STORYMIRROR

Kanan Bala Nayak

Tragedy

4.5  

Kanan Bala Nayak

Tragedy

~~~ଅସ୍ତିତ୍ବ~~~

~~~ଅସ୍ତିତ୍ବ~~~

5 mins
87


~~~ଅସ୍ତିତ୍ବ~~~


     କାହାକୁ ଦେଇଥିବା ପ୍ରତିଶୃତି ଅନୁଯାୟୀ ସମ୍ପର୍କ ଟା ଲିଭାଉ ଲିଭାଉ ଅଣନିଃଶ୍ବାସୀ ହୋଇ ପଡ଼ୁଥିଲା ଦେବେନ୍ଦ୍ର। ପ୍ରତ୍ୟେକ ଥର ଦିନେଶ୍ ର ବାକ୍ୟ ବାଣ ଓ ଅବହେଳା ତାକୁ କ୍ଷତାକ୍ତ କରିପକାଉ ଥିଲା।ତା ହୃଦୟ ଟା ଭାଙ୍ଗି ଚୁରମାର୍ ହୋଇ ଯାଉଥିଲା। ତଥାପି ଅତୀତରେ କାଟିଥିବା କେତୋଟି ସୁନ୍ଦର ତଥା ଦୁର୍ଲ୍ଲଭ ମୁହୂର୍ତ୍ତ କୁ ମନେ ପକାଇ ସମସ୍ତ ଯନ୍ତ୍ରଣା କୁ ସେ ଭୁଲି ଯାଉଥିଲା। ଦିନେଶ୍ ର ପ୍ରତ୍ୟେକ ଟି କଟୁ ଶବ୍ଦ ର ବିଷ କୁ ନୀଳକଣ୍ଠ ସାଜି ସେ ହଜମ୍ କରି ଚାଲିଥିଲା କାରଣ ତାର ବିଶ୍ୱାସ ଥିଲା ଦିନେ ନା ଦିନେ ଦିନେଶ୍ ତାର ଭୁଲ୍ ବୁଝିବ। ଆଉ ତାଙ୍କ ର ସମ୍ପର୍କ ପୁଣିଥରେ ପୂର୍ବ ପରି ହୋଇଯିବ। କିନ୍ତୁ ଦିନ ଗଲା, ମାସ ଗଲା, ବର୍ଷ ଗଲା ହେଲେ ଦିନେଶ୍ ତାର ଭୁଲ୍ ବୁଝିବା ତ ଦୂରର କଥା ସେ ଦେବେନ୍ଦ୍ର କୁ ଆହୁରି ଆହୁରି ହେଳା କରିବା ଆରମ୍ଭ କରି ଦେଲା ।


   ଏବେ ଯେ ଖାଲି ହେଳା କରୁଥିଲା ତାହା ନୁହଁ‌, କଥା କଥାକେ ତାକୁ ଅପମାନ ଦେବା ମଧ୍ୟ ଆରମ୍ଭ କରିଦେଲା। ପରିସ୍ଥିତି ଏମିତି ହେଲା ଯେ ଦେବେନ୍ଦ୍ର ନିଜ ଭିତରେ ନିଜେ ଖାଲି ଛଟ ପଟ ହେଲା।ଆଉ ସେଇ ଦିନ ଦେବେନ୍ଦ୍ର କୁ ସବୁଠାରୁ ବେଶୀ କଷ୍ଟ ହେଲା ଯେଉଁ ଦିନ ଦିନେଶ୍ ର ପୁଅର ଜନ୍ମ ଦିନ ପାର୍ଟି ରେ ଦିନେଶ୍ ତାକୁ ଦେଖି ବି ଅଣଦେଖା କଲା।