Kalyani Nanda

Tragedy

3  

Kalyani Nanda

Tragedy

ଅତୃପ୍ତ ଆତ୍ମା

ଅତୃପ୍ତ ଆତ୍ମା

6 mins
392




ଠନ୍ ଠନ୍ ଘଣ୍ଟା ବାଜିଲା । ଛୁଆ ସବୁ ନିଜ ନିଜ ବ୍ୟାଗ ଧରି ଶ୍ରେଣୀରୁ ବାହାରି ଘର ମୁହାଁ ହେଲେ । ଗାଁ ମୁଣ୍ଡ ରେ ସ୍କୁଲ । ରଘୁନାଥ , ସେଇ ସ୍କୁଲର ପିଅନ । କିନ୍ତୁ ସେ ଛୁଆ ରୁ ବୁଢା , ସଭିଙ୍କ ରଘୁ କାକା । ସ୍କୁଲ ହେଲା ଦିନରୁ ସେ ଏଇ ସ୍କୁଲରେ ପିଅନ ହୋଇ ଅଛନ୍ତି। 52 ବର୍ଷ ହେଲାଣି ତାଙ୍କୁ । ଘର ତାଙ୍କ ସେଇ ସ୍କୁଲରୁ ଦଶ କିଲୋମିଟର ଦୂର ରେ ଥିବା ଗାଁ ରେ । ସବୁ ଦିନ ସ୍କୁଲ ଛୁଟି ପରେ , ଶ୍ରେଣୀ କୋଠରୀ ସବୁ ବନ୍ଦ କରି, ସ୍କୁଲ ବନ୍ଦ କରି ଘରକୁ ଯାଆନ୍ତି । ରମେଶ ବାବୁ ବି ତାଙ୍କ ସାଂଗରେ ଯାଆନ୍ତି । ରମେଶ ବାବୁ ସେ ସ୍କୁଲ ର କିରାଣି।


27ବର୍ଷ ର ଗୋରା, ପତଳା ଯୁବକ । ଚାରି ବର୍ଷ ହେଲା ସେ ସ୍କୁଲରେ ଜଏନ କରିଛନ୍ତି । ରଘୁ କାକା ଙ୍କ ଗାଁ ରେ ସିଏ ବି ରୁହନ୍ତି । ତେଣୁ ଗଲା ବେଳେ ସାଂଗ ହୋଇ ଘରକୁ ଫେରନ୍ତି ।

ସେଦିନ କିନ୍ତୁ ରମେଶ ବାବୁଙ୍କର କିଛି କାମ ବାକି ଥାଏ । ପର ଦିନ କିଛି ଜରୁରୀ କାଗଜ C.I ଅଫିସ ରେ ଦାଖଲ କରିବାର ଥିଲା । ତେଣୁ ସେ ଶୀଘ୍ର ଶୀଘ୍ର କାମ ସାରିବା ପାଇଁ ଚେଷ୍ଟା କରୁଥାନ୍ତି ।ରଘୁ କାକା ବି ଅପେକ୍ଷା କରିଥାନ୍ତି । କିନ୍ତୁ କାମ ସରୁ ନ ଥାଏ। ଆଉ ସମୟ ଅପେକ୍ଷା କରୁ ନ ଥାଏ। ସୂର୍ଯ୍ୟ ପଶ୍ଚିମ ଦିଗ କୁ ଯିବା କୁ ଅଧୀର । ରଘୁ କାକା ରମେଶ କହିଲେ, " ରମେଶ ବାବୁ ଫାଇଲ ସବୁ ଘରକୁ ନେଇ ଚାଲ । ରାତିରେ ଘରେ ବସି ସବୁ କାମ ସାରି ଦେବ । ଏତେ ବାଟ ଯିବାର ଅଛି । ସନ୍ଧ୍ଯା ହୋଇଗଲେ ଯାଇ ହେବନି । ରାସ୍ତା ଭଲ ନାହିଁ ।"


