sushama Parija

Inspirational

3  

sushama Parija

Inspirational

ବାଡ୍ ଯଦି କ୍ଷେତ ଖାଏ

ବାଡ୍ ଯଦି କ୍ଷେତ ଖାଏ

8 mins
197



ଧୀରେ ଧୀରେ ଏପଟ ସେପଟକୁ ଚାହିଁ ସନ୍ତର୍ପଣରେ ଛୋଟ ବାଥ ରୁମ୍ ଟିରେ ପଶିଯାଇ ଭିତରୁ ଛିଟିକିଣୀଟି ଦେଇଦେଲା ରେଣୁକା । ବାଥ୍ ପାଇପ୍ ର ଚାବିକୁ ପୁରା ଖୋଲିଦେଲା ଯେମିତି ପଡୁଥିବା ପାଣି ର ଶବ୍ଦ ସ୍ପଷ୍ଟ ଭାବେ ବାହାରକୁ ଶୁଣାଯିବ, ଆସ୍ତେ କରି କାନ୍ଥରେ ଭରା ଦେଇ ପାଇପ୍ ଉପରେ ଚଢିଯାଇ ଗତକାଲି ରାତିରେ ଲୁଚି ଲୁଚି ଭାଙ୍ଗିଦେଇଥିବା ଛୋଟ ସ୍କାଇଲାଇଟ୍ ର କାଚଖଣ୍ଡଲ ଗୁଡିକ ବାହାରକରି ନିଜେ ଗଳି ପାରିଲା ଭଳି ବାଟ ଟେ ତିଆରି କରିନେଲା ସେ । ବହୁ କଷ୍ଟ ରେ ସେଇ ଛୋଟ ଗଳାବାଟ ଦେଇ ବାହାରି ଆସିଲା ପରେ ଲ ସେଠୁ କୁଦାଟେ ମାରି ଅଣନିଃଶ୍ବାସୀ ହୋଇ ଦୌଡ଼ିବାକୁ ଲାଗିଲା ରାତି ର ସେଇ ଘନ ଅନ୍ଧକାର ଭିତରେ । ସ୍କାଇଲାଇଟ୍ ର ଭଙ୍ଗା କାଚଖଣ୍ଡ ବାଜି ରକ୍ତାକ୍ତ ହୋଇଥିବା ଶରୀର ପ୍ରତି ତା'ର ଧ୍ୟାନ ନଥିଲା, ରୁଗୁ ରୁଗୁ ହୋଇ ପୋଡୁଥିବା କ୍ଷତରୁ ଧାର ହୋଇ ରକ୍ତ ବୋହି ଥପ୍ ଥପ୍ କରି ପଡୁଥିଲା ଭୂମିରେ,ତଥାପି ସେ ଜୋର୍ ରେ ଦୌଡୁଥିଲା । ଆଗରେ ଥିଲା ଗୋଟିଏ ମାତ୍ର ଲକ୍ଷ୍ୟ କେମିତି ସେ ଏଇ ବାଳିକା ଆଶ୍ରମ ରୁ ବାହାରି ଯିବ ଆଉ ନିଜର ଜୀବନ ବଞ୍ଚାଇବା ସହ ଅନ୍ୟ ମାନଙ୍କ ଜୀବନ ମଧ୍ୟ ରକ୍ଷା କରିପାରିବ । କୋରାପୁଟ ଜିଲା ର ଲକ୍ଷ୍ମୀପୁର ସ୍ଥିତ ରାମଦାସ ବାଳିକା ଆଶ୍ରମ ର ଅନ୍ତେବାସୀ ଥିଲା ଏଗାର ବର୍ଷ ର ରେଣୁକା । ତା'କୁ ଜଣା ନାହିଁ ସେ କେବେ କେମିତି ଏଠିକି ଆସିଲା । ଏଠାର ଫୁଲ ମାଉସୀ ଠାରୁ ସେ ଶୁଣିଥିଲା ଯେ ସେମାନେ ତା'କୁ ଜଙ୍ଗଲ ରାସ୍ତା ରେ ଯାଉଥିବା ବେଳେ ଗୋଟିଏ ଗଛମୂଳ ରୁ ପାଇଥିଲେ । ଗୋଟିଏ ଛିଣ୍ଡା ଲୁଗାକୁ ଗୁଡେଇ ତା' ଜନ୍ମ କଲା ମାଆ ତା'କୁ ସେଠି ଛାଡି ଦେଇ ଯାଇଥିଲା ବିଲୁଆ କୁକୁର ଙ୍କଆହାର ହେବାକୁ । ସେଦିନ ନିକଟବର୍ତ୍ତୀ ହାଟରୁ ସଉଦା ପତ୍ର କିଣା କିଣି କରି ସେଇ ବାଟରେ ଫେରୁଥିଲେ ରାମଦାସ ବାବା ତାଙ୍କର ଦୁଇଜଣ ସହଯୋଗୀ ଙ୍କ ସହିତ । ତା'ର କୁଆଁ କୁଆଁ କାନ୍ଦ ଶୁଣି ସେମାନଙ୍କ ମଧ୍ୟରୁ ଜଣେ କେହି ତା'କୁ ଆବିଷ୍କାର କରିଥିଲା ଏବଂ ତା'କୁ ଉଦ୍ଧାର କରି ଆଣିଥିଲା ଲକ୍ଷ୍ମୀ ପୁର ଆଶ୍ରମ କୁ। ଆଶ୍ରମ ର ମୁଖ୍ୟ ରାମଦାସ ବାବା ତା'କୁ ଟେକି ଦେଇଥିଲେ ଫୁଲ ମାଉସୀ ହାତକୁ । ସେଇ କଅଁଳା ଛୁଆଟିକୁ ଆଶ୍ରମର ଅନ୍ୟ ପିଲାମାନଙ୍କ ସହିତ ପାଳିଥିଲେ ଫୁଲ ମାଉସୀ । 