ସତରେ ସେ ଯେମିତି ଦେବେନ୍ଦ୍ର କୁ ଚିହ୍ନିନି।ଆଉ ଦେବେନ୍ଦ୍ର ସେଠାରେ ଅନାଗତ ଅତିଥି।ତାର ଉପସ୍ଥିତି ସେଠାରେ ସମ୍ପୁର୍ଣ୍ଣ ଭାବେ ଅନାବଶ୍ୟକ। ଦିନେଶ୍ ର ସେ ଦିନର ବ୍ୟବହାର ଦେବେନ୍ଦ୍ର କୁ ଏତେ ପରିମାଣରେ ବ୍ୟଥିତ କରିଥିଲା ଯେ ତାକୁ ଆଉ ସମ୍ପୁର୍ଣ୍ଣ ରାତି ନିଦ ହେଲାନି। ଯେଉଁ ଦିନେଶ୍ ପିଲା ବେଳେ ଦେଵେନ୍ଦ୍ର କୁ ଗୋଟେ ଦିନ ନଦେଖି ରହି ପାରୁନଥିଲା,ତା ପାଇଁ ଗୋଟେ ଟିଫିନ୍ ବକ୍ସ ଆଣିଲେ ଦେବେନ୍ଦ୍ର ପାଇଁ ମଧ୍ୟ ଗୋଟେ ଟିଫିନ୍ ବକ୍ସ ଆଣୁଥିଲା, ଆଜି ପାର୍ଟି ରେ ସେ ଖାଇଲା ନ ଖାଇଲା ଟିକେ ପଚାରିଲା ମଧ୍ୟ ନାହିଁ।ଏ ପରିକି ଦେବେନ୍ଦ୍ର ସହ ପଦେ କଥା ମଧ୍ୟ ହେଲା ନାହିଁ। ଦେବେନ୍ଦ୍ର ଯେତେବେଳେ ବି ଦିନେଶ୍ ର ନିକଟ ବର୍ତ୍ତୀ ହୋଇ ତାକୁ କିଛି ପଚାରିବାର ଚେଷ୍ଟା କଲା, ଦିନେଶ୍ ତାକୁ ଏମିତି ଭାବରେ ଆଭୟେଡ୍ କଲା ସତେ ଯେମିତି ସେ ଦେବେନ୍ଦ୍ର କୁ ଚିହ୍ନିନି।


   ଦିନେଶ୍ ସହିତ ଦେବେନ୍ଦ୍ର ର ବନ୍ଧୁତା ଚତୁର୍ଥ ଶ୍ରେଣୀ ରେ ପଢିବା ପାଖରୁ। ଚତୁର୍ଥ ଶ୍ରେଣୀ ରେ ପଢିବା ସମୟରେ ଦେବେନ୍ଦ୍ର ପଢୁଥିବା ସ୍କୁଲରେ ବର୍ଷ ମଝିରେ ଆସି ଦିନେଶ୍ ଆଡ଼ମିଶନ ହେଲା‌। କାରଣ ତା ବାପା ଅନ୍ୟ ଗୋଟିଏ ହସ୍ପିଟାଲ ରୁ ବଦଳି ହୋଇ ଆସି ଦେବେନ୍ଦ୍ର ର ଗାଁ ପ୍ରତାପପୁର୍ ହସ୍ପିଟାଲ ରେ ଫାର୍ମାସିଷ୍ଟ ଭାବରେ ଯୋଗଦେଲେ। ସ୍କୁଲ ର ଅନ୍ୟ ପିଲା ମାନେ ସେତେବେଳକୁ ନିଜ ନିଜ ର ସାଙ୍ଗ କରି ସାରିଥିଲେ। ତେଣୁ ଦିନେଶ୍‌ କୁ ସେମାନେ ତାଙ୍କ ସହ ମିଶାଉ ନଥିଲେ।