" ହଁ, ରଘୁ କାକା ,ସେଇଆ କରୁଛି । ଫାଇଲ ନେଇ ଘରେ ବାକି କାମ ତକ ସାରି ଦେବି।" ଏଇଆ କହି ରମେଶ ବ୍ଯାଗ ରେ ସବୁ ଫାଇଲ ପତ୍ର ରଖି, ସାଇକେଲ ନେଇ ରଘୁ କାକା ସଂଗେ ବାହାରି ପଡିଲା । ସବୁ ଦିନ ଦୁଇ ଜଣ ସାଇକେଲ ରେ ନିଜ ଗାଁ ରୁ ସାଂଗ ହୋଇ ସ୍କୁଲ କୁ ଯିବା ଆସିବା କରନ୍ତି ।ରମେଶ ଓ ରଘୁ କାକା ସବୁ ଦିନ ପରି ଭଲ ରାସ୍ତାରେ ନ ଯାଇ , କଚ୍ଚା ରାସ୍ତାରେ ଯିବା ପାଇଁ ବାହାରିଲେ କାରଣ ସେଇ ରାସ୍ତା ଭଲ ନ ଥିଲେ ବି ତାଙ୍କ ଗାଁ କୁ ଯିବା ପାଇଁ ପାଖ ହୁଏ । ସେ ଦିନ ଡେରି ହୋଇଥିବାରୁ ଦୁହେଁ ସେଇ ରାସ୍ତା ରେ ଯିବାକୁ ବାହାରିଲେ ।

ନାଲି ମାଟି ପଡିଥିବା ସେଇ ରାସ୍ତାଟି ସଂଜ ହୋଇଗଲେ ଭାରି ନିଛାଟିଆ ହୋଇଯାଏ । ରାସ୍ତା କଡେ କଡେ ନଈ ଟିଏ ବହି ଯାଉଥାଏ । ନଈ କଡରେ ଶ୍ମଶାନ ଘାଟ ପଡେ। ରାସ୍ତା ଟି ଠିକ ସେଇ ଜାଗାରେ ବର୍ଷା ଯୋଗୁଁ ଖରାପ ହୋଇ ଯାଇଥାଏ । ତେଣୁ ସେଇ ଟିକକ ରାସ୍ତା ସାଇକେଲ ଗଡାଇ ଗଡାଇ ଯିବାକୁ ହୁଏ।ରମେଶ ଓ ରଘୁ କାକା ସେଇ ରାସ୍ତାରେ ପହଞ୍ଚିଲା ବେଳକୁ ସନ୍ଧ୍ଯା ନଇଁ ଆସିଥାଏ । ରାସ୍ତା କଡରେ ଥିବା ଗଛ ଗୁଡିକରେ ପକ୍ଷୀଙ୍କର ଚିଁ ଚାଁ ଶବ୍ଦ ଶୁଭୁଥାଏ। ରାତ୍ରିର ଅନ୍ଧକାର ଧିରେ ଧିରେ ନଇଁ ଆସୁଥାଏ।ଶ୍ମଶାନ ଘାଟ ପାଖରେ ପହଞ୍ଚିଲା ବେଳକୁ ରାତି ହୋଇଯାଇଥାଏ । ରଘୁ କାକା ଓ ରମେଶ ସେଇ ଟିକକ ରାସ୍ତା ସାଇକେଲ ଗଡାଇ ଗଡାଇ ପାରି ହେଲେ । ଭଲ ରାସ୍ତା ଆସିବାରୁ ରମେଶ ସାଇକେଲ ଚଢି ଚଲାଇ ଚଲାଇ ଆଗରେ ଯାଉଥାଏ ଏବଂ ରଘୁ କାକା ତା ପଛରେ ଯାଉଥାନ୍ତି । ରମେଶ ଅନୁଭବ କରୁଥାଏ ଯେମିତି ହଠାତ୍ ତା ସାଇକେଲ ଟାଣିବାକୁ ତାକୁ କଷ୍ଟ ହେଉଥାଏ , କିନ୍ତୁ କାରଣ କଣ ଜାଣିପାରୁ ନ ଥାଏ । ହଠାତ୍ ରଘୁ କାକା ଦେଖିଲେ ଯେ ରମେଶ ସାଇକେଲ ପଛରେ କେହି ଜଣେ ବସିଛି । ଭଲ ଭାବରେ ଜଣା ପଡୁ ନ ଥାଏ କିନ୍ତୁ ଟିକିଏ ପାଖକୁ ଯିବାରୁ ଜାଣି ପାରିଲେ ଯେ କେହି ଜଣେ ସ୍ତ୍ରୀ ଲୋକ ଟିଏ ରମେଶ ପଛରେ ବସିଛି । ମଥାରେ ଓଢ଼ଣା ଦେଇଥାଏ । ମୁହଁ ଟି ଜଣା ପଡୁ ନ ଥାଏ । କାହାକୁ ବସାଇ ରମେଶ ନେଉଛି ତା ସାଥିରେ ? ଏମିତି ନିର୍ଜନ ଜାଗାରେ ସ୍ତ୍ରୀ ଲୋକ ଟି କୋଉଠୁ ଆସିଲା ?