ପ୍ରଥମରୁ ରହୁଥିବା ତିନୋଟି ପିଲାଙ୍କ ପାଇଁ ବାବା ନିକଟରେ ଥିବା ଗାଁ ଗଣ୍ଡାରୁ ସାହାଯ୍ୟ ଭିକ୍ଷା କରି ଚଳେଇ ନେଉଥିଲେ କିନ୍ତୁ ଧୀରେ ଧୀରେ ପିଲାଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିଲା । କିଛି ଦୟାଳୁ ଦାତାଙ୍କ ପରାମର୍ଶ ନେଇ ବାବା ଆଶ୍ରମ ଟିକୁ ରେଜିଷ୍ଟ୍ରେସନ୍ କରି ଦେଇଥିଲେ ଏବଂ କିଛି କିଛି ସରକାରୀ ସହାୟତା ମଧ୍ୟ ମିଳିବାରେ ଲାଗିଥିଲା । ରେଣୁକା କୁ ମିଶାଇ ଛୋଟ ବଡ ହୋଇ ପ୍ରାୟ ଦେଢଶହ ଜଣ ନିରାଶ୍ରୟ ଝିଅ ରହୁଥିଲେ ସେଇ ଆଶ୍ରମ ରେ । ସେମାନଙ୍କୁ ଦେଖାଶୁଣା କରିବାଲାଗି ରାମଦାସ ବାବା ପାଞ୍ଚଜଣ ସେଇ ମାନଙ୍କ ଭଳି ଅସହାୟା ମହିଳାଙ୍କୁ ସେଠାରେ ଆୟା ଭାବେ ନିଯୁକ୍ତି ଦେଇଥିଲେ ମଧ୍ୟ ନିଜେ ସବୁ କାମ ତଦାରଖ କରୁଥିଲେ। କ୍ରମେ କ୍ରମେ ନିଜର ବୟସାଧିକ୍ୟ ହେତୁ ଏବଂ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇବା କାରଣରୁ ପରିଚାଳନା କମିଟି ଟିଏ ଗଢି ଆଶ୍ରମର ପରିଚାଳନା ଦାୟିତ୍ବ ସେମାନଙ୍କ ହାତରେ ଅର୍ପଣ କରିଥିଲେ । ତିନି ବର୍ଷ ତଳେ ବାବାଙ୍କ ଦେହାନ୍ତ ପରେ ନୂତନ ପରିଚାଳନା କମିଟି ଟି ଗଠିତ ହୋଇଥିଲା ଆଶ୍ରମ ର ଅନ୍ତେବାସୀ ମାନଙ୍କ ଦାୟିତ୍ବ ନେବାପାଇଁ । ସେହି ଠାରୁ ଆରମ୍ଭ ହୋଇଥିଲା ଆଶ୍ରମର ଝିଅ ମାନଙ୍କ ଦୁର୍ଦ୍ଦଶା ।

