କି ରାକ୍ଷସ ନୁହଁ !!
--ତମେ ! ତମେ ! ତମେ ଜଣେ ଦେବତା !
ତମର ଏ ଦେହଟା କାଠ ନା ପଥର, ହୀରା ନା ମୋତି ?
ଅନିଲ :- ମାଟି ! ହଁ ମାଟିର ମଣିଷ ଏ ଅନିଲ ସାହୁ !!
--ଯେଉଁ ମାଟିରେ ଅନ୍ଧ କବି ଗାଇପାରେ-
"ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ
ଦେଖୁ ଦେଖୁ କିବା ସହୁ
ମୋ ଜୀବନ ପଛେ ନର୍କେ ପଡିଥାଉ
ଜଗତ ଉଦ୍ଧାର ହେଉ ।।"
--ଆଉ ଯେଉଁ ମାଟିରେ ଉତ୍କଳମଣି ଗାଉଥିଲେ-
"ମିଶୁ ମୋର ଦେହ ଏ ଦେଶ ମାଟିରେ
ଦେଶବାସୀ ଚଢି ଚାଲି ଯାଆନ୍ତୁ ପିଠିରେ"
--ସେଇ ମାଟିର ମଣିଷ ଏ ଅନିଲ ସାହୁ !
ପ୍ରିୟା :- ଏତେ କଥା ସତେ ଜାଣିଥିଲ ? ଏ ମାଟି ସତେ କେତେ ମହାନ !
--ସତରେ ଏ ମାଟିର ଯଦି ଏତେ ମହାନତା ଅଛି ତେବେ ଯୋଉଦିନ ଆମ ଘରକୁ ଆସିଥିଲ ମତେ ସିନ୍ଦୁର ଲଗେଇଥିଲ କାହିଁକି ? ଏ ମାଟିରୁ ଟିକେ ଆଣି ମୋ ମଥାରେ ଲଗାଇ ଦେଇଥିଲେ କେତେ ଭଲ ହୋଇ ଥାଅନ୍ତା କହିଲ?
--ଅନ୍ତତଃ ଏ ପ୍ରିୟା ସାହୁ ତମକୁ କାୟ ମନ ବାକ୍ୟରେ ଅନ୍ତରରୁ ବାହା ହୋଇ ବି ବାଡୁଅ ରହିନଥାନ୍ତା !
ଅନିଲ:- ସବୁ ସେଇ ଭାଗ୍ୟ ! ଗୋଟିଏ ଅଦୃଶ୍ୟ ବିନ୍ଦୁରେ ଥାଇ ନିଃସଙ୍ଗ ମଣିଷ ଆବିଷ୍କାର କରେ ନିଜର ଅନିଶ୍ଚିତ ଭାଗ୍ୟକୁ। ତେଣୁ-
“ସହଜରେ ମାନି ନେଲେ ଥରେ
ସବୁ କିଛି ଅବଶ୍ୟ ସମ୍ଭବ,
ମାନିନେଇ ପାରିଲେ ହିଁ
ଏକା ଭଳି ସବୁ,
ନିର୍ଜନତା ହେଉ କି କୋଳାହଳ,
ସବୁଠୁ ଭଲ ଗୋଟିଏ ଦିନ,
ଅବା ଭୟଙ୍କର କୌଣସି ରାତି,
ସରିଆସୁଥିବା ଜୀବନ ଏବଂ
କ୍ରମଶଃ ନିକଟତର ହେଉଥିବା ମୃତ୍ୟୁ,
ସବୁ ଏକା ଭଳି,
ଖାଲି ମାନିନେଇ ପାରିଲେ ହେଲା ଯେ,
ଯାହା ମିଳିଲା ନାହିଁ
ତାହା କେବେ ବି ନ ଥିଲା ଆମର !”