କିଛି ଭାବିବା ପୂର୍ବରୁ ରଘୁ କାକା ଦେଖିଲେ ଯେ ତାଙ୍କ ଗାଁ ପାଖ ହେଲାଣି , ଗାଁ ରାସ୍ତାରେ ବତୀ ଜଳୁ ଥିବା ଦେଖା ଯାଉଥାଏ । ରଘୁ କାକା ରମେଶ କୁ ଟପି ଯାଇ ଆଗକୁ ବଢିଗଲେ। ରମେଶ ପାଖ ଦେଇ ଗଲା ବେଳେ ରଘୁ କାକା ତା ପଛରେ ଗୋଟିଏ ଧଳା ଛାଇ ଟିଏ ବସି ଥିବାର ଦେଖି ଲେ । କିନ୍ତୁ ଅନ୍ଧାରରେ ନିଜ ମନ ର ଭ୍ରମ ଭାବି ସେ ଆଗକୁ ବଢିଗଲେ । ରମେଶ କୁ ଶୀଘ୍ର ଶୀଘ୍ର ଆସିବାକୁ କହିଲେ । ରଘୁ କାକା ଙ୍କ ଘର ପ୍ରଥମେ ଆସେ । ରଘୁ କାକା ତାଙ୍କ ଘରେ ପହଞ୍ଚି ସାଇକେଲ ନେଇ ଭିତରକୁ ଯାଇଛନ୍ତି, ରମେଶ ତାଙ୍କ ଘର ପାଖରେ ପହଞ୍ଚି ସାଇକେଲ ରୁ ଓହ୍ଲାଇ ପଛକୁ ଯେମିତି ଚାହିଁଛି ,ଦେଖିଲା ଓଢ଼ଣା ଦେଇଥିବା ସ୍ତ୍ରୀ ଲୋକଟିଏ ତା ସାଇକେଲ ରୁ ଓହ୍ଲାଇ ,ତାକୁ ନ ଦେଖି, କିଛି ନ କହି