 ପରିଚାଳନା କମିଟି ର ସଭାପତି ଶ୍ରୀ ରଘୁନାଥ ମହାନ୍ତି ଥିଲେ ଶାସକ ଦଳ ର ଜଣେ ଟାଣୁଆ ନେତା । ତାଙ୍କର ଚେଲା ଚାମୁଣ୍ଡା ଙ୍କ ମଧ୍ୟରୁ କିଛି ଲୋକଙ୍କୁ ମଧ୍ୟ ସେ ସାମିଲ୍ କରାଇଥିଲେ କମିଟି ରେ । ନିଇତି ସଂଜରେ ମଦ୍ୟ ମାଂସର ଆସର ଜମେଇ ସେମାନେ ବସୁଥିଲେ ଆଶ୍ରମ ର ଏକ ନିଭୃତ କକ୍ଷରେ । ବିଳମ୍ବିତ ରାତ୍ରୀରେ ଆଶ୍ରମ ର ଅନ୍ତେବାସୀନୀ କିଛି ନିରୀହା କୋମଳମତି ବାଳିକାଙ୍କୁ ଜୋର୍ ଜବରଦସ୍ତ କରି ପଠାଇ ଦିଆ ଯାଉଥିଲା ସେମାନଙ୍କର ମନୋରଞ୍ଜନ କରିବା ଲାଗି । ଯେଉଁମାନେ ନିଜ ଇଚ୍ଛା ରେ ସମର୍ପିତ ହେବାକୁ ରାଜି ହେଉନଥିଲେ ସେମାନଙ୍କୁ ନିଶା ଇନ୍ ଜେକ୍ସନ ଦେଇ ମାଡ ମାରି ପଠାଯାଉଥିଲା ସେଇ ବୟସ୍କ ବ୍ୟକ୍ତି ମାନଙ୍କ କାମନାର ନିଆଁରେ ପୋଡି ପାଉଁଶ ହେବା ଲାଗି । ଏଇ କୁକର୍ମ ରେ ସହଯୋଗ କରୁଥିଲେ ନୂଆ କରି ଯୋଗ ଦେଇଥିବା ପରିଚାରିକା ମାନେ । ନିଜ ଆଖି ଆଗରେ ନିଜର ପାଳିତା ଝିଅ ମାନଙ୍କୁ ଏମିତି ନିର୍ଯ୍ୟାତିତ ହେବାର ଦେଖି ପ୍ରତିବାଦ କରିଥିଲେ ପୁରୁଣା ଆୟା ମାନେ। ସେଥିଲାଗି ପୁରୁଣା ଆୟା ମାନଙ୍କୁ ବିଦାୟ ଦେଇ ଖାସ୍ ଏଇଥି ପାଇଁ ନୁଆ ଆୟା ମାନଙ୍କୁ ନିଯୁକ୍ତି ଦେଇଥିଲେ ପରିଚାଳନା କମିଟି । ଆଶ୍ରମ କୁ ଏବେ ବାହାର ବଡବଡିଆ ଲୋକଙ୍କ ସୁଅ ଛୁଟିଥିଲା । ଅନୁଦାନ, ସାହାଯ୍ୟର ପରିମାଣ ବଢି ବଢି ଚାଲିଥିଲା । କିନ୍ତୁ ଅନ୍ତେବାସୀନୀ ମାନଙ୍କ ପାଖରେ ସେ ସବୁ ପହଞ୍ଚିଲା ଆଗରୁ ଉଭାନ୍ ହୋଇଯାଉଥିଲା । ଖାତା କଲମରେ ସୀମିତ ରହିଯାଇଥିଲା ସବୁ ଦେଣନେଣ ।