# ଏ ସମୟରେ ମନ୍ଦିର ପାଖରେ ପ୍ରିୟାର ବାପା ବନମାଳୀ ସାହୁ ଆସି ପହଞ୍ଚିଲେ । କିଛ ସମୟ ଦୂରରୁ ଦୁହିଁଙ୍କ କଥା ସବୁ ଶୁଣୁଥିଲେ।
ବନମାଳୀ:- ଆରେ ମାଆ, ଖୁବ୍ ଶୀଘ୍ର ତୋ ବାଡୁଅ ଦୋଷ କଟିଯିବରେ। ତୋ ମଥାରେ ସିନ୍ଦୁର ଝଟକିବ। ନିଜେ ସିନା ଆଜିଯାଏ ବାହା ହେବାର ଅଭିନୟ କରୁଥିଲୁ, ଏବେ କିନ୍ତୁ ପ୍ରକୃତରେ ବାହା ହେବୁ। କାରଣ ତୋର ଏ "ବାଡୁଅ ସ୍ବାମୀ" ଅନିଲ ସାହୁ ଖୁବ୍ କମ୍ ଦିନ ଭିତରେ ଆର ପାରିକୁ ଚାଲିଯିବେ।
ପ୍ରିୟା :- ଅସମ୍ଭବ କଥା କୁହନି ବାପା ! ସେ କେବେ ଆମକୁ ଛାଡି ଯାଇ ପାରିବେନି। ଦରକାର ପଡିଲେ ମୁଁ ଅନିଲଙ୍କୁ ଯମ ପାଖରୁ ଛଡାଇ ଆଣିବି। ଅନିଲ ବ୍ୟତିରେକ ମୁଁ କାହାକୁ ଆପଣେଇ ପାରିବିନି । ମୁଁ ତାଙ୍କୁ ମୋର ସ୍ବାମୀ ଭାବରେ ମାନି ସାଇଛି। ଆଉ ମୋ ଝିଅ ତାଙ୍କୁ ବାବା ଡାକୁଛି। ଏତେ ପରେ ତମେ କେମିତି କହୁଛ ମୁଁ ଆଉ କାହାକୁ ବାହା ହେବି ?
ବନମାଳୀ :- ଏତେଟା ଭାବ ପ୍ରବଣ ହେବା ଠିକ୍ ନୁହେଁ ଝିଅ ! ଆମେ କଣ କେବେ ଅନିଲ ସହ ବିବାହକୁ ମନା କରୁଥିଲୁ । କିନ୍ତୁ ସେ ପୁଅ ତାର ଏ ଅବସ୍ଥାରେ ତତେ ନ ବାହା ହେବାକୁ ଆମକୁ ନିଜେ କହିଛି ।
ପ୍ରିୟା :- ସବୁ ମିଛ ବାପା। ତମେ ମତେ ତାଙ୍କ ଠାରୁ ଦୂରେଇ ଦେବାକୁ ଏମିତି ସବୁ କହୁଛ। ମୁଁ କାହା କଥା ଶୁଣିବିନି। ଏ ହୃଦୟ କେବଳ ଅନିଲ ପାଇଁ ସ୍ପନ୍ଦିତ ହେଉଛି ବାପା ।ସେ ମୋ ପାଇଁ ଦେବତା।
ବନମାଳୀ :- ସତରେ ସେ ଜଣେ ଦେବ ପୁରୁଷ। ନହେଲେ କିଏ ବା କାହିଁକି ପର ପାଇଁ ଏତେ ବଡ ତ୍ୟାଗ କରିଥାଆନ୍ତା ! --ଆଉ ଜାଣିଛୁ, ଆମେ ଯେଉଁ ତାପସ ସହ ତୋର ବାହାଘର ଠିକ୍ କରେଇଛୁ, ସେ ତାପସକୁ ତୋର ଏ ବାଡୁଅ ସ୍ବାମୀ ତାଙ୍କର ଗୋଟେ କିଡନୀ ଦେଇ ଦେଇ ଦେଇଛନ୍ତି।
--ଆମେ ବହୁତ ବୁଝେଇଲା ପରେ ବି ଅନିଲ ଆମ କାହାରି କଥା ଶୁଣିଲେନି। ତାଙ୍କ ବାଡୁଅ ସ୍ତ୍ରୀ ର ଭାବି ସ୍ବାମୀଙ୍କୁ ବଞ୍ଚାଇବାକୁ ସତେ ଯେମିତି ଗୋଟିଏ ଜିଦ୍ । ଆଗରୁ ତାଙ୍କର ଗୋଟେ କିଡନୀ ଖରାପ ଥିଲା ଆଉ ଏବେ ସେ ତାଙ୍କର ଭଲ କିଡନୀଟା ବି ଦେଇ ଦେଲେ।
ପ୍ରିୟା :- ତଥାପି କହିବି ମିଛ କହୁଛ ତୁମେ !