ସେଇ ସମୟରେ ଦେବେନ୍ଦ୍ର ପ୍ରଥମେ ଦିନେଶ୍ ସହ ମିଶିବା ଆରମ୍ଭ କରିଥିଲା‌। ସେଇ ବନ୍ଧୁତା ଦିନେ ପାରିବାରିକ ସମ୍ପର୍କ ରେ ପରିଣତ ହୋଇଥିଲା।ଦିନେଶ୍ ର ବାପା ମାଆ ଦେବେନ୍ଦ୍ର କୁ ନିଜ ପୁଅ ଭଳି ସ୍ନେହ କରୁଥିଲେ। ଦେବେନ୍ଦ୍ର ର ବାପା ମାଆ ମଧ୍ୟ ଦିନେଶ୍ କୁ ନିଜ ପରିବାର ର ସଦସ୍ୟ ବୋଲି ଭାବୁଥିଲେ।


   ସବୁ କିଛି ଠିକ୍ ଠାକ୍ ଚାଲିଥାଏ। ଦେବେନ୍ଦ୍ର ଓ ଦିନେଶ୍ ନିଜ ନିଜ ପାଠ ପଢ଼ା କୁ ନେଇ ଆଗକୁ ଆଗେଇ ଚାଲି ଥାଆନ୍ତି। କିନ୍ତୁ ହଠାତ୍ ଯେମିତି ତାଙ୍କ ଖୁସି ରେ କାହାର ନଜର ଲାଗି ଗଲା।ନବମ ଶ୍ରେଣୀରେ ପଢ଼ୁଥିବା ସମୟରେ ଦିନେଶ୍ ର ବାପା ହଠାତ୍ ଅସୁସ୍ଥ ହୋଇ ପଡିଲେ। ଯେତେ ଡକ୍ଟର ଦେଖାଇଲେ ମଧ୍ୟ ସୁସ୍ଥ ହେବା ପରିବର୍ତ୍ତେ ଅଧିକ ରୁ ଅଧିକ ଅସୁସ୍ଥ ହୋଇ ପଡିଲେ। ଦିନେଶ୍ ବାପାଙ୍କ ସେବାରେ ଲାଗି ପଡ଼ିଥାଏ। ସେଥିପାଇଁ ତାଙ୍କୁ ଅନେକ ଥର ସ୍କୁଲ ବନ୍ଦ କରିବା ପାଇଁ ପଡ଼େ। ସେଇ ସମୟରେ ଦେବେନ୍ଦ୍ର ସବୁ ଦିନ ସ୍କୁଲ୍ ରୁ ଫେରି ଦିନେଶ୍ ର ବାପାଙ୍କ ସେବା କରେ ଓ ସ୍କୁଲ ରେ ଯାହା ପଢ଼ା ହୋଇଥାଏ ତାକୁ ଦିନେଶ୍ କୁ ବୁଝାଇ ଦିଏ।ଶତ ଚେଷ୍ଟା ପରେ ମଧ୍ୟ ଦିନେଶ୍ ର ବାପାଙ୍କ ଅବସ୍ଥା ରେ କିଛି ପରିବର୍ତ୍ତନ ଆସିଲାନି ।ଦିନକୁ ଦିନ ସେ କ୍ଷୀଣ ହେବାରେ ଲାଗିଲେ।ସେ ଦିନେ ଦେବେନ୍ଦ୍ର କୁ ଡାକି କହିଲେ ବାପା ଦେବୁ ମୁଁ ତୋତେ ନିଜ ପୁଅ ଭଳି ସ୍ନେହ କରେ।ତୋ ଭିତରେ ଓ ଦିନେଶ୍ ଭିତରେ କେବେ ଫରକ୍ କରିନି। ତୋତେ ଗୋଟେ କଥା କହିବି ରଖିବୁ?