 ପ୍ରଥମେ ପ୍ରଥମେ ଏସବୁ ବୁଝି ପାରୁ ନଥିଲା ରେଣୁକା । ତା' ପିଲା ମୁଣ୍ଡରେ ପଶୁନଥିଲା ତାଙ୍କର ଆଶ୍ରମ ରେ ଚୋରାରେ ଚାଲିଥିବା ଏଇ କୁତ୍ସିତ ଷଡ଼ଯନ୍ତ୍ର ସବୁ । ବାବାଙ୍କ ଦେହାନ୍ତ ପରେ କିଛି କିଛି ପରିବର୍ତ୍ତନ ଲକ୍ଷ୍ୟ କରି ପାରୁଥିଲା ସେ ହେଲେ ସେସବୁ ବୁଝିବାର ଶକ୍ତି ନଥିଲା ତା'ର। ତାଙ୍କର ଆଶ୍ରମ ର ପ୍ରତ୍ୟେକ କୋଠରୀରେ ତିନୋଟି କରି ତିନିଥାକିଆ ଖଟିଆ ପଡିଥାଏ । ପ୍ରତ୍ୟେକ ଖଟିଆରେ ଉପର ତଳ ହୋଇ ତିନିଜଣ ଲେଖାଏଁ ଝିଅ ଶୁଅନ୍ତି । ବଡ ଝିଅ ମାନେ ତଳ ଥାକରେ ଆଉ ସାନ ଝିଅ ମାନେ ଉପର ଥାକ ମାନଙ୍କରେ ଶୁଅନ୍ତି । ସେଦିନ ତଳ ଥାକରେ ମୀରା ନାନୀ, ରୀତା ନାନୀ , ସର ନାନୀ ଆଉ ଉପରେ ଥାକରେ ରେଣୁକା କୁ ମିଶାଇ ଆହୁରି ଛଅ ଜଣ ଝିଅ ଶୋଇଥିଲେ । ଅଧରାତି ରେ କ'ଣ ଗୋଟିଏ ଶବ୍ଦ ଶୁଣି ନିଦ ଭାଙ୍ଗିଗଲା ରେଣୁକା ର । ସେ ନିଦ ମଳ ମଳ ହୋଇ ଆଖି ଖୋଲି ଚାହିଁଲା ବେଳକୁ ନୂଆ ପରିଚାରିକା ମାଳତୀ ମାଉସୀ ସର ନାନୀ କୁ ହାତକୁ ଧରି ଭିଡି ଭିଡି ନେଉଛି ଦୁଆର ମୁହଁ ଆଡକୁ, ସର ନାନୀ ଟାଣି ଓଟାରି ହୋଇ ନଯିବାକୁ ଚେଷ୍ଟା କରୁଛି । ସେ ବୁଝି ପାରୁନଥିଲା କାହିଁକି ଏତେ ରାତିରେ ସରକାର ନାନୀ କୁ ତା’ର ଅନିଚ୍ଛା ସତ୍ତ୍ୱେ ମଧ୍ୟ ମାଳତୀ ମାଉସୀ ଭିଡି ଭିଡି ବାହାରକୁ ନେଇ ଯାଉଛି କୁଆଡେ । ହଠାତ୍ ସେ ଦେଖିଲା ବାହାରେ ଠିଆ ହୋଇଛି ଆଶ୍ରମ ର ମାଳୀ ଧରଣୀ ଭାଇ ।ମାଳତୀ ମାଉସୀ ତା'କୁ ଫିସ୍ ଫିସ୍ ହୋଇ କ'ଣ କହିଲା କେଜାଣି ସେ ମାଳତୀ ମାଉସୀ ହାତରୁ ଝିଙ୍କି ନେଇ ସର ନାନୀକୁ ଶୂନ୍ୟେ ଶୂନ୍ୟେ ପିଠି ଉପରେ ପକାଇ ସେ ଅଫିସ୍ ଘର ଆଡକୁ ମୁହାଁଇଲା । କୌତୁହଳୀ ହୋଇ ରେଣୁକା ଧୀରେ ଧୀରେ ତାଙ୍କର ପଛେ ପଛେ ଚାଲିଲା । ଧରଣୀ ଭାଇ ବଡ ବଡ ପାହୁଲ ପକାଇ ଯାଇ ପହଞ୍ଚିଲା ଅଫିସ୍ ଘରକୁ ଲାଗି ଥିବା ବଡ ରୁମ୍ ଟିରେ । ସେଠି ଆଗରୁ ବସି ରହିଥିଲେ ଆଶ୍ରମ ର ଟ୍ରଷ୍ଟି ଦୁଇଜଣ । ଧୀମା ଧୀମା ଆଲୁଅରେ ସେମାନଙ୍କ ମୁହଁରେ ଫୁଟି ଉଠିଲା ପୈଶାଚିକ ହସ । ସାମନା ରେ ଥୁଆ ହୋଇଥିବା ଗ୍ଲାସ୍ ରୁ ସେମାନେ କିଛି ପିଉଥିବାର ଲକ୍ଷ୍ୟ କଲା ରେଣୁକା । ଧରଣୀ ଭାଇ ସର ନାନୀକୁ ସେଠାରେ ଛାଡି ଦେଇ କବାଟକୁ ବାହାର ପଟୁ ବନ୍ଦ କରିଦେଲା ଏବଂ ନିଜେ ଆସି ଅଫିସ୍ ଦୁଆର ମୁହଁରେ ଠିଆ ହୋଇ ରହିଲା । ରେଣୁକା ସେମିତି ଠିଆ ହୋଇ ରହିଥିଲା ଅନ୍ଧାର ଭିତରେ । ମନରେ ସାହସ ହେଉନଥିଲା ରୁମ୍ କୁ ଫେରିଯିବାକୁ ସର ନାନୀକୁ ଏମିତି ଏକୁଟିଆ ଛାଡି ଦେଇ। ଫର୍ଚ୍ଚା ହୋଇ ଆସୁଥିଲା, ଧରା ପଡିଗଲେ କ'ଣ ହେବ ସେଇ ଭୟ ରେ ରେଣୁକା ର ଗୋଡ ଦୁଇଟା ଥରିବାକୁ ଆରମ୍ଭ କରିଥିଲେ । 