# ତାପସର ବାପା ଭୁବନ ସାହୁ, ଅନିଲକୁ ଖୋଜି ସେଠାରେ ପହଞ୍ଚିଥିଲେ ।ସବୁ କଥା ଶୁଣି କହିଲେ-
ଭୁବନ :- ଆରେ ମାଆ, ତୁମ ବାପା ମିଛ କହୁ ନାହାନ୍ତି । ଦେଖ, ଏ ମେଡିକାଲ ରିପୋର୍ଟ !
ପ୍ରିୟା :- (ରିପୋର୍ଟ ଦେଖି )ହେ ଭଗବାନ !
ଭୁବନ :- ହଁ, ଡାକ୍ତର ଅନିଲ ବାବୁଙ୍କୁ ଜୀବନର ଶେଷ ସମୟ ତକ ଡାକ୍ତରଖାନାରେ ବିଶ୍ରାମ ନେବାକୁ କହିଥିଲେ । ହେଲେ ସେ ତୁମ ମାନଙ୍କୁ ଦେଖିବାକୁ ଚାଲି ଆସିଛନ୍ତି ।
--ସେ ସତରେ ମଣିଷ ନୁହଁନ୍ତି ଆମ ପରିବାର ପାଇଁ ଜଣେ ଚଳନ୍ତି ଠାକୁର ।
--ହଁ, ବନମାଳୀ ବାବୁ ଆପଣ ବାହାଗର ପାଇଁ ପ୍ରସ୍ତୁତ ହୁଅନ୍ତୁ ବୈଶାଖ ମାସରେ ବାହାଘର କାମ ସାରି ଦେବା।
# ଏତିକି କହିଲା ପରେ ଭୁବନ ବାବୁ ଓ ବନମାଳୀ ବାବୁ ପ୍ରସ୍ଥାନ କଲେ । ପ୍ରିୟା ଭୋ ଭୋ ହୋଇ କାନ୍ଦିଲେ ।ବାଡୁଅ ସ୍ବାମୀର ଏତେ ବଡ ତ୍ୟାଗ ପାଖରେ ସେ ଆବାକ୍ ହୋଇଗଲେ।
ଅନିଲ :-(ସାନ୍ତ୍ବନା ଦେବାକୁ ଯାଇ କହିଲେ)"ପ୍ରେମର ସାର୍ଥକତା ପ୍ରାପ୍ତିରେ ନୁହେଁ ବରଂ ତ୍ୟାଗରେ ଥାଏ । ଆଉ ଯିଏ ଯାହାକୁ ପ୍ରକୃତରେ ଭଲ ପାଏ ସେ ତାର ଆଗତ ଭବିଷ୍ୟତ ପାଇଁ ଚିନ୍ତା କରେ।"
--ତୁମେ ବ୍ୟସ୍ତ ହୁଅନି ପ୍ରିୟା। ଏବେ କିଛି ନ ଭାବି ମାନସିକ ଭାବେ ପ୍ରସ୍ତୁତ ହୁଅ ନୂଆ ଜୀବନର ଆରମ୍ଭ ପାଇଁ । ନିଜ ପାଇଁ ନହେଲେ ନାହିଁ ଅନ୍ତତଃ ଝିଅ ପ୍ରିୟାଂଶୀ ପାଇଁ ଟିକେ ଭାବ।
ପ୍ରିୟା :- କଣ ଆଉ ଭାବିବାକୁ ବାକି ରଖିଛ ଅନିଲ !