   ମୋତେ କାହିଁକି ଲାଗୁଛି ମୋର ଏ ରୋଗାକ୍ରାନ୍ତ ଶରୀରଟା ଆଉ ବେଶୀଦିନ ମୋ ସାଥୀ ଦେବନି‌।ମୋର ଆତ୍ମା ଶରୀର ତ୍ୟାଗ କରିବା ପୂର୍ବରୁ ମୁଁ ତୋ ଠାରୁ ଗୋଟେ ପ୍ରତିଶ୍ରୁତି ଚାହେଁ।ତୁ ମୋତେ କଥା ଦେ ତୁ ମୋତେ ନିରାଶ କରିବୁ ନାହିଁ।ତା ହେଲେ ଯାଇ ମୋ ଆତ୍ମା ଶାନ୍ତି ପାଇବ‌। ମୁଁ ଗଲାପରେ ଦିନେଶ୍ ଟା ସମ୍ପୁର୍ଣ୍ଣ ଏକୁଟିଆ ହୋଇ ଯିବ। ତେଣୁ ତୁ ମୋତେ କଥା ଦେ ଜୀବନ ରେ ଯେତେ ଝ

ଡ଼ ଝଞ୍ଜା ଆସିଲେବି ତୁ ଦିନେଶ୍ ର ସାଥି କେବେ ଛାଡିବୁ ନାହିଁ। ଦୁଃଖ ସୁଖ ରେ ସବୁ ବେଳେ ଛାଇ ପରି ତା ସହ ରହିବୁ।ସେ ଯେତେ ଭୁଲ୍ କଲେବି ତାକୁ କେବେ ନିଜ ଠାରୁ ଦୂରେଇ ଦେବୁନି। ଦେବେନ୍ଦ୍ର ସେ ଦିନ ଦିନେଶ୍ ର ବାପାଙ୍କୁ ଦେଇଥିବା ପ୍ରତିଶୃତି ଅନୁସାରେ ଦୀର୍ଘ କୋଡ଼ିଏ ବର୍ଷ ଧରି ଦିନେଶ୍ ର ଦୁଃଖ ସୁଖ ରେ ଛାଇ ହୋଇ ରହି ଆସିଥିଲା। ଦେବେନ୍ଦ୍ର ଓ ଦିନେଶ୍ ର ପିଲା ମାନଙ୍କ ଭିତରେ ମଧ୍ୟ ଭଲ ସମ୍ପର୍କ ଗଢ଼ି ଉଠିଥିଲା। ହେଲେ ‌ଏଇ ବର୍ଷେ ହେବ ଦିନେଶ୍ ର ଚାଲିଚଳନ ରେ ଅନେକ ପରିବର୍ତ୍ତନ ଆସିଛି। 


   ଯେଉଁ ଦିନେଶ୍ ଯେ କୌଣସି କାମ କରିବା ଆଗରୁ ଦେବେନ୍ଦ୍ର ର ପରାମର୍ଶ ନେଉଥିଲା,ସେଇ ଦିନେଶ୍ ଆଜି ତାକୁ ତା କଥାରେ କାହିଁକି ହସ୍ତକ୍ଷେପ କରୁଛୁ ବୋଲି କହୁଛି। ଦେଖି ଅଣଦେଖା କରୁଛି‌।ତା ଫୋନ୍ ଉଠାଉ ନାହିଁ।ଆଉ ଯେତେବେଳେ ବି ଯଦି ଫୋନ୍ ଉଠାଉ ଛି ତେବେ ବ୍ୟସ୍ତତାର ଆଳ ଦେଖାଇ ଫୋନ୍ କାଟି ଦେଉଛି। ଯେତେ ଚେଷ୍ଟା କଲେ ମଧ୍ୟ ଦେବେନ୍ଦ୍ର ଦିନେଶ୍ ର ଏଇ ପରିବର୍ତ୍ତିତ ବ୍ୟବହାର ର କାରଣ ଜାଣି ପାରୁନି। ଅନେକ ଥର ଦିନେଶ୍ କୁ ଏ ବିଷୟରେ ପଚାରିବାର ଚେଷ୍ଟା କରିଛି। ହେଲେ ଦିନେଶ୍ ସବୁ ବେଳେ ତା କଥା କୁ ଆଡେଇ ଦେଇଛି । ସବୁବେଳେ ମୁଁ ବ୍ୟସ୍ତ ଅଛି ତୁ ଫୋନ୍ ରଖ କହି ଫୋନ୍ କାଟି ଦେଇଛି। ଦେବେନ୍ଦ୍ର ଦିନେଶ୍ ର ସ୍ତ୍ରୀ ଙ୍କୁ ମଧ୍ୟ ଏ ବିଷୟରେ ପଚାରିଛି, ହେଲେ ତାଙ୍କ ପାଖରୁ ବି କୌଣସି ସନ୍ତୋଷଜନକ ଉତ୍ତର ପାଇ ନାହିଁ। ହେଲେ ନିଜ ଭିତରେ ବହୁତ କଷ୍ଟ ପାଇଛି। 