କିଛି ସମୟ ପରେ ରେଣୁକା ଦେଖିଲା ଧରଣୀ ଭାଇ ସେଇ ଘରୁ ବାହାରି ଆସିଲା ସର ନାନୀକୁ ପୁଣି କାନ୍ଧରେ ପକାଇ । ସେମାନଙ୍କ ଶୋଇବା ଘରେ ଆଣି ଶୁଆଇ ଦେଇଗଲା ସର ନାନୀକୁ । ସେ ଚାଲି ଯିବା ପରେ ମାଳତୀ ମାଉସୀ ଆସି ଚଦର ଟିଏ ଘୋଡାଇ ଦେଇଗଲା ସରନାନୀ ଉପରେ । ସେ ସେମିତି ମଲା ଭଳିଆ ପଡିଥାଏ । ଅଳ୍ପ ଆଲୁଅ ରେ ରେଣୁକା ଦେଖିଲା ସର ନାନୀ ର ଫ୍ରକ୍ ସାରା ରକ୍ତ ଦାଗ । ତା ମୁହଁଟା କେମିତି ଗୋଟାଏ ଅବାଗିଆ ଦିଶୁଛି । ଟିକିଏ ପାଖକୁ ଯାଇ ତା' ନାକ ପାଖରେ ହାତ ରଖିଲା ସିଏ । ଅନୁଭବ କଲା ନିଶ୍ବାସ ପ୍ରଶ୍ଵାସ ଚାଲିଛି । ସର ନାନୀକୁ ହଲେଇ ହଲେଇ ଉଠାଇବା ଲାଗି ଚେଷ୍ଟା କଲା ସେ। ହେଲେ ସର ନାନୀକୁ ଯେତେ ହଲେଇଲେ ବି ସେ ଉଠିଲାନି । ଘର କୋଣରେ ରଖାଯାଇଥିବା ପାଣି ମାଠିଆରୁ ପାଣି ଆଣି ଛାଟିଲା ତା' ମୁହଁରେ । ତଥାପି ସେ ଉଠିଲାନି ଖାଲି ଆଖି ଖୋଲି ଟିକିଏ ଚାହିଁ ପୁଣି ଶୋଇ ପଡିଲା । ରେଣୁକା ବୁଝି ପାରୁନଥିଲା ସର ନାନୀକୁ ଏମିତି କ୍ଷତ ବିକ୍ଷତ କରି ରକ୍ତାକ୍ତ କଲା ପରେ ବି ସେ ଉଁ ଚୁଁ ହେଉନି କାହିଁକି । ଧୀରେ ଧୀରେ ସେଇ ରୁମ୍ ର ଅନ୍ୟ ମାନେ ମଧ୍ୟ ଉଠିବା ଆରମ୍ଭ କରିଥିଲେ । ସାନ ମାନେ ସର ନାନୀକୁ ଦେଖି ହାଉଳି ଖାଇ କାନ୍ଦି ଉଠିଲା ବେଳକୁ ବଡ ପିଲାମାନେ ତାଙ୍କ ପାଟିକୁ ଚାପି ଧରି ପାଟି କରନାହିଁ ବୋଲି ଶାସନ କରୁଥାଆନ୍ତି । କିଏ କାଳେ ଶୁଣି ପକାଇଲେ ବଡ ଅନର୍ଥ ହୋଇ ଯିବ ବୋଲି କହି ଘରର କବାଟକୁ କିଳି ପକାଉ ଥାଆନ୍ତି । ରେଣୁକା ବଡ ନାନୀ ମାନଙ୍କର ଏତାଦୃଶ ଆଚରଣ ଦେଖି ବିସ୍ମିତ ହୋଇ ଯାଇଥିଲା ।