--କଣ ପାଇଁ ତମେ ଏମିତି କଲ ?
--ମୋ ପାଖରେ ଆଉ ସାହାସ କି ଧୌର୍ଯ୍ୟ ନାହିଁ !
--ତମେ ମୋ ମନର କଥା ବୁଝିବାକୁ ଚେଷ୍ଟା କରିବ। ଏ କାଗଜରେ ମୁଁ ସେଦିନ ଲେଖିଥିଲି। ଆଜି ପଢିକି ଅନୁଭବ କରିବ !ମୁଁ ଆସୁଛି ।
(କାଗଜରେ କବିତାଟିଏ ଲେଖାଥିଲା)
--"ଏ ଜୀବନ ର ଚଲାପଥ
କେବେ କୁସୁମିତ କେବେ କଣ୍ଟକିତ
କେବେ ସୁଖ ତ କେବେ ଦୁଃଖ
କେବେ ମରୀଚିକା କେବେ ସ୍ୱପ୍ନ
କେବେ ଅଥଳ ସାଗର ର ଅବୁଝା ଗର୍ଜନ
ତ କେବେ....
ଝରଣାର କୁଳୁକୁଳୁ ନାଦ
କେବେ ବସନ୍ତ ର ମଳୟ ପବନ
ତ କେବେ ଗ୍ରୀଷ୍ମ ର ପ୍ରଚଣ୍ଡ ରୌଦ୍ର ତାପ,
କେବେ ସଜ ଫୁଟା କୁସୁମ ତ
କେବେ ମଉଳା ଗୋଲାପ,
କେବେ ପୂର୍ଣ୍ଣିମା ର ପୂର୍ଣ୍ଣ ଚନ୍ଦ୍ର
ତ କେବେ
ଅମାବାସ୍ୟା ର ଅମା ଅନ୍ଧାର
କେବେ
ଏ ଜୀବନ ର ଭିଡ଼ ଭିତରେ
ତମେ ଯେତେ ଥର ହଜୁଥିବ
ନା ,ମୁଁ ସେତେ ଥର ଖୋଜୁଥିବି
ଖୋଜି ଖୋଜି ତୁମ ଚଲାପଥେ
ଫୁଲ ବିଛାଇବି.....
ତମାମ ଜୀବନ ତୁମ
ହାତ ଧରି ଚାଲୁଥିବି
ପ୍ରତିଟି ମୁହୂର୍ତ୍ତେ ତୁମ ପଥ
ପଥିକ ସାଜିବି.....
ଏ ଜୀବନ ମାନେ ଯାହା ବି ହେଉ
ହସି ହସି ତୁମ ପାଇଁ ଯନ୍ତ୍ରଣା ର ବିଷ ପିଉଥିବି
ଆଉ ସେ ବିଷ ମୟ ଶରୀରେ ବି
ତୁମ ଶୁଭ ମନାସିବି....."
# ପ୍ରିୟା ସେଠାରୁ ଚାଲିଗଲା ପରେ ଅନିଲର ଆକାଶରେ କଳା ବାଦଲ ଘୋଟି ଆସିଲା । ଶରୀର ବିବସ ହୋଇଗଲା। କିଛି ସମୟ ପରେ ସେଠାରେ ସେ ଟଳି ପଡିଲେ ମହାଯାତ୍ରାର ପଥରେ ପଥିକ ସାଜି ! 'ବାଡୁଅ ସ୍ବାମୀ' ଚରିତ୍ରରେ ବି ଯବନିକା ପଡିଗଲା !