ଯେଉଁ ପଟରୁ ସେମାନେ ଆସିଥିଲେ , ସେଇ ପଟେ କିଛି ବାଟ ଯାଇ କୁଆଡେ ଚାଲିଗଲା ରମେଶ ଜାଣି ପାରିଲାନି । ଏମିତି ଏକ ଅଦ୍ଭୁତ ଦୃଶ୍ଯ ଦେଖି କିଛି ବୁଝିବା ଆଗରୁ , ରମେଶ " ରଘୁ କାକା" କହି ଚିତ୍କାର କରି ମୂର୍ଚ୍ଛା ହୋଇ ତଳେ ପଡି ଗଲା । ରଘୁ କାକା ରମେଶ ର ଚିତ୍କାର ଶୁଣି ବାହାରକୁ ଆସି ରମେଶ କୁ ମୂର୍ଚ୍ଛା ହୋଇଥିବାର ଦେଖି , ତାକୁ ପାଣି ଛିଞ୍ଚି ସାଷ୍ଟାମ କରି ଘର ଭିତରକୁ ନେଇଗଲେ ।ରମେଶ କିଛି ବୁଝି ନ ପାରି ବଲ ବଲ କରି, ଭୟ ରେ ରଘୁ କାକା ଙ୍କୁ ଦେଖୁ ଥାଏ । ରଘୁ କାକା ଘଟଣା ଟି ବୁଝି ପାରିଲେ । ପଚାରିଲେ , " କଣ ହେଲା ? ସେଇ ସ୍ତ୍ରୀ ଲୋକ ଟିକୁ ଦେଖି ଭୟ ପାଇଲ କି? " ରମେଶ ଆଶ୍ଚର୍ଯ୍ଯ ହୋଇ

ରଘୁ କାକା ଙ୍କୁ ଦେଖିଲା । ପଚାରିଲା, " ତୁମେ ଜାଣ ସେ ସ୍ତ୍ରୀ ଲୋକଟିକୁ ? କିଏ ସେ? ମୁଁ ତ ଜାଣି ପାରିନି, ସେ କେତେବେଳେ ମୋ ସାଇକେଲ ପଛରେ ବସିଥିଲା ।" " ହଉ , ରମେଶ ବାବୁ , ତୁମେ ଆଜି ବେଶ୍ ଭୟ ପାଇ ଯାଇଛ । ଆଜି ଆମ ଘରେ ରହିଯାଅ। ଏକୁଟିଆ ନିଜ ଘର କୁ ଗଲେ , ତୁମେ ତ ଭୟ ରେ ଶୋଇ ପାରିବନି । " କିନ୍ତୁ ବେଳକୁ ବେଳ ରମେଶ ର ସେଇ ସ୍ତ୍ରୀ ଲୋକ ବିଷୟ ରେ ଜାଣିବାକୁ ବଢୁଥାଏ । ବାରମ୍ବାର ପଚାରିବାରୁ ରଘୁ କାକା ସେଇ ସ୍ତ୍ରୀ ଲୋକ ବିଷୟରେ କହିବା ଆରମ୍ଭ କଲେ । " ସେ ସ୍ତ୍ରୀ ଟି ଆମ ଏଇ ଗାଁ ର ଝିଅ । ସାବି ମାନେ ସାବିତ୍ରୀ । ବାପା, ମାଁ ର ଗୋଟିଏ ଝିଅ । ଦେଖିବାକୁ ଖୁବ୍ ସୁନ୍ଦର । ଚମ୍ପା ଫୁଲ ପରି ଗୋରା ,ଲମ୍ବା କୁଞ୍ଚୁକୁଞ୍ଚିଆ ,କଳା ବାଳ ଆଣ୍ଠୁ ଯାଏ ଲମ୍ବି ଥାଏ, ଆଖି ଦୁଇଟି ଢଳ ଢଳ । ଆମ ଗାଁ ରେ ସେ ହିଁ ସବୁଠୁ ସୁନ୍ଦରୀ ଝିଅ ଥିଲା ।