ସେମାନଙ୍କୁ ସେ ଗତକାଲି ରାତିରେ ଦେଖିଥିବା ଘଟଣା ମାନ କହିବାରୁ , ତା’ ପାଟିକୁ ଜୋର୍ ରେ ଚାପି ଧରିଥିଲା ରୀତା ନାନୀ । ଆଖି ରେ ଆଖିଏ ଲୁହ ଭରି ସେ କୁଣ୍ଢାଇ ପକାଇଥିଲା ରେଣୁକା କୁ । କହିଥିଲା '' ପାଟି ଖୋଲିଲେ ମରିଯିବୁ ଲୋ ରେଣୁ ! ତୁ ସିନା ଆଜି ସର ନାନୀକୁ ଦେଖିଲୁ, ହେଲେ ବୁଢା ବାବା ଗଲା ଦିନୁ ଆମେ ସମସ୍ତେ ଏମିତି ଦିନେ ଦିନେ ମରୁଛୁ, ଫୁଲ ମାଉସୀ ଏସବୁ କୁ ପ୍ରତିବାଦ କଲା ବୋଲି ସେମାନେ ତା'କୁ ତଣ୍ଟି ଚିପି ମାରି ଦେଲେ , ତା' ଶବ କୁ ନେଇ ଆଶ୍ରମ ପଛପଟ ଜଙ୍ଗଲ ରେ ପୋତି ଦେଲେ। କହିଲେ ଫୁଲ ମାଉସୀ ଆଶ୍ରମ ରୁ ଟଙ୍କା ପଇସା ଚୋରି କରି କୁଆଡେ ପଳେଇ ଯାଇଛି । ସତ କଥା ସମସ୍ତେ ଜାଣନ୍ତି ହେଲେ ସତ କହିବାର ଯୁ କାହାର ନାହିଁ । ଆମେ ତ ସହଜେ ନିରାଶ୍ରୟ , ଏ ଦୁନିଆଁରେ କିଏ ଅଛି ଆମ କଥା ଶୁଣିବାକୁ। ଏଠୁ ଯଦି ସେମାନେ ଆମକୁ ବାହାର କରି ଦେବେ ଆମେ ଯିବା କୁଆଡେ? ଯେତେଦିନ ଯାଏ ସହି ହେବ ସହିବା ନହେଲେ ବିଷ ଖାଇ କି ଫାଶୀ ଲଗାଇ ମରିବା ସିନା ପାଟି ଖୋଲିବା ନାହିଁ। ତୁ ଯାହାବି ଦେଖିଛୁ ଶୁଣିଛୁ ସବୁ ଦୁଃସ୍ଵପ୍ନ ଭାବି ଭୁଲିଯା । ତେବେ କେଜାଣି କିଛିଦିନ ବଞ୍ଚିଯିବୁ''। ରୀତା ନାନୀ ର କଥା ଶୁଣି ଛାତି ଥରି ଉଠୁଥିଲା ରେଣୁକା ର । ରହି ରହି ଫୁଲ ମାଉସୀ ର ମୁହଁଟା ଦିଶି ଯାଉଥିଲା ତା'କୁ । ହେତୁ ହେଲା ଦିନୁ ସେ ଫୁଲ ମାଉସୀ କୁ ନିଜ ମାଆ ଭଳି ସ୍ନେହ କରୁଥିଲା। ଆହା ! କେତେ ନିଷ୍ଠୁର ଏଇ ଲୋକ ଗୁଡାକ ସତେ ! ଦେବୀ ଭଳିଆ ସ୍ତ୍ରୀ ଲୋକ ଟିକୁ ତଣ୍ଟି ଚିପି ମାରି ଦେଲେ । ରୀତା ନାନୀ ର କଥା ମାନି ସିନା ଚୁପ୍ ରହିଥିଲା ରେଣୁକା, ହେଲେ ତା ‘ଆଖିରୁ ନିଦ ଆଉ ପେଟରୁ ଭୋକ ହଜି ଯାଇଥିଲା। ଫୁଲ ମାଉସୀ ର ଆତ୍ମା ଯେମିତି ପ୍ରତି ମୁହୂର୍ତ୍ତରେ ତା'କୁ କହୁଥିଲା '' ତୁ ଏଠୁ ଚାଲିଯା' ଚାଲିଯା !ନହେଲେ ଏମାନଙ୍କ ଭଳିଆ ତୁ ବି ଜିଅନ୍ତା ମରିବୁ ''। 

ଧୀରେ ଧୀରେ ନିଜକୁ ଟାଣ କରୁଥିଲା ରେଣୁକା । ମନେ ମନେ ସ୍ଥିର କରି ନେଇଥିଲା ଯେ ସେ ଏଇ ମୃତ୍ୟୁଯନ୍ତା ରୁ ନିଶ୍ଚୟ ଦିନେ ବାହାରି ପଳେଇବ । ବାହାର ଦୁନିଆଁରେ ନିଶ୍ଚୟ ଜଣେ ତ କେହି ମିଳିବେ ଯିଏ ତା'ର କଥା ଶୁଣି ତା'କୁ ରକ୍ଷା କରିବେ । କେହିତ ଏଇ ଭଦ୍ର ମୁଖାପିନ୍ଧା ରାକ୍ଷସ ମାନଙ୍କ କବଳରୁ ଆଶ୍ରମ ର ଅନ୍ୟ ଅନ୍ତେବାସୀନୀ ମାନଙ୍କୁ ଉଦ୍ଧାର କରିବା ଲାଗି ଆଗେଇ ଆସିବେ । ତା'ର ଶେଷ ନିଶ୍ବାସ ଥିବା ଯାଏ ସେ ବଞ୍ଚିବା ଲାଗି ଲଢେଇ କରିବ । କଳେ ବଳେ କୌଶଳେ ସେ ଏଇ ଆଶ୍ରମ ରୁ ବାହାରି ଯିବାର ବାଟ ତିଆରି କରିବ। ସେ ସୁବିଧା ସୁଯୋଗ କୁ ଅପେକ୍ଷା କରି ରହିଲା।ଆଉ ଦିନେ ସେ ସେଥିରେ ସଫଳ ହେଲା ମଧ୍ୟ। ସାରାରାତି ଆଖିବୁଜା ଦୌଡ଼ି ଦୌଡ଼ି ଭୋର୍ ବେଳକୁ ମୁଖ୍ୟ ସଡ଼କ ପାଖରେ ପହଞ୍ଚି ଯାଇଥିଲା ରେଣୁକା । ଆଗରୁ ଆସୁଥିବା ବସ୍ ଟିକୁ ଦେଖି ରାସ୍ତା ମଝିରେ ଛିଡ଼ା ହୋଇ ଦୁଇ ହାତ ଉପରକୁ ଟେକି ହଲାଇ ହଲାଇ ବସ୍ କୁ ଅଟକାଇବା ଲାଗି ଚେଷ୍ଟା କଲା । ଛୋଟ ଝିଅ ଟିକୁ ଏମିତି ଅବସ୍ଥା ରେ ଦେଖି କିଛି ବିପଦ ରେ ପଡିଛି ଭାବି ବସ୍ ଚାଳକ ବସ୍ ଟି ଅଟକାଇଲେ ସେଠାରେ । ଧଇଁ ସଇଁ ହୋଇ ବସ୍ ରେ ଚଢ଼ିଗଲା ରେଣୁକା । କ'ଣ ହୋଇଛି ବୋଲି ଡ୍ରାଇଭର୍ ଜଣକ ତା'କୁ ପଚାରିବାରୁ କାନ୍ଦି କାନ୍ଦି ସବୁ କଥା କହିଥିଲା ସେ ଏବଂ ତା'କୁ ନେଇ ନିକଟରେ ଥିବା କୌଣସି ପୋଲିସ୍ ଷ୍ଟେସନ ରେ ଛାଡି ଦେବା ଲାଗି ଅନୁରୋଧ କରିଥିଲା। ସଂଯୋଗ ବଶତଃ ସେଇ ବସ୍ ରେ ଯାତ୍ରା କରୁଥିଲେ ଗୋଟିଏ ପ୍ରମୁଖ ସମ୍ବାଦପତ୍ର ର ଜଣେ ବରିଷ୍ଠ ସାମ୍ବାଦିକ । ଅନ୍ୟ ମାନଙ୍କ ସହିତ ସେ ମଧ୍ୟ ରେଣୁକା ର ସବୁ କଥା ଶୁଣୁଥିଲେ । ନିଜର ପରିଚୟ ଦେଇ ସେ କହିଲେ ଯେ ସେ ରେଣୁକା ର ଏମିତି ସାହସିକତା ଦେଖି ଖୁବ ଖୁସି ଏବଂ ଆଶ୍ରମର ସବୁ କେଳେଙ୍କାରୀ କୁ ଲୋକଲୋଚନକୁ ଆଣିବା ଦିଗରେ ବିହିତ ପଦକ୍ଷେପ ନେବାକୁ ସେ ରେଣୁକା କୁ ସବୁମତେ ସାହାଯ୍ୟ କରିବେ। ସମସ୍ତ ଯାତ୍ରୀ ସେଥିରେ ଏକମତ ହୋଇଥିଲେ। ନିକଟସ୍ଥ ପୋଲିସ ଷ୍ଟେସନ ଆସିବା ମାତ୍ରକେ ରେଣୁକା କୁ ସାଙ୍ଗରେ ଧରି ଓହ୍ଲାଇ ଗଲେ ବରିଷ୍ଠ ସାମ୍ବାଦିକ ଜଣକ। ନିଜର ପରିଚୟ ଦେଇ ଆଶ୍ରମ ର କାର୍ଯ୍ୟ କର୍ତ୍ତା ମାନଙ୍କ ବିରୁଦ୍ଧରେ ଏତାଲା ଟିଏ ଦେଇ ରେଣୁକା କୁ ଧରି ତୁରନ୍ତ ଗଲେ ତାଙ୍କ ସମ୍ବାଦପତ୍ର ର ସମ୍ପାଦକ ଙ୍କ ପାଖକୁ। ଏମର୍ଜେନ୍ସି ନିଉଜ୍ ଆଇଟମ୍ ରେ ଛପା ଯାଇଥିଲା “ବାବା ରାମଦାସଙ୍କ ବାଳିକା ଆଶ୍ରମ ର ଯୌନ କେଳେଙ୍କାରୀ “ ସବୁ ପ୍ରମୁଖ ସମ୍ବାଦପତ୍ର ମାନଙ୍କରେ। ସୋସିଆଲ୍ ମିଡିଆ ରେ ଭାଇରାଲ୍ ହୋଇଥିଲା ଆଶ୍ରମର ସବୁ ଦୁର୍ନୀତି । ସବୁ ସ୍ତରରେ ପ୍ରବଳ ପ୍ରତିବାଦ ହୋଇ ହଇଚଇ ସୃଷ୍ଟି ହୋଇଥିଲା । ନାରୀ ଓ ଶିଶୁ ସୁରକ୍ଷା କର୍ମୀମାନଙ୍କର ପ୍ରବଳ ବିକ୍ଷୋଭ ହୁ ହୁ କରି ବ୍ୟାପି ଯାଇଥିଲା ରାଜ୍ୟ ସାରା। ସରକାର ତୁରନ୍ତ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ। ସରକାରୀ ଅର୍ଡର ରେ ପୋଲିସ୍ ଗିରଫ କରିଥିଲା ଆଶ୍ରମ ର ପରିଚାଳନା କମିଟି ର ମୁଖ୍ୟ ଙ୍କ ସହିତ ସମସ୍ତ ସଦସ୍ୟ ମାନଙ୍କୁ ଏବଂ ଘଟଣା ର ସବିଶେଷ ତଦନ୍ତ କରିବା ଲାଗି ଆଦେଶ ଦେଇଥିଲେ ସରକାର । ଆଶ୍ରମର ଅନ୍ୟ ଅନ୍ତେବାସୀ ମାନଙ୍କୁ ଉଦ୍ଧାର କରି ରେଣୁକା ସହିତ ଥଇଥାନ କରାଯାଇଥିଲା ସ୍ଥାନୀୟ ଏକ ସରକାରୀ ଆଶ୍ରୟ ସ୍ଥଳ ରେ।।

 


Rate this content
Log in

Similar oriya story from Inspirational