   ମଣିଷ ବଞ୍ଚି ଥାଉ ଥାଉ ସେ ସବୁଠାରୁ ଭଲ ପାଉଥିବା ବନ୍ଧୁଟିଏ ଯଦି ହଠାତ୍ ବିନା କାରଣରେ ତାର ଅସ୍ତିତ୍ବ କୁ ଅଣଦେଖା କରେ ତେବେ ସେ ଲୋକ ବଞ୍ଚି ଥାଉ ଥାଉ ମୃତ୍ୟୁ ର ଯନ୍ତ୍ରଣା ଅନୁଭବ କରେ। ଦିନେଶ୍ ର ଏଇ ପ୍ରକାର ବ୍ୟବହାର ଦେବେନ୍ଦ୍ର କୁ ପୁରା ପୁରି ଭାଙ୍ଗି ଦେଉଥିଲା।ସେ ଭାବୁଥିଲା ସେ ଦିନେଶ୍ ର ଏମିତି କି କ୍ଷତି ଘଟାଇଲା ଯେ, ଦିନେଶ୍ ତାକୁ ବିନା ଶବ୍ଦ ରେ ତା ଠାରୁ ଅଲଗା କରି ଦେଲା।ଆଉ ଦିନେଶ୍ କୁ କ୍ଷତି କରିବା ତ ଦୂରର କଥା ତା ବିରୋଧରେ ଚିନ୍ତା କରିବା କଥା ମଧ୍ୟ ପାପ ବୋଲି ଦେବେନ୍ଦ୍ର ଭାବୁଥିଲା। ଦିନେଶ୍ ର ସବୁ ଦୁଃଖ କୁ ତାକୁ ଦେଇ ତା ଜୀବନର ସବୁ ଖୁସିକୁ ଦିନେଶ୍ କୁ ଦେବା ପାଇଁ ‌ସବୁ ବେଳେ ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରୁଥିଲା। ଦିନେଶ୍ ର ବାପା ଙ୍କୁ ଦେଇଥିବା ପ୍ରତିଶୃତି ଅନୁସାରେ ଦିନେଶ୍ ର ପ୍ରତ୍ଯେକଟି ଅସୁବିଧା କୁ ନିଜର ଅସୁବିଧା ଭାବି ତା ଆଗରେ ଛିଡା ହୋଇ ‌ଯାଉଥିଲା।


   କିନ୍ତୁ ‌ଏଇ କେତେ ଦିନ ହେଲା ଦିନେଶ୍ ର ଅଣଦେଖା ତାର ଅସ୍ତିତ୍ବ କୁ ଏମିତି କ୍ଷତାକ୍ତ କରିଦେଉଥିଲା ଯେ ସେ ନିଜ ଭିତରେ ଅଣନିଃଶ୍ବାସୀ ହୋଇ ପଡ଼ୁଥିଲା। ସେ ଭାବୁଥିଲା ଦିନେଶ୍ ବୋଧେ ତାକୁ ତା ଜୀବନ ରୁ ଦୂରେଇ ଦେବାକୁ ଚାହୁଁଛି,ଆଉ ତାକୁ ସାମ୍ନା ରେ କିଛି କହି ନପାରି ଏମିତି ବ୍ୟବହାର କରୁଛି।ଯାହା ଫଳରେ ସେ ନିଜେ ତା ଜୀବନରୁ ଦୂରେଇ ଯିବ। ତେଣୁ ସେ ସ୍ଥିର କଲା ସେ ମଧ୍ୟ ଆଉ ଦିନେଶ୍ କୁ ଆଉ କିଛି ନପଚାରି ତା ଜୀବନ ରୁ ଦୂରେଇ ଯିବ ଓ ଦିନେଶ୍ କୁ ଶାନ୍ତି ରେ ରହିବାକୁ ଦେବ। ହେଲେ ସେଇ ସମୟରେ ତାର ଦିନେଶ୍ ର ବାପାଙ୍କୁ ଦେଇ ଥିବା କଥା ମନେ ପଡେ "ଦିନେଶ୍ ତୋତେ ଯେତେ ଖରାପ ବ୍ୟବହାର କଲେବି ତୁ ତାକୁ ଦୂରେଇ ଦେବୁନି"। ହେଲେ ଦିନ କୁ ଦିନ ପରିସ୍ଥିତି ଏମିତି ହେଲା ଯେ ଦେବେନ୍ଦ୍ର କୁ ଲାଗିଲା ଦିନେଶ ସହିତ ସମ୍ପର୍କ ରକ୍ଷାକରିବା କୁ ଯାଇ ସେ କେଉଁଠି ନାଁ କେଉଁଠି ନିଜ ର ଅସ୍ତିତ୍ବ ହରାଇ ବସୁଛି। 


   ମଣିଷ ସବୁ ସହି ପାରେ କିନ୍ତୁ ବିନା କାରଣରେ ତାର ଅସ୍ତିତ୍ବ ଉପରେ ବାରମ୍ବାର କୁଠାର ଘାତ ହେଲେ ତାକୁ ସହିବା ତା ପକ୍ଷରେ ଅସମ୍ଭବ ହୋଇ ପଡେ। ନିଜ ର ଅସ୍ତିତ୍ବ କୁ ଛାଡି ମଣିଷ ବଞ୍ଚି ପାରେନା‌। ତେଣୁ ସେ ଚିନ୍ତା କଲା କଣ କଲେ ତା ଅସ୍ତିତ୍ବ ଓ ତା ପ୍ରତିଶୃତି ଦୁଇଟି ସାରା ରକ୍ଷା ହେବ। ଅନେକ ଚିନ୍ତା କରି ସ୍ଥିର କଲା ଯେ ପର୍ଯ୍ୟନ୍ତ ଦିନଶ୍ ତାକୁ ତା ପରିବର୍ତ୍ତିତ ବ୍ୟବହାର ବିଷୟରେ ଖୋଲା ଖୋଲି କିଛି ନ କହିଛି କିମ୍ବା ତା ଜୀବନରେ ତା ଉପସ୍ଥିତି ର ଆବଶ୍ୟକତା କୁ ଅନୁଭବ ନ କରିଛି ସେ ପର୍ଯ୍ୟନ୍ତ ସେ କେବେ ଦିନେଶ୍ କୁ କିଛି ପଚାରିବ ନାହିଁ କି ତା ପାଖକୁ ଯିବ ନାହିଁ। କାରଣ ଯେ କୌଣସି ସମ୍ପର୍କ ପରସ୍ପର ପ୍ରତି ଭଲପାଇବା, ସମ୍ମାନ, ସ୍ନେହ, ଶ୍ରଦ୍ଧା ଓ ପରସ୍ପର ର ଭାବନା ପ୍ରତି ଯତ୍ନଵାନ ହେଲେ ହିଁ ତିଷ୍ଠି ରହେ। କାହାକୁ ଦେଇଥିବା ପ୍ରତିଶୃତି କୁ ଆଧାର କରି କୌଣସି ସମ୍ପର୍କ କେବେ ବଞ୍ଚି ପାରେନା। ଆଉ ସତରେ ଯଦି ଦିନେଶ୍ ଜୀବନ ରେ ତାର କିଛି ଅସ୍ତିତ୍ବ ଥିବ, ତା ହୃଦୟ ରେ ତା ପ୍ରତି ଭଲପାଇବା, ସମ୍ମାନ ଓ ସ୍ନେହ ଥିବ ତେବେ ସେ ଦିନେ ନା ଦିନେ ତାର ଅନୁପସ୍ଥିତି କୁ ଅନୁଭବ କରିବ ଓ ତାକୁ ତା ଜୀବନ କୁ ଫେରାଇ ନେବ।


Rate this content
Log in

Similar oriya story from Tragedy