ବହୁତ ଶାନ୍ତ, ସୁଧାର ଝିଅଟିଏ ଥିଲା । ବୟସ ବଢିବା ସଂଗେ ସଂଗେ ସେ ଆହୁରି ସୁନ୍ଦର ଦେଖାଗଲା । ତା ସୌନ୍ଦର୍ଯ୍ଯ ହିଁ ତା ପାଇଁ କାଳ ହେଲା । ଖାଲି ନିଜ ଗାଁ କାହିଁକି , ପାଖ ଗାଁର ଟୋକା ଙ୍କ କୁ ନଜର ତା ଉପରେ ଥାଏ । ବାପା ତାର ବୟସ ବଢିବାରୁ ତା ବାହାଘର ପାଇଁ ତତ୍ପର ହୋଇ ପଡିଲେ । ଶୀଘ୍ର ସହର ରେ ଚାକିରୀ କରୁଥିବା ଜଣେ ସୁନ୍ଦର ଯୁବକ ସହ ତା ବାହାଘର ସ୍ଥିର କରି ,ବାହାଘର ସାରି ଦେଲେ । ସାବି ବାହା ହୋଇ ସ୍ବାମୀ ସହ ସହରକୁ ଚାଲିଗଲା । ଖୁବ ସୁଖରେ ଥିଲା । କିନ୍ତୁ ତା ସୁଖର ସଂସାର ବେଶି ଦିନ ରହିଲାନି । ବାହା ହେବାର ଛ ମାସ ପରେ ସେ ତା ସ୍ବାମୀର ସହ ବାପ ଘରକୁ ପ୍ରଥମ କରି ଆସୁଥାଏ । ସହର ରୁ ବସ୍ ରେ ଆସି ,ଆମ ସ୍କୁଲ ପାଖରେ ଓହ୍ଲାଇ ସାଇକେଲ ରେ ଘରକୁ ଆସିବାକୁ ହୁଏ । ତା ବାପା ଜଣେ ସଂପର୍କୀୟଙ୍କ ହାତରେ ସାଇକେଲ ପଠାଇ ଦେଇଥିଲେ ଝିଅ, ଜୋଇଁ ଆସିବେ ବୋଲି । ବସ ରୁ ଓହ୍ଲାଇ ଦୁଇ ଜଣ ସାଇକେଲ ରେ ଆସୁଥାନ୍ତି । ସାବି ପଛରେ ତା ବ୍ଯାଗ ଧରି ବସିଥାଏ । ସାବି ବହୁତ ଖୁସି ଥାଏ । କେତେ ଦିନ ପରେ ଗାଁ କୁ ଫେରୁଛି , ସିଏ ପୁଣି ତା ସ୍ବାମୀ ସହ । ବାପା, ମାଁ ଙ୍କୁ ଦେଖିବ, ସାଂଗ ସାଥୀ ଙ୍କ ସହ ଭେଟ ହେବ । କିନ୍ତୁ ତା ଖୁସି ବେଶି ସମୟ ରହିଲାନି । ତା ବାହାଘର ହୋଇ ଯିବାର ଦେଖି ,ସେଇ ଗାଁ ର କେତେକ ବଦମାସ ଟୋକାକୁ ଦେହ ସହୁ ନ ଥାଏ । ସାବି ଆସିବା ଖବର ସେମାନେ ପାଇ ସାରିଥାନ୍ତି । ସେଇ ଶ୍ମଶାନ ଘାଟ ପର୍ଯ୍ୟନ୍ତ ପହଞ୍ଚିଲା ବେଳକୁ ଅନ୍ଧାର ହୋଇ ଯାଇଥାଏ । ରାସ୍ତା ଖରାପ ଯୋଗୁଁ ସ୍ବାମୀ, ସ୍ତ୍ରୀ ଦୁଇଜଣ ସେଇ ଟିକକ ରାସ୍ତା ଚାଲି ଚାଲି ଆସୁଥାନ୍ତି । ହଠାତ୍ କିଛି ଟୋକା ସେମାନଙ୍କୁ ଘେରିଗଲେ ଏବଂ ସାବି କୁ ଜବରଦସ୍ତି ଟାଣି ନେଇ ଯିବାକୁ ଚେଷ୍ଟା କଲେ । ସ୍ତ୍ରୀ ଉପରେ ବିପଦ ଦେଖି ସ୍ବାମୀ ତାର ତାକୁ ସେ ରାକ୍ଷସ ଙ୍କ କବଳରୁ ରକ୍ଷା କରିବା ପାଇଁ ଚେଷ୍ଟା କଲାରୁ , ସେଇ ନିଷ୍ଠୁର ଦାନବ ଗୁଡା ତା ସ୍ବାମୀକୁ ସେଇଠି ପିଟି ପିଟି ମାରି ଦେଲେ ଆଉ ତା ପରେ ସାବି ଉପରେ ଥିବା ସେମାନଙ୍କର ବହୁ ଦିନର କାମନା, ବାସନା ଚରିତାର୍ଥ କରିଥିଲେ । ସାବି ର ସୁନ୍ଦର ଶରୀର କୁ ଖିନଭିନ କରି ଶେଷରେ ତାକୁ ବି ମାରି ଦେଇ ସେଇ ଶ୍ମଶାନ ଘାଟ ପାଖରେ ପକାଇ ଦେଇ ଚାଲିଗଲେ । ଟିକିଏ ବି ଦୟା, ମାୟା ନ ଥିଲା ସେଇ କାମ ପିପାସୁ ନର ରାକ୍ଷସ ମାନଙ୍କର ।ସାବି ର ସୁନ୍ଦର ସଂସାର ସେଇ ଶ୍ମଶାନ ଘାଟରେ ହିଁ ଜଳି ପୋଡି ପାଉଁଶ ହୋଇ ଯାଇଥିଲା । କିନ୍ତୁ ସାବି ର ଆତ୍ମା ଶାନ୍ତି ପାଇନି ।ସେ ସେଇ ଆଖ ପାଖରେ ରାତ୍ରି ର ଅନ୍ଧକାର ରେ ଘୁରି ବୁଲୁଥାଏ ।କେହି ଯୁବକ ସେଇ ରାସ୍ତାରେ ସାଇକେଲ ନେଇ ଗଲେ , ତା ପଛରେ ବସି ଏଇ ଗାଁ ଯାଏ ଆସେ ପୁଣି ଫେରିଯାଏ । କାହାରି କିଛି କ୍ଷତି କରେନି ।ଖାଲି ଯାହା ତା ଅତୃପ୍ତ ଆତ୍ମା ଅଶାନ୍ତ ମନ ନେଇ ଘୁରି ବୁଲୁଥାଏ। ଆଜି ତୁମକୁ ଦେଖି ତୁମ ସାଇକେଲ ପଛରେ ବସି ଗାଁ ଯାଏ ଆସି ପୁଣି ଫେରିଗଲା ।ସତରେ, ବଂଚି ଥିଲା ବେଳେ ଯେମିତି ଶାନ୍ତ, ସୁଧାର ଥିଲା, ମଲା ପରେ ବି ତାର ଅପୂର୍ଣ୍ଣ ଇଚ୍ଛା, ଆଶା, ସ୍ବପ୍ନ କୁ ନେଇ ଅତୃପ୍ତ ଆତ୍ମା ତାର ଘୁରି ବୁଲୁଛି ।" ରମେଶ ସ୍ତବ୍ଧ ହୋଇ ଶୁଣୁଥାଏ ।ମନଟା ତାର ସେଇ ଅଶରିରୀ ପାଇଁ ବେଦନାରେ ଭରି ଯାଉଥାଏ । ରାତିର ଅନ୍ଧକାର ବଢୁଥାଏ । କିନ୍ତୁ ରମେଶ ଆଖିରେ ନିଦ ନ ଥାଏ । ବହୁତ ସମୟ ପରେ ରମେଶ ର ଆଖି ବୁଜି ହୋଇ ଆସୁଥାଏ । ଭୋର ହେବାକୁ ଆଉ କିଛି ସମୟ ବାକି ଥାଏ ।




Rate this content
Log in

Similar oriya story from Tragedy